Unknown

 

 

 

 

 

 

 

 

 

 

ଯୁଗେ ଯୁଗେ ବୌଦ୍ଧ ଗଳ୍ପ

(ଐତିହାସିକ ଓ ବୌଦ୍ଧଯୁଗୀୟ ଗଳ୍ପ ସଂଗ୍ରହ)

ଶ୍ରୀ ଗଣେଶ ପ୍ରସାଦ ପରିଜା

 

ମୁଖବନ୍ଧ

 

ଶ୍ରୀ ଗଣେଶ ପ୍ରସାଦ ପରିଜା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ଗବେଷଣାତ୍ମକ ପ୍ରବନ୍ଧ ଲେଖି ସୁପରିଚିତ । ଶ୍ରୀ ଜଗନ୍ନାଥ ଓ ତନ୍ତ୍ର ଉପରେ ତାଙ୍କର ମତାମତ ପଣ୍ଡିତମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ‘ମାନସ’ ପତ୍ରିକାର ଦେବତା ବିଭାଗରେ ହିନ୍ଦୁମାନଙ୍କ ପର୍ବପର୍ବାଣୀ ଓ ଦେବାଦେବୀଙ୍କ ଉପରେ ପୁରାଣମାନଙ୍କୁ ବିଭିନ୍ନ ତଥ୍ୟ ସଂଗ୍ରହକରି ତାଙ୍କର ଲେଖା ‘ମାନସ’ର ଅସଂଖ୍ୟ ପାଠକପାଠିକାଙ୍କୁ ଆନନ୍ଦ ଦେଇଛି ।

 

କେବଳ ଚିନ୍ତାମୂଳକ ପ୍ରବନ୍ଧ ପାଇଁ ନୁହେଁ ଐତିହାସିକ ଓ ପୌରାଣିକ ପୃଷ୍ଠଭୂମିରେ ଗଳ୍ପ ଲେଖି ମଧ୍ୟ ଶ୍ରୀ ପରିଜା ପରିଚିତ । ଏ ଦିଗରେ ପ୍ରସିଦ୍ଧ ପୂର୍ବସୂରୀ ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କୁ ସେ ଆଦର୍ଶ କରିନେଇଥିବା ପରି ଜଣାପଡ଼ୁଥିଲେ ମଧ୍ୟ ଗଳ୍ପଗୁଡ଼ିକର ବିଷୟବସ୍ତୁ ନିର୍ବାଚନରେ ଓ ତାଙ୍କର ତାନ୍ତ୍ରିକ ଦୃଷ୍ଟିକୋଣ ପାଇଁ ଶ୍ରୀ ପରିଜାଙ୍କ ସ୍ୱାତନ୍ତ୍ର୍ୟ ରହିଛି ।

 

‘ଯୁଗେ ଯୁଗେ ବୌଦ୍ଧ ଗଳ୍ପ’ ଗଳ୍ପ ସଂଗ୍ରହଟିରେ ବୌଦ୍ଧ ଉପାଖ୍ୟାନ ଓ ତନ୍ତ୍ରମତକୁ ନେଇ ଲିଖିତ ତାଙ୍କର ଗଳ୍ପଗୁଡ଼ିକ ପାଠକମାନଙ୍କର କେବଳ ମନୋରଞ୍ଜନ କରିବନାହିଁ, ଇତିହାସରେ ଅଦ୍ୟାବଧି ଅନାବିଷ୍କୃତ ବା ଅଳ୍ପ ପରିଚିତ ବହୁ ଅଧ୍ୟାୟ ଉପରେ ଆଲୋକପାତ କରିବ । ଇତିହାସ ପଢ଼ିବାକୁ ଅନେକ ଲୋକଙ୍କର ସମୟ ନଥାଇପାରେ; କିନ୍ତୁ ଇତିହାସରୁ ଶିକ୍ଷଣୀୟ କଥାଗୁଡ଼ିକ କେହି ଅବହେଳା କରିବା ଉଚିତ ନୁହେଁ । ଇତିହାସକୁ ଗଳ୍ପ ଓ ଉପନ୍ୟାସ ଭିତରକୁ ଆଣି, ଓଡ଼ିଶାର ବହୁ ପ୍ରତୀକ୍ଷିତ ଅଭ୍ୟୁତଥାନକୁ ତ୍ଵରାନ୍ୱିତ କରିବା ଦିଗରେ ଶ୍ରୀ ପରିଜା ଚେଷ୍ଟା କରିଛନ୍ତି । ଶ୍ରୀ ପରିଜା ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ଅଗ୍ରସର ହୋଇଆସିଥିବାରୁ ସମସ୍ତଙ୍କର ଧନ୍ୟବାଦାର୍ହ । ‘ଯୁଗେ ଯୁଗେ ବୌଦ୍ଧ ଗଳ୍ପ’ ଗଳ୍ପ ସଂଗ୍ରହଟିର ବହୁଳ ପ୍ରସାର ହେବା ଉଚିତ ।

 

ବକୁଳ ଅମାବାସ୍ୟା

କୃଷ୍ଣ ପ୍ରସାଦ ମିଶ୍ର

୨୯-୧୨-୧୯୭୮

 

Image

 

ମୋ ନିଜ କଥା

 

‘ଯୁଗେ ଯୁଗେ ବୌଦ୍ଧ ଗଳ୍ପ’ରେ ଏଗାରଟି ଗଳ୍ପ ସନ୍ନିବେଶିତ କରାଯାଇଛି । ପ୍ରଥମେ ମୂଳ ବୌଦ୍ଧ ଗ୍ରନ୍ଥମାନଙ୍କରୁ କେତେଗୁଡ଼ିଏ ସୁନ୍ଦର ଉପାଖ୍ୟାନ ଲେଖି ମାନସ, ପୌରୁଷ ଏବଂ ଝଙ୍କାରରେ ପ୍ରକାଶ କରି ଦେଖିଲି, ତାହା ପାଠକମାନେ ଆଗ୍ରହ ସହିତ ପାଠ କରୁଛନ୍ତି । ଏହି ଗଳ୍ପସବୁ ଲେଖିଲାବେଳେ ଶ୍ରୀ ମଧୁସୂଦନ ମହାନ୍ତି ଯେ କି ଏକାଧାରାରେ ସାମ୍ବାଦିକ, ସାହିତ୍ୟିକ, ଆଇନଜ୍ଞ, ରାଜନୀତିଜ୍ଞ, ସୁବକ୍ତାଭାବେ ଓଡ଼ିଶାରେ ସୁପରିଚିତ, ସେହି ମହୋଦୟ କଥା ପ୍ରସଙ୍ଗରେ କହିଲେ, 'ଯେଉଁ ବୌଦ୍ଧଧର୍ମ ଓଡ଼ିଶାରେ ସର୍ବତ୍ର ବ୍ୟାପୀ ରହିଥିଲା, ତାହା ଓଡ଼ିଶାରୁ ଏଭଳି ଉଭେଇଗଲା କିପରି ? ପ୍ରକୃତରେ ଏହି ପ୍ରଶ୍ନର ଉତ୍ତର କେବଳ ସେହି ମହୋଦୟଙ୍କୁ ନୁହେଁ, ସମସ୍ତଙ୍କୁ ଦେବାପାଇଁ ଇଚ୍ଛାକରି ମୂଳ ବୌଦ୍ଧ ଗଳ୍ପ ସହିତ ଆଉ କେତୋଟି ବୌଦ୍ଧ ତନ୍ତ୍ର ଗଳ୍ପ ଲେଖି ପତ୍ରିକାରେ ପ୍ରକାଶ କଲି-। ଝଙ୍କାରରେ ‘ମହାପ୍ରାଜ୍ଞ’ ଗଳ୍ପଟି ଅଗଷ୍ଟ ୧୯୭୮ ସଂଖ୍ୟାରେ ପ୍ରକାଶ ପାଇଲା ପରେ ବହୁ ବନ୍ଧୁ ତଥା ସମ୍ପାଦକ ବଧେଇ ଜଣାଇଛନ୍ତି । କାରଣ ଏଥିପୂର୍ବରୁ ତନ୍ତ୍ର ଉପରେ ସେହିଭଳି ଗଳ୍ପ ପ୍ରକାଶ ପାଇନଥିଲା । ପ୍ରକୃତରେ ବୌଦ୍ଧ ମହାଯାନପନ୍ଥୀ ତନ୍ତ୍ରଯାନରେ ପ୍ରବେଶ କରିବାଦ୍ୱାରା ବୌଦ୍ଧଧର୍ମର ପତନ ଘଟିଲା । ତନ୍ତ୍ରର ପଞ୍ଚମକାର ଅତି ଉଚ୍ଚସ୍ତରର ସାଧନା । ଏହି ସାଧନାର ଅଧିକାର ସମସ୍ତଙ୍କର ନ ଥିଲେ ମଧ୍ୟ ସାଧନାରେ ପ୍ରବେଶ କରି ତାନ୍ତ୍ରିକ ସମାଜକୁ ବିପଥଗାମୀ କଲେ । ଗଳ୍ପାକାରରେ ମୁଁ ତାହା ପ୍ରକାଶ କରିଛି । ତନ୍ତ୍ର ଗଳ୍ପଗୁଡ଼ିକ ଚେଳିତାଳୋ, ଝଙ୍କଡ଼ ଏବଂ ଓଡ଼ିଶାର ବାକଦେବୀ ସାରଳାଙ୍କ ଉପରେ ଲେଖିଛି । ମୁଁ ସେହି ଅଞ୍ଚଳର ସଂସ୍କୃତି ସହିତ ଜଡ଼ିତ । ଚେଳିତାଳୋର ସଂସ୍କୃତି ଏବଂ ଧର୍ମ ସେ ଓଡ଼ିଶା ସଂସ୍କୃତିର ଅଙ୍ଗୀଭୂତ ଓ ଓଡ଼ିଶା ସଂସ୍କୃତିର ଏକ କ୍ଷୁଦ୍ର ସଂସ୍କରଣ ଏହା କହିବା ଅନାବଶ୍ୟକ । ଚେଳିତାଳୋ ପରବର୍ତ୍ତୀ ଯୁଗରେ ତିର୍ତ୍ତୋଲ ନାମରେ ନାମିତ ହୋଇଛି । ସେଠାରେ ବିରାଟ ବନ୍ଦର ଥିବାରୁ ବହୁ ଧନପତି ସେଠାରେ ବାସ କରୁଥିଲେ । ଧନପତିମାନଙ୍କୁ ଜଂଖ କୁହାଯାଉଥିଲା । ତେଣୁ ଜଂଖେରପୁର ପରେ ଝଙ୍କଡ଼ ନାମରେ ନାମିତ ହୋଇଛି । ଓଡ଼ିଶାର ଆଦିକବି ସାରଳା ଦାସ ଝଙ୍କଡ଼ ଅଞ୍ଚଳର କବି । ଓଡ଼ିଆର ସଂସ୍କୃତି ଓ ସାହିତ୍ୟ ସାରଳା ସାହିତ୍ୟରେ ପରିସ୍ଫୁଟ ।

 

ବହୁ ପୂର୍ବର ତନ୍ତ୍ରଯୁଗରେ ଓ ତା’ ପରବର୍ତ୍ତୀ ସମୟର ବିଷୟବସ୍ତୁ ମୁଁ ଗଳ୍ପାକାରରେ ଉଲ୍ଲେଖ କରିଛି ଏବଂ ଏହିଭଳି ଆହୁରି ମଧ୍ୟ ଅନେକ ଘଟଣା ପରେ ଲେଖିବାକୁ ମନସ୍ଥ କରିଛି । ସମଗ୍ର ଓଡ଼ିଶାରେ ତନ୍ତ୍ରସମ୍ବନ୍ଧୀୟ ଯେଉଁ ତଥ୍ୟ ଅଛି, ତାହା ପ୍ରକାଶ ହେଲେ ପାଠକଙ୍କୁ ଆନନ୍ଦ ଦେବ, ଏଥିରେ ସନ୍ଦେହ ନାହିଁ । ଓଡ଼ିଶା ତନ୍ତ୍ରମନ୍ତ୍ରର ଦେଶ । ବର୍ତ୍ତମାନ ଯୁଗଭଳି ପୂର୍ବେ ମଧ୍ୟ ଭିନ୍ନ ପରିସ୍ଥିତିରେ ପଡ଼ି ଓଡ଼ିଶାରୁ ତନ୍ତ୍ରାଲୋକ ଲିଭି ଲିଭି ଆସିଛି । କେବଳ ମନ୍ଦିରରେ ଉପାସିତ ଦେବତା ଓ କୀଟଦଷ୍ଟ ଗ୍ରନ୍ଥ ତାହାର ସାକ୍ଷ୍ୟରୂପେ ଆମକୁ ବହୁ ତଥ୍ୟ ଯୋଗାଏ । ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶା ଇତିହାସରେ ଉଲ୍ଲେଖ କରିଛନ୍ତି, ‘ଗଜପତି ପ୍ରତାପରୁଦ୍ରଙ୍କ ସମୟରେ ବୌଦ୍ଧମାନଙ୍କୁ ଏ ଦେଶରୁ ତଡ଼ି ଦିଆଗଲା ।’ ମାଦଳାପାଞ୍ଜିରେ ସେହି କଥା ମଦନ ମାଧବ ଦେବଙ୍କ ସମୟରେ ବୋଲି ଉଲ୍ଲେଖ ଅଛି । ଏହି ବିଷୟ ମୋର ଅନ୍ୟତମ ପୁସ୍ତକ ‘ମହାପ୍ରଭୁ ଜଗନ୍ନାଥରେ’ ଉଲ୍ଲେଖ କରିଛି ।

 

ଆଶାକରେ ମୋର ଏହି ‘ଯୁଗେ ଯୁଗେ ବୌଦ୍ଧ ଗଳ୍ପ’ ବହିଖଣ୍ଡି ଲୋକମାନଙ୍କଦ୍ୱାରା ଆଦୃତ ହେବ । ଜାଣେ ନାହିଁ ସେହି ମହାନ୍ ବ୍ୟକ୍ତି ମଧୁବାବୁ ଏ ବହିଟି ପାଠକରି କେତେ ଆନନ୍ଦିତ ହେବେ । ଏଇ ବହିଟି ଶ୍ରୀ ମଧୁସୂଦନ ମହାନ୍ତିଙ୍କୁ ଅର୍ପଣ କରୁଛି ।

 

ମୁଁ ଇତିହାସ ଲେଖିନାହିଁ; କିନ୍ତୁ ଅନ୍ଧକାର ଗହ୍ୱରରେ ଲୁକ୍‌କାୟିତ ଥିବା ଇତିହାସକୁ ମୁଁ ରୂପଦେବାକୁ ଚେଷ୍ଟା କରିଛି । ସେଦିନର ରାଜାକୁ ଆଜି ଭିକାରି ବେଶରେ ଦେଖିଲେ ଯେପରି ସେ ଦିନେ ରାଜାଥିଲା, ଏହା ବିଶ୍ୱାସ କରିହୁଏନା, ସେହିଭଳି ସେତେବେଳର ଚେଳିତାଳୋ ତଥା ଜଂଖେରପୁରର ଅବସ୍ଥା । ସେହିଭଳି ମଧ୍ୟ ଓଡ଼ିଶାର ବହୁ ଗୌରବାନ୍ୱିତ ଅଞ୍ଚଳ ନିଜର ଗୌରବ ହରାଇ ପଡ଼ିରହିଛି । ଯଦି ମୋର ଆରାଧ୍ୟ ଭଗବତୀ ସାରଳା ଏବଂ ଓଡ଼ିଶାର ସମ୍ରାଟ ତଥା ବିଶ୍ୱର ମହାପ୍ରଭୁ ଶ୍ରୀଜଗନ୍ନାଥ ମୋତେ ସଦୟ ହେବେ, ମୁଁ ଭବିଷ୍ୟତରେ ସେହି ସବୁକୁ ପ୍ରକାଶ କରିବାକୁ ଚେଷ୍ଟାକରିବି ।

 

ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ଏହି ବହିଟିରେ ମନ୍ଦିରର ମୁଖଶାଳା ଭଳି ମୁଖବନ୍ଧ ଲେଖିଦେଇଥିବାରୁ ତାଙ୍କ ପାଖରେ ମୁଁ କୃତଜ୍ଞ ।

 

ଗଣେଶ ପ୍ରସାଦ ପରିଜା

Image

 

ସୂଚୀପତ୍ର

 

୧.

ଓଁ ମଣିପଦ୍ମେ ହୁ

୨.

ଅପୂର୍ବ ଦୃଶ୍ୟ

୩.

ଅହିଂସକ

୪.

ସାରିପୁତ୍ତ

୫.

କାରୁବାକୀ

୬.

ମଧୁସ୍ମିତା

୭.

ମହାପ୍ରାଜ୍ଞ

୮.

କଣୟାବତୀ

୯.

ବିଜୟୀ ମହାପ୍ରାଜ୍ଞ

୧୦.

ତନ୍ତ୍ର ହଜିଯାଏ

୧୧.

ଶେଷ ଦୃଶ୍ୟ

Image

 

ଓଁ ମଣିପଦ୍ମେ ହୁଁ

 

ପାଟଳିପୁତ୍ରର ରାଜଦାଣ୍ଡ ଲୋକାରଣ୍ୟ ।

 

ଦାଣ୍ଡର ଦୁଇ କଡ଼ରେ ଧାଡ଼ି ଧରି ଲୋକମାନେ ଦଣ୍ଡାୟମାନ । ସମସ୍ତଙ୍କର ଲକ୍ଷ୍ୟ ସମ୍ମୁଖ ଭାଗରେ ଥୁଆହୋଇଥିବା ରଥ ଉପରେ, ଆଉ ମତ୍ତହସ୍ତୀ ଭଳି ପଇଁତରା ମାରୁଥିବା ସମ୍ରାଟ ପଣ୍ଡୁଙ୍କ ଉପରେ । ସମ୍ରାଟ ପଣ୍ଡୁ ବଡ଼ ଉତ୍ତ୍ୟକ୍ତ ହୋଇପଡ଼ୁଥାନ୍ତି । ସତେ ଯେପରି ଏକ ବିରାଟ ଘଟଣା ଘଟିଯାଇଛି । ଯଦ୍ଦ୍ୱାରା ତାଙ୍କ ସମ୍ମାନ କ୍ଷୁଣ୍ଣ ହୋଇପଡ଼ିଛି ।

 

ସମ୍ରାଟ ଉତ୍ତ୍ୟକ୍ତ ହେଲେ ମଧ୍ୟ ଦୁଇଜଣ ଲୋକ ନିର୍ଭୟରେ ଦଣ୍ଡାୟମାନ । ଜଣେ କଳିଙ୍ଗର ରାଜା ଗୁହସିଂହ, ଆଉ ଅନ୍ୟ ଜଣକ ପାଟଳିପୁତ୍ରର ସାମନ୍ତରାଜା ଚୈତାୟନ । ଉଭୟେ ପାଖାପାଖି ଠିଆ ହୋଇଥାନ୍ତି । ଯେପରି ସେ ଅବଗତ ଅଛନ୍ତି ସମ୍ରାଟଙ୍କର ସମସ୍ତ ଫୁତ୍‌କାର ମୁହୂର୍ତ୍ତକ ମଧ୍ୟରେ ପାଣି ଫାଟିଯିବ ।

 

ସମ୍ରାଟ ଉତ୍ତ୍ୟକ୍ତ ଭାବେ ପଦଚରଣ କରୁ କରୁ ହଠାତ୍ ଅନାଇଦେଲେ ଚୈତାୟନଙ୍କୁ । ସମ୍ରାଟ ତାଙ୍କୁ ଲକ୍ଷ୍ୟକରିବା ଦେଖି ଚୈତାୟନ ଧୀର ନମ୍ର ସ୍ଵରରେ କହିଲେ, ସମ୍ରାଟ ମୋତେ କ’ଣ କିଛି କହିବାକୁ ଚାହୁଁଛନ୍ତି ?

 

ହଁ ମୁଁ ଜାଣିବାକୁ ଚାହେଁ, ତୁମକୁ କଳିଙ୍ଗ ପଠାଯାଇଥିଲା କାହିଁକି ?

 

ସମ୍ରାଟ ମୋତେ ଯେଉଁ ଆଦେଶ ଦେଇ ପଠାଇଥିଲେ, ତାହା ମୁଁ ଅକ୍ଷରେ ଅକ୍ଷରେ ପାଳନ କରିଛି ।

 

ସମ୍ରାଟ କ’ଣ ତୁମକୁ କହିଥିଲେ, ଗୋଟାଏ ମୃତ ବ୍ୟକ୍ତିର ଦାନ୍ତକୁ ଭଗବାନଙ୍କ ଭଳି ରଥାରୂଢ଼ କରି ଏଠାକୁ ଆଣିବାକୁ ?

 

ଠିକ୍ ରଥାରୂଢ଼ କରି ଆଣିବାକୁ ସମ୍ରାଟ ଆଦେଶ ଦେଇନଥିଲେ ମଧ୍ୟ କଳିଙ୍ଗ ଯାତ୍ରାକରି ସିଂହପୁରରେ ଗୁହସିଂହଙ୍କୁ ସମ୍ରାଟଙ୍କ ଆଦେଶ ଜଣାଇବାକୁ କହିଥିଲେ । ସମ୍ରାଟଙ୍କର ସେହି ଆଦେଶାନୁସାରେ କଳିଙ୍ଗର ମହାରାଜ ଗୁହସିଂହ ସେ ପୂଜା କରୁଥିବା ତାଙ୍କ ଆରାଧ୍ୟ ଦନ୍ତକୁ ଯଥାସମ୍ଭବ ଧରିଆସିଛନ୍ତି । ସମ୍ରାଟଙ୍କର ଆଦେଶ ମୁଁ ଯଥାଶକ୍ତି ପାଳନ କରିଛି ।

 

ସମ୍ରାଟ ଶୁଣିବାକୁ ପାଇଛନ୍ତି, ତୁମେ ଆଉ ତୁମର ସୈନ୍ୟମାନେ ବୌଦ୍ଧଧର୍ମ ଗ୍ରହଣ କରିଛନ୍ତି । ଏ ସମ୍ବାଦ ସତ୍ୟ କି ?

 

ସତ୍ୟ ସମ୍ରାଟ୍ !

 

ତାହା କ’ଣ ସମ୍ରାଟଙ୍କର ଆଦେଶ ଥିଲା ?

 

ଧର୍ମ ଉପାସନା ପୂରାପୂରି ବ୍ୟକ୍ତିଗତ ସମ୍ରାଟ୍-ସେଥିରେ କାହାର ଆଦେଶ ବା ନିର୍ଦ୍ଦେଶ ସ୍ପୃହଣୀୟ ନୁହେଁ ।

 

ସମ୍ରାଟ ପଣ୍ଡୁ ଭାରି ପଦକ୍ଷେପରେ କିଛି ବାଟ ଆଗେଇ ଗଲେ । ତା’ପରେ ପୁଣି ଫେରି ରାଜା ଗୁହସିଂହଙ୍କ ସମ୍ମୁଖରେ ହଠାତ୍ ଗତି ବନ୍ଦକରି ପ୍ରଶ୍ନକଲେ, ତୁମେ ଗୋଟାଏ ମୃତବ୍ୟକ୍ତିର ଦନ୍ତ ପୂଜା କରୁଛ ?

 

ବିନମ୍ର ଭାବରେ ଗୁହସିଂହ କହିଲେ, ସମ୍ରାଟଙ୍କ ପକ୍ଷରେ ଗୋଟିଏ ସାଧାରଣ ବିଷୟ ନେଇ ଏତେ ଉତ୍ତ୍ୟକ୍ତ ହେବା ବାଞ୍ଛନୀୟ ନୁହେଁ । ଯାହାକୁ ସମ୍ରାଟ ଏକ ମୃତବ୍ୟକ୍ତିର ଦାନ୍ତ ବୋଲି ଘୃଣାବ୍ୟଞ୍ଜକ ବାକ୍ୟ ପ୍ରୟୋଗ କରୁଛନ୍ତି, ତାହା ଅବିକଳ ସେହିଭଳି ନୁହେଁ । ମୃତବ୍ୟକ୍ତିର ଦନ୍ତ କେବେ ଏତେ ସମ୍ମାନର ଅଧିକାରୀ ହୋଇପାରେନା । ଆପଣ ପ୍ରକୃତିସ୍ଥ ହୋଇ ବିଚାର କରନ୍ତୁ ବିଷୟଟିର ଯଥାର୍ଥତା ।

 

କଳିଙ୍ଗର ମହାରାଜା କ’ଣ କହିବାକୁ ଚାହାନ୍ତି ଯେ ସେ ପୂଜା କରୁଥିବା ବସ୍ତୁଟି ଏକ ମୃତଲୋକର ନୁହେଁ ।

 

ସମ୍ରାଟ କ’ଣ କହିବାକୁ ଚାହାନ୍ତି ତଥାଗତ ବୁଦ୍ଧ ମୃତ ?

 

ହଁ–ଖାଲି ମୃତ ନୁହେଁ, ତାଙ୍କ ମୃତପିଣ୍ଡକୁ ଦଗ୍‌ଧୀଭୂତ କରାଗଲାବେଳେ ଭୁଲ୍‌ରେ ଦଗ୍‌ଧୀଭୂତ ନ ହୋଇ ରହିଥିବା ବାମ କଳଦନ୍ତଟି ତୁମ ଉପର ବଂଶର ବ୍ରହ୍ମଦତ୍ତ କ୍ଷେମଥେରଙ୍କଠାରୁ ଗ୍ରହଣ କରିଥିଲେ ଏବଂ ତୁମେ ହିଁ ତାକୁ ପୂଜା କରୁଛ ।

 

ସମ୍ରାଟ ! ମରଦେହ କାହାର ଚିରଦିନ ରହି ନାହିଁ କିମ୍ବା ରହିବ ବି ନାହିଁ । ତଥାଗତଙ୍କର ତାହା ହିଁ ହୋଇଛି; କିନ୍ତୁ ସେ ଅମର । ତାଙ୍କର ଆତ୍ମା କୌଣସିରେ ଆବଦ୍ଧ ନୁହେଁ-ଈଶ୍ୱରଙ୍କ ପରି ସେ ଚିରମୁକ୍ତ । ଯେତେବେଳେ ଅନ୍ୟାୟ ଅବିଚାର ସମାଜର କଣ୍ଠରୋଧ କରେ, ସମାଜକୁ ସତ୍‌ନ୍ୟାୟ ପଥରେ ଚଳାଇବାକୁ ସେତେବେଳେ ସେ ଆବିର୍ଭାବ ହୁଅନ୍ତି । ଏହା ହିଁ ଯୁଗେ ଯୁଗେ ଘଟିଆସିଛି ।

 

ତୁମ ବୁଦ୍ଧ କେଉଁ ଅନ୍ୟାୟ ଅବିଚାରରୁ ଦେଶ ତଥା ଜାତିକୁ ବଞ୍ଚାଇ ଯାଇଛନ୍ତି ?

 

ତାହା କ’ଣ ସମ୍ରାଟଙ୍କୁ ଜଣାନାହିଁ ଯେ ସମ୍ରାଟ ମୋ ନିକଟରୁ ତାହା ଶୁଣିବାକୁ ଇଚ୍ଛାକରନ୍ତି । ସମ୍ରାଟ ନିଶ୍ଚୟ ଜାଣିଥିବେ ରାଜାଠାରୁ ପ୍ରଜା ପର୍ଯ୍ୟନ୍ତ ଯେତେବେଳେ ହିଂସାର କରାଳ କବଳରେ କବଳିତ, ଧର୍ମ ନାମରେ ଯେତେବେଳେ ଗୋ ଅଶ୍ୱାଦି ଜାତୀୟ ସଂପଦ ବଳିରୂପେ ଗୃହୀତ, ସେତେବେଳେ ତଥାଗତ ସେ ପଥରୁ ସମାଜକୁ ତଥା ଜାତିକୁ ସତ୍‍ ପଥରେ ଚାଳିତ କରିଥିଲେ ।

 

ତୁମେ ଜାଣ, ଦେବତା ଏବଂ ବ୍ରାହ୍ମଣ ସନାତନ ଧର୍ମର ଚିର ନମସ୍ୟ ?

 

ଜାଣେ ସମ୍ରାଟ ! ସମ୍ରାଟ ଅନୁଗତ କେବେ ଦେବତା, ବ୍ରାହ୍ମଣଙ୍କୁ ତ ଅବମାନନା କରିନାହିଁ ।

 

କ’ଣ ତୁମେ ଦେବତା ବ୍ରାହ୍ମଣଙ୍କୁ ଅବମାନନା କରିନାହଁ ? ମିଥ୍ୟାବାଦୀ–ତୁମେ ଗୋଟିଏ ମୃତ ବ୍ୟକ୍ତିର ଦାନ୍ତକୁ ପୂଜାକରି ଦେବତାଙ୍କୁ ଯେଉଁଭଳି ଭୁଲିଯାଇଛ, ସେହିଭଳି ବ୍ରାହ୍ମଣଙ୍କୁ ସମ୍ମାନ କରିବାକୁ ମଧ୍ୟ ଇଚ୍ଛା କରୁନାହଁ । ପୂର୍ବରୁ ତୁମେ ବ୍ରାହ୍ମଣଙ୍କୁ ଯେଉଁଭଳି ସମ୍ମାନ କରି ତାଙ୍କ ପ୍ରତି ନ୍ୟାୟୋଚିତ ବ୍ୟବହାର ପ୍ରଦର୍ଶନ କରୁଥିଲ, ତାହା ବୌଦ୍ଧଧର୍ମ ଗ୍ରହଣ କରି ଏବଂ ଏହି ଦନ୍ତପୂଜା କରି ଠିକ୍ ବିପରୀତ କର୍ମ କରୁନାହିଁ କି ?

 

ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି ସମ୍ରାଟ ! ଆପଣ ଭୁଲିଯାଇଛନ୍ତି ଆପଣଙ୍କୁ ଏବଂ ଆପଣଙ୍କ ପଦମର୍ଯ୍ୟାଦାକୁ । କଳିଙ୍ଗର ଲୋକ ମିଥ୍ୟାର ବଶବର୍ତ୍ତୀ ହେବା ଇତିହାସରେ ବିରଳ । ଲକ୍ଷ କରନ୍ତୁ, ଆପଣଙ୍କ ପୂର୍ବର ଏଇ ମଗଧର ସମ୍ରାଟ ଅଶୋକଙ୍କୁ । ମିଥ୍ୟାର ବଶବର୍ତ୍ତୀ ହୋଇ କଳିଙ୍ଗରେ କି ଅଘଟଣ ସେ ଘଟାଇନାହାନ୍ତି । କଳିଙ୍ଗ ଯୁଦ୍ଧରେ କଳିଙ୍ଗର, ଲକ୍ଷେସେନା ମୃତ୍ୟୁବରଣ କଲେ, ଦେଢ଼ଲକ୍ଷ ବନ୍ଦୀହୋଇ ଦେଶାନ୍ତରୀ ହେଲେ, କେତେଯେ କ୍ଷତ ବିକ୍ଷତ ହେଲେ ତା’ର ହିସାବ କିଏ କହିବ ? ତଥାପି କଳିଙ୍ଗବାସୀ ଅଶୋକଙ୍କ ଅନ୍ୟାୟ ଆଗରେ ମସ୍ତକ ନତ କରିନଥିଲେ । ଯେତେବେଳେ ସମ୍ରାଟ ଅଶୋକ ନିଜେ ଉପଲବ୍‌ଧି କଲେ, କଳିଙ୍ଗର ବିରତ୍ୱକୁ ତଥା ସତ୍ୟକୁ ସେତେବେଳେ ତାଙ୍କ ନିଷ୍ଠୁର ହୃଦୟ ଫଟାଇ କଳିଙ୍ଗର ରକ୍ତ ସହିତ ଲୁହ ଦୟା-ନଦୀରେ ଅପୂର୍ବ ବନ୍ୟା ସୃଷ୍ଟି କଲା । ଚଣ୍ଡାଶୋକ ହେଲେ ଧର୍ମାଶୋକ । ସେ ସତ୍ୟ ଅହିଂସା ମାର୍ଗରେ ନିଜକୁ ଆଗେଇନେବାକୁ ସ୍ଥିରକରି ସତ୍ୟ ଅହିଂସାର ମୂର୍ତ୍ତିମନ୍ତ ପନ୍ଥା ବୌଦ୍ଧଧର୍ମ ଗ୍ରହଣ କଲେ । ଅଶୋକ ଇହଜଗତରୁ ବିଦାୟ ନେଇଛନ୍ତି ସତ୍ୟ କିନ୍ତୁ ତାଙ୍କ ନାମ ସାରାବିଶ୍ଵରେ ସ୍ୱର୍ଣ୍ଣାକ୍ଷରରେ ଲେଖାରହିଛି-। ମହାମାନ୍ୟ ସମ୍ରାଟ ! ମୁଁ ଜାଣେ ମୋ ବିରୁଦ୍ଧରେ କେତେଜଣ ବ୍ରାହ୍ମଣ ଆପଣଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ମୁଁ ଦେବତା ବ୍ରାହ୍ମଣଙ୍କୁ ଅବଜ୍ଞା କରୁଛି ବୋଲି । ଆପଣଙ୍କ ଭଳି ମହାନ୍ ବ୍ୟକ୍ତି ସମସ୍ତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି । କେଉଁଠି ଆପଣ ଦେଖିଛନ୍ତି, ବ୍ରାହ୍ମଣ କାହା ବିରୁଦ୍ଧରେ କାହାପାଖରେ ଅଭିଯୋଗ ଆଣନ୍ତି ? ବ୍ରାହ୍ମଣର ସନ୍ତାନ ବ୍ରାହ୍ମଣ ହୁଏନାହିଁ । ଯେତେବେଳେ ବ୍ରାହ୍ମଣର ବ୍ରହ୍ମତ୍ୱ ଉପଲବଧି କରାଯାଏ ସେତେବେଳେ ଅନ୍ୟଜାତିର ସନ୍ତାନ ମଧ୍ୟ ବ୍ରାହ୍ମଣଭାବେ ସମ୍ମାନିତ ହୁଏ । ଏ ବିଶ୍ଵରେ ବ୍ରାହ୍ମଣକୁ କିଏ ଅବମାନନା କରି ରହିପାରିଲାଣି ? ସମ୍ରାଟଙ୍କ ରୋଷ କୋଷାନଳରେ ଦେଶାନ୍ତରୀ ହୋଇ କେହି ବର୍ତ୍ତୀ ପାରେ; ମାତ୍ର ବ୍ରାହ୍ମଣ ପାଖରେ ତାହା ହେବ କି ? ଆଉ ଦେବତାଙ୍କୁ ମୁଁ ଅବମାନନା କରିଛି ବୋଲି ଆପଣ କହିପାରନ୍ତି; କିନ୍ତୁ ମୁଁ ଶପଥ କରି କହୁଛି ମୁଁ ଦେବତାର ଅବମାନନା କରିନାହିଁ । ଆପଣ ମଲା ମଣିଷର ଦାନ୍ତ କହିପାରନ୍ତି, ମାତ୍ର ସେ ହେଉଛି ପ୍ରତ୍ୟକ୍ଷ ଦେବତା । ମୁଁ ଜୋରକରି କହିପାରେ ସମ୍ଭବତଃ ଆପଣ ଏଭଳି ଦେବତାର ସାନ୍ନିଧ୍ୟ କେବେ ପାଇନାହାନ୍ତି ।

 

ରାଜଦାଣ୍ଡ ଅସଂଖ୍ୟ ଲୋକରେ ପରିପୂର୍ଣ୍ଣ ହେଲେ ମଧ୍ୟ ସମସ୍ତେ ନୀରବ । ସମ୍ରାଟ ପଣ୍ଡୁ ଏବଂ କଳିଙ୍ଗର ମହାରାଜ ଗୁହସିଂହଙ୍କ କଥୋପକଥନ ପ୍ରତ୍ୟେକଙ୍କ କର୍ଣ୍ଣରେ ଡାକବାଜି ଯନ୍ତ୍ରରେ କହିଲାଭଳି ଶୁଭୁଥାଏ । ଗୁହସିଂହଙ୍କ ନମ୍ର ଅଥଚ ବୀରତ୍ଵ ପୂର୍ଣ୍ଣ କଥା ଶୁଣି ଲୋକମାନେ ପ୍ରମାଦ ଗଣୁଥାନ୍ତି । ସେମାନଙ୍କର ମନେହେଉଥାଏ ସମ୍ରାଟଙ୍କ କଟିରେ ଝୁଲୁଥିବା ତରବାରିର ଧାର ହୁଏତ ଗୁହସିଂହଙ୍କ ଗଳା ପରୀକ୍ଷା କରିବାର ସମୟ ନିକଟେଇ ଆସିଲା ।

 

ଗର୍ଜିଉଠିଲେ ସମ୍ରାଟ ପଣ୍ଡୁ । ସେ ଗୁହସିଂହଙ୍କୁ ଲକ୍ଷ୍ୟକରି କହିଲେ, କ’ଣ, ଗୋଟାଏ ମଣିଷର ଦାନ୍ତ ଏଭଳି ଦେବତା ପାଲଟିଛି ଯେ ମଗଧର ସମ୍ରାଟ ସେଭଳି ଦେବତା କେବେ ପ୍ରତ୍ୟକ୍ଷ କରିନାହାନ୍ତି ? କଳିଙ୍ଗ ମହାରାଜାଙ୍କର ତ ସ୍ପର୍ଦ୍ଧା କମ୍ ନୁହେଁ । କଳିଙ୍ଗ ମହାରାଜାଙ୍କ ମସ୍ତିଷ୍କ ବିକୃତ ହୋଇଯାଇ ନାହିଁ ତ ?

 

ନା ସମ୍ରାଟ ! ଏବେ ବି ମୋର ମସ୍ତିଷ୍କ ଅବିକୃତ ଅଛି । ଯଦି ଇଚ୍ଛାକରନ୍ତି ତେବେ ସମ୍ରାଟ ରଥାରୂଢ଼ ମୋର ପରମ ଦେବତାଙ୍କୁ ପରୀକ୍ଷା କରିପାରନ୍ତି; କିନ୍ତୁ ପରୀକ୍ଷା କରିବେ ଗୋଟିଏ ସର୍ତ୍ତରେ ।

 

ପରୀକ୍ଷା କରିବି ଗୋଟିଏ ସର୍ତ୍ତରେ !

 

ହଁ, ହଁ ସମ୍ରାଟ ଗୋଟିଏ ସର୍ତ୍ତରେ । ଯଦି ପରୀକ୍ଷାରେ ସମ୍ରାଟଙ୍କ ହୃଦବୋଧ ହୁଏ, ଏହା ଏକ ସାମାନ୍ୟ ଦାନ୍ତ ନୁହେଁ ବୋଲି ତେବେ ସମ୍ରାଟ ସେହି ମହାନ୍ ଦେବତା ନିକଟରେ ଅବନତ ମସ୍ତକ ହୋଇ ବୌଦ୍ଧ ଧର୍ମ ଗ୍ରହଣ କରିବେ–ନଚେତ୍ ସମ୍ରାଟଙ୍କ ତରବାରି ମୋର ସ୍କନ୍ଧ ଦେଶରୁ ମସ୍ତକ ବିଚ୍ୟୁତ କରିବ ।

 

ହେଉ ତାହା ହିଁ ହେବ । କିନ୍ତୁ ତମର ସେ ଦେବତାକୁ କି ପରୀକ୍ଷା ମୁଁ କରିପାରିବି ?

 

ସମ୍ରାଟଙ୍କ ଇଚ୍ଛା ମତେ ଯେକୌଣସି ପରୀକ୍ଷା କରିପାରନ୍ତି–ଏପରିକି ସେପର୍ଯ୍ୟନ୍ତ ସମ୍ରାଟଙ୍କର ହୃଦବୋଧ ହୋଇନାହିଁ ମୋର ଦେବତା ପ୍ରକୃତ ଦେବତା ବୋଲି ସେପର୍ଯ୍ୟନ୍ତ ସେ ଯେକୌଣସି ପରୀକ୍ଷା କରିପାରିବେ ।

 

ବେଶ୍ ଉଚିତ୍ କଥା । ଯେପର୍ଯ୍ୟନ୍ତ ମୋର ହୃଦ୍‌ବୋଧ ହୋଇନାହିଁ, ସେପର୍ଯ୍ୟନ୍ତ ମୁଁ ଯେକୌଣସି ପରୀକ୍ଷା କରିପାରିବି ।

 

ସମ୍ରାଟ ପଣ୍ଡୁ ମହାମନ୍ତ୍ରୀଙ୍କୁ ଆଦେଶ କଲେ ଅଗଣାରେ ଏକ ପରୀଖା ଖୋଳାଯାଉ ଏବଂ ସେ ପରୀଖାରେ ଶୁଖିଲା କାଠରେ ଅଗ୍ନି ସଂଯୋଗ କରି ଅଗ୍ନିକୁ ଦାଉ ଦାଉ ଭାବେ ପ୍ରଜ୍ଵାଳିତ କରାଯାଉ ।

 

ସମ୍ରାଟଙ୍କ ଆଦେଶ ମତେ ସଙ୍ଗେ ସଙ୍ଗେ ମନ୍ତ୍ରୀ ତା’ର ବନ୍ଦୋବସ୍ତ କରିବାକୁ ବ୍ୟବସ୍ଥା କଲେ ।

 

ଭଗବାନ ବୁଦ୍ଧଙ୍କ ମହାପ୍ରୟାଣ ଖ୍ରୀଷ୍ଟପୂର୍ବ ୫୪୩ରେ ଘଟିଲା । ତାଙ୍କ ମୃତ୍ୟୁ ପରେ ପରେ ତାଙ୍କ ଚିତାରୁ କ୍ଷମ-ଥେର ନାମରେ ଜଣେ ବୌଦ୍ଧଶ୍ରମଣ ବୁଦ୍ଧଙ୍କ ବାମ କଳ ଦାନ୍ତଟି ପାଇଥିଲେ । ସେ ଦାନ୍ତଟି ନେବାକୁ ବହୁ ରାଜା ମହାରାଜା ବ୍ୟଗ୍ର ହୋଇପଡ଼ିଥିଲେ । ପ୍ରତିଦିନ ସେହି ଦାନ୍ତ ନେବା ଉଦ୍ଦେଶ୍ୟରେ କ୍ଷେମ-ଥେରଙ୍କ ନିକଟରେ ରାଜନ୍ୟବର୍ଗଙ୍କ ଭିଡ଼ ଜମିବାକୁ ଲାଗିଲା, ଯାହାକି କ୍ଷେମ-ଥେର ତାହା କାହାକୁ ଦେବେ ସ୍ଥିର କରିପାରିଲେ ନାହିଁ । ଦାନ୍ତର ଉଚିତ ପୂଜା କିଏ କରିପାରିବ କ୍ଷେମ-ଥେରଙ୍କ ଧାରଣାରୁ ଅତୀତ ହୋଇପଡ଼ିଲା । ଶେଷରେ ସେ ସ୍ଥିର କଲେ ତଥାଗତ ହିଁ ତାଙ୍କ ଦାନ୍ତର ଭାର କିଏ ଗ୍ରହଣ କରିବ, ତାହାର ବ୍ୟବସ୍ଥା କରିବେ ।

 

ଏକଦା ଶ୍ରମଣ କ୍ଷେମଥେର ଦେଖିଲେ କଳିଙ୍ଗ ସିଂହପୁରର ରାଜା ବ୍ରହ୍ମଦତ୍ତ ତାଙ୍କ ବିହାରରେ ଉପଗତ । ଠିକ୍‌ ସେତିକିବେଳେ ସେ କିପରି ଦେଖୁଛନ୍ତି, ତଥାଗତ ସେଠାରେ ଉପସ୍ଥିତ ହୋଇ ତାଙ୍କୁ ଆଶିଷଦେଇ କହୁଛନ୍ତି ତୁମ ଛଡ଼ା ମୋ ଦାନ୍ତର ରକ୍ଷାଭାର ଆଉ କେହି ନେଇପାରିବେ ନାହିଁ । ଅଚିରେ କଳିଙ୍ଗ ହୋଇଉଠିବ ବୌଦ୍ଧଧର୍ମର କେନ୍ଦ୍ର । ସେହି କେନ୍ଦ୍ରରୁ ଯାହା ମୁଁ ପ୍ରଚାର କରିପାରିନାହିଁ, ସେହିଭଳି ତତ୍ତ୍ଵ ତଥା ଦର୍ଶନ ଜନ୍ମଲାଭ କରିବ । ସାରା ପୃଥିବୀକୁ ତାହା ଆଲୋକ ଦେବ ଏଥିରେ ସନ୍ଦେହ ନାହିଁ ।

 

କ୍ଷେମ–ଥେର ଚମକିଉଠିଲେ । ସେତ ସୁପ୍ତ ନୁହନ୍ତି ଯେ ସ୍ୱପ୍ନ ଦେଖିଲେ ବୋଲି ଭାବିବେ । ସେ ପରିଷ୍କାର ଦେଖିଛନ୍ତି, ତଥାଗତଙ୍କୁ ଓ କଳିଙ୍ଗର ମହାରାଜା ବ୍ରହ୍ମ ଦତ୍ତଙ୍କୁ; କିନ୍ତୁ ବ୍ରହ୍ମଦତ୍ତତ ବର୍ତ୍ତମାନ କଳିଙ୍ଗର, ଆଉ ତଥାଗତ ସମସ୍ତଙ୍କଠାରୁ ଦୂରରେ ପୁଣି ଅତି ନିକଟରେ । ସେ ଚିନ୍ତା କରି ଦେଖିଲେ ପ୍ରକୃତରେ ସେ ସୁପ୍ତ ନଥିଲେ କିମ୍ବା ଜାଗ୍ରତ ବି ନଥିଲେ । ସୁପ୍ତ ଏବଂ ଜାଗ୍ରତ ଏହି ଦୁଇ ଅବସ୍ଥା ମଧ୍ୟରେ ଥିଲେ ସେ ।

 

ସେ ଯାହାହେଉ ଦାନ୍ତ କଥା ମୀମାଂସା ହୋଇଗଲା । ଦାନ୍ତର ଏକମାତ୍ର ଅଧିକାରୀ କଳିଙ୍ଗର ମହାରାଜା ବ୍ରହ୍ମଦତ୍ତ । ତହିଁ ଆରଦିନ ଯେତେବେଳେ ରାଜନ୍ୟମଣ୍ଡଳୀ ଦନ୍ତ ନେବା ଉଦ୍ଦେଶ୍ୟରେ ତାଙ୍କ ନିକଟରେ ଉପସ୍ଥିତ ହେଲେ, ସେ ସ୍ପଷ୍ଟ କହିଦେଲେ ତଥାଗତଙ୍କର ଇଚ୍ଛା ତାଙ୍କର ଦାନ୍ତର ଭାର ଗ୍ରହଣ କରିବେ କଳିଙ୍ଗର ରାଜା ବ୍ରହ୍ମଦତ୍ତ ।

 

ଯଥା ସମ୍ଭବ କ୍ଷେମ-ଥେରଙ୍କଠାରୁ ଦନ୍ତ କଳିଙ୍ଗର ରାଜା ବ୍ରହ୍ମଦତ୍ତଙ୍କ ପାଖକୁ ଆସିଲା । ବ୍ରହ୍ମଦତ୍ତ ବହୁ ଆଡ଼ମ୍ବରରେ ସେ ଦନ୍ତ ପ୍ରତିଷ୍ଠାକରି ପୂଜା କରିବାକୁ ଲାଗିଲେ । ବ୍ରହ୍ମଦତ୍ତଙ୍କ ପରେ ତାଙ୍କ ପୁତ୍ର କାଶୀରାଜା ଓ କାଶୀରାଜାଙ୍କ ପରେ ତାଙ୍କ ପୁତ୍ର ସୁନନ୍ଦ ଦନ୍ତର ପୂଜା ଯଥାରୀତ କରିଆସିଛନ୍ତି । ତାଙ୍କ ପରେ ପରେ କେବଳ କଳିଙ୍ଗ କାହିଁକି ସାରାଭାରତରେ ବ୍ରାହ୍ମଣ୍ୟ ଧର୍ମ ଜୟଢ଼କ୍‌କା ବଜାଇ ଗର୍ଜିଉଠିଲା । ଯେଉଁଠୁ ଉଠୁଥିଲା, ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ସେଠି ଶୁଣାଗଲା ‘ଓଁ ନମୋ ଶିବାୟ’ । ତିରୋହିତ ହେବାକୁ ଲାଗିଲା ବୁଦ୍ଧ ବିହାର ତଥା ସଂଘାରାମ । ବୁଦ୍ଧଙ୍କ ତ୍ରିରତ୍ନ ବୁଦ୍ଧ, ଧର୍ମ, ସଂଘକୁ ବିଦ୍ଧ କରିବାକୁ ଶୈବଙ୍କ ହାତରେ ଶୋଭାପାଇଲା ତ୍ରିଶୂଳ ।

 

ଦୀର୍ଘଦିନ ଚାଲିଲା ବ୍ରାହ୍ମଣ ଧର୍ମର ରାଜତ୍ଵ । ବହୁ ବ୍ରାହ୍ମଣ ପଣ୍ଡିତ ପୁରାଣମାନ ରଚନା କରି ରାଜାଙ୍କ ଅନୁଗ୍ରହ ଲାଭକଲେ । ବେଦ ବେଦାନ୍ତାଦିକୁ ଭିତ୍ତିକରି ତାହାରି ଦର୍ଶନରେ ଲେଖା ହୋଇଥିବା ବହୁ ଧର୍ମ ଗ୍ରନ୍ଥ ଲୋକଲୋଚନକୁ ଆସିଗଲା । ଧୀରେ ଧୀରେ ସାଧାରଣ ଲୋକେ ପୁରାଣ ଶୁଣି ଶୁଣି ପୁରାଣ ମତରେ ନିଜକୁ ଚଳାଇବାକୁ ଅଭ୍ୟାସ କରିବାକୁ ଲାଗିଲେ । ଅଶ୍ୱତ୍‌ଥ ବୃକ୍ଷ ତଳେ ବସି ଶ୍ୟାକସିଂହ ବୁଦ୍ଧତ୍ୱପ୍ରାପ୍ତ ହେବା ସମୟରୁ ଅଶ୍ୱତ୍‌ଥ ବୃକ୍ଷ ଏକ ପବିତ୍ର ବୃକ୍ଷରୂପେ ପରିଗଣିତ ହୋଇଆସିଛି । ମାତ୍ର ପୁରାଣକାରମାନେ ପୁରାଣରେ ଲେଖିଲେ ତା’ ଉପରେ ଅଲକ୍ଷ୍ମୀ ଅଛନ୍ତି ଯେଉଁମାନେ ତା’ ତଳେ ବିଶ୍ରାମ ନିଅନ୍ତି ତାକୁ ହିଁ ଆଶ୍ରାକରି ଅଲକ୍ଷ୍ମୀ ଘରକୁ ଚାଲିଆସନ୍ତି । ଫଳରେ ଧୀରେ ଧୀରେ ଲୋକେ ବୁଦ୍ଧଙ୍କୁ ତଥା ବୌଦ୍ଧଧର୍ମକୁ ଭୁଲିଯିବାକୁ ଲାଗିଲେ । ବୌଦ୍ଧ ଶ୍ରମଣଙ୍କ ସ୍ଥାନରେ ପୂଜା ପାଇବାକୁ ଲାଗିଲେ ଯଜ୍ଞୋପବିତଧାରୀ ବ୍ରାହ୍ମଣ ।

 

ଶତାବ୍ଦୀ ଶତାବ୍ଦୀ ଧରି ଚାଲିଲା ବ୍ରାହ୍ମଣ୍ୟ ଧର୍ମର ଜୟ ଜୟକାର । ନିମ୍ନଶ୍ରେଣୀ ଲୋକଙ୍କ ଛଡ଼ା ଉଚ୍ଚଶ୍ରେଣୀ ଲୋକେ ବୌଦ୍ଧ ପଣ୍ଡିତ ତଥା ଶ୍ରମଣଙ୍କୁ ଆଦର କଲେ ନାହିଁ । ଏକ ପ୍ରକାର ଅବାଞ୍ଛିତ ଜନଭଳି ସେମାନେ ସମାଜରେ ପରିଗଣିତ ହେଲେ । ତା’ପରେ କଳିଙ୍ଗରେ ଆସିଲା ଏକ ବିରାଟ ପରିବର୍ତ୍ତନ ।

 

ଯେଉଁଠି ଦେବତା ବ୍ରାହ୍ମଣଙ୍କର ପୂଜା ମହାସମାରୋହରେ ଚାଲିଛି ସେଠି ବୁଦ୍ଧଙ୍କ ଦାନ୍ତ ପୂଜା ହେବାର ଆବଶ୍ୟକତା କ’ଣ ଅଛି ? ପ୍ରକୃତ ଏହା ଏକ ନୀତିଗତ ପ୍ରଶ୍ନ । ମହାରାଜ ଗୁହସିଂହ ଏ ବିଷୟରେ ଗଭୀରଭାବେ ଚିନ୍ତା କଲେ । ବଂଶାନୁବଂଶ ଧରି ଦୀର୍ଘ କେତେ ପୁରୁଷ ହେବ ଯାହା ତାଙ୍କ ବଂଶର ପରମ ଆରାଧ୍ୟରୂପେ ବିବେଚିତ ହୋଇଆସିଛନ୍ତି ସେଭଳି ହେବ ବାସ୍ତବରେ ଆବଶ୍ୟକତା କ’ଣ ଅଛି । ବୁଦ୍ଧ ତ ମହାପ୍ରୟାଣ କଲେ-ଏତେବଡ଼ ବ୍ୟକ୍ତି, ଯାହାଙ୍କର ବ୍ୟକ୍ତିତ୍ୱ ସାରା ଭାରତକୁ ଆଲୋକ ଦେଉଥିଲା ତାଙ୍କର ଦେହ ଅମର ହୋଇପାରିଲା ନାହିଁ । ତାଙ୍କ ଦେହରେ କୌଣସି ଅଂଶ ଆଦରିତ ହୋଇ ମଧ୍ୟ ସଂରକ୍ଷଣ କରାଯାଇପାରିଲା ନାହିଁ ଆଉ ଭୁଲରେ ପୋଡ଼ି ନହୋଇ ରହିଯାଇଥିବା ଦାନ୍ତ ପ୍ରତି ଏତେ ଆଶକ୍ତ କାହିଁକି ? ଯାହାଯୋଗୁ ପବିତ୍ର ଯଜ୍ଞ ବନ୍ଦ ହୋଇଯାଇଥିଲା, ଦେବତାଙ୍କର ଉପାସନା ମଧ୍ୟ ବନ୍ଦ ହୋଇଯାଇଥିଲା ତାହାର ଦାନ୍ତ ପୂଜା ପାଇବା ସପକ୍ଷରେ ପ୍ରକୃତ କୌଣସି ଯୁକ୍ତି ନାହିଁ ।

 

ବହୁ ଚିନ୍ତା ପରେ ମହାରାଜ ଗୁହସିଂହ ଆଦେଶଦେଲେ ଦାନ୍ତକୁ ସାଗର ବକ୍ଷରେ ବିସର୍ଜନ କରିଦିଅ ।

 

ମହାରାଜାଙ୍କ ନିଷ୍ପତ୍ତି କଳିଙ୍ଗରେ ଆଲୋଡ଼ନ ସୃଷ୍ଟି କଲା । ଯେଉଁମାନେ ସେପର୍ଯ୍ୟନ୍ତ ଭଗବାନ ବୁଦ୍ଧ ତଥା ବୌଦ୍ଧଧର୍ମ ଉପରେ ବିଶ୍ୱାସ ରଖିଥାନ୍ତି ମହାରାଜାଙ୍କ ଏ ନିଷ୍ପତ୍ତି ସେମାନଙ୍କୁ ବଡ଼ ଯନ୍ତ୍ରଣାଦାୟକ ହେଲା । ହେଲେ କିଛି କରିବାର ଶକ୍ତି କାହାର ନାହିଁ । ସେମାନେ କେବଳ ଅଶ୍ରୁପୂର୍ଣ୍ଣ ନେତ୍ରରେ ସେହି ତଥାଗତଙ୍କୁ ସବୁକଥା ଜଣାଇ ନୀରବ ରହିଲେ । ମାତ୍ର ଯେତେବେଳେ ଶୁଣିବାକୁପାଇଲେ, ବୁଦ୍ଧ ତଥା ବୌଦ୍ଧଶ୍ରମଣଙ୍କ ପ୍ରତି ବ୍ୟଙ୍ଗ ବିଦ୍ରୂପ କିଛି ଦନ୍ତ ବିସର୍ଜନ ଦେଲାବେଳେ ଏକ ଅଦ୍ଭୁତ ଘଟଣା ଘଟିଲା–ଦନ୍ତ ସମୁଦ୍ର ବକ୍ଷକୁ ନିକ୍ଷେପିତ ହେବାମାତ୍ରେ ସମୁଦ୍ର ବକ୍ଷରେ ଏକ ଉଜ୍ଜ୍ୱଳ ଶ୍ଵେତପଦ୍ମ ଫୁଟିଉଠିଲା ଓ ସେହି ପଦ୍ମ ଉପରେ ତଥାଗତ ବୁଦ୍ଧ ପଦ୍ମାସନରେ ବସିଲା ଭଳି ଦନ୍ତ ଶୋଭାପାଉଥିଲା ସେତେବେଳେ ବହୁ ସାଧାରଣ ଲୋକ ଦଳବାନ୍ଧି ରାଜଧାନୀ ଅଭିମୁଖେ ଛୁଟିଲେ କଥାର ପ୍ରକୃତ ସତ୍ୟତା ଉପଲବ୍‌ଧି ପାଇଁ ।

 

ପ୍ରକୃତ ସିଂହପୁରରେ ଚାଲିଥିଲା ଆନନ୍ଦ ଉତ୍ସବ । ଧାଡ଼ି ଧରି ଲୋକେ ଚାଲିଥାନ୍ତି ସେହି ମହାନ୍ ଦନ୍ତର ଦର୍ଶନ ପାଇଁ-ସେହି ମହାନ୍ ଦନ୍ତର ପୂଜା ପାଇଁ । ଯାହା ଅନାବଶ୍ୟକ ବୋଲି କିଛି ସମୟ ପୂର୍ବରୁ ଜ୍ଞାନ କରାଯାଉଥିଲା ତାହା ଏଭଳି ମହାନ୍‌ ବସ୍ତୁରୂପେ ପରିଗଣିତ ହେଲା ଯାହାକି ସମଗ୍ର କଳିଙ୍ଗକୁ ବିସ୍ମୟାଭୂତ କରିଦେଲା । ଯେଉଁ ମହାରାଜ ଗୁହସିଂହ କିଛି ସମୟ ପୂର୍ବରୁ ଦନ୍ତ ବିରୁଦ୍ଧରେ ଶତଜିହ୍ଵା ହୋଇଉଠିଥିଲେ ସେ ଦନ୍ତର ମହିମା ଦର୍ଶନ କରି ବିମୁଗ୍‌ଧ । ସେ ବାରମ୍ବାର ଦନ୍ତ ବିରୁଦ୍ଧରେ କହୁଥିବା ବ୍ୟକ୍ତିଙ୍କୁ ଆହ୍ୱାନ କରି କହୁଥାନ୍ତି-କୁହ ଏଭଳି ବସ୍ତୁ ପୂଜାପାଇବାରେ ଯୋଗ୍ୟ କି ନୁହେଁ ? ଯୋଗ୍ୟ ନୁହେଁ ଏ ସ୍ୱର କେହି ଭୁଲ୍‌ରେ ବି ଥରୁଟିଏ କହୁନଥାନ୍ତି । ବରଂ ଚାରିଆଡ଼ୁ ଶୁଭୁଥାଏ ଦନ୍ତର ଜୟ ଜୟକାର ଧ୍ୱନୀ ।

 

ଯେଉଁମାନେ ବ୍ରାହ୍ମଣ୍ୟ ଧର୍ମର ସପକ୍ଷରେ ସ୍ୱର ଉତ୍ତୋଳନ କରି ଆସିଛନ୍ତି ସେହି ନିଗ୍ରନ୍ଥମାନଙ୍କ ମଧ୍ୟରୁ ବୁଢ଼ା ଲୋକ ଏ ସବୁ ଦେଖି ସେଠାରେ ରହିବାକୁ ଉଚିତ ମନେକଲେ ନାହିଁ । ସେମାନେ ବିକ୍ଷୁବ୍‌ଧ ମନରେ ନିଜ ଘରକୁ ବାହୁଡ଼ିଲାବେଳେ ଦନ୍ତ ଦେଖିବାକୁ ଯାଉଥିବା ଲୋକଙ୍କୁ କହୁଥାନ୍ତି କ’ଣ ଗୋଟାଏ ଏଡ଼େବଡ଼ ଜିନିଷ ସେ ହୋଇଛି ଯେ ଦଳ ଦଳ ହୋଇ ଛୁଟିଛ ଦେଖିବାକୁ-। କେଳାଙ୍କ କାଉଁରୀ ହାଡ଼ ଭଳି ଜିନିଷଟାଏ–ସେହି କଥା ସହିତ ଆଉ ଜଣେ ସହମତାଲମ୍ବୀ ନିଜ ସ୍ୱର ମେଲେଇ କହିଉଠେ, ହଁ ହେ, କିବା ଜିନିଷଟାଏ ଯେ ବାୟାଙ୍କ ପରି ଲୋକଗୁଡ଼ାକ ଛୁଟିଛନ୍ତି ! କେଳା ତ କାଉଁରୀ ହାଡ଼ରେ ବହୁ କଥା କରନ୍ତି-ଏ ଦାନ୍ତୁଟା କଣଟାଏ ଏପରି କରୁଛିକି ?

 

ସବୁ ସତ୍ତ୍ୱେ ଦଳ ଦଳ ହୋଇ ସ୍ତ୍ରୀ ପୁରୁଷ ବାଳକ ବାଳିକା, ବୃଦ୍ଧ ବୃଦ୍ଧା ସେହି ମହନୀୟ ଦନ୍ତର ଦର୍ଶନ ପାଇଁ ଛୁଟୁଥାନ୍ତି । ବିରୁଦ୍ଧ ବାକ୍ୟ ତାଙ୍କ କାନରେ ବାଜି ନବାଜିଲା ଭଳି ପବନରେ ଭାଷିଯାଉଥାଏ ।

 

ଦୀର୍ଘ କେତେବର୍ଷ ଅବହେଳିତ ଅବସ୍ଥାରେ ଥିବା ଦାନ୍ତର ଯେଉଁଭଳି ପୂଜା ଚାଲିଲା ତାହା ବହୁ ବ୍ରାହ୍ମଣୋତ୍ତର ବ୍ୟକ୍ତି ନିଗ୍ରନ୍ଥଙ୍କ ପକ୍ଷରେ ଅସହ୍ୟବୋଧ ହେଲା । ଦନ୍ତର ପୂଜା ଛଡ଼ା କଳିଙ୍ଗରେ ଅନ୍ୟାନ୍ୟ ଦେବାଦେବୀଙ୍କ ପୂଜା ପ୍ରାୟ ଅବହେଳିତ ହେବାକୁ ଲାଗିଲା । କଳିଙ୍ଗର ମହାରାଜା ଗୁହସିଂହ ଦନ୍ତର ଦର୍ଶନ ନ କଲେ ଖାଦ୍ୟ ଗ୍ରହଣ କଲେନାହିଁ । କଳିଙ୍ଗର ମହାମନ୍ତ୍ରୀ ବହୁ ପୂର୍ବରୁ ବୌଦ୍ଧଧର୍ମୀ ଥିଲେ ତେଣୁ ମହାରାଜ ଗୁହସିଂହ ବୌଦ୍ଧଧର୍ମ ଗ୍ରହଣ କରିବାକୁ ବେଶି ଡେରି ହେଲାନାହିଁ ।

 

ମହାରାଜ ଗୁହସିଂହ ଦେବତା ବ୍ରାହ୍ମଣଙ୍କ ପ୍ରତି ଅବହେଳା ଲକ୍ଷ୍ୟ କରି କେତେକ ନିଗ୍ରନ୍ଥ ପାଟଳୀପୁତ୍ର ଗମନ କରି ପାଟଳୀପୁତ୍ର ସମ୍ରାଟ ପଣ୍ଡୁଙ୍କୁ ଗୁହସିଂହଙ୍କ ଅନ୍ୟାୟୋଚିତ କର୍ମ କଥା ଜଣାଇଲେ । ପଣ୍ଡୁ ଦେବତା ତଥା ବ୍ରାହ୍ମଣଙ୍କୁ ବଡ଼ ଭକ୍ତି କରୁଥିଲେ । ତାଙ୍କ ଅଧୀନରେ ଥିବା କଳିଙ୍ଗ ମହାରାଜ ଦେବତା ବ୍ରାହ୍ମଣଙ୍କୁ ଭକ୍ତି କରୁନଥିବା କଥା ଶୁଣି ସମ୍ରାଟ ରାଗିଗଲେ । ତଦଣ୍ଡେ ପାଟଳୀର ସାମନ୍ତ ରାଜା ଚୈତାୟନଙ୍କୁ ସୈନ୍ୟ ସାମନ୍ତଙ୍କ ସହିତ କଳିଙ୍ଗ ଯାତ୍ରା କରି ଗୁହସିଂହଙ୍କୁ ସେ ପୂଜା କରୁଥିବା ଦନ୍ତ ସହିତ ପାଟଳୀପୁତ୍ରରେ ହାଜର କରାଇବାକୁ ଆଦେଶ ଦେଲେ ।

 

ଚୈତୟନ ସମ୍ରାଟଙ୍କ ଆଦେଶପତ୍ର ଯଥା ସମୟରେ କଳିଙ୍ଗର ରାଜଧାନୀ ସିଂହପୁରରେ ରାହସିଂହଙ୍କୁ ଭେଟି ଦେଲେ ଏବଂ ସଙ୍ଗେ ସଙ୍ଗେ ପାଟଳୀପୁତ୍ର ଯାତ୍ରା କରିବାକୁ କହିଲେ । ଗୁହାସିଂହ ସମ୍ରାଟଙ୍କ ଆଦେଶପତ୍ର ସସମ୍ମାନେ ପାଠକରି ଚୈତୟନଙ୍କୁ ଏବଂ ତାଙ୍କ ସୈନ୍ୟମାନଙ୍କୁ ଅଳ୍ପକ୍ଷଣ ବିଶ୍ରାମ ପାଇଁ ଅନୁରୋଧ କଲେ । ପଥଶ୍ରାନ୍ତ ଚୈତୟନ ମହାରାଜାଙ୍କ ଅନୁରୋଧ ଉପେକ୍ଷା କରିବେ କାହିଁକି ? ସେ ସନ୍ତୋଷ ଚିତ୍ତରେ ଗ୍ରହଣ କଲେ ତାଙ୍କ ଅନୁରୋଧ । ଅତିଥିଶାଳାରେ ଚୈତୟନଙ୍କ ପାଇଁ ଯେଉଁ ସ୍ୱତନ୍ତ୍ର ବନ୍ଦୋବସ୍ତ ହୋଇଥିଲା ସେଥିରେ ଚୈତୟନ ଅତ୍ୟନ୍ତ ପୀତ ହେଲେ ।

 

ସନ୍ଧ୍ୟା ସମାଗତ ପୂର୍ବରୁ ଅତି ପବିତ୍ର ଭାବେ ଦଳ ଦଳ ହୋଇ ସ୍ତ୍ରୀ ପୁରୁଷ ଦନ୍ତ ପୂଜା କରିବାକୁ ଯାଉଥିବା ଦର୍ଶନ କରି ଚୈତୟନ ଓ ତାଙ୍କ ଅନୁଚରମାନଙ୍କର କୌତୂହଳ ହେଲା ଦନ୍ତପୂଜା ଦେଖିବାକୁ । ସୈନ୍ୟମାନଙ୍କ ସହିତ ଚୈତୟନ ଦନ୍ତ ରହିଥିବା ମନ୍ଦିରକୁ ଯାତ୍ରା କଲେ । ସେଠାରେ ଜାତି ଅଜାତି ଧନୀ ଦରିଦ୍ର ପ୍ରଭୃତିଙ୍କ ମଧ୍ୟରେ ପାର୍ଥକ୍ୟ ନଥିଲେ ମଧ୍ୟ ବିଦେଶୀ ଲୋକ ଭାବେ ଚୈତୟନଙ୍କୁ ଏବଂ ତାଙ୍କ ଅନୁଚରମାନଙ୍କୁ ପୂଜା ପାଉଥିବା ଦନ୍ତ ସମ୍ମୁଖରେ ବାଟ ଛାଡ଼ିଦେଲେ ।

 

ଚୈତୟନ ଏବଂ ତାଙ୍କ ଅନୁଚରବର୍ଗ ଯେତେବେଳେ ଦନ୍ତକୁ ଲକ୍ଷ୍ୟ କରନ୍ତି ସେତେବେଳେ ସେ ବିସ୍ମିତ ତ ନ ହୋଇ ରହିପାରିଲେ ନାହିଁ । ସେମାନେ ଦେଖିଲେ ଦନ୍ତରୁ ଏକ ଅଦ୍ଭୁତ ଆଲୋକ ବିକିରଣ ହେଉଛି । ସତେ ଯେପରି ଦନ୍ତ ଏକ କ୍ଷୁଦ୍ର ସୂର୍ଯ୍ୟ । ତା’ର କିରଣରେ ସାରା ମନ୍ଦିରଟି ଆଲୋକିତ । ଯେତେବଳେ ଦନ୍ତର ପୂଜା ହେଲା ସେତେବେଳେ ଦେଖିଲେ ଦନ୍ତ ଏକ ସ୍ପଟିକ ପଦ୍ମ ଉପରେ ଦାଉ ଦାଉ ହୋଇ ଜଳୁଛି ଏବଂ ପଦ୍ମର ଅପୂର୍ବ ଶୋଭା ପ୍ରତ୍ୟେକ ଦର୍ଶକଙ୍କୁ ଏକ ମହନୀୟ ଭାବରେ ଉଦ୍‍ବୁଦ୍ଧ କରୁଛି ।

 

ସାମନ୍ତରାଜ ଚୈତୟନ ଏବଂ ତାଙ୍କ ଅନୁଚରମାନେ ଦନ୍ତର ବହୁ ଅଦ୍ଭୁତ ମହିମା ଦର୍ଶନ କଲେ । ତାଙ୍କର ହୃଦବୋଧ ହେଲା ଏହା ଏକ ସାଧାରଣ ଦନ୍ତ ନୁହେଁ । ସ୍ୱୟଂ ମହାରାଜ ଗୁହାସିଂହ ମଧ୍ୟ ଦନ୍ତର ବହୁ ଅଦ୍ଭୁତ କ୍ରିୟାମାନ ଚୈତୟନ ଦର୍ଶନ କରାଇଲେ । ଯଦ୍ୱାରା ଚୈତୟନ ଏତେ ଭାବପ୍ରବଣ ହୋଇଗଲେ ଯେ ସେ ବୌଦ୍ଧ ଧର୍ମ ଗ୍ରହଣ କରିବାକୁ ଇଛା କରୁଛନ୍ତି ବୋଲି ଗୁହାସିଂହ ଜଣାଇଲେ ।

 

ଯଥାରୀତିରେ ଚୈତୟନ ଏବଂ ତାଙ୍କ ଅନୁଚରମାନେ ବୌଦ୍ଧଧର୍ମ ଗ୍ରହଣ କଲେ । କିନ୍ତୁ ସମ୍ରାଟ ଯେତେବେଳେ ଆଦେଶ ଦେଇଛନ୍ତି ସେତେବେଳେ ତାଙ୍କ ଆଦେଶକୁ ଅବଜ୍ଞା କରିବାର କଥା ନୁହେଁ । ଦନ୍ତକୁ ପାଟଳୀପୁତ୍ର ନେଇଯିବାକୁ ହେବ ।

 

ମହାରାଜାଙ୍କ ଆଦେଶ ଅନୁସାରେ ଏକ ରଥ ପ୍ରସ୍ତୁତ ହେଲା ଏବଂ ସେହି ରଥକୁ ଯଥାସମ୍ଭବ ମହାର୍ଘ ବସନଦ୍ଵାରା ଆଚ୍ଛାଦନ କରି ଦନ୍ତକୁ ରଥ ମଧ୍ୟରେ ରଖି ମହାରାଜ ରଥ ସହିତ ପାଟଳୀପୁତ୍ର ଚାଲିଲେ । ଗଲାବେଳେ ରାଜଦାଣ୍ଡର ଦୁଇକଡ଼ରେ ଧାଡ଼ି ଧରି କଳିଙ୍ଗର ଆବାଳ ବୃଦ୍ଧ ବନିତା ଅଶ୍ରୁପୂର୍ଣ୍ଣ ନୟନରେ ଦନ୍ତକୁ ବିଦାୟ ଦେଲେ । ଗୁହସିଂହ ସମସ୍ତଙ୍କୁ ବୁଝାଇ କହିଲେ ଏହା ଏକ ସାଧାରଣ ଜିନିଷ ନୁହେଁ, ଯାହାକି ପାଟଳୀପୁତ୍ରରେ ଏହାର ବିଲୟ ହେବ ବୋଲି ଧାରଣା ହେବ । ତେଣୁ ସମସ୍ତେ ଅଳ୍ପକାଳ ଅପେକ୍ଷା କର । ମୁଁ ଯେଉଁଭଳି ଭାବେ ଏଠାରୁ ଯାଉଛି ଠିକ୍ ସେହିଭଳି ଭାବେ ପୁଣି ଶୀଘ୍ର ଫେରିବି । ବିଶ୍ଵରେ ଏଭଳି ଶକ୍ତି ନାହିଁ କି ଦନ୍ତର କିଛି କ୍ଷତି କରିପାରିବ ? ମହାରାଜଙ୍କ ସହିତ କଳିଙ୍ଗର ବହୁ ବ୍ୟକ୍ତି ମଧ୍ୟ ପାଟଳୀପୁତ୍ର ଯାତ୍ରା କଲେ । ବାଟସାରା ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ସ୍ୱର ଘନ ଘନ ନିନାଦିତ ହେଉଥାଏ । ବାଟ ଦେବତା, ବନଦେବତାଙ୍କ ପୂଜା କରି କରି ସମସ୍ତେ ପାଟଳୀପୁତ୍ରରେ ଉପଗତ ହେଲେ ।

 

ଖୁବ୍ ଅଳ୍ପ ସମୟ ମଧ୍ୟରେ ପରିଖା ଖୋଳା ହୋଇ ଶୁଖିଲା କାଠରେ ନିଆଁ ଧରାଇ ଦିଆଗଲା । ଶୁଖିଲା କାଠ ହୁ ହୁ ହୋଇ ଜଳିବାକୁ ଲାଗିଲା । କାଠ ଜଳି ଜଳି ପରିଖା ଭିତରେ ରହିଲା ଗଡ଼ ନିଆଁ । ସମ୍ରାଟ ପଣ୍ଡୁଙ୍କ ଆଦେଶରେ ସେହି ଗଡ଼ନିଆଁରେ ରଥ ଉପରେ ବିଭିନ୍ନ କୁସୁମରେ ମଣ୍ଡିତ ହୋଇଥିବା ଦନ୍ତଟି ପେଡ଼ି ମଧ୍ୟରୁ ବାହାର କରି ଅଣାଯାଇ ସମସ୍ତଙ୍କ ସମ୍ମୁଖରେ ସେହି ନିଆଁ ଭିତରକୁ ପକାଇ ଦିଆଗଲା । କଳିଙ୍ଗରୁ ଦନ୍ତ ସହିତ ଆସିଥିବା ଲୋକମାନେ ଏବଂ ଚୈତୟନଙ୍କ ଅନୁଚର ଯେଉଁମାନେ କି ବୌଦ୍ଧଧର୍ମ ଗ୍ରହଣ କରିଥିଲେ ସେମାନେ ଦାନ୍ତର ଅବସ୍ଥା କ’ଣ ହେବ ଭାବି କାତର ହୋଇପଡ଼ିଲେ । ସମସ୍ତେ ଉଦ୍‌ଗ୍ରୀବ, କ’ଣ ହେବ ଦେଖିବାକୁ ।

 

ଦନ୍ତଟି ଅଗ୍ନିରେ ନିକ୍ଷେପ ହେବା ସଙ୍ଗେ ସଙ୍ଗେ ସମ୍ରାଟ ପଣ୍ଡୁ ଅଟ୍ଟହାସ୍ୟ କରିବାକୁ ଲାଗିଲେ ।

 

ବେଶି ସମୟ ନୁହେଁ, ମାତ୍ର ଗୋଟିଏ ମୁହୂର୍ତ୍ତ । ଅଦ୍ଭୁତ ସେ ଦନ୍ତ ଅଦ୍ଭୁତ ତା’ର କ୍ରିୟା । ସମଗ୍ର ପରିଖାକୁ ଉଜ୍ଜ୍ୱଳ କରି ଗୋଟିଏ ରଥଚକଡ଼ା ପରି ବିସ୍ତୀର୍ଣ୍ଣ ହୋଇ ଅତି ଦୀପ୍ତିମନ୍ତ ପଦ୍ମ ଫୁଲଟିଏ ଦେଖାଗଲା । ସେହି ପଦ୍ମଫୁଲଟି ଅଗ୍ନିଶିଖା ଉପରେ ମଧ୍ୟାହ୍ନ ଆକାଶରେ ସୂର୍ଯ୍ୟ ପରି ଭାଷମାନ ହେଲା । ତା’ର ଯେଉଁ ପ୍ରଖର ତେଜ, ସେହି ତେଜରେ ଆଲୋକିତ ହେଲା ସାରା ବିଶ୍ଵ । ସମସ୍ତେ ଲକ୍ଷ୍ୟ କରି ଦେଖିଲେ ସେହି ଦୀପ୍ତିମନ୍ତ ପଦ୍ମ ଉପରେ ଖଣ୍ଡେ ଉଜ୍ଜ୍ୱଳ ମଣି ଭଳି ଦନ୍ତଟି ଶୋଭାପାଉଛି ।

 

ପରିଖାର ଚତୁର୍ଦ୍ଦିଗରେ ବିପୁଳ ଲୋକ ଉପସ୍ଥିତ । ପ୍ରତ୍ୟେକ ବିସ୍ମିତ ଦନ୍ତର ଅଦ୍ଭୁତ ମହିମା ସ୍ୱଚକ୍ଷୁରେ ପ୍ରଦର୍ଶନ କରି ।

 

ସମ୍ରାଟ ପଣ୍ଡୁଙ୍କ ରୋଷକଷାନଳ ନେତ୍ରକୁ ଭୁଲି ସ୍ୱତଃ ଗୋଟାଏ ସ୍ୱର ଚେଇଁଉଠିଲା ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ।

 

ସମ୍ରାଟଙ୍କ ନିକଟରେ ଉପସ୍ଥିତ ଥିଲେ ନିଗ୍ରନ୍ଥମାନେ । ଯେଉଁମାନେକି ସମ୍ରାଟଙ୍କୁ କଳିଙ୍ଗର ମହାରାଜଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ, ସେମାନେ ଅନୁଚ୍ଚ ସ୍ୱରରେ ସମ୍ରାଟଙ୍କୁ କହିଲେ, ସମ୍ରାଟ ଏସବୁ କୁହୁକ କଥା । ଅଗ୍ନିରେ ଏ ଦାନ୍ତ ପୋଡ଼ିପାରିବ ନାହିଁ । ତାହା ହୋଇଥିଲେ ତାଙ୍କ ଚିତାରୁ ଏହା ମିଳନ୍ତା କିପରି ?

 

ସମ୍ରାଟ ଅତି ଗମ୍ଭୀର ଭାବେ ‘ହୁଁ’ଟିଏ ମାରି ଦେଖିଲେ, ପାଗଳଙ୍କ ପରି ଲୋକମାନେ ସେହି ଅଦ୍ଭୁତ ଦନ୍ତକୁ ପୂଜା କରୁଛନ୍ତି । ପ୍ରତ୍ୟେକେ ବେଳକୁବେଳ ଭକ୍ତି ବିଭୋର ହୋଇପଡ଼ୁଥାନ୍ତି । ଦନ୍ତ ସହିତ ଆସିଥିବା କଳିଙ୍ଗୀଙ୍କ ବିଭିନ୍ନ ବାଦ୍ୟ ବାଜିଉଠୁଥାଏ ।

 

ଅତି ଅସହ୍ୟ ବୋଧ ହେଲା ସମ୍ରାଟଙ୍କୁ ଏ ସବୁ । ସେ ଆଦେଶ ଦେଲେ ‘ବନ୍ଦକର’ ।

 

ସମ୍ରାଟଙ୍କ ଆଦେଶରେ ମୁହୂର୍ତ୍ତକ ମଧ୍ୟରେ ସବୁ ସ୍ତବ୍‌ଧ ହୋଇଗଲା । ଜନତାର ଭକ୍ତିବିଭୋର ଉଦ୍‌ବେଳିତ ହୃଦୟ ସମ୍ରାଟଙ୍କ ନିଷ୍ଠୁର ଆଦେଶରେ ଭୟ ବିଜଡ଼ିତ । ପୂର୍ବ ମୁହୂର୍ତ୍ତରେ ଦନ୍ତର ତଥା ବୁଦ୍ଧଙ୍କର ଗଗନ ପବନ ମୁଖରୀତ କରି ଯେଉଁ ଜୟଗାନ ଉଠୁଥିଲା ସେ ବନ୍ଦ ହୋଇଗଲା ।

 

ସମ୍ରାଟଙ୍କ ଆଦେଶରେ ଦାଉ ଦାଉ ହୋଇ ଅଗ୍ନି ଉପରେ ଭାଷୁଥିବା ରଜତ ପଦ୍ମ ଉପରୁ ଦନ୍ତଟି ଅଣାଗଲା । ତା’ପରେ ହେବ ପୁଣି ଆଉ ଏକ ନୂତନ ପରୀକ୍ଷା ।

 

ଜନତା ଅପେକ୍ଷା କଲେ ପୁଣି ସମ୍ରାଟ ଦନ୍ତକୁ ଆଉ କି ପରୀକ୍ଷା କରିବେ ।

 

ସମ୍ରାଟ ନିଜେ ସେହି ଦାନ୍ତକୁ ହାତରେ ଧରି କିଛି ସମୟ ନିରୀକ୍ଷଣ କଲେ । ତା’ପରେ ଚାଲିଲେ ନଗରର ଉପକଣ୍ଠରେ ଥିବା ଅତି ଦୁର୍ଗନ୍ଧମୟ ପୁଷ୍କରିଣୀ ପାଖକୁ ।

 

ଲୋକମାନେ ସମ୍ରାଟଙ୍କ ସହିତ ମୁହଁରେ ଲୁଗାଦେଇ ଚାଲିଥାନ୍ତି । ଦେଖୁ ଦେଖୁ ସମ୍ରାଟ ସେହି ଦୁର୍ଗନ୍ଧମୟ ପୁଷ୍କରିଣୀରେ ଦନ୍ତଟିକୁ ନିକ୍ଷେପ କଲେ । ନିକ୍ଷେପ ମାତ୍ରେ ଦନ୍ତଟି ପୁଷ୍କରିଣୀ ମଧ୍ୟଭାଗରେ ପଡ଼ି ତଳକୁ ବୁଡ଼ିଗଲା ।

 

ଏଥର ଲୋକମାନଙ୍କ ମନରୁ ଭୟ ଅନେକ ମାତ୍ରାରେ କମିଯାଇଥାଏ । କୌତୂହଳ ହୋଇ ଲୋକମାନେ ଅପେକ୍ଷା କରୁଛନ୍ତି କେଉଁ ଅଦ୍ଭୁତ କଥା ଘଟିବ ଦେଖିବାକୁ ।

 

କ୍ଷଣକ ମଧ୍ୟରେ ନର୍ଦ୍ଦମାର ସମସ୍ତ ଦୁର୍ଗନ୍ଧ ଅପସରିଗଲା ଓ ତା’ ବଦଳରେ ଏକ ଅପୂର୍ବ ସୁଗନ୍ଧ ପ୍ରତ୍ୟେକଙ୍କ ନାସିକା ସ୍ପର୍ଶ କଲା । ନର୍ଦ୍ଦମାର ପଙ୍କିଳ ଜଳ ହୋଇଗଲା ସ୍ଵଚ୍ଛ ନିର୍ମଳ ।

 

କେବଳ ଏତିକି ନୁହେଁ ଦେଖୁ ଦେଖୁ ସାରା ପୁଷ୍କରିଣୀ ପଦ୍ମରେ ଭରିଗଲା । ଆଉ ଗୋଟିଏ ବିରାଟ ପଦ୍ମକୁ କେନ୍ଦ୍ର କରି ସେହି ସବୁ ପଦ୍ମ ଫୁଟିଉଠୁଥିଲା । ସମସ୍ତେ ଦେଖିଲେ ସେହି ବିରାଟ ପଦ୍ମଉପରେ ଦନ୍ତଟି ଶୋଭାପାଉଛି ।

 

ବିସ୍ମିତ ହେଲେ ନିଜେ ସମ୍ରାଟ ପଣ୍ଡୁ । ଏ କି କଥା । ଏଭଳି କଥା ତ ସେ କେବେ ଶୁଣିନଥିଲେ । ଦେଖିବାତ ବଡ଼ ଦୁରୂହ । ଦୁର୍ଗନ୍ଧମୟ ସମଗ୍ର ପୁଷ୍କରିଣୀ ଅନାଉ ଅନାଉ ସୁଗନ୍ଧରେ ଭରିଗଲା । ବିକଶିଉଠିଲା ଶତ ଶତ ପଦ୍ମ । ଏହା କ’ଣ ଗୋଟାଏ ସାମାନ୍ୟ ଦନ୍ତଦ୍ୱାରା ସମ୍ଭବ ? ତେବେ କ’ଣ କେହି କିମିଆ କରୁଛି । କିମିଆ ତ କେବେ ସମ୍ଭବ ନୁହେଁ । ନିଗ୍ରନ୍ଥମାନେ ତନ୍ତ୍ର ମନ୍ତ୍ରରେ ପଟୁ । ତାଙ୍କରି ସମ୍ମୁଖରେ ଏଭଳି ଘଟଣା କେହି ଘଟାଇବ, ଅନ୍ୟ କେହି ବିଶ୍ଵାସ କରିପାରନ୍ତି, ମାତ୍ର ସେ ନୁହନ୍ତି ।

 

ସମ୍ରାଟ ଅନାଇଲେ ନିଗ୍ରନ୍ଥମାନଙ୍କଆଡ଼େ । ସେମାନଙ୍କ ମୁହଁରୁ ସରସତା ଉଭେଇଯାଇଛି । ସତେ ଯେପରି କିଏ ସରସ ବଦଳରେ ନିରାଶର କାଳିମା ମେଞ୍ଚାଏ ତାଙ୍କ ମୁହଁରେ ମାଖିଦେଇଛି ।

 

ତାହାହେଲେ ଦନ୍ତର ପରୀକ୍ଷା କ’ଣ ଏହିଠାରେ ଶେଷ ହେବ ? ସେ ଗୋଟାଏ ମୃତ ବ୍ୟକ୍ତିର ଦନ୍ତ ସମ୍ମୁଖରେ ଅବନତ ମସ୍ତକ ହେବେ ? କଳିଙ୍ଗ ଯୁଦ୍ଧରେ ଜୟଲାଭ କରି ମଧ୍ୟ ଅଶୋକ ଯେଉଁଭଳି କଳିଙ୍ଗର ଧର୍ମପାଖରେ ଅବନତ ମସ୍ତକ ହୋଇ ବୌଦ୍ଧଧର୍ମ ଗ୍ରହଣ କଲେ ସେ କ’ଣ ତାହାହିଁ କରିବେ ? ସେ ଥରେ ଉପସ୍ଥିତ ଜନତାଙ୍କ ଆଡ଼େ ଆଖି ଫେରାଇଆଣିଲେ । ଦନ୍ତ ଯେ ଏକ ସାମାନ୍ୟ ବସ୍ତୁ ନୁହେଁ ବେଦର ବ୍ରହ୍ମପୁରୁଷଙ୍କ ଅଂଶଭୂତ ଏହାହିଁ ଯେପରି ଉପସ୍ଥିତ ଜନତାଙ୍କର ଅଭିମତ ସେହିଭଳି ସମ୍ରାଟ ଅନୁଭବ କଲେ ।

 

ନା, ଅଶୋକଙ୍କ ଭଳି ସେ ପ୍ରିୟନାଂ ପ୍ରିୟଦର୍ଶୀ ହେବାକୁ ଚାହାନ୍ତି ନାହିଁ । ଭାରତରେ ସମ୍ରାଟ ଗୋଟାଏ ମଲା ମଣିଷର ଦନ୍ତପାଖରେ ଅବନତ ମସ୍ତକ ହୋଇପାରିବେ ନାହିଁ । ସେ ଯେ କୌଣସିମତେ ଲୋକମାନଙ୍କ ଆଗରେ ପ୍ରମାଣିତ କରିଦେବେ ଏ ଦାନ୍ତର ଏଭଳି କିଛି ଶକ୍ତି ନାହିଁ ।

 

ସମ୍ରାଟଙ୍କ ଆଦେଶରେ ପୁନର୍ବାର ଦନ୍ତ ପୁଷ୍କରିଣୀ ମଧ୍ୟରେ ଫୁଟିଉଠିଥିବା ପଦ୍ମ ଭିତରରୁ ଅଣାଗଲା । ଖୋଳାଗଲା ଏକ ବିରାଟ ଗର୍ତ୍ତ ଓ ତାହାରି ମଧ୍ୟରେ ଦାନ୍ତଟିକୁ ରଖି ଗର୍ତ୍ତଟିକୁ କଠିନ ମାଟିରେ ପୋତି ଦିଆଗଲା । ଏତିକି ନୁହେଁ ସମ୍ରାଟଙ୍କ ଆଦେଶରେ ହାତୀ ଅଣାଗଲେ ଏବଂ ସେହି ଗର୍ଭ ଉପରେ ହାତୀଙ୍କ ପଦଦ୍ୱାର ମାଟିକୁ ଦାବି ଦିଆଗଲା । ଏହାହିଁ ହେଲା ଦାନ୍ତର ଚିର ସମାଧି । ସମାଧି ତଳୁ ଦାନ୍ତ କ’ଣ ସମାଧି ଫୁଟାଇଉଠିବ ?

 

ଉପସ୍ଥିତ ଜନତା କାୟମନୋବାକ୍ୟରେ ଦନ୍ତର ଅଧୀନ ହୋଇସାରିଥାନ୍ତି । ପୁଣି ତାଙ୍କ ପ୍ରିୟ ଦନ୍ତର ଏ ଦୁର୍ଦ୍ଦଶା ତାଙ୍କୁ ମରଣାନ୍ତକ କଷ୍ଟ ଦେଉଥାଏ । ସମସ୍ତଙ୍କର ବିଶ୍ୱାସ ଥାଏ ମାଟିତଳୁ ନିଶ୍ଚୟ ଦନ୍ତ ଉପରକୁ ଉଠିଆସିବ । ସମ୍ରାଟଙ୍କ ସମସ୍ତ ଗର୍ବ ଖର୍ବ ହେବ ।

 

ସମୟର ପଦଧ୍ୱନୀ ଶୁଭୁନଥାଏ ସତ କିନ୍ତୁ ପ୍ରତ୍ୟେକଙ୍କ ହୃଦୟର ସ୍ପନ୍ଦନଧ୍ୱନୀ ପ୍ରତ୍ୟେକ ଶୁଣିପାରୁଥାନ୍ତି । ଏ କ୍ଷେତ୍ରରେ ଅପେକ୍ଷା ବଡ଼ ମର୍ମନ୍ତୁଦ । ଗୋଟିଏ ମୁହୂର୍ତ୍ତ ଗୋଟିଏ ଯୁଗ ଭଳି ମନେହେଉଥାଏ । ଯେତିକି ଡେରି ହେଉଥାଏ ଲୋକଙ୍କ ମନରେ ସେତିକି ସନ୍ଦେହ ଉଙ୍କି ମାରୁଥାଏ-। ଉଭୟପକ୍ଷ ସନ୍ଦିହାନ ହୋଇପଡ଼ୁଥାନ୍ତି । ପ୍ରତ୍ୟେକ ଜୀବନ ମରଣ ସମସ୍ୟା ଭଳି ଉଦ୍‌ବିଗ୍ନ ।

 

ସମସ୍ତଙ୍କ ଉଦ୍‌ବିଗ୍ନତାର ସମାପ୍ତି ଆଉ ବେଶି ସମୟ ଲାଗିଲା ନାହିଁ । ପ୍ରତ୍ୟେକ ଲକ୍ଷ୍ୟକଲେ ହାତୀ ମଡ଼ାଇ ଯେଉଁ ଭୂଇଁକୁ ଶକ୍ତ କରାଯାଇଥିଲା ସେ ଭୂଇଁ ଫାଟିପଡ଼ୁଛି । ଭୂଇଁ ତଳୁ ବାହାରିଆସୁଛି ଏକ ପଦ୍ମକଢ଼ି । ପଦ୍ମକଢ଼ିଟି ପୃଥିବୀପୃଷ୍ଠକୁ ପୂରାପୂରି ବାହାରିଆସିଲା ପରେ ତାହା ପ୍ରସ୍ଫୁଟିତ ହେବାକୁ ଲାଗିଲା । ସେହି ଫୁଟନ୍ତା ପଦ୍ମ କୋରକରେ ଦିବ୍ୟମଣି ଭଳି ଦନ୍ତଟି ବିଦ୍ୟମାନ ରହିଥିବା ସମସ୍ତେ ଦେଖିବାକୁ ପାଇଲେ ।

 

ଚମତ୍କୃତ ସମ୍ରାଟ ପଣ୍ଡୁ । ନିଗ୍ରନ୍ଥମାନେ ବିସ୍ମିତ ହୋଇପଡ଼ିଲେ । ସେମାନେ ଯେଉଁ ତନ୍ତ୍ର ବିଷୟରେ ପ୍ରାଧାନ୍ୟ ଲାଭ କରି କେବଳ କଳିଙ୍ଗ ନୁହେଁ ମଗଧକୁ ମଧ୍ୟ ବିସ୍ମିତ କରିଦେଇଥିଲେ ତାହା ଏଠାରେ ପ୍ରୟୋଗ କରି ନିଷ୍ଫଳ ହୋଇଗଲେଣି । ବୁଦ୍ଧଙ୍କ ଦନ୍ତ ତନ୍ତ୍ରଠାରୁ ଅଧିକ ଶକ୍ତିସମ୍ପନ ଏହା ତାଙ୍କର ବିଶ୍ୱାସ ହୋଇଗଲାଣି । କିନ୍ତୁ ସମ୍ରାଟ ପଣ୍ଡୁଙ୍କୁ ସେମାନେ କ’ଣ କହିବେ ?

 

ବୁଦ୍ଧଂ ଶରଣଂ ଗଚ୍ଛାମି ସହିତ ଦନ୍ତର ଜୟ ଧ୍ୱନୀରେ ସ୍ଥାନଟି ମୁଖରିତ ହେଉଥାଏ । ବିବ୍ରତ ହୋଇପଡ଼ୁଥାନ୍ତି ସମ୍ରାଟ ସେ ଜୟଧ୍ୱନୀ ଶ୍ରବଣ କରି । ଏହାପରେ ସେ ଆଉ କ’ଣ କରିବେ ତାହା ଚିନ୍ତାକଲେ । ସେଭଳି କୌଣସି ସବଳ ତାଙ୍କ ଦାନ୍ତ-ମସ୍ତିଷ୍କରୁ ବାହାରୁନଥାଏ । ସେ ଭାବୁଥାନ୍ତି ଲୁହାଠାରୁ ଆହୁରି ସବଳ ତାଙ୍କ ଦାନ୍ତଗୁଡ଼ାକ ହୋଇଯାନ୍ତା କି ସେ ଏହି ଦାନ୍ତଟିକୁ କଡ଼ମଡ଼ କରି ଚୋବାଇ ଗୁଣ୍ଡୁଗୁଣ୍ଡା କରିଦିଅନ୍ତେ । ପ୍ରମାଣ କରିଦିଅନ୍ତେ ବୁଦ୍ଧଙ୍କ ଦାନ୍ତର ବେଶୀ ଶକ୍ତି ନା ତାଙ୍କ ଦାନ୍ତର ।

 

ଚିନ୍ତା କରୁ କରୁ ତାଙ୍କର ଦୃଷ୍ଟିପଡ଼ିଲା ଗୁହସିଂହଙ୍କ ଆଡ଼େ । ମନେହେଲା ଯେପରି ସେ ଐର ଖାରବେଳର ମୂର୍ତ୍ତିମନ୍ତ ରୂପ । ଅଶୋକ କଳିଙ୍ଗରେ ଯେଉଁ ରକ୍ତ ନଦୀ ବୁହାଇଥିଲେ ତା’ର ପ୍ରତିଶୋଧ ନେବାକୁ ସେ ମଗଧ ଛୁଟି ଆସିଥିଲା । ତା’ର ତୀକ୍ଷ୍‍ଣ ତରବ ବୀର ପ୍ରତିରୋଧ କରିବାର ଶକ୍ତି ସେତେବେଳେ ମଗଧର ନା ଥିଲା । ପୁଷ୍ପମିତ୍ର ସମ୍ରାଟ ଥିଲେ ସତ କିନ୍ତୁ ଐରର କରବାଳ ଆଗରେ ତାଙ୍କ ମସ୍ତକ ସ୍କନ୍ଧଚ୍ୟୁତ ହୋଇଥିଲା । ଆଜି ପୁଣି ତାହାର ବଂଶଧର ଛୁଟିଆସିଛି କରବାଳ ହସ୍ତରେ ନୁହେଁ ଧର୍ମର ବିଜୟ ନିଶାଣ ଧରି । ସେହି ନିଶାଣ ତଳେ ଅଶୋକ ପରାଜୟ ସ୍ୱୀକାର କରିଥିଲେ ଆଉ କ’ଣ ସେ ମଧ୍ୟ ତାହାହିଁ କରିବେ ? ସେହି ଦନ୍ତ ଆଗରେ ନତମସ୍ତକ ହୋଇ ଚକ୍ଷୁରୁ ଲୋତକ ଗଡ଼ାଇ କହିବେ-ବୁଦ୍ଧଂ ଶରଣଂ ଗଚ୍ଛାମି !

 

ଦନ୍ତର ଜୟ ଜୟକାର ଧ୍ଵନୀ ବନ୍ଦ ହୋଇନାହିଁ । ଭକ୍ତି ବିଭୋର ଉପସ୍ଥିତ ଜନତା । ମଗଧବାସୀଙ୍କ ମନ ଫେରିଗଲାଣି ସେହି ପ୍ରିୟନାଂ ପ୍ରିୟଦର୍ଶୀ ଅଶୋକଙ୍କ ସମୟକୁ । ଐର ଖାରବେଳର ଅସ୍ତିତ୍ଵ ଥରକପାଇଁ ବି କାହାରି ମନଭିତରେ ଉଙ୍କିମାରୁ ନାହିଁ । ଏଠି ଦେଶ କହିଲେ ଜାତି କହିଲେ ସମଗ୍ର ଭାରତ କଳିଙ୍ଗ-ମାଗଧି ଏ ଧାରଣା କାହାରି ମଧ୍ୟରେ ନାହିଁ । ଧର୍ମ ପାଖରେ ଜାତି ବିଜାତିର ପ୍ରଶ୍ନଉଠାଇବା ଅବାନ୍ତର । ସମସ୍ତ ବ୍ୟସ୍ତ ସେହି ଧର୍ମର ଶରଣ ନେବାକୁ ସଂଘବଦ୍ଧ ଭାବେ ସଂଘର ଶରଣନେବାକୁ ଆଉ ସମସ୍ତଙ୍କଠାରୁ ଅତି ମହାନ୍ ସେହି ଦାନ୍ତହିଁ ତାଙ୍କର ପରମ ଦେବତା ।

 

ଗୁରୁଗମ୍ଭୀର ଭାବେ ସମ୍ରାଟ ଆଦେଶକଲେ ପଦ୍ମ ଉପରୁ ଦନ୍ତଟିକୁ ଆଣ ।

 

ସଙ୍ଗେ ସଙ୍ଗେ ଉପସ୍ଥିତ ଜନତା ସମ୍ରାଟ ଆଦେଶରେ ନୀରବ ହୋଇଗଲେ । ଏପର୍ଯ୍ୟନ୍ତ କ’ଣ ହୃଦୟହୀନ ନିଷ୍ଠୁର ସମ୍ରାଟଙ୍କର ପରୀକ୍ଷା ସରିଲା ନାହିଁ ? କେତେ ସେ ପରୀକ୍ଷା କରିବେ-କେତେ ସେ ଭଗବାନଙ୍କୁ କଷ୍ଟ ଦେଇ ନିଷ୍ଠୁରତାର ପରିଚୟ ଦେବେ ! ସେ ଅନନ୍ତ ଅସୀମ ତାଙ୍କୁ ତିଳ ତିଳ କରି ପରୀକ୍ଷା କରିବା କେବେ ବିବେକୀତାର ପରିଚୟ ନୁହେଁ । ମାତ୍ର କହୁଛି କିଏ ତାଙ୍କୁ ! ନିଗ୍ରନ୍ଥମାନେ ବି ଦନ୍ତକୁ ଉପାସନା ଆରମ୍ଭ କରିଦେଇଥିବା ସମସ୍ତଙ୍କ ଦୃଷ୍ଟିରେ ପଡ଼ିଲାଣି । ଯେଉଁମାନେ ଦନ୍ତ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ ସେମାନେ ଯେତେବେଳେ ଉପଲବ୍‌ଧି କଲେଣି ଦନ୍ତ ହିଁ ଭଗବାନ ସେତେବେଳ ସମ୍ରାଟ ଏତେ ନିର୍ମମ କାହିଁକି ?

 

ସମ୍ରାଟଙ୍କ ନିକଟରେ ଠିଆହୋଇଥିବା ଦୁଇଜଣ ପରାକ୍ରମୀ ସେନା ନାୟକଙ୍କୁ ଆଦେଶ କଲେ ଦନ୍ତକୁ ଏକ ଲେହିରେ ପୂରାଇ ଗୁଣ୍ଡୁ ଗୁଣ୍ଡା କରିଦିଅ ।

 

ଯେ ଆଜ୍ଞା କହି ସେନା ନାୟକ ଦୁଇଜଣ ଦନ୍ତକୁ ଗୁଣ୍ଡ କରିଦେବାକୁ ବାହାରିପଡ଼ିଲେ । ସଙ୍ଗେ ସଙ୍ଗେ ହାତୁଡ଼ି ଲେହି ଆସିଗଲା । ସମସ୍ତଙ୍କ ସମ୍ମୁଖରେ ଲେହିକୁ ରଖାଗଲା ଏବଂ ଦୁଇଜଣ ସେନା ନାୟକ ଦୁଇଟି ଓଜନଦାର ହାତୁଡ଼ି ଧରି ଦନ୍ତ ଭାଙ୍ଗିବାକୁ ଆଗେଇଆସିଲେ ।

 

ହାହାକାର ପଡ଼ିଗଲା ଜନତା ମଧ୍ୟରେ । ଏ କ’ଣ ଏତେ ପରୀକ୍ଷା ପରେ ସମ୍ରାଟ କ’ଣ ଜାଣିପାରିଲେ ନାହିଁ ଏହା ଏକ ସାମାନ୍ୟ ବସ୍ତୁ ନୁହେଁ ବୋଲି ?

 

ଦନ୍ତ ଉପରେ ଶକ୍ତ ହାତୁଡ଼ିର ପାହାର ବାଜିଲା । ଦୁଇଜଣ ଅତି ବଳବାନ ବ୍ୟକ୍ତି ଲେହିର ଦୁଇଦିଗରେ ଛିଡ଼ାହୋଇ ପାଳି କରି ପାହାର ପରେ ପାହାର ଦେଇଚାଲିଲେ । ସେ ପାହାର ଦନ୍ତକୁ ଯେତିକି ଆଘାତ ଦେଇନଥିବ ତା’ଠାରୁ ଅଧିକ ଆଘାତ ପାଉଥାନ୍ତି ଉପସ୍ଥିତ ଲୋକେ । ପାହାରଟିଏ ବାଜିଲାମାନେ କେତେକ ଲୋକ ବଙ୍କା ହୋଇଯାଉଥିଲେ । ସତେ ଯେପରି ପାହାରଟିଏ ତାଙ୍କ ଉପରେ ବାଜୁଛି ।

 

ହାତୁଡ଼ିରେ ପିଟି ପିଟି ଦୁଇଜଣଯାକ ସେନା ନାୟକ କ୍ଳାନ୍ତ ହୋଇପଡ଼ିଲେ । ସଦ୍ୟ ସ୍ନାନ ଭଳି ସାରା ଦେହରୁ ଘର୍ମ ବାହାରିପଡ଼ି ଦେହ ଆର୍ଦ୍ର କରିଦେଲା । ତଥାପି ଦନ୍ତର କିଛି ହେଲା ନାହିଁ-

 

ଶେଷରେ ଦନ୍ତଟି ଟିକିଏ ଦବିଯାଇ ଶୂନ୍ୟକୁ ଉଠିଗଲା ଏବଂ ଶୂନ୍ୟରେ ଦୀପ୍ତିମନ୍ତ ସୂର୍ଯ୍ୟ ଭଳି ଆଲୋକ ବିକିରଣ କରିବାକୁ ଲାଗିଲା । ତା’ର ପ୍ରଖର ତେଜ ଲକ୍ଷ୍ୟ କରି ସମ୍ରାଟଙ୍କ ହୃଦୟରେ ଭୟର ସଞ୍ଚାର ହେଲା । ଆପେ ଆପେ ତାଙ୍କ ହାତ ଦୁଇଟି ଯୋଡ଼ି ହୋଇଗଲା ଓ ସେହି ତେଜମୟ ଦନ୍ତକୁ ଅବନତ ମସ୍ତକରେ ପ୍ରଣତି ଜ୍ଞାପନ କଲେ ।

 

ତାଙ୍କର ଚତୁର୍ଦ୍ଦିଗରେ ସହସ୍ର କଣ୍ଠରୁ ନିନାଦିତ ହେଉଥିଲା ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ।

 

ବୌଦ୍ଧମନ୍ତ୍ର ‘ଓଁ ମଣିପଦ୍ମେ ହୁଁ’ ଏହି ଅଦ୍ଭୁତ କ୍ରିୟା ତାହାରି ପ୍ରକାଶ ବୋଲି ମନେକରାଯାଏ । ପଣ୍ଡିତ ନୀଳକଣ୍ଠ ଦାସ ମଧ୍ୟ ଏହି ବିଷୟ ଉଲ୍ଲେଖ କରିଛନ୍ତି ।

Image

 

ଅପୂର୍ବ ଦୃଶ୍ୟ

 

ସେହି ବିଶାଳ ବୋଇତଟି ଚକ୍ରବାଳ ତଳେ ହଜିଗଲାଣି । ତା’ ପଛକୁ ତା’ ପଛକୁ ଲାଗିଛନ୍ତି ଅନେକ ବୋଇତ । ପ୍ରତ୍ୟେକ ଆଗେଇଚାଲିଛନ୍ତି ଆଗକୁ । ହୁଏତ ଅନେକଦିନ ଲାଗିଯିବ ସେମାନଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ । ନଈ ଭିତରୁ କଙ୍ଗୋଦସାଗରକୁ ହେଇ କେତେ ବୋଇତ ଆଗେଇ ଯାଉଛନ୍ତି । ଲହଡ଼ି ଭରା ସମୁଦ୍ର କୂଳରୁ ସମୁଦ୍ର ଭିତରକୁ ବୋଇତଗୁଡ଼ିକୁ ଆଗେଇନେବାକୁ ମାଝୀମାନଙ୍କର କି ଆପ୍ରାଣ ଚେଷ୍ଟା ! ବିରାଟ ବିରାଟ ଲହଡ଼ି ଉପରେ ବୋଇତଗୁଡ଼ିକ ନାଚୁଛି ପଡ଼ି–ସତେ କ’ଣ ଆଉ ଲହଡ଼ିର ପ୍ରବଳ ଚାପରେ ବୋଇତଗୁଡ଼ିକ ବୁଡ଼ିଯିବ କି ମାଝୀମାନଙ୍କର ପାଟିତୁଣ୍ଡରେ ବନ୍ଦର ଉପକୂଳ ପ୍ରକମ୍ପିତ । ଲହଡ଼ି କାଟି ଯେଉଁ ବୋଇତଗୁଡ଼ିକ ସମୁଦ୍ରର ସ୍ଥିର ଜଳ ସ୍ପର୍ଶ କଲାଣି ସେମାନଙ୍କ ବୋଇତର ମାସ୍ତଲ ଉପରେ ପାଲ ଟାଣିଦେବାକୁ ମାଝୀମାନେ ବ୍ୟଗ୍ର ହୋଇପଡ଼ୁଛନ୍ତି । ପାଲ ଟାଣିଦେଲା ପରେ ବୋଇତଗୁଡ଼ିକ ଖୁବ୍ ଦ୍ରୁତଗତିରେ ଆଗେଇଯାଉଛି ଚକ୍ରବାଳଆଡ଼କୁ ।

 

ଚେଳିତାଳୋର ବେଳାଭୂମି । ଏକାକି ଛିଡ଼ା ହୋଇଛନ୍ତି ଚୀନ୍ ପରିବ୍ରାଜକ ହୁଏନ୍‌ସାଂ । ଏକ ଲୟରେ ଲକ୍ଷ୍ୟ କରୁଛନ୍ତି ସେ ସିଂହଳଗାମୀ ବୋଇତଗୁଡ଼ିକୁ । ଚକ୍ରବଳ ତଳେ ବୋଇତଗୁଡ଼ିକ ହଜିଯିବା ପର୍ଯ୍ୟନ୍ତ ତାଙ୍କର ଦୃଷ୍ଟି ସେହି ବୋଇତମାନଙ୍କ ଉପରେ ନିବଦ୍ଧ । ସେ ଛିଡ଼ା ହୋଇଛନ୍ତି ଚେଳିତାଳୋର ବେଳାଭୂମିରେ ସତ, କିନ୍ତୁ ମନ ତାଙ୍କର ସେହି ସିଂହଳଗାମୀ ବୋଇତ ମଧ୍ୟରେ । ସତେ ଯେପରି ସେହି ବୋଇତର ସେ ଜଣେ ଯାତ୍ରୀ । ସେ ଯାଉନାହାନ୍ତି କଳିଙ୍ଗର ସାଧବମାନଙ୍କ ସହିତ ବେପାର ବାଣିଜ୍ୟ କରିବାକୁ-ଯାଉଛନ୍ତି ସେହି ଅଦ୍ଭୁତ ବୁଦ୍ଧଙ୍କ ଦନ୍ତ ଦର୍ଶନ କରିବାକୁ ।

 

ଚଳଚ୍ଚିତ୍ର ଭଳି ତାଙ୍କ ମନ ପରଦା ଉପରେ ଦେଖାଦେଲେ ହେମମାଳା ଆଉ ତାଙ୍କ ସ୍ଵାମୀ ଦନ୍ତକୁମାର । ହେମମାଳା କଳିଙ୍ଗର ମହାରାଜ ଗୁହସିଂହଙ୍କ କନ୍ୟା । ସେତେବେଳେ ତାଙ୍କର ରାଜଧାନୀ ଥିଲା ସିଂହପୁର । ସିଂହପୁର ସମ୍ଭବତଃ ରତ୍ନଗିରିର ପଶ୍ଚିମରେ ଥିଲା । ଶତାବ୍ଦୀ ଶତାବ୍ଦୀ ଧରି ବହିଗଲାଣି ବହୁ ଶତାବ୍ଦୀ । କାଳର କରାଳ କବଳରେ ସିଂହପୁରରେ ସେ ବିଭବ ସହିତ ସିଂହପୁର ବି ଲୁଚିଗଲାଣି । କିନ୍ତୁ ବୌଦ୍ଧ ସାହିତ୍ୟରେ ଉଜ୍ଜୟିନୀର ରାଜକୁମାର ରତ୍ନକୁମାର ଓ କଳିଙ୍ଗର ରାଜକୁମାରୀ ହେମମାଳା ବଞ୍ଚି ରହିଛନ୍ତି ।

 

ବୁଦ୍ଧଙ୍କ ପରି ନିର୍ବାଣର ପ୍ରାୟ ସାତସହ ବର୍ଷ ପରେ କୁଶିନର ନଗରର ତାଙ୍କ ଚିତା ସ୍ଥାନରୁ ବୁଦ୍ଧଙ୍କ ବାମ କଳ ଦାନ୍ତଟି ପାଇଥିଲେ ‘କ୍ଷେମଥେର’ । ମହାତ୍ମା ଥେର ସେହି ଦାନ୍ତଟିକୁ କଳିଙ୍ଗର ମହାରାଜା ବ୍ରହ୍ମଦତ୍ତଙ୍କୁ ଦେଇଥିଲେ । ସେହି ଦନ୍ତ ଗୋଟାଏ ସାମାନ୍ୟ ଦନ୍ତ ଭାବି ମଗଧର ସମ୍ରାଟ ପଣ୍ଡୁ କଲେ ବିଭିନ୍ନ ପରୀକ୍ଷା । ଶେଷଥର ପରୀକ୍ଷା କଲାବେଳେ ଯେତେବେଳେ ଦନ୍ତ ଶୂନ୍ୟକୁ ଉଠିଯାଇ ସୂର୍ଯ୍ୟ ପରି ଅତି ଦୀପ୍ତିମନ୍ତ ଭାବେ ଝଟକିଉଠିଲା ତାହା ଦେଖି ନାସ୍ତିକ ସମ୍ରାଟ ପଣ୍ଡୁ ଭୀତତ୍ରସ୍ତ ହୋଇଗଲେ । ଯେଉଁ ‘ନିଗ୍ରନ୍ଥ’ ଆଗମବାଦୀମାନେ ସମ୍ରାଟଙ୍କ ନିକଟରେ ଦନ୍ତ ବିରୁଦ୍ଧରେ ଆପତ୍ତି କରିଥିଲେ ସେମାନେ ଦନ୍ତର ଅଦ୍ଭୁତ ପ୍ରକ୍ରିୟା ଦର୍ଶନ କରି ବିସ୍ମିତ ହେଲେ । ତାଙ୍କର ଧାରଣା ହେଲା “ଗୌତମ ନ ଥିଲେ ଜଣେ ସାଧାରଣ ମଣିଷ । ସେ ଥିଲେ ବିଷ୍ଣୁଙ୍କର ଅବତାର । ମୁଖ୍ୟ କାର୍ଯ୍ୟଗୁଡ଼ିକ ସଂପାଦନ କରି ‘ଗୌତମବୁଦ୍ଧ’ ଚାଲିଯାଇଛନ୍ତି ସତ, ମାତ୍ର ରଖିଯାଇଛନ୍ତି ତାଙ୍କର ବିଶେଷ ସତ୍ତା ଏହି ଦନ୍ତଟି । ଯେ କି ଅଦ୍ଭୁତଠାରୁ ଆହୁରି ଅଦ୍ଭୁତ ।”

 

ଦୀର୍ଘ ବହୁବର୍ଷ ପରେ ଦେଖୁଛନ୍ତି ସେହି ଅଲିଭା ଚିତ୍ର ତାଙ୍କ ମନପରଦାରେ । ଲାଖି ରହିଛି ତାଙ୍କ ଆଖି ସିଂହଳଗାମୀ ଏକ ବୋଇତ ଉପରେ, ଆଉ ମାନସପଟରେ ଭାଷିଉଠୁଛି ସେହି ମହନୀୟ ଚିତ୍ର । ନିଗ୍ରନ୍ଥମାନେ ଯେତେବେଳେ ତାଙ୍କୁ ଗୌତମ ଥିଲେ ବିଷ୍ଣୁଙ୍କର ଅବତାର ବୋଲି କହିଲେ ସେତେବେଳେ ସମ୍ରାଟ ପଣ୍ଡୁ ଟିକିଏ ବିରକ୍ତ ହୋଇ କହିଲେ “ଖାଲି ଅବତାର ବୋଲି କହିଲେ କ’ଣ ହେବ ତାଙ୍କୁ ଶାନ୍ତ କରାଅ-ତାଙ୍କୁ ନିବର୍ତ୍ତାଅ ।” ନିଗ୍ରନ୍ଥମାନେ ପରସ୍ପରର ମୁହଁ ଚାହାଁଚାହିଁ ହେଲେ । ସମ୍ରାଟ ଆଉ ଟିକିଏ ବିରକ୍ତ ହୋଇ କହିଲେ, “ଯଦି ତୁମେ ନିଶ୍ଚିତରୂପେ ଜାଣୁଛ ଏହା ବିଷ୍ଣୁଙ୍କର ଅଂଶବିଶେଷ ବୋଲି ତେବେ ସ୍ତବ ସ୍ତୁତିରେ ଦନ୍ତକୁ ଶାନ୍ତ କରି ଦେଖାଇଦିଅ-। ଏହା ବିଷ୍ଣୁଙ୍କ ଅଂଶବିଶେଷ । ଖାଲି ମୋତେ କହିଲେ କ’ଣ ହେବ–ଲୋକଙ୍କୁ ଦେଖାଅ ।”

 

ସଙ୍ଗେ ସଙ୍ଗେ ଆରମ୍ଭ ହୋଇଗଲା ନିଗ୍ରନ୍ଥମାନଙ୍କର ସ୍ତବ ସ୍ତୁତି । ଓଁ ଅଖଣ୍ଡ ମଣ୍ତଳାକାରଂ ବ୍ୟାପ୍ତଂ ଯେନ ଚରାଚରଂ ସହିତ କେତେ ସ୍ତବ ପାଠ ହେଲା । ମନ୍ତ୍ରପୁତ ପାଣି ଦନ୍ତ ଉଦ୍ଦେଶ୍ୟରେ ସିଞ୍ଚନ କରାଗଲା । କିନ୍ତୁ ଦନ୍ତ ଶାନ୍ତ ହେଲା ନାହିଁ-ପୂର୍ବରୁ ଯେଉଁଭଳି ଥିଲା ଅବିକଳ ସେହିଭଳି ରହିଲା । ନିଗ୍ରନ୍ଥଙ୍କ (ତିଥେୟ) ସମସ୍ତ ପ୍ରକାର ଉପାସନା ମଧ୍ୟ ନିଷ୍ଫଳରେ ପର୍ଯ୍ୟବେସିତ ହେଲା ।

 

ଦୀର୍ଘ ସମୟପରେ ଦନ୍ତ ଯେତେବେଳେ ଶାନ୍ତ ହେଲା ନାହିଁ ସମ୍ରାଟ ପଣ୍ଡୁ ବଡ଼ ଚିନ୍ତିତ ହୋଇପଡ଼ିଲେ । ସେ ବ୍ୟସ୍ତହୋଇ ମନ୍ତ୍ରୀଙ୍କୁ କହିଲେ–‘‘ଚତୁର୍ଦ୍ଦିଗରେ ଘୋଷଣା କରାଅ ଯେଉଁ ବ୍ୟକ୍ତି ଦନ୍ତକୁ ଶାନ୍ତ କରିଦେଇପାରିବ ସେ ସମ୍ରାଟଙ୍କ ଦ୍ଵାରା ପୁରସ୍କୃତ ହେବ ।”

 

ସମ୍ରାଟଙ୍କ କଥିତ ମୁତାବକ ରାଜ୍ୟର ଚାରିଆଡ଼େ ନାଗରା ଦେଇ ପ୍ରଚାର କରାଗଲା, ଯେଉଁ ମହାତ୍ମା ଦନ୍ତକୁ ସାଧାରଣ ସ୍ତରକୁ ଆଣିପାରିବେ ସେ ସମ୍ରାଟଙ୍କ ଦ୍ୱାରା ପୁରସ୍କୃତ ହେବେ ।

 

ରାଜ୍ୟର ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତି ସେଠାରେ ତ ଉପସ୍ଥିତ ଥାନ୍ତି । ବେଦ, ନିର୍ଘଣ୍ଟ ଆଦି ଶାସ୍ତ୍ରଜ୍ଞ ନିଜ ନିଜ ଶାସ୍ତ୍ରାନୁଯାୟୀ ପୂଜା ଉପାସନା କରି ଚାଲିଥାନ୍ତି । ମାତ୍ର ଦାନ୍ତ ଅବସ୍ଥାର କିଛି ପରିବର୍ତ୍ତନ ହେଉନଥାଏ । ଶେଷରେ ଆସିଲେ ସୁଭଦ୍ର ନାମରେ ଜଣେ ବୃଦ୍ଧ-ଭକ୍ତ । ସେ ସେହି ଦୀପ୍ତ ଦାନ୍ତ ସମ୍ମୁଖରେ ଅତି ନମନୀୟ ହୋଇ ବୋଲି ଚାଲିଲେ ଜାତକ କଥା ଓ ସ୍ତୁତି ବାକ୍ୟ । ଯେତିକି ସେ ବୋଲିଚାଲନ୍ତି ସେତିକି ଦନ୍ତ ଶାନ୍ତ ହୋଇଆସୁଥାଏ ।

 

ଦନ୍ତ ଶାନ୍ତ ହୋଇ ସୁଭଦ୍ରଙ୍କ ମସ୍ତକ ଉପରେ ରହିଲା ଓ ସେଠାରୁ ପବିତ୍ର ଜଳ ବୃଷ୍ଟି କରିବାକୁ ଲାଗିଲା । ଏହାଦ୍ୱାରା ଆହୁରି ଆଶ୍ଚର୍ଯ୍ୟ ହେଲେ ଉପସ୍ଥିତ ବ୍ୟକ୍ତିମାନେ ।

 

ଉପସ୍ଥିତ କେତେକ ବ୍ରାହ୍ମଣ କହିଉଠିଲେ, “ନା ସୁଭଦ୍ର ଜଣେ ତାନ୍ତ୍ରିକ । ତନ୍ତ୍ରଦ୍ୱାରା ଦନ୍ତକୁ ଏହିଭଳି କରୁଛି-ଦନ୍ତ ତା’ ମନକୁ ଶାନ୍ତ ହୋଇ ଶାନ୍ତିବାରି ବର୍ଷୁ ନାହିଁ ।”

 

ସମ୍ରାଟ ମନେକଲେ ଏ ଭକ୍ତିର ବାସ୍ତବତା ଅଛି । ତା’ ନ ହେଲେ ଏତେ ସ୍ତବ ସ୍ତୁତି କାହିଁରେ ଦନ୍ତ ଶାନ୍ତ ହେଲା ନାହିଁ–ଜାତକ କଥାରେ ଶାନ୍ତ ହୋଇଗଲା ! ପ୍ରକୃତରେ ସୁଭଦ୍ର ତାନ୍ତ୍ରିକ-। ତନ୍ତ୍ରଦ୍ୱାରା ଏହିଭଳି ସେ କରିପାରିଛି ।

 

ସମ୍ରାଟ କହିଲେ, “ସୁଭଦ୍ର ! ତୁମେ କ’ଣ ତନ୍ତ୍ରଦ୍ୱାରା ଏହିଭଳି କାର୍ଯ୍ୟ କରିଛ ?”

 

ସୁଭଦ୍ର ବିନୀତଭାବେ କହିଲେ–“ନା ସମ୍ରାଟ ! ମୁଁ କୌଣସି ତନ୍ତ୍ର ବା କିମିଆ ଜାଣେନାହିଁ ।”

 

“ତାହାହେଲେ ଦନ୍ତକୁ ଏକ ଜଳପୂର୍ଣ୍ଣ ପାତ୍ରରେ ଅବତରଣ କରାଅ ।” ସମ୍ରାଟ କହିଲେ ।

 

ସୁଭଦ୍ର ଏକ ଜଳପୂର୍ଣ୍ଣ ପାତ୍ର ହସ୍ତରେ ଧାରଣ କରି ଦନ୍ତକୁ ସ୍ତୁତି କରିବାକୁ ଲାଗିଲେ । ଆଶ୍ଚର୍ଯ୍ୟ କଥା-ଦନ୍ତ ଶୂନ୍ୟରୁ ଖସି ସେହି ଜଳପୂର୍ଣ୍ଣ ପାତ୍ର ମଧ୍ୟରେ ହଂସଭଳି ପହଁରିବାକୁ ଲାଗିଲା । ସମସ୍ତେ ଆହୁରି ଆଶ୍ଚର୍ଯ୍ୟ ହେଲେ ତାହା ଦର୍ଶନ କରି ।

 

ଜଳପାତ୍ର ମଧ୍ୟରୁ ଗୌତମ ବୁଦ୍ଧଙ୍କର ସେହି ମହନୀୟ ଦନ୍ତ ସମ୍ମାନର ସହିତ ଅଣାଗଲା-। ପ୍ରସ୍ତୁତ ହେଲା ପାଟଳୀପୁତ୍ରରେ ତା’ପାଇଁ ଏକ ମନ୍ଦିର । ସେହି ମନ୍ଦିରରେ ଦନ୍ତ ସ୍ୱର୍ଣ୍ଣ ସିଂହାସନରେ ସ୍ଥାପନ କରାଗଲା ଓ ତା’ର ଯଥାରୀତି ପୂଜା କରାଗଲା । କଳିଙ୍ଗର ମହାରାଜା ଗୁହସିଂହ ଏକ ଅସାଧାରଣ ବ୍ୟକ୍ତି ଭାବେ ସେଠାରେ ଅବସ୍ଥାନ କଲେ । ଯେଉଁ ସମ୍ରାଟ ବୌଦ୍ଧ ବିରୋଧି ଥିଲେ ସେହି ମହାରାଜା ଦନ୍ତ ନିକଟରେ ଅବନତ ମସ୍ତକ ହୋଇ ବୌଦ୍ଧଧର୍ମ ଗ୍ରହଣ କଲେ ଆନନ୍ଦର ସହିତ । ପାଟଳୀପୁତ୍ରର ଚତୁର୍ଦ୍ଦିଗରେ ସେହି ମହନୀୟ ମନ୍ତ୍ର ପ୍ରତିଧ୍ଵନିତ ହେଉଥିଲା ‘ଓଁ-ମଣିପଦ୍ମେ ହୁଁ’ ପଞ୍ଚାକ୍ଷର ମନ୍ତ୍ର । ଆଉ ଶୁଭାଯାଉଥିଲା ଆବାଳ ବୃଦ୍ଧବନିତାଙ୍କ କଣ୍ଠରୁ ‘ବୃଦ୍ଧଂ ଶରଣଂ ଗଚ୍ଛାମି-ଧର୍ମଂ ଶରଣଂ ଗଚ୍ଛାମି-ସଂଘଂ ଶରଣଂ ଗଚ୍ଛାମି ।’

 

ସମଗ୍ର ମଗଧକୁ ବୁଦ୍ଧଙ୍କ ଶରଣାପନ୍ନ କରି ଦନ୍ତ ପୁଣି ବାହୁଡ଼ିଲା କଳିଙ୍ଗକୁ । ସମ୍ରାଟ ପଣ୍ଡାଙ୍କ ଆଦେଶରେ ଦନ୍ତ ଯେତେବେଳେ କଳିଙ୍ଗରୁ ପାଟଳୀପୁତ୍ର ଆସିଥିଲା ସେତେବେଳେ କଳିଙ୍ଗବାସୀ ଯେଉଁଭଳି ଅଶ୍ରୁପୂର୍ଣ୍ଣ ନେତ୍ରରେ ଦନ୍ତକୁ ବିଦାୟ ଦେଇଥିଲେ ସେହିଭଳି ପାଟଳୀପୁତ୍ରର ଲୋକେ ଦନ୍ତ କଳିଙ୍ଗ ଗଲାବେଳେ ଅଶ୍ରୁ ବିଗଳିତ ନେତ୍ରରେ ବିଦାୟ ଦେଲେ । ସମ୍ରାଟ ପଣ୍ଡୁ ଦନ୍ତକୁ ବିଦାୟ ଦେଲାବେଳେ କଇଁ କଇଁ ହୋଇ କାନ୍ଦିଉଠିଥିଲେ-ଗୁହସିଂହଙ୍କ ଅତି ବିନୟରେ କହିଥିଲେ, “ପାଟଳୀପୁତ୍ର କାହିଁକି ସମଗ୍ର ମଗଧ ବଦଳରେ ମୋତେ ଏହି ଦନ୍ତଟି ଦିଅ । ତୁମେ ସମଗ୍ର ଦେଶର ସମ୍ରାଟ ହୁଅ ମୋର ସେଥିରେ ତିଳେମାତ୍ର ଦୁଃଖ ନାହିଁ, କିନ୍ତୁ ବିନିମୟରେ ମୋର ଆବଶ୍ୟକ ଏହି ମହନୀୟ ଦନ୍ତ ।”

 

ଉତ୍ତରରେ କଳିଙ୍ଗର ମହାରାଜ ଗୁହସିଂହ କହିଥିଲେ “ନା ସମ୍ରାଟ, କଳିଙ୍ଗବାସୀ ରାଜ୍ୟ, ଧନ ଆଦି ଆଳିକ ବସ୍ତୁରେ କେବେ ଆଗ୍ରହୀ ହୋଇ ଦେବତାର ହତାଦର କରିପାରିବେ ନାହିଁ । ମୁଁ ଆଜି ଯଦି କଳିଙ୍ଗର ଦେବତାକୁ ଏଠାରେ ଆପଣଙ୍କୁ ଦେଇଯାଏ ତେବେ କଳିଙ୍ଗବାସୀ ମୋତେ କେବେ କ୍ଷମା ଦେବେନାହିଁ । ସେ ନିଜ ରକ୍ତ ଅମ୍ଳାନ ବଦନରେ ଦାନ କରିପାରନ୍ତି ମାତ୍ର ଦେବତାକୁ କେବେ ଭୁଲ୍‌ରେ ବି ଦେଇପାରିବେ ନାହିଁ ।

 

ହୁଏନ୍‌ସାଂଙ୍କ ଦୁଇଆଖିରୁ ବୋହିପଡ଼ିଲା ଦୁଇଧାର ଲୁହ । ସେହି ଦେବଭୂମି ଅଧ୍ୟୁସିତ କଳିଙ୍ଗର ବିଖ୍ୟାତ ପୋତାଶ୍ରୟ ଚେଳିତାଳୋରେ ସେ ଦଣ୍ଡାୟମାନ ହୋଇଛନ୍ତି । ଭାରତର ବିଭିନ୍ନ ପ୍ରାନ୍ତରରୁ ଧୀରେ ଧୀରେ ବୁଦ୍ଧଂ ଶରଣଂ ଗଚ୍ଛାମି ଲିଭି ଆସିଲାଣି; କିନ୍ତୁ କଳିଙ୍ଗରେ ତାହା ହ୍ରାସ ଲିଭିନାହିଁ । ଦୁଇଶହ ବର୍ଷ ତଳେ ଆସୁଥିଲେ ଚୀନରୁ ଫାହିୟାନ । ସେ କଳିଙ୍ଗ ଭୂମି ସ୍ପର୍ଶ କରି ତାମ୍ରଲିପ୍ତଠାରେ ଦୁଇବର୍ଷ ଅଧ୍ୟୟନ ଓ ଗବେଷଣା କରିଛନ୍ତି । ଫାହିୟନ କହିଯାଇଛନ୍ତି ସେତେବେଳେ ତାମ୍ରଲିପ୍ତରେ ଚବିଶଟି ସଂଘରାମ ଥିଲା । ମାତ୍ର କାହିଁ, ସେ ତ ସେଠାରେ ଗୋଟାଏ ହେଲେ ସଂଘରାମ ଦେଖିନାହାନ୍ତି । ଆଉ ଚେଳିତାଳୋରେ ସେ ପାଞ୍ଚଟି ବୌଦ୍ଧବିହାର ଦେଖୁଛନ୍ତି । ସେଗୁଡ଼ିକ ଯେଉଁଭଳି ଉନ୍ନତ କଳାପାଟୀରେ ସୁସଜ୍ଜିତ ହୋଇଛି ତାହା ବର୍ଣ୍ଣନା କରିବାକୁ ତାଙ୍କର ଭାଷା ନାହିଁ । ବୁଦ୍ଧ ଓ ବୋଧିସତ୍ୱଙ୍କ ମୂର୍ତ୍ତି ତଥା ଚିତ୍ରାବଳୀରେ ତାହା ଯେତେ ଚମତ୍କାର ହୋଇଛି ସେଇଭଳି ଆଉ କେଉଁଠି ସେ ଦେଖିଥିବା କଥା ତାଙ୍କର ମନେପଡ଼ୁନାହିଁ ।

 

ଏ ସେହି ପବିତ୍ର କଳିଙ୍ଗର ଉପକୂଳ । କାହିଁ କେତେଦୂରରୁ ବିରାଟ ବିରାଟ ଲହଡ଼ିମାନ ଉଠି ଚେଳିତାଳୋର ବେଳାଭୂମିରେ ମଥା ପିଟି ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ଉଚ୍ଚାରଣ କରୁଛି । ଧର୍ମର ରକ୍ଷାକବଚ ଗଳାରେ ପିନ୍ଧି ମାଭୈ, ମାଭୈ ଗୀତ ବୋଲି ଚାଲିଛନ୍ତି ସାଧବ ବୋଇତରେ ଦୂରଦେଶକୁ ବେପାର କରିବାପାଇଁ । କଳିଙ୍ଗି ରକ୍ତ ଦେଇ ମାରିପାରେ ମାତ୍ର ତା’ ଦେବତାର ଆଶୀର୍ବାଦରୁ କେବେ ସେ ବଞ୍ଚିତ ହୋଇପାରେନା ।

 

ସେଦିନ ଅଶୋକ ତାଙ୍କ ତରବାରି ଧାରରେ ପରୀକ୍ଷା କରିଥିଲେ କଳିଙ୍ଗିର ରକ୍ତକୁ । ଯେଉଁ ବୀରତ୍ୱରେ ସେ କଳିଙ୍ଗର ଧର୍ମ ତାକୁ କାବୁ କରିଦେଇଥିଲା । ଚଣ୍ଡ ବୁଦ୍ଧି ତାଙ୍କର ନିଷ୍କ୍ରାନ୍ତ ହୋଇଯାଇଥିଲା କଳିଙ୍ଗର ରକ୍ତସ୍ରୋତ ଦେଖି । ସେ ଅକପଟ ହୃଦୟରେ କଳିଙ୍ଗର ସ୍ୱର ସହିତ ସ୍ୱର ମିଶାଇ ଗାଇଉଠିଥିଲେ ବୁଦ୍ଧଂ ଶରଣଂ ଗଚ୍ଛାମି । ସେହି ପବିତ୍ର କଳିଙ୍ଗକୁ ଗୁହସିଂହ ଫେରିଲେ ରଥାରୂଢ଼ କରି ବୁଦ୍ଧଙ୍କ ଦନ୍ତକୁ ।

 

କଳିଙ୍ଗରେ ପୁନର୍ବାର ଦନ୍ତ ପୂଜା ପାଇଲା କିଛିଦିନ । ଦନ୍ତର ମହିମା ଏଭଳି ପ୍ରଚାର ହୋଇଯାଇଥିଲା ଯେ ଉଜ୍ଜୟିନୀର ରାଜକୁମାର ଛୁଟିଆସିଲେ ସେହି ଦନ୍ତର ଉପାସନା ପାଇଁ କଳିଙ୍ଗକୁ । ଦନ୍ତର ଉପାସନା ବେଳେ ତାଙ୍କର ଭକ୍ତିବିଭୋର ଦର୍ଶନ କରି ଚମତ୍କୃତ ହେଲେ ମହାରାଜ ଗୁହସିଂହ । ଶେଷରେ ତାଙ୍କ ଆଦରର କନ୍ୟା ବନବଲ୍ଲୀ ବା ହେମମାଳାଙ୍କୁ ବିବାହ ଦେଲେ । ଉଜ୍ଜୟିନୀର ରାଜକୁମାରଙ୍କ ନାମ ତାପରେ ଦନ୍ତକମର ହୋଇଗଲା ।

 

ଉଡ଼୍ର ଦେଶର ପଶ୍ଚିମରେ କୋଶଳ । କୋଶଳର ମହାରାଜ ଖିରଧର ମଧ୍ୟ ବୌଦ୍ଧଧର୍ମୀ-। ଏକଦା ସେ ଆସିଲେ ଦନ୍ତ ଉପାସନା ପାଇଁ କଳିଙ୍ଗର ସିଂହପୁର । କିଛିଦିନ ଦନ୍ତର ଉପାସନା ପରେ ମହାରାଜ ପଣ୍ଡୁଙ୍କ ପାଖରେ ବାଢ଼ିଲେ ଏକ ଅବାନ୍ତର ଅନୁରୋଧ, “ଥରେ ଦନ୍ତନେଇ ମୋର ରାଜଧାନୀ ସୈବତ ନଗର ଚାଲନ୍ତୁ ।” ଶୁଣିବାମାତ୍ରେ ପ୍ରତ୍ୟାଖ୍ୟାନ କଲେ ମହାରାଜ ଗୁହସିଂହ-“ଏ ଦନ୍ତ କେବେ କୌଣସି ଅଞ୍ଚଳକୁ ଯାଇପାରିବ ନାହିଁ ।”

 

ପ୍ରକୃତରେ ଯେଉଁ ଦନ୍ତର ପୂଜା ପାଇଁ ପ୍ରତିଦିନ ଶହ ଶହ ହଜାର ହଜାର ଲୋକ ଦେଶଦେଶାନ୍ତରରୁ ଆସୁଥିଲେ ସେ ଦନ୍ତ କିପରି ଦୂରକୁ ଯାଇପାରିବ ? ଗଲେ ଦର୍ଶନାକାଙ୍‌କ୍ଷୀ ଦୂରପ୍ରବାସୀମାନେ ବିକ୍ଷୁବ୍‌ଧ ଅନ୍ତରରେ ଫେରିବା ସାରହେବ ସିନା, ଲାଭ କିଛି ହେବନାହିଁ ।

 

କୋଶଳରେ ମହାରାଜ ବିଦାୟ ନେଇଗଲେ ସିଂହପୁରରୁ କ୍ଷୁଣ୍ଣ ହୋଇ । କିଛିବାଟ କଳିଙ୍ଗର ମହାରାଜ ତାଙ୍କୁ ପାଛୋଟି ଦେଇଆସିଲେ । ସୌଜନ୍ୟତା ଦୃଷ୍ଟିରୁ କଳିଙ୍ଗର ମହାରାଜ ଶେଷଥର ପାଇଁ ତାଙ୍କୁ ତାଙ୍କର କୌଣସି ତ୍ରୁଟିଜନିତ ବ୍ୟବହାର ପାଇଁ କ୍ଷମା ମାଗିନେଲେ । କୋଶଳରେ ମହାରାଜ ଅନ୍ତରରେ କୁଟିଳତା ଭରି ତାଙ୍କୁ ବେଶ୍ ମିଠା କଥାରେ କୃତଜ୍ଞତାଜ୍ଞାପନପୂର୍ବକ ବିଦାୟଦେଇ ଫେରିଗଲେ କୋଶଳର ସୈବତ ନଗରକୁ । ମାତ୍ର ଖୁବ୍ ଅଳ୍ପଦିନ ମଧ୍ୟରେ ସୈନ୍ୟସାମନ୍ତ ସହ କଳିଙ୍ଗ ସୀମାରୁ ସମ୍ବାଦ ପ୍ରେରଣ କଲେ ବୁଦ୍ଧଙ୍କ ଦାନ୍ତ ଯଦି ସୈବତ ନଗରକୁ ପଠାଇବାକୁ ଗୁହସିଂହ ରାଜି ନ ହୁଅନ୍ତି ତେବେ ସେ କଳିଙ୍ଗ ଅଧିକାର କରି ବଳପୂର୍ବକ ଦନ୍ତକୁ ସୈବତନଗର ନେଇଯିବେ । ବୁଦ୍ଧଙ୍କର ଦନ୍ତର ଅଧିକାରୀ ଏକମାତ୍ର କଳିଙ୍ଗ ହୋଇନପାରେ-କୋଶଳ କଳିଙ୍ଗର ପଡ଼ିଶାରାଜ୍ୟ । ସେ ମଧ୍ୟ ବୁଦ୍ଧଙ୍କୁ ଭକ୍ତି କରେ ଓ କଳିଙ୍ଗ ପରି କୋଶଳରେ ମଧ୍ୟ ବୁଦ୍ଧଂ ଶରଣଂ ଗଚ୍ଛାମି ନିନାଦିତ ହେଉଛି । ତେଣୁ କଳିଙ୍ଗରେ ଦନ୍ତ ଯେତେଦିନ ପୂଜା ପାଇଛି କୋଶଳରେ ମଧ୍ୟ ସେତିକିଦିନ ପୂଜା ପାଇବ ।

 

କୋଶଳରେ ସ୍ୱତନ୍ତ୍ର ଦୂତମୁଖରୁ ସମ୍ବାଦ ପାଇଲା ମାତ୍ରେ କଳିଙ୍ଗର ମହାରାଜ ସେହି ଦୂତ ଦ୍ୱାରା ସମ୍ବାଦ ଦେଲେ ରକ୍ତଚକ୍ଷୁର ଜବାବ ସେହି ରକ୍ତଚକ୍ଷୁରେ ଦିଆଯିବ । କଳିଙ୍ଗବାସୀ ଦରକାର ହେଲେ ରକ୍ତଦାନ କରିପାରନ୍ତି, କିନ୍ତୁ ତାଙ୍କର ଦେବତାକୁ କାହା ହାତରେ ଟେକି ଦେଇପାରିବେ ନାହିଁ ।

 

କ୍ଷିରଧାରଙ୍କ ସହିତ ଯୁଦ୍ଧ ହେଲା କଳିଙ୍ଗର । ଉଭୟଙ୍କର ଯୁଦ୍ଧରେ ନିହତ ହେଲେ କ୍ଷିରଧାର । ଧର୍ମ ପାଇଁ, ଦେବତାପାଇଁ ହିଂସାକରିବା ମହାପାପ । ଦେବତାର ଯଦି ଇଚ୍ଛାହେବ କଳିଙ୍ଗ ଛାଡ଼ିଯିବାକୁ ତାଙ୍କୁ କ’ଣ କଳିଙ୍ଗର ବୀର ସେନା ଅଟକାଇ ଦେଇପାରିବେ ।

 

କ୍ଷିରଧାରଙ୍କ ମୃତ୍ୟୁପରେ କୋଶଳସେନା ନୀରବରେ ରହିଗଲେ ନାହିଁ । ଅଳ୍ପ କାଳପରେ କ୍ଷିରଧାରଙ୍କ ପୁତୁରା ସୈନ୍ୟସାମନ୍ତ ଧରି କଳିଙ୍ଗ ଆକ୍ରମଣ କଲେ । ଯୁଦ୍ଧ କେତେଦିନ ଖୁବ୍ ଜୋରସୋରରେ ଚାଲିଲା । ଯେତେବେଳେ ଗୁହସିଂହ ଦେଖିଲେ ଯୁଦ୍ଧରେ ତାଙ୍କର ପରାଜୟ ସୁନିଶ୍ଚିତ ସେତେବେଳେ ସେ ଦନ୍ତକୁମାରଙ୍କୁ ଦନ୍ତଧରି ସିଂହଳ ଯିବାପାଇଁ ପରାମର୍ଶ ଦେଲେ ।

 

ସିଂହଳର ରାଜା ମହସେନ ବୁଦ୍ଧଙ୍କ ଭକ୍ତ । ସେ ଯେତେବେଳେ ଜାଣିଲେ ବୁଦ୍ଧଙ୍କ ଦନ୍ତ ସିଂହପୁରରେ ପୂଜା ପାଉଛି ସେତେବେଳେ ଗୁହସିଂହଙ୍କୁ ଦନ୍ତଧୁଆ ପାଣି ଟିକିଏ ପାଇଁ ଅନୁରୋଧ କରି ପତ୍ର ପଠାଇଥିଲେ । ମହସେନଙ୍କ ବନ୍ଧୁତ୍ୱପୂର୍ଣ୍ଣ ପତ୍ର ପାଠ କରି ଗୁହସିଂହ ଆନନ୍ଦିତ ହେଲେ ସତ, କିନ୍ତୁ ପାଣି ଟିକିଏ କାହା ହାତରେ ପଠାଇବେ ସ୍ଥିର କରିପାରିଲେ ନାହିଁ । ସିଂହଳତ କିଛି ଅଳ୍ପଦୂର ନୁହେଁ ଯେ ପଠାଇ ଦେଇହେବ ? ଯେତେବେଳେ ଦନ୍ତ ଉପରେ ବିପଦ ଘନେଇ ଆସିବାର ଗୁହସିଂହ ଜାଣିପାରିଲେ ସେତେବେଳେ ନିଜର ଜାମ୍ମାତାଙ୍କୁ ଛଦ୍ମବେଶରେ ଦନ୍ତ ନେଇ ସିଂହଳ ଯାତ୍ରା କରିବାକୁ କହିଲେ ।

 

ଯୁଦ୍ଧରେ ଗୁହସିଂହଙ୍କର ମୃତ୍ୟୁ ହେଲା । ଦନ୍ତକୁମାର ତରବରରେ ବ୍ରାହ୍ମଣ ବେଶରେ ଦନ୍ତ ଧରି ଦକ୍ଷିଣ ଦିଗକୁ ପଳାୟନ କଲେ । ଦକ୍ଷିଣ ଦିଗରେ ଏକ ବିରାଟ ନଦୀ । ସେହି ନଦୀଟି ପାରିହୋଇ ଆରପାଖ ନଦୀ ବାଲିରେ ଦାନ୍ତକୁ ପୋତିଦେଇ ଫେରିଆସିଲେ ସିଂହପୁରକୁ । ସିଂହପୁରରେ ବିଷାଦର କାଳିମା ଖେଳିଯାଇଥାଏ ଗୁହସିଂହ ନିହତ ସମ୍ୱାଦ ଶ୍ରବଣ କରି । ସେପର୍ଯ୍ୟନ୍ତ କୋଶଳ ସୈନ୍ୟ ସିଂହପୁର ମଧ୍ୟରେ ପ୍ରବେଶ କରିନଥାନ୍ତି । ଦନ୍ତକୁମାର ବ୍ରାହ୍ମଣୀ ବେଶରେ ହେମମାଳାଙ୍କୁ ଧରି ପଳାଇଗଲେ ଯେଉଁଠି ଦନ୍ତକୁ ରଖିଆସିଥିଲେ ସେହିଠାକୁ । କିନ୍ତୁ ଦନ୍ତକୁମାର ନିଜ ସ୍ତ୍ରୀଙ୍କ ସହିତ ଯେ ଦୁର୍ଭାଗ୍ୟକୁ ଧରିଆସିଛନ୍ତି ଏହା ସେ ଜାଣିପାରିଲେ ନାହିଁ । ସେ ଦନ୍ତକୁ ଲୁଚାଇ ରଖିଯାଇଥିବା ସ୍ଥାନରେ ଦେଖିଲେ ଦନ୍ତ ସେଠାରେ ନାହିଁ ।

 

ଶଶୁର ଗୁହସିଂହ ପ୍ରାଣ ହରାଇଛନ୍ତି-ସିଂହପୁର ସମ୍ଭବତଃ ଶତ୍ରୁଙ୍କ କରାଗତ ହୋଇଯିବଣି, ତଥାପି ଦନ୍ତକୁମାର ଗୋଟିଏ ମୁହୂର୍ତ୍ତ ନଷ୍ଟ କରିନାହାନ୍ତି ଦୁଃଖ କରି ଆଖିରୁ ଲୁହ ଗଡ଼ାଇବାକୁ । କିନ୍ତୁ ଦନ୍ତକୁ ହରାଇ ଦୁହେଁ ଅନାଥ ଶିଶୁଙ୍କ ପରି କାନ୍ଦିଉଠିଲେ ।

 

ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥାଏ-ହୃଦୟର ଜମାଟବନ୍ଧା ସମସ୍ତ ଦୁଃଖ ତୁହାକୁ ତୁହା କୋହ ଆକାରରେ ବାରି ଲୁହଭାବେ ବହିଯାଉଥାଏ, ନିର୍ଜନ ବାଲୁକା ପ୍ରାନ୍ତର, ଆଖିଆଗରେ ଦେଖାଯାଉଛି ରତ୍ନଗିରି । ତାହାରି ପାଖରେ ଦୁଇଜଣ କ୍ରନ୍ଦନରତ, ଜଣେ ଯୁବକ ଆଉଜଣେ ଯୁବତୀ । ଦୁହିଁଙ୍କର କେଶ ବାସ ବିଶୃଙ୍ଖଳ । ତାଙ୍କ କ୍ରନ୍ଦନରେ ନଦୀରେ ଖାଦ୍ୟ ଅନ୍ୱେଷଣ କରୁଥିବା ମାଛରଙ୍କା ଚଢ଼େଇଗୁଡ଼ିକ ତାଙ୍କ ଚତୁର୍ଦ୍ଦିଗରେ ଉଡ଼ି ସତେ ଯେପରି ତାଙ୍କର ଦୁଃଖରେ କାନ୍ଦୁଛନ୍ତି ।

 

ହଠାତ୍ ଚମକିପଡ଼ିଲେ ଦନ୍ତକୁମାର କାହାର କରସ୍ପର୍ଶରେ । ପଛକୁ ଫେରି ଚାହିଁ ଦେଖିଲେ ଜଣେ ଥେର (ବୌଦ୍ଧସନ୍ୟାସ) ଛିଡ଼ା ହୋଇଛନ୍ତି । ତାଙ୍କୁ ଦେଖି ଦନ୍ତକୁମାରଙ୍କ ଆଖିରୁ ଆହୁରି ଲୁହ ବହିବାକୁ ଲାଗିଲା । ସେ ବୋଧଦେଇ କାରଣ ଜିଜ୍ଞାସା କରନ୍ତେ କାନ୍ଦି କାନ୍ଦି ଦନ୍ତକୁମାର ଦାନ୍ତର ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କରି ତାହା କିଏ ନେଇଛି ବୋଲି ଜାଣିବାକୁ ପ୍ରାର୍ଥନା କଲେ । ବୁଦ୍ଧଙ୍କ ସଦୃଶ୍ୟ ବୌଦ୍ଧଥେର ତାଙ୍କୁ ସାନ୍ତ୍ୱନା ଦେଇ ସେ ନିଶ୍ଚୟ ଦନ୍ତ ଯେଉଁଠି ଥାଉ ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଇ ଦନ୍ତଥିବା ସ୍ଥାନରୁ ଏକ ସଙ୍କେତକୁ ଅନୁସରଣ କରି ରତ୍ନଗିରି ଉପରେ ପହଞ୍ଚିଲେ । ରତ୍ନଗିରିରେ ଶୋଇ ରହିଥାଏ ଏକ ବିରାଟ ସର୍ପ । ସେ ହିଁ ଗିଳିଦେଇଛି ବୁଦ୍ଧଙ୍କର ବିଶେଷ ସ୍ମାରକ ଦନ୍ତଟି ।

 

ଥେର ବିନୟ ସହିତ ପ୍ରାର୍ଥନା କଲେ ଦନ୍ତଟି ଦେଇଦେବା ପାଇଁ ନାଗରାଜଙ୍କୁ ଥେରଙ୍କର ପ୍ରାର୍ଥନା ନାଗରାଜଙ୍କ ପାଖରେ ନିସ୍ଫଳ ହେଲାନାହିଁ । ସେ ତଦଣ୍ଡେ ତାହା ଉଦର ମଧ୍ୟରୁ ବାହାର କରିଦେଲେ । ଥେର ତାହା ଆଣି ଦନ୍ତକୁମାରଙ୍କୁ ଦେଇ କହିଲେ ଭଲକରି ଦେଖ ଏହି ଦନ୍ତଟି ତୁମେ ଏଠାରେ ଆଣି ଲୁଚାଇ ରଖିଥିଲ କି ନୁହେଁ ।

 

ହେମମାଳା ଏବଂ ଦନ୍ତକୁମାର ଦୁହେଁ ଦନ୍ତଟିକୁ ଭଲଭାବେ ନିରୀକ୍ଷଣ କଲେ । କିଛି ସମୟ ନିରୀକ୍ଷଣ କରି ଦେଖିଲେ ସେହି ଦନ୍ତ ଛଡ଼ା ତାହା ଅନ୍ୟ କିଛି ନୁହେଁ । ନିଜେ ଦନ୍ତ କୁମାର ଭଲଭାବରେ ଦେଖି କହିଲେ ଦେଇ ଦେଖୁନା ଦନ୍ତରେ ଯେଉଁ ଚିହ୍ନଗୁଡ଼ିକ ଥିଲା ଠିକ୍ ସେହି ଚିହ୍ନଗୁଡ଼ିକ ରହିଛି । ସେ ଥେରଙ୍କୁ ଉଦ୍ଦେଶ୍ୟ କରି କହିଲେ, ନା ଆଜ୍ଞା ! ଏ ସେହି ଦନ୍ତ ।

 

କିନ୍ତୁ ଥେର କାହାନ୍ତି ? ଦୁହେଁ ଚାରିଆଡ଼କୁ ଆଖିବୁଲାଇ ଥେରଙ୍କୁ ଅନ୍ୱେଷଣ କଲେ ଭଗବାନଙ୍କ ଭଳି ଶୂନ୍ୟ ହୋଇଯାଇଛନ୍ତି କେଉଁଆଡ଼େ ନିର୍ଜନ ବାଲୁକା ପ୍ରାନ୍ତରରେ । ତାଙ୍କ ପାଦଚିହ୍ନ ବି ସେମାନେ ପାଇଲେ ନାହିଁ । ବିସ୍ମିତ ହୋଇ ନଦୀକୂଳରେ ଦେଖାଯାଉଥିବା ରତ୍ନଗିରିକୁ ସେ ଦୁହେଁ ଚାହିଁଲେ । ବୃକ୍ଷଲତା ପରିପୂର୍ଣ୍ଣ ରତ୍ନଗିରିକୁ ସେ ଦୁହେଁ ଚାହିଁଲେ । ବୃକ୍ଷଲତା ପରିପୂର୍ଣ୍ଣ ରତ୍ନଗିରି ସ୍ଥାଣୁ ଭଳି ଛିଡ଼ା ହୋଇଛି । ମତେ ଯେପରି ସେ କହୁଛି ଶୂନ୍ୟ ପୁରୁଷ ଶୂନ୍ୟରୁ ଆସିଥିଲା ପୁଣି ସେ ଶୂନ୍ୟରେ ମିଳାଇ ଗଲା । ତାହାହେଲେ ସେ କ’ଣ ଆସିଥିଲେ ସ୍ୱୟଂ ବୁଦ୍ଧ ?

 

ବୋକାଙ୍କଭଳି ଦୁହେଁ ଦୁହିଁଙ୍କର ମୁହଁକୁ ଚାହିଁଲେ । ଏତିକିବେଳେ ଶୂନ୍ୟରୁ ଭାଷିଆସିଲା ଏକ ସ୍ୱରା-ପରବର୍ତ୍ତୀ ଯୁଗରେ ମୁଁ ରତ୍ନଗିରିରେ ଅବସ୍ଥାନ କରିବି । ଅଚିରେ ହୋଇଉଠିବ ବୌଦ୍ଧ ଧର୍ମର ଏକ ମୁଖ୍ୟ କେନ୍ଦ୍ର । ଯାହା ମୁଁ ପ୍ରଚାର କରିନାହିଁ ତାହା ପ୍ରଚାର ହେବ ଏହି କେନ୍ଦ୍ରରୁ । ସାରା ପୃଥିବୀରେ ଏହା ଏକ ମୁଖ୍ୟ ଶିକ୍ଷାକେନ୍ଦ୍ର ହେବ । ତୁମେ ଶୀଘ୍ର ଦନ୍ତ ନେଇ ସିଂହଳ ଯାତ୍ରା କର-ନଚେତ୍ ବିପଦରେ ପଡ଼ିବ ।

 

ଗୋଟି ଗୋଟି ହୋଇ ସମସ୍ତ ଦୃଶ୍ୟ ହୁଏନ୍‌ସାଂ ଦେଖୁଛନ୍ତି ତାଙ୍କ ମନ ପରଦାରେ । ସେ ଦେଖିଲେ ସେହି ଶୂନ୍ୟପୁରୁଷଙ୍କ ଉଦ୍ଦେଶ୍ୟରେ ଦନ୍ତକୁମାର ଓ ହେମମାଳା ପ୍ରଣତି ଜ୍ଞାପନ କରି ଆଗେଇ ଚାଲିଲେ ତାମ୍ରଲିପ୍ତ ବନ୍ଦରଆଡ଼କୁ ।

 

ହୁଏନ୍‌ସାଂ ଛିଡ଼ା ହୋଇଥାନ୍ତି ଚେଳିତାଳୋର ବେଳାଭୂମିରେ । ସେ ତାଙ୍କ ମନପରଦାରେ ଦେଖିଚାଲିଥାନ୍ତି ଦନ୍ତର ଇତିବୃତ୍ତି । ବୃଦ୍ଧ ଚାଲିଯାଇଛନ୍ତି କିନ୍ତୁ ରହିଯାଇଛି ତାଙ୍କର ବିଶେଷ ସ୍ମାରକ ବାମ କଳର ଦାନ୍ତ । ତା’ର ମହିମା ଅତି ଅଦ୍ଭୁତା । ସେ କ’ଣ ଦେଖିପାରିବେ ନାହିଁ ସେହି ମହନୀୟ ଦନ୍ତକୁ । ବହୁ ପରିଶ୍ରମ କରି ଯେ ଭାରତ ଆସିଛନ୍ତି-ଭାରତ ଆସି ଯେତେବେଳେ ଜାଣିଲେ ବୌଦ୍ଧଧର୍ମ ବଞ୍ଚିରହିଛି ଓଡ଼ିଶାରେ ସେତେବେଳେ ସେ ଧାଇଁଆସିଲେ ଓଡ଼ିଶାକୁ । ଓଡ଼ିଶା ବିଭିନ୍ନ ସ୍ଥାନ ସେ ବୁଲିଛନ୍ତି । ପୁଷ୍ପଗିରି ବୌଦ୍ଧ ବିହାରରେ ବୌଦ୍ଧଧର୍ମର ନୂତନ ବାଖ୍ୟା ଶ୍ରବଣ କରି ଉଦ୍‌ବୁଦ୍ଧ ହୋଇପଡ଼ିଛନ୍ତି । ବୈଦିକ ଯୁଗରେ ଅନାଦୃତ ହୋଇଥିବା ଆଗମଶାସ୍ତ୍ର ପୁଣି ନୂତନଭାବେ ଆତ୍ମପ୍ରକାଶ କରିଥିବା ଦେଖି ଚମତ୍କୃତ ହୋଇଛନ୍ତି । କିନ୍ତୁ ସେ ଚାହାନ୍ତି ଥରେ ସିଂହଳ ଯାଇ ସେହି ଦନ୍ତକୁ ଦର୍ଶନ କରିବାକୁ ।

 

ଦନ୍ତ ବିଷୟ କରୁ କରୁ ହୁଏନ୍‌ସାଂ ହୃଦୟ ଭକ୍ତିବିଭୋର ହୋଇପଡ଼ିଲା । ଧାର ଧାର ହୋଇ ବୋହିଚାଲିଲା ତାଙ୍କ ଆଖିରୁ ଲୁହଧାର । ସେ ହଠାତ୍ ଦେଖିଲେ ଚେଳିତାଳୋର ସମୁଦ୍ର ଜଳ ଉପରେ ବୁଦ୍ଧଙ୍କର ସେହି ମହନୀୟ ଦନ୍ତ । ସେହି ଦନ୍ତର ଶୁଭ୍ରାଲୋକରେ ନୀଳ ସମୁଦ୍ର ଜଳ ଏକ ଅଭିନବ ରଙ୍ଗରେ ରଞ୍ଜିତ ହେଇଛି । ସେ ସବୁ ଭୁଲି ଉଚ୍ଚକଣ୍ଠରେ ଗାଇଉଠିଲେ ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ।

 

ଏହି ଚେଳିତାଳୋ ବର୍ତ୍ତମାନର ତିରିତୋଲ । ପୂର୍ବେ ସେହିଠାରେ ପୂର୍ବଭାରତର ବିଖ୍ୟାତ ବନ୍ଦର ଚେଳିତାଳୋ ଥିଲା । ବର୍ତ୍ତମାନ ସମୁଦ୍ର ବହୁଦୂର ପୂର୍ବକୁ ଘୁଞ୍ଚିଗଲାଣି । ବର୍ତ୍ତମାନ କଟକ ପାରାଦ୍ଵୀପର ପ୍ରାୟ ମଧ୍ୟସ୍ଥଳରେ ତିର୍ତ୍ତୋଲ ଅବସ୍ଥିତ ।

Image

 

ଅହିଂସକ

 

ଗୁରୁଗମ୍ଭୀର ସ୍ଵରରେ ଶୁଣାଗଲା–“ଅପେକ୍ଷା କର ହିଂସକ !”

ବଳଶାଳୀ ବିରାଟ ବପୁମାନ ଯୁବକ ହିଂସକ କ୍ଷଣକ ପାଇଁ ସ୍ତବ୍‌ଧ ହୋଇଗଲା । ତା’ ହସ୍ତସ୍ଥିତ ଦୃଢ଼ ମୁଷ୍ଟିବଦ୍ଧ ଖଡ଼୍‌ଗ ମୁହୂର୍ତ୍ତକ ପାଇଁ ଶିଥିଳ ହୋଇଗଲା । ସେ ଚକ୍ଷୁ ଫେରାଇ ଚାହିଁଲା ଚତୁର୍ଦ୍ଦିଗକୁ । ଚତୁର୍ଦ୍ଦିଗରେ ବିଶାଳ ବିଶାଳ ବୃକ୍ଷ ବହୁ ଡାଳପତ୍ର ବିସ୍ତାର କରି ଦଣ୍ଡାୟମାନ । ହିଂସକର ଭୟରେ ବୃକ୍ଷରେ ବସି ନିଶ୍ଚିନ୍ତ ମନରେ ପକ୍ଷୀଟିଏ ରାବିପାରେ ନାହିଁ କିମ୍ବା ଡେଣାମେଲି ଉଡ଼ିପାରେ ନାହିଁ । ତାହାରି ପାଇଁ ନୀରବ ନିସ୍ତବ୍‌ଧ ବନଭୂମି । ତଥାପି ଏ ଗୁରୁଗମ୍ଭୀର ସ୍ୱର କାହାର ? କାହାର ଏଡ଼େ ସ୍ପର୍ଦ୍ଧା ହିଂସକକୁ ଗମ୍ଭୀର କଣ୍ଠରେ ନିର୍ଦ୍ଦେଶ ଦେବ–“ଅପେକ୍ଷାକର ହିଂସକ ବୋଲି ।”

କିଛି ସମୟ ପାଇଁ ହିଂସକ ଚଞ୍ଚଳ ହୋଇଉଠିଲା । ସେ ମାନବର କଣ୍ଠସ୍ୱର ଶୁଣିପାରିଛି-। ଦିଗନ୍ତବ୍ୟାପୀ ବିଶାଳ ଅରଣ୍ୟ ମଧ୍ୟରେ ସେ ହିଁ ଏକମାତ୍ର ସମ୍ରାଟ । ଅନେକଥର ବର୍ଚ୍ଛାଧରି ବିଶାଳକାୟ ହସ୍ତୀସହିତ ସେ ଲଢ଼ିଛି । ବର୍ଚ୍ଛାର ତୀକ୍ଷ୍‌ଣମୁନରେ ହସ୍ତୀକୁ ବଧ କରି ନିଜର ବିଜୟରେ ନିଜେ ଉଲ୍ଲସିତ ହୋଇଛି । ଖଡ଼୍‌ଗରେ କେତେ ବ୍ୟାଘ୍ର ସେ ବିନାଶ କରିଛି । ସେଥିପାଇଁ ହସ୍ତୀ ବ୍ୟାଘ୍ର ବି ତାକୁ ଦେଖିଲାମାତ୍ରେ ଭୟରେ ପଳାୟନ କରନ୍ତି । କୌଣସି ବନ୍ୟଜନ୍ତୁଙ୍କର ଶକ୍ତିନାହିଁ, ତା’ଶକ୍ତିର ସମକକ୍ଷ ହେବାକୁ । ତା’ପାଖରେ ସାଧାରଣ ମାନବର ଶକ୍ତି ତ ଅତି ତୁଚ୍ଛ । ଏକାବେଳେକେ ଶତଶତ ମାନବ ତାକୁ ଆକ୍ରମଣ କଲେବି, ଅଳ୍ପସମୟ ମଧ୍ୟରେ ସେ ସମସ୍ତଙ୍କୁ ପରାଜିତ କରିପାରିବ । ଈଶ୍ଵରଙ୍କ ଅପରିମିତ ଶାରୀରିକ ବଳଧରି ସେ ଭୂପୃଷ୍ଠରେ ଜନ୍ମଗ୍ରହଣ କରିଛି, କାହାର ସାଧ୍ୟ ଅଛି ତାକୁ ପୁଣି ପରାଜିତ କରିବ ?

ତଥାପି କେଉଁ କ୍ଷୀଣାୟୁ ତାକୁ ଡାକି କହୁଛି–“ଅପେକ୍ଷାକର ହିଂସକ !”

କିଛିସମୟ ଅନୁସନ୍ଧାନପରେ ଯେତେବେଳେ ହିଂସକ କାହାରି ସନ୍ଧାନ ପାଇପାରିଲା ନାହିଁ, ସେତେବେଳେ ସେ ନୀରବ ହୋଇ ଗୋଟିଏ ଶାଳବୃକ୍ଷତଳେ ବସିପଡ଼ିଲା ।

ଅଳ୍ପ ସମୟ ପରେ ପୁଣି ସେହି କଣ୍ଠସ୍ୱର । ପୁଣି ସେହି ନିର୍ଦ୍ଦେଶ-ଅପେକ୍ଷା କର ହିଂସକ-!”

କିଏ–କିଏ ସେ ? କିଏ ତାକୁ ରହି ରହି ଶୁଣାଉଛି ଅପେକ୍ଷାକର ବୋଲି ।

ଉତ୍‌କ୍ଷିପ୍ତ ହୋଇପଡ଼ିଲା ହିଂସକ । ସେ ତା’ର ବର୍ଚ୍ଛା ଏବଂ ଖଡ଼୍‌ଗଧରି ଅରଣ୍ୟର କିଛି ଅଂଶ ଘୂରିଆସିଲା । ନା–କେହି ନାହିଁ । ଏପରିକି ପକ୍ଷୀଟିଏ ମଧ୍ୟ ସେ ଅରଣ୍ୟର କେଉଁଠି ଦେଖିପାରୁ ନାହିଁ । ତଥାପି ସେ ଶୁଣିପାରିଛି–ଥରେ ନୁହେଁ, ଥର ଥର କରି ଦୁଇଥର–ମାନବର କଣ୍ଠସ୍ୱର ତା’ କର୍ଣ୍ଣମଧ୍ୟରେ ପ୍ରବେଶ କରିଛି, ଅଥଚ ତାକୁ ସେ ଚାରିଆଡ଼େ ଖୋଜିଲେ ବି ପାଉନାହିଁ-? ତାହାହେଲେ କେହି ଶରୀର ବିହୀନ ପ୍ରାଣୀ ତାକୁ କହୁଛି-? ...କିଏ ସେ ଅଶରୀରୀ ?

ଚତୁର୍ଦ୍ଦିଗକୁ ଦୃଷ୍ଟିନିକ୍ଷେପ କରୁ କରୁ ତା’ର ବକ୍ଷଉପରେ ଝୁଲୁଥିବା ଛିନ୍ନଅଙ୍ଗୁଳି ମାଳାଟିକୁ ସେ ଦେଖିବାକୁପାଇଲା । ଆଉ ମାତ୍ର ଗୋଟିଏ ଲୋକ ବାକି ଅଛି-ଏକ ଶହସ୍ର ପୂର୍ଣ୍ଣ ହେବାକୁ । ଏକ ସହସ୍ର ପୂର୍ଣ୍ଣ ହେଲେ ତା’ର କାମନା ପୂର୍ଣ୍ଣ ହେବ । ସ୍ୱସ୍ତିରେ ଟିକିଏ ନିଶ୍ୱାସ ମାରିବ ।

କିନ୍ତୁ ନାହିଁ ? ଦୀର୍ଘଦିନ ହେବ ଅପେକ୍ଷା କଲେ ମଧ୍ୟ ସେହି ଅରଣ୍ୟ ପଥଦେଇ କୌଣସି ଲୋକକୁ ସେ ଯିବାର ଦେଖିପାରିଲା ନାହିଁ । ସତେ ଯେପରି ସେ ପଥ ମାନବ ଗୋଷ୍ଠୀର ପରିତ୍ୟକ୍ତ ହୋଇପଡ଼ିଛି । ଭୁଲ୍‌ରେ ବି କେହି ସେ ପଥଦେଇ ଯାଉନାହାନ୍ତି । ତାହାହେଲେ ସେ କ’ଣ ତା’ର ଇଚ୍ଛା ପୂର୍ଣ୍ଣ କରିବାକୁ ଅରଣ୍ୟପଥ ତ୍ୟାଗ କରି କୌଣସି ଏକ ନିତ୍ୟ ନୌମିତ୍ତ ମାନବ ଗମନାଗମନ ପଥ ଅନ୍ୱେଷଣ କରିବ ?

 

ବ୍ୟସ୍ତ ହୋଇପଡ଼ିଲା ହିଂସକ । ବିଶାଳ ଅରଣ୍ୟକୁ ଦୁଇଭାଗରେ ବିଭକ୍ତ କରି ଯାଇଥିବା ପଥଟି ଉପରେ ମୁଷ୍ଟିବଦ୍ଧ ଭାବେ ଖଡ଼୍‌ଗ ଧାରଣକରି ସେ କେତେଥର ଯିବାଆସିବା କରିବାକୁ ଲାଗିଲା । ସେହିଭଳି ବ୍ୟସ୍ତ ଚିନ୍ତାକୁଳ ଭାବେ ଯିବାଆସିବା କରୁ କରୁ ସେ ଶୁଣିବାକୁ ପାଇଲା କାହାର ଅସ୍ପଷ୍ଟ ପଦଧ୍ୱନୀ । ସେ ଭଲଭାବେ କର୍ଣ୍ଣପାତ କରି ଶୁଣିଲା ସେହି ଧ୍ୱନୀକୁ । ପଦଧ୍ୱନୀ ଧୀରେ ଧୀରେ ଅସ୍ପଷ୍ଟରୁ ସ୍ପଷ୍ଟତର ହୋଇଉଠୁଛି । ନିଶ୍ଚିତଭାବେ କେହି ଆସୁଛି ସେ ପଥଦେଇ । ହିଂସକ ନିଃଶବ୍ଦରେ ନିଜକୁ ଏକ ବୃକ୍ଷ ଉହାଡ଼ରେ ଲୁକାୟିତ କଲା ।

 

ଅଳ୍ପ ସମୟରେ ଦେଖିଲା, ଜଣେ ବୃଦ୍ଧା ପଥ ମଧ୍ୟଦେଇ ତା’ଆଡ଼କୁ ଆସୁଛି । ପ୍ରଥମେ ଦୂରରୁ ଜାଣିପାରିଲା ନାହିଁ ସେ ବୃଦ୍ଧା କିଏ ସେ । ପରେ ସେହି ବୃଦ୍ଧା ଯେତେବେଳେ ତା’ର ନିକଟବର୍ତ୍ତି ହେଲା ସେତେବେଳେ ସେ ଜାଣିପାରିଲା ସେ ଆଉ କେହିନୁହେଁ, ତା’ର ଗର୍ଭଧାରିଣୀ ମା’ । ଚାଲି ଚାଲି ସେ କ୍ଳାନ୍ତ ହୋଇପଡ଼ିଲା ପରି ଜଣାଯାଉଛି । ତଥାପି କୌଣସିଠାରେ ବସି ଟିକିଏ ବିଶ୍ରାମ ନେବାକୁ ତା’ର ଯେପରି ସମୟ ନାହିଁ ।

 

କ୍ଷଣକ ପାଇଁ ହିଂସକ ଭାବିନେଲା ବର୍ତ୍ତମାନ ତା’ର କର୍ତ୍ତବ୍ୟ କ’ଣ । ସେ କ’ଣ ତା’ର ମା’କୁ ହତ୍ୟା କରିବ ? ....ହଁ କ୍ଷତି କ’ଣ ? ସେ ତ ବାର୍ଦ୍ଧକ୍ୟରେ ଆସି ପହଞ୍ଚିଲାଣି । ଆଜି ନହେଲେ କାଲି ସେ ମରିବ । ମରିବା ଯେତେବେଳେ ନିଶ୍ଚିତ ସେତେବେଳେ ଆଜି କାହିଁକି ସେ ନ ମରିବ ? ଅନ୍ୟ ସମୟରେ ମଲେ କାହାର କିଛି ଉପକାର ହେବ ନାହିଁ, ମାତ୍ର ଆଜି ମଲେ ତା’ର ପଣ ପୁର୍ଣ୍ଣ ହେବ । ପୂର୍ଣ୍ଣ ହେବ ତା’ର ଅନେକ ଦିନର ଆଶା ଆକାଂକ୍ଷା ।

 

ଶାଳବୃକ୍ଷର ଅନ୍ତରାଳରୁ ସେ ପଦାକୁ ବାହାରିପଡ଼ିଲା ।

 

ହିଂସକକୁ ଦେଖୁ ଦେଖୁ ଗର୍ଭଧାରିଣୀ ତା’ର ମା’ ଆନନ୍ଦ ଉଲ୍ଲାସରେ ଛୁଟିଆସିଲା ତାହାରିଆଡ଼କୁ । ଆସୁ ଆସୁ ସେ ତରରେ କହି ପକାଇଲା–ହିଂସକ ! ଶୀଘ୍ର ତୁ କେଉଁଆଡ଼େ ପଳାଇଯା । ତା’ନହେଲେ ହଜାର ହଜାର ସୈନ୍ୟ ତୋତେ ବନ୍ଦୀ କରିବାକୁ ଛୁଟି ଆସୁଛନ୍ତି ।

 

ହଜାର ହଜାର ସୈନ୍ୟ ତାକୁ ବନ୍ଦୀ କରିବାକୁ ଛୁଟି ଆସୁଛନ୍ତି ? ତାହାହେଲେ ଶୀଘ୍ର ତାକୁ କର୍ମ ଶେଷ କରିବାକୁ ପଡ଼ିବ । ବନ୍ଦୀହେବାର ବହୁ ପୂର୍ବରୁ ସେ ହୋଇଥିବ ସହସ୍ର ଅଙ୍ଗୁଳିମାଳାର ଅଧିକାରି । ତାହାହିଁ ସମ୍ଭବତଃ ବିଧିର ଇଚ୍ଛା ।

 

ସଙ୍ଗେ ସଙ୍ଗେ ହିଂସକ ପଥଉପରେ ତା’ଆଡ଼କୁ ଦ୍ରୁତପଦରେ ଆଗେଇ ଆସୁଥିବା ମା’ ପାଖକୁ ଧାଇଁଗଲା । ବିଚାରୀ ପୁତ୍ର ସ୍ନେହ ପାଗଳୀ ମା’ ତା’ର ଆହୁରି ଅଧିକ ବେଗରେ ଛୁଟିଆସିଲା ହିଂସକଆଡ଼କୁ ।

 

ହିଂସକ ବ୍ରାହ୍ମଣ ଘରେ ଜନ୍ମିଥିଲେ ମଧ୍ୟ ତାଙ୍କଠାରେ ବ୍ରାହ୍ମଣ ସନ୍ତାନର କୌଣସି ସଂକେତ ମିଳେନାହିଁ । ବାଲ୍ୟାବସ୍ଥାରୁ ହିଁ ସେ ବଳଶାଳୀ ଥିଲେ । ବିଦ୍ୟାଳୟରେ ଶିକ୍ଷାଲାଭ କରିବାକୁ ଯାଇ ସେ ଅନ୍ୟଙ୍କୁ ନିଜ ଶକ୍ତିଦ୍ୱାରା ପରାଭବ ଦେଉଥିଲେ । ତାଙ୍କର ଶିକ୍ଷକ ମଧ୍ୟ ବହୁଚେଷ୍ଟା କରିଛନ୍ତି ତାଙ୍କୁ କାୟିକ ବଳଉପରେ ନିର୍ଭର ନ କରାଇ ବିଦ୍ୟାର୍ଜନ କରାଇବା ପାଇଁ । ମାତ୍ର ସବୁ ନିଷ୍ଫଲ ହୋଇଛି-ଗୁରୁ ତାଙ୍କୁ ବିଦ୍ୟାଳୟରୁ ବିଦାୟ ଦେଇଛନ୍ତି ଏବଂ ବିଦାୟ ଦେଲାବେଳେ କହିଛନ୍ତି, ବାବା ତୁମର ଯେଉଁ ଶକ୍ତି, ସାହସ ଓ ବଳ ଅଛି, ତାହା ତୁମର ଶତ୍ରୁ ନ ହୋଇ ମିତ୍ର ହେଉ !’

 

ହିଂସକ ବିଦ୍ୟାଳୟରୁ ଫେରିଲାବେଳେ ନୀରବରେ ଘରେ ରହିପାରିଲେ ନାହିଁ । ତାଙ୍କର ପିତା ମାତା ପ୍ରତିଦିନ ତାଙ୍କ ବିଷୟରେ କିଛି ନା କିଛି ଆପତ୍ତି ଅଭିଯୋଗ ଶୁଣିଥାନ୍ତି । ଧୀରେ ଧୀରେ ତାଙ୍କର ଦୁଷ୍ଟାମୀ ଏଭଳି ପରିସ୍ଥିତି ସୃଷ୍ଟିକଲା, ଯଦ୍ୱାରା କୋଶଳ ମହାରାଜାଙ୍କ ଦରବାରରେ ତାଙ୍କର ବିଚାର ହେଲା । ମାତ୍ର ମହାରାଜାଙ୍କ ଦରବାରରେ ତାଙ୍କ ବିଚାର ଶେଷ ହେବା ପୂର୍ବରୁ ସେ ଜାଳିନୀ ନାମକ ଏକ ଭୟଙ୍କର ବିଶାଳ ଅରଣ୍ୟକୁ ପଳାୟନ କଲେ । ସେହି ଅରଣ୍ୟ ପଥଦେଇ କେହି ଲୋକ ଗଲାବେଳେ ହିଂସକ ତାକୁ ବଧ କରି ତା’ପାଖରେ ଥିବା ଧନରତ୍ନ ଲୁଣ୍ଠନ କରିନିଅନ୍ତି-

 

ଏହିଭଳି କିଛିଦିନ ଗଲାପରେ ତାଙ୍କର ଇଛାହେଲା, ତାଙ୍କଦ୍ୱାରା ବଧ ହେଉଥିବା ବ୍ୟକ୍ତିଙ୍କ ଅଙ୍ଗୁଳିଗୁଡ଼ିକୁ ମାଳକରି ଏକ ସହସ୍ର ଅଙ୍ଗୁଳିର ଏକ ମାଳା ଗଳାରେ ପରିଧାନ କାରିବେ । ଇଚ୍ଛାମାତ୍ରେ କାର୍ଯ୍ୟରେ ପରିଣତ ପାଇଁ ତତ୍ପର ହୋଇଉଠିଲେ ।

 

ତାଙ୍କର ଇଚ୍ଛା ଓ କାର୍ଯ୍ୟ କୌଣସି ମତେ ଜନ ସମାଜରେ ପ୍ରଚାର ହୋଇଗଲା । ଫଳରେ ସେ ବାସ କରୁଥିବା ଜଳିନୀର ନିର୍ଜନ ପଥଦେଇ ଯିବା ନିମିତ୍ତ ଭୁଲ୍‌ରେ ବି କେହି ଇଚ୍ଛାକଲେ ନାହିଁ । ତଥାପି ଲୋକମାନଙ୍କ ମନରେ ଆତଙ୍କ । ହୁଏତ ଆକସ୍ମିକ ଭାବରେ ସେ ଅନ୍ୟକୌଣସି ପଥରେ ଉପସ୍ଥିତ ହୋଇ ତା’ ନିଜ ମୂର୍ତ୍ତି ପଥିକଙ୍କୁ ଦେଖାଇପାରେ । କିଏ ଜାଣେ ହିଂସକର ମନବୃତ୍ତି କେତେବେଳେ କ’ଣ ହେବ ।

 

ଲୋକ ମୁଖରେ ପ୍ରଚାର ହୋଇଗଲାଣି କଳିଙ୍ଗର ମହାରାଜା ବହୁ ସୈନ୍ୟ କୋଶଳ ଓ କଳିଙ୍ଗ ସୀମାରେ ନିଯୁକ୍ତ କରିଛନ୍ତି । ଯଦି ହିଂସକ କଳିଙ୍ଗ ମଧ୍ୟରେ ପ୍ରବେଶ କରେ ତାକୁ ମହାରାଜାଙ୍କ ପାଖକୁ ଜୀବିତ ଅବସ୍ଥାରେ ବାନ୍ଧିନେବାକୁ ବା ତା’ ସମ୍ଭବ ନ ହେଲେ ତା’ର ମୃତଦେହ ତାଙ୍କୁ ଦର୍ଶାଇବାକୁ ଆଦେଶ କଳିଙ୍ଗର ପ୍ରତାପି ମହାରାଜା ଆଦେଶ ଦେଇଛନ୍ତି । ସେହିଭଳି ମଗଧର ମହାରାଜା ମଧ୍ୟ ବହୁ ଅସ୍ତ୍ରଧାରି ସୈନ୍ୟଙ୍କୁ ତାଙ୍କ ରାଜ୍ୟସୀମାରେ ନିଯୁକ୍ତି ପାଇଁ ବ୍ୟବସ୍ଥା କରିଛନ୍ତି । କୋଶଳର ଜଣେ ଦୁର୍ଦ୍ଦର୍ଷ ଡକାୟତ ପାଇଁ ପଡ଼ିଶା ରାଜ୍ୟର ରାଜାମାନେ ଯେଉଁଭଳି ବ୍ୟବସ୍ଥା କରୁଛନ୍ତି, ତା’ଦ୍ୱାରା କୋଶଳରେ ସମ୍ମାନ କ୍ଷୁଣ୍ଣ ହେଉଛି । କୋଶଳ ରାଜାଙ୍କର କ’ଣ ତାଙ୍କ ରାଜ୍ୟର ଜଣେ ଡକାୟତକୁ ଦମନ କରିବାପାଇଁ ଶକ୍ତି ନାହିଁ ? ତାଙ୍କ ରାଜ୍ୟର ଜଣେ ଡକାୟତ ପାଇଁ ଅନ୍ୟରାଜାମାନେ ବ୍ୟସ୍ତ ହେବା କ’ଣ ତାଙ୍କ ପକ୍ଷରେ ଅପମାନଜନକ ନୁହେଁ ?

 

କୋଶଳର ମହାରାଜ ତାଙ୍କ ସେନାପତିଙ୍କୁ ଡାକି ଆଦେଶଦେଲେ-“ଯେଉଁ ଭାବେ ହେଉନା କାହିଁକି ହିଂସକଙ୍କୁ ତାଙ୍କ ସମ୍ମୁଖରେ ଉପସ୍ଥିତ କରାଇବାକୁ ହେବ ।”

 

ମୁହୂର୍ତ୍ତକ ମଧ୍ୟରେ କୋଷଳସାରା ପ୍ରଚାର ହୋଇଗଲା ମହାରାଜଙ୍କ ଆଦେଶ । ଯେ ଶୁଣିଲା ସେ ପ୍ରଶଂସା କଲା ମହାରାଜାଙ୍କ ନିଷ୍ପତ୍ତିକୁ । ବିଳମ୍ବରେ ହେଉନା କାହିଁକି ମହାରାଜ ଏକ କାଳୋଚିତ କର୍ମ କରିଛନ୍ତି–ରାଜ୍ୟସାରା ଟିକିଏ ସ୍ଵସ୍ତିରେ ନିଶ୍ଵାସ ମାରିବେ ।

ସମସ୍ତେ ଆନନ୍ଦିତ ହେଲେ ମଧ୍ୟ ହିଂସକର ମା’ ଦୁଃଖରେ କ୍ରନ୍ଦନ କରିବାକୁ ଲାଗିଲେ । କାନ୍ଦି କାନ୍ଦି ସେ ସ୍ଵାମୀଙ୍କୁ ଅନୁରୋଧ କଲେ–“ହିଂସକକୁ କୌଣସିମତେ ବଞ୍ଚାଅ ।” କିନ୍ତୁ ତାଙ୍କ ସ୍ଵାମୀ ଅତି କଠୋର । ସେ କୌଣସି ବ୍ୟବସ୍ଥା କରିବା ତ ଦୂରର କଥା, ବରଂ ଭର୍ତ୍ସନା କରିବାକୁ ଲାଗିଲେ–“ବ୍ରାହ୍ମଣ ସନ୍ତାନ ହୋଇ ଦସ୍ୟୁବୃତ୍ତି କରି ଯଦି ଆନନ୍ଦପାଏ ତେବେ ତା’ର ଜନ୍ମ ବ୍ୟର୍ଥ । ତାହାପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଅର୍ଥ ତାକୁ ସେ ବୃତ୍ତିରେ ସାହାଯ୍ୟ କରିବା । ତାହାର ଶାସ୍ତି ପାଇଁ ଯଦି ମହାରାଜ ଆଦେଶ ଦେଇଥାନ୍ତି ତାହାହେଲେ ମହାରାଜଙ୍କୁ ପ୍ରଶଂସା କରିବା ଉଚିତ ।”

ହିଂସକ ହିଁ ତାଙ୍କର ଏକମାତ୍ର ସନ୍ତାନ । ବାର୍ଦ୍ଧକ୍ୟରେ ଚର୍ମଶିଥିଳ ହୋଇଆସିଛି-ମସ୍ତକର ସମସ୍ତ କେଶ ପକ୍ୱ ହୋଇ ଶୁକ୍ଳବର୍ଣ୍ଣ ଧାରଣ କରିଛି । ବୃଦ୍ଧ ସ୍ୱାମୀଙ୍କର ସମସ୍ତଭାର ସେ ଗ୍ରହଣ କରିଛନ୍ତି ନିରୁପାୟ ହୋଇ । ତଥାପି ତାଙ୍କର ଯେ ପୁତ୍ର ଅଛି, ଏହାହିଁ ତାଙ୍କୁ ସାନ୍ତ୍ଵନା ଦେଇଆସିଛି ।

ମାତ୍ର ମହାରାଜଙ୍କ କର୍ତ୍ତୁକ ଧୃତ ହେଲାପରେ ହିଂସକକୁ ଯେତେବେଳେ ପ୍ରାଣଦଣ୍ଡ ଦିଆହେବ ସେତେବେଳେ ଏହି ବୃଦ୍ଧ ବୟସରେ ତାହା କ’ଣ ସେ ସହ୍ୟ କରିପାରିବେ ?

ପାଗଳୀଙ୍କ ଭଳି ବୃଦ୍ଧମାତା ଛୁଟିଲେ ଜାଳିନୀ ଅଭିମୁଖେ । କେତେବେଳେ ସ୍ପଷ୍ଟ କେତେବେଳେ ଅସ୍ପଷ୍ଟ ଭାବେ ହିଂସକର ନାମ ଉଚ୍ଚାରଣ କରି ଅରଣ୍ୟ ରାସ୍ତାରେ ସେ ଛୁଟିଛନ୍ତି । ସେ କେତେବାଟ ଆସିଛନ୍ତି ତାହା ଜଣାନାହିଁ । ତାଙ୍କର ଗୋଟିଏ ଲକ୍ଷ୍ୟ ତାଙ୍କ ପୁତ୍ର ହିଂସକ । କିପରି ହଂସକକୁ ଦେଖିବେ–କିପରି ତାକୁ କହିବେ ମହାରାଜାଙ୍କର କଠୋର ଆଦେଶ ।

ଯେତେବେଳେ ସେ ତାଙ୍କ ପୁତ୍ର ହିଂସକକୁ ଦେଖିଲେ ସେତେବେଳେ ସେ ଭୁଲିଗଲେ ଭୋକ ଶୋଷ ଭୁଲିଗଲେ ସମସ୍ତ ପଥଚଲା କଷ୍ଟ । ଗୋଟିଏ ନିଃଶ୍ଵାସରେ ସେ କହିପକାଇଲେ ମହାରାଜଙ୍କ ଆଦେଶ । ସେ ଯେପରି ଅନୁଭବ କଲେ ଦୀର୍ଘଦିନ ପରେ ହିଂସକଟା ସ୍ନେହମୟୀ ଜନନୀକୁ ପାଇ ଆନନ୍ଦବିଭୋର ହୋଇ ତା’ ପାଖକୁ ଛୁଟିଆସୁଛି ।

ପୁନର୍ବାର ସେହି ଗମ୍ଭୀର କଣ୍ଠସ୍ୱର ହିଂସକର କର୍ଣ୍ଣକୁ ଶୁଣାଗଲା–‘ଅପେକ୍ଷା କର ହିଂସକ-

ଜନନୀକୁ ବଧ କରିବା ଉଦ୍ଦେଶ୍ୟରେ ହିଂସକ ହସ୍ତସ୍ଥିତ ଉଦ୍ୟତ ତରବାରି ଶିଥିଳ ହୋଇଗଲା । କିଏ–କିଏ ସେ ତାକୁ ବାରମ୍ବାର ଗମ୍ଭୀର କଣ୍ଠରେ ଡାକଦେଉଛି–ଅପେକ୍ଷା କର ହିଂସକ । ସେ କ’ଣ ଜାଣି ନାହିଁ ହିଂସକକୁ ଆଉ ତା’ର ଶକ୍ତିକୁ ?

ହିଂସକ ଟିକିଏ ଇତସ୍ତତଃ ହୋଇପଡ଼ିଲା । ସେ ଚାରିଆଡ଼କୁ ଦୃଷ୍ଟିନିକ୍ଷେପ କରି ପୁନର୍ବାର ଜନନୀଆଡ଼କୁ ଦୃକ୍‌ପାତ କଲା । ମାତ୍ର ଦେଖିବାକୁପାଇଲା ଜନନୀ ଓ ତା’ ମଧ୍ୟରେ ଜଣେ ଚୀବରଧାରୀ ଲଣ୍ଡିତ ମସ୍ତକ ସନ୍ନ୍ୟାସୀ ଉପସ୍ଥିତ ।

ତାହାହେଲେ ସେ ଆଉ ତା’ ମା’କୁ କାହିଁକି ହତ୍ୟା କରିବ ? ଗୋଟିଏ ଲୋକ ହୋଇଗଲେ ତ ତା’ର ସହସ୍ର ଅଙ୍ଗୁଳିପୂର୍ଣ୍ଣ ହୋଇଯିବ । ବିଚାରି ବୁଢ଼ୀଟା ତା’କୁ ସତର୍କ କରିଦେବାକୁ ବହୁଦୂରରୁ ଧାଇଁଆସିଛି । କାହିଁକି ତାକୁ ହତ୍ୟାକରି ତା’ ନାମରେ ଗୋଟାଏ କଳଙ୍କ ଟାଣିଆଣିବ ?

ଶିଥିଳହୋଇ ଆସିଥିବା ତା’ ହସ୍ତସ୍ଥିତ ଖଡ଼୍‌ଗକୁ ସେ ଖୁବ୍ ଜୋରରେ ମୁଷ୍ଟିବଦ୍ଧ କଲା । ଶ୍ରମଣଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନ କରି ପ୍ରହାର କରିବା ପୂର୍ବରୁ ଶ୍ରମଣ ବିଜୁଳିପରି କିଛିଦୂରକୁ ଘୁଞ୍ଚିଗଲେ ।

ହିଂସକ ଶ୍ରମଣଙ୍କ ପଛେ ପଛେ ଧାଇଁଲା ଖଡ଼୍‌ଗ ଉତ୍ତୋଳନ କରି; କିନ୍ତୁ ଏ କ’ଣ ? ଶ୍ରମଣଙ୍କ ଗତି ତା’ର ଗତିଠାରୁ ଯଥେଷ୍ଟ ଅଧିକ–ଅତ୍ୟନ୍ତ ବିଚିତ୍ର ?

ହିଂସକ ଧାଇଁଲା ଅଣନିଶ୍ୱାସୀ ହୋଇ ତାଙ୍କ ପଛେ ପଛେ । ମୃଗକୁ କବଳିତ କରିବାପାଇଁ ସିଂହ ଯେଉଁଭଳି ପ୍ରବଳ ଉଦ୍ୟମ କରିଥାଏ, ସେହିଭଳି ସେ କ୍ଷିପ୍ରଗତିରେ ଧାଇଁ ଧାଇଁ ଠିକ୍ ତାଙ୍କର ପଶ୍ଚାତ୍ ଦେଶରେ ଉପସ୍ଥିତ ହେଲା । ସଙ୍ଗେ ସଙ୍ଗେ ଖଡ଼୍‌ଗଟିକୁ ଉତ୍ତୋଳନ କରି ତାଙ୍କ ସ୍କନ୍ଧଦେଶକୁ ଲକ୍ଷ୍ୟ କରି ପ୍ରହାର କଲାମାତ୍ରେ ଶ୍ରମଣ ଦୂରକୁ ଘୁଞ୍ଚିଗଲେ ।

ଲକ୍ଷ୍ୟଭ୍ରଷ୍ଟ ହେଲା ହିଂସକ ।

ଲକ୍ଷ୍ୟଭ୍ରଷ୍ଟ ଖଡ଼ଗ୍‍ଟିକୁ ପୁନର୍ବାର ଉତ୍ତୋଳନ କରି ସାମାନ୍ୟ ଦୂରରୁ ତାଙ୍କ ଉପରକୁ ନିକ୍ଷେପ କରିବାକୁ ଚେଷ୍ଟା କଲାମାତ୍ରେ ଅକସ୍ମାତ ହାତରୁ ତାହା ଖସିପଡ଼ିଲା ।

କି ଅଦ୍ଭୁତ କଥା । ଯାହାର ଲକ୍ଷ୍ୟ କେବେହେଲେ ଭ୍ରଷ୍ଟ ହୋଇନାହିଁ ତା’ର ଦୁଇଥର ଲକ୍ଷ୍ୟଭ୍ରଷ୍ଟ ହେଲାଣି ।

ଆଶ୍ଚର୍ଯ୍ୟ ହେବାକୁଲାଗିଲା ହିଂସକ । ତଥାପି ନିରୁତ୍ସାହ ନ ହୋଇ ତଳେ ପଡ଼ିଯାଇଥିବା ଖଡ଼୍‌ଗଟିକୁ ଉଠାଇବାକୁ ଯାଇ ଆହୁରି ଅଧିକ ବିସ୍ମିତ ହୋଇଗଲା । ହାତକୁ ସୋଲଭଳି ଲାଗୁଥିବା ଖଣ୍ଡାଟି ଭୟଙ୍କର ଓଜନ ହୋଇଯାଇଛି । ତଳୁ ଉଠାଇବା କଷ୍ଟ । ସେ କଷ୍ଟେମଷ୍ଟେ ତଳୁ ଉଠାଇପାରିଲେ ମଧ୍ୟ ତାକୁ ଧାରଣ କରି ଶ୍ରମଣଙ୍କ ପଛେ ପଛେ ଧାଇଁବା ସମ୍ଭବପର ନୁହେଁ । ଏଣେ ପୁଣି ଶ୍ରମଣ ପଛକୁ ଟିକିଏ ହେଲେ ନ ଚାହିଁ ସ୍ୱାଭାବିକ ଗତିରେ ଆଗକୁ କେତେଦୂର ଆଗେଇ ଗଲେଣି ।

ହିଂସକ ମନେମନେ ସ୍ଥିରକଲା ଶ୍ରମଣ ବୋଧେ ତାଙ୍କ ଉପରେ ସେଭଳି କିଛି ମାୟା ବିସ୍ତାର କରିଛନ୍ତି । ତା’ ନ ହେଲେ ତା’ର ଲକ୍ଷ୍ୟ କିପରି ଭ୍ରଷ୍ଟ ହୁଅନ୍ତା ପୁଣି ପ୍ରତିଦିନ ଯେଉଁ ଖଣ୍ଡାଟି ଧରି ଅନାୟାସରେ ଦୀର୍ଘ ପଥ ଅତିକ୍ରମ କରିଥାଏ, ତାହା ଏଭଳି ଅସମ୍ଭବ ଭାରିହୁଅନ୍ତା କିପରି ?

ହିଂସକ ନିଜର ଦକ୍ଷିଣ ହସ୍ତଟିକୁ ମୁଷ୍ଟିବଦ୍ଧ କଲା । ସେ ଭାବିଲା ବଜ୍ରଭଳି ତାଙ୍କ ସୃଷ୍ଟିଦ୍ୱାରା ସେ ମଧ୍ୟ ଶ୍ରମଣଙ୍କୁ ବଧ କରିପାରିବ । ତତ୍‌କ୍ଷଣାତ୍ ଉଠି ସେ ଧାଇଁଲା ତାଙ୍କ ପଛେ ପଛେ ।

ଶ୍ରମଣ ଚାଲିଛନ୍ତି ଆଗକୁ, ଟିକିଏ ହେଲେ ପଛକୁ ନ ଚାହିଁ । ହିଂସକ ତାଙ୍କ ପଛେ ପଛେ ଧାଇଁବାକୁ ଲାଗିଲା ।

କେତେ ସେ ଧାଇଁବ ? ଧାଇଁ ଧାଇଁ ସେ କ୍ଲାନ୍ତ ହୋଇପଡ଼ିଲା । ସାରା ଦେହରୁ ତା’ ଘର୍ମି ନିର୍ଗତ ହେବାକୁ ଲାଗିଲା । ଧୀରେ ଧୀରେ ତା’ ଦେହରୁ ଶକ୍ତି ହ୍ରାସ ହେବାକୁ ଲାଗିଲା । ଏପରିହେଲା ଯଦ୍ୱାରା କି ସେ ଗୋଟିଏ ପାହୁଣ୍ଡ ଆଗେଇପାରିଲା ନାହିଁ ।

ହିଂସକ ଖୁବ୍ ବଡ଼ପାଟିରେ ଚିତ୍କାର କରି କହିଲା, “ହେ ଶ୍ରମଣ ! ତୁମେ ସ୍ଥିର ହୁଅ–କ୍ଷଣକ ପାଇଁ ଛିଡ଼ାହୁଅ ।”

ଶ୍ରମଣ ପଛକୁ ନ ଅନାଇ କହିଲେ-“ମୁଁ ଚାଲିଲେ ମଧ୍ୟ ସ୍ଥିର ଅଛି । ତୁମେ ନିଜେ ସ୍ଥିର ହୁଅ ।”

ଦସ୍ୟୁ ହିଂସକ ଶ୍ରମଣ କଥାର ଅର୍ଥ ବୁଝିପାରିଲା ନାହିଁ । ସେ କହିଲା-“ହେ ଶ୍ରମଣ ! ତୁମେ ମିଥ୍ୟା କହୁନାହକି ? ତୁମେ ଧାଉଁଛ ଅଥଚ କିଭଳି କହିଛ ସ୍ଥିର ଅଛ ବୋଲି ?”

ଶ୍ରମଣ ପଛକୁ ମୁହଁ ବୁଲାଇ କହିଲେ-“ମୋର କାହାରି ପ୍ରତି ହିଂସାଭାବ ନାହିଁ, ତେଣୁ ମୁଁ ଚାଲିଲେ ମଧ୍ୟ ସ୍ଥିରଅଛି; ମାତ୍ର ତୁମେ ଅନ୍ୟଙ୍କ ପ୍ରତି ହିଂସାଭାବ ପୋଷଣ କରିଥିବା ହେତୁ ତୁମ ଚିତ୍ତ ଚଞ୍ଚଳ, ଅସ୍ଥିର ହୋଇପଡ଼ିଛି । ତୁମେ ପ୍ରଥମେ ହିଂସା ତ୍ୟାଗ କର !”

ଶ୍ରମଣ ହାତଠାରି ହିଂସକକୁ ଡାକିଲେ । ହିଂସକ ବହୁ କଷ୍ଟରେ ଉଠିପଡ଼ି ଶ୍ରମଣଙ୍କ ପର୍ଯ୍ୟନ୍ତ ଯାଇ ଥରି ଥରି ତାଙ୍କ ପଦପ୍ରାନ୍ତେ ଲୋଟିପଡ଼ିଲା । ଶ୍ରମଣଙ୍କ ପଦସ୍ପର୍ଶରେ ତା’ ଶରୀରରେ ଏକ ନୂତନ ଶିହରଣ ଖେଳିଗଲା । ତା’ର ଯେଭଳି ମନେହେଲା ଶ୍ରମଣ ତା’ର ଚିର ପରିଚିତ । ସେ ଉଠିବାକୁ ଚେଷ୍ଟା କଲା । ଶ୍ରମଣ ତାଙ୍କ ଦୁଇ ହାତରେ ତାକୁ ତୋଳିଧରି ତଳୁ ଉଠାଇନେଲେ । ଶ୍ରମଣଙ୍କ ମୁହଁକୁ ଅନାଇ ହିଂସକର ଆଖିରୁ ଲୁହଧାର ବୋହିବାକୁ ଲାଗିଲା । ସତେ ଯେପରି ସମସ୍ତ କଳୁଷ ଲୁହ ଆକାରରେ ବୋହିଚାଲିଛି ।

ଶ୍ରମଣ କହିଲେ, ଅଙ୍ଗୁଳିମାଳା ପରିଧାନ କରିବାରେ ତୁମର କ’ଣ ଶାନ୍ତି ଆସୁଛି ? ଆଜିଠାରୁ ତୁମକୁ ମୋର ଆଦେଶ–“ତୁମେ ହିଂସାପଥ ତ୍ୟାଗକରି ଅହିଂସା ପଥରେ ଆଗେଇଚାଲ-। ଆଜିଠାରୁ ‘ଅହିଂସକ’ ବୋଲି ଜଗତ ତୁମକୁ ସମ୍ବୋଧନ କରୁ ।”

ଦେଖୁ ଦେଖୁ କୋଳାହଳ କରି ଚତୁର୍ଦ୍ଦିଗରୁ ଘେରିଆସିଲେ ସହସ୍ର ସହସ୍ର ଅସ୍ତ୍ରଧାରୀ କୋଶଳର ଶିକ୍ଷିତ ସୈନ୍ୟ । ସ୍ଵୟଂ କୋଶଳର ମହାରାଜା ସୈନ୍ୟ ଚାଳନା କରୁଥାନ୍ତି । ସମସ୍ତେ ଉପସ୍ଥିତ ହେଲେ ।

ମହାରାଜା ଶ୍ରମଣଙ୍କୁ ପ୍ରଣିପାତପୂର୍ବକ ଗାଇଉଠିଲେ, “ବୁଦ୍ଧଂ ଶରଣଂ ଗଚ୍ଛାମି ।”

ସମସ୍ତ ସୈନ୍ୟ ଅବନତ ମସ୍ତକରେ ପ୍ରଣତି ଜ୍ଞାପନକଲେ ଶ୍ରମଣଙ୍କୁ ତଥା ବୁଦ୍ଧଙ୍କୁ ।

ଅହିଂସକର ହିଂସାପ୍ରଣୋଦିତ ଖଡ଼୍‍ଗ ପଡ଼ିରହିଥାଏ କିଛି ଦୂରରେ । ସେଥିପ୍ରତି ତିଳେହେଲେ ଦୃକ୍‍ପାତ କରିନଥାନ୍ତେ ଅହିଂସକ ।

ହିଂସକର ଜନନୀ ଛିଡ଼ାହୋଇଥାନ୍ତି କିଛି ଦୂରରେ । ତାଙ୍କ ଆଖିରୁ ମଧ୍ୟ ବୋହିଯାଉଥାଏ ଧାର ଧାର ଲୁହ ।

କୋଶଳର ବିପୁଳ ସୈନ୍ୟଙ୍କ ସହିତ ମହାରାଜାଙ୍କ ଉପସ୍ଥିତି ଅହିଂସକର ସମ୍ପୂର୍ଣ୍ଣ ଅଜ୍ଞାତରେ ରହିଥାଏ । ତା’ର ହୃଦୟ ମଧ୍ୟରୁ ଗୋଟାକପରେ ଗୋଟାଏ କୋହ ଉଠୁଥାଏ ଓ ଆଖିରୁ ଅବିଶ୍ରାନ୍ତ ଲୋତକ ଧାରା ବହିଯାଉଥାଏ ।

Image

 

ସାରିପୁତ୍ତ

 

-“ନା ସାରିପୁତ୍ତ ! ତୁମେ ତଥାଗତଙ୍କୁ ଛାଡ଼ି ଚାଲିଯାଅନାହିଁ । ତଥାଗତ ସ୍ପଷ୍ଟଭାବରେ ଦେଖିପାରିଛନ୍ତି ପ୍ରଜ୍ଞାର ଶୀର୍ଷଦେଶରେ ତୁମେ ଉପସ୍ଥିତ ହୋଇଯାଉଛ । ଶୀର୍ଷକୁ ଚାଲିଗଲାପରେ ନିର୍ବାଣ ସୁନିଶ୍ଚିତ । ତୁମେ କ’ଣ ଚାହଁ ତଥାଗତଙ୍କୁ ଛାଡ଼ି ଚାଲିଯିବାପାଇଁ । ତୁମଭଳି ଜଣେ ସହକର୍ମୀ ଚାଲିଗଲା ପରେ ତଥାଗତ ମହାନିର୍ବାଣକୁ ଆଉ ଫାଙ୍କିଦେଇ ପାରିବେନାହିଁ ।”

 

-“ଉପାୟ ନାହିଁ ପ୍ରଭୁ ! ଏଇ କେତେଦିନ ହେବ ସାରିପୁତ୍ତ ନିର୍ବାଣକୁ ସ୍ପଷ୍ଟଭାବେ ଦେଖିବାକୁପାଉଛି । ସ୍ପଷ୍ଟଭାବରେ ଦେଖୁଛି, ତା’ର ଚକ୍ରାକାର ଦୁଇଟି ଚକ୍ଷୁକୁ ମେଘଢ଼ଙ୍କା ଶ୍ରାବଣ ଆକାଶର ରାତ୍ରିଭଳି ତା’ର ସେହି ଗାଢ଼ କୃଷ୍ଣବର୍ଣ୍ଣର ମୁଖଦେଶକୁ–ଅରୁଣିମା ସୂର୍ଯ୍ୟ ଆଭାକୁ ନିନ୍ଦାକରୁଥିବା ରକ୍ତାଧରକୁ । ତା’ର ସେହି ଅଦ୍ଭୁତ ବଦନମଣ୍ଡଳକୁ ଈର୍ଷା କରୁକରୁ ସ୍ପଷ୍ଟଭାବରେ ଦେଖେ ସେ ତା’ର ହସ୍ତଦୁଇଟି ଉତ୍ତୋଳନ କରି ମୋତେ ଆହ୍ୱାନ କରୁଛି । ତା’ର ସେହି ଚିରବାଞ୍ଛିତ କୋଳକୁ ଡେଇଁପଡ଼ିବାକୁ ଆଗେଇଗଲାବେଳେ ମନ ଭିତରେ ସାରିପୁତ୍ତ ସାମାନ୍ୟ ଗ୍ଳାନି ଅନୁଭବ କରେ । ଦୀର୍ଘ ଦିନରୁ ସାରିପୁତ୍ତର ଏକମାତ୍ର ଇଚ୍ଛା ଉଦ୍ରେକହୋଇଛି ଥରୁଟିଏ ତା’ର ଗର୍ଭଧାରିଣୀକୁ କିପରି ସାକ୍ଷାତ କରନ୍ତା । କିପରି ତାକୁ ସେ କହିଆସନ୍ତା ତୋର ଗର୍ଭଜ ଭୁଲ୍ କରିନାହିଁ ମା’ !”

 

-“ଏ କ’ଣ ତୁମେ କହୁଛ ସାରିପୁତ୍ତ ! ନିର୍ବାଣର ସମୀପବର୍ତ୍ତୀ ଯେଉଁ ସାରିପୁତ୍ତ ତା’ର ଜନନୀ ଏବେ ବି ତା’ ଉପରେ ଭ୍ରମଧାରଣା ପୋଷଣ କରିରହିଛି ?”

 

-“ହଁ ଭଗବାନ ! ଏବେ ବି ସାରିପୁତ୍ତର ଜନନୀ ଅପେକ୍ଷାକରି ରହିଛି ତା’ର ସନ୍ତାନ ନିଶ୍ଚୟ ସନ୍ନ୍ୟାସ ବ୍ରତ ପରିତ୍ୟାଗ କରି ଫେରିଆସିବ ଏବଂ ଦାରା ଗ୍ରହଣ କରିବ । ତା’ର ଧାରଣା କେଉଁ ଏକ ନିମ୍ନ ସ୍ଵର୍ଗରେ ସାରିପୁତ୍ତର ପିତା ତା’ର ପୁତ୍ର ଓ ପୁତ୍ରବଧୂଠାରୁ ଶ୍ରଦ୍ଧାର ତିଳତଣ୍ଡୁଳ ଅପେକ୍ଷାରେ ଅଛନ୍ତି । ସେତିକି ପାଇଲାପରେ ସତେ ଯେପରି ସେ ମୁକ୍ତି ପାଇଯିବେ ଜନ୍ମ ମରଣର ବୃହଦାକାର ଚକ୍ରରୁ ?”

 

-“ସାରିପୁତ୍ତର ଜନକ ନିମ୍ନାକାଶରେ ଏବେ ବି ସାରିପୁତ୍ତର ତିଳ ତଣ୍ଡୁଳକୁ ଅପେକ୍ଷା କରିଅଛନ୍ତି ? ଏହିଭଳି ଧାରଣା କ’ଣ ସମ୍ଭବ ଏକ ଉଚ୍ଚ ବ୍ରାହ୍ମଣ-ସମାଜର ବୃଦ୍ଧା ନିକଟରେ-ପୁଣି ପ୍ରଜ୍ଞାବାନ ସାରିପୁତ୍ତର ଜନନୀ ନିକଟରେ ?”

 

-“ହଁ ତଥାଗତ ! କେବଳ ସାରିପୁତ୍ତର ଜନନୀ କାହିଁକି ଏବେ ବି ବହୁ ଉଚ୍ଚ ବ୍ରାହ୍ମଣ ସମାଜ ସେହି ଧାରଣାର ବଶବର୍ତ୍ତୀ । ସେଥିପାଇଁ ସାରିପୁତ୍ତର ଶେଷ ଆକାଂକ୍ଷା ସେ ଥରେ ତା’ର ଜନନୀକୁ ସାକ୍ଷାତକରି କହିଆସନ୍ତା, ଯାହାର ପୁତ୍ର ନିର୍ବାଣ ସମୀପବର୍ତ୍ତୀ, ତା’ର ଜନକ କେବେ ନର୍କଗାମୀ ହୁଏନାହିଁ । କେବଳ ସେ କାହିଁକି ତା’ର ସପ୍ତପୁରୁଷ ତାହାରି ପାଇଁ ଉଚ୍ଚସ୍ତରରେ ଆରୂଢ଼ ହୋଇଥାନ୍ତି ।”

 

ଜନନୀକୁ ସାକ୍ଷାତ କରିବାପାଇଁ ତଥାଗତ କେବେ ସାରିପୁତ୍ତଙ୍କୁ ନାସ୍ତି କରିବେନାହିଁ; କିନ୍ତୁ ସାରିପୁତ୍ତ ଜନନୀକୁ ସାକ୍ଷାତକରି ସାରିପୁତ୍ତ ତଥାଗତଙ୍କ ନିକଟକୁ ଫେରିଆସିବେ ତ ?

 

ତଥାଗତଙ୍କ ପ୍ରଶ୍ନର ଉତ୍ତର ପ୍ରଜ୍ଞାବାନ ସାରିପୁତ୍ତ ଦେଇପାରିଲେନାହିଁ । ସେ ତଳକୁ ମୁଖନତ କରି କିଛି ସମୟ ଦଣ୍ଡାୟମାନ ହେଲେ ।

 

ତଥାଗତ କହିଲେ, “ତୁମ ପରେପରେ ବୁଦ୍ଧିମାନ ମୋଗଲ୍ଲାନଙ୍କ ପାଳି । ଶେଷରେ ଏକା ରହିଯିବେ ତଥାଗତ । ଅନେକଥର ତଥାଗତଙ୍କୁ ନିର୍ବାଣ ଲୁବ୍‍ଧ କରିଛି; ମାତ୍ର ସେ ଜୋରକରି ନିଜକୁ ଫେରାଇଆଣିଛ । ସାରା ଦେଶ ଯେତେବେଳେ ଅନ୍ଧକାରରେ ନିମଗ୍ନ, ସେତେବେଳେ ତଥାଗତ କିପରି ସେହି ମହାନିର୍ବାଣର ଗହ୍ୱର ମଧ୍ୟରେ ନିଜକୁ ଶାନ୍ତିରେ ରଖିପାରିବେ ? ସେଥିପାଇଁ ଥରକୁଥର ନିର୍ବାଣର ସେହି ଗାଢ଼ କୃଷ୍ଣବର୍ଣ୍ଣର ମୁଖଦେଶରେ ଥିବା ଚତ୍ରାକାର ଚକ୍ଷୁ ଦୁଇଟିକୁ ନମସ୍କାର କରି ଫେରିଆସିଛି ।”

 

ତଥାଗତ କ’ଣ ଭାବୁଛନ୍ତି ସାରିପୁତ୍ତ ତାଙ୍କ ସମକକ୍ଷ ? ଶ୍ରମଣର ଚିରକାମ୍ୟ ସେହି ନିର୍ବାଣ ହେଲେ ମଧ୍ୟ ବିଶ୍ୱକୁ ଆଲୋକିତ ନ କରି ତଥାଗତ କେବେ ନିର୍ବାଣମୁଖୀ ହେବେନାହିଁ । ନିର୍ବାଣ ମଧ୍ୟ ତାଙ୍କୁ କବଳିତ କରିପାରିବନାହିଁ; କିନ୍ତୁ ସାରିପୁତ୍ତର ସେ ଶକ୍ତି ନାହିଁ ନିର୍ବାଣକୁ କବଳିତକରି ତାଙ୍କର ଇଛାଧୀନ କରିବାକୁ ?

 

-“ତାହାହେଲେ ତୁମେ କ’ଣ ସାରିପୁତ୍ତ ନିଶ୍ଚିତ ଭାବେ ମାତାଙ୍କ ନିକଟକୁ ଗମନ କରିବ-?”

 

ତାହା ସାରିପୁତ୍ତର ଦୀର୍ଘଦିନର ଆକାଂକ୍ଷା । କେବଳ ଏହି ସାମାନ୍ୟ ଟିକିଏ ଆକାଂକ୍ଷା ପାଇଁ ପୁନର୍ବାର ସାରିପୁତ୍ତ ନିର୍ବାଣଠାରୁ ଦୂରେଇଯାଇ ଜନ୍ମ ମରଣର ଘୂର୍ଣ୍ଣାୟମାନ ଚକ୍ରରେ ଘୂରିବୁଲିବ ପ୍ରଭୋ ! ସାରିପୁତ୍ତ ଅନୁଭବ କରୁଛି ଆଉ ବେଶି ସମୟ ତାକୁ ଇହଜଗତରେ ରହିବାକୁ ହେବନାହିଁ । ଥରକୁଥର ସେ ଲକ୍ଷ୍ୟକରି ଦେଖୁଛି ନିର୍ବାଣରେ ଚିତ୍ରାକାର ଦୁଇଟି ଆଖି ତା’ ପଛେ ପଛେ ଧାଇଁ ବୁଲୁଛି । ସତେ ଯେପରି ସେ ହସ୍ତ ଉତ୍ତୋଳନକରି ଡାକୁଛି-” ସାରିପୁତ୍ତ ଫେରିଚାହଁ ମୋ’ଆଡ଼େ । ଶ୍ରମଣର ଚିର ଈପ୍‍ସିତ ବସ୍ତୁ ନିର୍ବାଣ ମୁଁ ତୁମକୁ ନିମନ୍ତ୍ରଣ କରୁଛି, ଶୀଘ୍ର ତୁମେ ତୁମର ସମସ୍ତ କାମନା ବାସନାର ପରିସମାପ୍ତି କର !”

 

-“ଜାଣେ ସାରିପୁତ୍ତ ! ନିର୍ବାଣର ଏକ ସୁକଳ୍ପିତ ବ୍ୟବସ୍ଥା । ତଥାଗତଙ୍କୁ ମହାନିର୍ବାଣମୁଖୀ କରିବାକୁ ଏହାହିଁ ତା’ର ଏକମାତ୍ର ପନ୍ଥା । ପ୍ରଜ୍ଞାବାନ ସାରିପୁତ୍ତ ଏବଂ ବୁଦ୍ଧିମାନ ମୋଗଲାନଙ୍କ ନିର୍ବାଣପରେ ତଥାଗତ ଅଧିକ ସମୟ ରହିପରିବେ ନାହିଁ । ଯେତିକି ସ୍ପୁଲିଙ୍ଗ ସୃଷ୍ଟିହୋଇଛି ସେତିକିରେ ବିଶ୍ୱକୁ ଧର୍ମ ବନ୍ୟା ପ୍ଲାବିତ କରିବ । ଦେଶ ଦେଶାନ୍ତରେ ଆର୍ଯ୍ୟ ସତ୍ୟ ବିପ୍ଳବ ଆଣିବ-। ତଥାଗତ ତୁମକୁ ବାଧା ଦେବେନାହିଁ ମନର ଆକାଂକ୍ଷା ପୂରଣ କରିବାକୁ ସାରିପୁତ୍ତ !”

 

ତଥାଗତଙ୍କ ଅନୁମତି ପାଇଲାପରେ ସାରିପୁତ୍ତଙ୍କ ମୁଖରେ ଏକ ଅବ୍ୟକ୍ତ ଆନନ୍ଦ ଦେଖାଦେଲା । ସେ ବାରମ୍ବାର ବୁଦ୍ଧଙ୍କୁ ପ୍ରଦକ୍ଷିଣକରି ପ୍ରସ୍ତୁତ ହେଲେ ନାଳକାଭିମୁଖେ ଯାତ୍ରା କରିବାକୁ ।

 

ନାଳକାରେ ସାରିପୁତ୍ତଙ୍କ ପ୍ରବେଶ ପୂର୍ବରୁ ସାରିପୁତ୍ତ ନାଳକା ଆସୁଛନ୍ତି ଏହା ପ୍ରଚାରିତ ହୋଇଗଲା । ପ୍ରଜ୍ଞାବାନ ସାରିପୁତ୍ତଙ୍କ ଉଚିତ ସତ୍କାର ପାଇଁ କେବଳ ନାଳକା କାହିଁକି ସମଗ୍ର ରାଜଗୃହ ତତ୍ପର ହୋଇପଡ଼ିଲା । ରାଜପଥର ଧାରେ ଧାରେ ଲୋକେ ଦଣ୍ଡାୟମାନ ହୋଇ ରହିଲେ ରାଜଗୃହ ସୌରଭ ସାରିପୁତ୍ତଙ୍କୁ ଅଭ୍ୟର୍ଥନା ଦେବାପାଇଁ । ରାଜଗୃହରେ ବୌଦ୍ଧଧର୍ମ ପ୍ରଚାର କରୁଥିବା ବୌଦ୍ଧ ଶ୍ରମଣମାନେ ସାରିପୁତ୍ତଙ୍କ ଆଗମନ ସମ୍ବାଦପାଇ ନାଳକାରେ ଉପସ୍ଥିତ ହେଲେ । ସ୍ୱୟଂ ରାଜଗୃହର ମହାରାଜ ବୁଦ୍ଧଙ୍କ ଭଳି ଜଣେ ପ୍ରଜ୍ଞାବାନ ପୁରୁଷ ସାରିପୁତ୍ତଙ୍କୁ ସାଦର ଅଭ୍ୟର୍ଥନା ପାଇଁ ନାଳକାରେ ଉପସ୍ଥିତ ହେଲେ ।

 

ରାଜଗୃହ ରାଜ୍ୟରେ ସାରିପୁତ୍ତ ଓ ମୋଗଲାନଙ୍କ ଜନ୍ମ । ଦୁହେଁ ବ୍ରାହ୍ମଣ କୁଳଜ । ଦୁଇ ପରିବାରରେ ଯଥେଷ୍ଟ ଆତ୍ମୀୟତା ଥିଲା । ସେଥିପାଇଁ ସାରିପୁତ୍ତ ଓ ମୋଗଲାନଙ୍କ ମଧ୍ୟରେ ଅକୃତ୍ରିମ ବନ୍ଧୁତ୍ୱ ରହିଆସିଛି । ଖେଳିବା ବୁଲିବାଠାରୁ ଆରମ୍ଭ କରି ପଢ଼ିବା ପର୍ଯ୍ୟନ୍ତ ଦୁହେଁ ଏକତ୍ର କରୁଥିଲେ । ଆଚାର୍ଯ୍ୟ ସଞ୍ଜୟ ଥିଲେ ତାଙ୍କ ଶିକ୍ଷାଗୁରୁ ।

 

ସାରିପୁତ୍ତଙ୍କ ବାଲ୍ୟକାଳର ନାମ ଥିଲା ଉପତିସସ୍ । ସେହିଭଳି ମୋଗଲାନଙ୍କ ନାମ କୋଳିତ ଥିଲା । ସାରିଦେବୀଙ୍କ ପୁତ୍ତ ହେତୁ ସେ ଯେଉଁଭଳି ସାରିପୁତ୍ତ ନାମରେ ପରିଚିତ ହେଲେ, ସେହିଭଳି ମୋଗଲ୍ଲୀ ବା ମଙ୍ଗଳୀଙ୍କ ପୁତ୍ର ହେତୁ କୋଳିତ ମୋଗଲାନ ନାମ ଧାରଣ କରିଥିଲେ ।

 

ଏକଦା ଦୁଇବନ୍ଧୁ ନାଟ୍ୟଶାଳାରେ ଅଭିନୟ ଦେଖୁଥିଲେ । ଅଭିନୟରେ ପ୍ରଦର୍ଶିତ ହେଉଥିଲା ଏକ ବିତ୍ତୋପଶାଳୀ ଧନାଢ଼୍ୟ ବ୍ୟକ୍ତିର ଇତିବୃତ୍ତି । ରାଜ୍ୟ ଧନ ସମ୍ପଦର ଅଧିକାରୀ ନାଟକର ନାୟକ ହେଲେ ମଧ୍ୟ ସମସ୍ତ ଛାଡ଼ି ଅକାଳରେ ତା’ର ବିୟୋଗ ହେଲା । ତୁଚ୍ଛ ଗୋଡ଼ି ମାଟିଭଳି ପଡ଼ିରହିଲା ତା’ର ଧନସମ୍ପଦ । ନାୟକର ମୃତ୍ୟୁ ସମୟରେ ମୃତ୍ୟୁଠାରୁ ନିଷ୍କୃତି ପାଇବା ପାଇଁ ମୃତ୍ୟୁ ଦେବତାକୁ ତା’ର ଯେଉଁ ଆକୁଳ ନିବେଦନ ଏପରିକି ତାଙ୍କ ମୃତ୍ୟୁପରେ ଆତ୍ମୀୟମାନଙ୍କ ବୁକୁଫଟା ଚିତ୍‌କାର, ତାହା ଦୁଇବନ୍ଧୁଙ୍କ ହୃଦୟକୁ ଆନ୍ଦୋଳିତ କରିଦେଲା । ନାଟ୍ୟଶାଳରୁ ଦୁଇ ବନ୍ଧୁ କାନ୍ଦିକାନ୍ଦି ଫେରିଲେ ।

 

ଅନିତ୍ୟ ଦୁନିଆରେ ନିତ୍ୟ ବୋଲି କୌଣସି ବସ୍ତୁ ନାହିଁ । ତଥାପି ଏହି ଅନିତ୍ୟତାରେ ନିଜକୁ କୃମି ପୋକଭଳି ଘାଣ୍ଟିହେବା କେବେ ବିବେକୀ ଲୋକର କାର୍ଯ୍ୟ ନୁହେଁ । ଦୁଇବନ୍ଧୁ ନିଜ ନିଜ ମଧ୍ୟରେ ଆଲୋଚନା କରି ସ୍ଥିରକଲେ ସଂସାର ଧର୍ମ ତ୍ୟାଗକରି ସେମାନେ ସନ୍ନ୍ୟାସୀ ହେବେ । ପ୍ରଜ୍ଞାର ଉଚ୍ଚସ୍ତରରେ ବିହାରକରି ନିତ୍ୟ କ’ଣ ତାହା ଉପଲବ୍‌ଧି କରିବେ ।

 

ସନ୍ନ୍ୟାସୀ ହେବାକୁ ହେଲେ ଏକ ସଦ୍‌ଗୁରୁର ଆବଶ୍ୟକ । ସଦ୍‌ଗୁରୁ ନ ମିଳିଲେ ଅନ୍ଧଙ୍କଭଳି କେତେ ସେ ଏଣେତେଣେ ଧାଇଁବେ-କେତେ ସେ କାହାକୁ ପଚାରିବେ ନିତ୍ୟ କ’ଣ ?

 

ସଦ୍‌ଗୁରୁ ପାଇବା ଉଦ୍ଦେଶ୍ୟରେ ଦୁଇବନ୍ଧୁ ବହୁ ବନ, ଉପବନ, ଆଶ୍ରମ, ମଠ, ତୀର୍ଥ ଭ୍ରମଣକଲେ । ବହୁ ସାଧୁ ସନ୍ନ୍ୟାସୀଙ୍କୁ ଭେଟିଲେ । ନିଜେ ଅଧ୍ୟୟନ କରିଥିବା ଜ୍ଞାନଦ୍ୱାରା ସେମାନଙ୍କୁ କଷି ଦେଖିଲେ ସେମାନେ କେତେ ଉଚ୍ଚକୁ ଆରୋହଣ କରିଛନ୍ତି; କିନ୍ତୁ ସେ କାହାରିକୁ ତାଙ୍କର ଗୁରୁ ହେବାଭଳି ମନେକଲେ ନାହିଁ ।

 

ସେମାନଙ୍କ ହୃଦୟ ବୈରାଗ୍ୟର ମାଦକତାରେ ବିଭୋର ହୋଇପଡ଼ିଥାଏ । କିଏ ତାଙ୍କୁ ଉଚିତ୍ ପଥ ଦେଖାଇବ–ସେ ସଦ୍‌ଗୁରୁ କିଏ ଏହା ଜାଣିବା ତାଙ୍କ ପକ୍ଷରେ ଏକ ସମସ୍ୟା ହୋଇପଡ଼ିଲା । ତାଙ୍କ ମନର ସମସ୍ତ ସରସତା ସମସ୍ତ ଶାନ୍ତ କେଉଁଆଡ଼େ ଉଭେଇଗଲା । ସେହି ଚିର ଆନନ୍ଦମୟ ସତ୍ୟ ଶିବ ସୁନ୍ଦରକୁ ପାଇବାପାଇଁ ସେମାନେ ପାଗଳ ହୋଇଗଲେ । ଶେଷରେ ସେମାନେ ସ୍ଥିରକଲେ ଦୁହେଁ ପୃଥକ ପୃଥକ ଭାବେ ଗୁରୁଙ୍କ ଅନ୍ୱେଷଣରେ ଯିବେ ଏବଂ ଜଣେ ଯଦି ସେହିଭଳି କାହାକୁ ପାଏ ତେବେ ଅପରକୁ ସେ ସମ୍ବାଦ ଦେବେ । ଦୁହେଁ ହିଁ ଜଣଙ୍କଠାରୁ ଦୀକ୍ଷା ଗ୍ରହଣ କରିବେ ।

 

ଦୁହେଁ ସଦ୍‌ଗୁରୁ ଅନ୍ୱେଷଣରେ ଭିନ୍ନ ଭିନ୍ନ ପଥରେ ଆଗେଇଗଲେ ।

 

ଉପତିସସ୍ ରାଜଗୃହ ନିକଟବର୍ତ୍ତୀ ରାଜପଥରେ ଗଲାବେଳେ ହଠାତ୍ ତାଙ୍କର ଦୃଷ୍ଟି ଏକ ଚୀବରଧାରୀ ଲଣ୍ଡିତମୁଣ୍ଡ ଶ୍ରମଣଙ୍କ ଉପରେ ପଡ଼ିଲା । ସେତେବେଳେ ସେ ଭିକ୍ଷାପାତ୍ର ଧରି ଭିକ୍ଷାକରି ବୁଲୁଥାନ୍ତି । ତାଙ୍କର ଶାନ୍ତ ଧୀରମୂର୍ତ୍ତି, ତପସ୍ୟାପୂତ ଅମ୍ଳାନ କାନ୍ତି, ଜ୍ଞାନଦୀପରେ ଉଦ୍‌ଭାଷିତ ପ୍ରଶାନ୍ତ ମୁଖମଣ୍ଡଳ, ଉଜ୍ଜ୍ୱଳ ଚକ୍ଷୁତାରକା ତରୁଣ ଉପତିସସ୍‌ଙ୍କୁ ମୁଗ୍‌ଧ କରିଦେଲା । ତାଙ୍କର ମନେହେଲା, ସେ ଯେପରି ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ କେବେ ଦେଖିନଥିଲେ । ସେ ତାଙ୍କୁ ସସମ୍ମାନେ ପଚାରିଲେ, “ହେ ମହାତ୍ମନ୍ ! ଆପଣ ଏ ବେଶ କାହିଁକି ଧାରଣ କରିଛନ୍ତି ! ବୈରାଗ୍ୟର ଏକ ପବିତ୍ରଭାବ ବିଞ୍ଚି ବିଞ୍ଚି କାହିଁକି ଦ୍ୱାରେଦ୍ଵାରେ ଭିକ୍ଷା କରୁଛନ୍ତି ? ଆପଣ କ’ଣ କାହାଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି ? ଯଦି କରିଥାନ୍ତି ତେବେ ସେ କିଏ ଏବଂ ତାଙ୍କର ନୀତି ବା ଧର୍ମ କ’ଣ ଆପଣ ଅନୁଗ୍ରହ କରି ପ୍ରକାଶକରନ୍ତୁ ।”

 

ତରୁଣ ଉପତିସସ୍‌ଙ୍କ କଥା ଶୁଣି ଶ୍ରମଣଙ୍କ ମନରେ ତାଙ୍କପ୍ରତି ଶ୍ରଦ୍ଧା ଆସିଲା । ସେ ଧର୍ମଜ୍ଞ ଅନିସନ୍ଧିତ୍ସ ନିଷ୍କପଟ ହୃଦୟରେ ସବୁ ବ୍ୟକ୍ତକଲେ ।

 

-“କାରଣରୁ କାର୍ଯ୍ୟ ହୁଏ । ମଞ୍ଜିରୁ ଯେପରି ଅଙ୍କୁର, ବୃକ୍ଷ, ଫୁଲ, ଫଳ ହୋଇଥାଏ, ସେହିପରି ଅବିଦ୍ୟାରୁ ରୂପ, ଷଡ଼ାୟତନ, ବିଜ୍ଞାନ ପ୍ରଭୃତି ଉତ୍ପନ୍ନ । ଜଗତ୍ କାରଣରୁ ସବୁର ଜନ୍ମ । ସେହି ସବୁ ବିଷୟ ତଥାଗତ ବୁଦ୍ଧ ଜ୍ଞାତ ହୋଇଛନ୍ତି । କ’ଣ କଲେ ଅଜ୍ଞାନ ବନ୍ଧନ ଫିଟିଯାଏ–କାର୍ଯ୍ୟ, କାରଣ, ଶୃଙ୍ଖଳାର ବିନାଶ ଘଟେ ସବୁ ବିଷୟ ତାଙ୍କର ଗୋଚର ହୋଇଛି । ତାଙ୍କର ସେହି ବାଣୀ ପ୍ରଚାର ପାଇଁ ଷାଠିଏ ଜଣ ଶ୍ରମଣ ସାରା ଦେଶରେ ବୁଲୁଛନ୍ତି । ଆପଣ କ’ଣ ତାଙ୍କ ବିଷୟ ଶୁଣିବାକୁ ପାଇନାହାନ୍ତି ?”

 

ବୁଦ୍ଧଙ୍କର ଅନ୍ୟତମ ଶିଷ୍ୟ ଆହର୍ତ ଅସ୍‌ଜିତଙ୍କଠାରୁ ବୁଦ୍ଧଙ୍କ ସମ୍ୟକ୍ ପରିଚୟ ପାଇ ତାଙ୍କ ମନ ଆନନ୍ଦରେ ନାଚିଉଠିଲା । ତାଙ୍କର ମନେହେଲା ଏଭଳି ଏକ ମହାପୁରୁଷଙ୍କ ସନ୍ଧାନ ସେ ଯେପରି ପୂର୍ବରୁ କେବେ ପାଇନାହାନ୍ତି । ତାଙ୍କ ଆଖିଆଗରେ ସେଦିନର ନାଟକ ଅହରହ ଦୃଶ୍ୟମାନ ହେଉଥାଏ । ସେ ସ୍ପଷ୍ଟ ଦେଖିବାକୁ ପାଉଥାନ୍ତି, ଧନିକର ସୁକୋମଳ ତନୁ ନିର୍ଜୀବ ହୋଇପଡ଼ିଛି । ସୁନ୍ଦରୀ ସ୍ତ୍ରୀ ତାଙ୍କ ବୁକୁ ପରେ ମଥା ପିଟି କାନ୍ଦୁଛି । ତା’ର ଟିକିଏ ପୂର୍ବରୁ ମୃତ ଧନିକର ବଞ୍ଚିବାପାଇଁ ଯେଉଁ ଆକୁଳ ନିବେଦନ-ଓ ହୋ ! ଉପତିସସ୍‌ର ହୃଦୟ ତାହା ଦର୍ଶନକରି ଫାଟି ପଡ଼ୁଥାଏ । ଧନିକର ସ୍ତ୍ରୀ କେତେବେଳେ ଦର୍ଶକଙ୍କ ଆଡ଼କୁ ଅନାଇ କାନ୍ଦି କାନ୍ଦି କହୁଥାଏ, ମୋର ସମସ୍ତ ଧନ ସମ୍ପତ୍ତି ବଦଳରେ ମୁଁ ଚାହୁଛି ମୋ ସ୍ୱାମୀର ଜୀବନ । କାହାର ଶକ୍ତି ଅଛି ଯେ କି ଦୟାକରି ମୋ ସ୍ୱାମୀଙ୍କୁ ଜୀବନ ଦାନ କରିପାରିବେ ?

 

ଦ୍ରଷ୍ଟାମାନେ ନୀରବ ନିଶ୍ଚଳ । କାହାରି ଶକ୍ତି ନାହିଁ ମୃତବ୍ୟକ୍ତି ମଧ୍ୟରେ ଜୀବନ ସଞ୍ଚାର କରାଇବାକୁ ।

 

ତେବେ ମଣିଷର ଏତେ ଗର୍ବ ଅହର୍ମିକା କାହିଁକି ? ଯେଉଁଠି ଜୀବନ ଅନିତ୍ୟ ସେଠି ନିତ୍ୟ ବୋଲି କ’ଣ ଅଛି ? ମଣିଷ ଜନ୍ମପାଇ କାହିଁକି କୃମିକୀଟ ଭଳି ବିଷ୍ଠାଭୋଗୀ ହେବେ ?

 

ମୁହୂର୍ତ୍ତେ ବିଳମ୍ବ ନ କରି ଉପତିସସ୍ ଧାଇଁଲେ ବନ୍ଧୁ କୋଳିତଙ୍କ ପାଖକୁ ସେ ସନ୍ଧାନ ପାଇଛନ୍ତି ସେହି ମହାନ୍ ବ୍ୟକ୍ତିଙ୍କର, ଯାହାଙ୍କର ଚିଦାକାଶରେ ଜ୍ଞାନସୂର୍ଯ୍ୟ ଉଦୟହୋଇ ଜ୍ଞାନାଲୋକ ମାନବ ସମାଜକୁ ଦାନକରୁଛି ଅକୁଣ୍ଠିତ ଚିତ୍ତରେ ସମାନ ଭାବରେ ।

 

ଅବିଳମ୍ବେ ଉପତିସସ୍ ବନ୍ଧୁ କୋଳିତଙ୍କୁ ଭେଟିଲେ । କୋଳିତ ଶୁଣୁ ଶୁଣୁ ବ୍ୟସ୍ତ ହୋଇପଡ଼ିଲେ କିପରି ତାଙ୍କୁ ଭେଟିଲେ, କିପରି ତାଙ୍କ ମୁଖରୁ ଶୁଣିବେ ସେହି ଈଶ୍ୱରୀୟବାଣୀ । ସେହି ମହାମାନବଙ୍କ ନୀତି ଅନୁସରଣ କରି ସାରାଜୀବନ ବ୍ୟପୃତ ହେବେ ଅନିତ୍ୟ ଜୀବନରେ ନିତ୍ୟତା ଉପଲବ୍‌ଧି ପାଇଁ । ଦୁଃଖ ଯନ୍ତ୍ରଣାପୂର୍ଣ୍ଣ ଇହଜଗତରୁ ମୃକ୍ତି ପାଇବାପାଇଁ ସାରାଜୀବନ ବିତାଇଦେବେ ସାଧନାରେ ।

 

ସେ ଆହର୍ତ୍ତ ଅସଜିତ୍‌ଙ୍କଠାରୁ ଶୁଣିଥାନ୍ତି ବୃଦ୍ଧ ଅବସ୍ଥାନ କରୁଥାନ୍ତି ବେଣୁବନରେ ବୋଲି-। ବେଣୁବନ ବହୁତ ଦୂର । ଯେତେଦୂର ହେଉ ନା କାହିଁକି ଦୁଇବନ୍ଧୁ ଚାଲିଲେ ତାଙ୍କ ନିକଟକୁ ସେମାନେ ଯେତେବେଳେ ତାଙ୍କ ନିକଟରେ ଉପଗତ ହେଲେ, ସେତେବେଳେ ସେ ଶିଷ୍ୟମାନଙ୍କ ସହ ଆଲୋଚନାରତ ଥାନ୍ତି । ଦୁଃଖ କ’ଣ ଏହାରି ଉପରେ ଆଲୋଚନା ହେଉଥାଏ । ବୁଦ୍ଧ କହିଥାନ୍ତି ଜନ୍ମ, ଜରା, ମୃତ୍ୟୁ, ଶୋକ, ବିଳାପ, କଷ୍ଟ, ହତାଶ ଦୁଃଖର ଅନ୍ତର୍ଭୁକ୍ତ । କୌଣସି ବସ୍ତୁ ପାଇବାର ଆକାଙ୍‌କ୍ଷା ଜନ୍ମିଲେ ଏବଂ ତାହା ନପାଇଲେ ଦୁଃଖ ଆପେ ଆପେ ମେଘଭଳି ଆନନ୍ଦପୂର୍ଣ୍ଣ ମନକୁ ଦୁଃଖରେ ମାନ କରିଦିଏ । ଏହାକୁ ମାନସିକ ଦୁଃଖ କହନ୍ତି । ତୃଷ୍ଣାର ଅଭିଳାଷ-ଇଷ୍ଟବସ୍ତୁ ପ୍ରାପ୍ତ ନହେଲେ ଦୁଃଖ ଆସେ । ତୃଷ୍ଣା ନଷ୍ଟହେଲେ ଦୁଃଖର ବିନାଶ ହୁଏ । ଦୁଃଖ ନାଶ ନ ହେଲେ ଜନ୍ମ, ଜରା, ବ୍ୟାଧି, ମୃତ୍ୟୁର ବିନାଶ ହୁଏନାହିଁ । ସେଥିପାଇଁ ଆବଶ୍ୟକ ସମ୍ୟକ୍ ଦୃଷ୍ଟି ସମ୍ୟକ୍ ସଂକଳ୍ପ, ସମ୍ୟକ୍ ବାକ୍ୟ, ସମ୍ୟକ୍ କର୍ମ, ସମ୍ୟକ୍ ଜୀବିକା, ସମ୍ୟକ୍ ବ୍ୟାୟାମ, ସମ୍ୟକ୍ ସ୍ମୃତି ଓ ସମ୍ୟକ୍ ସମାଧି ।

 

ଶିଷ୍ୟମାନେ ବୁଦ୍ଧଙ୍କୁ ପ୍ରଶ୍ନ କରି ବିଦୂରିତ କରୁଥାନ୍ତି ସେମାନଙ୍କ ମନର ସଂଶୟ । ଅମ୍ଳାନ ବଦନରେ ବୁଦ୍ଧ ସେମାନଙ୍କ ସମସ୍ତ ପ୍ରଶ୍ନର ଯଥୋଚିତ ଉତ୍ତର ଦେଉଥାନ୍ତି । ଉପତିସସ୍ ଏବଂ କୋଳିତ ମନର ସଂସୟ ଦୂରକରିବାକୁ କେତୋଟି ପ୍ରଶ୍ନ ବୁଦ୍ଧଙ୍କୁ ପଚାରିଲେ । ଅକୁଣ୍ଠିତ ଚିତ୍ତରେ ମହାତ୍ମା ଗୌତମ ବୁଦ୍ଧ ସେ ପ୍ରଶ୍ନଗୁଡ଼ିକର ସରଳ ଉତ୍ତର ଉଦାହରଣ ଛଳରେ ବୁଝାଇଦେଲେ । ବୁଝାଇଦେଲେ ଶୀଳ ବା ସଦାଚାର ବିଷୟ । ଚରିତ୍ର ଶୁଦ୍ଧପାଇଁ ଲୋକୀୟ ସମାଧି ଏବଂ ପରମାର୍ଥଜ୍ଞାନ ଲାଭପାଇଁ ଲୋକୋତ୍ତର ସମାଧି କାହିଁକି ନିତାନ୍ତ ଆବଶ୍ୟକ ତାହା ପ୍ରାଞ୍ଜଳ ଭାବେ ବୁଝାଇଦେଲେ ।

 

ଦୁହିଁଙ୍କର ସମସ୍ତ ବିଦୂରିତ ହେଲା ବୁଦ୍ଧଙ୍କ ଉପଦେଶ ଶ୍ରବଣକରି । ଦୁହେଁ ଇଚ୍ଛାକଲେ ବୁଦ୍ଧଙ୍କଠାରୁ ଭିକ୍ଷୁଧର୍ମ ଗ୍ରହଣ କରିବାକୁ ।

 

ଭିକ୍ଷୁଧର୍ମ ଗ୍ରହଣକରି ଉପତିସସ୍ ସୀରିପୁତ୍ତ ନାମରେ ପରିଚିତ ହେଲେ । ସେହିଭଳି କୋଳିତ ମାଙ୍ଗଳିପୁତ୍ତ ବା ମୋଗଲାନ୍ନା ନାମରେ ବିଦିତ ହେଲେ । ଦୁହେଁ ବୁଦ୍ଧଙ୍କ ପାଖରେ ରହି ସାଧନା ସଂଯମଦ୍ୱାର ସମସ୍ତ ପ୍ରବୃତ୍ତିକୁ ଆୟତ୍ତକରି ଜଣେ ପ୍ରଜ୍ଞାବାନ ଅପରଟି ବୁଦ୍ଧିମାନଭାବେ ସମସ୍ତ ଭିକ୍ଷୁ-ସମାଜରେ ପରିଚିତ ।

 

ମାତା ସାରିଦେବୀ ପ୍ରଥମେ ଇତସ୍ତତଃ ହୋଇଥିଲେ ପୁତ୍ର ବୁଦ୍ଧଙ୍କ ନିକଟକୁ ଗଲାବେଳେ-

 

ବ୍ରାହ୍ମଣ ଘରର କନ୍ୟା ସେ । ବିବାହ କରିଥିଲେ ଜଣେ ବେଦାଧ୍ୟାୟୀ ବ୍ରାହ୍ମଣଙ୍କୁ । ଉପତିସସ୍‍ଙ୍କୁ ଯେତେବେଳେ ବୁଦ୍ଧଙ୍କୁ ସାକ୍ଷାତ୍ କରିବାକୁ ଯିବାପାଇଁ ମାତାଙ୍କ ଅନୁମତି ଭିକ୍ଷାକଲେ ସେତେବେଳେ ସାରିଦେବୀ କହିଲେ, ତୁ ଜଣେ ପ୍ରଜ୍ଞାବାନ ବ୍ରାହ୍ମଣ ପୁତ୍ର ହୋଇ ଭିକ୍ଷୁଠାରୁ କ’ଣ ଏପରି ଶୁଣିବାକୁ ଯେ ତା’ ପାଖକୁ ଯିବାପାଇଁ ଏତେ ବ୍ୟସ୍ତ ହୋଇପଡ଼ୁଛୁ ।

 

ଉତ୍ତରରେ ଉପତିସସ୍ କହିଲେ, “ମା’ ! ପିତାଙ୍କ ମୃତ୍ୟୁବେଳେ ମୃତ୍ୟୁଠାରୁ ନିସ୍ତାର ପାଇବାକୁ ତୁ କ’ଣ ଦେଖିନାହୁଁ ପିତା କି ବ୍ୟସ୍ତ ହେଉଥିଲେ । ମୃତ୍ୟୁ ସଙ୍ଗେ ସଙ୍ଗେ ତୋର ଯେଉଁ ଅସହାୟ ଅବସ୍ଥା ଏବଂ ସେତେବେଳେ ତୋର ସେ ବୁକୁଫଟା ଚିତ୍‌କାର କଥା କ’ଣ ତୁ ଭୁଲିଗଲୁ ? ସେହିଭଳି ବୁଦ୍ଧଙ୍କ ନିକଟକୁ ନଯାଇ, ତାଙ୍କର ଯଥୋଚିତ ବାଣୀ ଶ୍ରବଣ ନ କରି ମୁଁ ମଧ୍ୟ ତୋ ମୃତ୍ୟୁରେ ଓ ତୁ ବି ମୋ ମୃତ୍ୟୁରେ କ୍ରନ୍ଦନ କରିବା ସାର ହେବ । କାହିଁକି ଏହା ହେଉଛି, କ’ଣ କଲେ ଏଥିରୁ ନିସ୍ତାର ମିଳିବ ତାହା ଚିରଦିନ ପାଇଁ ରହିଯିବ ଦୃଷ୍ଟି ଅନ୍ତରାଳରେ ।”

 

ପୁତ୍ର କଥା ଶୁଣୁ ଶୁଣୁ ସାରିଦେବୀଙ୍କ ଆଖି ଛଳଛଳ ହୋଇଗଲା । ତାଙ୍କ ଆଖିଆଗରେ ଭାସିଗଲା ସ୍ୱାମୀଙ୍କ ମୃତ୍ୟୁଶଯ୍ୟାର ଚିତ୍ର । ମୃତ୍ୟୁପାଇଁ ସମୟ ହୋଇନଥିଲା ତାଙ୍କର । ତଥାପି ମୃତ୍ୟୁର ଯେଉଁ କଠିନ ଆଦେଶ ତାହାକୁ ଶତ ଅନିଚ୍ଛାସତ୍ତ୍ୱେ ସେ ପ୍ରତ୍ୟାଖ୍ୟାନ କରିପାରିଲେନାହିଁ । ଉପାୟଶୂନ୍ୟ ହୋଇ ପତ୍ନୀ ପୁତ୍ରଙ୍କ ମୁଖକୁ ଚାହିଁ ମୃତ୍ୟୁକୋଳରେ ସେ ଢଳିପଡ଼ିଲେ । ଭିକ୍ଷୁ ଗୌତମ କ’ଣ ଦୁଃଖ–ତା’ର କାରଣ–ତା’ର ଉପାୟ ବିଷୟ କହିପାରିବ ?

 

ନ କହି ପାରିଲେ ତ ଉପତିସସ୍ ତା’ କୋଳକୁ ଫେରିଆସିବ । ଯଦି କହେ ?

 

କହିଲେ କ’ଣ ଉପତିସସ୍ ଚିରଦିନ ଭିକ୍ଷୁସଙ୍ଗରେ ରହିଯିବ ? ଫେରିବନାହିଁ ତା’ ମା’ କୋଳକୁ ? ହଁ ଫେରିବ ମା’ ! ନିଶ୍ଚୟ ସେ ଫେରିବ !

 

ଅନିଚ୍ଛାସତ୍ତ୍ୱେ ପୁତ୍ରକୁ ସେ ଅନୁମତି ଦେଇଥିଲେ । ଭାବିଥିଲେ ତା’ର ବାପ ଭଳି ପ୍ରଜ୍ଞାଦାନ ଉପତିସସ୍‌ର ଉଦ୍ଭଟ ଜିଜ୍ଞସାର ଉତ୍ତର ଭିକ୍ଷୁ ଗୌତମ ଦେଇପାରିବ ନାହିଁ; ମାତ୍ର ଯେତେବେଳେ ଦିନପରେ ଦିନ, ମାସପରେ ମାସ, ବର୍ଷପରେ ବର୍ଷ ବିତିଗଲା, ପୁତ୍ର ଉପତିସସ୍ ଫେରିଲାନାହିଁ, ସେତେବେଳେ ସାରିଦେବୀ ନିରାଶ ହୋଇ ରହିବାକୁ ବାଧ୍ୟହେଲେ । ସେ ଲୋକମୁଖରୁ ଶୁଣିଛନ୍ତି ତାଙ୍କ ପୁତ୍ରର ଅଦ୍ଭୁତ ସଜ୍ଞାର ପ୍ରଶଂସା ଶୁଣିଛନ୍ତି ଭିକ୍ଷୁ ଗୌତମ କଠିଣ ଶାସ୍ତ୍ରର ମୀମାଂସା କରିବାବେଳେ ଉପତିସସ୍‌ର ବିନା ସାହାଯ୍ୟରେ କରୁନାହାନ୍ତି । ଭାରତର ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ପର୍ଯ୍ୟନ୍ତ ତାଙ୍କ ପୁତ୍ର ଉପତିସସ୍ ଧାଇଁ ଚାଲିଛି । ତା’ର ଯୁକ୍ତି ତା’ର ମୀମାଂସାରେ ବଡ଼ ବଡ଼ ବୈଦିକ ପଣ୍ଡିତଙ୍କ ଉନ୍ନତ ଗର୍ବିତ ମସ୍ତକ ନତ ହୋଇଯାଉଛି । ଭିକ୍ଷୁ ଗୌତମଙ୍କ ନାମ ସହିତ ଶୁଣାଯାଉଛି ତାହାରି ପୁତ୍ର ସାରିପୁତ୍ତର ଜୟ ଜୟକାର । ସେତେବେଳେ ତା’ ମନ ଆନନ୍ଦରେ ବିଭୋର ହୋଇପଡ଼େ ।

 

ବେଳେବେଳେ ତା’ର ଇଚ୍ଛାହୋଇଛି ପୁତ୍ରପାଖକୁ ଯିବାପାଇଁ । ଦେଖିଆସିବ । ତାହାରି ଗର୍ଭଜ ଉପତିସସ୍‌ କିପରି ଗୌତମବୁଦ୍ଧଙ୍କ ଡାହାଣ ପାଖରେ ତା’ର ପିତାଭଳି ଏକ ପ୍ରଜ୍ଞାବନ ପୁରୁଷରୂପେ ଉପବେସନ କରୁଛି । କିଭଳି ବ୍ୟାଖ୍ୟା କରୁଛି ବେଦ, ବେଦାନ୍ତ, ନ୍ୟାୟଶାସ୍ତ୍ର ଆଦି । କିପରି ଶତ ଶତ ସହସ୍ର ବିଜ୍ଞ, ଶ୍ରମଣ ତାହାରି କଥା ମନଦେଇ ଶୁଣୁଛନ୍ତି । ସହସ୍ର ସହସ୍ର ମସ୍ତକ ଲୋଟିପଡ଼ୁଛି ତାହାର ପଦତଳେ ।

 

କିନ୍ତୁ ପରମୁହୂର୍ତ୍ତରେ ତାଙ୍କର ସେ ଇଚ୍ଛାରେ ପ୍ରବଳ ବିରୋଧତା ଦେଖାଦିଏ । ବ୍ରାହ୍ମଣର କନ୍ୟା, ବ୍ରାହ୍ମଣର ପତ୍ନୀ ହୋଇ କିପରି ବେଦବିରୋଧୀ ଗୋଟାଏ ଶ୍ରମଣ ନିକଟକୁ ଯିବ ସେ ? ଏହାଦ୍ୱାରା ସ୍ୱାମୀଙ୍କ ଆତ୍ମା ହୁଏତ ବିରକ୍ତହେବେ । ଅକଲ୍ୟାଣ କରିବେ ମୃତ୍ୟୁଲୋକଗତ ଶାଶୁ ଶ୍ୱଶୁରଙ୍କ ଆତ୍ମା । ନା-ଆବଶ୍ୟକ ହେଲେ ପୁତ୍ରକୁ ତେଜ୍ୟପୁତ୍ର କରିବେ ସିନା ନିଜେ ତା’ ମଧ୍ୟରେ ଯୁକ୍ତହୋଇ ପାରିବେ ନାହିଁ ।

 

ଦୀର୍ଘଦିନ ଗତ ହୋଇଯାଉଛି । ପୁତ୍ରକୁ ଦେଖିବା ଆକାଙ୍‌କ୍ଷା ଧୀରେ ଧୀରେ ଦୂରକୁ ଚାଲିଯାଇଛି । ଉପତିସସ୍ ବୋଲି ତାଙ୍କର ଏକ ପୁତ୍ର ଥିଲା ଏକଥା ବି ଭୁଲିଯାଇଛନ୍ତି । ବାର୍ଦ୍ଧକ୍ୟ ନଇଁଆସିଛି ତାଙ୍କ ଉପରକୁ ପୂରାପୂରିଭାବେ । ବାର୍ଦ୍ଧକ୍ୟର ଗୁରୁଭାରରେ ଅଣ୍ଟା ତାଙ୍କର ବାଙ୍କୁବାଡ଼ି ଭଳି ବାଙ୍କିଯାଇଛି । କେଉଁକାଳୁ ସୁଖଶାନ୍ତି ବିଦାୟନେଇଛି ତାଙ୍କଠାରୁ । ସେ ଖାଲି ବଞ୍ଚିଛନ୍ତି ମରିବାକୁ ।

 

ସେଦିନ କାର୍ତ୍ତିକ ପୂର୍ଣ୍ଣିମୀ । ସାରିଦେବୀ ସ୍ନାନପରେ ନିଜର ନିତ୍ୟକର୍ମ ସମାପନ କରି ବାଡ଼ି ଖଣ୍ଡିକ ଉପରେ ଭରାଦେଇ ଛିଡ଼ାହୋଇଛନ୍ତି । ହଠାତ ତାଙ୍କ ଆଗରେ ଜଣେ ଭିକ୍ଷୁ ଭିକ୍ଷାପାତ୍ର ଧରି ଗାଇଉଠିଲେ, “ବୁଦ୍ଧଂ ଶରଣଂ ଗଚ୍ଛାମି-”

 

ସାରିଦେବୀ ଯେତିକି ବିରକ୍ତହେଲେ ସେତିକି ଆଶ୍ଚର୍ଯ୍ୟ ହେଲେ । ନଳକାର ବ୍ରାହ୍ମଣ ବସତିରେ ଭିକ୍ଷୁ କେବେ ଭିକ୍ଷାପାଇଁ ବୁଦ୍ଧଙ୍କ ନାମ ଧରି ଭିକ୍ଷାମାଗିବା ସେ ଦେଖିନାହାନ୍ତି । ବାଟବଣା ହୋଇ ସେ ଭିକ୍ଷୁ କ’ଣ ବୈଦିକ ବ୍ରାହ୍ମଣବସତିକୁ ଆସିଯାଇଛି କି ?

 

ବିରକ୍ତି ମିଶା ସ୍ୱରରେ ସାରିଦେବୀ ଭିକ୍ଷୁଙ୍କୁ ପଚାରିଲେ, “ଏହା ହେଉଛି ବୈଦିକ ବ୍ରାହ୍ମଣର ଗୃହ । କୌଣସି ଭିକ୍ଷୁ ଏଠାରେ ଭିକ୍ଷା ମାଗିବା ମନା । ତୁମେ କ’ଣ ଭୁଲ୍‌ରେ ଏଠାକୁ ଚାଲିଆସିଛ ?”

 

ନମ୍ରସ୍ୱରରେ ଭିକ୍ଷୁ କହିଲେ ନା ମା’ ! ଆଜି ଶ୍ରେଷ୍ଠ ଭିକ୍ଷୁ ସାରିପୁତ୍ତ ନଳକାରେ ପଦାର୍ପଣ କରୁଛନ୍ତି । ସେ ଆସୁଛନ୍ତି ନିର୍ବାଣପୂର୍ବରୁ ତାଙ୍କ ବୃଦ୍ଧାମାତାଙ୍କୁ ଥରେ ଦେଖିଯିବା ପାଇଁ । ତାଙ୍କର ଅଭ୍ୟର୍ଥନା ପାଇଁ ରାଜଗୃହର ମହାରାଜ ନଳକା ନିକଟରେ ଉପସ୍ଥିତ ହୋଇସାରିଲେଣି । ତାଙ୍କଭଳି ଜଣେ ପ୍ରଜ୍ଞାବାନ୍ ପୁରୁଷଙ୍କ ଦର୍ଶନପାଇଁ ଶହ ଶହ ଶ୍ରମଣ ଆସୁଛନ୍ତି । ଭିକ୍ଷାକରି ତାହା ଗ୍ରହଣ କରିବା ଶ୍ରମଣଙ୍କ ନୀତି । ତେଣୁ ମୁଁ ମୋର କର୍ତ୍ତବ୍ୟ କରୁଛି ।”

 

ସାରିପୁତ୍ତ ଆସିବ ? ହୃଦୟର କେଉଁ ନିଭୃତକୋଣରେ ତାଙ୍କ ପୁତ୍ର ଉପତିସସ୍‌ଙ୍କ ଅସ୍ତିତ୍ୱ ଲୁକ୍‌କାୟିତ ଅବସ୍ଥାରେ ରହିଥିଲା ତାହା ଭିକ୍ଷୁଙ୍କ କଥା ଶୁଣୁ ଶୁଣୁ ବହିର୍ଗତ ହୋଇ ସାରା ମନକୁ ଆଚ୍ଛାନ୍ନ କରିଦେଲା । ତାଙ୍କରି ପୁତ୍ର ସାରିପୁତ୍ତ ଫେରୁଛି ତାଙ୍କୁ ଦେଖିବାକୁ-ଯାହାର ଅଭ୍ୟର୍ଥନା ପାଇଁ ସାରାଦେଶ ତତ୍ପର ହୋଇଉଠିଛି । ଗ୍ରାମର ଅନତିଦୂରରେ ଅପେକ୍ଷା କରିଛନ୍ତି ମହାରାଜ ତାଙ୍କୁ ଅଭ୍ୟର୍ଥନା ଜଣାଇବା-ପାଇଁ । ଆଉ ସେ ?

 

ସେ କ’ଣ ବିରୋଧ କରିବେ ତାଙ୍କରି ପୁତ୍ରକୁ–ପୁତ୍ରର ଅନୁଗତ ଭିକ୍ଷୁଙ୍କୁ ?

 

ବୃଦ୍ଧାଙ୍କ ଅଟଳ ହୃଦୟ ଦ୍ଵନ୍ଦ୍ୱ ଚିନ୍ତାରେ ଆନ୍ଦୋଳିତ ହୋଇପଡ଼ିଲା । ଆଜି ତାଙ୍କ ପୁତ୍ର ଫେରିବ । ସେ କ’ଣ ତାକୁ ପୁତ୍ର ବୋଲି ସମ୍ବୋଧନ କରିବେନାହିଁ, ନା ନିଜ ହାତରେ ସୁମିଷ୍ଟ ଖାଦ୍ୟ ପରଷି ତା’ର ଉଦରର କ୍ଷୁଧା ଉପସମ କରିବେ ନାହିଁ ? ଯଦି ତାହା କରନ୍ତି, ତେବେ ମୁଠାଏ ତଣ୍ଡୁଳ ଜଣେ ଭିକ୍ଷୁକୁ ଦେବାରେ ଅସୁବିଧା କ’ଣ ଅଛି ?

 

ଅବିଳମ୍ୱେ ସାରିଦେବୀ ଭିକ୍ଷୁକୁ ଭିକ୍ଷା ଦାନକଲେ । ଭିକ୍ଷୁ ବୁଦ୍ଧଙ୍କ ନାମ ଉଚ୍ଚାରଣ କରିକରି ଆଗେଇଗଲେ ଆଗକୁ । ବୃଦ୍ଧା ସାରିଦେବୀ ଦଣ୍ଡାୟମାନ ହୋଇ ରହିଲେ ଭିକ୍ଷୁଙ୍କୁ ଲକ୍ଷ୍ୟକରି । ଲଣ୍ଡିତ ମୁଣ୍ଡ, ଦେହରେ ହରିତ୍‌ରଙ୍ଗର ଏକ ଦେହାବରଣ, ସ୍ଵଳ୍ପାହାର କରି ତନୁ ସାମାନ୍ୟ କ୍ଷୀନ୍ନ ହୋଇଆସିଛି, ଏକ ସଂକୀର୍ଣ୍ଣ ଗଳଦେଶ ମସ୍ତକକୁ ଯୁକ୍ତ କରୁଛି ଦେହ ସହିତ, ମୁଖରେ ଅସମ୍ଭବ ପ୍ରଫୁଲ୍ଲତା, ହାତରେ ତାଙ୍କର ଭିକ୍ଷାପାତ୍ର ।

 

ସାରିଦେବୀ ଭୁଲିଗଲେ ପଚାରିବାପାଇଁ ତୁମର ସେ ଶ୍ରେଷ୍ଠଭିକ୍ଷୁ ସାରିପୁତ୍ତ କ’ଣ ତୁମର ଭିକ୍ଷୁସଂଘରେ ଭିକ୍ଷା ଗ୍ରହଣକରିବ ନା ତା’ର ଗର୍ଭଧାରିଣୀଙ୍କଠାରୁ ଗ୍ରହଣ କରିବ ?

 

ବୃଦ୍ଧା ଗୃହମଧ୍ୟରେ ବାହାରି ଦାଣ୍ଡରେ ଅନାଇଲେ ଭିକ୍ଷୁଙ୍କୁ । ଭିକ୍ଷୁ ଦୂରକୁ ଚାଲିଗଲେଣି ତାଙ୍କର ସ୍ଵରୂପ ଯେଉଁଭଳି ଲୁଚିଗଲାଣି ସେହିଭଳି ‘ବୁଦ୍ଧଂ’ ଡାକ ଲିଭିଗଲାଣି ।

 

ବୃଦ୍ଧା ଫେରିଗଲେ ନିଜ ଗୃହ ମଧ୍ୟକୁ । ପୁତ୍ରପାଇଁ କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ହେବ; କିନ୍ତୁ କରିବ କିଏ ? କେବଳ ତାଙ୍କ ବ୍ୟତୀତ ଘରେ ତ ଆଉ କେହିନାହାନ୍ତି । ତଥାପି କିଛି କରିବାକୁ ପଡ଼ିବ । ବୃଦ୍ଧା ବ୍ୟସ୍ତହୋଇପଡ଼ିଲେ । ଦୀର୍ଘଦିନ ପରେ ପୁତ୍ର ତାଙ୍କର ଫେରୁଛି । ସେ କ’ଣ ନିଜ ହାତରେ ତାକୁ ଖାଇବାକୁ ଦେଇପାରିବେ ନାହଁ ?

 

ସୂର୍ଯ୍ୟାସ୍ତ ହେବାପାଇଁ ଆଉ ଅଳ୍ପ ସମୟ ଅଛି । ସାରିଦେବୀ ନିରାଶ ହୋଇପଡ଼ୁଛନ୍ତି । ସମ୍ଭବତଃ ପୁତ୍ର ତାଙ୍କର ଆଜି ଆସିବନାହିଁ । ଗ୍ରାମରେ କେହି ଗୋଟିଏ ପୁରୁଷଲୋକ ଦେଖାଯାଉନାହାନ୍ତି । ଗ୍ରାମବାହାରେ ରାଜଗୃହର ମହାରାଜ ଛାଉଣୀ ପକାଇ ରହିଥିବାରୁ ବୋଧେ ସମସ୍ତେ ତାଙ୍କର ପାଖକୁ ଯାଇଛନ୍ତି । ସନ୍ଧ୍ୟାତ ଆସନ୍ନ । ଭିକ୍ଷୁମାନେ ରାତ୍ରି ଭୋଜନ କରନ୍ତିନାହିଁ ବୋଲି ସେ ଶୁଣିଥିଲେ । ତେବେ ପୁତ୍ର କ’ଣ ତାଙ୍କ ହାତରୁ କିଛି ଖାଦ୍ୟ ଗ୍ରହଣ କରିବନାହିଁ ?

 

ସାରିଦେବୀ କିଛି ସମୟ ବାହାରେ ବସିଲେ । କେତେ ସମୟ ବା ସେ ବାହାରେ ବସିପାରିବେ ? ବେଳକୁବେଳ ସେ ନିରୁତ୍ସାହିତ ହୋଇପଡ଼ୁଛନ୍ତି । ବାହାରେ ବସିବାକୁ ଆଉ ଭଲଲାଗିଲା ନାହିଁ ତାଙ୍କୁ । ମନଭିତରେ ପୁଣି ଦେଖାଦେଲା ସେହିଭାବ–ସେ ଶ୍ରୋତ୍ରିୟ ବ୍ରାହ୍ମଣ ଘରର କନ୍ୟା । ବୈଦିକ ବ୍ରାହ୍ମଣର ପତ୍ନୀ, ବେଦନିନ୍ଦୁକ ବୁଦ୍ଧଙ୍କ ଶିଷ୍ୟର ଆଗମନ ପାଇଁ ସେ ଏତେ ବ୍ୟସ୍ତ କାହିଁକି ? ହୁଏତ ଉପତିସସ୍‌ର ପିତା ଥିଲେ ସେ ତାଙ୍କର ପୁତ୍ର ହେଉନା କାହିଁକି ତାକୁ ଗୃହ ମଧ୍ୟକୁ ପ୍ରବେଶ କରାଇବାକୁ ଅନିଚ୍ଛାପ୍ରକାଶ କରିଥାନ୍ତେ ।

 

ବୃଦ୍ଧା ସାରିଦେବୀ ବାହୁଡ଼ିଲେ ଗୃହ ମଧ୍ୟକୁ ।

 

ହଠାତ୍ ବାହାରେ କିଏ ଗାଇଉଠିଲା, “ବୁଦ୍ଧଂ ଶରଣଂ ଗଚ୍ଛାମି ।” ସମ୍ଭବତଃ କୌଣସି ଭିକ୍ଷୁ କହିବାକୁ ଆସିଛି ସରିପୁତ୍ତ ଆଜି ଆସିବେନାହିଁ ।

 

ସାରିଦେବୀ ବାହାରକୁ ଅନାଇଲେ ଲଣ୍ଡିତ ମୁଣ୍ଡ ଜଣେ ଶ୍ରମଣ ଦଣ୍ଡାୟମାନ । ସାରିଦେବୀ ଜିଜ୍ଞାସୁ ଦୃଷ୍ଟିରେ ଶ୍ରମଣଙ୍କୁ ଅନାଇଲେ ।

 

“କିଏ–ମା ?”

 

ଚମକିପଡ଼ିଲେ ସାରିଦେବୀ । ଏ କାହାର କଣ୍ଠସ୍ୱର । ଏ କ’ଣ ତାଙ୍କରି ପୁତ୍ର ଉପତିସସ୍-?

 

-“ମା’ ! ମୋତେ କ’ଣ ଚିହ୍ନିପାରୁନାହୁଁ। ମୁଁ ତୋ’ର ପୁଅ ଉପତିସସ୍ ।”

 

ସାରିଦେବୀ ଧାଇଁଆସିଲେ ତାଙ୍କ ପାଖକୁ । ପୁଅ ଉପତିସ୍‌ସ ମୋର ଫେରିଛି । କୁଣ୍ଢାଇ ପକାଇଲେ ଗର୍ଭଜରୁ ବୃଦ୍ଧା ଜନନୀ । ଅଭିମାନ ସ୍ଵରରେ କହିଲେ, “ଏତେଦିନେ ତୋର ମନେପଡ଼ିଲା ମା’ କଥା ।”

 

ମୁହୂର୍ତ୍ତକ ପାଇଁ ମା’ ପୁଅ ଏକ ହୋଇଗଲେ ।

 

କିନ୍ତୁ ହଠାତ୍ ସାରିପୁତ୍ତ ଆସ୍ୱସ୍ତି ଅନୁଭବକଲେ । ମୁଖଦେଇ ତାଙ୍କର ବାହାରିଆସିଲା ଏକ ଅବ୍ୟକ୍ତ ବେଦନାର ସ୍ୱର ।

 

-ଏ କ’ଣ ! କ’ଣ ହେଲା ବାପ ତୋର ?”

 

-“ନା ମା’ ! କିଛି ନୁହେଁ । ତୋ ପୁତ୍ରର ଆଜି କୌଣସି କାମନା ନାହିଁ । କେବଳ ତୋରି ପୂଣ୍ୟଫଳରୁ ତୋର ପୁତ୍ର ତଥାଗତଙ୍କୁ ଲାଭକରି ଜନ୍ମମରଣର ଘୂର୍ଣ୍ଣାୟମାନ ଚକ୍ରରୁ ମୁକ୍ତି ପାଇବାକୁଯାଉଛି । ତୋର ପୁତ୍ର ସ୍ପଷ୍ଟ ଦେଖିପାରିଛି ନିର୍ବାଣକୁ । ଏହାପରେ ଜୀବନର ଶେଷ ପୂର୍ଣ୍ଣଚ୍ଛେଦ ପଡ଼ିଯିବ ।

 

ସାରିପୂତ୍ତ ତାଙ୍କ ଦେହର ସମସ୍ତଭାର ନଦିଦେଲେ ବୃଦ୍ଧା ଜନନୀଙ୍କ ଉପରେ । ବୃଦ୍ଧାଙ୍କର କ୍ଷମତା କାହିଁ ତାହା ସେ ସମ୍ଭାଳିପାରିବେ !

 

ବୃଦ୍ଧା ପୁତ୍ର ସହିତ ତଳେପଡ଼ିଯିବା ପୂର୍ବରୁ ତାଙ୍କ ନିକଟରେ ଉପସ୍ଥିତ ଶ୍ରମଣମାନେ ଉଭୟଙ୍କୁ ତୋଳିଧରିଲେ । ସେହିଠାରେ ତାଙ୍କୁ ଶୁଆଇଦିଆଗଲା ।

 

ସାରିଦେବୀ ଘରୁ ବହୁମୂଲ୍ୟ ଶଯ୍ୟା ଦେଲେ ପୁତ୍ରକୁ ଶୋଇବାକୁ ।

 

ହାତ ହଲାଇ ସାରିପୁତ୍ତ ନାସ୍ତିକଲେ–“ଭୂମି ହିଁ ଶ୍ରମଣର ବାଞ୍ଛିତ ଶଯ୍ୟା ।”

 

ଦେଖୁ ଦେଖୁ ରାତ୍ରି ଆସିଗଲା । ସାରିପୁତ୍ତଙ୍କ ରୋଗରେ ଉପଶମ ହେଲାନାହିଁ । ବରଂ ସେ ଅନୁଭବ କରୁଥାନ୍ତି ଦେହ ମଧ୍ୟରେ ଅସହ୍ୟ ଯନ୍ତ୍ରଣା ।

 

ସେ ଟିକିଏ ଇଚ୍ଛାକଲେ ଉଠି ବସିବାକୁ; କିନ୍ତୁ ଶକ୍ତି ନାହିଁ । ଭିକ୍ଷୁମାନେ ତାଙ୍କୁ ଧରି ଉଠାଇ ବସାଇଲେ । ସେ ଭିକ୍ଷୁମାନଙ୍କୁ ଅନାଇଁ କହିଲେ, “ସାରିପୁତ୍ତର ଆଉ ବେଶି ସମୟ ନାହିଁ; ମାତ୍ର ତୁମେମାନେ ତଥାଗତଙ୍କ ପ୍ରଦର୍ଶିତ ମାର୍ଗ କେବେ ତ୍ୟାଗ କରିବନାହିଁ । ଅନେକଦିନଠାରୁ ସାରିପୁତ୍ତ ନିର୍ବାଣର ସମୀପବର୍ତ୍ତୀ ହୋଇସାରିଛି । ନିର୍ବାଣ ପାଇବା ପୂର୍ବରୁ ତା’ର ଗୋଟିଏ କାମନା ଥିଲା ସେ ଥରେ ତା’ର ମା’କୁ ଦେଖିବ ଏବଂ କହିଯିବ ତୋର ପୁତ୍ର ଭୁଲ୍‍ବାଟରେ ଯାଇନାହିଁ ।”

 

କଥା କହୁ କହୁ ମୁଖରେ ଅସହ୍ୟ ଯନ୍ତ୍ରଣା ଫୁଟିଉଠିଲା ସାରିପୁତ୍ତଙ୍କର । ଗର୍ଭଧାରିଣୀ କାନ୍ଦିଉଠିଲେ, “ହେ ଭଗବାନ ! ତୁମେ ଏ କ’ଣ କରୁଛ ? ପତିଙ୍କର ଅନ୍ତିମ ଶଯ୍ୟା ଦେଖିଛି–ସେତେବେଳକାର ସମସ୍ତ ଯନ୍ତ୍ରଣା, ସମସ୍ତ ଦୁଃଖ କେବଳ ପୁତ୍ରକୁ ଅନାଇ ସହ୍ୟ କରିଥିଲେ; କିନ୍ତୁ ଏ କ’ଣ ହେଉଛି ? ସାରିପୁତ୍ତ ଭାଗ୍ୟରେ କ’ଣ ଏହାହିଁ ତୁମେ ଲେଖିଛ ?”

 

ହଠାତ୍ ସମସ୍ତ ଯନ୍ତ୍ରଣା ସାରିପୁତ୍ତଙ୍କ ମୁଖରୁ ଉଭେଇଗଲା । ଫୁଟିଉଠିଲା ଅସମ୍ଭବ ପ୍ରସନ୍ନତା ତାଙ୍କ ମୁଖରେ । ସେ କହିଲେ, ‘ମା’ ! ପିତାଙ୍କର ମୃତ୍ୟୁ ଏବଂ ତୋର ପୁତ୍ରର ମୃତ୍ୟୁ ସମାନ ଥିଲେ ମଧ୍ୟ ତାହା ମଧ୍ୟରେ ବହୁ ପାର୍ଥକ୍ୟ ଅଛି । ଜଣେ ଚାହୁଁଥିଲା ବଞ୍ଚିବାପାଇଁ, ଆଉ ଜଣେ ସ୍ୱଇଚ୍ଛାରେ ନିର୍ବାଣକୋଳକୁ ଡେଇଁପଡ଼ିବାକୁ ଆଗ୍ରହୀ । ତୋର ପୁତ୍ର ପାଖରେ ମୃତ୍ୟୁ ବୋଲି କୌଣସି ବସ୍ତୁ ନାହିଁ । ଯାହା ଅଛି ତାହା ଭିକ୍ଷୁର ଚିରକାମ୍ୟ । ସାରିପୁତ୍ତ କେବଳ ଅଣନିଃଶ୍ଵାସୀ ହୋଇ ଛୁଟିଆସିଛି କହିଯିବା ପାଇଁ ତଥାଗତ ବୁଦ୍ଧ ବେଦର ନିନ୍ଦୁକ ନୁହନ୍ତି । ବେଦ ନାମରେ ଯେଉଁ କଳଙ୍କ ବୈଦିକମାନେ କରୁଛନ୍ତି, ତାହାର ବିନାଶ ପାଇଁ ଯାହା ଆବଶ୍ୟକ ତାହା ସେ କରିଛନ୍ତି । ସେ ମୃତ୍ୟୁଞ୍ଜୟୀ, ତୋର ପୁତ୍ର ମଧ୍ୟ ମୃତ୍ୟୁଞ୍ଜୟୀ ।”

 

ସାରିପୁତ୍ତଙ୍କ ମୁଖର ସେ ପ୍ରସନ୍ନତା ପୁଣି ପରିବର୍ତ୍ତନ ହୋଇଗଲା । ଦେହ ମଧ୍ୟରେ ହେଉଥିବା ଅସହ୍ୟ ଯନ୍ତ୍ରଣା ଫୁଟିଉଠିଲା ସମସ୍ତ ସରସତାକୁ ପୋଛିଦେଇ । ସେ ସାରୀଦେବୀଙ୍କୁ ଅନାଇଁ କହିଲେ, “ମା’ ! ହେଇ ମୋ ଆଖିଆଗରେ ନିର୍ବାଣ ଦଣ୍ଡାୟମାନ ହେଲାଣି । କି ସୁନ୍ଦର ତା’ର ସେହି ମୁଖବେଶ । ଗାଢ଼ ନିଳିମା ରଙ୍ଗର ସେହି ମୁଖଦେଶ-ଚକ୍ରାକାରା ଦୁଇଟି ଚକ୍ଷୁ ତା’ର-ଶତ ଅରୁଣିମା ଛିଟା ତା’ର ଓଷ୍ଠ ଦେଶରୁ ବିଚ୍ଛୁରିତ ହେଉଛି-ବାହୁତୋଳି ମୋତେ ଡାକୁଛି, ଆସ ସାରିପୁତ୍ତ । ଆଉ ଡେରି କରନାହିଁ । ମୋରି ମଧ୍ୟରେ ଲୀନ ହେଇଯିବା ପାଇଁ ତୁମେ ତ ଜୀବନବ୍ୟାପୀ ସାଧନା କରିଛ । ସାଧନାର ଫଳ ମିଳିଲାବେଳକୁ ଆଉ ବିଳମ୍ବ କରୁଛ କାହିଁକି ?”

 

ସାରିଦେବୀ ବ୍ୟସ୍ତ ହୋଇପଡ଼ି କହିଲେ, “ଏ କ’ଣ କହୁଛୁ ପୁତ୍ର ?”

 

ସମସ୍ତ ଯନ୍ତ୍ରଣାର ଚିହ୍ନ ସାରିପୁତ୍ତଙ୍କ ମୁହଁରୁ ଉଭେଇଗଲା । ସାରା ମୁଖରେ ଭରିଗଲା ପ୍ରଫୁଲ୍ଲତା । ସେ କହିଉଠିଲେ, “ବୁଦ୍ଧଂ ଶରଣଂ ଗଚ୍ଛାମି ।”

 

ସାରିପୁତ୍ତଙ୍କ ମୁଖରେ ଦେଖାଦେଲା ଗୋଟିଏ ଛୋଟ ହସ-ତା’ପରେ ମୁହଁଟି ତାଙ୍କର ଟିକିଏ ବକ୍ରଭାବେ ପାର୍ଶ୍ୱଦେଶକୁ ଢଳିପଡ଼ିଲା ।

 

କାନ୍ଦିଉଠିଲେ ଜନନୀ-ଶୋକାତୁରା ହୋଇ ଗାଇଉଠିଲା ଭିକ୍ଷୁ ସମାଜ, ‘ବୁଦ୍ଧଂ ଶରଣଂ ଗଚ୍ଛାମି ।”

 

ସେତେବେଳକୁ ସାରିପୁତ୍ତ ତାଙ୍କ ଦେହଟିକୁ ତ୍ୟାଗକରି ବହୁଦୂରକୁ ଚାଲିଯାଇଥିଲେ ।

Image

 

Unknown

କାରୁବାକୀ

 

ସତ୍ୟ, ଅହିଂସାର ବଶବର୍ତ୍ତୀହୋଇ ଯଦି ଗୋଟାଏ ଦେଶ, ଗୋଟାଏ ଜାତି ରସାତଳଗାମୀ ହୁଏ ତେବେ ଆପଣ କିପରି କହୁଛନ୍ତି ସତ୍ୟ ଅହିଂସାର ଜୟ କାଳେ କାଳେ ବୋଲି-। ଆପଣ କଳିଙ୍ଗର ଗ୍ରାମେ ଗ୍ରାମେ ନଗରେ ନଗରେ ବୁଲି ଦେଖିଆସନ୍ତୁ, କିଭଳି ଦୁଃଖ ଶୋକର ଲେଲିହାନ ଶିଖା ସମସ୍ତଙ୍କୁ ଗ୍ରାସ କରି ଆକାଶ ପବନକୁ ମଧ୍ୟ ମୁଖରିତ କରିଛି । ଦେଖିଆସନ୍ତୁ ଚିତ୍ରୋତ୍ପଳାର ସ୍ୱଚ୍ଛସଲିଳ ଧାର କିପରି ବର୍ତ୍ତମାନ ମଧ୍ୟ ରକ୍ତ ରଙ୍ଗରେ ରଞ୍ଜିତହୋଇ କଙ୍ଗୋଦ ସାଗରର କିଛି ଅଂଶକୁ ରକ୍ତିମ କରିଦେଉଛି । ଆଉ ପୁଣି ଧର୍ମ ? ଧର୍ମର ଦ୍ୱାହିଦେଇ ଗୋଟାଏ ଜାତିର ସର୍ବନାଶ ହେଲାପରେ ଆଉ ପୁଣି ସେହି ନାମକୁ ଉଚ୍ଚାରଣ କରିବା ପାପ ନୁହେଁ କି ? ଆପଣଙ୍କର କୌଣସି କଥା ଶୁଣିବାକୁ ଏକା ମୁଁ ନୁହେଁ, ସାରା କଳିଙ୍ଗ ଆଜି ପ୍ରସ୍ତୁତ ନୁହେଁ । ଆଜି ମୁଁ ନିଜକୁ ପ୍ରସ୍ତୁତ କରୁଛି କଳିଙ୍ଗ ଗ୍ରାମ ନଗରର ପ୍ରତି ଦ୍ୱାରେଦ୍ୱାରେ ନିଦାଭରଣ ମୋର ଏହି ହସ୍ତ ଦୁଇଟିକୁ ଦେଖାଇ ଅନୁନୟ କରିବି, ଗତକୁ ପଛରେ ପକାଇ ଭାଇଭଉଣୀମାନେ ସମସ୍ତେ ଛୁଟିଚାଲି ମାଗଧିର ସେହି ବିପୁଳ ସୈନ୍ୟବାହିନୀ ସମ୍ମୁଖକୁ, ଆଉ ତା’ର ସେହି ଅଗ୍ନି ଉଦଗାରିଣୀ ତୋପ ଗୁଡ଼ିକର ମୁହଁକୁ । ଧର୍ମ ଅପେକ୍ଷା ବଡ଼ ଆମ ପାଖରେ ଜାତି । ଜାତିପାଇଁ ଜନ୍ମଭୂମିପାଇଁ ଜୀବନଦେବା ଏ ଜାତିର ଧର୍ମ । ସେହି ଗୋଟିଏ ଧର୍ମ ଛଡ଼ା ଏ ଜାତିର ଆଉ ଦ୍ଵିତୀୟ ଧର୍ମ ନାହଁ । ସେହି ଗୋଟିଏ ଧର୍ମର ଡିଣ୍ଡିମ ବଜାଇ ଧନୁର୍ବାଣ, ଖଡ଼୍‍ଗ, ଗର୍ଚ୍ଛାଦିଦ୍ୱାରା ଆକ୍ରମଣ କରିବା ମାଗଧିର ସୈନ୍ୟବାହିନୀକୁ । ଦେଖିବା ମାଗଧିର ଧମନୀରେ ଅଧିକ ଉଷ୍ମରକ୍ତ ପ୍ରବାହିତ ହେଉଛି, ନା କଳିଙ୍ଗର ।

 

କ୍ଷାନ୍ତି ହୁଅ ବତ୍ସେ ! ଏଭଳି କଥା ତୁମ ମୁହଁରେ ପୁଣି କଳିଙ୍ଗର ସାମ୍ରାଜ୍ଞୀଙ୍କ ମୁହଁରେ ଶୋଭାପାଏନାହିଁ । ତୁମ ପୂର୍ବରୁ ମୁଁ କଳିଙ୍ଗର ବିଭିନ୍ନ ଅଞ୍ଚଳ ବୁଲି ଦେଖିଆସିଛି । ଦେଖିଆସିଛି ସ୍ୱାମୀ, ପୁତ୍ର, ପିତା, ପରିଜନମାନଙ୍କୁ ହରାଇ ସମଗ୍ର କଳିଙ୍ଗ କିପରି ଶୋକଚ୍ଛ୍ୱାସରେ ଆତ୍ମହରା ହୋଇଉଠୁଛି । ଆଉ ବୀର ସନ୍ତାନମାନଙ୍କୁ ହରାଇ କଳିଙ୍ଗ କିପରି ଅବୀରା ହୋଇପଡ଼ିଛି । ତଥାପି, ତଥାପି କଳିଙ୍ଗରେ ବଞ୍ଚି ରହିଥିବା ଆବାଳବୃଦ୍ଧବନୀତା ବିହାରଗୁଡ଼ିକ ମଧ୍ୟରେ ଓ ସ୍ତୂପଗୁଡ଼ିକ ପାଖରେ ଏକତ୍ରିତ ହେଇ ସେହି ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହେଉଛନ୍ତି, ଧର୍ମ, ସଂଘର ଆଶ୍ରୟ ନେଉଛନ୍ତି । ଏଭଳି ଅଭୂତପୂର୍ବ ଦୃଶ୍ୟ ଦର୍ଶନକରି ମୁଁ ଉଦବେଳିତ ହୋଇଯାଇଛି । ମୋର ଧାରଣା ହୋଇଛି ତଥାଗତ ବୁଦ୍ଧ ମୁଖ୍ୟତଃ ଏହି କଳିଙ୍ଗଭୂମିରେ ଯେପରି ଅସ୍ଥାନ ଜମାଇ ବସି ରହିଛନ୍ତି, ତାଙ୍କ ପ୍ରଚାରିତ ଧର୍ମ ଯେପରି କାଳିଙ୍ଗୀଙ୍କ ଅସ୍ତିମଜ୍ଜାଗତ ହୋଇଯାଇଛି । ତେଣୁ ମୋର ହୃଦବୋଧ ହୋଇଛି ଏ ଯୁଦ୍ଧରେ କଳିଙ୍ଗ ପରାଜିତ ହୋଇନାହିଁ । ଲକ୍ଷ ଲକ୍ଷ କଳିଙ୍ଗ ବୀର ମୃତ୍ୟୁବରଣ କରିଛନ୍ତି । ବହୁ ଲକ୍ଷ ଲୋକ କ୍ଷତବିକ୍ଷତ ହୋଇଛନ୍ତି, କେତେ ବି ବୋଇତ ଧରି ବିଦେଶରେ ଜୀବିକା ନିର୍ବାହ କରି ବଞ୍ଚିବାକୁ ପଳାଇ ଯାଇଛନ୍ତି ! କେହି ଧର୍ମ ଛାଡ଼ିନାହିଁ କିମ୍ବା ଅବନତ ମସ୍ତକରେ ମାଗଧିର ଶରଣାପନ୍ନ ହୋଇନାହିଁ, ଏପରିକି ବନ୍ଦୀ ହୋଇଥିବା କଳିଙ୍ଗ ସୈନ୍ୟ ଅର୍ଦ୍ଧଭୁକ୍ତ ଅବସ୍ଥାରେ ବି ମସ୍ତକ ଉନ୍ନତ କରି ସମ୍ମାନ ନେଇଜାଣିଛି । କୌଣସି କଳିଙ୍ଗ ସୈନ୍ୟ ନିଜର ଓଷ୍ଠ ଦଂଶନପୂର୍ବକ ସମୟକୁ ଅପେକ୍ଷା କରି ରହିଛନ୍ତି, ତଥା ଜନ୍ମଭୂମିର ମର୍ଯ୍ୟାଦା କ୍ଷୁଣ୍ଣ କରିନାହିଁ । ମାଗଧି ସୈନ୍ୟମାନେ ଯଦି ଆଗ୍ନେୟ ଅସ୍ତ୍ର ଉପରେ ନିର୍ଭର ନ କରି କଳିଙ୍ଗ ବୀରଙ୍କ ତରବାରି ଧାର ପରୀକ୍ଷା କରିବାକୁ ଖଡ଼୍‍ଗ ଧାରଣ କରିଥାନ୍ତେ, ତେବେ ସେମାନେ ନିଶ୍ଚିହ୍ନ ହୋଇଯାଇଥାନ୍ତେ । ଏହିସବୁ ବିଷୟ ଦେଖି ଜାଣି କେହି କ’ଣ କହିପାରେ କଳିଙ୍ଗର ଭୟାବହ ଯୁଦ୍ଧରେ କଳିଙ୍ଗୀ ପରାଜିତ ହୋଇଛି ବୋଲି ।

 

ଆପଣ ଯଥାର୍ଥ କହିଛନ୍ତି ! ସ୍ୱାମୀ, ପିତା, ପୁତ୍ର, ପରିଜନଙ୍କୁ ହରାଇ କଳିଙ୍ଗ ଶୋକୋଚ୍ଛ୍ୱାସରେ ଜର୍ଜରିତ । କଳିଙ୍ଗର ସମ୍ରାଟ ଯୁଦ୍ଧ କ୍ଷେତ୍ରରେ ପ୍ରାଣତ୍ୟାଗ କଲାପରେ ସେମାନଙ୍କର ଆଉ ସାହାଭରସା କିଏ ଅଛି ? ଧର୍ମ ଛଡ଼ା ସେମାନେ ଆଉ କାହା ଉପରେ ଭରସା ରଖିବେ ? ମାତ୍ର ସେ ଭରସା କ’ଣ ଗୋଟାଏ ବୀରର ଭରସା ? ସେହି ଭରସା କ’ଣ ବୀରଭୂମି କଳିଙ୍ଗକୁ ବଞ୍ଚାଇପାରିବ ?

 

ହଁ ମା’ ! ବଞ୍ଚାଇପାରିବ, ନିଜେ ମଗଧାଧିପତି ଅଶୋକ ଯୁଦ୍ଧରେ ଜୟଲାଭ କଲେ ମଧ୍ୟ ପରାଜିତଙ୍କ ଭଳି ବ୍ୟତିବ୍ୟସ୍ତ । ଦୀର୍ଘ ସମୟ ତାଙ୍କ ସହିତ ମୁଁ କଥୋପକଥନ କରିଛି । ସେ ସ୍ପଷ୍ଟ ମୋତେ କହିଛନ୍ତି, କଳିଙ୍ଗ ବୀରଙ୍କ ବୀରତ୍ୱ ଦର୍ଶନକରି ମୋର ସମସ୍ତ ଅହମିକା କଟିଯାଇଛି । ମୁଁ ଅନୁଭବ କରିଛି, ସେମାନଙ୍କ ବୀରତ୍ଵର ମୁଁ କୌଣସି ମର୍ଯ୍ୟାଦା ଦେଇନାହିଁ । ଆଗ୍ନେୟାସ୍ତ୍ରରେ ଅଶିକ୍ଷିତ ଏକ ଉନ୍ମତ୍ତ ଯୋଦ୍ଧା ଜାତି ପ୍ରତି ଆଗ୍ନେୟାସ୍ତ୍ର ପ୍ରୟୋଗ କରି ଯେଉଁ ଅମାନୁଷିକ କାର୍ଯ୍ୟ କରିଛି, ତାହା କେବେ କୌଣସି କାଳରେ ଲୋକ-ଜଗତର ଧେୟ ହେବନାହିଁ । ସେଥିପାଇଁ ମୁଁ ଅନୁତପ୍ତ ।

 

କେବଳ ଏତିକି ନୁହେଁ, ସେ ଆହୁରି କହିଛନ୍ତି, ଯୁଦ୍ଧକ୍ଷେତ୍ରରେ କଳିଙ୍ଗାଧିପତିଙ୍କର ମୃତ୍ୟୁ ହେଲା ପରେ ରାଣୀ ‘କାରୁବାକୀ’ ଅଶ୍ଵାରୋହଣ କରି ଯେଉଁଭଳି ବୀର ବିକ୍ରମରେ ତୀରଭଳି ତାଙ୍କ ବ୍ୟୁହ ଭେଦକରି ମଗଧର ଶିକ୍ଷିତ ସୈନ୍ୟଙ୍କୁ ଭୂଲୁଣ୍ଠିତ କରିଦେଉଥିଲେ ତାହା ଯୁଗ ଯୁଗ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲେଖା ରହିବ । ତାଙ୍କର ଯୁଦ୍ଧ କୌଶଳ ତଥା ଅସ୍ତ୍ରଚାଳନା ପ୍ରଦର୍ଶନ କରି ମୋର ମସ୍ତକନତ ହୋଇଯାଇଛି । ତୋଷାଳୀ ଉପକଣ୍ଠରେ ପ୍ରବାହିତ ଚିତ୍ରୋତ୍ପଳାର ସ୍ୱଚ୍ଛନୀର ଯେଉଁଭଳି ରକ୍ତିମ ହୋଇଯାଇଛି, ତାହା ଦେଖି ମୋର ହୃଦୟ ଦ୍ରବୀଭୂତ । ପୁଣ୍ୟତୋୟା ଚିତ୍ରୋତ୍ପଳାର ପବିତ୍ର ଜଳକୁ ଅନ୍ୟାୟ ଯୁଦ୍ଧରେ କଳୁଷିତ କରିଥିବା ହେତୁ ତା’ର ନାମ ଅଶୋକ ରଖିଛନ୍ତି, ଦୟା । ସେହି ପବିତ୍ର ନୀର ସ୍ପର୍ଶକରି ସେ ପ୍ରତିଜ୍ଞା କରିଛନ୍ତି, ସେ ଆଉ କେବେ ଏଭଳି ଅମାନୁଷିକ କାର୍ଯ୍ୟ କରିବେନାହିଁ । ପୂର୍ବର ଚଣ୍ଡାଶୋକ ଦୟାର ଏକ ମୂର୍ତ୍ତିମନ୍ତ ରୂପ ଧାରଣକରି ବସିଛନ୍ତି । କଳିଙ୍ଗୀଙ୍କ ରକ୍ତଧାର ସହିତ ତାଙ୍କ ଚକ୍ଷୁର ଲୁହ ଏକ ହେବାପାଇଁ ଗଡ଼ିଚାଲିଛି ।

 

ତାହାହେଲେ ଦୟାକୁ ଅଶୋକ କ’ଣ କଳିଙ୍ଗ ଭୂମିରେ କିଛି ବାର୍ତ୍ତା ପ୍ରଚାର କରିବାକୁ ଚାହାନ୍ତି ?

 

ନା ! ସମ୍ରାଟ ଅଶୋକ ଚାହାନ୍ତି କଳିଙ୍ଗର ବାର୍ତ୍ତା ଦେଶ ବିଦେଶରେ ପ୍ରଚାର କରି ନିଜ କୃତକର୍ମର ପ୍ରାୟଶ୍ଚିତ୍ତ କରିବାକୁ ।

 

ତାହାହେଲେ ତୋଷାଳୀ ଉପକଣ୍ଠରେ ଧଉଳୀ ନିକଟରେ ଛାଉଣୀ ପକାଇ ଆଉ ଅଧିକ କ୍ଷଣ ରହିବା ତାଙ୍କର କିବା ଆବଶ୍ୟକ ?

 

ତାଙ୍କର ଶିକ୍ଷାଭୂମି ତଥା ଦୀକ୍ଷାଭୂମି କଳିଙ୍ଗରୁ ଫେରିଯିବା ପୂର୍ବରୁ ସେ ଚାହାନ୍ତି କଳିଙ୍ଗର ସେହି ବୀରନାରୀ କାରୁବାକୀଙ୍କୁ ଦର୍ଶନ କରିବାକୁ । ଆଉ ତାଙ୍କ ହୃଦୟର ପବିତ୍ରତାରେ ଅବଗାହନ କରି ନିଜକୁ ପବିତ୍ର କରି ତୋଳିବାକୁ ।

 

ତାହାର ଅନ୍ୟ ଅର୍ଥ ନୁହେଁ ତ କଳିଙ୍ଗର ଭୂତପୂର୍ବ ସାମ୍ରାଜ୍ଞୀକୁ ଅନ୍ତଃପୁରବାସିନୀ କରିବା-?

 

ନା, ସେଭଳି ଦୁଶ୍ଚିନ୍ତା କଥା ମୋ ନିକଟରେ ସେ ମୋଟେ ପ୍ରକାଶ କରିନାହାନ୍ତି । ବୋଧେ ଭୁଲିଯାଉଛି ବତ୍ସେ ! ଉପଗୁପ୍ତର ଅଶୋକଙ୍କଠାରୁ ଅଧିକ କାରୁବାକୀଙ୍କର ଆପଣାର । ଯଦି କଳିଙ୍ଗରେ ବୌଦ୍ଧଧର୍ମର ଉତ୍‌ଥାନ ହେଉଥାଏ, ତାହାହେଲେ ତାହା କେବଳ ଧର୍ମପ୍ରାଣା କାରୁବାକୀଙ୍କ ପାଇଁ ସମ୍ଭବ ହୋଇଛି । ତା’ ନହେଲେ ଜୈନଧର୍ମ ତ୍ୟାଗକରି କଳିଙ୍ଗର ରାଜବଂଶ କ’ଣ ବୌଦ୍ଧଧର୍ମ ଦୀକ୍ଷିତ ହୋଇଥାନ୍ତେ ?

 

-“ନା ପ୍ରାଜ୍ଞ ! ଆପଣ ବୋଧେ ଜାଣିନାହାନ୍ତି ଲୋକମୁଖରେ ଯାହା ପ୍ରଚାର ହୋଇଛି ।”

 

-“ଉପଗୁପ୍ତ ସବୁ ଜାଣିଛି ମା’ ! ଲୋକମୁଖରେ ପ୍ରଚାର ହୋଇଛି କାରୁବାକୀଙ୍କ ଅପରୂପ ସୌନ୍ଦର୍ଯ୍ୟ କଥା ଅଶୋକ ଶ୍ରବଣ କରି ତାଙ୍କୁ ପାଇବା ଆଶାରେ କଳିଙ୍ଗ ଆକ୍ରମଣ କରିଛନ୍ତି; କିନ୍ତୁ ଏହି କଥା ସତ୍ୟ ନୁହେଁ ବୋଲି ମନେହୁଏ । ତାହା ହୋଇଥିଲେ ଯୁଦ୍ଧରେ କଳିଙ୍ଗକୁ ପଦାନତ କଲାପରେ ବଳାତ୍କାରେ ତାଙ୍କୁ ବନ୍ଦୀ କରିନେଇଥାନ୍ତେ । ଆଉ ବଳାତ୍କାରେ ସତୀତ୍ୱ ଲୁଣ୍ଠନ କରିଥାନ୍ତେ । ହୋଇପାରେ ତାଙ୍କର ସେ ଇଚ୍ଛା ପୂର୍ବେ ଥିଲା । କିନ୍ତୁ ଆଜି ଆଉ ତାହା ନାହିଁ । ଚଣ୍ଡାଶୋକ ହୋଇ ରହିନାହିଁ । ଚଣ୍ଡାଶୋକର ହୃଦୟ କଳିଙ୍ଗିଙ୍କ ଦୁଃଖରେ ଦ୍ରବିଭୂତ ହେଲା ପରେ ଆଉ କ’ଣ ସେ ପାଶବିକ ଚିନ୍ତା ତାଙ୍କ ହୃଦୟରେ ରହିପାରେ ?

 

-“କାହିଁକି, କାରୁବାକୀ ଅପେକ୍ଷା ଧର୍ମଜ୍ଞ ବହୁ ପ୍ରାଜ୍ଞ ମହାପ୍ରାଜ୍ଞ ଅଛନ୍ତି । ସେମାନଙ୍କ ସହିତ ଆଲୋଚନା କରି ଧର୍ମର ପରିପ୍ରଚାର ବେଶ ସୁନ୍ଦରଭାବେ ତ ହୋଇପାରିବ ? ଧର୍ମପ୍ରାଣ ଅଶୋକ କାରୁବାକୀଙ୍କ ସାହଚର୍ଯ୍ୟା ଚାହିଁବା ଏକ ପ୍ରମାଦପୂର୍ଣ୍ଣ କଥା ନୁହେଁ କି ?”

 

-“ଭୁଲିଯାଉଛ ବତ୍ସେ ! ଧର୍ମପାଇଁ ସବୁକିଛି ବଳିଦେବାକୁ ତୁମେ ଅତୀତରେ ପ୍ରତିଜ୍ଞା କରିଛ । ଜଣେ ଶ୍ରମଣ ଅପେକ୍ଷା ରାଜକାର୍ଯ୍ୟ ନିପୁଣା ଧର୍ମପ୍ରାଣା ରାଜମହିଷୀର ସାହଚର୍ଯ୍ୟା ସମ୍ରାଟ ଅଶୋକଙ୍କ ପକ୍ଷେ ଅଧିକ ଆବଶ୍ୟକ ନୁହେଁ କି ?”

 

-“ପ୍ରଳୟଙ୍କରୀ ଯୁଦ୍ଧରେ ସ୍ୱାମୀ ଯାଇଛନ୍ତି, ପୁତ୍ର ବି ଯାଇଛି-ଆଉ ବାକି ରହିଛି ସ୍ୱାମୀପୁତ୍ରହରା ଗୋଟାଏ ବିଧବା । ଅହିଂସାର ମହାମନ୍ତ୍ର ଦୀକ୍ଷିତ ହୋଇ ଶତ୍ରୁର ଉଦ୍ୟତ ଅସ୍ତ୍ରକୁ ପ୍ରତିହତ କରିବା ଛଡ଼ା ଯେଉଁ ଜାତି ଶତ୍ରୁର ପ୍ରାଣନାଶ କରିବାକୁ ପଛାଇଯାଏ ସେହି ଜାତିର ଗୋଟାଏ ନାରୀ ସେ ହେବ ଯୁଦ୍ଧଜୟୀ ଅଶୋକର ମନ୍ତ୍ରଣାଦାତ୍ରୀ । କ’ଣ କହୁଛନ୍ତି ଆପଣ ? ଆପଣ କ’ଣ ଭାବିପାରୁନାହାଁନ୍ତି ଗୋଟାଏ ସର୍ବହରା ଉଲଗ୍ନ ନାରୀ କଥା ! ଯେ ନିର୍ଦ୍ଧନ । ସ୍ୱାମୀହରା ଅନାବୃତା ସେଭଳି ଏକ ରମଣୀ ସ୍ୱାମୀହନ୍ତା କୌଣସି ଧନଶାଳୀ ବ୍ୟକ୍ତିକୁ ଆଦର କରିପାରେ ! ମାତ୍ର ଯେ ସ୍ୱାମୀର ଅତିପ୍ରିୟ ଥିଲା ଆଉ ଯେ ମହାନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଏକ ବିରାଟ ଭୂଖଣ୍ଡର ଅଧିକାରିଣୀ-ତା’ପକ୍ଷେ ଏଭଳି ପ୍ରସ୍ତାବ କେତେଦୂର ଗ୍ରହଣୀୟ ? ଆପଣ ଧର୍ମପାଇଁ ସବୁ ବଳି ଦେଇଥିଲେ ମଧ୍ୟ ରାଜପରିବାରରେ ଜନ୍ମଗ୍ରହଣ କରିଛନ୍ତି । ରାଜ୍ୟ ଧନ ସମ୍ପଦ ତ୍ୟାଗ କରିଥିଲେ ମଧ୍ୟ ଏକଦା ସେଥିପାଇଁ ପ୍ରବଳ ଆକାଂକ୍ଷା ଆପଣଙ୍କର ଥିଲା । ଆପଣ ଚିନ୍ତାକରି ଦେଖନ୍ତୁ ହିଂସାର ଦାବାନଳରେ ଦଗ୍‌ଧିଭୂତା ଶୋକସନ୍ତପ୍ତା ଗୋଟାଏ ନାରୀ କ’ଣ ପାରିବ ତା’ର ସର୍ବସ୍ୱ ହରଣକାରୀ ଅଶୋକଙ୍କୁ ସତ୍ୟ ଅହିଂସାପଥରେ ପରିଚାଳିତ କରି ?”

 

-“ପାରିବ ମା’ ! ତୁମେ ସବୁ ହରାଇ ଯେଉଁଭଳି ଶୋକ ସନ୍ତପ୍ତା, ସେ ପାଇ ମଧ୍ୟ ତୁମଠାରୁ ଅଧିକ । ମହାନଦୀଠାରୁ ଗୋଦାବରୀ ପର୍ଯ୍ୟନ୍ତ ଗୋଟାଏ ଜାତି ତୁମ ଆଦେଶ ଶିରଧାର୍ଯ୍ୟ କରୁଥିଲା-କିନ୍ତୁ ଏଠାରେ ସମଗ୍ର ଭାରତ ତୁମ ଆଦେଶ ମାନିବାକୁ ବାଧ୍ୟହେବ । ଏଠାରେ ମଧ୍ୟ ଅଶୋକ ଭଳି ଏକ ମହାନବ୍ୟକ୍ତିର ସହୃଦୟତା ପାଇବ ବୋଲି କୌଣସି ବସ୍ତୁ ତୁମ ପାଖରେ ରହିବ ନାହିଁ ।”

 

-“ଆପଣ ମୋର ପୂଜ୍ୟ, ପିତୃ ସ୍ଥାନୀୟ, ଧର୍ମ ଉପଦେଶ ଦାତା-ଆପଣ ଏ କ’ଣ କହୁଛନ୍ତି ? କଳିଙ୍ଗର ଇତିହାସକୁ କଳଙ୍କିତ କରି କଳିଙ୍ଗର ବିଧବାରାଣୀ ହେବ ତାହାରି ସ୍ୱାମୀହନ୍ତାର ସୋହାଗିନୀ ? ଏହା କ’ଣ ସମ୍ଭବ-ପୁଣି ଆପଣଙ୍କ ଭଳି ଜଣେ ବିଜ୍ଞବ୍ୟକ୍ତିଙ୍କ ବିଚାରରେ । ଆପଣ ପ୍ରକୃତିସ୍ଥତ ?”

 

-“ହଁ ମା’ ! ଧର୍ମ ପାଇଁ ସବୁ ସମ୍ଭବ । ତୁମେ ତୁମ କଥା ହିଁ କେବଳ ଭାବୁଛ, ଥରେ ଏ ଉପଗୁପ୍ତ କଥା ଭାବିଛ କି ? ତା’ ମଧ୍ୟରେ ଯେଉଁ ଅନ୍ତର୍ବାହ ହେଉଛି ତୁମେ କ’ଣ କେବେ ତା’ର କିଛି ସନ୍ଧାନ ପାଇଛ ? ଅଶୋକ ସମ୍ରାଟ କିନ୍ତୁ ଉପଗୁପ୍ତ ଭିକାରି । ଭିକାରି ହେବା ଛଡ଼ା ତା’ର ଅନ୍ୟ କିଛି ଉପାୟ ନଥିଲା । ରାଜ୍ୟପ୍ରାପ୍ତି ଆଶାରେ କିଛି କାଳ ଅପେକ୍ଷା କଲି । କଲି ମଧ୍ୟ ବିମ୍ବିସାର ଆଉ ତାଙ୍କ ପୁତ୍ର ଅଶୋକଙ୍କ ଅଧୀନରେ ଚାକିରି ଏକ ସେନାଧ୍ୟକଭାବେ । କିନ୍ତୁ କେତେଦିନ-କେତେଦିନ ଉପଗୁପ୍ତ ଗୋଲାମୀ କରିପାରିବ । କେତେଦିନ ନିଜର ବିବେକକୁ ବନ୍ଦି ଦେଇ ଅଭିଶପ୍ତ ପରି କାଳ କାଟିବ । ଶେଷରେ ବାଧ୍ୟହେଲେ ଅହିଂସା ମନ୍ତ୍ରରେ ନିଜକୁ ଦୀକ୍ଷିତ କରି ଶ୍ରମଣ ହେବାକୁ । ତଥାପି ଯେତେବେଳେ ସେହିକଥା ଏ ମନ ମଧ୍ୟରେ ଚେଇଁଉଠେ ସେତେବେଳେ ହୃଦୟ ଆକୁଳରେ ବିଳାପ କରିଉଠେ । ଉପଗୁପ୍ତ ହତବୀର୍ଯ୍ୟ ନଥିଲା । ତା’ର ସୃଷ୍ଟିବଦ୍ଧ କରବାଳ ଚାଳନାରେ ସ୍ଫୁଲିଙ୍ଗ ବି ସୃଷ୍ଟି ହେଉଥିଲା । ମାତ୍ର ବିମ୍ବିସାର ବା ଅଶୋକ ମୌର୍ଯ୍ୟଙ୍କ ବିରୁଦ୍ଧରେ ଅସ୍ତ୍ରଚାଳନା କରିବାର ଶକ୍ତି କାହାର ଅଛି ? ବିଧି ଯେତେବେଳେ ତାଙ୍କର ଅନୁକୂଳ ସେତେବେଳେ କାହାର ସାଧ୍ୟ ଅଛି କିଏ ବା କ’ଣ କରିପାରିବ । ତୁ ମା’ ! ମୋର କନ୍ୟାଭଳି । ତୋତେ ବା ଆଉ ଅଧିକ କ’ଣ କହିବି ସବୁ ତ୍ୟାଗ କରି ଧର୍ମ ପାଇଁ ଆମେ ଏକତ୍ର ହୋଇଛୁ । ଯଦି ପରଜନ୍ମ ଥାଏ ତେବେ ସେ ଜନ୍ମରେ ମୁଁ ମଧ୍ୟ ତୁମର ପୁତ୍ର ହୋଇପାରେ । ସବୁ ତଥାଗତଙ୍କର ଇଚ୍ଛା । ଆଉ ମା’ ! ସେହି ଗତ ବିଗତ ଦିନକୁ ଫେରିଯାଇ ଆମର କୌଣସି ଲାଭ ହେବ ନାହିଁ । ଅତୀତକୁ ଏ ହୃଦୟର ଅତଳ ଗର୍ଭରେ ସମାଧି ଦେଇଚାଲ ମା’ ! ନୂତନର ଆମନ୍ତ୍ରଣରେ । ଭୁଲିଯାଅ ତୁମେ କିଏ ଥିଲ, କ’ଣ ତୁମର ହେଲା ବୋଲି । ଯାହା ସତ୍ୟ, ଯାହା ଚୀରନ୍ତନ, ତାହାହିଁ ହେଉ ଆମର ଧେୟ । ତାହାରି ପାଇଁ ଯାହାକିଛି ଆବଶ୍ୟକ ତାହା ଅମ୍ଳାନ ବଦନରେ କରିଯିବା । ଫଳରେ ତଥାଗତଙ୍କ ପ୍ରଚାରିତ ଧର୍ମର ପ୍ରସାର ହେବ । ତଥାଗତଙ୍କର ସେହି ଅମରବାଣୀ ଗୁହରରେ ସ୍ପଷ୍ଟଭାବେ ଶୁଣାଯିବ ।”

 

-“କାରୁବାକୀ ସବୁ ଶୁଣିଛି । କିନ୍ତୁ ଆଜି ତା’ କାନରେ କିଛି ଶୁଭୁନାହିଁ । ଶୁଭୁଛି ସେହି ଗୋଟିଏ କଥା ‘ପ୍ରତିହିଂସା’ ମଗଧର ଚଣ୍ଡସମ୍ରାଟ ମୋର ସ୍ୱାମୀ ପୁତ୍ରଙ୍କୁ ହତ୍ୟା କରୁଛି । ମୋ ରାଜ୍ୟର ଲକ୍ଷେକରୁ ଅଧିକ ହେବ ବଧ କରିଛି–ଦେଢ଼ ଲକ୍ଷରୁ ଅଧିକ ଲୋକଙ୍କୁ ବନ୍ଦୀ କରି ରଖିଛି–ଅସଂଖ୍ୟ ଲୋକ କ୍ଷତ ବିକ୍ଷତ ହୋଇ ମର୍ମାନ୍ତୁଦ ପୀଡ଼ା ପାଉଛନ୍ତି । ସେହିଭଳି ବହୁ ସାଧାରଣ ନୀରିହ ଲୋକ ତାଙ୍କ ଜୀବନ ରକ୍ଷାପାଇଁ କଳିଙ୍ଗରୁ ବିଭିନ୍ନ ରାଜ୍ୟକୁ ପଳାୟନ କରିଛନ୍ତି । ଚାଲିଯାଇଛନ୍ତି କଳିଙ୍ଗାଧିପତି–ସବୁ ଚିନ୍ତାରୁ ସବୁ କର୍ତ୍ତବ୍ୟରୁ ମୁକ୍ତି ପାଇଯାଇଛନ୍ତି ସେ । କିନ୍ତୁ ମୁଁ ! ଆଜି ରାକ୍ଷସୀ ସମସ୍ତଙ୍କୁ ଖାଇ ବଞ୍ଚିରହି ନରକ ଯନ୍ତ୍ରଣାରେ ଛଟପଟ ହେଉଛି । ଏଥିରୁ ମୁକ୍ତି ପାଇବାପାଇଁ ଯଦି ଅଶୋକର ମୁଣ୍ଡଟାକୁ, ଅଶୋକର ବଂଶକୁ, ଅଶୋକର ରାଜ୍ୟକୁ ଟିକି ଟିକି କରି କାଟି ତା’ର ରକ୍ତକୁ ଆକଣ୍ଠ ପାନ କରେ ତେବେ ଯଥେଷ୍ଟ ବୋଲି ଭାବିବି ନାହିଁ । ପାରିବି ନାହିଁ, ମୁଁ କେବେ ପାରିବି ନାହିଁ ଏ ଜ୍ଵଳା ସହ୍ୟ କରି । ଅଶୋକର ମନ୍ତ୍ରଣାଦାତ୍ରୀ ହେବାପାଇଁ କାରୁବାକୀକୁ ଆଉ ଅନୁରୋଧ କରନ୍ତୁ ନାହିଁ । ତା’ର ଏଡ଼େ ବଡ଼ ତ୍ୟାଗ କରିବାର ଶକ୍ତି ।”

 

-“ମୁଁ ଲକ୍ଷ୍ୟ କରି ଦେଖିଛି ସେଭଳି ଶକ୍ତି ଏକମାତ୍ର କାରୁବାକୀ ରହିଅଛି । ଅଶୋକ ଭଳି ଏକ ଦୁର୍ଦ୍ଦାନ୍ତହସୀକୁ କେହି ନଦି ଶାସନ କରିପାରେ ସେ ହେଉଛି ଏକା କାରୁବାକୀ । ତଥାଗତ ବୁଦ୍ଧ ସର୍ବଲୋକର ମୁକ୍ତି ପାଇଁ ଅବତୀର୍ଣ୍ଣ ହୋଇଥିଲେ । ସେ ଯେଉଁ ବାଣୀ ପ୍ରଚାର କରିଯାଇଛନ୍ତି ତାହାର ପ୍ରସାର ପାଇଁ ଆବଶ୍ୟକ ରାଜଶକ୍ତି । ଅଶୋକଙ୍କୁ କବଳିତ ନକଲେ ସେ ରାଜଶକ୍ତି ପାଇବା କେଉଁଠୁ ? ସେ ରାଜଶକ୍ତି ଓ ତାକୁ କବଳିତ କରିବାର ଯଦି ଶକ୍ତି କାହାରିଥାଏ ତାହାହେଲେ ସେ ଶକ୍ତି ଅଛି କେବଳ ତୋହରି । ତୋର ବୁଦ୍ଧି ଅଛି, ସାହସ ବି ଅଛି । ଆଉ ପ୍ରତିହିଂସା-ପ୍ରତିଶୋଧ ନେବାର ଏକମାତ୍ର ପଥ କ’ଣ ଯୁଦ୍ଧରେ ତା’ ମସ୍ତକ ଭୁଲୁଣ୍ଠିତ କରିବାରେ ସମଗ୍ର କଳିଙ୍ଗ କାହିଁକି ଯଦି ସମଗ୍ର ଦକ୍ଷିଣ ଭାରତ ଏକତ୍ରୀତ ହୁଏ ତେବେ ମଧ୍ୟ ଅଶୋକକୁ ପରାଜିତ କରିବା ସମ୍ଭବ ନୁହେଁ । ଆଗ୍ନେୟାସ୍ତ୍ର ସମ୍ମୁଖରେ ତୁମ ଖଡ଼୍‌ଗର ତୀକ୍ଷ୍‌ଣଧାର କେତେ ସମୟ ତିଷ୍ଠି ପାରିବ ? ମୁଁ ସେହି ଗୋଟିଏ ମାତ୍ର ପଥ ଦେଖୁଛି, ଯେଉଁ ପଥରେ ସବୁ କାମନା ବାସନାର ପରିସମାପ୍ତି ଆଣି ଧର୍ମକୁ ସୁଦୂର ପ୍ରସାର କରିପାରିବ ।

 

-“ଏ କ’ଣ କହୁଛନ୍ତି ଆପଣ ? କଳିଙ୍ଗର ବୀରନାରୀ ପ୍ରତିହିଂସା ନେବାପାଇଁ ଆଉ କ’ଣ କିଛି ପଥ ପାଇପାରିବ ନାହିଁ ଯେ ସେ ଆଶ୍ରୟ କରିବ ଗୋଟାଏ ଘୃଣ୍ୟ ସଂକୀର୍ଣ୍ଣ ପଥକୁ । ତା’ଦ୍ଵାରା ଲୋକେ କ’ଣ କହିବେ, ଜଗତ କ’ଣ କହିବ ? ଭଲପାଇବାର ଅଭିନୟ ଦେଖାଇ କାରୁବାକୀ ଅଶୋକର ବିଶ୍ଵାସରେ ବିଷ ଭରିଦେଲା । ଏହି ଦୁର୍ନାମ ସେ ଚିରଦିନ ଯାହା ମୁଣ୍ଡାଇ ରହିବ ସିନା । ଆଉ ତାହାନହେଲେ ଅଶୋକକୁ ଭଲପାଇବା କଥା-ଏହା କ’ଣ କେବେ ସମ୍ଭବ ମୋ ପକ୍ଷରେ ? ସ୍ୱର୍ଗରେ ମୋର ସ୍ଵାମୀଙ୍କର ଆତ୍ମା କ’ଣ କହିବ ମୋତେ । କ’ଣ କହିବ ଏ ଜାତିର ଇତିହାସ ?”

 

-“ଇତିହାସ ଯେ ଅନୁଧ୍ୟାନ କରିବ ସେ ନିଶ୍ଚୟ ଦେଖିବ ଯେଉଁ ବ୍ୟକ୍ତି ଅନ୍ୟାୟରେ ଗୋଟାଏ ଜାତିର ସର୍ବନାଶ କରିଗଲା, ତା’ର ସର୍ବନାଶ ପାଇଁ ସେହି ଜାତିର ଗୋଟାଏ ଲଳନା ଉଚିତ୍ ପ୍ରତିଶୋଧ ନେଇଛି । ସେହି ପ୍ରତିଶୋଧ ନେବାପାଇଁ ଭଲପାଇବାର ଅଭିନୟ ଦେଖାଇବା ଛଡ଼ା ଆଉ କ’ଣ ବା ସେ ଦେଖାଇପାରେ ? ତୁମେ ନିଜେ ନର୍କଗାମୀ ହୁଅପଛେ ଧର୍ମପାଇଁ, ଜାତିପାଇଁ ତୁମକୁ କରିବାକୁ ହେବ । ଆଜି ତୁମ ଆଖିରୁ ଲୁହ ବୋହୁଛି; କିନ୍ତୁ ଏ ଲୁହ ଆଖିରୁ ନ ବୋହି ହୃଦୟରୁ ବୋହୁ । ଆଜିପର୍ଯ୍ୟନ୍ତ ତୁମର ବାହାର ଭିତର ଏକ ହୋଇଆସିଥିଲା; ମାତ୍ର ଗୋଟାଏ ବିରାଟ ଜାତୀୟସ୍ଵାର୍ଥ ପାଇଁ ତାହା ଭିନ୍ନ ହେଉ । ଭିତରଟା ବିଷଧର ନାଗୁଣୀ ଭଳି ସବୁବେଳେ ସତର୍କ ଥାଉ ସୁଯୋଗ ପାଇଲେ ଚୋଟ ମାରିବାପାଇଁ, ଆଉ ବାହାରଟା ଠିକ୍ ବିପରୀତ ହେଉ ।”

 

-“କିନ୍ତୁ ତାହା କ’ଣ ମୁଁ କରିପାରିବି ?”

 

-“ଭାବି ଦେଖ, ଏଭଳି ଏକ ସୁଗମ ପଥରେ ଯଦି ନ ପାରିବ ତେବେ ଆଉ କେଉଁଥିରେ ତୁମେ ପାରିବ । ଅଶୋକ ଜାଣିଛନ୍ତି ତୁମେ ତୁମ ପାଖେ ପାଖେ ବିଷପୁଡ଼ା ରଖିଥାଅ । ଆବଶ୍ୟକ ହେଲେ ତା’ର ସଦ୍‌ବ୍ୟବହାର କରିବ; କିନ୍ତୁ ବିଷଖାଇ ମୃତ୍ୟୁବରଣ କଲେ ସାଧାରଣ ସ୍ତ୍ରୀ ଲୋକଙ୍କଠାରୁ ଅଧିକ କିଛି କରିପାରିବ ନାହିଁ । ମୁଁ ତୁମକୁ ସମୟ ଦେଇଗଲି ଗୋଟିଏ ଦିନ । ଏହି ସମୟ ମଧ୍ୟରେ ତୁମେ ଗଭୀରଭାବେ ଚିନ୍ତା କର । ତା’ ନ ହେଲେ ପସ୍ତାଇବ । ଏକା ତୁମେ ନୁହଁ, ତୁମ ପରପୁରୁଷ ମଧ୍ୟ । ତୁମ ସମ୍ମୁଖରେ ଏକ ପ୍ରଶସ୍ଥ ପଥ ପଡ଼ିଛି । ଏହି ପଥରେ ଚାଲିବାକୁ ନିଜକୁ ପ୍ରସ୍ତୁତ କରିନିଅ । ନଚେତ୍ ପରିଣାମ ପାଇଁ ତୁମ ଜାତି, ତୁମ ଦେଶ ଏକମାତ୍ର ତୁମକୁ ହିଁ ଦାୟୀ କରିବ” ।

 

ଉପଗୁପ୍ତ କାରୁବାକୀଙ୍କୁ ଆଉ ଅଧିକ କିଛି ନ କହି କଳିଙ୍ଗର ରାଜଧାନୀ ତୋଷାଳୀରୁ ଧୀରେ ଧୀରେ ବହିର୍ଗତ ହୋଇ ଧଉଳିଆଡ଼େ ଚାଲିଲେ । କଳିଙ୍ଗର ପତି ସନ୍ତାନହରା ସମ୍ରାଜ୍ଞୀ ଏକ ଧ୍ୟାନରେ ଚାହିଁ ରହିଥିଲେ ତାଙ୍କରି ଗତିପଥଆଡ଼େ । ତାଙ୍କ ଆଖିରୁ ଲୁହଧାର ଶୁଖି ଶୁଖି ଆସୁଥାଏ ଏବଂ ସେ ଉପଗୁପ୍ତଙ୍କ ଉପଦେଶକୁ ଗଭୀରଭାବେ ଚିନ୍ତା କରୁଥାନ୍ତି ।

 

କଳିଙ୍ଗର ଭୟାବହ ଯୁଦ୍ଧ ଖ୍ରୀ:ପୂ: ୨୬୧ରେ ହୋଇଥିଲା । କାରୁବାକୀ ବା କାଲୁବାକୀ ଅଶୋକଙ୍କ ଦ୍ୱିତୀୟ ମହିଷୀ । କାରୁବାକୀ ଦ୍ରାବିଡ଼ ଶବ୍ଦ । ଓଡ଼ିଆ ଭାଷାରେ ବହୁ ଦ୍ରାବିଡ଼ ଶବ୍ଦ ରହିଛି । ଶ୍ରୀମନ୍ଦିରରେ ପ୍ରଚଳିତ ଅଧିକାଂଶ ଶବ୍ଦ ଦ୍ରାବିଡ଼ । ଡ: ମହତାବଙ୍କ ଓଡ଼ିଶା ଇତିହାସରେ କାରୁବାକୀ କିମ୍ବଦନ୍ତୀ ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ରହିଛି ।

Image

 

ମଧୁସ୍ମିତା

 

କଳଙ୍କିତ ଜୀବନ କ’ଣ ନିର୍ବାଣମୁଖୀ ? ଯଦି ତାହାହୁଏ ତେବେ ନିର୍ବାଣପାଇଁ ଏତେ ସାଧନା କାହିଁକି ? ଏତେ ସଂଯମ କାହିଁକି ? ଭଗବାନ ବୁଦ୍ଧ ମନୋରମୀ ପତ୍ନୀ ଗୋପୀ, ଶିଶୁପୁତ୍ର ରାହୁଳ, ରାଜ୍ୟ ଧନ ସମ୍ପଦ ତ୍ୟାଗକରି ଅଣନିଶ୍ଵାସୀ ହେଇ ସନ୍ନ୍ୟାସୀ ବ୍ରତ କାହିଁକି ଅବଲମ୍ବନ କଲେ ? କାହିଁକି ସୁନ୍ଦର ତନୁକୁ ସେ କ୍ଷୁଧାକ୍ଲିଷ୍ଟ କରି ଅସ୍ଥିକଙ୍କାଳସାର ହେଲେ ?

 

ତାହାହେଲେ କ’ଣ ସାଧନାସିଦ୍ଧ ‘ଜ୍ଞାନଭୈରବ’ ମିଥ୍ୟା କଥା କହୁଛନ୍ତି ?

 

ରାତ୍ରି ଅର୍ଦ୍ଧଯାମରୁ ଊର୍ଦ୍ଧ୍ଵ ହେବ । ମଧୁସ୍ମିତାର ଆଖିକୁ ନିଦ ଆସୁନାହିଁ ।

 

ରୂପଜିବୀ ମଧୁସ୍ମିତା । ଅଫୁରନ୍ତ ରୂପର ପସରାମେଲି କାହିଁ କେତେ ଦୂରରୁ ଟାଣିଆଣିଛି ଧନୀ ସୌଦାଗରଙ୍କୁ । ଅକୁଣ୍ଠିତ ଚିତ୍ତରେ ଧନପତି ସାଧବମାନେ ବହୁ ମହାର୍ହ ରତ୍ନ ଦାନ କରିଛନ୍ତି ମଧୁସ୍ମିତାକୁ । ବୋଧେ ଏଭଳି ରତ୍ନ ନାହିଁ ଯାହା ମଧୁସ୍ମିତା ଉପଭୋଗ କରିନାହିଁ । ମଧୁସ୍ମିତା ମୁଖରେ ହସଟିକିଏ ଦେଖିବାପାଇଁ ଧନପତିଙ୍କର ପ୍ରବଳ ଭିଡ଼ ଜମିଆସିଛି । ହସି ହସି ମଧୁସ୍ମିତା ଟିକିଏ କୁଶଳ ଜିଜ୍ଞାସା କରିବ-ତାଙ୍କ ହାତରୁ ହସି ହସି ରତ୍ନଟିଏ ଗ୍ରହଣ କରିବ ଆଉ ସେହି ଅବସରରେ ଧନପତି ଜାଣିଶୁଣି ଟିକିଏ ତା’କରକୁ ସ୍ପର୍ଶକରି ନିଜ ଦେହରେ ତଡ଼ିତ୍‍ର ସଂଚାର କରାଇନେବେ-ଏହା କ’ଣ କମ୍ ଭାଗ୍ୟର କଥା !

 

ମଧୁସ୍ମିତା ଅନାଇଲା ନିଜକୁ । ସୁରଭିତ ଦୀପଶୀଖାର ଉଜ୍ଜ୍ୱଳ ଆଲୋକରେ ନିଜେ ନିଜ ଶୋଭାର କିୟଦଂଶ ଦେଖିବାକୁ ପାଇଲା । କଣ୍ଠ ଦେଶରୁ ସରି ସରି ହୋଇ କେତେ ସରି ରତ୍ନହାର ଲମ୍ବିଆସିଛି ତା’ ବକ୍ଷ ଉପରେ । ଯେଉଁ ଦୁଇସରି ହୀରା ଏବଂ ନୀଳାହାର ଦୁଇଟି ତଳକୁ ଲମ୍ବିଯାଇଛି ତାହା ପୃଥକ ବକ୍ଷୋଜ ଦ୍ଵାରା ବାଧାପ୍ରାପ୍ତ ହୋଇ ବକ୍ର ହେବାକୁ ବାଧ୍ୟ ହୋଇଛନ୍ତି ।

 

ଆଖିକୁ ଝିଲିମିଲି କରୁଥିବା ତା’ର ଚିନାଂଶୁକ ଜଡ଼ିରହିଛି ଉରଜ ଉପରେ । ଅସହ୍ୟ ଗ୍ରୀଷ୍ମତାପ ଦଗ୍‌ଧ ଦେହ ଘର୍ମ ତାକୁ ଆହୁରି ଜଡ଼ୀଭୂତ କରିଦେଇଛି । ଯାହାର ସାମାନ୍ୟ ଦର୍ଶନପାଇଁ ଆକୁଳିତ ଧନୀକ ସୌଦାଗରଙ୍କ ନୟନଯୁଗ୍ମ ଚଞ୍ଚଳ ହୋଇଉଠେ ତାହାରି ଭାର ବହନ କରି ରୂପସୀ ମଧୁସ୍ମିତାର ଚଞ୍ଚଳ ନୟନ ଧୀର ହୋଇଉଠୁଛି । ସେ ଲକ୍ଷ୍ୟ କରୁଛି ବର୍ତ୍ତୃଳ ଉରଜର ଅଗ୍ରଭାଗକୁ ମୂଳଭାଗ ପର୍ଯ୍ୟନ୍ତ । ମନ ତା’ର ଘୂରି ଘୂରି ବୁଲିଆସୁଛି କେତେ ସୁଖସ୍ଵପ୍ନରେ ।

 

କବି ମୁଖରୁ ସେ ଶୁଣିଛି କେତେ ତା’ର ପ୍ରଶସ୍ତି । ତା’ ମୁଖର-ତା’ ଉରର-ନିତମ୍ବର । ଶୁଣି ଲାଜେଇଯାଇଛି ସେ । ନିଭୃତରେ ଏକା ଏକା ବସି ଭାବିଛି ସେହି ପ୍ରଶସ୍ତିର ବାସ୍ତବତା ପୁଣି ଶୂନ୍ୟତା । ବାସ୍ତବତାରେ ସେ ଯେପରି ଦୃଶ୍ୟ ମୁଗ୍‌ଧ ହୋଇଯାଏ, ସେହିପରି ଶୂନ୍ୟରେ ତା’ର ସରସ ମନ ଦୁଃଖରେ ବିଳାପ କରିଉଠେ । ଓ ହୋ ! –ସ୍ରଷ୍ଟାର ଏ କି ବିଡ଼ମ୍ବନା । ଏତେ ସୁନ୍ଦର-ଏତେ ଲୋଭନୀୟ ମାତ୍ର କେତୋଟି ଦିନରେ କୀଟଦ୍ରଂଷ୍ଟ ଫଳ ଭଳି ସହସ୍ରଜନ ବାଞ୍ଛିତ ଅବାଞ୍ଛିତ ପରି ହୋଇଯିବ । ଯେ ଆଜି ଶତମୂଖରେ ତା’ର ପ୍ରଶସ୍ତିଗାନ କରୁଛି ସେ କାଲି ନାସିକା କୁଞ୍ଚନ କରି ଥରୁଟିଏ ବି ଚାହିଁବ ନାହିଁ ?

 

ଏହି ସେ ହୀରାବସା ସ୍ୱର୍ଣ୍ଣହାର ସିଂହଳର ଏକ ସୌଦାଗର ସେଦିନ ଆସି ତାକୁ ଭେଟି ଦେଇଥିଲେ । ଅତି ଆନନ୍ଦରେ ଚାହିଁଥିଲେ ନିଜ ହାତରେ ତା’ ଗଳାରେ ପିନ୍ଧାଇ ଦେବାପାଇଁ । ସ୍ୱର୍ଣ୍ଣ ପ୍ରଦୀପରେ ଜ୍ଵଳନ୍ତ ସଳିତାର ଉଜ୍ଜ୍ୱଳ ଆଲୋକ ହୀରାଖଣ୍ଡରେ ଧକ୍‌କାଖାଇ ଝିଲିମିଲି କରିଉଠୁଥିଲା-। ସେହି ଝିଲିମିଲିରେ ଝଲସିଉଠୁଥିଲା ମଧୁସ୍ମିତାର ଚକ୍ଷୁ ଦୁଇଟି । ସମ୍ଭାଳି ପାରିନଥିଲା ସେ ହୀରା ହାର ପିନ୍ଧିବାର ମୋହ । ସ୍ମିତହାସ୍ୟରେ ସମ୍ମତି ଦେଇଥିଲେ ।

 

ଓଃ ! କି ଆନନ୍ଦରେ ସେଦିନ ସୌଦାଗର ତା’ କଣ୍ଠରେ ହୀରା ହାରଟି ଲମ୍ବାଇ ଦେଇନଥିଲେ ! ଲମ୍ବାଇ ଦେଲାବେଳେ ଜାଣିଶୁଣି ସେ ଚେଷ୍ଟା କରିଥିଲେ ବକ୍ଷୋଜ ଉପରେ ଆବରଣ ଥିବା ତା’ର ଅଙ୍ଗବାସକୁ ଟିକିଏ ସ୍ପର୍ଶ କରିବା ପାଇଁ ।

 

ଚତୁରୀ ମଧୁସ୍ମିତା ନିଜ ଦେହକୁ ଟିକିଏ ପଛେଇ ନେଇଥିଲା ।

 

ଦୁର୍ଭେଦ୍ୟ ପାଚେରୀ ଡେଇଁ ବର୍ତ୍ତମାନ ଯଦି ସେହି ସିଂହଳୀ ସୌଦାଗର ଆସି ଉପସ୍ଥିତ ହୁଅନ୍ତେ ତେବେ ।

 

ଲାଜେଇଗଲା ମଧୁସ୍ମିତା ।

 

ସେଦିନ ସେହି ସିଂହଳୀ ସୌଦାଗର ଅଙ୍କଶାୟିନୀ ହୋଇଥିଲା ସେ । ଗୋଟିଏ ରାତ୍ରି ପାଇଁ ନୁହେଁ-ମାତ୍ର କେତେ ମୁହୂର୍ତ୍ତ ପାଇଁ । ସେତେବେଳେ ତା’ର କେଳିମନ୍ଦିରରେ ଅତି ଦୁର୍ବଳଭାବେ ଜଳୁଥିଲା ବିଭିନ୍ନ ରତ୍ନଜଡ଼ିତ ସ୍ୱର୍ଣ୍ଣ ଦୀପଶିଖା । ସେଥିପାଇଁ ସହସ୍ର ସ୍ୱର୍ଣ୍ଣମୁଦ୍ରା ତା’ ପଦତଳେ ଅଜାଡ଼ି ଦେଇଥିଲେ ସୌଦାଗର । ଚାହିଁଥିଲେ ସୌଦାଗର ଦୀପଶିଖା ଉଜ୍ଜ୍ୱଳ କରି ଥରେ ତାଙ୍କ କ୍ଷୁଧିତ ଚକ୍ଷୁର ବାସନା । ପରିତୃପ୍ତ ପାଇଁ ତା’ର ଉଲଗ୍ନ ଅଙ୍ଗଶୋଭା ଦର୍ଶନ କରିବାକୁ; କିନ୍ତୁ ସମ୍ମତ ହୋଇନଥିଲା ସେ ।

 

ସହସ୍ରେ କାହିଁକି ଶତସହସ୍ର ବିନିମୟରେ ବି ନୁହେଁ ।

 

ଚକ୍ଷୁର ବାସନା ମେଣ୍ଟିଲା ପରେ କାଳେ ତା’ ରୂପଶ୍ରୀର ସୁଖ୍ୟାତିରେ ବାଧାଆସିବ ।

 

ଧନଦ୍ୱାରା ମନ କ’ଣ କେହି କ୍ରୟ କଲାଣି ?

 

ଯେ ମନ କ୍ରୟ କରିବ ସେ ହିଁ ହେବ ତା’ ଉଲଗ୍ନ ରୂପର ଦର୍ଶକ ।

 

ଅଙ୍ଗସଜା ବୃକ୍ଷମଧ୍ୟରେ ରଖାହୋଇଥିବା ବିରାଟ ମୁକୁର ସମ୍ମୁଖରେ ମଧୁସ୍ମିତା ଅନେକଥର ଉଲଗ୍ନ ହୋଇ ଛିଡ଼ାହୋଇଛି । ପଦ୍ମକୋରକ ପରି ତା’ର ନିଟୋଳ ବକ୍ଷୋଜର ଅପୂର୍ବ ଶୋଭାରେ ନିଜେ ଆତ୍ମହରା ହୋଇଛି । ତା’ର ରକ୍ତାଭଗୌର ଦେହରେ କେଉଁବସନ ଭୂଷଣ ଶୋଭାପାଇବ ତାହା ସେ ନିର୍ବାଚନ କରି ପରିଧାନ କରିଛି । କିନ୍ତୁ ଅନ୍ୟ କାହାରିକୁ ସେ ସମ୍ପୂର୍ଣ୍ଣ ଉପଭୋଗ ପାଇଁ ଟିକିକ ପାଇଁ ହେଲେ ବି ସୁଯୋଗ ଦେଇନାହିଁ ।

 

ସେଦିନ ଚେଳିତାଳୋରେ ବିରାଟ ଧର୍ମସଭା ହୋଇଥିଲା । ବହୁ ରୂପସୀ ତରୁଣୀଙ୍କ ସହିତ ସେ ଥିଲେ ଜଣେ ଶ୍ରୋତା ସେ ସଭାରେ ।

 

ପ୍ରସିଦ୍ଧ ଧର୍ମଗୁରୁ ଧର୍ମକିର୍ତ୍ତୀ ଧର୍ମ ସମ୍ୱନ୍ଧରେ ବହୁ କଥା କହୁ କହୁ ତାହାରିଆଡ଼କୁ ଲକ୍ଷ୍ୟ କରି କହିଲେ, “କେତେଦିନ ରହିବ ତୁମର ଏ ଋଷି ମନଲୋଭାରୂପ । ଥରେ ଲକ୍ଷ୍ୟ କରି ଦେଖ ତୁମ ଅଲକ୍ଷ୍ୟରେ ତୁମରି ଆଡ଼କୁ ଲକ୍ଷ୍ୟ କରି ବ୍ୟାଧି ମାଡ଼ିଆସୁଛି-ବାର୍ଦ୍ଧକ୍ୟ ମାଡ଼ିଆସୁଛି । ଥରେ ଚିନ୍ତା କରି ଦେଖିଛ କି କେତେଦିନ ତୁମ୍ଭର ଯୌବନ-କେତେଦିନ ତୁମର ଏ ରୂପ ମହୋତ୍ସବ !!”

 

ସତେ କେତେଦିନ ତା’ର ଏ ରୂପର ବଡ଼ିମା ।

 

ଅନ୍ଧକାର ପରି ନଇଁଆସିବ ତା’ର ଜୀବନ ଉପରେ ବାର୍ଦ୍ଧକ୍ୟର କଳାଛାଇ-ପୂରିଲା ପୂରିଲା ମୁହଁ ତା’ର ଭଙ୍ଗ ବିଭଙ୍ଗ ହୋଇପଡ଼ିବ । ଯେଉଁ ପୁଷ୍ପର ସୌନ୍ଦର୍ଯ୍ୟରେ ମୁଗ୍‌ଧହୋଇ ଶତ ଭ୍ରମର ଗୁଞ୍ଜନରେ କେବଳ ଚେଳିତାଳୋ କାହିଁକି ଦେଶ ଦେଶାନ୍ତର ଗୁଞ୍ଜିତ ହୋଇଉଠିଛି ସେ ପୁଷ୍ପର ସୌନ୍ଦର୍ଯ୍ୟ କେତେକ୍ଷଣ ପାଇଁ ? ତା’ର ସୁବାସ କେତେ ସମୟ ପାଇଁ ?

 

ମ୍ଲାନ ହୋଇପଡ଼ିଲା ରୂପଜିବୀ ମଧୁସ୍ମିତା ।

 

ଆନନ୍ଦଲାସ୍ୟ ମୁଖର ଜୀବନ ତା’ର ହାହାକାର କରିଉଠିଲା । ମନ ତା’ର ମୁକ୍ତି ପାଇଁ ବ୍ୟାକୁଳ ହୋଇପଡ଼ିଲା । ଅସମୟରେ ଦେଖାଦେଲା ତା’ ଜୀବନ ଉପରେ କୃଷ୍ଣଛାୟା ।

 

ଯଦି ପ୍ରତ୍ୟେକଙ୍କ ଅଗୋଚରରେ ରୋଗ ବାର୍ଦ୍ଧକ୍ୟ ଆଗେଇ ଆସୁଥାଏ ତେବେ ଧନ ସମ୍ପତ୍ତିର କି ବା ଆବଶ୍ୟକ । କିବା ଆବଶ୍ୟକ ଆଉ ଅଧିକ ସମ୍ପଦ ପାଇଁ ଦେହ ବିକିବା ?

 

ପ୍ରଚାର ହୋଇଗଲା ଚେଳିତାଳୋର ଶ୍ରେଷ୍ଠରୂପଜୀବୀ ମଧୁସ୍ମିତା ପୀଡ଼ିତା ।

 

ଯେଉଁମାନେ ଏଭଳି ପ୍ରଚାରକୁ ମିଥ୍ୟା ମନେକଲେ ଏବଂ ଯେଉଁମାନେ ଏପରି ପ୍ରଚାରିତ ହେଉଥିବା ଜାଣିପାରିନଥିଲେ ସେମାନେ ମଧୁସ୍ମିତାର ଦ୍ୱାରସ୍ଥ ହୋଇ ବିଷର୍ଣ୍ଣ ମନରେ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟହେଲେ ।

 

ପରିଚାରିକା ଜାଣାଇଦିଏ “କର୍ତ୍ତୀ ପୀଡ଼ିତା, ଦର୍ଶନ ପର୍ଯ୍ୟନ୍ତ ମିଳିବ ନାହିଁ ।”

 

କେବେ ଶ୍ଵେତବସ୍ତ୍ର କେବେ ନବଚମ୍ପକ ବର୍ଣ୍ଣର ମହାର୍ହବସ୍ତ୍ର ପରିଧାନ କରି ମଧୁସ୍ମିତା ପ୍ରାଜ୍ଞ-ମହାପ୍ରାଜ୍ଞ-ଥେରମାନଙ୍କ ପ୍ରାର୍ଥନା ତଥା ଉପଦେଶ ସଭାରେ ଯୋଗଦାନ କରେ । ମନଦେଇ ଶୁଣେ ଅବହେଳା କରିଆସିଥିବା ସେହି ଆଧ୍ୟାତ୍ମ ତତ୍ତ୍ୱ ।

 

ତାହାରିଭଳି ରୋଗ ବାର୍ଦ୍ଧକ୍ୟ ମୃତ୍ୟୁର ଭୟାବହ ଚିତ୍ର ଦର୍ଶନ କରି ସୁକୁମାର ରାଜପୁତ୍ର ଗୌତମ ଦିନେ ଗୃହତ୍ୟାଗ କରୁଥିଲେ । ସେହି ଭୟରୁ ସାରା ମାନବ ଜାତିକୁ ରକ୍ଷା କରିବାକୁ ସେ ହୋଇଥିଲେ ଦୃଢ଼ ପ୍ରତିଜ୍ଞ । କେତେ ସାଧନା କେତେ ତପସ୍ୟା ଦ୍ୱାରା ସେ ଆର୍ଯ୍ୟ ସତ୍ୟ ଉପଲବ୍‌ଧି କରିପାରିଥିଲେ ତାହା ମଧୁସ୍ମିତା ଥେରମାନଙ୍କଠାରୁ ମନଦେଇ ଶୁଣେ-ଆଉ ସେହି ଶ୍ରବଣରେ ତା’ର ମନ ପ୍ରାଣରେ ଆନନ୍ଦ ଭରିଯାଏ ।

 

ଘୋଟକବାହୀ ଶକଟରେ ସେଦିନ କିରଟୀ ବୌଦ୍ଧ ବିହାରରୁ ପ୍ରତ୍ୟାବର୍ତ୍ତନ କରୁଥିଲା ସେ । କାହିଁ କେତେ ଦୂରରୁ ମହୋଦଧିରେ ଆଲୋଡ଼ିତ ନୀଳଜଳରେ ବାଞ୍ଛାବାଚତ ତରଙ୍ଗମାଳା ସୃଷ୍ଟି ହୋଇ ଉପକୂଳରେ ବିରହଣୀ ଭଳି ମଥା ପିଟୁଥାଏ । ଅସଂଖ୍ୟ ଟିଟ୍ଟିଭ ନୀଳ ଆକାଶ ବକ୍ଷରୁ ଅବୁଝା ସ୍ୱରରେ ବ୍ୟର୍ଥତାର ଚିତ୍‌କାର କରି ଉଡ଼ି ବୁଲୁଥିଲେ । ବେଳାଭୂମିର ବାଲୁକା ବକ୍ଷରେ ଶତ ବିଚୂର୍ଣ୍ଣିତ ବିକ୍ଷୁବ୍‌ଧ ଉତ୍ତାଳ ଲହରୀର ଜଳକଣା ତା’ ଦେହରେ ମୁହଁରେ ଛିଟିକି ପଡ଼ୁଥିଲା ।

 

ତା’ର ଇଚ୍ଛାହେଲା ତା’ର ବ୍ୟର୍ଥ ଜୀବନ ଭଳି କୂଳରେ ପିଟି ହୋଇ ହୋଇ ଭାଙ୍ଗିଯାଉଥିବା ଲହଡ଼ିଗୁଡ଼ିକୁ ସେ ଧରିପକାନ୍ତା କି ?

 

ତାହାର ଇଚ୍ଛା ହେଉଥିଲା ଲହରୀର ସେହି ଉତ୍ତାଳତା ପରମୁହୂର୍ତ୍ତରେ ବ୍ୟର୍ଥତାରେ ଭାଙ୍ଗିପଡ଼ୁଥିବା ଦୈନ୍ୟ ଭିତରେ ନିଜ ରୂପରେ ଗର୍ବ ଆଉ ତା’ର ଆସନ୍ନ ବ୍ୟର୍ଥତା ସବୁ ମିଶାଇ ଦେବାକୁ–ହଜେଇ ଦେବାକୁ । ଇଚ୍ଛା ହେଉଥିଲା ସେହି ଲହରୀକୁ ଧରି କାନ୍ଦିବାକୁ–ବୋକ ଦେବାକୁ-। ସତେ ଲହରୀଭଳି ଆଉ ତା’ର କିଏ ଅଛି ?

 

-“ଏ ବାହୁକ, ରଥ ରଖତ !”

 

ବାହୁକର ରଶ୍ମି ସଂଯମରେ ଘୋଡ଼ା ସବୁ ପଛ ପାଦରେ ଭରାଦେଇ ହର୍ଷ ସ୍ୱରରେ ହଠାତ୍ ଚିତ୍କାର କରିଉଠିଲେ ।

 

ହଠାତ୍ ଆଗକୁ ଝୁଙ୍କିପଡ଼ିଲା ମଧୁସ୍ମିତା । ଆଉ ତାହାରି ସଙ୍ଗେ ସଙ୍ଗେ ବକ୍ଷରୁ ଚିନାଂଶୁକ ଖସିପଡ଼ିଲା-ଖସିଗଲା ତା’ ମନରେ ଜମି ଆସୁଥିବା ଲୁହଗୁଡ଼ାକ । ରଥର ଆନ୍ଦୋଳନରେ ଆନ୍ଦୋଳିତ ହୋଇ ସତେ ଯେମିତି ତା’ର ପଛ ଆଗ, ସବୁ ଜୀବନ ଆନ୍ଦୋଳିତ ହୋଇ ଏକ ହୋଇଗଲା–ଶୂନ୍ୟ ହୋଇଗଲା ।

 

ଘୋଟକବାହୀ ଶକଟ ରହିବା ସଙ୍ଗେ ସଙ୍ଗେ ସେ ପୁଣି ପ୍ରକୃତିସ୍ଥ ହୋଇ ନିଜକୁ ସଜାଡ଼ିନେଲା-କେଶ, ବାସ ସବୁ । ଆଉ ତାହାରି ଭିତରେ ସଜାଡ଼ି ଗୋଛେଇ ଦେଲା ତା’ର ଅଳିଆ ଚିନ୍ତାଗୁଡ଼ାକ ।

 

ବା ! ସୁନ୍ଦର ସମୁଦ୍ର । ଏଠି ଏଣୁତେଣୁ ଭାବିବା ଅପେକ୍ଷା ଲହରୀ ସଙ୍ଗେ ଖେଳିବା ବରଂ ଅଧିକ ଶ୍ରେୟସ୍କର ।

 

ମଧୁସ୍ମିତା ଶକଟରୁ ଅବତରଣ କରି କ୍ଷୀପ୍ର ପଦକ୍ଷେପରେ ଧାଇଁଗଲା ମହୋଦଧି ଜଳସିକ୍ତ ବାଲୁକାଶଯ୍ୟା ଆଡ଼କୁ ।

 

ବେଳେବେଳେ ମହୋଦଧିର ଫେନିଳ ନୀଳଜଳ ଅପସରି ଯାଉଥାଏ ମହୋଦଧି ମଧ୍ୟକୁ । ପୁଣି ତା’ର ପରକ୍ଷଣରେ ଗର୍ଜନ କରି ବିରାଟ ଜଳଖଣ୍ତ ଲମ୍ଫପ୍ରଦାନ କରୁଥାଏ କୂଳ ଉପରେ । କ୍ଷୁଦ୍ର ବାଳିକା ପରି ମଧୁସ୍ମିତା ଲହରୀର ପଛେ ପଛେ କେବେ ଜଳ ମଧ୍ୟକୁ ତ କେବେ ଶୁଷ୍କ ବାଲୁକା ଉପରକୁ ଧାଇଁ ଧାଇଁ ଚାଲେ । ତା’ର ଲକ୍ଷ ଉତ୍ତାଳ ଲହଡ଼ିମାଳା ଉପରେ ।

 

ମହୋଦଧି କୂଳରେ ପଡ଼ିଥିବା ସଡ଼କ ଉପରେ ତାହାରି ଗତି ସହିତ ଗତି ମିଳାଇ ଧୀରେ ଧୀରେ ଆଗେଇ ଯାଉଥାଏ ଘୋଟକବାହୀ ଶକଟ ।

 

ମହୋଦଧି କୂଳପଥ ଉପରେ ଚାଲିଯାଉଥିବା ଲୋକେ ମଧୁସ୍ମିତାକୁ ଦେଖି ବିସ୍ମୟାଭୂତ ହୋଇଯାନ୍ତି ।

 

ଏତେ ରୂପର ସମ୍ଭାର ଧରି ମଣିଷ କ’ଣ ଥାଇପାରେ ?

 

ଯେଉଁମାନେ ତାକୁ ଜାଣିଛନ୍ତି ସେମାନେ ମଧ୍ୟ ବିସ୍ମିତ । ଧନପତି ସାଧବମାନେ ଧନସମ୍ପତ୍ତି ସହିତ ଯେଉଁ ମଧୁସ୍ମିତା ପଦପ୍ରାନ୍ତେ ପ୍ରେମ ନିବେଦନ ଜ୍ଞାପନ କରନ୍ତି ସେ କ’ଣ ଚାଲିଛି ମହୋଦଧି କୂଳେ କୂଳେ ?

 

ହଠାତ୍ ରହିଯାଏ ମଧୁସ୍ମିତା । ସମ୍ମୁଖରେ ଦଣ୍ଡାୟମାନ ଏକ ସଂସାର ବିରାଗୀ ସନ୍ନ୍ୟାସୀ-

 

ପରିଧାନ ତାଙ୍କର ଏକ କୌଷେୟ ବସ୍ତ୍ର । ହାତରେ ଏକ ନର କପାଳ । କଣ୍ଠରେ ରୁଦ୍ରାକ୍ଷମାଳା । ମସ୍ତକରେ ରକ୍ତ ଚନ୍ଦନ । ମୁଖରେ କୃଷ୍ଣ ଶ୍ଵେତ ସ୍ମଶ୍ରୁ । ମସ୍ତକରେ ଜଟାଜୁଟ ଭାର । ଚକ୍ଷୁ ତାଙ୍କର କୋଟରାଗତ ହେଲେ ମଧ୍ୟ ବଡ଼ ଉଜ୍ଜ୍ୱଳ ।

 

ମଧୁସ୍ମିତା ସେହି ଉଜ୍ଜ୍ୱଳ ଚକ୍ଷୁକୁ ପ୍ରତ୍ୟକ୍ଷ କରିପାରେ ନାହିଁ । କୁରଙ୍ଗୀ ଭଳି ଆୟତନ ତା’ର ଦୁଇ ଚକ୍ଷୁ ନତ କରିନିଏ ଭୂପୃଷ୍ଠକୁ ।

 

ସନ୍ନ୍ୟାସୀ କହିଉଠିଲେ, “କିଏ ମା’ ଭଗବତୀ ହିମଗିରୀ ନନ୍ଦିନୀର ଶୋଭା ସମ୍ପଦ ଧରି ରତ୍ନାକର କୂଳେ କୂଳେ ନାଚି ନାଚି ଚାଲିଛି ? କେଉଁ ରାକ୍ଷାସରାଜର ଧ୍ୱଂସପାଇଁ ତୁମର ଆଗମନ ମା’ !”

 

ରୂପଜୀବୀ ମଧୁସ୍ମିତା କ୍ଷଣକପାଇଁ ନିର୍ବାକ ହୋଇଯାଏ । ସୃଷ୍ଟିହୁଏ ତା’ ଅନ୍ତର ଭିତରେ ବିରାଟ ଆଲୋଡ଼ନ । କଳଙ୍କିନୀ କ’ଣ ବିଶ୍ଵର ଜନନୀ ହେବାପାଇଁ ଯୋଗ୍ୟା ?

 

ମଧୁସ୍ମିତା ତା’ର ଆନତ ଚକ୍ଷୁ ଦୁଇଟି ଧୀରେ ଧୀରେ ତୋଳି ଚାହେଁ ସନ୍ନ୍ୟାସୀଙ୍କ ଆଡ଼େ-। ଏ କ’ଣ ଗୋଟାଏ ପାଗଳ ନା ସଂସାର ବିରାଗୀ ସନ୍ନ୍ୟାସୀ ?

 

ସନ୍ନ୍ୟାସୀ କହିଉଠନ୍ତି–“ନା ମା’ ! ମୁଁ ପାଗଳ ନୁହେଁ ! ହୋଇପାରେ ପାଗଳ କେବଳ ତୋହରି ପାଇଁ–କେବଳ ଟିକିଏ ତୋର କରୁଣା ପାଇଁ ।”

 

ବିସ୍ମୟାବିଭୂତ ହୋଇ ରହିଯାଏ ମଧୁସ୍ମିତା କ୍ଷଣକ ପାଇଁ । ଏ କ’ଣ ସର୍ବଜ୍ଞାତା କିନ୍ତୁ ପରକ୍ଷଣରେ ସେ ଖିଲିଖିଲି ହୋଇ ହସିଉଠେ ।

 

ରୂପଜିବା ବେଶ୍ୟାର କରୁଣା ପାଇଁ ସଂସାରତ୍ୟାଗୀ ସନ୍ନ୍ୟାସୀ ପାଗଳ ! ହାୟରେ ବିଧାତା ଏଭଳିଭାବେ ତୁ ମଣିଷକୁ ଗଢ଼ିଛୁ ଯେ ସେ ରୂପରେ ପାଗଳ !

 

ଦ୍ରୁତପଦରେ ମଧୁସ୍ମିତା ଧାଇଁଚାଲେ ତା’ର ଘୋଟକବାହୀ ଶକଟ ନିକଟକୁ । ନା, ହେବନାହିଁ–ସ୍ୱଚ୍ଛନ୍ଦରେ ଜଣେ ସ୍ତ୍ରୀଲୋକ ବିଚରଣ କରିପାରିବ ନାହିଁ !

 

ବିଶ୍ୱର ସମସ୍ତ ସୌନ୍ଦର୍ଯ୍ୟର ଆଧାର ସେ । ସେ ସୁନ୍ଦରୀ-ସେ ରୂପସୀ । ଶୁଣି ଶୁଣି ତା’ର କର୍ଣ୍ଣକଟୁ ହେଲାଣି ଏ ଶବ୍ଦଗୁଡ଼ାକ । ପ୍ରଥମେ ପ୍ରଥମେ ଏହି ଶବ୍ଦଗୁଡ଼ାକ ତା’ ମଧ୍ୟରେ ଯେଭଳି ଅପୂର୍ବ ଭାବ ହିଲ୍ଲୋଳ ସୃଷ୍ଟି କରିଥିଲା, ଗର୍ବରେ ତା’ ଛାତି ଫୁଲିଉଠୁଥିଲା ତାହା ଆଜି ଆଉନାହିଁ । ମଣିଷ ତା’ର ସ୍ୱାର୍ଥ ପାଇଁ ଏହିଭଳି ବହୁ ସ୍ଵର୍ଗୀୟ ଶବ୍ଦ ବ୍ୟବହାର କରିଥାଏ । ମାତ୍ର ତାହା ସବୁ ସମୟ ପାଇଁ ନୁହେଁ ।

 

ଭଣ୍ଡ ! ବିଶ୍ୱ ବ୍ରହ୍ମାଣ୍ଡ ଭଣ୍ଡ ! ସନ୍ନ୍ୟାସର ଆବରଣ ତଳେ ଓହୋ କି ଭଣ୍ଡାମିର ଲୀଳା ମ-! ସେ ପୁଣି କାହାର ମା’ ! ମା’ ହେବାର ଅଧିକାର ତା’ର ନାହିଁ । ଯଦି ହୁଏ ତେବେ ହେବ ଏକ ଜାରଜର । ଜାରଜର ଜନନୀ ହେବା ଅପେକ୍ଷା ବନ୍ଧ୍ୟା ହେବା ଶତଗୁଣେ ଭଲ ! ନା ଭାବି ହେଉନାହିଁ ! ଯେତେଶୀଘ୍ର ଏଠାରୁ ପଳାଇଯାଇ ହେବ ସେତେ ମଙ୍ଗଳ ।

 

ମଧୁସ୍ମିତା ଧାଇଁଯାଏ ତା’ର ଘୋଟକବାହୀ ଶକଟଆଡ଼କୁ । କର୍ତ୍ତୀକୁ ଦେଖି ଶକଟର ଗତି ମନ୍ଦ୍ର ହୋଇପଡ଼େ । ସେ ତରତର ହୋଇ ବସିପଡ଼େ ତା’ ଉପରେ । ଆଦେଶଦିଏ ଶୀଘ୍ର-ଖୁବ୍ ଶୀଘ୍ର ।

 

ଆଦେଶ ମାତ୍ରେ ଧାଇଁଚାଲେ ତା’ର ଶକଟ । ଦ୍ରୁତ ଗତିରେ, ଖୁବ୍‍ଦ୍ରୁତ ଗତିରେ ଧାଇଁଯାଇ ତା’ର ମାତୃସ୍ମୃତି ଆବାସ ସମ୍ମୁଖରେ ବନ୍ଦ ହୋଇଯାଏ । ଶକଟରୁ ଓହ୍ଲାଇ ସେ କ୍ଷିପ୍ରଗତିରେ ପଶିଯାଏ ତା’ ଗୃହ ମଧ୍ୟକୁ । ସତେ ଯେପରି ତା’ ପଶ୍ଚାତ୍ ଦେଶରେ କେହି ଧାବମାନ ହେଉଛି ତା’ ଉପରକୁ-ତା’ର ସୌନ୍ଦର୍ଯ୍ୟ ଉପରକୁ ଲମ୍ଫପ୍ରଦାନ କରିବାକୁଯାଇ ।

 

ସାରା ଦେହକୁ ଥରାଇ ତା’ଦେହ ମଧ୍ୟରୁ-ଦେହର କେଉଁ ନିଭୃତ କୋଣରୁ ବହିର୍ଗତ ହେଲା ଏକ ଦୀର୍ଘନିଶ୍ଵାସ । ସେହି ଦୀର୍ଘଶ୍ଵାସରେ ଚହଲିଉଠିଲା ତା’ର ପଦ-କୋରକନିନ୍ଦିତ ବିକ୍ଷୋଜ । ହଲିଉଠିଲା ହୀରା ନୀଳାଖଚିତ ରତ୍ନହାର ।

 

ସେଦିନ ଜଣେ ଚିତ୍ରକର ଆସିଥିଲେ । ତାଙ୍କ ହାତରେ ଥିଲା ତା’ ନିଜର ଏକ ତୈଳ ଚିତ୍ର । ସେ କେବେ ତା’ର ତୈଳଚିତ୍ର ପାଇଁ ତାଙ୍କୁ ଆମନ୍ତ୍ରଣ କରିନଥିଲା କିମ୍ବା ନିବେଦନ କରିନଥିଲା । ତଥାପି ସେ ତା’ର ଅଗୋଚରରେ ତା’ର ରୂପ ଦର୍ଶନ କରି ଚିତ୍ରଟି ଆଙ୍କି ଆଣିଥାନ୍ତି ।

 

ସାମ୍ରାଜ୍ଞୀ ନିକଟରେ ଭେଟିଦେଲା ପରି ସେ ତାହା ନିକଟରେ ସସମ୍ମାନେ ଭେଟି ଦେଇଥିଲେ ।

 

ତାହାଥିଲା ତା’ର ଅର୍ଦ୍ଧନଗ୍ନ ଚିତ୍ରପଟ ।

 

ଶିଳ୍ପୀ ଯଦି ଚିତ୍ରପଟଟିକୁ ଅର୍ଦ୍ଧନଗ୍ନ ନ କରି ବସନ ଦ୍ୱାରା ଭୂଷିତ କରିଥାନ୍ତେ ତେବେ ନିର୍ଭୁଲ ବୋଲି କୁହା ହୋଇଥାନ୍ତା ।

 

ଚିତ୍ରପଟରେ ଗଭୀର ନାଭି ନାହିଁ କିମ୍ବା ପଦ୍ମକୋରକ ନିନ୍ଦିତ ପୃଥୁଳ ଉରଜ ନାହିଁ ।

 

ତାହାହେଲେ ଅର୍ଦ୍ଧନଗ୍ନ ଚିତ୍ରପଟ ଅଙ୍କନ କରିବାରେ ଆବଶ୍ୟକ କ’ଣ ଥିଲା ?

 

ଚିତ୍ରପଟଟି ଉପରୁ ମୁଖଉଠାଇ ମଧୁସ୍ମିତା ଶିଳ୍ପୀଙ୍କୁ ତା’ର ଏଣୀ ନୟନରେ ବିଦ୍ରୂପ କଟାକ୍ଷପାତ କଲା ।

 

ଆଶାଥିଲା ଶିଳ୍ପୀଙ୍କର, ଆଉ କିଛି ପୁରସ୍କାର ନ ମିଳିଲେ ମଧ୍ୟ ସୁନ୍ଦରୀ ମଧୁସ୍ମିତାର ବଧୂଲୀ ଅଧରରୁ ହସ ଟିକିଏ ଦେଖି ଫେରିବେ ତ ?

 

ମଧୁସ୍ମିତା ଚିତ୍ରପଟଟି ନିରୀକ୍ଷଣ କଲାବେଳେ ଶିଳ୍ପୀ ସତୃଷ୍ଣ ନୟନରେ ଚାହିଁ ରହିଥିଲେ ବିଧାତାର କଷ୍ଟ ନିର୍ମିତ ସେହି ନିଟୋଳ ବକ୍ଷୋଜଆଡ଼କୁ ।

 

ବିଚରା ଶିଳ୍ପୀ ଲଜ୍ଜିତ ଅପମାନିତ ହୋଇ ଫେରିଯାଇଥିଲେ । ପୁନର୍ବାର କେବେ ତା’ର ଦ୍ୱାରସ୍ଥ ହୋଇଥିବାର ସମ୍ବାଦ ସେ ପାଇଥିଲା ବୋଲି ତା’ର ମନେପଡ଼େନାହିଁ ।

 

ଆଖିଆଗରେ ବୁଦ୍ଧଙ୍କର ବିରାଟ ଚିତ୍ରପଟ । ଚକ୍ଷୁ ଦୁଇଟି ମୁଦ୍ରିତ କରି ଧ୍ୟାନାବିଷ୍ଟ ବୁଦ୍ଧ । ତାଙ୍କର ଶୁଭ୍ର ଦେହରୁ ବିଚ୍ଛୁରିତ ହେଉଛି ଶୁଭ୍ରାଂଶୁ । ଆଃ କି ଶୁଦ୍ଧ, କି ପବିତ୍ର !

 

ଆଖିଦୁଇଟି ନତ କରିଆଣିଲା ମଧୁସ୍ମିତା ।

 

ପର୍ଯ୍ୟଙ୍କ ଉପରେ ବୁଦ୍ଧଙ୍କର ଅନ୍ୟଏକ କ୍ଷୁଦ୍ର ଚିତ୍ରପଟ ରଖାହୋଇଛି । ଚିବରାବୃତ ବୁଦ୍ଧ ଚାଲିଛନ୍ତି । ହସ୍ତରେ ଧାରଣ କରିଛନ୍ତି ସେ ଭିକ୍ଷାପାତ୍ର ।

 

ଭିକ୍ଷାପାତ୍ର ଧାରଣ କରି ବୁଦ୍ଧଙ୍କଭଳି ସେଦିନ ଆସିଥିଲେ ତରୁଣ ଶ୍ରମଣ ତାରୁକ୍ଷ । ତାରୁକ୍ଷଙ୍କୁ ପ୍ରଥମେ ସେ ଭେଟିଥିଲେ ପିପ୍‌ଲ ବୁଦ୍ଧ ବିହାରରେ । ବୌଦ୍ଧ ପିଟକ ଉପରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ ପିପ୍‌ଲର ମହାପ୍ରାଜ୍ଞଙ୍କୁ ମଧ୍ୟ ମୁଗ୍‌ଧ କରିଥିଲା । ତାଙ୍କ କଣ୍ଠ ନିର୍ଗତ ଓଜସ୍ୱିନୀ ଧର୍ମବାର୍ତ୍ତା ଶ୍ରବଣ କରି ଅନ୍ୟମାନଙ୍କ ସହିତ ସେ ମଧ୍ୟ ନିଜକୁ ବିସ୍ମରି ଯାଇଥିଲା ।

 

ମାତ୍ର କେତୋଟି ଦିନପରେ ତାଙ୍କୁ ତା’ର ଦ୍ୱାରସ୍ଥ ହେବା ଦେଖି ସାଦରେ ପରିଚାରିକା ଦ୍ୱାରା ଭିତରକୁ ସେ ଆସିବାକୁ ନିମନ୍ତ୍ରଣ କଲା ।

 

ତାଙ୍କୁ ତା’ର ଅତିଥି ଗୃହରେ ଦେଖି ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ନିଜକୁ କୃତ୍ୟ କୃତ୍ୟ ମନେକଲା ସେ । ବୁଦ୍ଧଙ୍କଭଳି ବୁଦ୍ଧମୁଦ୍ରାର କଲ୍ୟାଣ ଗ୍ରହଣ କଲା ମଥାପତି । ସ୍ୱହସ୍ତରେ ଭରିଦେଲା ଭିକ୍ଷା ତାରୁକ୍ଷଙ୍କ ଭିକ୍ଷା ପାତ୍ରରେ । ଗୃହତ୍ୟାଗୀ ଶ୍ରମଣଙ୍କୁ ସେ ଆଉ କ’ଣ ବା ଦାନ କରିପାରିବ ?

 

ତା’ ଗୃହରୁ ପ୍ରତ୍ୟାବର୍ତ୍ତନ ବେଳେ ସେ କରଯୋଡ଼ି ପ୍ରାର୍ଥନା କରିଥିଲା ଚେଳିତାଳୋରେ ଥିବାପର୍ଯ୍ୟନ୍ତ ଯଦି ସମୟ ପା’ନ୍ତି ତେବେ ତା’ ଗୃହରେ ଯେପରି ତାଙ୍କ ପଦରଜ ପଡ଼େ ।

 

ତିନିଦିନ ପରେ ଆସିଥିଲେ ପୁନର୍ବାର ଶ୍ରମଣ ତାରୁକ୍ଷ ଅପ୍ରତ୍ୟାଣିତ ଭାବେ । ସେତେବେଳେ ସେ ନିଜକୁ ନାୟିକାରୂପେ ସଜାଉଥିଲା । ସମାପ୍ତି ହୋଇଆସିଥିଲା ତା’ର ଅଙ୍ଗସଜା-। ପରିଧାନ ପାଇଁ ନୀଳ ରଙ୍ଗର ଝିନ ଶାଢ଼ିଟି ରଖା ହୋଇଥିଲା ଯଥାସ୍ଥାନରେ ।

 

ଉଚ୍ଚକଣ୍ଠରେ ଶ୍ରମଣ ତରୁକ୍ଷଙ୍କ ଆଗମନ ସମ୍ବାଦ ପରିଚାରିକା ବ୍ୟକ୍ତ କରନ୍ତେ ଅତି ତରତରେ ନୀଳ ସୂକ୍ଷ୍ମ ରେଶମୀ ଶାଢ଼ି ଆଭରଣ ହୋଇ ଧାଇଁଗଲା ତାରୁକ୍ଷଙ୍କ ସମୀପକୁ ସେ । ସସମ୍ମାନେ ପାଛୋଟି ଆଣିଥିଲା ତା’ର ଶୟନ ମନ୍ଦିରକୁ ।

 

ମଧୁସ୍ମିତାର ଭୂବନବିମୋହିନୀ ରୂପ ମୁଗ୍‌ଧ କରିଥିଲା ତାରୁକ୍ଷଙ୍କୁ । ମୁହୂର୍ତ୍ତକ ମଧ୍ୟରେ ଶ୍ରମଣ ତାରୁକ୍ଷଙ୍କ ଅନ୍ତରରେ ବିଞ୍ଚି ହୋଇଯାଇଥିଲେ କାମୋଦ୍ଦୀପନା । ପ୍ରଜ୍ଞାସ୍ଥିତ ହୃଦୟ ତାଙ୍କର ଦ୍ରବିଭୂତ ହୋଇଯାଇଥିଲା ଆଦିରସପ୍ଲୁତ ହୋଇ ।

 

ତରୁଣ ଶ୍ରମଣ ତାରୁକ୍ଷ ବାରମ୍ବାର ଚାହୁଁଥିଲେ ମଧୁସ୍ମିତାକୁ ତା’ର ନାରୀସୁଲଭ ପୃଥୁଳ ଉରଜକୁ-ବିମ୍ବୋଷ୍ଠରୁ କ୍ଷରିତ ସ୍ମିତହାସ୍ୟକୁ ।

 

କ୍ଷୁଧା-ନିଦ୍ରା-ଆଳସ୍ୟ ପ୍ରତ୍ୟେକକୁ ତ୍ୟାଗକରି ଦୀର୍ଘଦିନ ସଂଯତ ଚିତ୍ତରେ ଯେଉଁ ଶ୍ରମଣ ତପଶ୍ଚରଣ କରିଆସିଛନ୍ତି, କାମାଦି ରିପୁକୁ ଯେ ସଂଯମାଗ୍ନିରେ ଦଗ୍‌ଧିଭୂତ କରିଛନ୍ତି ବୋଲି ଦୃଢ଼ଧାରଣା ଅନ୍ୟମାନଙ୍କ ସହ ନିଜେ କରିଆସିଛନ୍ତି, ତାଙ୍କର ହୃଦୟରେ କେଉଁ ନିଭୃତ କୋଣରେ ସୁପ୍ତଥିବା କାମୋଦ୍ଦୀପକ ସଂଜୀବିତ ହୋଇ ତାଙ୍କର ସମସ୍ତ ସଂଯମକୁ ପରାହତ କରି ତାଙ୍କୁ ପ୍ରଭାବିତ କରିପକାଉଛି । ତାଙ୍କୁ ନିର୍ଦ୍ଦେଶ ଦେଉଛି, “ଯାଅ ଆଗେଇଯାଅ, ଦୃଢ଼ ପଦକ୍ଷେପରେ ପଶୁରାଜ ସିଂହପରି ଲମ୍ଫ ପ୍ରଦାନ କର ନାୟିକା ଶିରୋମଣି ମଧୁସ୍ମିତା ଉପରେ । ତୁମେ ପୁରୁଷ । ପୁରୁଷର ସହସ୍ର ଶକ୍ତି ଧରି ଉପଭୋଗ କର । ସରସ କର ଜୀବନ ମୁକୁଳ ।”

 

ତାରୁକ୍ଷ ଦେଖୁଛନ୍ତି ସତେ ଯେପରି ମଧୁସ୍ମିତା ବକ୍ଷ ପ୍ରସାରି ଡାକୁଛି, “ଆସ ପ୍ରିୟ ! ତୁମ ତରୁଣ ହୃଦୟର ପୁଞ୍ଜିଭୂତ କାମ ପ୍ରେରଣାରେ ମତ୍ତ ହୋଇ ମୋର ବକ୍ଷୋଜର ଦୃଢ଼ତାକୁ ମର୍ଦ୍ଧନ କର-କ୍ଷତ ବିକ୍ଷତ କରିଦିଅ ମୋର ବିମ୍ବୋଷ୍ଠ ଓ ଗଣ୍ଡଦେଶ ।”

 

ଅସ୍ତବ୍ୟସ୍ତ ହୋଇଉଠିଲେ ଶ୍ରମଣ ତାରୁକ୍ଷ । ପ୍ରତି ଅଙ୍ଗରେ ପ୍ରତି ଲୋମରେ ସେ ଅନୁଭବ କଲେ ଯୌବନର ଅସହ୍ୟ ଜ୍ୱାଳା-ଅସହ୍ୟ ଯନ୍ତ୍ରଣା ।

 

ମଧୁସ୍ମିତା କିଛି କହିବା ପୂର୍ବରୁ ତାରୁକ୍ଷ ଛେପଢ଼ୋକି ଅତି ବିନୟରେ କହିଲେ, ‘‘ଭଦ୍ରେ ! କ୍ଷୁଧାତୁର ଅତିଥିକୁ ଅଧିକ କଷ୍ଟଦେବା ଅବାଞ୍ଛନୀୟ । ତା’ର ସତ୍କାର କର ।”

 

-“ଆପଣ କ୍ଷୁଧାତୁର ? କୁହନ୍ତୁ କ’ଣ ଦେଇ ଆପଣଙ୍କ କ୍ଷୁଧା ଉପଶମ କରିପାରିବି ।”

 

-“ଏକମାତ୍ର ତୁମ ଯୁବତୀ ହୃଦୟର ପ୍ରେମ !”

 

-“ପ୍ରେମ ? ଆପଣ ଆସିଛନ୍ତି ପ୍ରେମ ନିବେଦନ କରିବାକୁ ?”

 

ଆଘାତ ପ୍ରାପ୍ତ ନାଗୁଣୀଭଳି ଗର୍ଜିଉଠିଲା ମଧୁସ୍ମିତା । ଶ୍ରମଣଙ୍କ କାମୋଦ୍ଦୀପନାକୁ ଭର୍ତ୍ସନାଦ୍ୱାରା ପ୍ରଶମିତ କରି ଦୃଢ଼ଗତିରେ ସେ ନିଷ୍ପ୍ରାନ୍ତ ହେଲା ତା’ ଶୟନ କକ୍ଷରୁ ।

 

କେତେବେଳେ ତା’ ଶୟନ କକ୍ଷକୁ ଶୂନ୍ୟ କରି ତାରୁକ୍ଷ ପ୍ରତ୍ୟାବର୍ତ୍ତନ କରିଥିଲେ ତାହା ସେ ଜାଣେନାହିଁ, ଜାଣିବାର ଇଚ୍ଛା ମଧ୍ୟ କରିନାହିଁ ।

 

ସେହିଦିନଠାରୁ ସେ ବୌଦ୍ଧ ବିହାରଯାତ୍ରା ବନ୍ଦ କରିଦେଇଛି ।

 

କିନ୍ତୁ ରହି ରହି ଶୁଭୁଛି ଧର୍ମକୀର୍ତ୍ତିଙ୍କର ସେହି କଠୋର ବାଣୀ- ‘‘ରୋଗ ମାଡ଼ିଆସୁଛି, ବାର୍ଦ୍ଧକ୍ୟ ମାଡ଼ିଆସୁଛି-କେତେଦିନ ରହିବ ତୁମର ଏହି ରୂପ ମହୋତ୍ସବ ?”

 

ଯୌବନ ଅସ୍ଥାୟୀ-ଜୀବନ ଅସ୍ଥାୟୀ । ସ୍ଥାୟୀ କେବଳ ସତ୍-ଈଶ୍ୱର ଚିନ୍ତା । ତେଣୁ ବେଳ ଥାଉଁ ଥାଉଁ ମହାପ୍ରାଜ୍ଞଙ୍କ କଥିତ ନିର୍ବାଣ ଆଡ଼କୁ ଆଗେଇଯିବା ଉଚିତ ।

 

ନିର୍ବାଣ ! କାହିଁ ନିର୍ବାଣ ? କାହିଁ କେତେଦୂରରେ ସେ ?

 

ଯେଉଁଠି ବୌଦ୍ଧଶ୍ରମଣର ସଂଯତ ଚିତ୍ତ ପ୍ରେମାପ୍ଲୁତ ହୋଇ ରୂପଜିବାର ପଦତଳେ ପ୍ରେମ ଭିକ୍ଷା କରେ ସେଠି ନିର୍ବାଣର ଅର୍ଥ କ’ଣ ପ୍ରେମ ନିବେଦନ ?

 

-“ହଁ ହଁ ନିର୍ବାଣର ଅର୍ଥ ମଧ୍ୟ ପ୍ରେମ ନିବେଦନ । ନିର୍ବାଣ ପାଇଥିଲା ମହିଷାସୁର ମହାଦେବୀଙ୍କୁ ପ୍ରେମ ନିବେଦନ କରି । ସେଥିପାଇଁ ଚିରଦିନପାଇଁ ମା’ର ପଦ ତା’ ବକ୍ଷଦେଶରେ ସ୍ଥିତ ହୋଇଛି !” କହିଲେ ସେଦିନ ଶ୍ମଶାନଚାରୀ ଜ୍ଞାନ ଭୈରବ ।

 

ଉତ୍ତାଳ ତରଙ୍ଗ ମାଳିନୀ ମହୋଦଧି କୂଳରେ ସେଦିନ ଯାହାଙ୍କୁ ଭଣ୍ଡ ବୋଲି ଭାବି ଅଣନିଶ୍ଵାସୀ ହୋଇ ଧାଇଁ ପଳାଇଆସିଥିଲା ସେ ଯେ ଜଣେ ସାଧନାସିଦ୍ଧ ତନ୍ତ୍ରାଚାର୍ଯ୍ୟ ଏହା ସେ ଭ୍ରମରେ ବି ଜ୍ଞାନ କରିନାହିଁ । ଜାଣିଥିଲେ ସେହି ଲବଣ ଜଳସିକ୍ତ ବେଳାଭୂମିରେ ତାଙ୍କ ପଦପ୍ରାନ୍ତେ ଜ୍ଞାପନ କରିଥାନ୍ତା ମନର ଦ୍ଵିଧା-ଗ୍ଲାନି । ଗୁରୁ ବୋଲି ସମ୍ବୋଧନ କରି ନିନୟଭାବେ କହିଥାନ୍ତା ଦୟାକରି ମୋଚନ କରନ୍ତୁ ମୋର ପୁଞ୍ଜିଭୂତ ସଂଶୟ ।

 

ପରିଚାରିକା ନକ୍ଷତ୍ରମାଳିନୀ ସେଦିନ ସମ୍ବାଦ ଦେଲା ଚେଳିତାଳୋର ଭୟାବହ ଦକ୍ଷୀଣ ଶ୍ମଶାନ ମହାତୀର୍ଥରେ ପରିଣତ ହୋଇଛି । ଶ୍ମଶାନାଧିବାସୀ ଶିବାମାନଙ୍କ ବିକଟ ଚିତ୍କାର ବଦଳରେ ଘଣ୍ଟ, ଘଣ୍ଟା, ତୁରୀ, ଭେରି ନାଦରେ ପ୍ରକମ୍ପିତ ହେଉଛି ସମସ୍ତ ଶ୍ମଶାନ । ପୂଜାପାଉଛନ୍ତି ଜଗଜ୍ଜନନୀ କାଳିକା । ପୂଜକ ସ୍ଵୟଂ ଜ୍ଞାନ ଭୈରବ ।

 

ପୂଜକ ନିଜେ ଜ୍ଞାନଭୈରବ । କିଏ ସେ ଜ୍ଞାନ ଭୈରବ ? କାଳିକାଙ୍କର ପୂଜା କରିବାପାଇଁ ଆଉ କ’ଣ କେଉଁଠି ସ୍ଥାନ ମିଳିଲାନାହିଁ ଯେ ଶ୍ମଶାନରେ ତାଙ୍କର ପୂଜା ହେବ ?

 

ପରିଚାରିକା ନକ୍ଷତ୍ର ମାଳିନୀକୁ ସଙ୍ଗରେ ଧରି ସେ ନିଜେ ଯାଇଥିଲା ଦର୍ଶନ କରିବାପାଇଁ ଜ୍ଞାନ ଭୈରବଙ୍କୁ, ଜନନୀ କାଳିକାଙ୍କୁ ।

 

ସେତେବେଳେ ଜ୍ଞାନଭୈରବ ପୂଜାରତ । ଗନ୍ଧ-ଧୂପ-ଦୀପାଦିରେ ଦେବୀ ଚର୍ଚ୍ଚିତ ହୋଇଥିଲେ । ଘନଘନ ଭେରୀ, ତୁରୀ ଘଣ୍ଟ ଘଣ୍ଟା ନାଦରେ ସ୍ଥାନଟି କମ୍ପିଉଠୁଥିଲା ।

 

ସମସ୍ତ ପୂଜାକୁ ଦେବୀ ସ୍ଥିରଭାବେ ଦଣ୍ଡାୟମାନ ହୋଇ ଗ୍ରହଣ କରୁଥିଲେ ।

 

ଶିବଙ୍କ ଉପରେ ଦୁଇଗୋଡ଼ ଦେଇ ସେ ଦଣ୍ଡାୟମାନ । ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା ନିମ୍ନାପତିତ ଶିବଙ୍କ ସହ ଦେବୀ ବିପରୀତ ରତିମଗ୍ନା । ଖଡ଼୍‌ଗ; ନରମୁଣ୍ଡ ବାମ କରରେ ଧରି ସେ ଯେଉଁଭଳି ଧ୍ଵଂସର ପ୍ରତୀକା ସେହିଭଳି ଦକ୍ଷିଣ ହସ୍ତରେ ଅଭୟମୁଦ୍ରା ବର ମୁଦ୍ରା ଧାରଣକରି ସୃଷ୍ଟିର ପ୍ରତୀକା ନରମୁଣ୍ଡ ଗ୍ରଥିତ ମାଳା ବ୍ୟତୀତ ଦେବୀଙ୍କ ବକ୍ଷଦେଶ ଉଲଗ୍ନ । ସ୍ପଷ୍ଟଭାବେ ଦେବୀଙ୍କ ପୃଥୁଳ କୁଚଯୁଗ୍ମ ଦୃଶ୍ୟମାନ । ଦେବୀ ନିଜର ରକ୍ତଜିହ୍ୱାକୁ ସ୍ୱଦଶନପନ୍ତିଦ୍ୱାରା ବିଦ୍ଧକରି ରଖିଛନ୍ତି ।

 

ମଧୁସ୍ମିତାର ଭୟ ସଞ୍ଚାରହେଲା ସେହି ମୂର୍ତ୍ତି ଦର୍ଶନ କରି ।

 

ପୂଜା ଶେଷରେ ଜ୍ଞାନଭୈରବ ପ୍ରତ୍ୟେକଙ୍କୁ ଦେବୀଙ୍କ ପ୍ରସାଦ ବିତରଣ କଲେ । ଅକୁଣ୍ଠିତ ଚିତ୍ତରେ ଅନ୍ୟଙ୍କ ସହିତ ମଧୁସ୍ମିତା ତାହା ଗ୍ରହଣ କରିଥିଲା ।

 

ସେହିଠାରେ ଜଣେ ଯୁବତୀ ତା’ର ସମବୟସୀକୁ ବୋଧେ ସାଥୀ ହେବ, ତାକୁ କହୁଥିଲା ଜ୍ଞାନଭୈରବ କାଳିକାଙ୍କ ସହିତ କଥୋପକଥନ କରନ୍ତି । ଏଭଳି ଅପ୍ରାପ୍ତ ବସ୍ତୁ କିଛି ନାହିଁ, ଯାହା ଜ୍ଞାନଭୈରବ ଦେଇନପାରିବେ । ସେ କାଳିକାଙ୍କ ସନ୍ତାନ ଭଳି । ସେଥିପାଇଁ ବୌଦ୍ଧ ବିହାରର ମହାପ୍ରାଜ୍ଞମାନେ ତାଙ୍କୁ ‘କାଳି ପୁତ୍ତ’ ବୋଲି ସମ୍ବୋଧନ କରନ୍ତି । ତାଙ୍କର ଜ୍ଞାନସମ୍ମୁଖରେ ମହାପ୍ରଜ୍ଞଙ୍କ ଜ୍ଞାନ ତ ଅତି ତୁଚ୍ଛ । ଦିନରାତି ସେ ପାଗଳଙ୍କ ଭଳି ମା’ ମା’ କହୁଥିବେ । ଭଲଗୁଣ ଭଲ ଲୋକ ଦେଖିଲେ ମା’ ଆବିର୍ଭାବ ହୋଇଛି ବୋଲି କହିବେ ।

 

ମହାଭୈରବଙ୍କ ବିଷୟରେ ସବୁ କଥା ସେ ଶୁଣେ । ଶୁଣେ ପୁଣି ଯେଉଁଠାରେ ସମସ୍ତେ-। ରାଜା, ପ୍ରଜା, ଧନୀ, ନିର୍ଦ୍ଧନ, ସୁଚରିତା, ପତିତା–ସେହିଠାରେ ମା’ ଅବସ୍ଥାନ କରନ୍ତି-

 

ବେଳାଭୂମିରେ ଅତର୍କିତ ଭାବେ ଯେଉଁ ମହାନ୍ ବ୍ୟକ୍ତିଙ୍କ ସହିତ ତା’ର ସାକ୍ଷାତ ହୋଇଥିଲା ସେ ଯେ ଏତେ ମହାନ୍, ଏଡ଼େ ବିରାଟ ତାହା କ’ଣ ସେତେବେଳେ ସେ ଜାଣିଥିଲା ? ସେତେବେଳେ ସେ ଦେଖୁଥିଲା ବିଶ୍ୱବ୍ରହ୍ମାଣ୍ଡଟା ଯେପରି ଶ୍ରମଣ ତାରୁକ୍ଷ । କଣ୍ଠେ ତୋଳି ଧର୍ମର ପ୍ରାବୃଟରାଗିଣୀ ନିଭୃତରେ ଗୋପନରେ–ଅତି ଗୋପନରେ ସୁନ୍ଦରୀ ତରୁଣୀପଦପ୍ରାନ୍ତେ କରିବାକୁ ଚାହାନ୍ତି ସେମାନେ ପ୍ରେମଭିକ୍ଷା ।

 

ନାରୀଜନ୍ମ କେବଳ କ’ଣ ପ୍ରେମାଲିଙ୍ଗନ ପାଇଁ ? ନାରୀ କ’ଣ ପୁରୁଷର କ୍ରୀଡ଼ନକ ପିତୁଳି ?

 

ଜ୍ଞାନଭୈରବ ଶକ୍ତିତତ୍ତ୍ଵ ବିଷୟରେ କହିବାକୁଯାଇ ସେଦିନ ବ୍ୟକ୍ତକଲେ ଶିବ କିଏ ? କିଏ ତାକୁ ଶିବ କରିଛି ? ଶକ୍ତି ଯୁକ୍ତ ନହେଲେ ଶିବ ଶବରେ ପରିଣତ ହେବ । ସେ ଇଚ୍ଛାକଲେ ପ୍ରାଣହୀନ ଶବ ଦେହରେ ଶକ୍ତିସଞ୍ଚାର ହୋଇ ଶିବ ପଦବାଚ୍ୟ ହେବ । ଯେଉଁମାନେ କହନ୍ତି ଶିବ ହେଉଛନ୍ତି ‘ମା’ର ସ୍ୱାମୀ, ସେମାନେ ସମ୍ପୂର୍ଣ୍ଣ ଠିକ୍ କହୁନାହାନ୍ତି । ଏହା ମଧ୍ୟ ବାସ୍ତବ ସତ୍ୟ ନୁହେଁ । ସ୍ୱାମୀର ବକ୍ଷ ଦେଶରେ ତାଙ୍କର ପଦ ପଡ଼ିଯିବା ଯୋଗୁ ସେ ସ୍ଵ ଦଶନପନ୍ତିଦ୍ଵାରା ରସନାବିଦ୍ଧ କରିଛନ୍ତି ତାହା କେବେ ସତ୍ୟ ନୁହେଁ । ମା’ର ଏହି ଅଦ୍ଭୁତରୂପ କେବଳ ଦର୍ଶନଶାସ୍ତ୍ରଜ୍ଞ ଚେଷ୍ଟାକଲେ ଜ୍ଞାତ ହୋଇପାରିବେ ।

 

ଦର୍ଶନଶାସ୍ତ୍ର ବ୍ୟକ୍ତକରେ ରକ୍ତବର୍ଣ୍ଣ ରଜୋଗୁଣର ସାଙ୍କେତିକ ଚିହ୍ନ । ସଦ୍‌ଗୁଣରେ ସାଙ୍କେତିକ ଚିହ୍ନ ଶ୍ୱେତବର୍ଣ୍ଣ । ଜନନୀ ବ୍ୟକ୍ତ କରୁଛି, ହେ ସାଧକ ତୁମେ ତୁମର ରଜୋଗୁଣକୁ ସତ୍ତ୍ଵଗୁଣ ଦ୍ଵାରା ଆୟତ୍ତ କରି ମୋର ଆରାଧନା କର । ସେଥିପାଇଁ ରକ୍ତ ଜିହ୍ୱାକୁ ଶ୍ୱେତ ଦଶମପନ୍ତିଦ୍ଵାରା ସେ ବିଦ୍ଧକରି ଦର୍ଶାଉଛନ୍ତି ମୋର ପୂଜକ ସତ୍ତ୍ଵଗୁଣାଧିକାରୀ ।

 

ବିଶ୍ୱର ଜନନୀ ପ୍ରକୃତି ରୂପିଣୀ । ସେ ଯେଉଁଭଳି ଧ୍ଵଂସକରନ୍ତି, ସେହିଭଳି ସୃଷ୍ଟି କରନ୍ତି, ପାଳନ ବି କରନ୍ତି । ଦେବଶକ୍ତି ତାଙ୍କରିଠାରୁ କ୍ଷରିତହୋଇ ବିଶ୍ଵରେ ଦେବପ୍ରକୃତି ସେ ସୃଷ୍ଟିକରିଛି-ସେହିଭଳି ରାକ୍ଷାସଶକ୍ତି ତାଙ୍କରିଠାରୁ ସୃଷ୍ଟିହୋଇ ରାକ୍ଷସ ପ୍ରକୃତି ସେ ଜୀବ ମଧ୍ୟରେ ଭରିଦେଇଛି ।

 

ପ୍ରତ୍ୟେକ ନିମିତ୍ତ ମାତ୍ର । ସେ ଇଚ୍ଛାକଲେ ମଣିଷ ମଧ୍ୟରେ ଦେବପ୍ରକୃତି ଆଣିପାରେ । ପୁନର୍ବାର ସେ ଇଚ୍ଛାକଲେ ଶାନ୍ତ ନୀରିହ ମଧ୍ୟରେ ରାକ୍ଷସ ପ୍ରକୃତ ଦାନ କରି ନରହନ୍ତା ଭ୍ରଷ୍ଟାଚାରୀ କରାଇ ବିଶ୍ଵଦରବାରରେ ନିନ୍ଦିତ କରାଏ । ସେଥିପାଇଁ ତା’ର କରୁଣାପାଇଁ ପୂଜା ଆବଶ୍ୟକ । ଉପାସନା ଆବଶ୍ୟକ ।

 

ଜ୍ଞାନଭୈରବଙ୍କୁ ପ୍ରଶ୍ନକରି ନିଜର ସଂଶୟ ମୋଚନକରିଛି ମଧୁସ୍ମିତା । ଯାହା କିଛି ହେଉଛି ସବୁ କରୁଛି ସେ । ନିମିତ୍ତମାତ୍ର, କେବଳ ବ୍ୟକ୍ତିବିଶେଷ । ଦ୍ରଷ୍ଟା ଇଚ୍ଛାରେ ହିଁ ସବୁର ପରିସମାପ୍ତି ।

 

ନିର୍ବାଣ-ନିର୍ବାଣର ଅର୍ଥ କ’ଣ ?

 

ଜ୍ଞାନଭୈରବ ଦୃଢ଼କଣ୍ଠରେ ବିଜ୍ଞାପିତ କରନ୍ତି–“ଗୋଟିଏ ସ୍ତରର ପରିସମାପ୍ତିକୁହିଁ ନିର୍ବାଣ କୁହାଯାଏ ।”

 

ବୁଦ୍ଧ ବ୍ୟକ୍ତ କରିଥିଲେ, ସେ ଅତୀତରେ ବିଭିନ୍ନ ସ୍ତର ଦେଇ ଆସି ଶେଷ ସ୍ତରରେ ସେ ବୁଦ୍ଧତ୍ୱ ପ୍ରାପ୍ତ ହୋଇଛନ୍ତି ।

 

ବାସ୍ତବରେ ବୁଦ୍ଧତ୍ୱ ପ୍ରାପ୍ତି ହିଁ ଜୀବନର ଶେଷସ୍ତର ।

 

ସେଦିନ ପିତାଙ୍କ ଭଳି ଜ୍ଞାନଭୈରବ କହିଲେ, “ମା’ ଏ ବିଶ୍ଵରେ ମା’ କ’ଣ କେବେ କଳଙ୍କିନୀ ହୁଏ ? ସେ ତୋତେ କଳଙ୍କିନୀ କଲା, ଆଉ ଏତେ ସ୍ତ୍ରୀଲୋକ ଅଛନ୍ତି ତାଙ୍କୁ ତ କଳଙ୍କିନୀ କଲାନାହିଁ । ଗୌତମ ଭୋଗର ଶେଷ ଅବସ୍ଥାରେ ପହଞ୍ଚିଥିଲେ । ତେଣୁ ବୁଦ୍ଧତ୍ୱ ପ୍ରାପ୍ତି ତାଙ୍କର ଅନିବାର୍ଯ୍ୟ ହୋଇଥିଲା । ତାଙ୍କରି ଭଳି ବହୁତ୍ୟାଗୀ ସେତେବେଳେ ମଧ୍ୟ ଥିଲେ; କିନ୍ତୁ ଆଉ କେହି ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ କି ? କାରଣ ଭୋଗବିହୀନ ତ୍ୟାଗର କିଛି ମୂଲ୍ୟ ନାହିଁ । ଭୋଗପରେ ଯେଉଁମାନେ ବିତସ୍ଫୃହ ତ୍ୟାଗ କରନ୍ତି, ତାହାର ଯଥାର୍ଥ ମୂଲ୍ୟ ଅଛି । ଯେବେ ଭୋଗରେ ତୋର ବିତୃଷ୍ଣା ଆସିଥାଏ, ତେବେ ନିର୍ବାଣର ସମୀପବର୍ତ୍ତୀ ତୁ ହେବାକୁ ଯାଉଛୁ । ମହାନିର୍ବାଣ ଆସନ୍ନ ନହେଲେ ଏତେ ସୌନ୍ଦର୍ଯ୍ୟର ଅଧିକାରୀ ମଣିଷ କ’ଣ ହୁଏ ।”

 

ଜ୍ଞାନଭୈରବଙ୍କଠାରୁ ତା’ ବିଷୟରେ ବହୁ କଥା ଶୁଣିଛି ସେ । ଶୁଣିପାରି ବିଶ୍ଵାସ ହୋଇନାହିଁ । ବାରବିଳାଷିନୀ ମଧୁସ୍ମିତା ନିର୍ବାଣମୁଖୀ ଏହା ସେ ବିଶ୍ୱାସ କରିବ କିପରି ?

 

ଅଶେଷ ସୌନ୍ଦର୍ଯ୍ୟର ପ୍ରତିମାମଧ୍ୟରେ ଏ ଆତ୍ମାକୁ ସେ ସ୍ଥିତକରାଇଛି । ସେହିଁ ସୌନ୍ଦର୍ଯ୍ୟ ପାଗଳ କରିଦେଇଛି ସାରା ବିଶ୍ୱକୁ । ଚେଳିତାଳୋର ରୂପଜୀବା ମଧୁସ୍ମିତା ହସି ହସି ଲାସ୍ୟଭଙ୍ଗୀରେ କୋଳାଗ୍ରତ କରିବ-ତା’ର ବଧୁଲି ଅଧରରେ ଚୁମ୍ବନରେଖା ଆଙ୍କି ତାଙ୍କୁ ଅଙ୍କଶାୟୀ କରିବ–ଏହି ଚିନ୍ତା ଧନପତି ସୌଦାଗରଙ୍କୁ ଅଥୟ କରିଦେଇଛି । ତାଙ୍କ ଅର୍ଜିତ ଧନ, ସମ୍ମାନ ସବୁକୁ ସେମାନେ ତୁଚ୍ଛ ମନେକରି ଧାଇଁଆସିଛନ୍ତି ମଧୁସ୍ମିତା ପାଖକୁ ।

 

ଉଲଟ ରମ୍ଭାପରି ଜାନୁଯୁଗଳ । ସୁ ଗଭୀର ନାଭି-ସିଂହକଟି-ନିଟୋଳ-ବକ୍ଷୋଜ-ନାଗନିନ୍ଦିତ ତା’ର ସୁକୋମଳ ଭୁଜ ଦୁଇଟି–ପୂର୍ଣ୍ଣଚନ୍ଦ୍ରକୁ ନିନ୍ଦା କରୁଥିବା ତା’ର ସେ ବଦନମଣ୍ଡଳ, ଓଃ କି ବିଚିତ୍ର ସୌନ୍ଦର୍ଯ୍ୟର ପସରା ସେ ।

 

ମଧୁସ୍ମିତା ଦୃକ୍‌ପାତକଲା ତା’ର ସେହି କକ୍ଷୋଜକୁ । ଯାହାର ଭୁରି ଭୁରି ପ୍ରଶଂସା ଧନପତିଙ୍କଠାରୁ ଶୁଣି ତା’ର କର୍ଣ୍ଣକଟୁ ହୋଇଛି । ପ୍ରଥମେ ଯେଉଁଭଳି ତାହାର–ତା’ ତନୁର ପ୍ରଶଂସା ତାଙ୍କୁ ଉଦ୍‌ବୋଧିତ କରୁଥିଲା–ଯୌବନ କୁସୁମିତ ଅଙ୍ଗ ତା’ର କଣ୍ଟକିତ ହୋଇପଡ଼ୁଥିଲା, ଇଚ୍ଛା ହେଉଥିଲା ପ୍ରିୟ ଧନିକକୁ ବକ୍ଷଉପରେ ଶାୟିତକରି ତା’ର ଯୌବନ ସୁଧାକୁ ନିଃଶେଷ କରିଦେବା ପାଇଁ ତାହା ଆଉ ହେଉନାହିଁ । ଭୋଗ ବାସନର ତ ପୁଣି ଶେଷ ଅଛି ?

 

ପିତା ଜ୍ଞାନଭୈରବ ସେଦିନ ତା’ର ଦୁର୍ଗାତାଣ୍ଡବ ନୃତ୍ୟ ଦେଖି ତନ୍ମୟ ହୋଇପଡ଼ିଥିଲେ । ସେ ଏତେ ତନ୍ମୟ ହୋଇପଡ଼ିଥିଲେ ଯେ ତାଣ୍ଡବ ଶେଷରେ ପାଗଳଙ୍କ ପରି ସାଷ୍ଟାଙ୍ଗ ପ୍ରଣିପାତପୂର୍ବକ କହିଉଠିଲେ–“ଏହି ରୂପରେ ତୁ ମହିଷାସୁରକୁ ବଧକଲୁ-ଶୁମ୍ଭ ନିଶୁମ୍ଭ-ଚଣ୍ଡମୁଣ୍ଡଙ୍କୁ ବି ମୁଗ୍‌ଧ କରି ଧ୍ଵଂସ କରିଥିଲୁ ।”

 

ପ୍ରକୃତରେ କ’ଣ ଏତେ ସୌନ୍ଦର୍ଯ୍ୟର ଅଧିକାରିଣୀ ସେ ?

 

ସନ୍ଧ୍ୟା ଆରତି ପରେ ଦେବସ୍ତୁତି ସୁଲଳିତ ସ୍ଵରରେ ଗାନକରିବା ମଧୁସ୍ମିତାର ଏକ ପରମ କର୍ତ୍ତବ୍ୟ ହୋଇପଡ଼ିଛି । ଜ୍ଞାନଭୈରବ କୁହନ୍ତି କଣ୍ଠ ତା’ର ବାଣୀକଣ୍ଠ ।

 

ନୃତ୍ୟବେଳେ ଯେପରି ଜଗତଜନନୀ ତାକୁ ଆବେଶ ହୁଅନ୍ତି ବୋଲି ଉପସ୍ଥିତ ଭକ୍ତବୃନ୍ଦ ଅନୁଭବକରନ୍ତି, ସେହିପରି ସ୍ତବପାଠବେଳେ ସରସ୍ଵତୀ ତା’ କଣ୍ଠରେ ଅବସ୍ଥାନ କରିଥାନ୍ତି ବୋଲି କହନ୍ତି ସମସ୍ତେ ।

 

ଆଗେ ସେ ଗୀତ ବୋଲୁଥିଲା ଧନୀ ସୌଦାଗରଙ୍କ ମନ ତୃପ୍ତିପାଇଁ; ମାତ୍ର ଆଜି ବୋଲୁଛି ଦେବୀ କାଳିକାଙ୍କ ତୁଷ୍ଟିପାଇଁ । ସେହିଭଳି ସେ ନାଚି ଶିଖିଥିଲା ଧନିକଙ୍କୁ ତା’ର ନଗ୍ନ ଅବୟବର କିୟତ୍‌ଅଂଶ ଦର୍ଶାଇ ଧନ ଆହରଣ ପାଇଁ; କିନ୍ତୁ ଆଜି ନାଚୁଛି ସେହି ମହାନୃତ୍ୟ ମହାଦେବୀଙ୍କ ସନ୍ତୁଷ୍ଟି ପାଇଁ ।

 

ଯୁଗେ ଯୁଗେ ପୁରୁଷଗୁଡ଼ାକ ନାରୀରୂପର କାଙ୍ଗାଳ । ନାରୀ ପ୍ରେମରେ ପାଗଳ; କିନ୍ତୁ ଦେବତା କ’ଣ ତା’ ନୃତ୍ୟରେ ତା’ ଗୀତରେ ସନ୍ତୁଷ୍ଟ ?

 

ବିଶ୍ୱାସ କରିପାରେନାହିଁ ମଧୁସ୍ମିତା ଲୋକଙ୍କ କଥାକୁ । ରୂପଜୀବା ଗଣିକାର କଣ୍ଠ କ’ଣ ବାଣୀକଣ୍ଠ ହୋଇପାରେ ? ନା ଦୁର୍ଗାତାଣ୍ଡବ କଲାବେଳେ ଦେବୀ ଦୁର୍ଗା ତାକୁ ଅବେଶ ହୋଇପାରନ୍ତି ? କିନ୍ତୁ ସେ ନୃତ୍ୟବେଳେ କିପରି କ’ଣ ନାଚୁଛି କିଛି ଜାଣିପାରେନାହିଁ । ଗୋଟାଏ ତନ୍ମୟତା ମଧ୍ୟରେ ଥିଲାଭଳି ତା’ର ମନେହୁଏ ।

 

ଧନାଢ଼୍ୟ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ କେତେକ ଆଦିରସଗୀତ ବୋଲି ଶିଖିଥିଲା, ଆଉ ବେଳେବେଳେ ନିତମ୍ୱ ଦୋହଲାଇ ସେ ନାଚୁଥିଲା । ଏହିଭଳି ଏକ ନର୍ତ୍ତକୀ ଦୁର୍ଗାତାଣ୍ଡବ ନାଚିପାରିବ ଏହା କିଏ କାହିଁକି ଧାରଣା କରିବ ?

 

ରାତ୍ରି ଅର୍ଦ୍ଧଯାମରୁ ଅଧିକ ହେବ । ତଥାପି ତା’ ଆଖିକୁ ନିଦ୍ରା ନାହିଁ । ଅସହ୍ୟ ଗ୍ରୀଷ୍ମ ତାପରେ ତା’ ଅଙ୍ଗବାସ ଆର୍ଦ୍ରପ୍ରାୟ । ସେ ତା’ର ବିଗତ ଦିନକୁ ସ୍ମରଣ କରି କରି ଚାଲିଛି ।

 

ହଠାତ୍ ସେ ଏକ ଦୀର୍ଘନିଶ୍ଵାସ ତୋଳି ତା’ ଆସନରୁ ଉଠିପଡ଼ିଲା । ବନ୍ଦଥିବା କପାଟ ଉନ୍ମୋଚନକରି ବହାରିପଡ଼ିଲା ବାହାରକୁ ।

 

ବାହାରେ ଝଡ଼ର ପୂର୍ବାଭାସ ।

 

ଉତ୍ତରଦିଗରୁ ଗ୍ରହତାରାଙ୍କୁ କଳା ପରଦାରେ ଢାଙ୍କି କୃଷ୍ଣ ମେଘଖଣ୍ଡ ମାଡ଼ିଆସୁଛି ସାରା ଆକାଶକୁ ଘୋଡ଼ାଇ ଘୋଡ଼ାଇ । ଉତ୍ତର ଦିଗରୁ ପ୍ରବଳ ବେଗରେ ପବନ ବହିବାକୁ ଆରମ୍ଭ କଲାଣି-

 

ଅଶନିପାତରେ ଅନ୍ଧକାର ପୃଥିବୀ ହଠାତ୍ ଆଲୋକିତ ହୋଇପଡ଼ୁଛି ।

 

ବାତ୍ୟାର ଭୟଙ୍କର ଶବ୍ଦ, ତୁହାଇ ତୁହାଇ ବଜ୍ରପାତରେ ଘଡ଼ ଘଡ଼ ସ୍ୱର ମଧୁସ୍ମିତାକୁ କାହିଁକି ସୁଖପ୍ରଦ ହେଲା । ସେ ଖୋଲିଦେଲା ତା’ର କବରୀ । ଲୋଟିପଡ଼ିଲା ଆଲୁଳାୟିତ ହୋଇ ପୃଷ୍ଠଦେଶରେ ତା’ର ଘନକୃଷ୍ଣ କେଶଗୁଚ୍ଛ । ତା’ର କର୍ଣ୍ଣକୁହରରେ ବାଜିଉଠିଲା କିଏ ଯେପରି ଗମ୍ଭୀର, ଅତି ଗମ୍ଭୀର ହୋଇ ବୋଲୁଛି ସେହି ଦେବୀସୂକ୍ତ–

 

“ଓଁ ଅହଂ ରୁଦ୍ରେଭର୍ବସୁଭିଶ୍ଚରାମ୍ୟହ ମାଦିତ୍ୟୈ ରୂତ ବିଶ୍ଵଦେବୈଃ ।

ଅହଂ ମିତ୍ରାବଋଣୋଭା ବିଭର୍ମ୍ୟହମିନ୍ଦ୍ରାଗ୍ନି ଅହମଶ୍ୱି ନୋଭା ।।”

 

“ମୁଁ ଏକାଦଶ ରୁଦ୍ର, ଅଷ୍ଟବସୁ, ଦ୍ୱାଦଶ ଆଦିତ୍ୟ ଏବଂ ବିଶ୍ୱ ଦେବତାରୂପେ ବିଚରଣ କରେ । ମୁଁ ମିତ୍ର ଓ ବରୁଣ ଉଭୟଙ୍କୁ ଏବଂ ଇନ୍ଦ୍ର, ଅଗ୍ନି ଓ ଅଶ୍ୱିନୀକୁମାର ଦ୍ୱୟଙ୍କୁ ଧାରଣ କରିଛି ।”

 

କିଏ ସେ–କିଏ ସେ ବୋଲୁଛି ?

 

ଏ କଣ୍ଠ କ’ଣ ତା’ର । ସେ କ’ଣ ସେହି ପରମା ପ୍ରକୃତି ମହାଦେବୀ ? ସୃଷ୍ଟିର ମୂଳାଧାର !

 

ସେହି ଅନ୍ଧକାର ରାତ୍ରିରେ ନାଚିଉଠିଲା ମଧୁସ୍ମିତା ତାଣ୍ଡବଭଙ୍ଗୀରେ ।

 

ସେ ସେହି ଅନାଦି–ତାର ନାହିଁ ଆଦି-ନାହିଁ ଅନ୍ତ । ସେ ନୁହେଁ ବାରବିଳାସିନୀ ମଧୁସ୍ମିତା କିମ୍ବା ଦେବଦାସୀ ମଧୁସ୍ମିତା । କୋଟି କୋଟି ଜଗତ ସୃଷ୍ଟି କରୁଚି ସେ, ପୁଣି ତାକୁ ସଂହାର କରୁଛି ସେ । ସେ ବିଭୀଷିକା ଆନନ୍ଦର ଆଧାର ପୁଣି ଦୁଃଖ ବିଭୀଷିକାର ମୂର୍ତ୍ତିମନ୍ତ ରୂପ । ଦେବତା ସେ ସୃଷ୍ଟିକରିଛି-ରାକ୍ଷସ, ସେ ସୃଷ୍ଟି କରିଆସିଛି । ସେ ସବୁର କର୍ତ୍ତା ।

 

ସକଳ ବିଶ୍ଵ ସେ ସୃଷ୍ଟି କରି ସମସ୍ତଙ୍କ ଅଗୋଚରରେ ସେ ସୁପ୍ତା । ପୁଣି ସେ ଜାଗ୍ରତ ପୁରାତନକୁ ଧ୍ଵଂସକରିଛି ନୂତନର ସୃଷ୍ଟି ପାଇଁ ।

 

ବର୍ଷା ଆରମ୍ଭ ହୋଇସାରିଥାଏ । ସାଇଁ ସାଇଁ ହୋଇ ପ୍ରବାହିତ ହେଉଥାଏ ବାତ୍ୟା । ଜଗତକୁ ପ୍ରକମ୍ପିତ କରିଚାଲିଥାଏ ଅଶନିପାତ ।

 

ସେଥିପାଇଁ ଭୟନାହିଁ ମଧୁସ୍ମିତାର । ସେ ତ ସମସ୍ତର ସ୍ରଷ୍ଟା–ସବୁ ହିଁ ସେ ।

 

ଡମ୍ବରୁ ନାଦଭଳି ଆକାଶରେ ବାଜିଉଠୁଛି ଆକାଶବାଦ୍ୟ ।

 

ସେହି ବାଦ୍ୟର ତାଳେତାଳେ ତାଣ୍ଡବନୃତ୍ୟ କରିଉଠିଲା ମଧୁସ୍ମିତା । ଶତ ବିଦ୍ୟୁ ଝଲକିଉଠୁଥାଏ ମଧୁସ୍ମିତାକୁ ପଥଦର୍ଶାଇବା ପାଇଁ । ସେ ଚାଲିଥାଏ ବାତ୍ୟାର ଅନୁକୂଳରେ ।

 

X X X

 

ରାତ୍ରି ଅର୍ଦ୍ଧଯାମପରେ ତନ୍ତ୍ରର ଗୁରୁପୂଜା ଜ୍ଞାନଭୈରବ କରନ୍ତି । ସେ ପୂଜାପାଇଁ ପ୍ରସ୍ତୁତହେଲେ । ବାହାରକୁ ଯିବାର ଉପାୟ ନାହିଁ । ଶାସ୍ତ୍ରରେ ଅଛି, “ଶ୍ମଶାନେ ଅବା ଶୂନ୍ୟ ମନ୍ଦିରେ-।” ଦେବୀ କାଳିକାଙ୍କ ସମ୍ମୁଖରେ ସେ ଆରମ୍ଭକଲେ ତନ୍ତ୍ର ଗୁପ୍ତ ପୂଜା ।

 

ପୂଜା ଶେଷରେ ଜପରେ ବସିଲେ ।

ହଠାତ୍ ତାଙ୍କ କାନରେ ବାଜିଉଠିଲା ପ୍ରଳୟ ଡମ୍ବରୁର ଶବ୍ଦ । ସେହି ଶବ୍ଦର ତାଳେତାଳେ ବାଜିଉଠୁଛି ନୃତ୍ୟରତ ଚରଣଯୁଗଳରେ ନିବଦ୍ଧ ନୂପୁର ଗୁଞ୍ଜନ ।

କିଏ ? କିଏ କରୁଛ ତାଣ୍ଡବ ନୃତ୍ୟ ?

ଧ୍ୟାନରେ ସ୍ପଷ୍ଟଭାବେ ଜ୍ଞାନଭୈରବ ଦେଖିଲେ ନୃତ୍ୟରତା ମଧୁସ୍ମିତା ।

ସେ ତ ମଧୁସ୍ମିତା ନୁହେଁ ସାକ୍ଷାତ୍ ଦେବୀ ଦୁର୍ଗା । ଦେବୀ ମହାକାଳୀ ସବୁ ଦୁଃଖ ସବୁ ଅଶାନ୍ତିରୁ ରକ୍ଷାପାଇଁ ସେ ରଚିଛି ତାଣ୍ଡବ । ଦୁର୍ଗତିରୁ ରକ୍ଷାକରିବା ପାଇଁ ସେ ଦୁର୍ଗା-କଳାକୁ କବଳିତ କରି ସେ ମହାକାଳୀ ।

ଚକ୍ଷୁ ବନ୍ଦକରି ସେ ବେଶି ସମୟ ବସିପାରିଲେ ନାହିଁ । ଯେଉଁ ଭୟଙ୍କର ନୃତ୍ୟରେ ଦେବତାମାନେ ଭୀତତ୍ରସ୍ତ, ସେ ନୃତ୍ୟ କେତେ ସମୟ ଜ୍ଞାନଭୈରବ ଦେଖିପାରିବେ ମାତ୍ର ତା’ର ସନ୍ତାନ ?

ମହାଭାରତ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କର ସେହି ଅଦ୍ୱିତୀୟ ବିଶ୍ଵରୂପ ଦର୍ଶନ କରିନପାରି ଅର୍ଜୁନ ଭୟବିଜଡ଼ିତ କାତରକଣ୍ଠରେ ପ୍ରାର୍ଥନା କରିଥିଲେ ଏରୂପ ସମ୍ବରଣ କରି; କିନ୍ତୁ ଜ୍ଞାନଭୈରବ ସେ ରୂପ ଦର୍ଶନକରି ବିହ୍ୱଳିତ ହୋଇପଡ଼ିଲେ । ମା’ ମା’ ବୋଲି କହି ଚିତ୍‌କାର କରିଉଠିଲେ । ତାଙ୍କର ମନେହେଉଥାଏ ଶୂନ୍ୟରୁ ମହାଶୂନ୍ୟରୁ ଯେପରି ଅଜାଡ଼ିହୋଇ ପଡ଼ୁଥାଏ ଡମ୍ବରୁ ଘଣ୍ଟ ଘଣ୍ଟା କାହାଳୀର ଶବ୍ଦ । ସେହି ଶବ୍ଦ ମଧ୍ୟରେ ହଜିଯାଉଛି ତାଙ୍କ ମା’ ମା’ ଚିତ୍କାର !

ଚକ୍ଷୁ ମେଳି ଦେଖିଲେ କିଛି ନାହିଁ । ସମ୍ମୁଖରେ ଦେବୀ କାଳିକା ସେହିଭଳି ଜିହ୍ୱା ବହିର୍ଗତ କରି ନୃମୁଣ୍ଡମାଳିନୀ ଭାବେ ଦଣ୍ଡାୟମାନା । ଉଜ୍ଜ୍ଵଳ ଦୀପଶିଖାରେ ଦେବୀଙ୍କ ସ୍ୱରୂପ ସ୍ପଷ୍ଟ ଦୃଶ୍ୟମାନ ହେଉଥାଏ ।

ନମସ୍କାର କଲେ ଦେବୀଙ୍କୁ ତନ୍ତ୍ରସାଧକ ।

ଏ କ’ଣ ? ହଠାତ୍ ଦୀପଶିଖା ଲିଭିଗଲା । ପବନ ନାହିଁ, ଦୀପରୁ ସଳିତା ସରିନାହିଁ କି ଘୃତ ସରିନାହିଁ, ତଥାପି ଦୀପଶିଖା ଲିଭିଗଲା ।

କାହିଁକି ଏ ଅଘଟଣ ? କ’ଣ ହେଲା ?

ନିର୍ବେଦହୋଇ ବସିରହିଲେ କିଛି ସମୟ ଜ୍ଞାନଭୈରବ ? ପରିଶେଷରେ ମା’ ମା’ କହି ଜ୍ଞାନଭୈରବ ବହିର୍ଗତହେଲେ ମନ୍ଦିର ମଧ୍ୟରୁ ।

ପୂର୍ବାକାଶର ବହୁ ନିମ୍ନରେ ସୂର୍ଯ୍ୟ ଉଦୟ ହେଲେଣି । ତାଙ୍କରି ରକ୍ତିମ ଆଭା ଦେଖାଯାଉଥିଲା ।

କେତେବେଳୁ ଅପସରି ଯାଇଥାଏ ମେଘ, ପବନ, ଅଶନିପାତ । ଆକାଶ ନିର୍ମଳ ହୋଇନାହିଁ ସତ; କିନ୍ତୁ ବର୍ଷାର ସମ୍ଭାବନା ନାହିଁ । ଉତ୍ତର ଦିଗରୁ ପ୍ରଥମେ ପବନ ବହୁଥିଲା । ଉତ୍ତରରୁ ପଶ୍ଚିମ, ପଶ୍ଚିମରୁ ଦକ୍ଷିଣାପବନ ବହିଲାଣି କେତେବେଳୁ ।

ହଠାତ୍ ଗୋଟାଏ ଗୃଧ୍ର ଆକାଶରୁ ଚିତ୍ରକାରରେ ଓହ୍ଲାଇଆସୁଥାଏ ନିମ୍ନ ଦେଶକୁ । ଟିକିଏ ଦୂରରେ ଦୁଇଟା ଶୃଗାଳ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ କରିଦେଇଥାନ୍ତି ।

 

ଜ୍ଞାନଭୈରବ ଚାଲିଲା ଚାଲିଲା ହୋଇ ଆଗକୁ ଟିକିଏ ଚାଲିଗଲେ ।

 

ଆଗରେ ସେ କ’ଣ ?

 

କେହିଜଣେ ନିଶ୍ଚିନ୍ତରେ ଶୟନ ରଚନା କରିଥିଲାଭଳି ମନେହେଲା ।

 

ତେବେ କିଏ ସେ ?

 

ଜ୍ଞାନଭୈରବ ଆଗେଇଗଲେ ସେ ଆଡ଼କୁ; ମାତ୍ର କେତୋଟି ପାଦ ଗଲାପରେ-ଏଁ, ଏ ଯେ ମଧୁସ୍ମିତା ।

 

ମୁଖରେ ଲାଖିରହିଛି ସ୍ୱସ୍ତିର ସଙ୍କେତ । ଚକ୍ଷୁ ଦୁଇଟି ତା’ର ବିସ୍ଫାରିତ ହୋଇଯାଇଥାଏ-ଯେପରି ତାଣ୍ଡବ ନୃତ୍ୟରେ ତା’ର ଚକ୍ଷୁ ଦେଖାଯାଏ । ଦେହରୁ ବାସନ ତା’ର ଖସିପଡ଼ିଛି–କାଳିକାଙ୍କ ପରି ପୂରା ଉଲଗ୍ନ ନ ହେଲେ ମଧ୍ୟ ଉଲଗ୍ନ ପ୍ରାୟ ।

 

ଜ୍ଞାନଭୈରବ ଉଚ୍ଚକଣ୍ଠରେ ଡାକିଉଠିଲେ, “ମଧୁସ୍ମିତା-ମଧୁସ୍ମିତା !”

 

ଡାକ ତାଙ୍କର ଶୂନ୍ୟରେ ମିଳାଇଯାଉଥାଏ । ସ୍ପନ୍ଦନହୀନ ଦେହ ବା କି ଉତ୍ତର ଦେବ ?

 

ଗତ ସନ୍ଧ୍ୟାରେ ସେ ଆସିଥିଲା ଦେବୀଙ୍କ ଦର୍ଶନପାଇଁ । ଆରତି ଶେଷରେ ସେ ବୋଲିଥିଲା ଦେବୀସୂକ୍ତ ।

 

ଜ୍ଞାନଭୈରବଙ୍କ କର୍ଣ୍ଣରେ ସେହି ସ୍ୱର ପୁନର୍ବାର ଶ୍ରୁତ ହେଲା–ଆପେ ଆପେ ଯୋଡ଼ିହୋଇଗଲା ତାଙ୍କର ହାତ ଦୁଇଟି । ସେହି ପବିତ୍ର ସ୍ୱରରେ ତାଙ୍କ ହୃଦୟର ସମସ୍ତ ମଳିନତା ଅପସରିଗଲା । ବୁଜିହୋଇଗଲା ତାଙ୍କର ନୟନଯୁଗଳ ।

 

ଦୁଇଆଖିରୁ ଦୁଇଧାର ଲୁହ ବୋହିଆସିଲା ।

 

ମଧୁସ୍ମିତା ବୋଲୁଛି-ସେ ନୁହେଁ ରୂପଜିବା ମଧୁସ୍ମିତା-ନିର୍ବାଣମୁଖୀ ଏକ ପବିତ୍ର ମଧୁସ୍ମିତା ସେ ।

 

ଯେଉଁ ଦେବୀ ସର୍ବଭୂତରେ ମାତୃରୂପରେ ଅବସ୍ଥାନ କରିଛନ୍ତି, ତାଙ୍କୁ ନମସ୍କାର, ତାଙ୍କୁ ନମସ୍କାର, ତାହାକୁ ହିଁ ନମସ୍କାର !

 

ସେତେବେଳକୁ ଚେଳିତାଳୋ ଆକାଶକୁ ଆଲୋକିତ କରି ସୂର୍ଯ୍ୟ ମଧୁସ୍ମିତାର ନିଶ୍ଚଳ ଦେହକୁ ଦର୍ଶନ କରୁଥିଲେ ।

Image

 

ମହାପ୍ରାଜ୍ଞ

 

ଚିନ୍ମୟ ଭୈରବ କିଛି କହିବା ଉଦ୍ଦେଶ୍ୟରେ ଅନାଇଲେ ।

 

ଅଘୋର ଭୈରବ ଦୃଢ଼ କଣ୍ଠରେ କହିଲେ–‘‘ନା ମୁଁ କୌଣସି କଥା ଶୁଣିବାକୁ ଚାହେନା । ତନ୍ତ୍ର ପାଇଁ ସବୁ କିଛି ବଳିଦେବାକୁ ପଡ଼ିବ । ଭଗବାନ ବୁଦ୍ଧଙ୍କ ନୀତି ଅନୁସାରେ ଆମେତ କାହାରିକୁ ହିଂସା କରୁନାହୁଁ । ଆମେ କରୁଛୁ କେବଳ ପୂଜା । ପୂଜାର ଉପଚାର ରୂପେ ବଳି ଆବଶ୍ୟକ । କେହିତ ଆତ୍ମତୃପ୍ତି ପାଇଁ ବଳିଦେଉନାହିଁ ଯେ ତା’ର ବିରୁଦ୍ଧରେ କିଏ ସ୍ୱର ଉଠାଇବ ? ‘କାମନାର ପରିସମାପ୍ତିରେ ଦୁଃଖର ପରିସମାପ୍ତି’-ବୁଦ୍ଧ କହିଥିଲେ । କିନ୍ତୁ କାମନାର ପରିସମାପ୍ତି ଆଣିବା କ’ଣ ସମସ୍ତଙ୍କ ପକ୍ଷେ ସମ୍ଭବ ? ଏ ଜଗତକୁ ମଣିଷ ଆସେ କାହିଁକି ? କେବଳ କାମନାର ପରିପୂରଣ ପାଇଁ । କାମନାର ପରିପୂରଣ ନ ହେଉଥିବାରୁ ଜନସମାଜ ଅଶାନ୍ତି ଅନ୍ଧକାରରେ ସଢ଼ୁଛନ୍ତି । ସେଥିପାଇଁ ଭଗବାନ ବୁଦ୍ଧଙ୍କ ମହାନିର୍ବାଣବେଳେ ଯେତେବେଳେ ଆନନ୍ଦ ଦୁଃଖରେ କାନ୍ଦିଉଠିଲେ, ସେତେବେଳେ ସ୍ୱୟଂ ବୁଦ୍ଧ କହିଥିଲେ ଆନନ୍ଦ ମୁଁ ଶେଷ ବୁଦ୍ଧ ନୁହେଁ । ମୋ ପରେ ଆଉଜଣେ ବୁଦ୍ଧ ଆସିବେ ତାଙ୍କ ନାମ ସଂବୁଦ୍ଧମୈତ୍ରେୟ ବୁଦ୍ଧ । ସେହି ମୈତ୍ରେୟରୁ ମୂର୍ତ୍ତିର ଆବିର୍ଭାବ ହୋଇଛି । ତାହାର ଉପାସନା ଆବଶ୍ୟକ । ମୂର୍ତ୍ତିର ଉପାସନା ହେଲେ ଲୋକଙ୍କର କୌଣସି କାମନା ଅପୂର୍ଣ୍ଣ ରହିବ ନାହିଁ । ତୁମେ ପ୍ରତ୍ୟେକ ତନ୍ତ୍ର ଓ ତା’ର ପ୍ରୟୋଗ ଜାଣିଛ । ତନ୍ତ୍ର ପ୍ରୟୋଗରେ ତୁମେ କ’ଣ ଲୋକଙ୍କ କାମନା ପରିପୂରଣ କରିପାରୁନାହଁ ?”

 

ବିନୀତଭାବେ ବିଶୁଦ୍ଧ ଭୈରବ କହିଲେ, “ତନ୍ତ୍ର ଦ୍ୱାରା ଅଦ୍ଭୁତ ଘଟଣା ଘଟାଇବ । ଆମ ପକ୍ଷରେ ଅସମ୍ଭବ ନୁହେଁ, କିନ୍ତୁ ମହାପ୍ରାଜ୍ଞ ଥେରମାନଙ୍କ ସହିତ ବିବାଦ କରିବାକୁ ଆମେ ସଂକୋଚ ବୋଧ କରୁଛୁ । ଯେଉଁମାନେ ଆମକୁ ପୁତ୍ରବତ୍ ସ୍ନେହ କରୁଛନ୍ତି ତାଙ୍କ ସହିତ କିପରି ବିବାଦ କରିବୁ-?”

 

ଅଘୋରଭୈରବ ଗୋଟିଏ ଅପସନ୍ଦ ହସ ହସି କହିଲେ, “ତୁମେ ତାଙ୍କ ସହିତ ବିବାଦ କରିବାକୁ ମୁଁ ତ କହୁନାହିଁ । ତୁମେ ତୁମ ବାଟରେ ଚାଲିବ, ସେମାନେ ସେମାନଙ୍କ ବାଟରେ ଚାଲୁଛନ୍ତି । ତୁମେ ଯେତେବେଳେ ଲୋକଙ୍କର କାମନା ବାସନା ପୂରାଣ କରିପାରିବ ସ୍ଵତଃ ଲୋକ ତୁମ ପାଖକୁ ଚାଲିଆସିବେ । ଆପେ ଆପେ ଅନାଦୃଢ଼ ହେବେ ସେମାନେ । ତା’ପରେ ଦେଖିବ ବୁଦ୍ଧବିହାର ଉପରେ ଗଢ଼ିଉଠିବ ଶିବ ଶକ୍ତିଙ୍କ ମନ୍ଦିର ତୁମେ କାହାକୁ ପ୍ରବର୍ତ୍ତାଇବାକୁ ମୁଁ ତ କହୁନାହିଁ-ମୁଁ କେବଳ କହୁଛି “ତୁମେ ଆରମ୍ଭ କର ତନ୍ତ୍ରର ଉପାସନା । ତା’ ପରେ ଯାହା ହେବାର ତାହା ଆପେ ଆପେ ହୋଇଯିବ ।”

 

-“ତାହାହେଲେ ଆମ୍ଭେମାନେ ବିହାର ବର୍ଜନ କରିବାକୁ ବାଧ୍ୟ ହେବୁ ?” ଆନନ୍ଦ ଭୈରବ କହିଲେ ।

 

“ତୁମେ ସମସ୍ତେ ଭୁଲିଯାଉଛ ତଥାଗତ ବୁଦ୍ଧ ସ୍ପଷ୍ଟଭାବେ ଇଙ୍ଗିତ ଦେଇଯାଇଥିଲେ ତାଙ୍କ ପରେ ମାତ୍ର ପାଞ୍ଚ ଶହ ବର୍ଷ ବୌଦ୍ଧଧର୍ମ ତିଷ୍ଠି ରହିବ । ତା’ପରେ ସେ ଅନ୍ୟଭାବେ ଦେଖାଦେବେ ଓ ତାଙ୍କ ଧର୍ମ ଭିନ୍ନରୂପ ଗ୍ରହଣ କରିବ । ସେଥିପାଇଁ ଆଜି ମହାଜନ ବୌଦ୍ଧଧର୍ମରେ ବିରାଟ ଆଲୋଡ଼ନ ସୃଷ୍ଟି ହୋଇଛି । ମହାଯାନର ସୂତ୍ରଗୁଡ଼ିକ ଧାରଣୀ କବଚରୂପେ ରୂପାନ୍ତରିତ ହୋଇଛି । ଗୃହୀତ ହୋଇଛି ବୌଦ୍ଧ ସାଧନାରେ ମୁଦ୍ରା, ମଣ୍ଡଳ ଅଭିଷେକ, ସମାଧି ଆଦି ପ୍ରକ୍ରିୟା । ବୁଦ୍ଧ ଏବଂ ଶିବ ଏ ଦୁହେଁ ଏକ । ବୁଦ୍ଧ ଯେଉଁଭଳି ଯୋଗାରୂଢ଼ ହୋଇଥିଲେ, ଶିବ ମଧ୍ୟ ସେହିଭଳି । ଶିବ ଏବଂ ବୁଦ୍ଧଙ୍କ ମଧ୍ୟରେ କୌଣସି ତଫାତ ନାହିଁ । ରୂପ-ଗୁଣ ପ୍ରତ୍ୟେକରେ ବୁଦ୍ଧହିଁ ପରବର୍ତ୍ତୀ କାଳରେ ଶିବଭାବେ ଆରାଧିତ । ଏଥିରେ ବିଭେଦ ନାହିଁ, ବିଦ୍ୱେଷ ବି ନାହିଁ । କେବଳ ମଣିଷ ଧାରଣାରେ ତଫାତ୍ ହେଉଛି । ଯେ ଯାହା ଧାରଣା କରୁନା କାହିଁକି ତୁମେ ଆଗେଇଚାଲ ତନ୍ତ୍ରଯାନର ମହାନ୍ ସାଧକରୂପେ । ସେଥିପାଇଁ ମୁଁ ତୁମକୁ ତନ୍ତ୍ରସାଧକ ରୂପେ ଗଢ଼ିତୋଳିଛି । ଲୋକଙ୍କ କାମନା ପରିପୂରଣରେ ତୁମେ ଯେଉଁଠି ଅସହାୟ ମନେକରିବ ସେଠାରେ ମୁଁ ତା’ର ପରବର୍ତ୍ତୀ ପନ୍ଥା ସ୍ଥିର କରିବି । ମୁଁ ଫେରିବି ଯେତେବେଳେ ସେତେବେଳେ ଦେଖିବି ସମଗ୍ର ଚେଳିତାଳୋରେ ତନ୍ତ୍ରଯାନର ଜୟ ଜୟକାର ଶୁଭାଯାଉଥିବ । ଧନପତି ସାଧବମାନେ ତନ୍ତ୍ରଦେବତାଙ୍କ ଆରାଧନା କରି ବୋଇତ ମେଲୁଥିବେ । ବୈତରଣୀକୂଳରେ ବିରଜା ପୁରୀର ବିମଳାଙ୍କ ପରି ଚେଳିତାଳୋରେ ଶାରଳା ଚନ୍ଦ୍ରଭାଗାରେ ମଙ୍ଗଳାଦି ଦେବୀ ପୂଜା ପାଇବେ । ବିଭିନ୍ନ ଉପଚାରରେ ପୂଜା ପାଇ ପାଷାଣ ମଧ୍ୟରେ ପ୍ରବେଶ କରିବେ ମହାଶକ୍ତି । ତାଙ୍କ ଉପାସନାରେ ଅଚିରେ ଶକ୍ତିଧର ହୋଇଉଠିବ କଳିଙ୍ଗ ଭୂମି ।”

 

ମହାନ୍ ତନ୍ତ୍ରସାଧକ ଅଘୋରଭୈରବଙ୍କୁ ନତମସ୍ତକ ହୋଇ ପ୍ରଣତି ଜ୍ଞାପନ କଲେ ତାଙ୍କ ଶିଷ୍ୟମାନେ । ସେ ପ୍ରତ୍ୟେକଙ୍କୁ ଆଶିଷ ଦେଇ ଆଗକୁ ଆଗେଇ ଯିବା ପାଇଁ ଆଦେଶ ଦେଲେ ।

 

ବୌଦ୍ଧ ସଂପ୍ରଦାୟରେ ପୂର୍ବରୁ ଅବଲୋକିତେଶ୍ୱର, ଲୋକେଶ୍ୱର, ପ୍ରାଜ୍ଞ ପାରମିତା, ବଜ୍ରଯୋଗିନୀ, ଅର୍ଯ୍ୟତାର, ବାରୀଶ୍ୱରୀ, ମଞ୍ଜୁଶ୍ରୀ, ହେବଜ୍ର, ହାରୀଡ଼, ମାରୀଚି, ଅକ୍ଷୋଭ୍ୟ, ପୂର୍ଣ୍ଣଶବରୀ, ଆରାଧିତ ହୋଇଆସିଛନ୍ତି । ତାଙ୍କ ବ୍ୟତୀତ ଆଉ ଅନେକ ଦେବଦେବୀ ସୃଷ୍ଟି ହେବାରେ ପ୍ରକୃତ କ୍ଷତି କ’ଣ ହେବ । ପ୍ରାଜ୍ଞମାନେ ଯଦି, ସେଥିପାଇଁ ଆପତ୍ତି କରନ୍ତି ତେବେ ତାହା ପୁରୁଣା ମନୋବୃତ୍ତିର ପରିଚାୟକ ବୋଲି ଧରିନେଇ ଆଗେଇଯିବାକୁ ହେବ ଆଗକୁ ।

 

ଅଘୋରଭୈରବଙ୍କୁ ବିଦାୟ ଦେଇ ତନ୍ତ୍ରସାଧକମାନେ ଆଗେଇଗଲେ ଆଗକୁ । ସେମାନେ ବିଛେଇ ହୋଇ ବିଭିନ୍ନ ଅଞ୍ଚଳକୁ ଚାଲିଗଲେ । ରୋଗ, ଦୁଃଖ, ଶୋକରେ ମଣିଷ ସଢ଼ିବ-। ବାପ ମା’ଙ୍କ ଆଖିଆଗରେ ସନ୍ତାନ ମରିବ, ଦାରିଦ୍ର୍ୟତାରେ ମଣିଷ ଅସ୍ଥିକଙ୍କାଳସାର ହେବ ଆଉ ବୃଦ୍ଧଙ୍କର ନୀତିବାଣୀ ମାନିବାକୁ ହେବ କାମନାର ବିନାଶରେ ଦୁଃଖର ବିନାଶ । ଏହା କ’ଣ କେବେ ସମ୍ଭବ ?

 

କିନ୍ତୁ ପ୍ରାଜ୍ଞମାନଙ୍କ ସହିତ ଏ ବିଷୟରେ କିପରି ଆଲୋଚନା କରିହେବ ? ଏକ ସଙ୍ଗେ ବିହାରରେ ଅତିବାହିତ କରିଆସିଛନ୍ତି-ରାତି ଅର୍ଦ୍ଧଯାମରେ ସେମାନେ ଯେତେବେଳେ ସେମାନଙ୍କ ଅଗୋଚରରେ ବିହାରରୁ ବାହାରି ଶୁଦ୍ଧମାନବର ପରିତ୍ୟକ୍ତ ସ୍ଥାନ ଶ୍ମଶାନରେ ତନ୍ତ୍ରସାଧନା କରିଆସିଛନ୍ତି ତନ୍ତ୍ରରେ ସିଦ୍ଧିଲାଭ କଲେ ମଧ୍ୟ ତାଙ୍କୁ କେବେ ଅବମାନନା କରିନାହାନ୍ତି ବରଂ ସେମାନଙ୍କ ଆଶିଷରୁ ସିଦ୍ଧି ମିଳିଛି ବୋଲି ଜ୍ଞାନ କରିଛନ୍ତି । ଏହିଭଳି ସ୍ଥଳେ ସେ ତାଙ୍କ ସହିତ ବିବାଦ କରିବେ କିପରି ? ପ୍ରତ୍ୟେକ ତନ୍ତ୍ରସାଧକଙ୍କ ମନରେ ବୌଦ୍ଧବିହାରରେ ଥିବା ମହାପ୍ରାଜ୍ଞ ତଥା ପ୍ରାଜ୍ଞମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ଏକ ମାନସିକ ଦ୍ଵନ୍ଦ୍ୱରେ ପକାଇଦେଲା । ସେଥିପାଇଁ ସେମାନେ ବିହାର ପରିତ୍ୟାଗ କରି ପଲ୍ଲୀମାନଙ୍କର ନିଜ ନିଜର କର୍ତ୍ତବ୍ୟ ସଂପାଦନ କରିବାକୁ ଲାଗିଲେ ।

 

କାମନାପୂର୍ଣ୍ଣ ଜଗତରେ ଯଦି କାମନାର ପରିପୂରଣ କେହି କରିପାରେ ତେବେ ତା’ର ସମ୍ମାନ କ’ଣ ନିଷ୍କାମବ୍ରତୀ ବୌଦ୍ଧ ଶ୍ରମଣ ନେଇପାରିବ ? ଫଳରେ ଧାଡ଼ି ଧରି ଲୋକେ ଚାଲିଲେ ତନ୍ତ୍ରସାଧକଙ୍କ ପାଖକୁ । ତନ୍ତ୍ରର ଅଦ୍ଭୁତ ଫଳ ପ୍ରତ୍ୟକ୍ଷ କରି ଲୋକମାନେ ଧୀରେ ଧୀରେ ଭୁଲିଗଲେ ବୌଦ୍ଧବିହାର ଧର୍ମାଲୋଚନା ସଭା ତଥା ବୌଦ୍ଧ ଶ୍ରମଣମାନଙ୍କୁ । ଅନାଦୃତ ହେବାକୁ ଲାଗିଲେ ବୌଦ୍ଧ ସନ୍ନ୍ୟାସୀ । ସେମାନେ ବହୁ ପୂର୍ବରୁ ସମ୍ବାଦ ପାଇଛନ୍ତି ତାଙ୍କ ବୌଦ୍ଧବିହାରରେ ଥିବା ଯୁବକ ସନ୍ନ୍ୟାସୀମାନେ ତନ୍ତ୍ର ଉପାସନାରେ ସିଦ୍ଧିଲାଭ କରି ଲୋକମାନଙ୍କର କାମନା ବାସନା ପୂରଣ କରୁଛନ୍ତି । ମରଣାନ୍ତକ କଷ୍ଟ ପାଉଥିବା ରୋଗୀ ରୋଗମୁକ୍ତ ହୋଇଯାଇଛି । ଦୁର୍ଭାଗ୍ୟ ଯାହାର ନିତ୍ୟ ସହଚର ଥିଲା ସେ ନିଜକୁ ଭାଗ୍ୟବାନ କରି ଗଢ଼ିଉଠିଛି, ଅପୁତ୍ରିକ ପୁତ୍ରବାନ ହୋଇଛି ଇତ୍ୟାଦି ।

 

କଣୟାବତୀ ବିହାରର ମହାପ୍ରାଜ୍ଞ ଶୁଣିବାକୁ ପାଇଲେ ତାଙ୍କ ବିହାରର ଅନତି ଦୂରରେ ଚିନ୍ମୟ ଭୈରବ ଅବସ୍ଥାନ ପୂର୍ବକ ଲୋକମାନଙ୍କର କାମନା ପରିପୂରଣ କରୁଛନ୍ତି । ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ଶରୀର ଧୀରେ ଧୀରେ ଦୁର୍ବଳ ହୋଇଆସୁଥାଏ । ନିର୍ବାଣ ଆଉ ଅଧିକକାଳ ନ ଥିଲେ ମଧ୍ୟ ତାଙ୍କ ଜିବୀତାବସ୍ତାରେ କଣୟାବତୀର ବିହାର ନଷ୍ଟ ହୋଇଯିବ ଏହା ଭାବି ସେ ମ୍ଳାନ ହୋଇପଡ଼ୁଥାନ୍ତି । ପିପଳର ମହାପ୍ରାଜ୍ଞ ତାନ୍ତ୍ରିକକମାନଙ୍କ ଯୁକ୍ତି ତର୍କରେ ପରାସ୍ତ ହୋଇଥିବା ସମ୍ବାଦ ସେ ଶୁଣିବାକୁ ପାଇଛନ୍ତି । ଜଙ୍ଖପୁର ବିହାରର ପ୍ରାଜ୍ଞଙ୍କୁ ଆହ୍ୱାନ ଦିଆହୋଇଛି । ଚେଳିତାଳୋ ବୌଦ୍ଧ ବିହାରରେ ଏକଦା ବିହାରର ମହାପ୍ରାଜ୍ଞଙ୍କ ସହିତ ଧର୍ମ ବିଷୟରେ ଆଲୋଚନା ଆରମ୍ଭ ହୋଇଥିଲା; କିନ୍ତୁ ମହାପ୍ରାଜ୍ଞ ବେଦବେଦାନ୍ତରେ ଯଥେଷ୍ଟ ଦକ୍ଷ ଥିବାରୁ ବୈଦିକ ବ୍ରାହ୍ମଣମାନଙ୍କୁ ପ୍ରଥମେ ମହାପ୍ରାଜ୍ଞ ଆହ୍ୱାନ କରି ଯୁକ୍ତି ଆରମ୍ଭ କରିଦେଲେ । ବୁଦ୍ଧ ମଧ୍ୟ ବେଦ ନିନ୍ଦା କରନ୍ତି ନାହିଁ ଓ ବେଦରେ ଲେଖା ନ ହୋଇଥିବା ବିଷୟକୁ ଯେଉଁମାନେ ବୈଦିକ ବୋଲି କହନ୍ତି ତାଙ୍କୁ ହିଁ ବୁଦ୍ଧ ବିରୋଧ କରନ୍ତି ବୋଲି ବେଳିତାଳୋ ମହାପ୍ରାଜ୍ଞ ଯେଉଁ ଯୁକ୍ତି ଦର୍ଶାଇଲେ ସେ ଯୁକ୍ତିର ଯଥାଯଥ ଉତ୍ତର ବୈଦିକ ପଣ୍ଡିତ ଦେଇପାରିଲେ ନାହିଁ । ଏପରିକି ଯଜ୍ଞରେ ପଶୁବଳି ପଡ଼ୁଥିବା କଥାର କୌଣସି ଯୌକ୍ତିକତା ମଧ୍ୟ କେହି ଦର୍ଶାଇବା ଅସମ୍ଭବ ହେଲା । ତା’ପରେ ତାନ୍ତ୍ରିକଙ୍କ ସହିତ ଯୁକ୍ତି ହେବାର କଥା । ବୈଦିକ ପଣ୍ଡିତମାନେ ଯୁକ୍ତି କଲାବେଳେ ତାନ୍ତ୍ରିକମାନେ ତନ୍ତ୍ରଦ୍ଵାରା ମହାପ୍ରାଜ୍ଞଙ୍କ ଧୀଶକ୍ତି ସ୍ତଭନ କରିବା କଥା । ତାହା ସେମାନେ କରିନଥିବାରୁ ବୈଦିକ ଓ ତାନ୍ତ୍ରିକମାନଙ୍କ ମଧ୍ୟରେ ମତ ବିରୋଧ ହୋଇଛି । ତେଣୁ ବେଳିତାଳୋ ବୌଦ୍ଧ ବିହାରର ମହାପ୍ରାଜ୍ଞ ସମ୍ମାନରେ ଆଞ୍ଚ ଆସିନାହିଁ । କିରିଟିର ମହାପ୍ରାଜ୍ଞ ଅସୁସ୍ଥ ଥିବାରୁ ତାଙ୍କ ସହିତ ଯୁକ୍ତହେବା ସମ୍ଭବ ହୋଇପାରିନାହିଁ ।

 

ରତ୍ନଗିରି ବୌଦ୍ଧ ବିହାରରେ ସେ କିଛିଦିନ ଥିଲେ । ତନ୍ତ୍ର ବିଷୟରେ ସେଠାରେ ଯେଉଁ ଗବେଷଣା ଚାଲିଥିଲା ତାହା ସେ ଦେଖିଛନ୍ତି । ସାଧକ ଯୋଗଦ୍ୱାରା ନିଃଶ୍ୱାସ ଦୀର୍ଘ ସମୟ ରୋଧ କରି ଓ ଯୋଗାଚାରର ବିଭିନ୍ନ ବିଭଗ ଦେଖି ସେ ଆଚାର୍ଯ୍ୟମାନଙ୍କୁ ପ୍ରଶଂସା ନ କରି ରହିପାରିନାହାନ୍ତି । ଆଚାର୍ଯ୍ୟମାନେ ଯେତେବେଳେ ଶିଷ୍ୟମାନଙ୍କୁ ତନ୍ତ୍ରର ବିଭିନ୍ନ ବିଷୟମାନ ବୁଝାଉଥିଲେ ସେ ମଧ୍ୟ ସମ୍ୟକ ଶୁଣିଛନ୍ତି । ତନ୍ତ୍ରର ଆଚାର, ଯଥା ପଶୁ, ବୀର, ଦିବ୍ୟଭାବ ବିଷୟରେ ସେ ନିଜେ ନିଜର ସନ୍ଦେହ ମୋଚନ ପାଇଁ ପ୍ରଶ୍ନ କରି ଜାଣିଛନ୍ତି । କିନ୍ତୁ ସେ ସାଧକ ନୁହନ୍ତି । ବୁଦ୍ଧଙ୍କର ନୀତିବାଣି ଯାହାର ଧ୍ୟେୟ ସେ ଏ ଅଳିକ ସାଧନାରେ ବ୍ୟାପୃତ ରହିବ କାହିଁକି ? ହୋଇପାରନ୍ତି ବୁଦ୍ଧ ପରବର୍ତ୍ତୀ କାଳର ଶିବ । ମାତ୍ର ସେ ସ୍ତୂପ ତ୍ୟାଗ କରି ଲିଙ୍ଗର ଉପାସନା କରିପାରିବେ ନାହିଁ । ଭୌତିକ ଦର୍ଶନ କ’ଣ ଚିରଦିନ ମନକୁ ଆନନ୍ଦ ଧାମକୁ ନେଇଯାଇପାରିବ ? ଯଦି ନ ପାରିବ ତେବେ କ୍ଷଣକପାଇଁ ସେ କାହିଁକି ନିଜ ପଥରୁ ବିଚ୍ୟୁତ ହେବେ ?

 

ତାଙ୍କର ମନେଅଛି ଜଣେ ତନ୍ତ୍ରାଚାର୍ଯ୍ୟ ତାଙ୍କୁ କହିଥିଲେ ତନ୍ତ୍ରସାଧନକୁ ଅପୂର୍ଣ୍ଣ ସାଧନା ବୋଲି ଜ୍ଞାନ କରନ୍ତୁ ନାହିଁ । ତନ୍ତ୍ର ସାଧନାହିଁ ପୂର୍ଣ୍ଣ ସାଧନା । ସତ୍ତାର ନିମ୍ନତମ କେନ୍ଦ୍ରର ବିକାଶ ଏ ସାଧନାରେ ଆପେ ଆପେ ହୋଇଥାଏ । କାହିଁକି ନା ସତ୍ତାର କେନ୍ଦ୍ରଗୁଡ଼ିକ ଖଣ୍ଡିଏ ସୂତାରେ ଗୁନ୍ଥା । ଊର୍ଦ୍ଧ୍ୱଲୋକରୁ ବିଜ୍ଞାନର ଆଲୋକ ଅଧଃଲୋକ ଦୀପ୍ତ କରି ସତ୍ତାକୁ ବୃହତ୍ତର ପ୍ରକାଶ ପାଇଁ ପ୍ରସ୍ତୁତ କରିଥାଏ । ଭକ୍ତି କୁହ, ଯୋଗ କୁହ, ଜ୍ଞାନ କୁହ ଅଥବା ଅନୁଷ୍ଠାନିକ ଶାସ୍ତ୍ରୀୟ କର୍ମ କୁହ ସବୁ ତନ୍ତ୍ରରେ ସ୍ୱୀକୃତ । ତନ୍ତ୍ର କୌଣସି ମତବାଦର ପ୍ରତିଷ୍ଠା ବୋଲି ଜ୍ଞାନ କଲେ ଭୁଲ୍ ହେବ । ତନ୍ତ୍ର ଜ୍ଞାନର ପୂର୍ଣ୍ଣ ବିକାଶ ମାର୍ଗ । ତନ୍ତ୍ରରେ ପାରିବାରିକ ଧର୍ମ, ଉପାସନା ଧର୍ମ, ମୋକ୍ଷଧର୍ମ, ଧର୍ମଚକ୍ର ପ୍ରତିଷ୍ଠା ସବୁ କିଛିର ବିବୃତି ଅଛି । ଜୀବନ ସଫଳତାର ଏଭଳି ପରିପୂର୍ଣ୍ଣ ନିର୍ଦ୍ଦିଷ୍ଟ ଅନ୍ୟ ମାର୍ଗରେ କ୍ଵଚିତ ଦୃଷ୍ଟ ହୁଏ ।

 

ତନ୍ତ୍ରବାଦର ବହୁକଥା ଆଚାର୍ଯ୍ୟମାନଙ୍କଠାରୁ ଶୁଣିଲେ ମଧ୍ୟ ଅମାନିଆ ମନ ତାଙ୍କର ସବୁ ଶୁଣି କିଛି ନ ଶୁଣିଲାପରି ରହିଛି । ବେଳେବେଳେ ମଧ୍ୟ ତାଙ୍କର ଇଚ୍ଛା ହୋଇଛି ତନ୍ତ୍ରସାଧନାରେ କିଛିଦିନ ନିଜକୁ ନିୟୋଜିତ କଲେ ହୁଅନ୍ତା । କିନ୍ତୁ ସେ ଇଚ୍ଛା ମନରେ ଉଦୟ ହେବା ପରେ ପୁଣି ନିଜକୁ ସଂକୁଚିତ କରିନେଇଛନ୍ତି ଅନ୍ୟମାନଙ୍କ ସମାଲୋଚନାର ଶରବ୍ୟ ନ ହେବାକୁ । ବୌଦ୍ଧଧର୍ମ ଏବଂ ତନ୍ତ୍ରଧର୍ମ ମଧ୍ୟରେ ବହୁ ସାମଞ୍ଜସ୍ୟ ଅଛି । ତନ୍ତ୍ରରେ ଜାତି ଅଜାତି ପ୍ରଶ୍ନ ନାହିଁ । ଉପାସ୍ୟ ବା ଉପାସ୍ୟା ଏକ ଅଦ୍ଵିତୀୟ-କେବଳ ବିଭିନ୍ନ କର୍ମପାଇଁ ଭିନ୍ନ ଭିନ୍ନ ନାମ ଓ ରୂପରେ ସେ ଦେଖାଦିଅନ୍ତି ଏହା ତନ୍ତ୍ର ପ୍ରଚାର କରେ । ଇଷ୍ଟଙ୍କ ସ୍ୱରୂପରେ ମନକକୁ ନିୟୋଜିତ କରି ମନ୍ତ୍ରକୁ ମନନ କରିବାକୁ ହୁଏ । ଏହିଭଳି ମନ୍ତ୍ର ମନନ କରୁ କରୁ ଆପେ ଆପେ ସତ୍ତା ନିମ୍ନସ୍ତରରୁ ଉଚ୍ଚସ୍ତରରେ ପହଞ୍ଚିଥାଏ । ତାହା ପୁରଶ୍ଚରଣ ହେଉ ଅଥବା ଯାହା ସେମାନେ କୁହନ୍ତୁ । ଏହାତ ବୌଦ୍ଧ ଧର୍ମର ବିରୋଧ କରୁନାହିଁ । ତନ୍ତ୍ର ଏକ ସଂସ୍କୃତ ଶବ୍ଦ । ବିସ୍ତାରାର୍ଥକ ତନୁଧାତୁରୁ ତନ୍ତ୍ରଶବ୍ଦ ନିଷ୍ପନ୍ନ ହୋଇଛି । ତନ୍ତ୍ର ମଣିଷକୁ ମହାଶକ୍ତି ସହିତ ପରିଚୟ କରାଇ ତା’ ସମ୍ମୁଖରେ ବିସ୍ତାର ଆଣିଥାଏ । ଏହାଦ୍ୱାରା ତନୁ ବା ଶରୀର ତ୍ରଣ ହୁଏ । ଶରୀରରେ ରୋଗ ରହିଛି-ଶୋକ ରହିଛି । ତନ୍ତ୍ରଦ୍ୱାରା ସେ ରୋଗ ଶୋକକୁ ଦୁରୀଭୂତ କରି ନିଜେ ନିଜକୁ ଶକ୍ତିବାନ କରି ତୋଳିବା ତନ୍ତ୍ରର ମହତକାର୍ଯ୍ୟ ।

 

ଚେଳିତାଳୋରେ ପାଞ୍ଚଟି ବୌଦ୍ଧବିହାର ଅଛି । ଧୀରେ ଧୀରେ ଏହି ବିହାର ଗୁଡ଼ିକ ଅନାଦୃତ ହୋଇଆସିଲାଣି । ସମ୍ଭବତଃ ଖୁବ୍ ଅଳ୍ପଦିନେ ତାନ୍ତ୍ରିକଙ୍କର ପରମ ଆଡ୍ଡ଼ା ହୋଇଉଠିବ-। ବିହାର ଉପରେ ପ୍ରତିଷ୍ଠା ହେବ ଶିବ ମନ୍ଦିର । ଦୀର୍ଘ କେତେଶହ ବର୍ଷ ଧରି ଯେଉଁ ଉଡ୍ରଦେଶ ବୌଦ୍ଧଧର୍ମର କେନ୍ଦ୍ରରୂପେ ପରିଗଣିତ ହେଉଥିଲା ତାହା ହ୍ରାସ ଲିଭିଲାଣି । ଯେଉଁମାନେ ତନ୍ତ୍ର ମଧ୍ୟରେ ପ୍ରବେଶ କଲେ । ସେମାନେ ସ୍ୱତଃ ଶିବ ଶକ୍ତିର ପ୍ରସାର କଲେ । ଯେଉଁମାନେ ବିରୋଧ କଲେ ସେମାନେ ଲୋକମାନଙ୍କ ଦ୍ୱାରା କେବଳ ଅନାଦୃତ ନୁହେଁ ଆକ୍ରମଣର ସମ୍ମୁଖୀନ ହୋଇ ପ୍ରାଣ ବଞ୍ଚାଇବାକୁ ଉତ୍ତରକୁ ପଳାଇ ଉଡ୍ରଦେଶ ଜଗଦ୍ଦଳ ଓ ଜୟାଶ୍ରମରେ ଆଶ୍ରୟ ନେଲେ । ଲିଭି ଲିଭି ଆସୁଛି ବୌଦ୍ଧଧର୍ମର ଉଜ୍ଜ୍ୱଳ ଆଲୋକ ଉଡ୍ରଦେଶରୁ । ଯେଉଁ ଆଲୋକର ମ୍ଳାନ ହୋଇପଡ଼ୁଛି ତନ୍ତ୍ରାଲୋକ ନିକଟରେ ।

 

କଣୟାବତୀର ମହାପ୍ରାଜ୍ଞ ତାଙ୍କ ବୃଦ୍ଧ ଶରୀରକୁ ଧୀରେ ଧୀରେ ଧରି ବିହାର ବାହାରେ ଆସିଲେ । ବିହାରର ବାହାରେ ବହୁଲୋକ ଯାତାୟାତ କରୁଥାନ୍ତି । ବେଳେବେଳେ କେହି କେହି ପୁରୁଖାଲୋକ ତାଙ୍କୁ ନମସ୍କାରଟିଏ କରି କରି ଚାଲିଯାଉଥାଏ । ଯୁବକମାନେ ତାଙ୍କୁ ଦେଖି ନ ଦେଖିଲା ପରି ଚାଲିଯାଉଥାନ୍ତି । ଓହୋ କେଇଟାଦିନ ଭିତରେ କି ପରିବର୍ତ୍ତନ ଆସିଲା ଲୋକଙ୍କର-। ହେ ତଥାଗତ ବୁଦ୍ଧ ! ତୁମେ କ’ଣ ଏ ଦୁର୍ଦ୍ଦିନକୁ ଲକ୍ଷ୍ୟ କରୁନାହଁ ? ତୁମେ କ’ଣ ଚାହଁ ସମଗ୍ର ଚେଳିତାଳୋରୁ ତୁମ ଧର୍ମ ବିଲୟ ହେଉ । ଯେଉଁଠି ଉଠିଥିଲା ବୁଦ୍ଧଂ ଶରଣଂ ଗଚ୍ଛାମି ସେଠୁ ନିନାଦିତ ହେବ ଶିବ ଶକ୍ତିର ମନ୍ତ୍ର ? ସେହି ଘୃଣିତ ମଦ୍ୟ, ମାଂସ, ମୁଦ୍ରା, ମୈଥୁନ ଦ୍ୱାରା ଆରାଧିତା ହେବେ ଶକ୍ତି ତଥା ମହାଶକ୍ତି ? ନା ନା, ଏହାଠାରୁ ବରଂ ଜୟାବିହାର ବା ଜଗଦ୍ଦଳ ପଳାଇବା ଭଲ-। ଏ ହୀନ ପନ୍ଥାର ଶିକାର ସେ ହେବେ ନାହିଁ ।

 

ଶକ୍ତି ବିଷୟ ସେ ବେଦରେ ଦେଖିଛନ୍ତି । ଋଗ୍ ବେଦର ସପ୍ତମ ମଣ୍ଡଳ ବିଂଶତମ ସୂକ୍ତରେ ଋଷି ବଶିଷ୍ଠ ଇନ୍ଦ୍ରଙ୍କ ସ୍ତୁତି କରିବାକୁଯାଇ ଗାଇଛନ୍ତି ‘ବସ୍ୱୀ ଷୁ ତେ ଜରିତ୍ରେ ଅସ୍ତୁ ଶକ୍ତିଃ’ ।

 

ସୃତି କରିବାକୁ ଶକ୍ତି ହେଉ ତୁମ ସ୍ତୋତାମାନଙ୍କର ଅତି ପ୍ରଶସ୍ତ ।

 

ଏହି ଶକ୍ତିବାଦ ତ ବୌଦ୍ଧଧର୍ମରେ ଅନାଦୃତ ହୋଇନାହିଁ । ବୁଦ୍ଧ ଯେତେବେଳେ ନୈରଞ୍ଜନା ନଦୀକୂଳରେ ଏକ ଅଶ୍ୱତ୍‌ଥ ବୃକ୍ଷ ମୂଳରେ ବସି ଦୀର୍ଘ ଷଡ଼ ବର୍ଷ ତପସ୍ୟା କଲେ । ତପସ୍ୟା ସମୟରେ ଆହାର ରୂପେ ସେ ଗ୍ରହଣ କରୁଥିଲେ । କେତେବେଳେ ତିଳ ବା ତଣ୍ଡୁଳ । ଉପଯୁକ୍ତ ଖାଦ୍ୟାଭାବ ଓ କଠୋର ତପସ୍ୟା ଫଳରେ ତାଙ୍କ ଦେହ ଶୁଷ୍କ ହାଡ଼ କଙ୍କାଳସାର ହୋଇଗଲା । ଏପରିକି ଦେହର ପିଞ୍ଜରା ହାଡ଼ ପରିଷ୍କାର ଭାବେ ଗଣିହେଲା ପ୍ରାଣବାୟୁ ଅଛି କି ନା ତାହା ଜାଣିହେଲା ନାହିଁ । ହଲଚଲ ହେବାର ଶକ୍ତି ବା ଆସିବ କୁଆଡ଼ୁ ? ଏକଦା ସେ ଦୈବ ବାଣୀ ଶ୍ରବଣ ହେଲେ-‘‘ହେ ଶ୍ରମଣ ! ଦେହକୁ କଷ୍ଟ ଦେଇ ଇଷ୍ଟ ବସ୍ତୁ ଲାଭ ହୁଏ ନାହିଁ । ଯଦି ସତ୍‌ଚିନ୍ତା କରିବାର ଶକ୍ତି ଲୁପ୍ତ ହୁଏ ତେବେ ତାଙ୍କୁ ଲାଭକରିବା କିପରି ? ନିର୍ମଳ ବୁଦ୍ଧିଶକ୍ତିରେ ସିନା ଚିତ୍ ପ୍ରତିବିମ୍ବିତ ହେବ-ତଦ୍ଦ୍ୱାରା ସେହି ପରମାତ୍ମାଙ୍କୁ ଉପଲବଧି କରିପାରିବ । ତାହା ନ ହେଲେ ତୁମରିଭଳି ଯେଉଁମାନେ ଅନାହାରରେ ତପସ୍ୟା କରି ମୃତ୍ୟୁବରଣ କଲେଣି ସେହିମାନଙ୍କ ସଂଖ୍ୟା ତୁମେ ଆଉ ଏକ ବୃଦ୍ଧି କରିବାଛଡ଼ା ଅନ୍ୟ କିଛି କରିବ ନାହିଁ ।”

 

ପ୍ରକୃତରେ ଏ ଦେହ ଏକ ବାଦ୍ୟଯନ୍ତ୍ର ବୀଣାଭଳି । ବିଣାର ତାରଗୁଡ଼ିକ ଯଦି ହୁଗୁଳାଥାଏ ତେବେ ସେଥିରୁ କ’ଣ ରାଗିଣୀ ଉତ୍ପନ ହୋଇପାରିବ ? ସେହିଭଳି ଯଦି ତାରଗୁଡ଼ିକୁ ଟାଣ କରି ବାନ୍ଧିଦିଆଯିବ ତେବେ ସେଗୁଡ଼ିକ ଛିଡ଼ିଯିବ । ଏଣୁ ମଧ୍ୟ ଭଳିପନ୍ଥା ଗ୍ରହଣ କଲେ ବୀଣାରୁ ମଧୁର ଧ୍ୱନି ଉତ୍ପନ ହେଲାଭଳି ଏ ଦେହ ଖାଦ୍ୟ ପାନୀୟ ଗ୍ରହଣ କରି ଶକ୍ତିବାନ ହେଲେତ ଲୋକ-ଜଗତକୁ ଜ୍ଞାନରେ ଉଦ୍‌ଭାସିତ କରିପାରିବ । ଶକ୍ତିହୀନ ହେଲେ ଏ ଜୀବନରେ ଆବଶ୍ୟକତା କ’ଣ ଅଛି ?

 

ଶକ୍ତିର ଆରାଧନା କ’ଣ ମଦ୍ୟ-ମାଂସ ମତ୍ସାଦିରେ ହେବ ? ତାଙ୍କରି ମନେପଡ଼ିଲା ଅଥର୍ବବେଦ ଏକ ପଂକ୍ତି । ଦଶମ କାଣ୍ଡର ଦ୍ଵିତୀୟ କାଣ୍ଡିକାରେ ନାରାୟଣ ଋଷି କହିଛନ୍ତି–

 

ଅଷ୍ଟାଚକ୍ରା ନବଦ୍ୱାରା ଦେବାନାଂ ପୁରୟୋଧ୍ୟା

ତସ୍ୟଂ ହିରିଣ୍ୟଶଃ କୋଶଃ ସ୍ୱର୍ଗୋ ଜ୍ୟୋତିଷାବୃତଃ ।।

 

ଆଠଟି ଚକ ଓ ନଅଟି ଦରଜା ଦ୍ୱାରା ଗଠିତ ଦେବତାଙ୍କର ଏହି ବାସସ୍ଥଳି । ସେହି ସ୍ୱର୍ଣ୍ଣମୟ କୋଶ ବା ଆଧାରରେ ଅଛି ଜ୍ୟୋତିରେ ଆବୃତ ସ୍ୱର୍ଗସ୍ଥାନ । ତନ୍ତ୍ର ଦ୍ୱାରା ଜ୍ୟୋତି ଦର୍ଶନ ସହଜ ବୋଲି ତନ୍ତ୍ରାଚାର୍ଯ୍ୟ କହିଥାନ୍ତି । ଗୌତମ କ’ଣ ସେହି ଜ୍ୟୋତି ଦର୍ଶନ କରି ବୁଦ୍ଧତ୍ୱପ୍ରାପ୍ତି ହୋଇଥିଲେ ? ବୋଧିଦ୍ରୁମ ଧୀରେ ଧୀରେ ବିଲ୍ଵ ବୃକ୍ଷରେ କ’ଣ ପରିଣତ ହୋଇ ବୁଦ୍ଧ ତା’ ତଳେ ଶିବଭାବେ ଅବସ୍ଥାନ କରିବେ ?

 

ବୁଦ୍ଧଙ୍କର ଦେହ ମଧ୍ୟରେ ଯେତେବେଳ ପର୍ଯ୍ୟନ୍ତ ସେହି ଶୂନ୍ୟପୁରୁଷ ଥିଲା ସେତେବେଳ ପର୍ଯ୍ୟନ୍ତ ବୁଦ୍ଧ ଶିଷ୍ୟମାନଙ୍କୁ ଜ୍ଞାନ ବିତରଣ କରୁଥିଲେ । ଯେତେବେଳେ ତାହା ଶୂନ୍ୟକୁ ଚାଲିଗଲା ନିଥର ହୋଇପଡ଼ିଲା ତାଙ୍କ ଶରୀର । ସେହି ଶୂନ୍ୟ ହିଁ ଶିବ । ଶକ୍ତିର ସଞ୍ଚାର ନ ହେଲେ ଶୂନ୍ୟ ପୁରୁଷ ରୂପଧାରଣ କରିପାରିବ ନାହିଁ । ତନ୍ତ୍ର ଏହି ଶକ୍ତିର ଧୃତି ଓ କ୍ରିୟାର ଆଶ୍ରୟରେ ଶିବ ଦର୍ଶନ କରିଥାଏ । ତାହାହେଲେ ବୁଦ୍ଧ ଯଦି ଶିବଭାବେ ରୂପାନ୍ତରିତ ହେବେ ଓ ସେ ତ୍ରିନେତ୍ର ହୋଇ ଶକ୍ତିର ସମସ୍ତ ଗତି ଦେଖିବାକୁ ପାଇବେ ତେବେ ତାନ୍ତ୍ରିକମାନେ ବୌଦ୍ଧଧର୍ମର ବିଲୟପାଇଁ ଏତେ ବ୍ୟସ୍ତ କାହିଁକି ? ବିହାର ବଦଳରେ ଶିବ ଶକ୍ତି ମନ୍ଦିର ସ୍ଥାପନ ପାଇଁ ବୌଦ୍ଧଙ୍କ ସହିତ କଳହ କାହିଁକି ? ହେ ତାନ୍ତ୍ରିକ ତୁମର କ’ଣ ତୃତୀୟ ନେତ୍ର ଆସିନାହିଁ ? ସାଧାରଣ ମାନବଙ୍କ ଦୁଇଟି ନେତ୍ର ଭଳି ତୁମେ କଳହ ଅଶାନ୍ତିରେ ମାତି ରହିଛ ? ଯଦି ତୁମର ତୃତୀୟନେତ୍ର ଆସିନାହିଁ ତେବେ ତୁମେ ଶିବ ପଦବାଚ୍ୟ ହେବ କିପରି ଯେ ଶକ୍ତିର ଆରାଧନା କରିପାରିବ ? ‘ଶିବ ଅହଂ’ ଏହି ଧ୍ୱନି ନିଜ ଭିତରେ ପ୍ରତିଧ୍ଵନିତ ନହେଲେ ସାଧାରଣ ମଣିଷ କ’ଣ ଶିବ ପଦବାଚ୍ୟ ହୋଇପାରେ ?

 

ଚିନ୍ତାର ବିରାଟ ସେତୁ ଆରୋହଣ କରି ମହାପ୍ରାଜ୍ଞ ଛିଡ଼ା ହୋଇଥାନ୍ତି କଣୟାବତୀର ବୁଦ୍ଧ ବିହାର ଆଗରେ । ହଠାତ୍ ଜଣେ ବୃଦ୍ଧ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ମହାପ୍ରାଜ୍ଞଙ୍କ ଚରଣଧୂଳି ମୁଣ୍ଡରେ ମାରିଲା । ଏହା ନିତ୍ୟ ନେମିତ୍ତ ଘଟଣା ହେଲେ ମଧ୍ୟ ଏହି କେତେଦିନ ହେବ ତାହା ମହାପ୍ରାଜ୍ଞଙ୍କୁ ସ୍ୱପ୍ନଭଳି ଧାରଣା ହୋଇଥିଲା । ତେଣୁ ନିଜର ସମ୍ମାନ ଅକ୍ଷୁଣ୍ଣ ରଖିବାପାଇଁ ମହାପ୍ରାଜ୍ଞ ଗୃହବନ୍ଦୀଭଳି ବିହାର ଭିତରେ ରହୁଥିଲେ । ଏହି ଠିଆହେବା ମଧ୍ୟରେ କେତେକ ସ୍ତ୍ରୀ ପୁରୁଷ ତାଙ୍କୁ ପ୍ରଣତି ଜଣାଇ ଗଲେଣି କିନ୍ତୁ ସାଷ୍ଟାଙ୍ଗ ପ୍ରଣିପାତ ଜଣକ ଛଡ଼ା ଆଉ କେହି ହୋଇନଥିଲେ ।

 

ମହାପ୍ରାଜ୍ଞଙ୍କ ଗୋଡ଼ଧୂଳୀ ମୁଣ୍ଡରେ ମାରି ବୃଦ୍ଧଟି କହିଲା, “ଆଜ୍ଞା ଟୋକା ବାଜି ମାନେ ଭଲ ଗୁଣି ଗାରେଡ଼ି ଜାଣିଛନ୍ତି । କ’ଣ ଗୁଣୁଗୁଣୁ କରି ବୋଲି ଫୁଙ୍କି ଦେଉଛନ୍ତି ଯେ ସାଙ୍ଗେ ସାଙ୍ଗେ ଜର ବାଧକା ଛାଡ଼ି ଚାଲିଯାଉଛି । ଆଗେ ସାପ କାମୁଡ଼ାରେ ଯେତେ ଲୋକ ମରୁଥିଲେ ଏବେ ଆଉ ତାହା ନାହିଁ । ବାଜିମାନେତ ଫୁଙ୍କିଦେଲେ ବିଷ କୁଆଡ଼େ ଯାଉଛି ଚାଲି । ଆଜି ନୂଆବାଜି ଜଣେ ଆସିଛନ୍ତି ଯେ ସେବି ଆପଣଙ୍କ କଥା କହୁଥିଲେ । ଆପଣ ଅଜ୍ଞଙ୍କ ଦର୍ଶନ ପାଇଁ ସମସ୍ତେ ଆଉ ଟିକିଏ ପରେ ଆସୁଛନ୍ତି ଯେ ।”

 

ନୂଆ ଜଣେ କେହି ଆସିଛନ୍ତି–ସେମାନେ ପୁଣି ମୋ ପାଖକୁ ଆସୁଛନ୍ତି–କାହିଁକି ? କ’ଣ ପ୍ରତିପାଦିତ କରିବାକୁ ବୌଦ୍ଧ ପନ୍ଥା ସୁଗମ କି ତନ୍ତ୍ର ପନ୍ଥା ସୁଗମ ? ଯଦି ଶାସ୍ତ୍ରୀୟ ଯୁକ୍ତି ହୁଏ ତେବେ ତାଙ୍କର ଚିନ୍ତା କରିବାର କିଛି ନାହିଁ; କିନ୍ତୁ ଲୋକମତ ଯଦି ନିଆଯାଏ ? ଯେଉଁଠି ଫୁଙ୍କିଦେଲେ ରୋଗ ଛାଡ଼ିପଳାଉଛି, ସାପବିଷ ଝଡ଼ିଯାଉଛି ସେଠି ଲୋକେ କ’ଣ ତନ୍ତ୍ରପନ୍ଥାକୁ ଉଚ୍ଚ ସ୍ଥାନ ନ ଦେଇ ବୌଦ୍ଧପନ୍ଥାକୁ ଉଚ୍ଚ ସ୍ଥାନ ଦେବେ ?

 

ପ୍ରକୃତରେ ରତ୍ନଗିରିରୁ ଜଣେ ଶ୍ରମଣ ଆସିଥାନ୍ତି । ତନ୍ତ୍ରଶାସ୍ତ୍ରରେ ତାଙ୍କର ଖାଲି ଅସାଧାରଣ ପାଣ୍ଡିତ୍ୟ ନୁହେଁ ସାଧନା ମଧ୍ୟ ଅଛି । ତାଙ୍କ ସାଧନାବଳରେ ଏପାରିର ଗଛ ଆରପାରିରେ ଉଠିପାରେ । ବିଷଧର ସର୍ପର ଗତି ମଧ୍ୟ ରୋଧ ହୋଇଯାଏ । ସେ ଇଚ୍ଛାକଲେ ଅସମ୍ଭବ ସମ୍ଭବ ହୋଇପାରେ । ସେ ଆସିଥିଲେ ଚେଳିତାଳୋରେ ନୂତନ ଭାବେ ପ୍ରଚାର ହେଉଥିବା ତନ୍ତ୍ରମତ ସହିତ ବୌଦ୍ଧମତର କୌଣସି ବିରୋଧ ନାହିଁ ଏହି ବିଷୟରେ ଆଲୋଚନା କରିବାକୁ । କଣୟାବତୀ ବୌଦ୍ଧବିହାରରେ ମହାପ୍ରାଜ୍ଞଙ୍କ ସହିତ ତାଙ୍କର ପରିଚୟ ଅଛି । ଦୀର୍ଘଦିନ କାଟିଛନ୍ତି ସେମାନେ ରତ୍ନଗିରି ବୌଦ୍ଧ ଶିକ୍ଷାକେନ୍ଦ୍ରରେ । ଉଭୟଙ୍କର ବନ୍ଧୁତ୍ୱ ଏତେ ଗଭୀର ଥିଲା ଯେ ଉଭୟେ ଚୀବର ବଦଳ କରି ପିନ୍ଧୁଥିଲେ । ଏହିଭଳି ଜଣେ ବନ୍ଧୁଙ୍କୁ ବହୁଦିନ ପରେ ସାକ୍ଷାତ କରିବାକୁ ତାଙ୍କର ବଡ଼ ଇଚ୍ଛାହେଲା । ତେଣୁ ତନ୍ତ୍ରସନ୍ନ୍ୟାସୀ ଭୈରବମାନଙ୍କୁ ସଙ୍ଗରେ ଧରି ସେ ଆସିଲେ ମହାପ୍ରାଜ୍ଞଙ୍କ ସହିତ ସେମାନଙ୍କୁ ଚିହ୍ନାପରିଚୟ କରାଇଦେବାକୁ ।

 

ମହାପ୍ରାଜ୍ଞ ଦେଖିଲେ ବହୁଜନ ପରିବେଷ୍ଟିତ ହୋଇ ତନ୍ତ୍ରଧର୍ମୀମାନେ ଆସୁଛନ୍ତି । ନା–ସେ ହିଁ ଦେଖିଯିବେ ତାଙ୍କ ପବିତ୍ର ବୌଦ୍ଧ ବିହାରରେ ମଦ୍ୟ-ମାଂସ-ମତ୍ସ୍ୟରେ ତନ୍ତ୍ରର ପଞ୍ଚ‘ମ’କାର ପୂଜା । ତାଙ୍କ ସମାଧି ପରେ ନୁହେଁ, ତାଙ୍କ ଜୀବିତାବସ୍ଥାରେ ହୋଇଯିବ ଅକଥନୀୟ ବୀଭତ୍ସତା ବୁଦ୍ଧଂ ଶରଣଂ ଗଚ୍ଛାମି ବଦଳରେ ଶୁଣିବେ ବଂ ବଂ ଶିବ ଧ୍ୱନି ।

 

ମହାପ୍ରାଜ୍ଞଙ୍କ କାନକୁ ସତେ ଯେପରି ଶୁଭିଗଲା, କୁହ ମହାପ୍ରାଜ୍ଞ ତନ୍ତ୍ରପନ୍ଥା କ’ଣ ବୌଦ୍ଧପନ୍ଥାଠାରୁ ନିକୃଷ୍ଟ ? ଓହୋ-ନା ନା ତାହା ହେବନାହିଁ । ମହାପ୍ରାଜ୍ଞ ତାଙ୍କ କାନ ଦୁଇଟିକୁ ନିଜ ଦୁଇ ହାତରେ ଚାପିଧରିଲେ । ଓଃ-କ’ଣ ହୋଇଯାଉଛି ତାଙ୍କ ଦେହ-ମୁଣ୍ଡ ବୁଲାଇଦେଉଛି । ସ୍ଥିରହୋଇ ଛିଡ଼ା ହୋଇପାରିଲେନାହିଁ ବୃଦ୍ଧ ମହାପ୍ରାଜ୍ଞ । କଦଳୀ ଗଛ ଭଳି ଲୋଟିପଡ଼ିଲେ ସେହି ଧୂଳିଜର୍ଜରିତ ବିହାରର ରାସ୍ତା ଉପରେ ।

 

ଦୂରରୁ ମହାପ୍ରାଜ୍ଞଙ୍କୁ ସମସ୍ତେ ଦେଖିବାକୁ ପାଇଲେ । ବନ୍ଧୁଙ୍କୁ ଯେ ପାଛୋଟି ନେବାକୁ ସେ ବିହାର ବାହାରେ ଛିଡ଼ା ହୋଇଛନ୍ତି ଏହା ତାଙ୍କ ବନ୍ଧୁ ଅନୁମାନ କରିନେଲେ । ସେ ଆନନ୍ଦରେ ଧାଇଁଆସିଲେ ତାଙ୍କ ପାଖକୁ । ତାଙ୍କ ସହିତ ଅନ୍ୟମାନେ ମଧ୍ୟ ଦ୍ରୁତଗତିରେ ଧାଇଁଆସିଲେ । ଆସୁ ଆସୁ ଦେଖିଲେ ହଠାତ୍ ଟଳିପଡ଼ୁଛନ୍ତି ତାଙ୍କର ବନ୍ଧୁ । ସେ ଆହୁରି ଅଧିକ ବେଗରେ ଆସି ତଳେପଡ଼ିଯାଇଥିବା ବନ୍ଧୁଙ୍କ ଦେହକୁ ଟେକିବାକୁ ଚେଷ୍ଟା କରୁ କରୁ ଡାକି ଉଠିଲେ, ବନ୍ଧୁ ମୋତେ ଚିହ୍ନିପାରୁଛ; ମୁଁ କିଏ ?

 

ଦୁଇ ତିନିଥର ଡାକିଲା ପରେ ମହାପ୍ରାଜ୍ଞଙ୍କ ଆଖି ଖୋଲିଗଲା । ଆଖି ଦୁଇଟି ଅସମ୍ଭବ ଭାବରେ ପଡ଼ିଯାଇଛି । ଓଠରେ ତାଙ୍କର ଛୋଟ ହସଟିଏ ଫୁଟିଉଠିଲା । ବାସ୍ ସେତିକି ।

 

ମହାପ୍ରାଜ୍ଞ ! ବନ୍ଧୁ ! ସବୁ ଡାକ ମିଳାଇଗଲା ଶୂନ୍ୟରେ ।

 

ସମ୍ଭବତଃ ଶୂନ୍ୟରେ ମିଶିଯାଇଥିବା ଶୂନ୍ୟପୁରୁଷଙ୍କ ସହିତ ସେହି ଡାକ ସବୁ ଏକାକାର ହୋଇଯାଉଥାଏ ।

Image

 

କଣୟାବତୀ

 

ଭଦ୍ରେ ! ମୁଁ ଅବଗତ ହେଲି ଆପଣ ଜଙ୍ଖେରପୁର ପର୍ଯ୍ୟନ୍ତ ଯିବେବୋଲି । ମୁଁ ମିଥ୍ୟା ସମ୍ବାଦ ଶୁଣିନାହିଁ ତ ।

 

ହଁ ମୁଁ ଜଂଖେରପୁର ପର୍ଯ୍ୟନ୍ତ ଯିବି; କିନ୍ତୁ ଆପଣ ?

 

ମୁଁ ମଧ୍ୟ ଜଙ୍ଖେରପୁର ଯାତ୍ରାକରିବି ? ଦେଖନ୍ତୁ ସୂର୍ଯ୍ୟ ପଶ୍ଚିମାକାଶର ନିମ୍ନଭାଗରେ ନିଜର ପ୍ରଖର ରଶ୍ମିକୁ ଯେଉଁଭଳିଭାବେ ହ୍ରାସ କରିଦେଇଛନ୍ତି, ସେହିଭଳି ଭାବେ ନିଜର କାୟାବର୍ଦ୍ଧିତ କରି ଅସ୍ତାଚଳେ ଯିବାପାଇଁ ବ୍ୟସ୍ତ । ଜାଣେନାହିଁ ଏଠାକୁ ଜଂଖେରପୁର କେତେଦୂର ହେବ । ମୁଁ ସଂପୂର୍ଣ୍ଣ ବିଦେଶୀ । ମୋତେ ଟିକିଏ ସାହାଯ୍ୟ କଲେ ମୁଁ ଉପକୃତ ହୁଅନ୍ତି ଭଦ୍ରାଙ୍କ ନିକଟରେ ।

 

ଆପଣ କ’ଣ ଉଡ୍ରଦେଶ ଅଧିବାସୀ ନୁହନ୍ତି ?

 

ନା ମହାଶୟା, ଏହି ଅଳ୍ପ ସମୟ ପୂର୍ବରୁ ମୁଁ ଉଡ୍ରଦେଶରେ ପଦାର୍ପଣ କରିଛି । ଉଡ୍ରଦେଶ, ବିଶେଷତଃ ଚେଳିତାଳୋ-ଜଂଖେରପୁର ବିଷୟରେ ମୁଁ ସଂପୂର୍ଣ୍ଣ ଅଜ୍ଞ ।

 

ଗମ୍ଭୀର ହୋଇ କଣୟାବତୀ କଟାକ୍ଷପାତ କଲା ବିଦେଶାଗତ ଭଦ୍ରବ୍ୟକ୍ତିଙ୍କୁ ।

 

ମସ୍ତକରେ ଶ୍ଵେତବସ୍ତ୍ରର ପଗଡ଼ି, କର୍ଣ୍ଣରେ କୁଣ୍ଡଳ । ସ୍ଵର୍ଣ୍ଣାଭ ମୁଖମଣ୍ଡଳର ନାସିକା ତଳେ ଲମ୍ଵଭାବେ କୃଷ୍ଣ ଧୂମ୍ରବର୍ଣ୍ଣ ମିଶ୍ରିତ ରଙ୍ଗର ନିଶ । ଗଳାରେ ସୁବର୍ଣ୍ଣ ହାରଟିଏ ବିଶାଳ ବକ୍ଷଦେଶ ଉପରକୁ ଲମ୍ବିଯାଇଛି । ଭାରତୀୟ ପୋଷାକରେ ବିଦେଶୀ ଭଦ୍ରଭକ୍ତିଟି ନିଜକୁ ଆବୃତ୍ତ କରିଥିଲେ ମଧ୍ୟ ସେଥିରେ ଯେ ଅଭ୍ୟସ୍ତ ନୁହନ୍ତି, ଏହା ବେଶପରିପାଟୀରୁ ବେଶ୍ ଜଣାପଡ଼ୁଥିଲା ।

 

ଅଧିକ ବାକ୍ୟ ବିନିମୟ କରିବାକୁ କଣୟାବତୀ ଇଚ୍ଛା ନକରି ବିଦେଶୀଙ୍କୁ ନିଜର କ୍ଷୁଦ୍ର ନୌକାଟିକୁ ଆସିବାକୁ ନିମନ୍ତ୍ରଣ କଲେ । ବିଦେଶୀଙ୍କର ତାହାହିଁ ଅଭିପ୍ରାୟ ଥିଲା । ବିଦେଶୀ ନୌକାର ଅପରଦିଗରେ ଉପବେଶନ କରିବା ସଙ୍ଗେ ସଙ୍ଗେ କଣୟାବତୀ ମାଝିମାନଙ୍କୁ ନୌକା ଚଳାଇବାକୁ ସଂକେତ ଦେଲେ । ସ୍ରୋତରେ ପ୍ରତି-କୂଳରେ ନୌକା ଆଗେଇଚାଲିଲା ପଶ୍ଚିମାଭିମୁଖୀ ହୋଇ ।

 

ଦୀର୍ଘ ଚାରିବର୍ଷ ହୋଇଗଲା । ପ୍ରାୟ ପ୍ରତିଦିନ ସେ ଚେଳିତାଳୋ ଆସିଛି–ପୁଣି ସଂଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଛି ନିରାଶ ମନ ଧରି ! ତଥାପି ତା’ ପରଦିନ ପୁଣି ଆଶାର ନୂତନ ଲେଖା ମନରେ ଆଙ୍କି ଧାଇଁଆସିଛି ନୌକାରୋହଣ କରି । ସେ ପ୍ରତିଦିନ ପରି ଦଣ୍ଡାୟମାନ ହୋଇଛି ସମୁଦ୍ର କୂଳରେ ଦୂର ଚକ୍ରବାଳକ ଲକ୍ଷ୍ୟକରି ।

 

ଚକ୍ରାବାଳ ତଳେ ଦୂରଗାମୀ ବୋଇତଗୁଡ଼ିକ ହଜିଯାନ୍ତି । କେତେବେଳେ କିପରି ଗୋଟିଏ ଗୋଟିଏ ବୋଇତ ପାଲଟାଣି ଭସିଆସନ୍ତି କୂଳଆଡ଼କୁ । ପୁଣି କେବେ କେବେ ଅନେକ ବୋଇତ ଚକ୍ରାବାଳ ତଳୁ କୂଳଆଡ଼କୁ ଆଗେଇଆସନ୍ତି । ଯେଉଁ ବୋଇତଗୁଡ଼ିକ ଦୂରଦେଶ ଯାତ୍ରା କରିବାକୁ ପ୍ରସ୍ତୁତ, ସେହି ବୋଇତଗୁଡ଼ିକ ଉପରେ ଶୁଭ ଲଗ୍ନରେ ସାଧବମାନେ ପଦାର୍ପଣ କଲାପରେ ତାଙ୍କ ଲଳନାମାନେ ଅର୍ଘ୍ୟଥାଳୀ ଧରି ବନ୍ଦାପନା କରି ବିଦାୟ ଦିଅନ୍ତି । ଲଳନାଙ୍କ ହୁଳହୁଳି ସ୍ଵରରେ ଉପକୂଳ ମୁଖରିତ ହୋଇଉଠେ ।

 

ଚକ୍ରବାଳ ତଳେ ବୋଇତଗୁଡ଼ିକ ହଜିଯିବା ପର୍ଯ୍ୟନ୍ତ ତାଙ୍କ ଆତ୍ମୀୟମାନେ କୂଳଉପରେ ଏକ ଧ୍ୟାନରେ ଚାହିଁରହିଥାନ୍ତି । ଯେତେବେଳେ ଚକ୍ରବାଳ ତଳେ ବୋଇତ ମିଶିଯାଏ, ସେତେବେଳେ ଫାଙ୍କା ମନ ଧରି ଫେରନ୍ତି ତାଙ୍କ ଆତ୍ମୀୟମାନେ । ଯେଉଁ ବୋଇତଗୁଡ଼ିକ ଦୂରଦେଶରୁ ପ୍ରତ୍ୟାଗମନ କରିଛନ୍ତି, ସେମାନଙ୍କ ଆତ୍ମୀୟମାନେ ସେମାନଙ୍କ ଆଗମନ ସମ୍ବାଦ ପ୍ରାପ୍ତି ମାତ୍ରେ ଆନନ୍ଦରେ ଛୁଟିଆସନ୍ତି ଚେଳିତାଳୋ ଉପକୂଳକୁ । ଆନନ୍ଦ ଉଲ୍ଲାସରେ ସାଧବ ଲଳନାମାନେ ବିଦେଶାଗତ ସାଧବଙ୍କ କପାଳରେ ଚନ୍ଦନ, ସିନ୍ଦୂର ଦେଇ-ଦୂର୍ବା ଅକ୍ଷତ ତାଙ୍କ ଶିରରେ ସିଞ୍ଚନକରି ସ୍ୱର୍ଣ୍ଣ ଦୀପଶିଖାରେ ବନ୍ଦାପନା କରନ୍ତି । ସେତେବେଳ ମଧ୍ୟ ଲଳନାଙ୍କ ମୁଖରୁ ଉଚ୍ଛୁଳିଉଠେ ହୁଳହୁଳି ଶବ୍ଦ । ଦିଗ୍‌ବିଜୟ କରି କଳିଙ୍ଗୀ ବୀର ଫେରିଲାପରି ଫେରିଛନ୍ତି କଳିଙ୍ଗର ସାଧବ ସାତ ସମୁଦ୍ର ତେର ନଈ ବୁଲିବୁଲି-ବେପାର ବାଣିଜ୍ୟ କରିକରି ।

 

କିନ୍ତୁ ପ୍ରତ୍ୟାବର୍ତ୍ତନ କରୁନାହିଁ ଜଣେ । ସେ ହେଉଛି ତା’ର ଭାଇ କଣୟକୁମାର ।

 

ଦୀର୍ଘ ଚାରିବର୍ଷ ଅତୀତ ହୋଇଯାଇଛି । କନିଷ୍ଠା କଣୟାବତୀ ଚାହିଁରହିଛି ଭାଇର ଫେରିବା ପଥ । ସବୁଦିନେ ଦୈନନ୍ଦିନ କର୍ମଭଳି ଚେଳିତାଳୋ ଉପକୂଳକୁ ଆସିଛି; ମାତ୍ର ଫେରିଛି ନିରାଶ ହୋଇ । ତଥାପି ରହିଯାଇ ନାହିଁ । ତା’ର ଆଶାୟୀ ମନରେ କେତେକ ପରିମାଣରେ ଭଟ୍ଟା ପଡ଼ିଥିଲେ ମଧ୍ୟ ସଂପୂର୍ଣ୍ଣ ଭାଙ୍ଗିପଡ଼ିନାହିଁ ତା’ର ମନ । ସେ ନିତି ଦେଖୁଛି ଓଡ଼ିଆ ସାଧବଙ୍କ ବିଦେଶ ଗମନ ପୁଣି ଆଗମନ । ଦେଖୁଛି ତାଙ୍କର ବିଦାୟ ପୁଣି ଆଗମନକାଳୀନ ସମ୍ବର୍ଦ୍ଧନା । ବିଦାୟବେଳେ ତା’ର ମନ ଯେଉଁଭଳି ଆକୁଳରେ ବିଳାପ କରିଉଠେ, ସେହିଭଳି ଆଗମନ ସମ୍ବର୍ଦ୍ଧନାରେ ବିହ୍ୱଳିତ ହୋଇପଡ଼େ; ମାତ୍ର ଯେତେବେଳେ ସେ ନିଜ ମଧ୍ୟକୁ ଫେରିଆସେ, ସେତେବେଳେ ଦେଖେ ସମସ୍ତେ ଫେରୁଛନ୍ତି ମାତ୍ର ଫେରୁନାହିଁ ତା’ର ସହୋଦର ସେହି ଜ୍ୟେଷ୍ଠ କଣୟକୁମାର ।

 

ଏକଲୟରେ ସେ ଚକ୍ରାବାଳ ଆଡ଼କୁ ଲକ୍ଷ୍ୟକରି ରହିଥିଲାବେଳେ ଯଦି କୌଣସି ବୋଇତ ତା’ର ଭାଇର ବୋଇତ ଭଳି ମନେହୁଏ, ତେବେ ଏକଲୟରେ ଲକ୍ଷ୍ୟକରି ଚାହିଁଥାଏ ତାହାରିଆଡ଼କୁ । ଯେତେବେଳେ କୂଳଠାରୁ ଅଳ୍ପଦୂରରେ ସେ ସେହି ବୋଇତଟିକୁ ସ୍ପଷ୍ଟଭାବେ ଦେଖିପାରେ ସେତେବେଳେ ସେ ବୁଝିପାରେ ତା’ର ଭୁଲ୍ । ହୃଦୟର କେଉଁ ନିଭୃତକୋଣରୁ ଦୀର୍ଘଶ୍ଵାସ ଉଠିଆସେ । ଆଜି ବି ତା’ର ଭାଇ ଆସିବ ନାହିଁ ।

 

ସେଦିନ କିଏ ଗୋଟାଏ କହିଦେଲା ସମ୍ଭବତଃ କଣୟକୁମାର ବୋଇତ ସମୁଦ୍ରର ଅତଳ-ଗର୍ଭରେ ବୁଡ଼ିଯାଇଛି । ଏତିକି ଶୁଣୁଶୁଣୁ କଣୟାବତୀର ଆଖିରେ ଲୁହ ଭରିଗଲା । ହୃଦୟ ଭିତରୁ ଉଠିଲା କୋହ । ସେ କାନ୍ଦିଉଠିଲା କଇଁକଇଁ ହୋଇ । ଯେ ଯେତେ ବୁଝାଇଲେ ମଧ୍ୟ ସେ ସହଜରେ ବୁଝିଲାନାହିଁ । ବହୁ କଷ୍ଟରେ ଯେତେବେଳେ ଶୁଣିଲା, ନା ସେ ଠିକ୍ କଥା କହିନାହାନ୍ତି । କଣୟକୁମାର ଜୀବିତ ଅଛି, ସେ କିଛି ଜାଣନ୍ତିନାହିଁ ଖାଲି ଯାହା ଅନୁମାନ କରୁଛନ୍ତି, ସେତେବେଳେ ଶାନ୍ତ ହେଲା ।

 

ଆଉଦିନେ ପ୍ରଚାର ହୋଇଗଲା କଣୟକୁମାର ସ୍ୱର୍ଣ୍ଣଦ୍ଵୀପରେ ବିବାହକରି ରହିଛି । ସେଠାରେ ହୋଇଛି ସେ ଅକଳନ୍ତା ସଂପତ୍ତିର ମାଲିକ । ସ୍ୱର୍ଣ୍ଣଦ୍ଵୀପରେ ବାଣିଜ୍ୟ କଲାବେଳେ ତାଙ୍କରି ଘରେ ସେ ଆତିଥ୍ୟ ଗ୍ରହଣ କରିଥିଲା । ଗୋଟିଏ ବୋଲି ଝିଅ ଥିଲା ତାଙ୍କର । ଝିଅ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ, ସୁବର୍ଣ୍ଣକୁ ନିନ୍ଦା କରେ ତା’ର ଅଙ୍ଗକାନ୍ତି । ଉଦୟକାଳୀନ ପୂର୍ଣ୍ଣଚନ୍ଦ୍ରପରି ମୁଖ, ଆଙ୍ଗୁଳିଗୁଡ଼ିକ ଚମ୍ପକ କଢ଼ିଠାରୁ ଆହୁରି ସୁନ୍ଦର । ମିଷ୍ଟଭାଷିଣୀ ତା’ଠାରୁ ଖୁବ୍ କ୍ଵଚିତ୍ ଝିଅ ଅଛନ୍ତି ।

 

ଉଭୟେ ରାଜିହୋଇ ବିବାହ କରିଛନ୍ତି ।

 

ଇଚ୍ଛାହୁଏ କଣୟାବତୀର, କିପରି ଥରେ ସେ ସ୍ୱର୍ଣ୍ଣଦ୍ଵୀପକୁ ଯାନ୍ତା କି ? ଦେଖିଆସନ୍ତା ତା’ର ସୁନାନାକି ଭାଉଜକୁ । ଆଖି ପୂରାଇ ଦେଖିଆସନ୍ତା ତା’ର ସେ ଋଷି ମନଲୋଭା ରୂପ । ଯେଉଁ ରୂପର ମୋହକୁ ଏଡ଼ି ଭାଇ ତା’ର ଅତି ଗେହ୍ଲାରେ ବଢ଼ାଇଥିବା ଭଉଣୀ କଥା ମନେପଡ଼େ ନାହିଁ । ପଡ଼ିଲେ ବି ଥରୁଟିଏ ଦେଖିବାକୁ ଧାଇଁଆସେ ନାହିଁ । ଅଭିଯୋଗ ସ୍ୱରରେ ପଚାରନ୍ତା ତା’ର ଭାଇକୁ କଳିଙ୍ଗର ସାଧବ ହୋଇ ତୁମେ କିପରି ଭୁଲିଗଲ ତୁମ ଜନ୍ମସ୍ଥାନ କଳିଙ୍ଗ–ତଥା ଉଡ୍ରଦେଶର ଚେଳିତାଳୋ ? ତୁମକୁ କ’ଣ ଭାଉଜ ଫୁଲ ଶୁଘେଂଇ ମେଣ୍ଢା କରିଦେଇଛି ।

 

କିନ୍ତୁ ଯିବ କିପରି-କାହା ସାଙ୍ଗରେ ?

 

ତା’ର ସଙ୍ଗାତ ଚରିତ୍ରା ଦିନେ ଆସି କହିଲା, ସଙ୍ଗାତ ମୁଁ ଶୁଣିଆସିଲି ଭାଇଙ୍କର ବାଣିଜ୍ୟରେ କୁଆଡ଼େ ଅସମ୍ଭବ କ୍ଷତି ହୋଇଛି । ସେ କୁଆଡ଼େ ପ୍ରତିଜ୍ଞା କରିଛନ୍ତି, ଲାଭ ନ ହେବା ପର୍ଯ୍ୟନ୍ତ ଚେଳିତାଳୋ ଫେରିବେନାହିଁ । ତେଣୁ ଦୀର୍ଘ ଚାରିବର୍ଷ ହୋଇଗଲାଣି ବୋଇତ ଧରି ଘୂରି ବୁଲୁଛନ୍ତି ।

 

ସଙ୍ଗାତ ଚରିତ୍ରଠାରୁ ବାଣିଜ୍ୟରେ ଭାଇର କ୍ଷତି ହେଉଥିବା ସମ୍ବାଦ ପାଇ ତା’ ମନରେ ଗଭୀର ଦୁଃଖ ଆସିଛି । ତା’ର ଆଖି ଫୁଟାଇ ଦୁଃଖର କେତେକ ମାତ୍ରା ବୋହିଯାଇଛି ଲୁହଭାବରେ-। ପ୍ରତିକାର ପାଇଁ ପୂଜା ଡାଲା ସଜାଇ ଧାଇଁଯାଇଛି ତାରାଙ୍କ ପାଖକୁ । ଅତି ଭକ୍ତିରେ ତାରାଙ୍କୁ ସେ ମନର କଥା ଜଣାଇଛି ।

 

ସମସ୍ତେ କହନ୍ତି ତାରାଙ୍କ ପାଖରେ କିଛି କାମନା କଲେ ସେ ନିଶ୍ଚୟ ପୂରଣ କରିଥାନ୍ତି ।

 

ତାରାଙ୍କ ସର୍ବାଙ୍ଗ କନକ ଚମ୍ପାରେ ସଜାଇଦେଇଛି ସେ । ଝୁଣା କର୍ପୂର ଗନ୍ଧରେ ଆମୋଦିତ କରିଛି ପୀଠସ୍ଥଳୀ । ନିମ୍ନକୁ ବରଦ ମୁଦ୍ରାରେ ପ୍ରସାରିତ ତାରାଙ୍କ ଦକ୍ଷିଣ ହସ୍ତରେ ଚନ୍ଦନ ଲେପନକରି ଆକୁଳିତ ହୃଦୟରେ କରିଛି ଗୋଟିଏ ପ୍ରାର୍ଥନା-‘ହେ’ ମା’ ! ଭାଇ ବାଣିଜ୍ୟରେ ଲାଭବାନ ହେଉ ।

 

ପୂଜା ଦେବାପରେ ବହୁଦିନ ଗତ ହୋଇଯାଇଛି; କିନ୍ତୁ ଭାଇ ତା’ର ଫେରିନାହିଁ । ଭାଇର ଲାଭ ହେଲା କି ନହେଲା କିଏ କହିବ ? ଲାଭ ହୋଇଥିଲେ ସେ ତ ଫେରିଆସିଥାନ୍ତା । ତାହାହେଲେ ତାରା କ’ଣ ତା’ର ପୂଜାର୍ଚ୍ଚନା ଗ୍ରହଣ କଲେନାହିଁ ?

 

ତା’ର ମନେଅଛି ବାପା ତା’ର ଶୋଇଲାବେଳେ ଭାଇ ଭଉଣୀଙ୍କୁ କୁହନ୍ତି ସେ କିପରି ବୋଇତ ନେଇ ବାଣିଜ୍ୟ କରିଯାନ୍ତି । କେଉଁ ଦେଶରେ କେଉଁ ଜିନିଷର ଆଦର ବେଶି । କେଉଁ ଦେଶରେ ପୁଣି କେଉଁ ଦ୍ରବ୍ୟ ସୁଲଭ ଦରରେ ମିଳେ । କିପରି କେଉଁଠି କେଉଁ ଦ୍ରବ୍ୟର ଖର୍ଦ୍ଦି ବିକ୍ରି ହୁଏ । ସବୁକିଛି ବନେଇ ଚୂନେଇ ସେ କହନ୍ତି । ଭାଇ ତା’ର ମନଦେଇ ଶୁଣେ । ସେ ବି ଶୁଣେ; କିନ୍ତୁ ମାତ୍ର ଶୁଣୁଶୁଣୁ ନିଦ ଆସିଯାଏ ତା’ର ।

 

ମନେଅଛି ତା’ର କିପରି ସାତ ସମୁଦ୍ର ତେର ନଈରେ ବାପା ବୋଇତ ନେଇଯାଉଥିଲେ-। ଯେତେବେଳେ ଫେରିଆସନ୍ତି ପ୍ରଥମେ ତାକୁ ଦେଖୁଦେଖୁ କୁଣ୍ଢେଇପକାନ୍ତି । ଟିକି ପିଲାଟି ପରି ତାକୁ କନ୍ଧରେ ବସାଇ ଗେଲ କଲାବେଳେ ତା’ ମା’ର ମନରେ କେତେ ଆନନ୍ଦ ଆସେ ସେ ଲକ୍ଷ୍ୟକରି ଦେଖିଛି । ଯେଉଁବର୍ଷ ମା’ ମରିଗଲେ, ସେ ବର୍ଷଠାରୁ ବାପା ଆଉ ବୋଇତ ଧରି ଯାଇନାହାନ୍ତି । ଠିକ୍ ଦୁଇବର୍ଷ ପରେ ବାପା ବି ଚାଲିଗଲେ ପିଲା ଦିଟାଙ୍କୁ ବାପ ମା’ ଛେଉଣ୍ଡ କରି । ମରିବା ପୂର୍ବରୁ ଭାଇକୁ ବହୁତ କଥା କହିଯାଇଛନ୍ତି । ବାଣିଜ୍ୟ କରି ଯେଉଁ ସମ୍ପତ୍ତି ସେ କରିଯାଇଛନ୍ତି, ସବୁ ହିସାବ ବୁଝାଇଦେବାରେ ସେ ହେଳା କରିନାହାନ୍ତି । ଯାହା ସେ ରଖିଯାଇଛନ୍ତି ସେତିକିରେ ଭାଇଭଉଣୀ ସୁନ୍ଦର ଭାବରେ ଚାକର ପୂଝାରୀ ଧରି ଜୀବନ କଟାଇଦେବେ ।

 

ବସିଖାଇଲେ ନଇବାଲି ସରେ । କଳିଙ୍ଗର ସାଧବ ଘର ପୁଅ ସେ । ସେ କ’ଣ ଖାଲି ତା’ର ବାପ ଅର୍ଜିତ ସମ୍ପତ୍ତି ନିକମା ଲୋକଙ୍କ ଭଳି ବସି ଖାଇବ ? ବାପାଙ୍କ ଦେହାନ୍ତର ପ୍ରାୟ ଦୁଇବର୍ଷ ପରେ ସେ ବାହାରିଲା ବାଣିଜ୍ୟ କରିବାକୁ ବୋଇତ ଧରି । ବାପାଙ୍କଠାରୁ ନିଜେ ଯେତିକି ବେପାର ବାଣିଜ୍ୟ ସମ୍ବନ୍ଧରେ ଶୁଣିଛି, ସେ ସେତିକି । ନିଜେ ତ ଆଉ କିଛି ଦେଖିନାହିଁ । ବାପାଙ୍କ ସହିତ ଯାଉଥିବା ମାଝି, ହିସାବ ରକ୍ଷକ ଆଦିଙ୍କୁ ଧରି ସେ ନିଜେ ଚାଲିଲା ବେପାରକରି । ଛ’ ମାସ ପରେ ସେ ଫେରିବା କଥା; ମାତ୍ର ଦୀର୍ଘ ଚାରିବର୍ଷ ହୋଇଗଲା । ସେତେବେଳକୁ ବୟସ ହୋଇଥିଲା ତା’ର ଢେର । ଏବେ ତାକୁ ସତର ହୋଇଗଲାଣି । ଦେଖାନାହିଁ ତା’ ଭାଇର ।

 

ଅର୍ଥର ଅଭାବ ନାହିଁ ତା’ର । ଅନ୍ୟାନ୍ୟ ସାଧବଝିଅଙ୍କ ପରି ବସନ ଭୂଷଣ ଯଥେଷ୍ଟ ଅଛି । ପ୍ରଜାପତି ପରି ନିଜକୁ ସଜାଇ ଉଡ଼ିବୁଲିବାକୁ ତା’ର ବେଳେବେଳେ ଇଛାହୁଏ; ମାତ୍ର ତା’ର ପରମୁହୂର୍ତ୍ତରେ ମନ ତା’ର ବିଦ୍ରୋହ କରିଉଠେ । କାହିଁକି ତା’ ମନରେ ଏତେ ଆନନ୍ଦ । କେବଳ କ’ଣ ତା’ର ବୟସ ପାଇଁ ? ମା’ ଯାଇଛି, ବାପା ଯାଇଛି । ବାକି ଥିଲା ଭାଇ-ସେ ବି ବୋଇତ ଧରି ଯାଇଛି ଯେ ଆଉ ଫେରୁନାହିଁ । ସୁବର୍ଣ୍ଣ ଦୀପର କେଉଁ ସୁବର୍ଣ୍ଣର ଗଢ଼ା ଭାଉଜକୁ ଦେଖି ପ୍ରସିଦ୍ଧ ସୌଦାଗର କଳିଙ୍ଗର ସାଧବ ପୁଅର ବୋଇତ ଅଟକିରହିଛି । ସେହି ଅପୂର୍ବ ଦ୍ରବ୍ୟ ଧରି ଫେରିବ ସେ ଚେଳିତାଳୋ । ଅନ୍ୟ ସାଧବମାନଙ୍କୁ ଦେଖାଇଦେବ କିଭଳି ରତ୍ନ ସେ ସୌଦା କରିପାରେ; କିନ୍ତୁ ତା’ଠାରୁ କ’ଣ ସେ ରତ୍ନର ମୂଲ୍ୟ ବେଶି ? ତା’ ଭଳି ଭଉଣୀକୁ ଭୁଲି ସେହି ରତ୍ନଟି ପାଇଁ ସେଠି ପଡ଼ିରହିବା ତା’ର କ’ଣ ଉଚିତ୍ ?

 

ଦିନେ ଦିନେ ସେ ନିରାଭରଣ ହୋଇପଡ଼େ । ମହର୍ହ ବସନ ମଧ୍ୟ ତାକୁ ବିଷପରି ଲାଗେ । ଗୋଟିଏ ଦରିଦ୍ର ଘରର କନ୍ୟାଭଳି ସେ ଯାଏ ଚେଳିତାଳୋ ତା’ ଭାଇକୁ ଅପେକ୍ଷା କରିବା ପାଇଁ ।

 

ତା’ର ଆତ୍ମୀୟମାନେ ବୁଝାଇ ବୁଝାଇ ଥକି ଗଲେଣି । କାହାରି କଥା ଶୁଣିବାକୁ ସେ ପ୍ରସ୍ତୁତ ନୁହେଁ । ବିଭାଘର କଥା ପଡ଼ିଲେ ତ ସେ ଭୟଙ୍କର ବିରକ୍ତ । ସେ ତ ଏଭଳି କିଛି ଖରାପ କଥା କରୁନାହିଁ, ଯାହାକି ଅନ୍ୟମାନଙ୍କ ପାଖରେ ତାହା ଦୂଷଣୀୟ ହେବ ! ଆଉ ଜୀବନରେ ବିବାହ କ’ଣ ଏକମାତ୍ର କର୍ତ୍ତବ୍ୟ ?

 

ଚେଳିତାଳୋ ପୋତାଶ୍ରୟରେ ତା’ ଭାଇକୁ ଅପେକ୍ଷା କରି ଦଣ୍ଡାୟମାନ ହୋଇଥିଲାବେଳେ କେତେଥର ଦେଖିଛ କେତେ ଯୌବନପୁଷ୍ଟ ପୁରୁଷ ତା’ ପାଖଦେଇ ଚାଲିଗଲାବେଳେ କିଏ ମୁଖରେ ବଂଶୀଧ୍ଵନୀ ଦେଇ, କିଏ ଗୁଣୁ ଗୁଣୁ ହେଇ ଗୀତ ବୋଲି, କିଏ ବା କଣେଇ କଣେଇ ଚାହିଁ, ଇସାରା ଦେଇଛନ୍ତି ସେମାନେ ଜଣେ ଜଣେ ପ୍ରେମିକ ବୋଲି; କିନ୍ତୁ ସେ ଯେ ଗୋପିକା ନୁହେଁ ଯେ କାହା ମୁଖର ବଂଶୀଧ୍ଵନୀରେ ଭୁଲିଯିବ-ଆଉ ସେ ମଧ୍ୟ ନୁହେଁ ମଲ୍ଲୀ ମାଳତୀ କୁସୁମ ଯାହା କି ଭ୍ରମରର ଗୁଣୁ ଗୁଣୁ ଗୁଞ୍ଜନରେ ବିମୋହିତ ହୋଇପଡ଼ିବ ।

 

ବେଳେବେଳେ ଇଚ୍ଛାହୁଏ କହିଦେବାକୁ, ରେ ବୋକା ଭ୍ରମର ଦଳ, ସାବଧାନ ! ଏ ନିଜେ ଅରଣ୍ୟ କୁସୁମ । କନକ ଚମ୍ପାରୁ ମଧୁ ଆହରଣ କରିବା ତୁମ ଭାଗ୍ୟରେ କେବେ ସମ୍ଭବ ହେବନାହିଁ । ଯଦି ପାରୁଛ ତେବେ ଦୂରରେ ଅତି ଦୂରରେ ତା’ର ମହକ ଆସ୍ଵାଦନକର । ନିକଟକୁ ଆସିଲେ, ତା’ର ତୀବ୍ରତା ଗନ୍ଧରେ ତୁମେ ଆସ୍ୱାଦନ ଶକ୍ତି ହରାଇବସିବ–ରୂପର ଝଲକରେ ଦୃଷ୍ଟିଶକ୍ତି ହରାଇବ ।

 

ଥରେ ଜଣେ ଯୁବକ ହୃଦୟରେ ସାହସ ସଞ୍ଚୟ କରି ଚେଳିତାଳୋରେ ଭାଇକୁ ଅପେକ୍ଷା କରିଥିବା କଣୟାବତୀକୁ ପଚାରିଲେ, କାହାକୁ ଅପେକ୍ଷା କରିଛନ୍ତି କି ?

 

ବିଷଧର ସର୍ପିଣୀଭଳି ଗର୍ଜିଉଠି ସେ କହିଲା, “ଆପଣଙ୍କୁ ନୁହେଁ ।”

 

-“ମୋର କ’ଣ ପଚାରିବା ଅନ୍ୟାୟ ହୋଇଗଲା ?”

 

-“ଲଜ୍ଜା ଲାଗୁନାହିଁ କଥା କହିବାକୁ । ଆପଣଙ୍କର ସାହାଯ୍ୟଭିକ୍ଷା ମୁଁ କରିଥିଲି ନା ଆପଣ ମୋର ପରିଚିତ-କିବା ଆବଶ୍ୟକ ଅପରିଚିତ ଗୋଟାଏ ଝିଅ ସହିତ ଉପରେ ପଡ଼ି କଥାବାର୍ତ୍ତା କରିବା ?

 

ଚାରିଆଡ଼ୁ ଘେରିଗଲେ ସେ ଯୁବକକୁ ବହୁ ଲୋକ । କିଏ କେତେ ପ୍ରକାର କଥା ସେ ଯୁବକକୁ କହିଲେ । ଥଟ୍ଟା, ପରିହାସ, ତାଚ୍ଛଲ୍ୟରେ ଯୁବକଟି ମରଣଠାରୁ ବଳି ମନସ୍ତାପ ଭୋଗକଲେ ।

 

ଚେଳିତାଳୋରେ ଯେଉଁମାନେ କଣୟାବତୀକୁ ଜାଣିନଥିଲେ, ସେମାନେ ଜାଣିଗଲେ ତାକୁ । ଜାଣିଗଲେ କାହିଁକି ସେ ନିତି ଚେଳିତାଳୋ ଆସୁଛି ।

 

ଦିନେ ଦିନେ ତା’ସହିତ ତା’ର ସଙ୍ଗାତ ଚରିତ୍ରା ଯାଏ । ଆଉ ମଧ୍ୟ କେତେକ ସାଙ୍ଗସାଥୀ ଯାନ୍ତି । ଚେଳିତାଳୋର ଉପକୂଳରେ ବୁଲୁଥିବା ବାଲିକଙ୍କଡ଼ାଙ୍କ ସହିତ ଧାଇଁ ଧାଇଁ ଖେଳନ୍ତି; ମାତ୍ର ସେ ଏକ ଲୟରେ ଚାହିଥାଏ କଙ୍ଗୋଦ ସାଗରର ନୀଳ ଜଳ ଯେଉଁଠି ନୀଳ ଆକାଶ ସହିତ ଏକ ହେବାକୁ ଚେଷ୍ଟାକରୁଛି ସେହିଆଡ଼କୁ । ହୁଏତ ମା’ ତାରା ଯେ କି ତ୍ରିଜଗତକୁ ତ୍ରାଣ କରିବାକୁ ଦେଶଦେଶାନ୍ତରେ ଆରାଧିତା; ତାଙ୍କର ଦୟାରୁ ଭାଇ ତା’ର ଫେରୁଥିବ ।

 

ତା’ ରୂପର ପ୍ରଶଂସା ଅନ୍ୟମାନଙ୍କ ଅଲକ୍ଷ୍ୟରେ ସେ ଶୁଣିଛି । ପ୍ରତ୍ୟକ୍ଷରେ ଶୁଣି ତା’ ମୁଖ ଯେଉଁଭଳି ଗମ୍ଭୀର ହୋଇପଡ଼େ, ସେହିଭଳି ପରୋକ୍ଷରେ ଶୁଣି ଲଜ୍ଜାରେ ତା’ର ମୁଖମଣ୍ଡଳ ଆରକ୍ତ ହୋଇଉଠେ । ତା’ ଦେହର ଗଠନ ସୁନ୍ଦର-ବର୍ଣ୍ଣ ସୁନ୍ଦର-କଥା ସୁନ୍ଦର-ହସିବା, ଚାଲିବା କହିବା ସବୁ ସୁନ୍ଦର । କେତେଥର ତାଙ୍କର ସେହି କଥାର ସତ୍ୟତା ବୁଝିବାକୁ ଅଙ୍ଗସଜ୍ଜା ଗୃହ ମଧ୍ୟରେ ଟଙ୍ଗା ହୋଇଥିବା ବିରାଟ ମୁକୁରଟି ଆଡ଼କୁ ଅନାଇ ନିଜର ସୌନ୍ଦର୍ଯ୍ୟକୁ ଆଖିପୂରାଇ ଦେଖେ ।

 

ଦୁଗ୍‌ଧ ଅକକ୍ତକ ମିଶ୍ରିତ ଅଙ୍ଗକାନ୍ତି ତା’ର । ସେହି ଅଙ୍ଗକୁ ପୁଣି ସୁନ୍ଦର ଦିଶେ ମସ୍ତକର ଗାଢ଼ କୃଷ୍ଣ ବର୍ଣ୍ଣର ଏକ ଅଭିନବ ପାଣିର ଜୁଡ଼ା । ଓଲଟଭାବେ ଥିବା ପଦ୍ମକେଶର ଭଳି କାନରେ ଦୁଇଟି ହୀରା ମୋତି ଜଡ଼ିତ କର୍ଣ୍ଣଫୁଲ । ବାମ ନାକପୁଡ଼ା ବିଦ୍ଧ ହୋଇ ଏକ ସୁବର୍ଣ୍ଣବଳୟ ସ୍ୱର୍ଗୀୟ ନାରୀର ଭ୍ରମ ଆଣିଥାଏ । କଣ୍ଠରେ ମୋତିହାର ଦୁଇସରି ବକ୍ଷୋଜ ମଧ୍ୟଭାଗ ଦେଇ ଟିକିଏ ତଳକୁ ଲମ୍ବିଯାଇଛି । କ୍ଷୁଦ୍ର ଶୈଳଯୁଗ ପରି ବକ୍ଷ ଉପରେ ତା’ର ବର୍ତ୍ତୁଳ ଉରଜ ଦୁଇଟି । ପ୍ରଚଣ୍ଡ ରବିତାପରେ ଦୁଗ୍‌ଧ ଆଲକ୍ତକ‍ ରଙ୍ଗକୁ ଦଗ୍‌ଧିଭୂତ କଲାଭଳି ଦୃଶ୍ୟମାନ ହେଉଛି ବକ୍ଷୋଜ ଦୁଇଟିର ଶୀର୍ଷସ୍ଥଳ । ବିପରୀତ ଦିଗରେ ଟଙ୍ଗା ହୋଇଥିବା ବିରାଟ ଦର୍ପଣରେ ତା’ ପଶ୍ଚାତଭାଗ ସ୍ପଷ୍ଟ ଦେଖାଯାଏ । ଦେଖାଯାଏ ତା’ର ପୃଥଳ ନିତମ୍ବ ଆଉ କ୍ଷୀଣ କଟି ।

 

ଲୋଭନୀୟ ତା’ର ସେ ଦେହକୁ ଥରକୁଥର ସେ ଚାହେଁ । ସ୍ଵତଃ ତା’ ମନ ଭିତରେ ଖେଳିଯାଏ ଏକ ବିକଳ୍ପ ଚିନ୍ତା । ଆପେ ଆପେ ତା’ର ସୁଗୋଲ ଗଣ୍ଡ ଦେଶରେ ଲଜ୍ଜାର ଏକ ଆସ୍ତରଣ ଦେଖାଦିଏ । ବୁଜି ହୋଇ ଆସେ ତା’ର ଦୀର୍ଘାୟତନ ଚକ୍ଷୁ ଦୁଇଟି ।

 

କିନ୍ତୁ ତା’ ପର ମୁହୂର୍ତ୍ତରେ କଠୋର ହୋଇପଡ଼େ ତା’ର ମୁଖମଣ୍ଡଳ । ମା’ ଯାଇଛି, ବାପା ଯାଇଛି-ବାକି ଥିଲା ତା’ର ଜ୍ୟେଷ୍ଠ ସହୋଦର । ଦୀର୍ଘ ଚାରିବର୍ଷ ହେଲା ସେ ବି ଯାଇଛି ଯେ ଫେରିବ କି ନା ତାହା ମା’ ତାରାଦେଇ ଜାଣନ୍ତି ।

 

ଲୋକେ କହୁଛନ୍ତି ତ୍ରୁଟିରେ ଚାଲିଛି ତା’ର ବେପାର । ତାହାହେଲେ ଅନୁକୂଳ ତା’ର ଖରାପ । ଘରକୁ ଫେରିଆସି ଅନୁକୂଳ ବଦଳିଦେଇ ଯିବା ତା’ର ଉଚିତ ।

 

ନୌକା ଆଗେଇ ଚାଲିଥାଏ ପଶ୍ଚିମାଭିମୁଖୀ ହୋଇ ବିଦେଶୀ ଯୁବକଟି ବସି କ୍ଷୁଦ୍ର ନଦୀର ଦୁଇ ଦିଗକୁ ଲକ୍ଷ୍ୟକରି ଉପଭୋଗ କରୁଥାଏ ଚେଳିତୋଳା ସହରର ସୌନ୍ଦର୍ଯ୍ୟ । ସେହି ସୌନ୍ଦର୍ଯ୍ୟଠାରୁ କଣୟାବତୀର ରୂପସମ୍ଭାର ଅଧିକ ମନୋମୁଗ୍‌ଧକର କି ନା ତାହା ଯେପରି ଲକ୍ଷ୍ୟକରିବା ତା’ର ଧର୍ମ ନୁହେଁ । ଅତି ସଂଭ୍ରମରେ ସେ ବସିଥାନ୍ତି ଥରୁଟିଏ ବି ତାଙ୍କଆଡ଼କୁ ଦୃକ୍‌ପାତ ନ କରି ।

 

ଜଙ୍ଖପୁରରେ ନୌକା ପହଞ୍ଚିଲାବେଳକୁ ଆକାଶରେ ତାରାଗୁଡ଼ିକ ଫୁଟି ଉଠିଲେଣି ।

 

ନୌକାରୁ ଅବତରଣ କଲା କଣୟାବତୀ । ତା’ ପଛେ ପଛେ ମଧ୍ୟ ଓହ୍ଲାଇଗଲେ ବିଦେଶୀ ଯୁବକ ।

 

କଣୟାବତୀ ଯୁବକକୁ କୌଣସି ପ୍ରଶ୍ନ କରିବା ତ ଦୂରର କଥା, ଥରୁଟିଏ ବି ତା’ ଆଡ଼କୁ ନ ଅନାଇଁ କେତେ ପାଦ ଆଗେଇଗଲା ଆଗକୁ । ତା’ ପରେ ଟିକିଏ ଛିଡ଼ାହୋଇ ଟିକିଏ ପଛରେ ଥିବା ବିଦେଶୀ ଯୁବକଙ୍କୁ ଉଦ୍ଦେଶ୍ୟ କରି ପ୍ରଶ୍ନ କଲା, “ଆପଣ ଜଙ୍ଖପୁରର କେଉଁଠାକୁ ଯିବେ ?”

 

ଅତି ବିନୟଭାବେ ଯୁବକ ଜ୍ଞାପନ କଲେ ସେ ଆସିଛନ୍ତି ଧନପତି ସୌଦାଗରଙ୍କ ଘରକୁ-

 

“ଧନପତି ସୌଦାଗର–ସେ କିଏ ?”

 

“ଭଦ୍ରେ ! ତାଙ୍କର କେତେବର୍ଷ ହେଲା ମୃତ୍ୟୁ ହୋଇଯାଇଛି; ମାତ୍ର ତାଙ୍କର ଦାୟଦରୂପେ କଣୟକୁମାର ଏବଂ କଣୟାବତୀ ଜୀବିତ ।”

 

କଣୟାବତୀ ପ୍ରଶ୍ନ କଲେ, “ତାହାହେଲେ ଆପଣ କ’ଣ କଣୟକୁମାରଙ୍କ ନିକଟକୁ ଆସିଛନ୍ତି ।”

 

“ନା, ମୁଁ ତାଙ୍କ ଭଉଣୀଙ୍କୁ ସାକ୍ଷାତ କରିବାକୁ ଆସିଛି ।”

 

“ତାଙ୍କ ଭଉଣୀ ? କିବା ଆବଶ୍ୟକ ତାଙ୍କଠାରୁ ତୁମର ?”

 

“ମୋର କିଛି ନାହିଁ; କିନ୍ତୁ ମହାପ୍ରାଜ୍ଞ ପୁଷ୍ପସମ୍ଭବଙ୍କ ଆଦେଶ ।”

 

“ମହାପ୍ରାଜ୍ଞ ପୁଷ୍ପସମ୍ଭବ ?”

 

“ହଁ ଭଦ୍ରେ ! ସ୍ଵର୍ଣ୍ଣଦ୍ଵୀପ ବୌଦ୍ଧବିହାରର ମହାପ୍ରାଜ୍ଞ ପୁଷ୍ପସମ୍ଭବ । ଯାହାଙ୍କ ଆଦେଶ ସ୍ଵର୍ଣ୍ଣଦ୍ଵୀପର ଆବାଳବୃଦ୍ଧବନିତା ଅକ୍ଷରେ ଅକ୍ଷରେ ପାଳନ କରିବାକୁ ସଦା ତତ୍‌ପର, ତାଙ୍କର ଆଦେଶରେ ସ୍ଵର୍ଣ୍ଣଦ୍ଵୀପର ଅକିଞ୍ଚନ ଏ ସୌଦାଗର ଚେଳିତାଳୋ ଆସିଛି, କେବଳ ତାଙ୍କ ସହୋଦର କଣୟାବତୀଙ୍କ ସମ୍ବାଦ ଦେବାକୁ ।”

 

“ତାହାହେଲେ ମହାପ୍ରାଜ୍ଞ ପୁଷ୍ପସମ୍ଭବ କ’ଣ ନିକଟ ଭବିଷ୍ୟତରେ ଚେଳିତାଳୋ ଆଗମନ କରୁଛନ୍ତି ?”

 

“ନା-ସେଭଳି କୌଣସି କଥା ସେ କହିନାହାନ୍ତି ।”

 

“କେବେ ସେ ତାଙ୍କ ଭଗ୍ନୀକୁ ଦେଖିବାକୁ ଅସିବେ, ତାହା ମଧ୍ୟ କ’ଣ ସେ କହିନାହାନ୍ତି-?”

 

“ନା-ତା’ ସମ୍ଭବ ନୁହେଁ । କୌଣସି ବ୍ୟକ୍ତି ବୌଦ୍ଧଧର୍ମ ଗ୍ରହଣକରି ଶ୍ରମଣ ହେଲାପରେ କେବଳ ଜନନୀ ବ୍ୟତୀତ ଅନ୍ୟ କାହାରିକୁ ସାକ୍ଷାତ୍ କରିବା ନିଷେଧ ।”

 

“ଅନ୍ୟ କେହି ତାଙ୍କର ଆତ୍ମୀୟ ଯଦି ତାଙ୍କୁ ସାକ୍ଷାତ୍ କରେ ?”

 

“ତାହା କରିପାରନ୍ତି; କିନ୍ତୁ ବୌଦ୍ଧସନ୍ନ୍ୟାସୀ କରିବେନାହିଁ ।”

 

ସୌଦାଗର ସେପର୍ଯ୍ୟନ୍ତ ଜ୍ଞାତ ହୋଇନଥିଲେ ତାଙ୍କ ସହିତ ଯେ କଥୋପକଥନ କରୁଛନ୍ତି ସେ ହିଁ ମହାପ୍ରାଜ୍ଞ ପୁଷ୍ପସମ୍ଭବ ଭଗ୍ନୀ ବୋଲି । ଯେତେବେଳେ ଜାଣିଲେ, ସେତେବେଳେ ସସମ୍ମାନେ ପ୍ରଣତି ଜ୍ଞାପନକଲେ । କଣୟାବତୀ ମଧ୍ୟ ତାଙ୍କୁ ନିମନ୍ତ୍ରଣ କଲେ ତାଙ୍କ ସହିତ ଗମନ କରି ତାଙ୍କର ଆତିଥ୍ୟ ଗ୍ରହଣ କରିବାପାଇଁ ।

 

ସ୍ଵର୍ଣ୍ଣଦୀପ ସୌଦାଗରଙ୍କର ତାହା ଗ୍ରହଣ କରିବା ବ୍ୟତୀତ ଅନ୍ୟ ପନ୍ଥା ନ ଥିଲା । ସେହି ରାତ୍ରିରେ ତ ଆଉ ଫେରିଯାଇ ହେବନାହିଁ ଚେଳିତାଳୋ ଉପକୂଳକୁ ? ଫେରିଗଲେ ମଧ୍ୟ ତାଙ୍କ ବୋଇତ ନେଇ ସେହି ଅନ୍ଧକାର ରାତ୍ରିରେ ସ୍ଵର୍ଣ୍ଣଦୀପ ଯାଇହେବନାହିଁ ।

 

ବୌଦ୍ଧପନ୍ଥୀଙ୍କ ପକ୍ଷେ ରାତ୍ରିଭୋଜନ ନିଷେଧ ।

 

କଣାୟବତୀ ସୌଜନ୍ୟ ଦୃଷ୍ଟିରୁ ସ୍ୱର୍ଣ୍ଣଦ୍ଵୀପ ସୌଦାଗରଙ୍କୁ ଭୋଜନ ଗୃହକୁ ନିମନ୍ତ୍ରଣ କରିଥିଲା; କିନ୍ତୁ ସେ ବିନୀତ ଭାବେ ଧର୍ମ ଦୃଷ୍ଟିରୁ ଅସୁବିଧା ଜ୍ଞାପନ କରି ବିଶ୍ରାମକଲେ ।

 

ସେ ରାତିରେ ସୁନିଦ୍ରା ଆସିଲାନାହିଁ କଣୟାବତୀର । ଦୀର୍ଘ ଚାରିବର୍ଷ ଧରି ଯେଉଁ ଭାଇର ପଥ ଚାହିଁ ସେ ସମୟ ବିତାଇଦେଇଛି, ସେ ଭାଇ ଆଉ ତାକୁ ଥରୁଟିଏ ବି ଦେଖିବାକୁ ଆସିବେନାହିଁ । ବେଦନାକ୍ଳାନ୍ତ ହୃଦୟକୁ ଶାନ୍ତ କରିବାପାଇଁ ସାନ୍ତ୍ଵନା ଦେଇ ତା’ ଚକ୍ଷୁରୁ ଲୋତକଧାରା ପୋଛିଦେବେ ନାହିଁ । ସେ ମୁକ୍ତ ସଂସାର ବନ୍ଧନରୁ । ଜନ୍ମ ମରଣର ଘୂର୍ଣ୍ଣାୟମାନ ଚକ୍ରର ରହସ୍ୟ ଉଦ୍‌ଘାଟନ କରି ସେ ସାଧନାରତ ତଥାଗତଙ୍କ ସମୀପବର୍ତ୍ତୀ ହେବାପାଇଁ; କିନ୍ତୁ ସେ–

 

ସେ ଅଧ୍ୟୟନ କରିଛି ବହୁ ଧର୍ମଶାସ୍ତ୍ର । ତଥାଗତ ବୁଦ୍ଧଙ୍କ ପ୍ରଚାରିତ ଧର୍ମକୁ ବିଭିନ୍ନ ଯୁକ୍ତି ମାଧ୍ୟମରେ ବୁଝିବାକୁ ଚେଷ୍ଟାକରିଛି । ଚେଷ୍ଟାକରିଛି ବୈଦିକ ଧର୍ମର ସରଳପଥ ଜ୍ଞାତ ହେବାପାଇଁ; କିନ୍ତୁ ପାରିନାହିଁ କୌଣସି ଗୋଟିକରେ ନିଜକୁ ଯଥାର୍ଥଭାବେ ଆଗେଇନେବାକୁ ।

 

ବୈଦିକ ପନ୍ଥୀଙ୍କ ଗୁରୁଗମ୍ଭୀର ଧ୍ୱନି ମନୋଯୋଗ ଦେଇ ସେ ଶ୍ରବଣ କଲାବେଳେ ବୌଦ୍ଧବିହାରର ତଥାଗତ ବୁଦ୍ଧଙ୍କ ନୀତିବାଣୀ ତା’ କର୍ଣ୍ଣକୁହରରେ ପ୍ରବେଶ କରେ । ଲକ୍ଷ୍ୟକରି ଦେଖେ, ରାଜ୍ୟ, ଧନସମ୍ପଦ, ସୁନ୍ଦରୀ ସ୍ତ୍ରୀ ଗୋପା, ଶିଶୁପୁତ୍ର ରାହୁଲ ପ୍ରତ୍ୟେକଙ୍କୁ ପଛରେ ପକାଇ ଆଗକୁ ଧାଉଁଛନ୍ତି କୁମାର ସିଦ୍ଧାର୍ଥ-କେବଳ ମାନବ ଜୀବନରୁ ଅନ୍ଧକାର ଅପସାରଣ କରି ଜ୍ଞାନାଲୋକରେ ବିଶ୍ଵକୁ ଉଦ୍‌ଭାସିତ କରିବା ପାଇଁ; ମାତ୍ର ବେଶି ସମୟ ସେ ସେହି ଚିନ୍ତାରେ ରହିପାରେନାହିଁ । ଉଡ୍ରଦେଶ ସାଧବ ଘରର ଝିଅ ସେ । ଭାଇ ତା’ର ବୋଇତ ଧରି ବିଦେଶରୁ ଫେରିଲାପରେ ସମ୍ଭବତଃ ଏକ କୁଳୀନ ସନ୍ତାନ ସହିତ ତା’ର ବିବାହ ହୋଇପାରେ । ତା’ପରେ ତା’ର ସ୍ଵାଧୀନ ଚିନ୍ତାର ହେବ ସମାଧି ।

 

ଆଜି ତା’ର ସେ ହିତକାମୀ ଭାଇ ତାଙ୍କର ଭାତୃତ୍ୱ ଧରି ଆଉ ତା’ ପାଖକୁ ଫେରିବେନାହିଁ । ଚୀବର ଧାରଣ କରି ସେ ହୋଇଛନ୍ତି ଶ୍ରମଣ । ସେଥିପାଇଁ ସମ୍ବାଦ ପଠାଇଛନ୍ତି-ସେ ସମ୍ବାଦରେ ସେ ସ୍ପଷ୍ଟଭାବେ କହିପଠାଇ ନ ଥିଲେ ମଧ୍ୟ ଇଙ୍ଗିତ ଦେଇଛନ୍ତି, କଣୟାବତୀ ! ତୁ ବର୍ତ୍ତମାନ ସ୍ଵାଧୀନ ମତରେ ଉଚିତ୍ ପଥ ନିର୍ବାଚନ କର !

 

ତା’ର ପଥ ? ହଁ ତା’ ଆଖି ଆଗରେ ଦୁଇଟା ପଥ ଉନ୍ମୁକ୍ତ । ଗୋଟିଏ ବିବାହ କରି ଘରସଂସାର କରିବା, ଆଉ ଅନ୍ୟଟି ନିଜ ମନର, ଦେହର ସବୁ ବାସନାକୁ ଜଳାଞ୍ଜଳି ଦେଇ ଭାଇର ପଥ ଅନୁସରଣ କରିବା ।

 

ଗୋଟିଏ ଯୁବତୀ କନ୍ୟାପକ୍ଷେ ସନ୍ନ୍ୟାସ ବ୍ରତ ଗ୍ରହଣକରିବା କ’ଣ ସମ୍ଭବ ?

 

ବସ୍ତ୍ରାବୃତ ତା’ର ଯୁବତୀ ଅଙ୍ଗଲତାକୁ ଯଦି କୌଣସି ପୁରୁଷ ଆଖି ତା’ର ଅଲକ୍ଷ୍ୟରେ ଲକ୍ଷ୍ୟ କରିଥିବା ସେ ଜାଣିପାରେ ତେବେ ଲଜ୍ଜାଶୀଳତା ଭଳି ତା’ର ସାରା ଅଙ୍ଗରେ ଏକ ଲଜ୍ଜାର ଶିହରଣ ଖେଳିଯାଏ; ହୃଦୟର ଏକ ନିଭୃତ ଅଂଶରେ ବାଜିଉଠେ ବଂଶୀର ଏକ ମନୋମୁଗ୍‌ଧକର ମୂର୍ଚ୍ଛନା । ସେହି ଧ୍ଵନି ଶ୍ରବଣରେ କେବେ ତା’ର ଚଳଚଞ୍ଚଳ ପଦ ମନ୍ଥର ହୋଇଯାଏ ତ କେବେ ମନ୍ଥର ଗତି ତା’ର ଚଞ୍ଚଳ ହୋଇଉଠେ । କିପରି ସେହି ଲଜ୍ଜା ସଙ୍କୋଚକୁ ତ୍ୟାଗକରି ଅନାବୃତ ହୋଇ ସନ୍ନ୍ୟାସ ବ୍ରତ ଗ୍ରହଣ କରିବ ।

 

ତାହାହେଲେ ସେ ବିବାହ କରିବ । କିନ୍ତୁ କାହାକୁ ???

 

କାହିଁକି ସ୍ଵର୍ଣ୍ଣଦ୍ୱୀପର ସୌଦାଚରଙ୍କୁ ବିବାହ କଲେ କିପରି ହୁଅନ୍ତା ?

 

ବଳିଷ୍ଠ ବାହୁ । ପ୍ରଶସ୍ତ ବକ୍ଷ । ସେହି ଅନୁପାତରେ ଅଙ୍ଗ ପ୍ରତ୍ୟଙ୍ଗ ତାଙ୍କର ଗଠିତ । ସେ ଯେଉଁଭଳି ମିଷ୍ଟଭାଷୀ ସେହିଭଳି ବ୍ୟବହାର ତାଙ୍କ ନମ୍ର ଆଉ ଧୀର । ତାଙ୍କୁ ହିଁ ବିବାହ କଲେ ଅଚିରେ ସେ ଭେଟିପାରନ୍ତା ତା’ର ଭାଇକୁ । ଶୁଣିପାରନ୍ତା ତାଙ୍କ କଣ୍ଠରୁ ଧର୍ମୋପଦେଶ ।

 

ଭାବୁ ଭାବୁ ତା’ର ଆଖିଦୁଇଟା ଅଜାଣତରେ ମୁଦିହୋଇ ଆସିଲା । ଶୋଇପଡ଼ିଲା । ଶୋଇପଡ଼ିଲା ନିଦ୍ରାଭିଭୂତ ହୋଇ । ସେହି ନିଦ୍ରାରେ କେତେ କ’ଣ ସେ ସ୍ଵପ୍ନ ଦେଖିଛି, ତା’ର ସବୁ ମନେନାହିଁ; କିନ୍ତୁ ତା’ର ମନେଅଛି, ସେ ଗୋଟିଏ ଶ୍ୱେତହସ୍ତୀକୁ ସ୍ୱପ୍ନଦେଖିଛି । ଶ୍ୱେତହସ୍ତୀ ଶୁଣ୍ଢ ଉତ୍ତୋଳନ କରି ତା’ ମସ୍ତକ ସ୍ପର୍ଶକଲା ତା’ର ମୁଖ, ଅନାଘ୍ରାତ ପଦ୍ମ କୋରକ ଭଳି ଅନାହତ ବିକ୍ଷୋଜ, ବର୍ତ୍ତୁଳ ନିତମ୍ବ, ଅସୂର୍ଯ୍ୟପଂଶ୍ୟା ଜଘନ ।

 

ପ୍ରଭାତର କାକଳିଧ୍ୱନିରେ ହଠାତ୍ ଭାଙ୍ଗିଯାଇଥିଲା ତା’ର ନିଦ୍ରା । ସ୍ୱପ୍ନ ବୃତ୍ତାନ୍ତ ପୁନର୍ବାର ସ୍ମରଣ ପାଇଁ ତା’ର ସମୟ ନାହିଁ । ଅତିଥିଙ୍କ ନିଦ୍ରାଭଙ୍ଗ ହେବଣି ବୋଧେ ଅନେକ ସମୟରୁ । ଭୃତ୍ୟମାନେ ତାଙ୍କର ଯଥାଯଥା ପରିଚର୍ଯ୍ୟା କଲେ କି ନାହିଁ ତାହା ବୁଝିବା ପ୍ରଥମ କର୍ତ୍ତବ୍ୟ । ତାହା ନହେଲେ ଉଡ୍ରଦେଶର ସାଧବ କନ୍ୟା ଅତିଥି ସତ୍କାର ଜାଣେନାହିଁ, ଏହିଭଳି ଭ୍ରମଧାରଣା ଧରି ଫେରିଯିବ ସେ ।

 

ଅତିଥିଙ୍କ ସମସ୍ତ ବ୍ୟବସ୍ଥା ପୂର୍ବଦିନ ରାତ୍ରିରୁ ଚତୁର ସୁଦକ୍ଷ ଭୃତ୍ୟ ଉପରେ ନ୍ୟସ୍ତ ହୋଇଥିଲେ ମଧ୍ୟ ମନ ତୁଷ୍ଟିପାଇଁ ଆଉଥରେ ଭୃତ୍ୟକୁ ସମସ୍ତ ସୂଚାଇ ସେ ନିଜର ନିତ୍ୟକର୍ମ ସମାପନ କଲା । ଦୁହେଁ ଏକ ସ୍ଥାନରେ ପ୍ରାତଃଭୋଜନ ସମାପନ କଲେ । ତତ୍ପରେ ଅତିଥିଙ୍କୁ ଚେଳିତାଳୋ ସହରରେ ବିଭିନ୍ନ ସ୍ଥାନ ଦର୍ଶାଇବାକୁ ଏକ ଘୋଟକବାହୀ ଶକଟରେ ଯାତ୍ରାକଲେ ।

 

ବେଳେବେଳେ ଟଙ୍କିଳ ତରଙ୍ଗାୟିତ ପଥ ଉପରେ ଶକଟ ଦ୍ରୁତ ଗତିରେ ଯାତ୍ରା କଲାବେଳେ କଣୟାବତୀର ସୁକୋମଳ ଦେହ ଯୁବକଙ୍କ ଦେହରେ ଧକ୍‌କାଖାଏ । ସେହି ଧକ୍‍କାରେ କଣୟାବତୀ ଅପେକ୍ଷା ସୁବର୍ଣ୍ଣଦ୍ଵୀପର ଯୁବକ ଅଧିକ ସଂକୋଚିତ ହୋଇଯାନ୍ତି । ଦୀର୍ଘ ବିଂଶକ୍ରୋଶ ଗୋଲାକାର ସହର । ସହରର ପ୍ରସିଦ୍ଧ ପ୍ରସିଦ୍ଧ ସ୍ଥାନ ବୁଲି ଦେଖିବାରେ ବହୁ ସମୟ ବ୍ୟୟିତ ହୁଏ । ଏହି ଦୀର୍ଘ ସମୟ ମଧ୍ୟରେ କଣୟାବତୀ ତାରି ଚାଲିଚଳନ, କଥାବାର୍ତ୍ତା ପ୍ରତ୍ୟେକରେ ଇଙ୍ଗିତଦ୍ୱାରା ଜଣାଇଦିଏ ସେ ତାଙ୍କୁ ବିବାହ କରିବାପାଇଁ ଇଚ୍ଛୁକ; ମାତ୍ର ସେ ନୀରବ ରହନ୍ତି । ବରଂ ବେଳକୁବେଳ ଅଧିକ ସଂଯତ ହୋଇପଡ଼ନ୍ତି । ତାଙ୍କ ବ୍ୟବହାର ସ୍ପଷ୍ଟଭାବେ କହିଦିଏ କଣୟାବତୀକୁ ବିବାହ କରିବା ପାଇଁ ସେ ଯେପରି ସମ୍ପୂର୍ଣ୍ଣ ଅକ୍ଷମ ।

 

ସୌନ୍ଦର୍ଯ୍ୟର ଅଭିନବ ପସରା କରି ବିଧାତା ତା’ର ଅଙ୍ଗ ପ୍ରତ୍ୟଙ୍ଗ ଗଠନ କରିଛି । ତାହା ସତ୍ତ୍ୱେ ନିଜେ ସେ ତା’ର ସେହି ସୁଢ଼ଳ ଅଙ୍ଗଲତାକୁ ବିଭିନ୍ନ ବସ୍ତୁ ଦ୍ୱାରା ଆହୁରି ଲୋଭନୀୟ କରି ତୋଳିଛି । ଉଭୟେ ଘୋଟକ ସଂଯୋଜିତ ଶକଟରେ ଗଲାବେଳେ ତା’ର ଯୁବତୀ ସୁଲଭ ପ୍ରତ୍ୟେକଟି ତାଙ୍କର ନିମିତ୍ତ ସାଇତି ରଖିଛି, ଏହା ବେଶ୍‍ଭାବେ ଜଣାଇଦେଇଛି । ବହୁ ପୂର୍ବରୁ ପ୍ରଶ୍ନ କରି ମଧ୍ୟ ବୁଝିନେଇଛି ତାଙ୍କର ସନ୍ତାନ ସନ୍ତତି କିଛି ନାହାନ୍ତି । ସେ ବିବାହ ମଧ୍ୟ ସେପର୍ଯ୍ୟନ୍ତ କରିନାହାନ୍ତି । ତେଣୁ କଣୟାବତୀକୁ ବିବାହ କରିବାରେ ତାଙ୍କର ଅସୁବିଧା କ’ଣ ?

 

ପଶ୍ଚିମାକାଶର ନିମ୍ନରେ ସୂର୍ଯ୍ୟ ଢଳିପଡ଼ିଲେଣି । ସମ୍ଭବତଃ ଆଉ କେତୋଟି ମୁହୂର୍ତ୍ତ ପରେ ତାଙ୍କର ବିରାଟ ତନୁଟି ଲୁଚିଯିବ ଦୂରେ, ବହୁ ଦୂରେ, ଏକ ଅଜ୍ଞାତ ଅନ୍ଧକାର ଗହ୍ୱରରେ । ତାପରେ ରାତ୍ରିର ଅନ୍ଧକାରର ରାଜତ୍ୱ ସମଗ୍ର ଚେଳିତାଳୋକୁ ମୁହ୍ୟମାନ କରିପକାଇବ । ସେହି ଅନ୍ଧାର ମଧ୍ୟରେ ଏକ କ୍ଷୁଦ୍ର ଅତିକ୍ଷୁଦ୍ର କୋଠରିଭଳି ଅର୍ଦ୍ଧବର୍ତ୍ତୁଳ ଘୋଟକବାହୀ ଶକଟର ଛାତ ତଳେ ବସି ଫେରିବେ ଜଣେ ଉଡ୍ରଦେଶର ସାଧବ କନ୍ୟା, ଅନ୍ୟଜଣକ ସୁବର୍ଣ୍ଣ ଦ୍ଵୀପରେ ସୌଦାଗର । ଉଭୟଙ୍କ ମଧ୍ୟରେ ଖରସ୍ରୋତା ଯୌବନ କନ୍ୟା କୂଳଲଙ୍ଘି ଧାଇଁଚାଲିଛି । ଏକର ବନ୍ୟାଜଳ ଛଟିକ ପଡ଼ିଛି ଅନ୍ୟ ଉପରେ । ଅନ୍ୟର ଜଳସ୍ରୋତ କିନ୍ତୁ ଧୀର ସ୍ଥିରଭାବେ ଚାଲିଛି । ନଦୀ ଚାହେଁ ଉଭୟଙ୍କ ମଧ୍ୟରେ ଥିବା ବନ୍ଧଭାଙ୍ଗି ଏକ ହୋଇଯିବାକୁ: କିନ୍ତୁ ନଦୀ ତା’ର ସୀମା ବନ୍ଧକୁ ସୁଦୃଢ଼ କୂଳଦେଶରେ ଅଜାଡ଼ି ଦେଇଯାଉଛି ଅସଂଖ୍ୟ ଗଡ଼ଡ଼ାଳିକା ।

 

ଚେଳିତାଳୋର ଦିଗବାରିଣୀ ସ୍ତମ୍ଭ । ସମ୍ମୁଖରେ ମହାନଦୀ ବିରାଟ ଆକାର ଧାରଣ କରି କଙ୍ଗୋଦ ସାଗରରେ ନିଜକୁ ମିଶାଇ ଦେଇଛି । ନିକଟରେ ବାନାମ୍ବର ବୌଦ୍ଧବିହାର । କଣୟାବତୀ ସୁବର୍ଣ୍ଣଦ୍ଵୀପର ସୌଦାଗରଙ୍କୁ କହିଲା, “ହେଇ ଦେଖ ମହର୍ଷି ବିଶ୍ଵାମିତ୍ରଙ୍କ ଜ୍ୟେଷ୍ଠ ଭଗିନୀ ‘ସତ୍ୟବତୀ’ ମହାନଦୀରୂପେ ପ୍ରବାହିତା । ଏଠାରେ ଦେଖାଯାଉଥିବା ବିରାଟ ବଟବୃକ୍ଷ ତଳେ ମନର ଅଭିଳାଷ ବ୍ୟକ୍ତକଲେ ଅଚିରେ ପୂର୍ଣ୍ଣ ହୋଇଥାଏ । ତୁମେ କିଛି ବ୍ୟକ୍ତ କରିବାକୁ ଚାହଁ-?

 

ଶୁଖିଲା ହସଟିଏ ହସି ସୌଦାଗର କହିଲେ, ଦେବି ! ମହାପ୍ରାଜ୍ଞ ପୁଷ୍ପସମ୍ଭବଙ୍କ ଅନୁଗ୍ରହରୁ ମୋର ସେଭଳି କୌଣସି ଇଚ୍ଛାନାହିଁ, ଯାହାକି ପୂର୍ଣ୍ଣ ହେବାପାଇଁ ବାନାମ୍ବର ବୌଦ୍ଧ ବିହାରର ବାଞ୍ଛାବଟ ତଳେ ପ୍ରାର୍ଥନା କରିବ ! ଥରେ ଇଚ୍ଛାର ସାମାନ୍ୟ ବାତ ସୃଷ୍ଟି ହେଲେ ତାହା ଧୀରେ ଧୀରେ ବାତ୍ୟାରେ ପରିଣତ ହେବ । ମହାପ୍ରାଜ୍ଞ ପୁଷ୍ପସମ୍ଭବ କହନ୍ତି, ଯଦି କାହା ମନ ମଧ୍ୟରେ ସାମାନ୍ୟ ଇଚ୍ଛା ସୃଷ୍ଟି ହେଉଥାଏ, ତାହାହେଲେ ତାହାର ସମସ୍ତ ପଥ ସଂଯମଦ୍ୱାର ରୁଦ୍ଧକର । ତାହାନହେଲେ ମନର ସମସ୍ତ ସରସତା ଅଚିରେ ବିଲୁପ୍ତ ହେବ । ମଣିଷ ମଣିଷ ଆସନରୁ ବିଚ୍ୟୁତ ହୋଇ ପଶୁପକ୍ଷୀ କିଟାଦ ସ୍ତରକୁ ଖସିପଡ଼ିବ ।

 

ମହାପ୍ରାଜ୍ଞ ପୁଷ୍ପସମ୍ଭବ କହିଛନ୍ତି ! ତା’ର ଜ୍ୟେଷ୍ଠ ସହୋଦର କଣୟକୁମାରର ନୀତିବାଣୀ ସୁବର୍ଣ୍ଣ ଦ୍ଵୀପରେ ଏଭଳି ଧ୍ୟେୟ ହୋଇଛି ଯେ, ଯୌବନ ବିଦଗ୍‌ଧ ଯୁବକ ମଧ୍ୟ ଯୁବତୀର ରକ୍ତାଧାରରେ ଅଧର ସଂଯୋଗ କରିବାରୁ ଚାହେନି । ଚାହେନି ମଧ୍ୟ ଅନାଘ୍ରାତ ଯୁବତୀର ପଦ୍ମକୋରକ ନିନ୍ଦିତ ବକ୍ଷୋଜ ଆଡ଼େ ଥରେ ଦୃକ୍‌ପାତ କରିବାକୁ । କିନ୍ତୁ ସେ-

 

ସେ ଉଡ୍ରଦେଶ ସାଧବର କନ୍ୟା । ତଥାଗତ ବୁଦ୍ଧ ଉଡ୍ରଦେଶରେ ପଦାର୍ପଣ କରିଥିଲେ କି ନା ସେ ଜାଣେନା । ତଥାପି ଉଡ୍ରଦେଶ ବୌଦ୍ଧଧର୍ମ ପ୍ରଚାରର ଶୀର୍ଷସ୍ଥଳୀ ହୋଇଛି । ଉଡ୍ରଦେଶର ସାଧବପୁଅ ବାଣିଜ୍ୟ କରିବାକୁ ଯାଇ ମହାପ୍ରାଜ୍ଞରୂପେ ନିଜକୁ ପ୍ରତିଷ୍ଠିତ କରିପାରିଛି । ଆଉ ସେ କ’ଣ ପଛରେ ପଡ଼ିଯିବ !

 

ସୂର୍ଯ୍ୟ ଚେଳିତାଳୋ ବକ୍ଷରୁ ଲୁଚିଯିବା ପୂର୍ବରୁ ସେ ଫେରିଆସିଲା ସ୍ୱର୍ଣ୍ଣଦ୍ୱୀପର ସୌଦାଗରଙ୍କୁ ସଙ୍ଗରେ ଧରି । ତା’ର କର୍ତ୍ତବ୍ୟ ଚିନ୍ତା ତା’ ମନକୁ ଆଚ୍ଛନ୍ନ କରିପକାଇଲା । ସେ ସମ୍ପୂର୍ଣ୍ଣ ଭୂଲିଗଲା ସୁବର୍ଣ୍ଣଦ୍ୱୀପର ସୌଦାଗରଙ୍କ କଥା-ଏପରିକି ତାଙ୍କ ପରିଚର୍ଯ୍ୟା କଥା ।

 

ରାତ୍ରିର ଅର୍ଦ୍ଧଯାମରୁ ଊର୍ଦ୍ଧ୍ୱପର୍ଯ୍ୟନ୍ତ ଚିନ୍ତାର ବିରାଟ ରାଜ୍ୟ ମଧ୍ୟରେ ସେ ବିନିଦ୍ରରାବେ ବିଚରଣ କଲା । କେତେବେଳେ ତା’ର ଚକ୍ଷୁକୁ ନିଦ୍ରା ମୁଦ୍ରିତ କରିଥିଲା ସେ ଜାଣେନାହିଁ । ଯେତେବେଳେ ନିଦ୍ରାରୁ ଉତ୍‌ଥିତ ହେଲା ସେତେବେଳକୁ ସୂର୍ଯ୍ୟ ପୂର୍ବକାଶର ଟିକିଏ ଊର୍ଦ୍ଧ୍ଵରେ ଆହୁରି ଊର୍ଦ୍ଧ୍ଵକୁ ଆଗେଇ ଯାଉଥିଲେ ।

 

ସୂର୍ଯ୍ୟୋଦୟ ପୂର୍ବରୁ ସ୍ୱର୍ଣ୍ଣାଦ୍ଵୀପରେ ସୌଦାଗର ପ୍ରତ୍ୟାବର୍ତ୍ତନ କଲେ କଣୟାବତୀ ସୁପ୍ତ ଥିବାରୁ ତାଙ୍କଠାରୁ ବିଦାୟ ନେଇ ଭୃତ୍ୟକୁ ନମସ୍କାର ଜଣାଇବାକୁ କହି ପ୍ରତ୍ୟାଗମନ କରିଥିଲେ ।

 

କଣୟାବତୀକୁ ଯଥା ସମୟରେ ଭୃତ୍ୟ ସ୍ୱର୍ଣ୍ଣଦ୍ୱୀପ ସୌଦାଗରଙ୍କ ବିଦାୟ ସମ୍ବାଦ ଜଣାଇଲେ ମଧ୍ୟ କଣୟାବତୀ ତାହାକୁ ଏକ ସାଧାରଣ କଥାଭଳି ଗ୍ରହଣ କଲା । ତା’ର ମନ ଏ ସବୁର ବହୁ ଦୂରକୁ ଚାଲିଯାଇଛି । ସେହି ଦୂରରେ ରହି ଦକ୍ଷିଣାଭିମୁଖୀ ଶଙ୍ଖ ବଜାଇ ସେ ଖୋଜୁଛି ଶାଶ୍ୱତକୁ-ଚିରନ୍ତନ ସତ୍ୟକୁ । ଯେଉଁ ସତ୍ୟ ତଳେ ତା’ର ଭାଇର ବିଷୟୀ ମନ ହାର ମାନି ମୁଣ୍ଡରୁ ପଗଡ଼ି ଖୋଲି ଲଣ୍ଡିତ ମୁଣ୍ଡ ହୋଇଛି-ସେହି ଲଣ୍ଡିତ ମୁଣ୍ଡର ଶିରା ପ୍ରଶିରାରେ ତଥାଗତଙ୍କ ଶାଶ୍ୱତ ବାଣୀ ପ୍ରବେଶ କରି ସମସ୍ତ ସ୍ୱର୍ଣ୍ଣଦ୍ଵୀପକୁ ମହନୀୟ କରି ତୋଳିଛି । ସେ କ’ଣ ହୋଇପାରିବ ନାହିଁ ସେହି ପ୍ରଶସ୍ତ ପଥର ପଥିକା ?

 

କିପରି ହେବ ! ସେ ଯେ ଜଣେ ନାରୀ । ନାରୀର ସେହି ଲଜ୍ଜା ସଂକୋଚ ଭୀରୁତା ଆଦି ଗୁଣ ତା’ ମଧ୍ୟରେ ରାଜତ୍ୱ କରୁଛି । ପ୍ରମତ୍ତ ଯୌବନ ଚାହୁଁଛି ପୁରୁଷର ଅଙ୍ଗ ସୁଖ । ସେ କ’ଣ ତାହାକୁ ତ୍ୟାଗ କରିପାରିବ ସାଂସାରିକ ସୁଖ ସ୍ୱାଚ୍ଛନ୍ଦ୍ୟ ?

 

କାହିଁକି ନୁହେଁ ?

 

ଗଣିକା ଆମ୍ରପାଲ୍ଲୀ, ଚଣ୍ଡାଳିକା ମାତଙ୍ଗୀ ଆଦି ବହୁ ନାରୀତ ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହୋଇ ବିଶ୍ୱର ନାରୀ ସମାଜକୁ ନୂତନ ଆଲୋକରେ ଉଦ୍‍ଭାସିତ କରିଥିଲେ । ସେ କ’ଣ ସେମାନଙ୍କଠାରୁ ନ୍ୟୂନ ?

 

ବହୁ ଶାସ୍ତ୍ର ସେ ଅଧ୍ୟୟନ କରିଛି-ବହୁ ନୀତିବାଣୀ ସେ କଣ୍ଠସ୍ଥ କରିଛି । ଯେ ସମସ୍ତ ବିଶ୍ୱର ଶାସ୍ତା ସେହି ପ୍ରଜ୍ଞାପାରମିତାଙ୍କ ନିକଟରେ ନତଜାନୁ ହୋଇ ଦୀର୍ଘ ସମୟ ଧ୍ୟାନରତା ହୋଇଛି । ଧ୍ୟାନରେ ଦେଖିଛି ତଡ଼ିତ ଭଳି ମହାଜ୍ୟୋତି । ସେହି ଜ୍ୟୋତି ଦର୍ଶନରେ ତା’ର ମନ ପ୍ରାଣ ଆନନ୍ଦାପ୍ଳୁତ ହୋଇଯାଇଛି; କିନ୍ତୁ ଜ୍ୟୋତିର୍ମୟୀ ହେବାପାଇଁ ସେହି ମହାଜ୍ୟୋତି ନିକଟରେ ନିଜକୁ ସମର୍ପି ଦେଇନାହିଁ । ପର ମୁହୂର୍ତ୍ତରେ ଯେତେବେଳେ ସେହି ମହାସତ୍ତାଠାରୁ ନିଜକୁ ଅପସାରି ଆଣି ତା’ ଚିନ୍ତାରେ, ତା’ ଭାଇ ଚିନ୍ତାରେ ବ୍ୟସ୍ତ ରଖେ, ସେତେବେଳେ ଗଭୀର ଦୁଃଖରେ ମୁହ୍ୟମାନ ହୋଇପଡ଼େ । କ୍ଷଣକ ମଧ୍ୟରେ ଭ୍ରାତୃ ବିରହ-ବିଧୁରା ତା’ର ମନ ବିଳାପ କରିଉଠେ । ସମ୍ପୂର୍ଣ୍ଣ ଭୁଲିଯାଏ ସେହି ମହାଜ୍ୟୋତିକୁ, ସେହି ମହାସତ୍ତାକୁ ।

 

ବର୍ତ୍ତମାନ ସେ ସଂପୂର୍ଣ୍ଣ ମୁକ୍ତ । ଯେଉଁ ପ୍ରାଣପ୍ରିୟ ଭାଇର ପ୍ରକୃତ ସମ୍ବାଦ ପାଇବାପାଇଁ ପ୍ରତିଦିନ ଚେଳିତାଳୋରେ ବେଳାଭୂମିରେ ଦଣ୍ଡାୟମାନ ହୋଇ ଏକ ଧ୍ୟାନରେ ତା’ ଭାଇର ଫେରିବା ପଥକୁ ଚାହିଁ ରହିଥାଏ, ଆଉ ତାକୁ ତାହା କରିବାକୁ ପଡ଼ିବ ନାହିଁ । ଭାଇ ତା’ର ବଞ୍ଚିଛି, ଆସୁ ମଧ୍ୟ ସେ ହୋଇଛି ମହାପ୍ରାଜ୍ଞ-ଏଥିରେ ତା’ର ଦୁଃଖ କରିବାର କ’ଣ ଅଛି ? ଚିନ୍ତା କରିବାର ବା କ’ଣ ଅଛି !

 

ବହୁ ଚିନ୍ତାକରି ଶେଷରେ ସ୍ଥିରକଲା ଏ ଅଳୀକ ଘରଂ ସଂସାର ସୁଖରେ ନିଜକୁ ହଜାଇ ନ ଦେଇ ସେ ହେବ ସେହି ପଥର ପଥିକା-ଯେଉଁ ପଥରେ ତା’ ଭାଇ ନିଜକୁ ଉତ୍ସର୍ଗୀକୃତ କରିଛି । ତାହାହେଲେ ତାକୁ ସମସ୍ତ ତ୍ୟାଗ କରିବାକୁ ପଡ଼ିବ । ତ୍ୟାଗ କରିବାକୁ ପଡ଼ିବ ତା’ ମନର ସମସ୍ତ ବିକାରକୁ । ଭୁଲିଯିବାକୁ ହେବ ମାୟା ମୋହ ।

 

ପ୍ରଥମେ ସେ ତା’ର ସମସ୍ତ ବିଳାସ ସାମଗ୍ରୀ ଦରିଦ୍ର ଲୋକଙ୍କୁ ଦାନ କରିଦେଲା । ଦାନ କରିଦେଲା ମଧ୍ୟ ମହାର୍ହ ବସନ ଭୂଷଣ ।

 

ସ୍ୱଳ୍ପ ଫଳାହାର କରି କୌଣସି ମତେ ଜୀବନ ବଞ୍ଚାଇ ବିଭିନ୍ନ ଧର୍ମଗ୍ରନ୍ଥ ପାଠପୂର୍ବକ ପ୍ରକୃତ ସତ୍ୟକୁ ସେ ଉପଲବ୍‌ଧି କରିବାକୁ ଚେଷ୍ଟିତା ହେଲା । ତା’ର ଯୌବନ ଅଛି ଓ ସେ ଯୁବତୀ-ଏହି କଥାକୁ ସେ ଭୁଲିଯିବା ପାଇଁ ଚେଷ୍ଟାକଲା ।

 

ପ୍ରଥମେ ଅର୍ଦ୍ଧ ଉଲଗ୍ନ, ତା’ପରେ ସଂପୂର୍ଣ୍ଣ ଉଲଗ୍ନ ଭାବେ ଗୃହ ମଧ୍ୟରେ-ଅଗଣା ମଧ୍ୟରେ ଚଳପ୍ରଚଳ ହେବାକୁ ଲାଗିଲା । ଯେଉଁ ଲଜ୍ଜା, ଯେଉଁ ସଂକୋଚ, ତା’ ମନ ମଧ୍ୟରେ ଜମାଟ ବାନ୍ଧି ରହିଥିଲା, ତାହା ବାଧ୍ୟହେଲା ଧୀରେ ଧୀରେ ଦୂରକୁ ଦୂରେଇଯିବାକୁ ।

 

ଉନ୍ମୁକ୍ତ ଆକାଶ ତଳେ ଆବରଣଶୂନ୍ୟା ହୋଇ ସେ ଯେଉଁଭଳି ଭାବେ ଚଳପ୍ରଚଳ ହେଲା ତାହା ଦେଖି ଶୁଣି ଲୋକେ ମନେକଲେ ତା’ର ମସ୍ତିଷ୍କ ବିକୃତ ହୋଇଯାଇଛି; କିନ୍ତୁ ପିପଳର ମହାପ୍ରାଜ୍ଞ ସତ୍ୟଶ୍ରବା କହନ୍ତି, ଏଭଳି କଥାର ମୋଟେ ସତ୍ୟତା ନାହିଁ । କଣୟାବତୀ ବୁଦ୍ଧିମତୀ ଏବଂ ଶାତ୍ସଜ୍ଞା । ସେ ସମ୍ଭବତଃ ବିକାର ତ୍ୟାଗ କରିବାକୁ ଏହିଭଳି ବ୍ରତରେ ବ୍ରତୀ ହୋଇଛି ।

 

ଏକଦା ସତ୍ୟଶ୍ରବା ଆସିଲେ କଣୟାବତୀକୁ ଦେଖିବାପାଇଁ । ସତ୍ୟଶ୍ରବାଙ୍କୁ ଦେଖୁ ଦେଖୁ ସେ ତାଙ୍କ ଚରଣପ୍ରାନ୍ତେ ପ୍ରଣତି ଜ୍ଞାପନ କଲା । ଧୋଇଦେଲା ତାଙ୍କର ପଦ ଦୁଇଟି ଆଖିର ଲୁହରେ । ବୁଦ୍ଧମୁଦ୍ରାରେ ସେ ତାକୁ ଆଶିଷ ପ୍ରଦାନକରି କହିଲେ, ମା’ ! ତୋର ଅନ୍ତର ବାହାର ପବିତ୍ର ହୋଇଯାଇଛି । ବିକାରଠାରୁ ତୁ ବହୁଦୂରକୁ ଚାଲିଯାଇଛୁ; ମାତ୍ର ଯେଉଁମାନେ ବିକାରଗ୍ରସ୍ତ ସେମାନଙ୍କ ପାଇଁ ତୋର ଚୀବର ଧାରଣ କରିବା ଆବଶ୍ୟକ । ତୋର ଏହି ବିରାଟ ଆବାସ ହେଉ ତୋର ବୌଦ୍ଧ ବିହାର । ଚେଳିତାଳୋରେ ତାହା ହିଁ ହେଉ ଏକମାତ୍ର ଭିକ୍ଷୁଣୀ ସଂଘ ।

 

କଣୟାବତୀ ପିପଲ ମହାପ୍ରାଜ୍ଞଙ୍କ ପ୍ରଦତ୍ତ ଚୀବରାବୃତା ହୋଇ ନିତି ଭିକ୍ଷା ଉଦ୍ଦେଶ୍ୟରେ ଗ୍ରାମ, ନଗର ପରିଭ୍ରମଣ କରେ । ତା’ କଣ୍ଠରୁ ‘ବୁଦ୍ଧଂ ଶରଣଂ ଗଚ୍ଛାମି’ ନିର୍ଗତ ହେବାମାତ୍ରେ ଅବଗୁଣ୍ଠନ ଟାଣି ଅନ୍ତଃପୁର ନିବାସିନୀ ଲଳନା ଶ୍ରଦ୍ଧାର ସହିତ ତା’ ଭିକ୍ଷା ପତ୍ରରେ ଭିକ୍ଷା ପୂର୍ଣ୍ଣ କରିଦିଅନ୍ତି । ସେହି ଭିକ୍ଷା ନିଜ ହାତରେ ରାନ୍ଧି ଭୋଜନ କରେ ସେ ।

 

ସନ୍ଧ୍ୟା ପୂର୍ବରୁ ଯେତେବେଳେ ସ୍ତ୍ରୀ ପୁରୁଷ ବହୁ ସଂଖ୍ୟାରେ କଣୟାବତୀର ବୌଦ୍ଧ ବିହାରରେ ଧର୍ମୋପଦେଶ ଶ୍ରବଣ ପାଇଁ ସମବେତ ହୁଅନ୍ତି, ସେତେବେଳେ ବୁଦ୍ଧଙ୍କ ଭଳି କଣୟାବତୀ ସମସ୍ତଙ୍କ ସମୀପରେ ଉପବେଶନପୂର୍ବକ ବିଭିନ୍ନ ବୌଦ୍ଧଶାସ୍ତ୍ରର ବାଣୀକୁ ବ୍ୟାଖ୍ୟା କରି ସରଳ ଭାଷାରେ ବୁଝାଇଦିଏ । ତା’ର ବୀଣାନିନ୍ଦିତ କଣ୍ଠ ପ୍ରତ୍ୟେକଙ୍କ କର୍ଣ୍ଣକୁ ହୁଏ ଶ୍ରୁତିମଧୁର । ଯେ ଥରେ ଶୁଣିଛି ସେ ଆଉଥରେ ଇଚ୍ଛାକରେ ଶୁଣିବା ପାଇଁ । ଚେଳିତାଳୋର ଯେକୌଣସି ଧର୍ମ-ସଭାରେ କଣୟାବତୀ ଭାଷଣ ଦେବେ, ଏହା ପ୍ରଚାର ହେବାମାତ୍ରେ ସଭାରେ ଅସମ୍ଭବ ଲୋକଭିଡ଼ ହୁଏ ।

 

ସାରା ବିଶ୍ୱ ଦୁଃଖରେ ଭରା ଅନିତ୍ୟ ଧନ ଯୌବନରେ କାହାରି ଆନନ୍ଦ ହେବାର କୌଣସି କାରଣ ନାହିଁ । ସେଥିପାଇଁ ଧର୍ମପଦର ଜରାବର୍ଗ କହେ 'କୋନୁହାସୋ କିମାନନ୍ଦୋ ନିଚ୍ଚଂ ପଜ୍ଵଲିତେ ସତି’ ।

 

ସଂସାର ଅରଣ୍ୟରେ ଦାବାଗ୍ନି ଲାଗିଛି, ଏଠାରେ ହାସ୍ୟ କୌତୁକର ଆହ୍ଲାଦର, ଆମୋଦର ଅବସର କେଉଁଠି ?

 

ଜାତି ପି ଦୁକ୍‌ଖା, ଜରା ପି ଦୁକ୍‌ଖା, ବ୍ୟାଧି ପି ଦୁକ୍‌ଖା, ମରଣଂ ପି ଦୁକ୍‌ଖଂ, ଶୋକ-ପରିଦେବ-ଦୁକ୍‌ଖଦୋମନସ୍‌ସ-ଉପାୟାସା ପି ଦୁକ୍‌ଖା, ଯଂ ପି ଇଚ୍ଛଂ ନ ଲଭତି ତଂ ପି ଦୁକ୍‌ଖଂ, ସଂକଖିତେନ ପଞ୍ଚୁପାଦାନକ୍ ଖନ୍ଦା ଦୁକ୍‌ଖ । ଜନ୍ମ ଦୁଃଖ, ଜରା ଦୁଃଖ, ରୋଗ ଦୁଃଖ, ମରଣ ଦୁଃଖ, ପ୍ରିୟବିୟୋଗ ଦୁଃଖ, ଅପ୍ରିୟ ସଂଯୋଗ ଦୁଃଖ-କାମନା ବିଘାତ ଦୁଃଖ, ସବୁ ଦୁଃଖ-ସର୍ବଦୁକ୍‌ଖଂ ।

 

କାମନାର ବିନାଶରେ ଦୁଃଖର ବିନାଶ-ଏହା ତଥାଗତ ବୁଦ୍ଧଙ୍କ ବାଣୀ । କୌଣସି ଗୋଟିଏ ବସ୍ତୁ ପାଇବାର ଆଶା ଯେତେବେଳେ ନ ପାଇବାରେ ପରିଣତ ହୁଏ, ସେତେବେଳେ ହତାଶ ବା ନିଆଶର ଭାବ ଦେଖାଦିଏ । ନିରାଶ ଭାବରୁ ଦୁଃଖ ହୁଏ । ଏହା ହିଁ ମାନସିକ ଦୁଃଖ । ତୃଷ୍ଣାରୁ ଅଭିଳାଷ-ଇଷ୍ଟବସ୍ତୁ ଅପ୍ରାପ୍ତିରେ ଦୁଃଖ । ତୃଷ୍ଣା ଅସଂଖ୍ୟ ଥିବାରୁ ଜୀବନଟା ଯନ୍ତ୍ରଣାମୟ ହୋଇଉଠେ । ତୃଷ୍ଣାର ବିନାଶରେ ଦୁଃଖର ନାଶ । ଦୁଃଖ ନ ରହିଲେ ଜନ୍ମ, ଜରା ବ୍ୟାଧି ଓ ମୃତ୍ୟୁରେ ମାନବ କାତର ହେବ କାହିଁକି ?

 

ସ୍ତ୍ରୀଲୋକମାନଙ୍କ ମଧ୍ୟରେ କଣୟାବତୀଦ୍ୱାରା ପ୍ରଚାର ହୋଇଗଲା ବୁଦ୍ଧଙ୍କ ବାଣୀ ।

 

ଏକ ଏକ ହୋଇ ବହୁ ସ୍ତ୍ରୀଲୋକ କଣୟାବତୀ ବୌଦ୍ଧବିହାରର ଆଶ୍ରୟ ନେଲେ । ପ୍ରଭାତ ହେବାପରେ ଭିକ୍ଷୁଣୀମାନେ ଭିକ୍ଷାପାଇଁ ବହିର୍ଗତ ହୁଅନ୍ତି । ବୁଦ୍ଧଙ୍କ ସମୟରେ କେବଳ ଭିକ୍ଷୁମାନେ ଭିକ୍ଷା ଗ୍ରହଣ କରୁଥିଲେ; କିନ୍ତୁ କଣୟାବତୀ ଭିକ୍ଷୁମାନଙ୍କ ଭଳି ଭିକ୍ଷୁଣୀ ସଂଘ ପରିଚାଳିତ କଲା । ଭିକ୍ଷୁଣୀମାନେ ଘର ଘର ବୁଲି ବୁଲି ପ୍ରତି ସ୍ତ୍ରୀଲୋକଙ୍କ କର୍ଣ୍ଣରେ ବୁଦ୍ଧଙ୍କ ବାଣୀ ଶୁଣାଇଲେ । ପ୍ରସାର ହେଲା ବୌଦ୍ଧଧର୍ମ ରୁଦ୍ଧଙ୍କ ନୀତି ବାଣୀ ।

 

ସନ୍ଧ୍ୟାପରେ କଣୟାବତୀ ଧ୍ୟାନମଗ୍ନ ହୁଏ । ଶାସ୍ତ୍ରର ନିଗୂଢ଼ତତ୍ତ୍ୱ ସରଳଭାବେ କଣୟାବତୀ ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତି । ସେ ଧ୍ୟାନରେ ସେମାନଙ୍କର ସ୍ୱରୂପ ସ୍ପଷ୍ଟଭାବେ ଦେଖିବାକୁ ପାଏ ।

 

ସେମାନଙ୍କ ଦର୍ଶନରେ ସେ ଭୁଲିଯାଏ ଗତ ବିଗତ ଦିନକୁ । ଭୁଲିଯାଏ ତା’ର ବାପ ଧନୀ ସାଧବକୁ–ମା’ ସୁଶୀଳା ସାଧବାଣୀକୁ ଆଉ ଭାଇ କଣୟକୁମାରକୁ ।

 

ସେ ଥିଲା ବିରାଟ ଧନିକର କନ୍ୟା–ଅସମ୍ଭବ ରୂପ ତା’ର ଥିଲା । ସବୁକୁ ସେ ପାସୋରି ପକାଇଛି । ତା’ର ଆଖିଆଗରେ ନାଚୁଛି କେବଳ ସେହି ନିର୍ବାଣ । କାମ, ମଦ, ତୃଷ୍ଣା, ଆସକ୍ତି ଏବଂ ସବୁ ଇନ୍ଦ୍ରିୟ ସୁଖର ଧ୍ୱଂସରେ ତାହା ପ୍ରାପ୍ତହୁଏ, ଏହି ଲକ୍ଷ୍ୟରେ ସେ ଧାଇଁଚାଲେ ଆଗକୁ ।

 

ସତେ ଯେପରି ତା’ ଆଗରେ ଅପେକ୍ଷା କରି ରହିଛି ନିର୍ବାଣ ଦୁଇବାହୁ ଉତ୍ତୋଳନ କରି-। ସେ ଯେପରି ଡାକୁଛି କଣୟାବତୀ ! ମୁଁ ସେହି ବୁଦ୍ଧ । ଶୁଦ୍ଧଭାବେ ଧାଇଁଆ ମୋର କୋଳକୁ-

 

କଣୟାବତୀ ଦେଖୁଛି ନିର୍ବାଣର ଦୁଇଟି ଚକ୍ରାକାର ବିରାଟ ଚକ୍ଷୁ ତାହାରି ଆଡ଼କୁ ଲକ୍ଷ୍ୟକରି ରହିଛି । ସେ ବସିଛି ତା’ର ଦୁଇହସ୍ତକୁ ପ୍ରସାରକରି । ବିରାଟ ତା’ର ମୁଖଦେଶ–ସେ ମୁଖରେ ସାଗରର ଜମାଟବନ୍ଧା ନୀଳିମା ଲହଡ଼ି ଭାଙ୍ଗୁଛି–ଆଉ ଆକାଶର ଗମ୍ଭୀରତା ପୂରିରହିଛି । ଅରୁଣାକାଶ ଭଳି ତା’ର ଅଧରରୁ ବିଚ୍ଛୁରିତ ହେଉଛି ଅଫୁରନ୍ତ ଆନନ୍ଦ ।

 

ଦିନ ପରେ ରାତି, ରାତି ପରେ ଦିନ ଏହିଭଳି ମାସ ମାସ ଧରି ବର୍ଷ ଗତହୋଇ ଚାଲିଲା । କେବଳ ଚେଳିତାଳୋ କାହିଁକି ଦେଶ ଦେଶାନ୍ତରେ ପ୍ରସିଦ୍ଧି ଲାଭକଲା କଣୟାବତୀରୁ ବୁଦ୍ଧବିହାର ।

 

ଏକଦା ରାତ୍ରି ଅର୍ଦ୍ଧଯାମରୁ ଊର୍ଦ୍ଧ୍ଵ ହେବ, ଧନାଢ଼୍ୟ ନଗର ଚେଳିତାଳୋ ସୁପ୍ତ । ଉପକୂଳରେ ଥିବା ପାଞ୍ଚୋଟି ବୌଦ୍ଧ ସ୍ତୂପଶିଖର ଦେଶରୁ ନୀଳାଲୋକ ସମଗ୍ର ଚେଳିତାଳୋକୁ ଯେଉଁଭଳି ଦୃଶ୍ୟମାନ ହେଉଥାଏ, ତାହାଠାରୁ ଅଧିକ ଦୃଶ୍ୟମାନ ହେଉଥାଏ ସମୁଦ୍ରବକ୍ଷକୁ । ସମୁଦ୍ରର ବହୁଦୂରକୁ ଚେଳିତାଳୋର ଏହି ପଞ୍ଚାଲୋକ ଧାଡ଼ି ଧରି ପାଞ୍ଚଟି ଲୋକ ଶିରୋଦେଶରେ ଯେପରି ଆଲୋକ ଦର୍ଶାଉଛନ୍ତି ସେହିଭଳି ମନେହୁଏ, ଏହା ହିଁ ଥାଏ ସମୁଦ୍ରବକ୍ଷରେ ଯାଉଥିବା ବୋଇତମାନଙ୍କ ପାଇଁ ଚେଳିତାଳୋର ସଂକେତ ।

 

ସ୍ତୂପ୍ତ କଣୟାବତୀ ବୁଦ୍ଧବିହାରର ଦ୍ୱାରଦେଶରେ କିଏ ଜଣେ ଡାକିଉଠିଲେ, କଣୟାବତୀ–କଣୟାବତୀ !

 

ଦ୍ୱାରଦେଶର ଅନତିଦୂରରେ ଶୋଇଥିଲେ ଜଣେ ବୃଦ୍ଧ । କଣୟାବତୀ ନାମ ଧରି କିଏଜଣେ ଡାକୁଥିବାର ଶୁଣି ସେ ଧୀର ନମ୍ରସ୍ୱରରେ କହିଲେ–“କିଏ ଆପଣ ଭଦ୍ର ।”

 

-“ମୁଁ କଣୟକୁମାରଙ୍କ ସ୍ୱର୍ଣ୍ଣଦ୍ଵୀପରୁ ଆସିଛି ।”

 

ବୃଦ୍ଧଙ୍କ କର୍ଣ୍ଣରେ ସବୁକଥା ଠିକ୍‌ଭାବରେ ଶୁଣାଗଲାନାହିଁ । ତଥାପି କଣୟକୁମାରଙ୍କ ନାମଟି ସେ ଶୁଣିପାରିଲେ ।

 

-“କଣୟକୁମାର ! କେଉଁ କଣୟକୁମାର ? କଣୟାବତୀର ଭାଇ ?”

 

ବୃଦ୍ଧ ଶ୍ରମଣ ଉଠିବସିଲେ । କଣୟାବତୀର ଭାଇ କଣୟକୁମାର ଆସିଛନ୍ତି । ତର ତର ହୋଇ ସେ ଖୋଲିଦେଲେ ଦ୍ୱାର ।

 

ବିହାରର କ୍ଷୀଣ ଦୀପାଲୋକରେ ସେ ଦେଖିଲେ ଦ୍ୱାରଦେଶରେ ଜଣେ ସବଳ ଯୁବକ ଦଣ୍ଡାୟମାନ । ତାଙ୍କ ପଛରେ ଆଉ କେତେଜଣ ଅନୁଚର ।

 

ତାହାହେଲେ କ’ଣ କଣୟକୁମାର ବୌଦ୍ଧଧର୍ମ ଗ୍ରହଣ କରି ଶ୍ରମଣ ହୋଇନାହାନ୍ତି ?

 

ବିସ୍ମୟ ଚକ୍ଷୁରେ ବୃଦ୍ଧ ଶ୍ରମଣ ଯୁବକଙ୍କୁ ଚାହିଁ ପଚାରିଲେ ଆପଣ କାହାକୁ ଚାହୁଁଛନ୍ତି ?

 

-“ଏଠାରେ କ’ଣ କଣୟାବତୀ ରହୁନାହାନ୍ତି ?”

 

-“ଆପଣ କ’ଣ ଏହି ରାତ୍ରିରେ ତାଙ୍କୁ ସାକ୍ଷାତ କରିବେ ? ପ୍ରଭାତ ପର୍ଯ୍ୟନ୍ତ ଅପେକ୍ଷା କଲେ ହୁଅନ୍ତାନାହିଁ ?”

 

-“କାହିଁକି ସେ କ’ଣ ସୁପ୍ତା ?”

 

-“ନା ସେ ବର୍ତ୍ତମାନ ସମାଧିସ୍ଥ ଥିବେ । ଆଉ ଅଳ୍ପକ୍ଷଣ ପରେ ସମାଧି ତାଙ୍କର ଭଗ୍ନ ହେବାର ସମ୍ଭାବନା ।”

 

ବୃଦ୍ଧ ଶ୍ରମଣଙ୍କ ସହିତ ଯୁବକ ବିହାର ମଧ୍ୟକୁ ଆସିଲେ । କଣୟାବତୀ କେଉଁ ଅବସ୍ଥାରେ ଅଛନ୍ତି, ତାହା ଦେଖିବାକୁ ଚାଲିଲେ ବୃଦ୍ଧ ଶ୍ରମଣ ।

 

ସେତେବେଳକୁ କଣୟାବତୀ ସମାଧିରୁ ଫେରିଆସୁଥାନ୍ତି । ନିଶ୍ଚଳ ଦେହ ତାଙ୍କର ଚଳମାନ ଅବସ୍ଥାକୁ ଫେରିଆସୁଥାଏ ।

 

ବୃଦ୍ଧ ଶ୍ରମଣ ତାଙ୍କୁ ତାଙ୍କ ଭାଇଙ୍କ ଆଗମନ ସମ୍ବାଦ ଦେବେ କି ନାହିଁ ଭାବୁଥାନ୍ତି ।

 

ହଠାତ୍ ଟିକିଏ ଦୂରରେ ଯୁବକ ଉଚ୍ଚସ୍ୱରରେ ଡାକିଉଠିଲେ, “କଣୟାବତୀ ! ମୁଁ ଆସିଛି-। ମୁଁ ସ୍ଵର୍ଣ୍ଣଦ୍ୱୀପର ସୌଦାଗର । କଣୟକୁମାର ଅନୁମତି ନେଇ ମୁଁ ଆସିଛି ତୁମ ପାଖକୁ ।”

 

-“କେଉଁ ସ୍ୱର୍ଣ୍ଣଦ୍ଵୀପର ସୌଦାଗର ତୁମେ ? କଣୟକୁମାର, ସେ ପୁଣି କିଏ ?”

 

ସୌଦାଗର ଆଗେଇଗଲେ କଣୟାବତୀଙ୍କ ଆଗକୁ ।

 

କଣୟାବତୀ ଦୃଢ଼ସ୍ୱରରେ କହିଉଠିଲେ, “ସେହିଠାରେ ଛିଡ଼ାହୁଅ ଯୁବକ ! ବର୍ତ୍ତମାନ ରାତ୍ରିକାଳ । ଏ ସମୟରେ ତୁମ ସହିତ କୌଣସି ବାର୍ତ୍ତାଳାପ ପାଇଁ କଣୟାବତୀ ପ୍ରସ୍ତୁତ ନୁହେଁ ।”

 

କଣୟାବତୀ ଧୀର ପଦକ୍ଷେପରେ ଯୁବକଙ୍କୁ ପଶ୍ଚାତ୍ ଦେଶରେ ରଖି ତାଙ୍କ ବିଶ୍ରାମକକ୍ଷକୁ ଚାଲିଗଲେ । ତାଙ୍କରି ଗତିପଥକୁ ଲକ୍ଷ୍ୟକରି ଯୁବକ ଠିଆହୋଇଥିଲେ ସ୍ଥିରଭାବରେ ନିର୍ବାକ, ନିଷ୍ପନ୍ଦ ହୋଇ ।

 

କଣୟାବତୀ ବୁଦ୍ଧବିହାର ପରବର୍ତ୍ତୀ ଯୁଗରେ କନକାବତୀ, ତତ୍‌ପରେ କନକପୁର ନାମରେ ନାମିତ ହୋଇଆସିଛି । ସେଠାରେ କନକେଶ୍ୱର ମହାଦେବ ପୂଜା ପାଉଛନ୍ତି ଓ ଊନବିଂଶ ଶତାବ୍ଦୀରେ ଓଡ଼ିଶାର ବାକ୍‌ଦେବୀ ସାରଳା ସେଠାରେ ଅବସ୍ଥାନ କରିଛନ୍ତି । ତତ୍‌ପୂର୍ବରୁ ସାରଳା କନକପୁରର ପଶ୍ଚିମକୁ ସାରଳ ଗ୍ରାମରେ ଓ ପରେ ତେନ୍ତୁଳିପଦାରେ ଅବସ୍ଥାନ କରିଥିଲେ । ଏବେ ବି ତେନ୍ତୁଳିପଦାରେ ସାରଳାଙ୍କ ଥିବା ସ୍ଥାନରେ ବିଲସାରଳା ମନ୍ଦିର ଦୃଷ୍ଟ ହୁଏ ଏବଂ ସାରଳ ବା ହରିପୁର ଗ୍ରାମରେ ୮ମ ଶତାବ୍ଦୀଠାରୁ ପୂଜା ହୋଇଆସିଥିବା ସାରଳାଙ୍କ ମନ୍ଦିର ଥିବାର ନିଦର୍ଶନ ମିଳେ ।

Image

 

Unknown

ବିଜୟୀ ମହାପ୍ରାଜ୍ଞ

 

-“ମହାପ୍ରାଜ୍ଞ ପଦ୍ମସମ୍ଭବା କ’ଣ କହିବାକୁ ଚାହାନ୍ତି ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ହୋଇଛି, ତାହା ଅମୂଳକ, ଭିତ୍ତିହୀନ ?”

 

-“ସମ୍ପୂର୍ଣ୍ଣ ଭିତ୍ତିହୀନ ସମ୍ରାଟ ।”

 

-“ଚେଳିତାଳୋର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧ ବିହାରର ପ୍ରାଜ୍ଞମାନେ କ’ଣ ଧର୍ମ କର୍ମ ଭୁଲି ମହାପ୍ରାଜ୍ଞଙ୍କ ବିରୁଦ୍ଧରେ କେବଳ ସ୍ୱର ଉତ୍ତୋଳନ କରୁଛନ୍ତି ବୋଲି ମହାପ୍ରାଜ୍ଞ ପଦ୍ମସମ୍ଭବା ବହିବାକୁ ଚାହାନ୍ତି ?”

 

-“ସମ୍ରାଟଙ୍କ ଅନୁମାନ ନିରାଟ ସତ୍ୟ । କାରଣ କଳିଙ୍ଗର ବିରାଟ ପୋତାଶ୍ରୟ ତଥା ବିତ୍ତଶାଳୀ ଚେଳିତାଳୋ ନଗରରେ ଜଣେ ସ୍ତ୍ରୀଲୋକ ମହାପ୍ରାଜ୍ଞ ହୋଇଥିବା ହେତୁ ପ୍ରାଜ୍ଞମାନଙ୍କର ଗାତ୍ରଦାହ ହେଉଛି । ବିଶେଷତଃ ମହାରାଣୀଙ୍କ ସହ ତାଙ୍କ ସମ୍ପର୍କକୁ କେହି ସହ୍ୟ କରିପାରୁନାହାନ୍ତି-। ତେଣୁ ସେମାନେ କୁତ୍ସାରଟନ କରି ଚେଳିତାଳୋର ମହାପ୍ରାଜ୍ଞଙ୍କ ବିରୁଦ୍ଧରେ କୁ-ଭାଷା ପ୍ରୟୋଗ କରୁଛନ୍ତି ଏବଂ ଧର୍ମ ସଭାମାନଙ୍କରେ ଧର୍ମାଲୋଚନା ତ୍ୟାଗକରି କେବଳ ତାଙ୍କ ବିଷୟରେ କୁତ୍ସିତ ମନଗଢ଼ା ନିନ୍ଦାମାନ କରୁଛନ୍ତି ।”

 

-ଚେଳିତାଳୋର ଜଣେ ରାଜକର୍ମଚାରୀ ଘନ ଘନ ମହାପ୍ରାଜ୍ଞଙ୍କ ପାଖକୁ ଯିବା ଏବଂ ସେହି କର୍ମଚାରୀଙ୍କ ସହ ମହାପ୍ରାଜ୍ଞ ଦ୍ୱାରରୁଦ୍ଧ କରି ଦୀର୍ଘ ସମୟ ଅତିବାହିତ କରିବା କଥା କ’ଣ ମିଥ୍ୟା ?”

 

-“ମିଥ୍ୟା ସମ୍ରାଟ୍ ! ଜଣେ କାହିଁକି ବହୁ ରାଜକର୍ମଚାରୀ ଚେଳିତାଳୋର ପ୍ରଧାନ ବୌଦ୍ଧ ବିହାରକୁ ଆସନ୍ତି–କେବଳ ଧର୍ମାଲୋଚନ ଶ୍ରବଣ କରିବାକୁ; କିନ୍ତୁ ଏହି କେତେଦିନ ହେବ ଚେଳିତାଳୋରେ ଯେଉଁଭଳି ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଛି, ତା’ର ବ୍ୟବସ୍ଥାପାଇଁ ଚେଳିତାଳୋରେ ସମ୍ରାଟଙ୍କ ପକ୍ଷରୁ ନିଯୁକ୍ତ ଜଣେ ରାଜକର୍ମଚାରୀଙ୍କ ସହ କେତେକ ସମୟ ଆଲୋଚନା କରିଛି ମାତ୍ର । ସେହି କଥାକୁ କେତେକ ଖଳବ୍ୟକ୍ତି ଭିନ୍ନ ରଙ୍ଗରେ ରଞ୍ଜିତକରି ଅପପ୍ରଚାର ଚଳାଇଛନ୍ତି । ଯାହାକି ବୌଦ୍ଧଧର୍ମରେ ଅସ୍ପୃହଣୀୟ ।”

 

-“କିନ୍ତୁ ମହାପ୍ରାଜ୍ଞ ମହାଶୟା ! ମହାଯାନଙ୍କ ବିରୁଦ୍ଧରେ ଆପଣଙ୍କ ବକ୍ତବ୍ୟକୁ ଅସ୍ଵୀକାର କରିପାରିବେ କି ?”

 

-“ନାଁ ସମ୍ରାଟ୍ ! ମୁଁ ମହାଯାନଙ୍କ ବିରୁଦ୍ଧରେ କୌଣସି କଥା କହିନାହିଁ । ମୁଁ କହୁଛି ତନ୍ତ୍ରଯାନୀଙ୍କ ବିରୁଦ୍ଧରେ । ତନ୍ତ୍ରଯାନପନ୍ଥୀ ବୌଦ୍ଧଧର୍ମର ବିରୁଦ୍ଧାଚରଣ କରୁଛନ୍ତି । ସଂସ୍କାରବାଦୀ ନାମରେ ସେମାନେ ହୋଇଯାଇଛନ୍ତି ପିତୁଳା ପୂଜକ, ଯାହାକି ବୌଦ୍ଧଧର୍ମ ବିରୁଦ୍ଧ । ମହାପ୍ରାଜ୍ଞ ଭାବେ ପ୍ରଥମେ ମୁଁ ତାହାର ବିରୋଧ କରିବା ଉଚିତ ଭାବି କରିଛି ।

 

ମହାଯାନପନ୍ଥୀ ବୌଦ୍ଧ ଯେଉଁମାନେ କି ତନ୍ତ୍ରଯାନରେ ପ୍ରବେଶ କରିଛନ୍ତି ସେମାନଙ୍କ ବିଷୟରେ ଆପଣ କ’ଣ ଯଥେଷ୍ଟ ଜ୍ଞାନାର୍ଜନ କରିଛନ୍ତି ?

 

-“ନା ! କିନ୍ତୁ ମୁଁ ଯେତିକି ଜାଣିଛି, ସେତିକିରେ ବୁଝିଛି ମୂଳ ବୌଦ୍ଧଧର୍ମ ଏହାଦ୍ୱାରା ବିକୃତ ହୋଇଯାଇଛି ଏବଂ ଏହାର ବିରୋଧ ନ କଲେ, ସମାଜର ଅଧଃପତନ ହେବ ।

 

ବେଦ ଏବଂ ବୈଦିକ ସାହିତ୍ୟ ଉପରେ ଆପଣଙ୍କର ସମ୍ୟକ୍ ଧାରଣାଥିବ ନିଶ୍ଚୟ ?

 

-“ନା ! କେବଳ ବୌଦ୍ଧଧର୍ମ ବ୍ୟତୀତ ଅନ୍ୟ ଧର୍ମଶାସ୍ତ୍ର ସେଭଳି ଭାବେ ଅଧ୍ୟୟନ କରିନାହିଁ । ତାହା ସବୁ ଅଧ୍ୟୟନ କରିବା ନିତାନ୍ତ ଆବଶ୍ୟକ ବୋଲି ମୋର ମଧ୍ୟ ମନେହୁଏ ନାହିଁ ।”

 

-ଆଉ ତୁମର କ’ଣ ମନେହୁଏ ମହାରାଣୀଙ୍କ ନାମକୁ ବିକି ଚେଳିତାଳୋ ପ୍ରଧାନ ବିହାରର ମହାପ୍ରାଜ୍ଞ ହେଲେ ଯଥେଷ୍ଟ ହୋଇଗଲା ବୋଲି ? ସେହି ପୁରାତନ ବିଷୟକୁ ଘୋଷି ଶୁଆ ଭଳି ଗାଇଲେ କେହି ପଣ୍ଡିତ ହୁଅନ୍ତିନାହିଁ । ଯୁଗେ ଯୁଗେ ପୁରାତନ ମଧ୍ୟରେ ନୂତନର ଆଭିମୁଖ୍ୟ ଦର୍ଶାଇବା ପଣ୍ଡିତଙ୍କର କାର୍ଯ୍ୟ । ଦେଖୁଛ ତାହା ଆପଣଙ୍କ ଧାରଣା ବାହାରେ । ଆପଣ ଜଣେ ସାଧାରଣ ଥେର ହେବାକୁ ଅନୁପଯୁକ୍ତା । ମହାରାଣୀଙ୍କୁ ତୋଷାମଦ କରି ରାଜାଦେଶ ନେଇ ପ୍ରାଜ୍ଞ, ମହାପ୍ରାଜ୍ଞ ଆସନରେ ବସିଗଲେ କ’ଣ ମନେକରିଛ ସେହି ଆସନରେ ଚିରଦିନ ଆପଣ ରହିପାରିବେ ? ମହାଯାନୀଙ୍କ ତନ୍ତ୍ରପନ୍ଥା ମୁଁ ଭଲଭାବେ ଅନୁଧ୍ୟାନ କରିଛି । ମୋର ହୃଦୟଙ୍ଗମ ହୋଇଛି, ଲୋକ-ଜଗତକୁ ନୂତନଭାବେ ଉଦ୍‌ବୁଦ୍ଧ କରିବାପାଇଁ ମହାଯାନ ତନ୍ତ୍ରପନ୍ଥା ଉତ୍କୃଷ୍ଟ । ତା’ର ବିରୋଧ କରିବା ଅର୍ଥ ସମ୍ରାଟଙ୍କୁ, ଧର୍ମର ମହାନ କ୍ଷେତ୍ର କଳିଙ୍ଗକୁ ବିରୋଧ କରୁଛ । ବୌଦ୍ଧବିହାରରେ ଚୀବରଧାରିଣୀ ହୋଇ ବହୁମୂଲ୍ୟ ସୌଖିନ ଦ୍ରବ୍ୟ ପରିଧାନ କରିବା ଆପଣଙ୍କ ପକ୍ଷରେ ଅନୁଚିତ ନୁହେଁ କି ? ଆପଣଙ୍କୁ ଲୋକେ ଏତେ ସମ୍ମାନ କରନ୍ତି କାହିଁକି, ତାହାଥରେ ଭାବି ଦେଖିଛ କି ? ଯେଉଁ ରାଜକର୍ମଚାରୀ ଦୀର୍ଘସମୟ ଦ୍ଵାରରୁଦ୍ଧ କରି ଗୁପ୍ତ ଆଲୋଚନା କରନ୍ତି ତାହା କ’ଣ ଆପଣଙ୍କ ପ୍ରତିଭାରେ ମୁଗ୍‌ଧ ହୋଇ ରୂପଲାବଣ୍ୟରେ ମୁଗ୍‌ଧ ହୋଇ ? କେବଳ ମହାରାଣୀଙ୍କ ସହିତ ସୁ ସଂପର୍କ ଥିବା ହେତୁ ପ୍ରତ୍ୟେକ ସମ୍ମାନ କରିଆସୁଛନ୍ତି । ତାହା ନ ହେଲେ ତୁମପରି ବିପଥଗାମିନୀ ନାରୀର ସ୍ଥାନ କେଉଁ ଏକ ଅଳିଆଗଦାରେ ହୋଇଥାନ୍ତା । ଯେଉଁମାନେ ଜଗତକୁ ତପଶ୍ଚରଣର ଫଳସ୍ୱରୁପ ବହୁ ଅଦ୍ଭୁତ କଥା ଦେଖାଇଛନ୍ତି, ତାଙ୍କ ତୁଳନାରେ ଆପଣ କେତେ ନିମ୍ନରେ ଅଛନ୍ତି, ତାହା ଭାବିଛନ୍ତି କି ? ଆପଣଙ୍କ ପାଇଁ ମହାରାଜା, ମହାରାଣୀ, ତଥା କଳିଙ୍ଗ ଆଜି ନିନ୍ଦିତ । ସେଥିପାଇଁ କଳିଙ୍ଗବାସୀଙ୍କ ତରଫରୁ ମୁଁ ଅନୁରୋଧ କରୁଛି ଆପଣ ପରିତ୍ୟାଗ କରନ୍ତୁ ।

 

ସମ୍ରାଟଙ୍କ ଶେଷୋକ୍ତି ପରେ ମହାପ୍ରଜ୍ଞା ଆଉ ଅଧିକ କିଛି କହିବାକୁ ଉଚିତ୍ ମନେକଲେ ନାହିଁ । ସମ୍ରାଟଙ୍କୁ ସମ୍ମାନ ପଦର୍ଶନ କରି ଏକ ସାଧାରଣ ଲୋକଭଳି ଅବନତ ମସ୍ତକ ହୋଇ ସେ ଚେଳିତାଳୋ ପ୍ରତ୍ୟାବର୍ତ୍ତନ କଲେ । ତାଙ୍କର ମନେହେଲା ସତେ ଯେପରି ତାଙ୍କ ସମସ୍ତ ସତ୍ତା ଲିଭିଗଲା । ଏହାପରେ ଏକ ସାଧାରଣ ଲୋକଭଳି ଚଳିବାର ଅଧିକାର ତାଙ୍କର ରହିବ ନାହିଁ । ସତ୍ୟହେଉ ବା ମିଥ୍ୟାହେଉ ଯେଉଁ କଳଙ୍କ ମହାରାଜାଙ୍କ କର୍ଣ୍ଣପର୍ଯ୍ୟନ୍ତ ଆସିପାରିଛି, ତାହା ବହୁ ଶାଖା ପ୍ରଶାଖା ମେଲି ନିନ୍ଦୁକଙ୍କ ମୁଖରୁ ନିର୍ଗତ ହେଉଥିବ, ଆଉ ବହୁଲୋକ ତାକୁ ମଧ୍ୟ କାନପାତି ଶୁଣୁଥିବେ । ଏହାପରେ ତାଙ୍କର ଆଉ ସ୍ଥିତି କ’ଣ ରହିଲା ?

 

ଚିନ୍ତାର ବିରାଟ ଆକାଶକୁ ମସ୍ତକରେ ବହନକରି ସେ ଫେରିଆସିଲେ ଚେଳିତାଳୋ । ନୌବାଣିଜ୍ୟର ଶ୍ରେଷ୍ଠ ନଗର ଚେଳିତାଳୋର ଉପକଣ୍ଠରେ ପ୍ରବେଶ କଲାମାତ୍ରେ ବହୁ ବୌଦ୍ଧ ଶ୍ରମଣ, ରାଜକର୍ମଚାରୀ, ସାଧାରଣ ବୌଦ୍ଧଧର୍ମ ପ୍ରେମୀଲୋକେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନକଲେ । ମହାପ୍ରାଜ୍ଞଙ୍କ ଜୟନାଦରେ ରାଜପଥ ମୁଖରିତ ହୋଇଉଠିଲା । କ୍ଷଣକପାଇଁ ପଦ୍ମସମ୍ଭବା ମଧ୍ୟ ଭୁଲିଗଲେ ନିଜର ସବୁ ଅପମାନ, ସବୁ ଦୁଃଖ । ସେହି ସମ୍ୱର୍ଦ୍ଧନା ପ୍ରତ୍ୟକ୍ଷ କରି ନିନ୍ଦୁକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ମହାପ୍ରଜ୍ଞା ଆସନରୁ ପଦ୍ମସମ୍ଭବା ଯେ ନିମ୍ନକୁ ଖସି ପଡ଼ିବେ, ଏ ଧାରଣା ତାଙ୍କର ବଦ୍ଧମୂଳ ହୋଇଥିଲେ ମଧ୍ୟ ଯେଉଁଭଳି ତାଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଗଲା ତାହା ଦେଖି ସେମାନେ ବେଶ୍ ରୂପେ ଅନୁଭବ କଲେ ସମ୍ରାଟଙ୍କ ସଦ୍‌ଇଚ୍ଛା ପୂର୍ବଭଳି ପଦ୍ମସମ୍ଭବାଙ୍କ ପ୍ରତି ରହିଛି-। ଏପରିକି ପଦ୍ମସମ୍ଭବାଙ୍କ ନିଜ ଲୋକେ ମଧ୍ୟ ପ୍ରକୃତ କଥା ଜାଣିପାରିଲେ, ନାହିଁ । ପଦ୍ମସମ୍ଭବାଙ୍କ ଆସନ ଯେ ଦୃଢ଼ ରହିଲା । ଏହି ଧାରଣାର ବଶବର୍ତ୍ତୀ ହୋଇ ତାଙ୍କ ସମର୍ଥକମାନେ ତାଙ୍କୁ ବିରୋଧ କରୁଥିବା ବୌଦ୍ଧବିହାରମାନଙ୍କରେ ଅନୁପ୍ରବେଶ କରି ଅଶୋଭନୀୟ ଘଟଣାମାନ ଘଟାଇଦେଲେ । ତଥାଗତ ବୁଦ୍ଧ ଯେଉଁଠି ଜନ୍ମ ହୁଅନ୍ତୁନା କାହିଁକି କଳିଙ୍ଗରେ ବୌଦ୍ଧଧର୍ମ ଯେଉଁଭଳି ଶାଖା ପ୍ରଶାଖା ମେଲି ସମଗ୍ର ଦେଶକୁ ବୌଦ୍ଧଧର୍ମର କେନ୍ଦ୍ରରୂପେ ପ୍ରତିପାଦିତ କରିପାରିଛି ତାହା ଭାରତର ଅନ୍ୟ କୌଣସିଠାରେ ନାହିଁ । ପଦ୍ମସମ୍ଭବା କେବଳ ଚେଳିତାଳୋ କାହିଁକି ସମଗ୍ର କଳିଙ୍ଗ ଧର୍ମାକାଶର ସୂର୍ଯ୍ୟ ବୋଲି ପଦ୍ମସମ୍ଭବାଙ୍କ ଅନୁଗତମାନେ ପ୍ରକାଶକଲେ । ପଦ୍ମସମ୍ଭବାଙ୍କୁ ବିରୋଧ କରୁଥିବା ବୌଦ୍ଧବିହାର, ଯେଉଁ ବିହାରର ବହିର୍ଦେଶ ବୁଦ୍ଧ, ଧର୍ମ, ସଂଘର ବାର୍ତ୍ତା ବହନକରି ବହୁ ପବିତ୍ର ଚିତ୍ରରେ ଶୋଭିତ ହୋଇଥିଲା, ତାହା ଉପରେ ପଦ୍ମସମ୍ଭବାଙ୍କ ଅନୁଗତମାନେ ପଦ୍ମସମ୍ଭବା ସମଗ୍ର କଳିଙ୍ଗ-ଭାରତ ଧର୍ମାକାଶର ଦୀପ୍ତିମାନ ସୂର୍ଯ୍ୟ ବୋଲି ଗାଢ଼ ରଙ୍ଗରେ ଲେଖି ବିହାରର ଶୋଭାହ୍ରାସ କଲେ ।

 

ପଦ୍ମସମ୍ଭବାଙ୍କ ସମର୍ଥକ ତଥା ବିଚସ୍କରମାନେ ପଦ୍ମସମ୍ଭବା କଳିଙ୍ଗର ମହାରାଜାଙ୍କ ପାଖରୁ ପ୍ରତ୍ୟାବର୍ତ୍ତନ ପରେ ପଦ୍ମସମ୍ଭବାଙ୍କ ଜୟ ହୋଇଛି ମନେକରି ଯେତେବେଳେ ଆନନ୍ଦ ଉଲ୍ଲାସରେ ମତ୍ତ ଥାନ୍ତି, ସେତେବେଳେ ପୂର୍ବରୁ ବିଭିନ୍ନ ଦେଶର ସୌଦାଗରମାନେ ତାଙ୍କୁ ଭେଟିଦେଇଥିବା ରତ୍ନଗୁଡ଼ିକୁ ଗୁପ୍ତରେ ସ୍ଥାନାନ୍ତରିତ କରିବାକୁ ବ୍ୟସ୍ତ ଥାନ୍ତି ମହାପ୍ରଜ୍ଞା ପଦ୍ମସମ୍ଭବା ।

 

ବହୁ ପୂର୍ବରୁ ନିର୍ଦ୍ଧାରିତ ହୋଇସାରିଥାଏ ମହାପ୍ରଜ୍ଞା ପଦ୍ମାସମ୍ଭବା ମଗଧର ଏକ ବୌଦ୍ଧ ସମାବେଶରେ ସଭାପତିତ୍ୱ କରିବେ । ସେଥିପାଇଁ ପ୍ରତ୍ୟୁଷରୁ ସେ ଘୋଟକବାହୀ ଶକଟ ଆରୋହଣ କରି ମଗଧଆଡ଼କୁ ଚାଲିଲେ ।

 

ମହାପ୍ରାଜ୍ଞାଙ୍କ ମଗଧ ଗମନ ପରେ ପରେ ଅନ୍ୟାନ୍ୟ ବୌଦ୍ଧବିହାରର ପ୍ରାଜ୍ଞମାନେ ଚାଲିଲେ କଳିଙ୍ଗର ମହାରାଜାଙ୍କ ନିକଟକୁ । ସେମାନେ ମହାରାଜଙ୍କୁ ବ୍ୟକ୍ତ କରିବେ ପଦ୍ମସମ୍ଭବାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ । ମହାରାଜ ସେମାନଙ୍କ ଅଭିଯୋଗର ସୁବିଚାର କରନ୍ତୁ, ନହେଲେ ସେମାନେ ବାଧ୍ୟହେବେ ଚେଳିତାଳୋ ବୌଦ୍ଧବିହାରମାନ ତ୍ୟାଗ କରି ଅନ୍ୟତ୍ର ଚାଲିଯିବା ନିମିତ୍ତ ।

 

ପଦ୍ମସମ୍ଭବା ମହାପ୍ରାଜ୍ଞଙ୍କ ଆସନରୁ ଓହ୍ଲାଇ ନଯିବା ଯେତେ ଅନ୍ୟାୟ ନୁହେଁ, ସେତେ ଅନ୍ୟାୟ ତାଙ୍କ ଲୋକେ ପ୍ରାଜ୍ଞ ଏବଂ ଥେରମାନଙ୍କୁ ଆକ୍ରମଣ କରିବା । ଜଣେ ସ୍ତ୍ରୀଲୋକର ସ୍ପର୍ଦ୍ଧା ତ କମ ନୁହେଁ ? ମହାରାଜ ସ୍ପଷ୍ଟଭାବେ ଇଙ୍ଗିତ ଦେଇ କହିଛନ୍ତି ଚେଳିତାଳୋ ପ୍ରଧାନ ବୌଦ୍ଧ ବିହାର ତ୍ୟାଗ କରି ଅନ୍ୟତ୍ର ଚାଲିଯିବାକୁ । ତାହା ସେ ନକରି ମଗଧ ଧର୍ମସଭାରେ ସଭାପତିତ୍ୱ କରିବାପାଇଁ ଯିବାଦ୍ୱାରା ତାଙ୍କ ଆଦେଶର ଅମାନ୍ୟ କରାହୋଇଛି । ସେଥିପାଇଁ ସଙ୍ଗେ ସଙ୍ଗେ ଏକ “ରାଜାଦେଶ” ଜଣେ ବିଶ୍ୱସ୍ତ ରାଜ କର୍ମଚାରୀଦ୍ଵାରା ଚେଳିତାଳୋର ପ୍ରଶାସକଙ୍କ ନିକଟକୁ ପଠାଗଲା-। ସେଥିରେ ସ୍ପଷ୍ଟ ଲେଖାଥିଲା ଚେଳିତାଳୋ ପ୍ରଧାନ ବୌଦ୍ଧ ବିହାର ମଧ୍ୟକୁ ପଦ୍ମସମ୍ଭବାଙ୍କ ପ୍ରବେଶ ନିଷେଧ ଏବଂ ଯେପର୍ଯ୍ୟନ୍ତ ନୂତନ ମହାପ୍ରଜ୍ଞା ବିହାର ମଧ୍ୟକୁ ଆସିନାହାନ୍ତି, ସେପର୍ଯ୍ୟନ୍ତ ବୌଦ୍ଧବିହାର ପରିଚାଳନାଭାର ପ୍ରଶାସନଙ୍କ ହାତରେ ରହିବ ।

 

କଳିଙ୍ଗ ମହାରାଜାଙ୍କ ଆଦେଶ ଚେଳିତାଳୋରେ ଖୁବ୍‍ଶୀଘ୍ର ପ୍ରଶାସନଙ୍କ ହସ୍ତଗତ ହେଲା ଏବଂ ପ୍ରଶାସନ ଅତି ପବିତ୍ର ଭାବେ ବୌଦ୍ଧ ବିହାରରେ ଉଦ୍‌ଗତ ହୋଇ ମହାରାଜାଙ୍କ ଆଦେଶ ବିଜ୍ଞାପିତ କଲେ ।

 

ଏଭଳି ଏକ ରାଜାଦେଶ ଆସିବ ବୋଲି ପଦ୍ମସମ୍ଭବାଙ୍କ ଅନୁଗତମାନେ ଆଶା କରୁନଥିଲେ । ସେମାନଙ୍କ ମଧ୍ୟରୁ ମୁଖ୍ୟ କେତେଜଣ ମଗଧ ଛୁଟିଲେ ପଡ଼ମସମ୍ଭବାଙ୍କୁ ସମ୍ବାଦ ଦେବାପାଇଁ । ସେମାନଙ୍କର ଧାରଣା ପଦ୍ମସମ୍ଭବା କଳିଙ୍ଗର ମହାରାଣୀଙ୍କୁ ତାଙ୍କ ଦୁର୍ଦ୍ଦଶା କଥା ଜଣାଇଲେ ମହାରାଣୀ ନିଶ୍ଚୟ ହସ୍ତକ୍ଷେପ କରି ପୁଣି ସବୁ ଓଲଟ ପାଲଟ କରିନେବେ; ମାତ୍ର ସେମାନେ ମଗଧରେ ପହଞ୍ଚି ଜାଣିବାକୁ ପାଇଲେ, ମହାପ୍ରାଜ୍ଞ ପଦ୍ମ ସମ୍ଭବା ସଭାକାର୍ଯ୍ୟ ସମ୍ପାଦନା କରି କଳିଙ୍ଗ ଫେରିଗଲେଣି ।

 

ସମ୍ଭବତଃ ଅନ୍ୟକୌଣସି ମାର୍ଗରେ ସେ ଫେରିଯାଇଥିବେ, ଯାହାକି ସେମାନେ ଆସିଲାବେଳେ ଦେଖିପାରିନାହାନ୍ତି । ତେଣୁ ସେମାନେ ବାଧ୍ୟହୋଇ ଅନ୍ୟପଥରେ କଳିଙ୍ଗ ପ୍ରତ୍ୟାବର୍ତ୍ତନ କଲେ; ମାତ୍ର କଳିଙ୍ଗର ଚେଳିତାଳୋରେ ପ୍ରବେଶ କରି ଜାଣିଲେ ସେପର୍ଯ୍ୟନ୍ତ ମହାପ୍ରାଜ୍ଞ ଚେଳିତୋଳା ଫେରିନାହାନ୍ତି । ସମ୍ଭବତଃ ମଗଧରୁ ମହାପ୍ରାଜ୍ଞ ସିଧା କଳିଙ୍ଗର ମହାରାଣୀଙ୍କ ନିକଟକୁ ଯାଇଥିବେ କିମ୍ବା ପାଠ ମଧ୍ୟରେ କିଛି ସମୟ କେଉଁଠାରେ ରହିଯାଇଥିବେ ।

 

ଦେଶ ବିଦେଶରେ ବାଣିଜ୍ୟ କରି ନିତି ବହୁ କାଳିଙ୍ଗିକ ବୋଇତ ଚେଳିତାଳୋ ପ୍ରତ୍ୟାବର୍ତ୍ତନ କରେ । ଅନ୍ୟଦେଶର ବୋଇତ ମଧ୍ୟ ବହୁମୂଲ୍ୟ ଦ୍ରବ୍ୟ କ୍ରୟ କରିବାକୁ ଚେଳିତୋଳା ଆସିଥାଏ । ସମସ୍ତେ କିନ୍ତୁ ଯାଇଥାନ୍ତି ବୌଦ୍ଧବିହାରମାନଙ୍କୁ । ପ୍ରଜ୍ଞା, ମହାପ୍ରଜ୍ଞାମାନଙ୍କୁ ଭେଟି ସେମାନେ କିଛି ରତ୍ନ ଭେଟି ଦେଇଥାନ୍ତି । ଶୁଣିଥାନ୍ତି ବୁଦ୍ଧଙ୍କ ଆତ୍ମୀୟବାଣୀ ପ୍ରଜ୍ଞାମାନଙ୍କ ମୁଖରୁ । ପୁଣି ଯେଉଁଦିନଠାରୁ ଚେଳିତାଳୋରେ ଥେର ଓ ପ୍ରାଜ୍ଞମାନେ ତନ୍ତ୍ରର ଅଦ୍ଭୁତ କ୍ରିୟା ଦର୍ଶନ କରାଇ ଲୋକ ଜଗତକୁ ଚମତ୍କୃତ କଲେଣି, ସେହିଦିନଠାରୁ ଅଧିକ ସଂଖ୍ୟକ ବୋଇତ ଚେଳିତାଳୋ ଆସୁଛି ଏବଂ ବାଣିଜ୍ୟରେ ପ୍ରଚୁର ଲାଭପାଇଁ ତଥାଗତଙ୍କର ନୂତନ ପନ୍ଥାରେ ଆଶ୍ରୟ ଗ୍ରହଣ କରୁଛନ୍ତି । ଯେଉଁମାନଙ୍କର ବାଣିଜ୍ୟରେ ସେଭଳି କିଛି ଲାଭ ହେଉନାହିଁ କିମ୍ବା ତ୍ରୁଟିରେ ଚାଲୁଛି, ସେମାନେ ନୂତନ ଆଶାରେ ଚେଳିତାଳୋ ଆସିଥାନ୍ତି । ମହାଦେବୀ ତାରାଙ୍କର ଏବଂ ଅନ୍ୟାନ୍ୟ ଦେବତାଙ୍କର ପୂଜା କରୁକରୁ ଦେବତାଙ୍କଠାରୁ ମନ୍ଦାର କନିଅର ଆଦି ଫୁଲ ଶୁଭସୂଚନା କରି ଖସିଥାଏ । ତାହା ଦେବତାର ଆଶୀର୍ବାଦରୂପେ ଗ୍ରହଣକରି ସାଧବମାନେ ବୋଇତ ଧରିଯାନ୍ତି । ଯେତେବେଳେ ପ୍ରଚୁର ଲାଭ ହୁଏ, ତାହା ତନ୍ତ୍ରଦେବତାଙ୍କ ଆଶୀର୍ବାଦରୁ ହୋଇଛି ବୋଲି ଧାରଣା କରି ପୁଣି ଆସନ୍ତି ଚେଳିତାଳୋ । ବହୁମୂଲ୍ୟ ରତ୍ନ ଉଦାହରଣରୂପେ ଦେଇଥାନ୍ତି ବିହାରମାନଙ୍କରେ-। ନିତି ଚାଲିଥାଏ ବିହାରମାନଙ୍କରେ ଶକ୍ତି, ମହାଶକ୍ତିମାନଙ୍କର ଉପାସନା । ବିଭିନ୍ନ ଉପଚାରରେ ଆରାଧିତ ହୋଇଥାନ୍ତି ଦେବତାମାନେ ।

 

ତନ୍ତ୍ରପନ୍ଥୀମାନେ କହନ୍ତି ମହାଶକ୍ତିଙ୍କଠାରୁ ଶକ୍ତି କ୍ଷରିତ ସମସ୍ତଙ୍କୁ ଶକ୍ତିବାନ୍ କରିଥାଏ । ଯେତେବେଳେ ସେମାନଙ୍କ ତ୍ରୁଟିଯୋଗୁ ବ୍ୟକ୍ତି ବିଶେଷ ମହାଶକ୍ତିଙ୍କଠାରୁ ବିଚ୍ଛିନ୍ନ ହୋଇଯାନ୍ତି, ସେତେବେଳେ ଆପେ ଆପେ ଶକ୍ତିହୀନ ହୋଇ ଦୁର୍ଭାଗ୍ୟଦ୍ଵାରା କବଳିତ ହୁଅନ୍ତି । ସେଥିପାଇଁ ଆବଶ୍ୟକ ମହାଶକ୍ତିଙ୍କ ସହିତ ପୁନର୍ବାର ସଂପର୍କ ସ୍ଥାପନ । ରୋଗ ନିରୂପଣ କରି କବିରାଜମାନେ ଭିନ୍ନ ଭିନ୍ନ ରୋଗକୁ ଭିନ୍ନ ଭିନ୍ନ ଔଷଧ ଦେଲାଭଳି ତନ୍ତ୍ରରେ ମଧ୍ୟ ଭିନ୍ନ ଭିନ୍ନ କାର୍ଯ୍ୟପାଇଁ ବିଭିନ୍ନ ଦେବତାଙ୍କ ଆରାଧନା କରାଯାଏ । ପୂଜାରେ ବିଭିନ୍ନ ଉପଚାର ନେଇ ପୂଜା କରାଗଲାପରେ ଦେବତା ଯେତେବେଳେ ସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ଦୁର୍ଭାଗ୍ୟ ଆପେ ଆପେ ବିଦୂରିତ ହୁଏ । ଏହା ପ୍ରତ୍ୟକ୍ଷ କଲେଣି ବହୁ ସାଧବ ତଥା ବହୁ ସାଧାରଣ ଲୋକେ । ନିଜେ କଳିଙ୍ଗର ସମ୍ରାଟ ତନ୍ତ୍ରର ଅଦ୍ଭୁତ ଶକ୍ତି ପରୀକ୍ଷାକରି ଚମତ୍କୃତ । ରତ୍ନଗିରି ବିହାରରେ ଯେଉଁ ମହାଯାନ ପନ୍ଥୀମାନେ ଯୋଗ, ତନ୍ତ୍ରରେ ପ୍ରବେଶକରି ତା’ର ଅଭ୍ୟୁତଥାନ ପାଇଁ ଆମରଣ ଚେଷ୍ଟିତ, ସେମାନଙ୍କୁ ମହାରାଜା ସବୁ ପ୍ରକାର ସାହାଯ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କର ସେହି ତନ୍ତ୍ରର ପ୍ରଚାର ପାଇଁ ଉପଯୁକ୍ତ କେନ୍ଦ୍ର ହୋଇଉଠିଛି ପୂର୍ବଭାରତର ପ୍ରସିଦ୍ଧ ପୋତାଶ୍ରୟ ଚେଳିତାଳୋ । କଳିଙ୍ଗର ଚେଳିତାଳୋରୁ ବୌଦ୍ଧଧର୍ମର ଏକ ନୂତନ ବାର୍ତ୍ତା ସାରା ବିଶ୍ଵରେ ବିଚ୍ଛରିତ ହୋଇପଡ଼ୁଛି । ପୃଥିବୀର ବିଭିନ୍ନ ସ୍ଥାନରୁ ବହୁ ବିଜ୍ଞବ୍ୟକ୍ତି ସେହି ବାର୍ତ୍ତା ଶ୍ରବଣ କରି ଛୁଟି ଆସୁଛନ୍ତି । ସେମାନେ ଉପଢ଼ୌକନରୂପେ ଭେଟି ଦେଉଛନ୍ତି ବୌଦ୍ଧବିହାରମାନଙ୍କରେ ବହୁ ମୂଲ୍ୟବାନ ରତ୍ନ । ଏହାଦ୍ଵାରା କଳିଙ୍ଗ ଯେତେକ ଧନାଢ଼୍ୟ ହେଉଛି, ସେତିକି ତା’ର ସୁନାମ ବ୍ୟାପୁଛି ।

 

କିନ୍ତୁ ଏହାକୁ ସମର୍ଥନ କରନ୍ତି ନାହିଁ ମହାପ୍ରଜ୍ଞା ପଦ୍ମସମ୍ଭବା । ସେ କହନ୍ତି ଏହାଦ୍ଵାରା ବୌଦ୍ଧଧର୍ମ ତଥା ମୂଳ ମହାଯାନ ପନ୍ଥାର ବିଲୋପ ସାଧିତ ହେଉଛି । ତେଣୁ ଅଚିରେ ଧ୍ଵଂସ ପାଇଯିବ ଏ ଦେଶରୁ ବୌଦ୍ଧଧର୍ମ; ତା’ର ବିରୋଧ ନିତାନ୍ତ ଆବଶ୍ୟକ ମନେକରି ସେ ତନ୍ତ୍ର ବିରୁଦ୍ଧରେ ପ୍ରବଳ ଯୁକ୍ତି ବାଢ଼ି ଆସିଛନ୍ତି । ଫଳରେ ଲୋକମତ ତାଙ୍କ ବିରୁଦ୍ଧରେ ଗତି କରିଛି । ଏପରି ହୋଇଛି ଯେ ମହାପ୍ରଜ୍ଞା ପଦାକୁ ବାଦାରିବାକୁ ଭୟକରନ୍ତି । ତେଣୁ ଯେ ବାଧ୍ୟ ହୋଇଛନ୍ତି ଚେଳିତାଳୋର ପ୍ରଶାସକଙ୍କ ସାହାଯ୍ୟ ନେବାପାଇଁ ।

 

ଚେଳିତାଳୋ ପ୍ରଶାସକଙ୍କ ନିକଟରେ ତାଙ୍କର କୌଣସି ଦୁର୍ବଳତା ନଥିଲା; ମାତ୍ର ବହୁ ସମୟ ଧରି ପ୍ରତିଦିନ ଉଭୟେ ଅବସ୍ଥାକୁ କିପରି ଆୟତ୍ତ କରାଯିବ ସେ ବିଷୟରେ ଆଲୋଚନା କରୁ କରୁ ସ୍ୱତଃ ଉଭୟଙ୍କ ସହିତ ଉଭୟ ଏକ ହାର୍ଦ୍ଦିକ ଏକତ୍ୱ ଅନୁଭବ କଲେ । ଉଭୟେ ଗଳ୍ପରତବେଳେ ପ୍ରଶାସକ ତାଙ୍କ ମୁହଁକୁ ଯେଉଁଭଳିଭାବେ ଲକ୍ଷ୍ୟ କରନ୍ତି, ସେଥିରେ ପଦ୍ମସମ୍ଭବାଙ୍କ ମୁଖରେ ଏକ ଲଜ୍ଜାର ଗୋଲାପିରେଖା ଖେଳିଯାଏ । ପରଦିନ ପ୍ରଶାସକ ଯେତେବେଳେ ସେତେବେଳେ ପଦ୍ମସମ୍ଭବା ବହୁ ମୂଲ୍ୟ ବସ୍ତ୍ରାବୃତ୍ତା ହୋଇ ମୃଗମଦ କସ୍ତୁରୀ ଅଙ୍ଗରେ ଲେପନପୂର୍ବକ ଅଭିନବ ଗନ୍ଧରେ ପ୍ରଶାସକଙ୍କୁ ଅମୋଦିତ କରି ତାଙ୍କୁ ପିଚ୍ଛିଳପଥରେ ଚାଲିବାପାଇଁ ସତେ ଯେପରି ଉତ୍ସାହିତ କରନ୍ତି, ସେହିପରି ପ୍ରଶାସକ ଅନୁମାନ କରନ୍ତି ।

 

ପଦ୍ମସମ୍ଭବାଙ୍କ ବୟସ ଯଥେଷ୍ଟ ଆଗେଇଯାଇଥିଲେ ମଧ୍ୟ ତାଙ୍କୁ ଦେଖିଲେ ମନେହେବ ଯୌବନ ସୀମାରେଖା ମଧ୍ୟରେ ଯେପରି ସେ ଅଛନ୍ତି । ଦୀର୍ଘଦିନ ସଂଯମ ସାଧନା ମଧ୍ୟରେ ନିଜକୁ ଅନୁପ୍ରାଣିତ କରି କାମପ୍ରବୃତ୍ତିକୁ ଯୋଗକରି ପ୍ରଶମିତ କରିଛନ୍ତି ସେ । ଶାସ୍ତ୍ରର ନିଗୂଢ଼ ତତ୍ତ୍ୱରେ ନିଜକୁ ହଜାଇଦିଅନ୍ତି ଦିନର ଅଧିକାଂଶ ସମୟ । ତଥାପି ବେଳେବେଳେ ନିଜ ଭିତରେ ଯୌବନର ସ୍ଥିତିକୁ ଅନୁଭବ କରନ୍ତି । ଅନୁଭବ କରନ୍ତି । ବୁଦ୍ଧ-ଧର୍ମ-ସଂଘରେ କାୟ ମନ ବାକ୍ୟରେ ସେ ଆଶ୍ରୟ ନେଇଛନ୍ତି । ତେଣୁ ବୌଦ୍ଧଧର୍ମରେ ନଥିବା ତନ୍ତ୍ରମାର୍ଗକୁ ସମର୍ଥନ କରିପାରନ୍ତି ନାହିଁ । ସେଥିପାଇଁ ତନ୍ତ୍ରଧର୍ମୀ ଯେତେବେଳେ ତନ୍ତ୍ରମାର୍ଗ ଏବଂ ସେହି ମାର୍ଗରେ ଗଲେ କିପରି ଫଳ ମିଳେ, ତାହା ବୟାନ କରନ୍ତି, ପଦ୍ମସମ୍ଭବା ତାଙ୍କୁ ବିଦ୍ରୂପ କରି କହନ୍ତି ମଦ୍ୟ-ମତ୍ସ୍ୟ-ମାଂସ-ମୁଦ୍ରା-ମୈଥୁନଦ୍ୱାରା କେଉଁ ସିଦ୍ଧି ମିଳିପାରିବ ? ସିଦ୍ଧି ପ୍ରାପ୍ତି ଯଦି ମଦ-ମାଂସ-ମୈଥୁନଦ୍ୱାରା କେଉଁ ସିଦ୍ଧି ମିଳିପାରିବ ? ସିଦ୍ଧି ପ୍ରାପ୍ତି ଯଦି ମଦ-ମାଂସ-ମୈଥୁନରେ ଆସିପାରନ୍ତା, ତେବେ ଏତେ-ସାଧନା ସଂଯମରେ ସାଧକମାନେ ଯୁଗ ଯୁଗକୁ କାହିଁକି ଅନୁପ୍ରାଣିତ ହୋଇଆସନ୍ତେ ।

 

ସେଦିନ ସେହି ରାଜକର୍ମଚାରୀ ପଦ୍ମସମ୍ଭବାଙ୍କ ସହିତ ଗଳ୍ପ କରୁକରୁ କହିଲେ, ତନ୍ତ୍ରପନ୍ଥୀ କହୁଛନ୍ତି ଭଗ୍ନସ୍ତନେ କର ସମର୍ପିବ, ଯୋନିମୁଦ୍ରାକୁ ଦେବୀଭାବେ ନେବେ ।

 

ଖିଲ୍ ଖିଲ୍ ହୋଇ ହସିଉଠିଲେ ପଦ୍ମସମ୍ଭବା । ତାଙ୍କ ହାସ୍ୟରୋଳରେ ନିଜର ହସ ମିଶାଇ ହସିଉଠିଲେ ରାଜକର୍ମଚାରୀ । ଦୁହେଁ ହସି ହସି ଏକ ହୋଇଗଲେ । ସତେ ଯେପରି ତନ୍ତ୍ରର ଦୁଇ ସାଧକ ସାଧିକା । ଶିବ ପାର୍ବତୀଙ୍କ ପରି ଦୁହିଁଙ୍କର ସଂଯୋଗ ହୁଏ–ସ୍ଖଳନ ହୁଏ ନାହିଁ ରଜବୀର୍ଯ୍ୟ । କ୍ଷଣକ ମଧ୍ୟରେ ପଦ୍ମସମ୍ଭବା ଫେରିଆସନ୍ତି ନିଜ ମଧ୍ୟକୁ । ନିଜକୁ ନିଜେ ଅପସାରିନେଇ ପ୍ରକୃତିସ୍ଥ ହୋଇପଡ଼ନ୍ତି ସେ । ବିଚରା ରାଜକର୍ମଚାରୀ ଦୋଷୀଙ୍କ ଭଳି ସଂକୁଚିତ ହୋଇପଡ଼ନ୍ତି । ହସପର୍ବ ସେହିଠାରେ ଇତି ହୁଏ ।

 

ସେ ଇତି କିନ୍ତୁ ସେହି ସମୟ ପାଇଁ । ପୁନର୍ବାର ଯେବେ ସେମାନେ ପରସ୍ପର ପରସ୍ପରକୁ ଭେଟନ୍ତି, ପୁଣି ସେମାନେ ଭୁଲିଯାନ୍ତି ପୂର୍ବ ଶୋଚନାକୁ-ପୂର୍ବ ଦୁର୍ବଳତାକୁ । ଯେପରି ଆଦିଯୁଗରୁ ଏହି ପର୍ବ ଚଳିଆସୁଛି । ଏହାର ଅନ୍ତ ନାହିଁ । ଅନ୍ତ ଆଣିବାକୁ ଯାଇ ଭ୍ରମର ବନ୍ଦି ହୋଇଯାଇଛି ପଦ୍ମ ମଧ୍ୟରେ ।

 

ଯେଉଁ ସମୟରେ ପଦ୍ମସମ୍ଭବାଙ୍କୁ ଚେଳିତାଳୋ ବୌଦ୍ଧ ବିହାରରୁ ବହିଷ୍କାର କରାଗଲା, ଠିକ୍ ସେହି ସମୟରେ ସେହି ରାଜକର୍ମଚାରୀଙ୍କ ବଦଳି ବୁଦ୍ଧନଗରକୁ ହେଲା । ମଗଧକୁ ଯିବା ପୂର୍ବରୁ ଅନ୍ୟମାନଙ୍କ ସହିତ ସେ ପଦ୍ମସମ୍ଭବାଙ୍କୁ ସାକ୍ଷାତ କରିଥିଲେ; କିନ୍ତୁ ତାଙ୍କ ସହିତ ଅଧିକ କିଛି ପଦ୍ମସମ୍ଭବା କଥାବାର୍ତ୍ତା କରିନଥିଲେ ।

 

ଦିନ ପରେ ଦିନ ଗତି ହେବାକୁ ଲାଗିଲା । ମଗଧରୁ କଳିଙ୍ଗକୁ ପଦ୍ମସମ୍ଭବା ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ସେ ଆଉ ଚେଳିତାଳୋ ଫେରିଲେନାହିଁ । କଳିଙ୍ଗର ଅନ୍ୟକୌଣସି ବିହାରକୁ ସେ ଆସିଥିବା କଥା କେହି ଜାଣନ୍ତିନାହିଁ । କେତେଦିନ ଗତ ହୋଇଗଲାପରେ କଳିଙ୍ଗର ମହାରାଜଙ୍କ ଉପସ୍ଥିତିରେ ବୌଦ୍ଧ ଶ୍ରମଣମାନେ ଚେଳିତାଳୋର ମହାପ୍ରାଜ୍ଞରୂପେ ‘ସ୍ଥିତପ୍ରଜ୍ଞ’ଙ୍କୁ ସ୍ଥିର କଲେ । ସ୍ଥିତପ୍ରଜ୍ଞ ତନ୍ତ୍ରର କେବଳ ପଣ୍ଡିତ ନୁହନ୍ତି ସିଦ୍ଧ ସାଧକ । ପଦ୍ମସମ୍ଭବାଙ୍କ ଅନୁଗତମାନେ ତାଙ୍କୁ ବିରୋଧ କରିବାତ ଦୂରର କଥା ତାଙ୍କର ଆନୁଗତ୍ୟ ସ୍ଵୀକାର କଲେ, ତାଙ୍କର ଉଚ୍ଛ୍ୱାସିତ ପ୍ରଶଂସା କରି । ଧୀରେ ଧୀରେ ଲୋକେ ପଦ୍ମସମ୍ଭବାଙ୍କୁ ତଥା ତାଙ୍କ କୀର୍ତ୍ତି ଅପକୀର୍ତ୍ତି ସବୁକୁ ଭୁଲିଗଲେ । ଏପରିକି ଚେଳିତାଳୋରେ ପଦ୍ମସମ୍ଭବା ନାମରେ କେହିଜଣେ ମହାପ୍ରାଜ୍ଞ ଥିଲେ ଏହାମଧ୍ୟ ଲୋକଙ୍କ ମନରୁ ପାସୋରି ହୋଇଯିବାକୁ ଲାଗିଲା ।

 

ତନ୍ତ୍ରାଚାର୍ଯ୍ୟ ସ୍ଥିତପ୍ରଜ୍ଞ ଚେଳିତାଳୋରେ ମହାପ୍ରାଜ୍ଞ ହେଲାପରେ ଚେଳିତାଳୋ ବୁଦ୍ଧ ବିହାରଗୁଡ଼ିକରେ ତନ୍ତ୍ରର ମହାପୂଜା ନିର୍ଦ୍ଦନ୍ଦ୍ୱରେ ଚାଲିଲା । ବିଭିନ୍ନ ଉପଚାରରେ ନୂତନ ପଦ୍ଧତିରେ ପୂଜା କରିବାରେ ଅସୁବିଧା ରହିଲାନାହିଁ । ପୂଜା ଶେଷରେ ଅଗ୍ନି ପ୍ରଜ୍ଜ୍ୱଳିତ କରି ଦେବୀଙ୍କ ତୁଷ୍ଠିପାଇଁ ଆହୁତି ପ୍ରଦାନ କରାଯାଏ । ଷୋଡ଼ଷ ଉପଚାରର ଅନ୍ୟତମ ଉପଚାର ବଳିଦେବା ପ୍ରଥା ଅତି ନିଷ୍ଠାର ସହିତ ଚାଲିଲା । ଥରେ ଥରେ ପୂଜା ସମୟରେ ବା ପରେ ବ୍ୟକ୍ତିବିଶେଷଙ୍କ ମାଧ୍ୟମରେ ଦେବୀ ଆବିର୍ଭୂତ ହୁଅନ୍ତି । ଘଣ୍ଟ, ଘଣ୍ଟା, ଶଙ୍ଖ, ମହୁରୀ, ଢୋଲ ପ୍ରଭୃତି ବାଦ୍ୟରୋଳ ମଧ୍ୟରେ ଝୁଲି ଝୁଲି ଦେବୀ ନୃତ୍ୟ କରନ୍ତି । ବ୍ୟକ୍ତି ବିଶେଷଙ୍କ ଦୋଷ ତ୍ରୁଟି ଦେଖାଇ ତାଙ୍କ ଦୋଷର ପ୍ରାୟଶ୍ଚିତ ପାଇଁ ବ୍ୟବସ୍ଥାମାନ କରିବାକୁ କୁହନ୍ତି ।

 

ପ୍ରକୃତି ଦେବୀ ଆବିର୍ଭୂତ ହେଉଛନ୍ତି ନା ଏହା ଲୋକଙ୍କୁ ଭୁଲାଇବା ପାଇଁ ଏକ ମନଗଢ଼ା ବ୍ୟବସ୍ଥା ଏହା ପରୀକ୍ଷାପାଇଁ ସ୍ୱୟଂ କଳିଙ୍ଗର ମହାରାଜା ଉପସ୍ଥିତ ହୋଇ ସତ୍ୟ ଉପଲବ୍‌ଧି କରି ଚମତ୍କୃତ ହୁଅନ୍ତି ।

 

ପୂର୍ବ ଅପେକ୍ଷା ଚେଳିତାଳୋରେ ଜନସମାଗମ ବଢ଼ିଗଲା । ତନ୍ତ୍ରସାଧକ ମାନଙ୍କ ଲୀଳାଭୂମି ଚେଳିତାଳୋ କଥା ଦୂରଦୁରାନ୍ତରେ ବିଦେଶମାନଙ୍କରେ ବହୁଭାବେ ପ୍ରଚାର ହୁଏ । ଚକ୍ଷୁ, କର୍ଣ୍ଣର ବିବାଦ ମେଣ୍ଟାଇବାକୁ ଲୋକେ ଛୁଟିଆସନ୍ତି ଚେଳିତାଳୋ । ଇନ୍ଦ୍ରଜାଲପରି ବହୁ ଅଦ୍‌ଭୁତ କଥା ସେମାନେ ପ୍ରତ୍ୟକ୍ଷ କରନ୍ତି । ସେମାନେ ଦେଖନ୍ତି ବିଷଧର ସର୍ପର ଗତିକୁ ଆୟତ କରାହୋଇଛି । ସାଧକମାନେ ବୃକ୍ଷଉପରେ ଆରୋହଣ କରି ଶୂନ୍ୟରେ ଭ୍ରମଣ କରୁଛନ୍ତି । ସିଦ୍ଧ ତାନ୍ତ୍ରିକର ଆଦେଶମାତ୍ରେ ରୋଗ ବିଦୂରିତ ହେଉଛି । ପ୍ରାଣସଂଚାର ହେଉଛି ଶବମଧ୍ୟରେ ଏହିଭଳି ଅନେକ କିଛି ଅତି ଆଶ୍ଚର୍ଯ୍ୟ କଥାମାନ ଚେଳିତାଳୋରେ ଘଟୁଛି ।

 

ଏକଦା ସୁପ୍ରତିଜ୍ଞ ସ୍ଥିରକଲେ ଚେଳିତାଳୋରେ ତନ୍ତ୍ରର ମହାଦେବୀଙ୍କର ଏକ ମନ୍ଦିର ହେବ ଏବଂ ସେହି ମନ୍ଦିରରେ ତନ୍ତ୍ରଦେବୀ ପୂଜା ପାଇବେ । ମହାପ୍ରଜ୍ଞାଙ୍କ ପ୍ରସ୍ତାବକୁ ତନ୍ତ୍ରାଚାର୍ଯ୍ୟମାନେ ଆନନ୍ଦର ସହିତ ଗ୍ରହଣ କଲେ; ମାତ୍ର ଆଉ କେତେକ ମତପ୍ରକାଶ କଲେ ବୌଦ୍ଧବିହାରମାନଙ୍କରେ ତନ୍ତ୍ରର ତ ପୂଜା ରୀତିମୁତାବକ ଚାଲିଛି ମନ୍ଦିରର କିବା ଆବଶ୍ୟକ ? କିନ୍ତୁ ଅଧିକାଂଶ ତାନ୍ତ୍ରିକ ତଥା ପ୍ରଜ୍ଞାମାନେ ମହାପ୍ରଜ୍ଞାଙ୍କ କଥାକୁ ଅନୁମୋଦନ କଲେ । ଏହାର ବିଶେଷ ଭାର ଗ୍ରହଣ କଲେ ଜଂଖେରର ସାଧବମାନେ । ଚନ୍ଦ୍ରଭାଗା ଏବଂ ବୁଦ୍ଧନଦୀ କୂଳରେ ଏହି ମନ୍ଦିର ନିର୍ମାଣ ହେବବୋଲି ସ୍ଥିର କରାଗଲା । ମନ୍ଦିରର ପୂର୍ବଭାଗକୁ ରହିବ କଣୟାବତୀ ପାଟଣା ଯେଉଁଠାରେ କି ସାଧବମାନଙ୍କର ମହାର୍ହହର୍ମ୍ୟରାଜି ଦର୍ଶକମନକୁ ମୁଗ୍ଧ କରେ ।

 

ତନ୍ତ୍ରଦେବୀଙ୍କ ମନ୍ଦିର ନିର୍ମାଣପାଇଁ ଅର୍ଥର ଅଭାବ ନାହିଁ । ପଶ୍ଚିମ ପାହାଡ଼ମାଳାରୁ ପଥର କଟାହୋଇ ମହାନଦୀରେ ଆସିଗଲା । ଶିଳ୍ପୀମାନେ ଏକ ନକ୍‌ସା ପ୍ରସ୍ତୁତ କରି ମନ୍ଦିର କାର୍ଯ୍ୟ ଆରମ୍ଭ କରିଦେଲେ । ମନ୍ଦିରର ଗାତ୍ରରେ ପ୍ରସ୍ତରର ବିଭିନ୍ନ ବନ୍ଧ ସହିତ କାରୁକାର୍ଯ୍ୟରେ ସୁଶୋଭିତ ହେବାପାଇଁ ଶିଳ୍ପୀମାନଙ୍କୁ କୁହାଗଲା । ମୁଦ୍ରା, ମଣ୍ଡଳ ମନ୍ଦିର ଗାତ୍ରର ବିଭିନ୍ନ ସ୍ଥାନରେ ଅଙ୍କିତ ହେଲା-

 

ମନ୍ଦିରର ଶୀର୍ଷଦେଶରେ ଚକ୍ରରହିବ ନା ତ୍ରିଶୂଳ ରହିବ ଏହା ଏକ ବିରାଟ ପ୍ରଶ୍ନ ହୋଇଉଠିଲା । ଏଥିପାଇଁ ତନ୍ତ୍ରାଚାର୍ଯ୍ୟମାନେ ଏକତ୍ରିତ ହୋଇ ଆଲୋଚନା କଲେ । କେତେକ ମତବ୍ୟକ୍ତ କଲେ ତ୍ରିଶୂଳ ରହିବା ଉଚିତ୍ । ଦେବୀଙ୍କ ସାଙ୍କେତିକ ଚିହ୍ନ ଯୋନିମୁଦ୍ରା ସହିତ ତ୍ରିଶୂଳର ଯଥେଷ୍ଟ ସାମଞ୍ଜସ୍ୟ ଅଛି । ତେଣୁ ତ୍ରିଶୂଳ ରହିବା ବିଧେୟ । ପୁଣି ତ୍ରି ଶକ୍ତିର ଅପୂର୍ବ ସମନ୍ୱୟ ଘଟିଛି ତ୍ରିଶୂଳରେ । ତ୍ରିଜଗତ ଆଧାରଭୂତା ଯେଉଁ ଜଗଜ୍ଜନନୀ ମନ୍ଦିରରେ ଉପାସିତ ହେବେ, ସେ ଯେତେବେଳେ ତ୍ରିମୂର୍ତ୍ତିର ପ୍ରତୀକରୂପେ ଗଠିତ ହେଉଛନ୍ତି ସେତେବେଳେ ତାଙ୍କର ସାଙ୍କେତିକ ଚିହ୍ନ ତ୍ରିଶୂଳ ରହିବା ସ୍ୱାଭାବିକ ।

 

ଏହି ଆଲୋଚନା ସଭାରେ ବହୁ ତାନ୍ତ୍ରିକ ତଥା ସାଧାରଣ ବ୍ୟକ୍ତି ଉପସ୍ଥିତ ଥିଲେ । ସମସ୍ତଙ୍କ ସହିତ କେତେଜଣ ସାଧିକା ସେଠାରେ ମଧ୍ୟ ଉପବେଶନ କରିଥିଲେ । ସେମାନେ ବୌଦ୍ଧଧର୍ମୀଙ୍କ ଚୀବର ଧାରଣ କରିଥିଲେ ମଧ୍ୟ ମସ୍ତକରେ ସିନ୍ଦୁରର ତ୍ରିଶୂଳରେଖା କାଟି ନିଜକୁ ତନ୍ତ୍ରପନ୍ଥୀ ବୋଲି ବିଜ୍ଞାପିତ କରୁଥିଲେ । ସେମାନେ କାହାଠାରୁ ପ୍ରବଯ୍ୟା ଗ୍ରହଣ କରିଛନ୍ତି ତାହା କାହାରିକୁ ବିଦିତ ନଥିଲା ବୟସରେ ସେମାନେ ଯଥେଷ୍ଟ କନିଷ୍ଠ; କିନ୍ତୁ ଲକ୍ଷକଲେ ମନେହୁଏ ସାଧନାର ଉଚ୍ଚସ୍ତରରେ ସେମାନେ ବିଚରଣ କରୁଛନ୍ତି । ସାରାଦେହରେ ପୂର୍ଣ୍ଣ ଯୌବନ ତାଙ୍କର ପରିପୁଷ୍ଟ । ନର କରୋଟୀର ଭିକ୍ଷାପାତ୍ର ପ୍ରତ୍ୟେକଙ୍କ ହାତରେ ଶୋଭାପାଉଥାଏ ନାଭିଦେଶ ପର୍ଯ୍ୟନ୍ତ ରୁଦ୍ରାକ୍ଷର ମାଳା ଲମ୍ବିଯାଇଛି । ସେମାନଙ୍କ ବକ୍ଷୋଜର ଶୋଭା ଯେଉଁଭଳି ଦର୍ଶକ ମନକୁ ବିଭ୍ରାନ୍ତ କରେ ସେହିଭଳି ମୁଖର ଗାମ୍ଭୀର୍ଯ୍ୟ ଯୁବମନର ଲୋଲୁପ ଦୃଷ୍ଟିକୁ ପ୍ରଶମିତ କରେ । ସୌନ୍ଦର୍ଯ୍ୟର ମାଦକତା ସହିତ ମୁଖର କଠୋରତା ଲକ୍ଷ୍ୟ କରି ଉପସ୍ଥିତ ତନ୍ତ୍ରାଚାର୍ଯ୍ୟମାନେ ବିସ୍ମିତ ହୋଇଗଲେ ।

 

ସେମାନଙ୍କ ମଧ୍ୟରୁ ଜଣେ ସାଧିକା ଧୀର ନମ୍ରଶ୍ୱରରେ କହିଲେ, ମନ୍ଦିରର ଶୀର୍ଷ ଦେଶରେ ଚକ୍ର ସ୍ଥାପନ କରିବା ଅଧିକ ସମୀଚୀନ ।

 

ମହାପ୍ରାଜ୍ଞ ସ୍ଥିତପ୍ରଜ୍ଞ ନୂତନ ମତଦାତ୍ରୀଙ୍କୁ ଲକ୍ଷ୍ୟକରି ପ୍ରଶ୍ନକଲେ, “ଭଦ୍ରେ ! ଚକ୍ର ତନ୍ତ୍ରର ଏକ ମୌଳିକ ସଙ୍କେତ ଏ ବିଷୟରେ ତୁମେ ନିଶ୍ଚିତ ତ ?”

 

-“ଚକ୍ର ତନ୍ତ୍ରର ମୌଳିକ ସଙ୍କେତ ଏଥିରେ ଦ୍ଵିଧା କରିବାର କିଛି ନାହିଁ । ଯାଜନଗ୍ରରେ ଯେଉଁ ବିରାଟ ଧର୍ମ ମହାସଭା ହୋଇଥିଲା, ସେହି ସଭାରେ ସ୍ଥିତପ୍ରଜ୍ଞ ତନ୍ତ୍ରଜଗତରେ ଚକ୍ରର ସ୍ଥାନ ଶୀର୍ଷରେ ବୋଲି ମତବ୍ୟକ୍ତ କରିଥିଲେ । ତନ୍ତ୍ର ସ୍ଥାଣୁ ନୁହେଁ ସେ ଗତିଶୀଳ । ଗ୍ରହନକ୍ଷତ୍ରଙ୍କଠାରୁ ତନ୍ତ୍ରର ଗତି ଚମତ୍କାର । ଏହାର ବେଗ ମାପିବା ଗଣକ ଶକ୍ତିର ବାହାରେ । ଶକ୍ତିର ସ୍ଵରୂପଭୂତ ବିକାଶ ଗୋଟାଏ କେନ୍ଦ୍ରକୁ ଅବଲମ୍ବନ କରିହୁଏ । ସେହି କେଦ୍ର ସଂପୂର୍ଣ୍ଣ ମାନସ ଧାରଣାର ଅତୀତ-। ତଥାପି ସେହି କେନ୍ଦ୍ରର କଳ୍ପନା ତନ୍ତ୍ରର ପ୍ରତ୍ୟେକ ସ୍ତରରେ ରହେ । ତାନ୍ତ୍ରିକର ଗତି ଯେତେ କେଦ୍ରାଭିମୁଖୀ ହୁଏ, ସେତେ କେନ୍ଦ୍ର କଥା ତାନ୍ତ୍ରିକର ଚକ୍ଷୁରେ ଭାସିଉଠେ । ଏହି କେନ୍ଦ୍ର ଏକ ବିଶେଷ କେନ୍ଦ୍ର । ଏହି କେନ୍ଦ୍ରରେ ବିଶ୍ୱର ଓ ବିଶ୍ୱାତୀତ ପ୍ରକାଶର ଲୟ ହୁଏ । ଦାର୍ଶନିକ ଦୃଷ୍ଟିରେ ପ୍ରକାଶ ଓ ଶକ୍ତିର ପଶ୍ଚାତରେ ଗୋଟିଏ ଧୃତି ଅଛି, ଯାହାକୁ ଅବଲମ୍ବନ କରି ଶକ୍ତିର ଉନ୍ମେଷ । ଏହି ଧୃତିକୁ ଶୂନ୍ୟ କୁହାଯାଇପାରେ । କାରଣ ଏହା ହିଁ ପରମ ସତ୍ତା । ତା’ର ସ୍ୱର ରୂପ ଅବୋଧ୍ୟ ହେଲେ ମଧ୍ୟ ତନ୍ତ୍ରଜଗତରେ ତାହା ଚକ୍ରଭଳି । ପରମସତ୍ତା ନିଷ୍କ୍ରିୟ ହୋଇଗଲେ, ଚକ୍ରର ଗତି ସ୍ଥିର ହୋଇଯିବ । ଏଠାରେ ଶିବ ଶୂନ୍ୟହୋଇ ଶକ୍ତି ଧୃତିରେ ଓ କ୍ରିୟାର ଆଶ୍ରୟରେ ଶିବଙ୍କୁ ଦେଖିବାକୁପାଏ । ଶିବ ଦୃଶ୍ୟମାନ ହେଲେ ଶକ୍ତି ଦୃଶ୍ୟମାନ ହେବେ ବା ପରମସତ୍ତା ଉପଲବ୍‌ଧି ହେବ । ତେଣୁ ତନ୍ତ୍ରର ଚକ୍ର ପରମ ସଙ୍କେତ ଓ ତନ୍ତ୍ର ଚକ୍ର ମଧ୍ୟଦେଇ ପରମାଶକ୍ତିଙ୍କୁ ପ୍ରତ୍ୟକ୍ଷ କରିଥାଏ ।

 

ଆଲୋଚନା ସଭାରେ ଉପସ୍ଥିତ ସମସ୍ତଙ୍କ ଜିଜ୍ଞାସୁଦୃଷ୍ଟି କିଏ ଏହି ଚକ୍ରର ବାଖ୍ୟାକାର, ତାହା ବୁଝିବାକୁ ଆଗ୍ରହୀ ହୋଇଉଠିଲା । ନିଜେ ସ୍ଥିତପ୍ରଜ୍ଞ ମଧ୍ୟ ଚମତ୍କୃତ ହେଲେ । ପିପଲର ପ୍ରାଜ୍ଞ ‘ଧର୍ମଜ୍ଞାନ’ ପ୍ରଶ୍ନକଲେ, “ଭଦ୍ରେ କହିପାରିବେକି ସେହି ସ୍ଥିତପ୍ରଜ୍ଞ କିଏ ଏବଂ ତନ୍ତ୍ର ଜଗତରେ ତାଙ୍କର ସ୍ଥାନ କେଉଁଠି ?”

 

“ଠିକ୍ ଜାଣେ ନାହିଁ-ତଥାପି ମାତୋପାଦ କହୁଥିଲେ, ଚେଳିତାଳୋ ବୌଦ୍ଧ ବିହାରର ମହାପ୍ରାଜ୍ଞ ହେଉଛନ୍ତି ସ୍ଥିତପ୍ରଜ୍ଞ । ବାମଭାଗ ଦର୍ଶନର ଆଦି ପ୍ରବକ୍ତା ସେ ।”

 

ସ୍ଥିତପ୍ରଜ୍ଞ ହସି କହିଲେ, “ଆଗନ୍ତୁକାଙ୍କ ପରିଚୟ ଜାଣିବାରେ କିଛି ବାଧା ଅଛି କି ?”

“କ୍ଷମା କରିବେ । ଆମ୍ଭେମାନେ ବହୁଦୂରରୁ ଆସିଛୁ ସ୍ଥିତପ୍ରଜ୍ଞଙ୍କୁ ସାକ୍ଷାତ କରି ତାଙ୍କଠାରୁ ତନ୍ତ୍ର ବିଷୟରେ କିଛି ତତ୍ତ୍ଵ ଆହରଣ କରିବାକୁ । ମାତୋପାଦଙ୍କ ଶିଷ୍ୟତ୍ୱ ଆମ୍ଭେମାନେ ଗ୍ରହଣ କରିଥିଲେ ମଧ୍ୟ ତନ୍ତ୍ରର ସାଧନା ବିଷୟରେ ତାଙ୍କଠାରୁ ଆମେ ଯେତିକି ଜାଣିବାକୁ ସକ୍ଷମ ହୋଇଛୁ ଦାର୍ଶନିକତତ୍ତ୍ଵ ବିଷୟରେ ସେତିକି ନୁହେଁ । ତେଣୁ ମତୋପାଦଙ୍କ ଅନୁମତିକ୍ରମେ ଆମ୍ଭେମାନେ ଚେଳିତାଳୋ ଆସିଛୁ ।”

 

-“ମାତୋପାଦ କ’ଣ କେଉଁ ବିହାରର ମହାପ୍ରାଜ୍ଞ ?”

 

-“ନା ମହାଭାଗ ! ସେ ଆରଣ୍ୟକ ।”

 

-“ମହାସତ୍ତାର ଉପଲବ୍‌ଧି ନିମିତ୍ତ ତନ୍ତ୍ରପନ୍ଥା ଯେ ସମୁଚିତ ମାର୍ଗ ଏ ବିଷୟରେ କୌଣସି ସନ୍ଦେହ ଉପୁଜୁଛି ?”

 

-“ନା ସେ ବିଷୟରେ ଆମର କିଛି କହିବାର ନାହିଁ; କାରଣ ସେ ମାର୍ଗରେ ଯେତିକି ଅଗ୍ରସର ହେଉଛୁ, ସେତିକି ପରମ ସତ୍ତାର ଅସ୍ଥିତ୍ଵ ଉପଲବ୍‌ଧି କରିବାରେ ଅସୁବିଧା ଘଟୁନାହିଁ । ଆମେ ଉପଲବ୍‌ଧି କରିଆସିଛୁ ବୈରାଗ୍ୟ ବା ତ୍ୟାଗ ତନ୍ତ୍ରର ପଥ ନୁହେଁ । ବୃହତ୍ତର ଓ ଦିବ୍ୟତର ତନ୍ତ୍ର ଜୀବନର ପଥ । ସ୍ଥିତପ୍ରଜ୍ଞଙ୍କ ମତନୁଯାୟୀ ଶକ୍ତିର ଉଦ୍‌ବୋଧନରେ ମାନବର ଅଶେଷ ମହିମା ପ୍ରକାଶପାଏ । କର୍ମରେ, ଭାବନାରେ, ଜ୍ଞାନରେ, ଏହି ଶକ୍ତି କେବେ ଦିବ୍ୟ କବିତ୍ୱରେ, କେବେ ଦିବ୍ୟପ୍ରଜ୍ଞାରେ, କେବେ ବା ଦିବ୍ୟସିଦ୍ଧିରେ ପ୍ରକାଶପାଏ । ଫଳରେ ମାନବଜୀବନ ଦିବ୍ୟ ମହିମାରେ ପରିପୂର୍ଣ୍ଣ ହୁଏ ।”

 

-“ସ୍ଥିତପ୍ରଜ୍ଞଙ୍କ କଥାରେ କେଉଁଠି ଅବୋଧ୍ୟତା ଅନୁଭବ କରୁଛ କି ?”

 

-“ହଁ, ସ୍ଥିତପ୍ରଜ୍ଞ କେତେକ ସ୍ଥାନରେ ବହୁ ଅଯୌକ୍ତିକ କଥା କହିଲାଭଳି ମନେହୁଏ । ଯଥା ଭଗ୍ନୀସ୍ତନ କର ସମର୍ପିବ ଆଦିର ଅର୍ଥ କ’ଣ ହେବ ତାହା ଜାଣିବା ସମ୍ଭବପର ହେଉନାହିଁ ।”

 

ସ୍ଥିତପ୍ରଜ୍ଞ ଅଳ୍ପ ହସି କହିଲେ, “ମୁଁ ବୁଝୁଛି, ତୁମେ କ’ଣ କହୁଛ । ତନ୍ତ୍ର ଏକ ଗୁପ୍ତ ବିଦ୍ୟା । ବିଶ୍ୱର ମଙ୍ଗଳପାଇଁ ସେ ବିଦ୍ୟା ହୋଇଥିଲେ ମଧ୍ୟ ସାଧକ ଭାବପ୍ରବଣ ହୋଇ ଭୁଲ୍ ପଥରେ କାଳେ ଚାଲିଯିବ, ସେଥିପାଇଁ ବହୁ କଥା ଏହିଭଳି ବାକ୍ୟରେ କୁହାଯାଇଛି । ଯାହାର ପ୍ରକୃତ ଅର୍ଥ କେବଳ ଗୁରୁମାନଙ୍କୁ ହିଁ ଜଣା । ଭଗ୍ନୀସ୍ତନ କହିଲେ ‘ବେଲ’କୁ ବୁଝାଏ । ତା’ର ‘କର’ ଅର୍ଥ ‘ପତ୍ର’ ଦେବୀଙ୍କୁ ସମର୍ପଣ କରିବା ତନ୍ତ୍ରମତାରେ ଉଚିତ୍ । ତନ୍ତ୍ରରେ ମାରଣ, ବିଦ୍ୱେଷଣ, ବଶୀକରଣ ଆଦି ବହୁ ସାକ୍ଷାତ ଫଳପ୍ରଦ ବିଦ୍ୟା ରହିଛି । ଏଭଳି ବିଦ୍ୟା ଯାହା ତାହା ହାତରେ ପଡ଼ିଲେ ମଙ୍ଗଳ ଅପେକ୍ଷା ଅମଙ୍ଗଳ ହେବାର ଅଧିକ ସମ୍ଭାବନା । ତେଣୁ କୌଣସି ବିଦ୍ୟା ଶିଷ୍ୟକୁ ଦେବା ପୂର୍ବରୁ ଗୁରୁ ଶିଷ୍ୟକୁ ପରୀକ୍ଷା କରି ତାହା ଦେବେ । ସେଥିପାଇଁ ମଧ୍ୟେ ମଧ୍ୟେ ଏହିଭଳି ବାକ୍ୟରେ କୁହାହୋଇ ଅବୋଧ୍ୟ କରିଦିଆଯାଇଛି । ଗୁଣ ସ୍ଵଭାବ ଲକ୍ଷ କରି ଗୁରୁଶିଷ୍ୟକୁ ଏଭଳି ମନ୍ତ୍ର ଦେବେ ଯେପରି ଶିଷ୍ୟ ତାହାକୁ ଅଯଥା ବ୍ୟବହାର କରିବେ ନାହିଁ । ତନ୍ତ୍ର ଅପାତ୍ରରେ ପରିବେଷିତ ନହେଉ ଏହାହିଁ ସ୍ଥିତପ୍ରଜ୍ଞ କାହିଁକି ସମସ୍ତ ତନ୍ତ୍ରସାଧକଙ୍କ ଉଦ୍ଦେଶ୍ୟ । ଏହିସବୁ ବିଷୟକୁ ଲକ୍ଷ୍ୟ ନକରି କେହି ଯଦି ଭାବେ ତନ୍ତ୍ରଶାସ୍ତ୍ର ଏକ ଭଣ୍ଡଶାସ୍ତ୍ର, ସେମାନଙ୍କ ପାଇଁ ଆମର କିଛି କହିବାର ନାହିଁ ।”

 

ହଠାତ୍ ଦୂରରୁ କୋଳାହଳ ଶୁଣାଗଲା ଏବଂ ଘୋଡ଼ା ଟାପୁର ଶବ୍ଦ୍ ପ୍ରତ୍ୟେକ ଶୁଣିବାକୁ ପାଇଲେ । ସଭାରେ ବସିଥିବା ବହୁ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରୁ କେତେକ ଲୋକ ବିଷୟଟି ଜାଣିବା ପାଇଁ ଛିଡ଼ା ହୋଇଗଲେ । ସ୍ଥିତପ୍ରଜ୍ଞ ଉଚ୍ଚସ୍ୱରରେ ସେମାନଙ୍କୁ କହିଲେ, “ସମସ୍ତେ ନୀରବରେ ଅଳ୍ପସମୟ ଅପେକ୍ଷା କରନ୍ତୁ । ବର୍ତ୍ତମାନ କଳିଙ୍ଗର ମହାରାଜା ଏବଂ ମହାରାଣୀ ଏଠାକୁ ଆଗମନ କରୁଛନ୍ତି । ସମସ୍ତଙ୍କଠାରୁ ଶୁଭ ସମ୍ବାଦ ଚେଳିତାଳୋରେ ସିଦ୍ଧସାଧିକା ‘ମାତୋପାଦ’ ଉପସ୍ଥିତ ହୋଇଛନ୍ତି । ତାଙ୍କ ବିଷୟରେ ମୁଁ ଏତିକି କହିବି, ସେ ମୂଳରୁ ତନ୍ତ୍ରଧର୍ମୀ ନ ଥିଲେ । ବୌଦ୍ଧଧର୍ମରେ ଘଟୁଥିବା ପରିବର୍ତ୍ତନ ପ୍ରତି ସେ ବୀତସ୍ପୃହା ଥିଲେ । ସେଥିପାଇଁ ତାଙ୍କୁ ତାଙ୍କ ପଦବୀ ତ୍ୟାଗ କରିବାକୁ ପଡ଼ିଲା । ସେ ପଦବୀ ତ୍ୟାଗ ପୂର୍ବରୁ ଏହି କଳିଙ୍ଗରୁ ମଗଧର ଏକ ବୌଦ୍ଧଧର୍ମ ସଭାରେ ଯୋଗଦେବାପାଇଁ ମଗଧ ଗଲେ । ସେଠାରୁ ଫେରିଲାବେଳେ ଅରଣ୍ୟରେ ଏକ ଶବ ଦେଖିବାକୁ ପାଇଲେ । ସେ ବସନ୍ତ ରୋଗରେ ମରିଯାଇଥିଲା । ତନ୍ତ୍ର ବିଷୟରେ ସେ ଯେତିକି ପୂର୍ବେ ଅନୁଧ୍ୟାନ କରିଥିଲେ, ସେତିକି ସାହାଯ୍ୟରେ ସମସ୍ତ ଘୃଣା ବିକାର ତ୍ୟାଗପୂର୍ବକ ସେହି ବସନ୍ତରୋଗୀର ଶବକୁ ସମ୍ବଳ କରି ତନ୍ତ୍ରସାଧନ ଆରମ୍ଭ କଲେ । ସାଧନାରେ ସେ ଲାଭକଲେ ସିଦ୍ଧି । ତା’ପରେ ନିମ୍ନରୁ ଉଚ୍ଚତ୍ତର ସାଧନାରେ ପ୍ରବୃତ୍ତ ହୋଇ ସେ ସିଦ୍ଧି ସାଧିକା ଭାବେ ଅରଣ୍ୟ ଅଧିବାସୀଙ୍କ ନିକଟରେ ପରିଚିତା । ମୁଁ ମୋ ସାଧନା ବଳରେ ଜାଣିଥିଲି ସେ ଆଜି ଏଠାରେ ପଦାର୍ପଣ କରିବେ-। ସେଥିପାଇଁ ମୁଁ ଏକ ଆଲୋଚନା ସଭା ଆହ୍ଵାନ କରିଥିଲି ଏବଂ ତାଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ କଳିଙ୍ଗର ମହାରାଜା ଓ ମହାରାଣୀଙ୍କୁ ନିମନ୍ତ୍ରଣ କରିଥିଲି ।”

 

ଏ ମଧ୍ୟରେ କଳିଙ୍ଗର ମହାରାଜା ଓ ମହାରାଣୀ ସେଠାରେ ଉପସ୍ଥିତ ହେଲେ । ସମସ୍ତେ ବସିବା ସ୍ଥାନରୁ ଉଠିପଡ଼ିଲେ । ସ୍ଥିତପ୍ରଜ୍ଞ ହାତ ହଲାଇ ପ୍ରତ୍ୟେକଙ୍କୁ ନୀରବ ରହିବାକୁ ଅନୁରୋଧ କଲେ ।

 

ମହାରାଜା ଓ ମହାରାଣୀ ସ୍ଥିତପ୍ରଜ୍ଞଙ୍କୁ ପ୍ରଣତି ଜଣାଇ ସମସ୍ତଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ ।

 

ସ୍ଥିତପ୍ରଜ୍ଞ ପୂର୍ବରୁ ସବୁ ଜାଣିଥିଲେ ମଧ୍ୟ ସାଧାରଣ ଲୋକେ କିଛି ଜାଣିନଥିଲେ । ଆଲୋଚନା ସଭାରେ ଯୋଗଦେବାପାଇଁ ଯେଉଁ କେତେଜଣ ଆସିଥିଲେ ସେମାନେ ହଠାତ୍ ଏଭଳି ଏକ ଘଟଣା ଘଟିବ ବୋଲି ଆଶା କରିନଥିଲେ । ତେଣୁ ନାଟକୀୟଭାବେ ଯେଉଁସବୁ ଘଟଣା ଘଟିଗଲା, ତାହା ଦେଖି ସେମାନେ ଆବାକାବା ହେବା ଛଡ଼ା ଅନ୍ୟ କିଛି କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇପାରିଲାନାହିଁ ।

 

ମହାରାଜାଙ୍କ ଆଗମନ ସଙ୍ଗେ ସଙ୍ଗେ ସେଠାରେ ବିପୁଳ ଲୋକ ସମାଗମ ହେବାକୁ ଲାଗିଲା । ସମସ୍ତଙ୍କୁ ଲକ୍ଷ୍ୟ କରି ସ୍ଥିତପ୍ରଜ୍ଞ କହିଲେ ଆଜି ଏକ ଶୁଭଦିନ । କଳିଙ୍ଗର ଜଣେ ସିଦ୍ଧ ତନ୍ତ୍ରସାଧିକା ମାତୋପାଦଙ୍କୁ ଆପଣମାନଙ୍କ ତରଫରୁ କଳିଙ୍ଗର ମହାରାଜ ଏବଂ ମହାରାଣୀ ସମ୍ବର୍ଦ୍ଧନା ଜ୍ଞାପନ କରିବେ ।

 

ତତ୍ପରେ ଉଚ୍ଚସ୍ୱରରେ ମାତୋପାଦଙ୍କୁ ସମ୍ବୋଧନ କରି କହିଲେ, କଳିଙ୍ଗର ବହୁ ଉନ୍ନତ ଅନୁନ୍ନତ ଶ୍ରେଣୀର ମହିଳାମାନଙ୍କୁ ତନ୍ତ୍ରରେ ଅନୁପ୍ରାଣିତ କରି ଆପଣ କଳିଙ୍ଗରେ ଏକ ନୂତନ ବାର୍ତ୍ତା ପ୍ରଚାର କରିଛନ୍ତି । ତେଣୁ ତନ୍ତ୍ରପୀଠ ଚେଳିତାଳୋ ତରଫରୁ କଳିଙ୍ଗର ମହାରାଜ ଏବଂ ମହାରାଣୀ ଆପଣଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବାକୁ ଉପସ୍ଥିତ । ଅନୁଗ୍ରହ କରି ଆପଣ ତାଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତୁ ।

 

ହଠାତ୍ ମହିଳା ସାଧିକାମାନଙ୍କ ମଧ୍ୟରୁ ଯେଉଁ ସିଦ୍ଧସାଧିକା ଉଠି ଦଣ୍ଡାୟମାନ ହେଲେ, ତାଙ୍କୁ ଦେଖି ସ୍ୱୟଂ ମହାରାଜା ମଧ୍ୟ ବିସ୍ମିତ ହୋଇଗଲେ । ଧୀରେ ଧୀରେ ମହାରାଜାଙ୍କ ସମ୍ମୁଖକୁ ସେ ଆଗେଇ ଆସିଲେ ।

 

ସାରା ସଭାରେ ହୈ ଚୈ ପଡ଼ିଗଲା ।

 

ମହାରାଣୀ ଆଶ୍ଚର୍ଯ୍ୟ ହୋଇ କହିଲେ, ତନ୍ତ୍ରର ସିଦ୍ଧ ସାଧିକା ଏ କ’ଣ ମହା-ପ୍ରଜ୍ଞା ‘ପଦ୍ମସମ୍ଭବା’ ।

 

ତାଙ୍କ ପ୍ରଶ୍ନର ଉତ୍ତର ସିଦ୍ଧ ସାଧିକା ମାତୋପାଦ ମୁଖରେ ଦେଇପାରିଲେ ନାହିଁ । ତାଙ୍କ କଣ୍ଠ ବଷ୍ପାକୁଳ ହୋଇଯାଇଥିଲା ଏବଂ ଆଖିରୁ ଦୁଇଧାର ଲୁହ ନିମ୍ନକୁ ଗଡ଼ି ଚାଲିଥିଲା ।

 

ପୂର୍ବର ଚେଳିତାଳୋ ବର୍ତ୍ତମାନ ତିର୍ତ୍ତୋଲ । ତାହା ଝଙ୍କଡ଼ ପ୍ରଗଣା ମଧ୍ୟରେ ଅବସ୍ଥିତ । ଝଙ୍କଡ଼ ସାରଳାଦାସଙ୍କ ସମୟରେ ଜଂଖେରପୁର ନାମରେ ନାମିତ ଥିଲା । ଚେଳିତାଳୋ ଭଳି ବିରାଟ ବନ୍ଦର ଥିବା ଯୋଗୁ ବହୁ ଧନପତି ସେଠାରେ ଥିଲେ । ସେମାନେ ସୁନା ମାଟିତଳେ ପୋତି ରଖୁଥିଲେ, ପରେ ସେହି ପୋତା ସୁନା ଜଖ ପାଲଟି ଯାଉଥିଲା ବୋଲି ପ୍ରବାଦ । ଏହି ଜଖ୍‍ଖପୁର ଶବ୍ଦରୁ ଜଂଖେରପୁରର ଉତ୍ପତ୍ତି ।

Image

 

ତନ୍ତ୍ର ହଜିଯାଏ

 

ନିବିଡ଼ ଅନ୍ଧାର । ଅନ୍ଧାରର ଯେପରି ଶେଷନାହିଁ । ଆଲୋକ ଲିଭିଯାଇଛି, ହଜିଯାଇଛି ତା’ର ସତ୍ତା । କେଉଁ ଘନ ଅନ୍ଧକାର ବକ୍ଷରୁ ଏ ଅନ୍ଧାର ନଇଁଆସିଛି ତାହା ଜାଣିବା ସହଜ ନୁହେ । ଯେଉଁ ମାନବ ହୃଦୟରେ ରତ୍ନର ପ୍ରଦୀପ ଜଳୁଛି, ସେ ମଧ୍ୟ ଅନ୍ଧ । ଅନ୍ଧ ମାନବ ସମାଜ । ଅନ୍ଧକାର ଚକ୍ଷୁରୁ ହରଣକରିଛି ଆଲୋକ ସତ୍ତା । ସେ ସତ୍ୱକୁ କେହି ଖୋଜୁନାହିଁ, କେହି ବି ଚାହୁନାହିଁ । ସତେ ଯେପରି ସେ ସତ୍ତାର ମୂଲ୍ୟ କିଛି ନାହିଁ । ଅନ୍ଧ ପାଖରେ ଆଲୋକର ବି କି ମୂଲ୍ୟ ଅଛି ? ମୂଲ୍ୟହୀନ ଅସାର ବସ୍ତୁର କି ବା ପ୍ରୟୋଜନ ?

 

-“ଆପଣ କ’ଣ କହୁଛନ୍ତି ସମଗ୍ର ଚେଳିତାଳୋ ଅନ୍ଧକାରରେ ପରିପୂର୍ଣ୍ଣ ?”

 

-“ହଁ ରୁଦ୍ରଭୈରବ ! ସମଗ୍ର ଚେଳିତାଳୋ-ସମଗ୍ର ଚେଳିତାଳୋ ମିଥ୍ୟାର ବଶୀଭୂତ । ସତ୍ୟ ଦ୍ରଷ୍ଟା ବୁଦ୍ଧ ଏଠି ହଜିଯାଇଛନ୍ତି । ଲିଭିଯାଇଛି-ସ୍ୱର୍ଣ୍ଣାକ୍ଷରରେ ଲେଖାଥିବା ତାଙ୍କ ବାଣୀ । ସେଦିନର ବିହାରଗୁଡ଼ିକ ସଂପୂର୍ଣ୍ଣ ଲୋପପାଇଯାଇଛି । କେବଳ ଶାସ୍ତ୍ରରେ ଲେଖାରହିଛି ସେଦିନର ଚେଳିତାଳୋ, କୁବେର ନଗରୀ ଜଂଖପୁର, ସେଦିନର ବୌଦ୍ଧବିହାର ବର୍ତ୍ତମାନ ତନ୍ତ୍ରର ଶିବଶକ୍ତିଙ୍କ ମନ୍ଦିରରେ ରୂପାନ୍ତରିତ । ଆଜି ତନ୍ତ୍ର ବି ହଜିଯାଉଛି । ସେଦିନର ଯେଉଁ ପଞ୍ଚମକାର ଧର୍ମଜଗତରେ ବିରାଟ ଆଲୋଡ଼ନ ସୃଷ୍ଟି କରିଥିଲା, ଆଜି ସେହି ପଞ୍ଚମକାର ନିଜେ ନିଜକୁ ଗ୍ରାସକଲା । ମଦ୍ୟ-ମାଂସ-ମତ୍ସ୍ୟ-ମୁଦ୍ରା-ମୈଥୁନ ସଂପର୍କରେ ଆସି ସମାଜ ବ୍ୟଭିଚାରରେ ନିମଗ୍ନ । ଆଚାର ବିଚାର ସଂପୂର୍ଣ୍ଣ ବିଲୁପ୍ତ । ଖାଲି ମିଥ୍ୟା-ପ୍ରତାରଣା । ଶଠତାରେ ସମଗ୍ର ଜଂଖେରପୁର ପରିପୂର୍ଣ୍ଣ । ଏଠି ସତ୍ୟର ସନ୍ଧାନ ନେବା ଅର୍ଥ ମିଥ୍ୟା କବଳରେ ପତିତ ହେବା ।”

 

-“ସତ୍ୟାଶ୍ରୟୀକୁ କ’ଣ ମିଥ୍ୟା ଗ୍ରାସ କରିପାରେ ?”

 

-“ହଁ ପାରେ । ଆମେ ଯଦି ଆଉ ଅଧିକ କ୍ଷଣ ଏଠାରେ ରହିବା, ତେବେ ନିଶ୍ଚିତଭାବେ ଉପଲବ୍‌ଧି କରିବା ମିଥ୍ୟା କିଭଳି ଅଜଗର ପରି ସତ୍ୟକୁ ଗ୍ରାସ କରୁଛି ।”

 

-“ମୁଁ ପ୍ରଣାମ କରୁଛି ମହାଭାଗ !”

 

କିଏ ?

 

ଫେରି ଚାହିଁଲେ ମହାଭୈରବ । ବସନ୍ତର ଶେଷ ଶୁକ୍ଳ ଚତୁର୍ଦ୍ଦଶୀ ଚନ୍ଦ୍ରଲୋକକୁ ମ୍ଳାନକରି ଏକ ଅନିନ୍ଦ୍ୟା ରୂପସୀ ଉଭୟଙ୍କୁ ପ୍ରମାଣ କରୁଛି । ନୃତ୍ୟଭଙ୍ଗିରେ ଦଣ୍ଡାୟମାନର ଚରଣ ଯୁଗଳ ଅଲକ୍ତକ ରଙ୍ଗରେ ରଞ୍ଜିତ । ଗୌରପଦ ଉପରେ ରଜତ ନୂପୁର । ଗାଢ଼ ନୀଳବସ୍ତ୍ର ଅଙ୍ଗର ଅନିନ୍ଦ୍ୟ ସୁଷମାକୁ ଢାଙ୍କି ରଖିବାପାଇଁ ସତତ ଚେଷ୍ଟିତ । ବସନ୍ତର ଶୁଭ୍ରଚନ୍ଦ୍ରାଲୋକରେ ତା’ର ପୃଥୁଳ ଜଘନ ସତେ ଯେପରି ତାଙ୍କୁ ଆହ୍ୱାନକରୁଛି । କଣ୍ଠଦେଶର ହୀରକଖଚିତ ସ୍ୱର୍ଣ୍ଣହାରରେ ଶତଚନ୍ଦ୍ର ପ୍ରତିବିମ୍ବିତ । ବିମ୍ଭୋଷ୍ଠର ନିମ୍ନଭାଗରେ ସୌନ୍ଦର୍ଯ୍ୟର କଳାଚିହ୍ନ । ମୃଗଚକ୍ଷୁନିନ୍ଦିତ ଆୟତ ନୟନ ଯୁଗଳରେ କଜ୍ୱଳଗାର, ଶ୍ଵେତ ଚନ୍ଦନର ଅର୍ଦ୍ଧଚନ୍ଦ୍ର କପୋଳ ଦେଶରେ ଅଙ୍କିତ । କୃଷ୍ଣ କୁନ୍ତଳର ବେଣୀ ଦେହରେ ହୀରକଖଚିତ ସୁବର୍ଣ୍ଣପୁଷ୍ପ ଜଡ଼ିରହିଛି । ହସ୍ତଦ୍ଵୟରେ ବିଭିନ୍ନ ରତ୍ନବଳୟ । କର୍ଣ୍ଣରେ କୁଣ୍ଡଳ ।

 

ବିସ୍ମୟର ରେଖା ମୁଖରେ ଟାଣି ରୁଦ୍ରଭୈରବ ଚାହିଁଲେ ମହାଭୈରବଙ୍କୁ ।

 

ମହାଭୈରବଙ୍କ ମୁଖରେ ମଧ୍ୟ ପ୍ରଶ୍ନବାଚୀ ।

 

-“ମୁଁ ଅଣାବର୍ତ୍ତକ ରାଜକନ୍ୟା । ମହାମାୟାଙ୍କ ସମ୍ମୁଖରେ ଘଟନୃତ୍ୟ, ରାକ୍ଷସହନ୍ତ୍ରୀ ନୃତ୍ୟକରିବା ପାଇଁ ଆସିଥିଲି । ଶୁଣିଲି ମହାତାନ୍ତ୍ରିକ ସିଦ୍ଧସାଧକ ଭୈରବ କଣୟାବତୀର ଉପକଣ୍ଠରେ ଅବସ୍ଥାନ କରୁଛନ୍ତି । ଭକ୍ତିପୂତ ପ୍ରଣାମ ଜଣାଇବା ପାଇଁ ପ୍ରିୟଦର୍ଶନୀ ଛୁଟିଆସିଛି ।”

 

-“ଅଣାବର୍ତ୍ତକ ରାଜକନ୍ୟା କ’ଣ ମହାରାଉଳଙ୍କୁ ଏଥିପୂର୍ବରୁ ସାକ୍ଷାତ କରିଆସିଛନ୍ତି ?”

 

-“ନା ମହାଭାଗ ! ମୁଁ ତାଙ୍କ ଦ୍ୱାରଦେଶରେ ଅପେକ୍ଷା କରିଥିବା ଆଗନ୍ତୁକ ଦେବୀ ଦର୍ଶନଆକାଂକ୍ଷୀଙ୍କଠାରୁ ଜାଣିବାକୁ ପାଇଲି ନୃତ୍ୟ ପଟ୍ଟିୟସୀ ମଦାଳସା ସହିତ ମହାରାଉଳ କାରଣୀବାରି ପାଳନ କରୁଛନ୍ତି । ସମ୍ଭବତଃ ମହାରାଉଳ ସ୍ଥିର କରିଛନ୍ତି ତାଙ୍କ ସହିତ ଘଟନୃତ୍ୟ ପାଇଁ ମଦାଳସା ହିଁ ଉପଯୁକ୍ତ ନର୍ତ୍ତକୀ ।

 

-“ରାକ୍ଷାସ ହନ୍ତ୍ରୀ ନୃତ୍ୟପଟୁ ସିଦ୍ଧରାଉଳ ?”

 

-“ପ୍ରଥମେ ମୁଁ ତାଙ୍କ ନିକଟକୁ ଯାଇଥିଲି; ମାତ୍ର ନିଭୃତ କକ୍ଷରେ ଅନ୍ୟତମ ନୃତ୍ୟପଟ୍ଟିୟସୀ ଆବଦ୍ଧକର ରାଜକନ୍ୟାଙ୍କ ସହିତ ସେ ନୃତ୍ୟ ବିଷୟରେ ଆଲୋଚନା କରୁଛନ୍ତି । ଗୃହର ବହିର୍ଭାଗରେ ଆବର୍ତ୍ତକ ରାଜକନ୍ୟାଙ୍କ ନୂପୁରଧ୍ୱନି କ୍ଷୀଣ ମନ୍ଦ୍ର, ତାନରେ ଶୁଣାଯାଉଛି ।”

 

-“ତାହାହେଲେ ଅଣାବର୍ତ୍ତକ ରାଜକନ୍ୟା ମହାଶକ୍ତି ସାରଳାଙ୍କ ଦର୍ଶନକରି କ’ଣ ଫେରିଯିବେ ?”

 

-“ସେଥିପାଇଁ ତ ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଆସିଛି । ଗତବର୍ଷ ମୁଁ ଦେଖିଛି, ଯେତେବେଳେ ମହାଦେବୀ ସାରଳା ଆପଣଙ୍କୁ ଆବିଷ୍ଟ ହେଲେ, ସେତେବେଳେ ଅପୂର୍ବ ଭଙ୍ଗିରେ ଆପଣ ନାଚିଉଠିଲେ; କିନ୍ତୁ ଦୁଃଖର କଥା ଆପଣଙ୍କ ସହିତ ତାଳଦେଇ ଘଟନୃତ୍ୟ କରିବାକୁ କୌଣସି ନର୍ତ୍ତକୀ ସକ୍ଷମ ହୋଇପାରିଲେ ନାହିଁ । ଯେଉଁ ରାଉଳମାନେ ଜୁଡ଼ାଯୁକ୍ତ ମସ୍ତକ ଉପରେ ଘଟ ସ୍ଥାପନକରି ରଣପା ଦେଇ ନାଚୁଥିଲେ, ସେମାନେ ମଧ୍ୟ ପିତୁଳାସମ ନିଶ୍ଚଳ ହୋଇଗଲେ ଆପଣଙ୍କ ନୃତ୍ୟ ଦେଖି ! ଓଃ କି ଅପୂର୍ବ ନୃତ୍ୟ ସେ ! ହତଭାଗୀ ମୁଁ ସେତେବେଳେ ଦର୍ଶକଭାବେ ଉପସ୍ଥିତ ହୋଇ କେବଳ ଦର୍ଶନ କରୁଥିଲି ସେ ମହିମାମୟୀର ନୃତ୍ୟ । ମୋର ଅଜଣାରେ ପଦଦ୍ଵୟ ଚହଲିଉଠିଥିଲା ସେ ନୃତ୍ୟର ତାଳେ ତାଳେ; ମାତ୍ର, ସାହସ କରିପାରିଲିନାହିଁ । ମହାମାୟା ପ୍ରସନ୍ନା ମହାଭୈରବଙ୍କ ସହିତ ନୃତ୍ୟ କରିବାର ସୌଭାଗ୍ୟ ମୋର କ’ଣ କେବେ ହେବ ।”

 

ଏ ମଧ୍ୟରେ ମହାଭୈରବ ନୀରବ ହୋଇଯାଇଛନ୍ତି । ସେ ଚକ୍ଷୁ ଦୁଇଟି ବନ୍ଦ କରି ସତେ ଯେପରି କ’ଣ ଚିନ୍ତା କରୁଛନ୍ତି । ହଠାତ୍ ରୁଦ୍ରଭୈରବ କହିଉଠିଲେ, ମହାଦେବୀ ପ୍ରସନ୍ନା କାଳିସୀ ସହିତ ଭଦ୍ରା କ’ଣ ନୃତ୍ୟ କରିପାରିବେ ?”

 

ସେଥିପାଇଁ ତ ମୁଁ ମହାଭୈରବଙ୍କ ଶରଣାପନ୍ନ ହୋଇଛି । ପ୍ରଥମେ ରାଉଳଙ୍କ ପାଖକୁ ଯାଉଥିଲି ଘଟନୃତ୍ୟ ବା ରାକ୍ଷସହନ୍ତ୍ରୀ ନୃତ୍ୟପାଇଁ ସାମାନ୍ୟ ଟିକିଏ ଅନୁମତି ନିମିତ୍ତ । ତା’ପରେ ଆସିଥାନ୍ତି ଭୈରବଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ । ମୁଁ ଭଲଭାବେ ହୃଦୟଙ୍ଗମ କରିଛି, ଏକମାତ୍ର ମହାମାୟା ସାରଳା ସନ୍ତୁଷ୍ଟ । ସେ ହେଉଛନ୍ତି ତନ୍ତ୍ରର ମହାଦେବୀ ସାରଳାଙ୍କ ଉପଯୁକ୍ତ ପୂଝାରୀ ।

 

-“ରାଉଳମାନେ କ’ଣ ଦେବୀଙ୍କ ଉପାସନା ଠିକ୍‌ଭାବେ କରୁନାହନ୍ତି ବୋଲି ଭଦ୍ରେ ଭାବୁଛନ୍ତି ?’

 

-“ବେଶି ସମୟ ତ ନୁହେଁ । କାଲି ଆପଣ ପ୍ରତ୍ୟକ୍ଷ କରିବେନାହିଁ, ମୁଁ ଯାହାଁ କହୁଛି ତାହା କେତେଦୂର ସତ୍ୟ ? ସେଦିନର ଅସମ୍ଭବ ସମ୍ଭବ କରାଉଥିବା ରାଉଳ କ’ଣ ଅଛନ୍ତି ?”

 

ମହାଭୈରବ ଚକ୍ଷୁ ଖୋଲି ଅନାଇଲେ । ସମ୍ମୁଖରେ ଅଣାବର୍ତ୍ତକର ରାଜକନ୍ୟା ପ୍ରିୟଦର୍ଶିନୀ ଲାସ୍ୟଭଙ୍ଗିରେ ଦଣ୍ଡାୟମାନା । ସତେ ଯେପରି ସେ ମହାମାୟାଙ୍କ ମୂର୍ତ୍ତିମନ୍ତ ଛବି ! ଆସିଛନ୍ତି କେବଳ ତାଙ୍କୁ ପରୀକ୍ଷା କରିବାପାଇଁ ।

 

ପରୀକ୍ଷାରେ ସେ କ’ଣ ଉତ୍ତୀର୍ଣ୍ଣ ହୋଇପାରିବେ ? ମହାରାଉଳ ମଦାଲସା ସହିତ କାରେଣୀବାରି ପାନ କରୁଛନ୍ତି । ଆବର୍ତ୍ତକ ରାଜକନ୍ୟା ସହିତ ନିଭୃତ କକ୍ଷରେ ସିଦ୍ଧରାଉଳ ନୃତ୍ୟରତା । ତାଙ୍କ ସମ୍ମୁଖରେ ଦଣ୍ଡାୟମାନା ଲାସ୍ୟ ଭଙ୍ଗିରେ ଅଣାବର୍ତ୍ତକର ରାଜକନ୍ୟା ପ୍ରିୟଦର୍ଶିନୀ-। ବିଚିତ୍ର ପରୀକ୍ଷା ଜଗଜ୍ଜନନୀର ।

 

ସମସ୍ୟାର ଅଗାଧ ଜଳରେ ଛିଡ଼ାହୋଇ ମହାଭୈରବ ଚିନ୍ତିତ । ସେ ଆଖି ଖୋଲିଥିଲେ ପ୍ରିୟଦର୍ଶିନୀକୁ ନାସ୍ତିବାଣି ଶୁଣାଇଦେବା ପାଇଁ । ତାହାହେଲେ ସେ କ’ଣ ପରୀକ୍ଷା ପାଇଁ ପ୍ରସ୍ତୁତ ନୁହନ୍ତି ? ଏତେଦିନ ସାଧନା ପରେ ସମୟ ଆସିଛି ଉଚ୍ଚସ୍ତରାରୂଢ଼ ହେବାପାଇଁ । ସେ ଯଦି ପଛେଇଯାନ୍ତି, ତେବେ ଏତେଦିନର ସାଧନା କ’ଣ ନିଷ୍ଫଳ । ଯଦି ପଛେଇ ନଯାଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହୁଅନ୍ତି ତାହାହେଲେ… ?

 

-“ତାହାହେଲେ ହେବେ ନିନ୍ଦିତ, ଅପମାନିତ ।”

 

ତାହା କ’ଣ ଚିରଦିନ ପାଇଁ ?

 

ନା ଚିରଦିନପାଇଁ କାହିଁକି ହେବ । ପୁଣି ସାଧନା କରିବାକୁ ପଡ଼ିବ । ପୁଣି ଊର୍ଦ୍ଧ୍ୱସ୍ତରକୁ ଯିବାପାଇଁ ପରୀକ୍ଷା ଦେବାକୁ ପଡ଼ିବ । ଜୀବନ ତ ସଂଗ୍ରାମ ବହୁଳ । ସଂଗ୍ରାମକୁ ଡରିଗଲେ ତ କିଛି ହୋଇପାରିବ ନାହିଁ ।

 

ତାହାହେଲେ ସେ କ’ଣ କହିଦେବେ ପ୍ରିୟଦର୍ଶିନୀକୁ ଆସନ୍ତାକାଲି ପାଇଁ ପ୍ରସ୍ତୁତ ହୋଇଆସିବାକୁ ? କିନ୍ତୁ ଯଦି ଦେବୀ ତାଙ୍କୁ ପ୍ରସନ୍ନା ନହୁଅନ୍ତି ? ତେବେ ସେ କ’ଣ ପ୍ରିୟଦର୍ଶିନୀ ସହିତ ମିଛରେ ଜାଣିଶୁଣି ନାଚିବେ ?

 

ହଠାତ୍ ତାଙ୍କ କଣ୍ଠରେ ଦେବୀ ବିଜେକଲାପରି ସେ ସମସ୍ତ ଦ୍ଵିଧାର ପୂର୍ଣ୍ଣଚ୍ଛେଦ ଟାଣି କହିଲେ, କାଲିକୁ ତୁମେ ପ୍ରସ୍ତୁତହୋଇ ଆସ । ଯଦି ମହାଭୈରବଙ୍କୁ ଦେବୀ ପ୍ରସନ୍ନା ହୁଅନ୍ତି, ତେବେ ତାଙ୍କ ସହିତ ତୁମେ ନାଚିପାର; କିନ୍ତୁ ମନେରଖ ଅଣାବର୍ତ୍ତକ ରାଜକନ୍ୟା ପ୍ରିୟଦର୍ଶିନୀ ସହିତ ନାଚିବା ନିମିତ୍ତ କେବେ ମହାଭୈରବ ଘଟନୃତ୍ୟ କରିବେନାହିଁ । ଆଉ ମଧ୍ୟ ଜାଣିରଖ ତୁମର ଯଦି ସେତିକି ସାଧନାଥାଏ ତେବେ ତୁମେ ନୃତ୍ୟରେ ସଫଳ ହେବ, ନଚେତ୍ ପରିଣାମ ଭୀଷଣ ।”

 

ପ୍ରିୟଦର୍ଶିନୀ ନତମସ୍ତକରେ ମହାଭୈରବଙ୍କ କଥାକୁ ସମ୍ମାନ ଜଣାଇଲେ । ତା’ ପରେ ମନ ଆନନ୍ଦରେ ତନ୍ତ୍ରସାଧକ ଭୈରବଦ୍ଵୟଙ୍କ ନିକଟରୁ ବିଦାୟନେଇ ଅଳ୍ପକିଛିଦୂର ଆସିଲାପରେ ଭେଟିଲେ ତାଙ୍କର ସବାରୀବାହକମାନଙ୍କୁ । ସାମନ୍ତ ରାଜକନ୍ୟା କେତେକ ଦେହରକ୍ଷୀ କଞ୍ଚୁକୀ ଏବଂ ସବାରୀ ବାହକ ପ୍ରିୟଦର୍ଶୀନୀଙ୍କୁ ଅପେକ୍ଷା କରିଥିଲି । ରାଜଜେମା ଆସିବା ମାତ୍ରକେ ତାଙ୍କୁ ଧରି ସେମାନେ ଚାଲିଲେ ଅଣାବର୍ତ୍ତକ ।

 

ସାମନ୍ତରାଜକନ୍ୟା ପ୍ରିୟର୍ଶିନୀଙ୍କ ଯିବ ସଙ୍ଗେ ସଙ୍ଗେ ଭୈରବଦ୍ଵୟ ଅଧିକ କ୍ଷଣ ସେଠାରେ ନରହି ତନ୍ତ୍ରର ଚକ୍ରପୂଜା ପାଇଁ ତତ୍ପର ହୋଇଉଠିଲେ । ଚକ୍ର ପୂଜାର ଉପଚାରରୂପେ ମଦ୍ୟ-ମାଂସ-ମତ୍ସ୍ୟ-ମୈଥୁନ, ପୂର୍ବରୁ ପ୍ରସ୍ତୁତ ହୋଇରହିଛି । ମଦକୁ ତନ୍ତ୍ର ପ୍ରୟୋଗ କରି କାରଣବାରି କରିବାକୁ ପଡ଼ିବ । ସେହିଭଳି ମଧ୍ୟ ମାଂସ-ମତ୍ସ୍ୟ-ମୁଦ୍ରାକୁ ଶୋଧନ କରି ମହାପ୍ରସାଦ ଉପଯୋଗୀ କରାଯିବ । ମୈଥୁନ ପ୍ରକ୍ରିୟାରେ ସାଧକ ଶକ୍ତିଙ୍କ ସହ ସହାବସ୍ଥାନ କରିବେ ।

 

ତନ୍ତ୍ରଚକ୍ରରେ ଭାରତ ପ୍ରଧାନ ଚାରିପୀଠ ଉଡ଼ୀୟାନ, ପୂର୍ଣ୍ଣଶୈଳ, ଜଳନ୍ଧର, କାମରୂପକୁ ଆହ୍ୱାନ କରାଯିବ । ତା’ ପରେ ଘଟ କୋଣରେ ଛ ଦେବୀ ଅବସ୍ଥାନ କରିବେ । ନବପାତ୍ରରେ ପ୍ରଥମ ମ କାର ସ୍ଥାପନ କରିବାକୁ ପଡ଼ିବ ଦୀର୍ଘ ସମୟ ଲାଗିବ ପୂଜା କରିବାକୁ । ଚକ୍ରେଶ୍ଵରୀ ଯଦି ସନ୍ତୁଷ୍ଟ ହୁଅନ୍ତି ତେବେ ପୂଜା ସାର୍ଥକ ହେବ ।

 

ମହାଭୈରବଙ୍କ ଚକ୍ରପୂଜା ଶେଷ ହେଉ ହେଉ ରାତ୍ରି ସରିଆସିଲା । ଯେତେବେଳେ ସମସ୍ତ ତନ୍ତ୍ରଦେବୀ ଚକ୍ରରେ ଉପସ୍ଥିତ ହେଲେ, ସେତେବେଳେ ପୂର୍ବରୁ ଜଳୁଥିବା ଦ୍ଵିପର ଉଜ୍ଜ୍ୱଳତା ବହୁଗୁଣ ବଢ଼ିଗଲା ଓ ବିଭିନ୍ନ ସୁଗନ୍ଧରେ ସ୍ଥାନଟି ଭରିଗଲା । ସଙ୍ଗେ ସଙ୍ଗେ ନବପାତ୍ର (ନଅ)ରେ ବଢ଼ା ହୋଇଥିବା ମଦ୍ୟ ଅମୃତରେ ପରିଣତ ହେଲା । ମାଂସ, ମତ୍ସାଦି ସକଳ ତା’ର ମୂଳ ପ୍ରକୃତି ପରିବର୍ତ୍ତନ ହୋଇ ପରିଣତ ହେଲା ମହାପ୍ରସାଦରେ । ଆବିର୍ଭୂତ ହେଲେ ଉଡ୍ରଦେଶର ଅଷ୍ଟଚଣ୍ଡୀ । ସେହି ସ୍ଥାନର ନିରବତା ଭଙ୍ଗକରି ନିନାଦିତ ହୋଇଉଠିଲା ଶୂନ୍ୟରୁ ଘଣ୍ଟ, ଘଣ୍ଟାଦି ।

 

ଏହାହିଁ ଘଟିଥାଏ ଦୈନନ୍ଦିନ ଚକ୍ର ପୂଜାରେ ।

 

ଦେବୀମାନଙ୍କ ପୂଜାଗ୍ରହଣ କରି ପୁନର୍ବାର ନିଜ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରୁ କରୁ ପୂର୍ବାକାଶରେ ସୂର୍ଯ୍ୟ ଉଦିତ ହେଉଥିଲେ ।

 

ସକାଳ ହେବାମାତ୍ରେ ପିପିଲିକା ଭଳି ରାଜପଥରେ ଲୋକେ ଚାଲିଲେ ଜଂଖେରପୁର ଆଡ଼କୁ-ମହାଦେବୀ ଶାରଳାଙ୍କ ପାଖକୁ ।

 

ପଣାସଂକ୍ରାନ୍ତି ଏବଂ ଚୈତ୍ରପୂର୍ଣ୍ଣିମା ଉଭୟେ ଗୋଟିଏ ଦିନରେ ପଡ଼ିଛି । ଏଭଳି କେବେ ପଡ଼ିଥିବା ଲୋକମାନେ ଜାଣିନାହାନ୍ତି । ମର୍ଦ୍ଦଳ, କରତାଳ ବାଇବାଇ ଚାଲିଛନ୍ତି ପାଟୁଆମାନେ । କୈବର୍ତ୍ତମାନେ ଚାଲିଛନ୍ତି ଘୋଡ଼ାରୂପୀ ଏକ ବିରାଟ ଚିତ୍ରିତ ଘୋଟକ ଧରି । ବହୁ ଲୋକ ଚାଲିଛନ୍ତି ବିଭିନ୍ନ ସାମଗ୍ରୀ ଧରି ଦେବୀଙ୍କ ପାଖରେ ନୈବେଦ୍ୟ କରିବାପାଇଁ । ସାରଳାଙ୍କ ମନ୍ଦିରଠାରୁ ଦଶଜଣ ଚାଉଳ ବିଚିତ୍ରଭାବେ ଫୁଲଦ୍ୱାରା ସଜ୍ଜିତ ହୋଇଥିବା ଦଶଟି ଘଟ ଧରି ବାହାରିବେ । ପ୍ରତ୍ୟେକ ସ୍ତ୍ରୀ ବେଶରେ ରଣାପା ଉପରେ ଚଢ଼ି ଆରମ୍ଭ କରିଦେବେ ଘଟନୃତ୍ୟ । ନବଦୁର୍ଗାଙ୍କ ପ୍ରତୀକରୂପେ ନଅଟି ଘଟ ଏବଂ ଆଉ ଗୋଟିଏ ନିଜେ ଶାରଳା । ଯଦି ଶାରଳା ଅନ୍ୟ କାହାରିକୁ ପ୍ରସନ୍ନ ହୁଅନ୍ତି ତେବେ ସେ ଏହି ଦଶଘଟ ସହିତ ଘଣ୍ଟ, ଘଣ୍ଟା ମର୍ଦ୍ଧଳର ତାଳେ ତାଳେ ନାଚିଥାନ୍ତି । ନାଚିଥାନ୍ତି ସେମାନେ ଅଗ୍ନିର ପରିଖା ମଧ୍ୟରେ, ପୁଣି ତୀଖ୍‌ଣ ମୁନଯୁକ୍ତ ଲୌହକଣ୍ଟକ ଦୋଳି ଉପରେ ବସି ଝୁଲିଥାନ୍ତି । ଶୂଳ ଉପରେ ବସି ଦେଖାଇଥାନ୍ତି ତାଙ୍କ ସାଧନାର କୃତିତ୍ଵ । ଆଉ ମଧ୍ୟ କେତେକ ପାଟୁଆ ତାଙ୍କ ମେରୁଦଣ୍ଡକୁ କଣା କରି ଲୁହା ବାଙ୍କୁଡ଼ି କଣ୍ଟାରେ ଝୁଲିଥାନ୍ତି । ଯାହା ଦେଖି ସମବେତ ଜନସାଧାରଣ ହୋଇଥାନ୍ତି ଆତଙ୍କିତ ଓ ଏକସ୍ୱରରେ ଜୟ ଶାରଳା କି ଜୟ ନାଦରେ କମ୍ପାଇ ଦେଇଥାନ୍ତି ଚନ୍ଦ୍ରପଡ଼ିଆକୁ । ପୁରୁଷଙ୍କ କଣ୍ଠ ସହିତ ସମ୍ମଳିତ ହୁଏ ସ୍ତ୍ରୀ ଲୋକମାନଙ୍କର ହୁଳହୁଳି ନାଦ । ସେହି ସ୍ୱର ଉଦ୍‍ବୁଦ୍ଧ କରିଥାଏ ଘଟପାଟୁଆ ନୃତ୍ୟକାରୀଙ୍କୁ ।

 

ଚୈତ୍ର ସଂକ୍ରାନ୍ତି ଦିନ ଚୈତ୍ର ପୂର୍ଣ୍ଣିମା ପଡ଼ିବା ଯୋଗୁ କୈବର୍ତ୍ତମାନେ ବିଭିନ୍ନ ରଙ୍ଗରେ ମିଛି ମିଛିକା ଘୋଡ଼ା କରିଆଣି ନଚାଇବେ । ଘୋଡ଼ାଗୁଡ଼ିକ ମଧ୍ୟ ଦେବୀଙ୍କ ପ୍ରତୀକ । ତନ୍ତ୍ରର ବିଭିନ୍ନ ବିଭବକୁ ଆଶ୍ରା କରି ଭିନ୍ନ ଭିନ୍ନ ଦୃଶ୍ୟ ଚକ୍ର ପଡ଼ିଆରେ ଦେଖାଯିବ । ସବୁଗୁଡ଼ିକ ବିଚିତ୍ର, ସବୁଗୁଡ଼ିକ ଅଦ୍ଭୁତ । କାହାରି ଅବିଶ୍ୱାସ କରିବାର କିଛି ନାହିଁ । ଯଦି କାହାରି ମନରେ ଟିକିଏ ଅବିଶ୍ୱାସ ଜନ୍ମିଲା ତେବେ ସଙ୍ଗେ ସଙ୍ଗେ କାଳିସୀ ତାହା ଜାଣିପାରେ । ସେହି ମୁହୂର୍ତ୍ତରେ ଲୋକ ଗହଳି ଭିତରୁ ଯାକୁ ଟାଣିନେଇ ଅଗ୍ନିର ପରିଖା ମଧ୍ୟରେ ତାକୁ ପୂରାଇଦିଏ । ରଡ଼ ନିଆଁର ପ୍ରଖର ତା’ପରେ ସେହି ମୁହୂର୍ତ୍ତରେ ଯେ କେହି ଭସ୍ମୀଭୂତ ହୋଇଥାନ୍ତା, ମାତ୍ର କାଳିସୀ ତାକୁ ସ୍ପର୍ଶ କରିଥିବା ହେତୁ ତାହାର କିଛି ହୁଏନାହିଁ ।

 

ବୌଦ୍ଧଧର୍ମକୁ କବଳିତ କରି ଯେଉଁ ତନ୍ତ୍ର ଚେଳିତାଳୋରେ ମୁଣ୍ଡଟେକି ଉଠିଛି ତା’ର ସମକକ୍ଷ କ’ଣ ଆଉ କୌଣସି ବିଦ୍ୟା ଅଛି ?

 

କିନ୍ତୁ ସେ ବିଦ୍ୟାକୁ ଯଦି କେହି ସାଧନା ନକରେ ? କେହି ସାଧିଥିଲେ ମଧ୍ୟ ସାଧକ ଯଦି ବିପଥଗାମୀ ହୁଏ ? ତେବେ… ?

 

ତେବେ କ’ଣ ସିଦ୍ଧସାଧକ ସମସ୍ତଙ୍କ ଚକ୍ଷୁରେ ନିନ୍ଦିତ ହେବ ?

 

ହସିଉଠିଲେ ମହାଭୈରବ । ହସି ହସି କହିଲେ, “ସାଧକ ତା’ର ଯେତିକି ସାଧନା କରିଥିଲା ତାହା ଯେତେବେଳେ ଶେଷ ହୋଇଯାଏ ସେତେବେଳେ ତନ୍ତ୍ରର ପଞ୍ଚମକାର ତାକୁ ନିଜ ମଧ୍ୟରେ ଲୀନ କରେ । ତନ୍ତ୍ର ସାଧକ ନିକଟରେ ସ୍ତ୍ରୀ ବର୍ଜନୀୟା ନୁହେଁ କିମ୍ବା ମଦ ଆମୀଷ ଦୂଷଣୀୟ ନୁହେଁ । କିନ୍ତୁ ତାହା ଯଦି ‘କାମ’ରେ ପରିଣତ ହୁଏ ତେବେ ? ତେବେ ସେ ସାଧାରଣ ମାନବ ସ୍ତରକୁ ଖସିଆସେ । ତୁମେ ଦେଖିଛ ଶବ ସାଧନା, ତୁମେ ଦେଖିଛ ମା’ ଚାମୁଣ୍ଡାର ମୂର୍ତ୍ତି…ହୃଦୟଙ୍ଗମ କରିପାରୁଛ କି ଭୟଙ୍କର ସେ ? ଶବର ବକ୍ଷ ଦେଶରେ ବସି ଯଦି ସାଧକ ନିଜକୁ ସଂଯତ କରି ଯଥୋଚିତ ସାଧନା କରିନପାରେ ତେବେ ସାଧକ ଖସିଆସେ ଶବ ଅବସ୍ଥାକୁ ତାହାହିଁ ସମଗ୍ର ତନ୍ତ୍ର ସାଧନାର କଥା । ସେହି ତନ୍ତ୍ରସାଧନା ମୂର୍ତ୍ତି ବିଗ୍ରହ ଦେବୀ ଚାମୁଣ୍ଡା ।’’

 

ଆଜି ମହାରାଉଳ ଅନ୍ୟ ରାଉଳଙ୍କ ସହିତ ଜୁଡ଼ାଯୁକ୍ତ ଶିରରେ ଘଟ ଧାରଣ କରି ଉତପ୍ତ ଅଗ୍ନି ପରିଖା ମଧ୍ୟରେ କ’ଣ ପ୍ରବେଶ କରିବେ ?

 

ଦେଖାଯାଉ ସେ କ’ଣ କରୁଛନ୍ତି । କିନ୍ତୁ ଯେତେଦୂର ମନେହୁଏ ସେ ପ୍ରବେଶ କରିପାରିବେ ନାହିଁ । ତାଙ୍କୁ ପଞ୍ଚମକାର କବଳିତ କରିଛି । ମଦାଳସା ତାଙ୍କୁ ବିପଥଗାମୀ କରିଛି । କାରଣ ବାରିକୁ ସେ ମଦ୍ୟଭାବେ ଗ୍ରହଣ କରୁଛନ୍ତି । ଲାଳସାର ବଶବର୍ତ୍ତୀ ହୋଇ ସେ ଆମୀଷ ଭୋଜନ କରୁଛନ୍ତି ।

 

‘ସାଧକ ପ୍ରବର ମହାଭୈରବଙ୍କୁ ମୁଁ ପ୍ରଣାମ କରୁଛି ।’

 

‘କିଏ ? ଅଣାବର୍ତ୍ତକର ରାଜା ବାହୁମଲ୍ଲ !’

 

“ମୁଁ ମୋର କନ୍ୟାଠାରୁ ଜାଣିବାକୁ ପାଇଲି ଆପଣଙ୍କ ଅଶୀଷର ଅଧିକାରିଣୀ ସେ ହୋଇଛି । ମୁଁ ବିଶେଷ ଆନନ୍ଦିତ; ଆପଣଙ୍କ ଭଳି ଜଣେ ବିରାଟ ସାଧକଙ୍କ ସଂପର୍କରେ ମୋର କନ୍ୟା ଆସି ମୋର ସୁନାମକୁ ନିଶ୍ଚୟ ବର୍ଦ୍ଧିତ କରିବ ।”

 

“ବାହୁମଲ୍ଲ । ତୁମକୁ ତୁମ କଥାର ଯଥାଯଥ ଉତ୍ତର ଦେବାପାଇଁ ଠିକ୍ ଭାଷା ପାଇପାରୁନାହିଁ । ଆଜି ମୋ ପାଇଁ ପରୀକ୍ଷାର ବେଳ ଆସିଛି । ମୁଁ ପ୍ରସ୍ତୁତ ହେଉଛି ସେହି ପରୀକ୍ଷାପାଇଁ । ସମ୍ଭବତଃ ଦେବୀଙ୍କୁ ସମର୍ପଣ କରିଥିବା ମୋର ପୂଜାର ସାମଗ୍ରୀ ମୋତେ ଆଜି ଗ୍ରାସ କରିବ ଅଥବା ମୋର ସେହି ପୂଜାର ସାଫଲ୍ୟରୁ ଊର୍ଦ୍ଧ୍ୱସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଜଂଖେରପୁର ତ୍ୟାଗ କରିବି ।”

 

ବାହୁମଲ୍ଲ ମହାଭୈରବଙ୍କ କଥାର ମର୍ମ ବୁଝିବାକୁ ସକ୍ଷମ ହୋଇପାରିଲେ ନାହିଁ । ସେ ତାଙ୍କୁ ଭାବୁଛନ୍ତି ହଠାତ୍ କାହାଳୀ ବାଜିଉଠିଲା । ଠାକୁରାଣୀ ଚକ୍ର ପଡ଼ିଆକୁ ବିଜେ କରୁଛନ୍ତି ।

 

ମହାଭୈରବ ରାଜା ବାବୁମଲ୍ଲଙ୍କୁ କହିଲେ, “ବର୍ତ୍ତମାନ ତୁମେ ତୁମ କନ୍ୟାକୁ ଧରି ଠାକୁରାଣୀଙ୍କ ସହିତ ଯାଇପାର । ମଦାଳସା ବା ଆବର୍ତ୍ତକ ରାଜକନ୍ୟାଙ୍କ ବଦଳରେ ସେ ଦେବୀଙ୍କ ପଟୁଆରରେ ନାଚିପାରନ୍ତି ।”

 

ବିସ୍ମିତ ହୋଇ ଅଣାବର୍ତ୍ତକ ରାଜା କହିଲେ, “ତାହାହେଲେ ସେମାନେ କ’ଣ ପଟୁଆରରେ ଆଜି ନାଚିବେ ନାହିଁ ?”

 

ସେମାନଙ୍କର ନାଚିବା ସମୟ ଉତ୍ତୀର୍ଣ୍ଣ ହୋଇଛି । ଯଥା-ଆଉ ଡେରି କରନାହିଁ ।

 

ତର ତର ହୋଇ ଅଣାବର୍ତ୍ତକ ରାଜା ବାହୁମଲ୍ଲ ଠାକୁରାଣୀଙ୍କ ମନ୍ଦିର ଆଡ଼କୁ କନ୍ୟା ସହିତ ଦ୍ରୁତ ପଦରେ ଆଗେଇଗଲେ । ଠାକୁରାଣୀଙ୍କ ବିଜେ ପ୍ରତିମା ବିମାନରେ ବସି ଚକ୍ରପଡ଼ିଆ ଆଡ଼କୁ ଚାଲିଛନ୍ତି । ଶ୍ୱେତଚାମର ଚତୁର୍ଦ୍ଦିଗରୁ ତାଙ୍କ ଉପରେ ପଡ଼ୁଛି । ଆଲଟ ଧରି ଦୁଇଜଣ ସେବକ ବିଞ୍ଚିଚାଲିଛନ୍ତି । ଆଗରେ ଲୋକଗହଳି ମଧ୍ୟରେ ଚାଲିଛନ୍ତି ତରାଶାଧାରୀ । ଢୋଲ, ମହୁରି, ଶଂଖ, ମର୍ଦ୍ଦଳାଦି ବାଜିଉଠୁଛି । ଦଶଜଣ ରାଉଳ ଦେବୀଙ୍କର ଦଶଘଟ ଶିର ଉପରେ ଧରି ନାଚି ନାଚି ଆଗେଇ ଚାଲିଛନ୍ତି । ପାଟୁଆମାନେ ବେତ ଖଣ୍ଡେଲେଖା ଧରି ନାଚୁଛନ୍ତି-ନାଚୁଛନ୍ତି ଘୋଡ଼ାଗୁଡ଼ିକ ବିଭିନ୍ନ ଭଙ୍ଗିରେ । ଚତୁର୍ଦ୍ଦିଗରେ ଅସଂଖ୍ୟ ଭକ୍ତ ଦର୍ଶନ କରୁଛନ୍ତି ଏ ଅପୂର୍ବ ଦୃଶ୍ୟ ।

 

ରାଉଳମାନେ ଜଣ ଜଣ କରି ବିଭିନ୍ନ ଅଞ୍ଚଳ ବାଣ୍ଟିନେଇଥାନ୍ତି । ଅଣାବର୍ତ୍ତକର ରାଉଳ ପ୍ରିୟଦର୍ଶିନୀକୁ ଦଶଘଟ ମଧ୍ୟରେ ଘଟନୃତ୍ୟ କରିବାକୁ ଇଙ୍ଗିତ ଦେଲେ । ଘଣ୍ଟ, ମର୍ଦ୍ଦଳ ଦର୍ଶିନୀ । କେହି ତାକୁ ବିରୋଧ କରିନାହାନ୍ତି ବା ଅନ୍ୟକେହି ନୃତ୍ୟ ପଟ୍ଟିୟସୀ ସେଠାରେ ନଥିଲେ ଘଟନୃତ୍ୟ କରିବାକୁ ।

 

ଘଣ୍ଟର ତାଳେ ତାଳେ ନର୍ତ୍ତକୀର ନୂପୁର ନିକ୍ୱଣ ହଜିଯାଇଥିଲା । ସ୍ତ୍ରୀ ବେଶଧାରୀ ରାଉଳମାନେ ଶିର ଦେଶରେ ଦେବୀଙ୍କ ଘଟ ଧରି ରଣପା ଉପରେ ଚଢ଼ି ନାଚୁଛନ୍ତି । ତାଙ୍କର ପାଖରେ ଝୁଲି ଝୁଲି ଚାଲିଛନ୍ତି ମହାରାଉଳ । ସିଦ୍ଧ ରାଉଳଙ୍କ ସାକ୍ଷାତ ନାହିଁ ।

 

ଚକ୍ରପଡ଼ିଆରେ ପୂର୍ବରୁ ଷୋଳହାତ ଲମ୍ବା ତିନିହାତ ଓସାରର ପହି ଖୋଳାହୋଇ ଗର ଗର କାଠ ନିଆଁରେ ପୂର୍ଣ୍ଣ ହୋଇଥାଏ । କୁଲାରେ ବିଞ୍ଚାଯାଇ ବାହାରକରି ଦିଆଗଲା ତାହାର ପାଉଁଶ । ନିଦାଘ ବୈଶାଖର ପ୍ରଥମଦିନ । ସମୟ ପୁଣି ଦିବା ଦ୍ଵିପ୍ରହର; ଉପରୁ ସୂର୍ଯ୍ୟଙ୍କଠାରୁ ଝରିଆସୁଛି ଅଗ୍ନିର ଝଲକ । ତଳେ ରଡ଼ ନିଆଁ ।

 

ରାଉଳମାନେ ଅଗ୍ନି ପରିଖାକୁ ପ୍ରଦକ୍ଷିଣ କରି ବୁଲି ସାରିଲା ପରେ ସେମାନେ ପ୍ରବେଶ କରିବେ ଅଗ୍ନି ପରିଖା ମଧ୍ୟରେ ।

 

ନୃତ୍ୟରତା ପ୍ରିୟଦର୍ଶିନୀ ରାଉଳଙ୍କ ସହିତ ନାଚି ନାଚି ଚାଲିଛି ପରିଖା ଚତୁଃପାର୍ଶ୍ଵରେ । ନୃତ୍ୟ ବିଭୋର ଆଖି ତା’ର ହଠାତ୍ ପଡ଼ିଲା ମହାଭୈରବଙ୍କ ଉପରେ । ସେ ସ୍ପଷ୍ଟ ଇଙ୍ଗିତ ପାଇଲେ ଅଗ୍ନି ପରିଖା ମଧ୍ୟରେ ପଶି ନାଚିବା ପାଇଁ । ସେ ବିଭୋର ହୋଇପଡ଼ିଛି ନାଚି ନାଚି । ଭଲ ମନ୍ଦ ବିଚାର କରିବା ଜ୍ଞାନ ଆଉ ତା’ର ନାହିଁ ।

 

ଇଙ୍ଗିତ ମାତ୍ରେ ସେ ଡେଇଁପଡ଼ିଲା ଅଗ୍ନି ପରିଖା ମଧ୍ୟକୁ । ଖାଲି ଡେଇଁପଡ଼ିଲା ନାହିଁ, ସେହି ପରିଖା ମଧ୍ୟରେ ନାଚି ନାଚି ଚାଲିଲା । ଅଗ୍ନିର ପ୍ରଖରତା ତାକୁ କିମ୍ବା ତା’ର ଆଭରଣକୁ ସ୍ପର୍ଶ କଲାନାହିଁ ।

 

ଜୟ ମା’ ଶାରଳା ଧ୍ୱନିରେ କମ୍ପିଉଠିଲା ଚକ୍ର ପଡ଼ିଆ । ସହସ୍ର ଲଳନାଙ୍କ ମୁହଁରୁ ଉଚ୍ଛୁଳିଉଠିଲା ହୁଳହୁଳି ଶବ୍ଦ ।

 

ବିସ୍ମିତ ଉପସ୍ଥିତ ସହସ୍ର ସହସ୍ର ଦଶକ-ବିସ୍ମିତ ତା’ର ପିତା ମାତା ବନ୍ଧୁ ଜନ । ପ୍ରିୟଦର୍ଶିନୀ ନୁହେଁ କାଳିସୀ କିମ୍ବା ଚାଉଳ । ବାଗ୍‌ଦେବୀ ଶାରଳା ତାକୁ ପ୍ରସନ୍ନା । ସେ ନୃତ୍ୟ ନୁହେଁ ମାନବୀର–ସେ ନୃତ୍ୟ ସ୍ଵୟଂ ଭଗବତୀର ।

 

ଲଳନାମାନଙ୍କ ମୁଖରୁ ବାରମ୍ବାର ନିନାଦିତ ହେବାକୁ ଲାଗିଲା ହୁଳହୁଳି ।

 

ମହାରାଉଳଙ୍କୁ ଘାରିଛି କାରଣବାରି ନିଶା । ତଥାପି ଦେବୀଙ୍କର ଶ୍ରେଷ୍ଠ ଝାମୁଯାତ୍ରାବେଳେ ସେ ବାଧ୍ୟ ହୋଇଛନ୍ତି ଆସିବାକୁ ।

 

କାରଣବାରିରେ ମୁଦି ମୁଦି ହୋଇ ଆସୁଥିବା ଆଖିଦୁଇଟିକୁ ଟିକିଏ ଟିକିଏ ଅଧିକ ଅଧିକ ମେଲା କରି ମହାରାଉଳ ଉଚ୍ଚସ୍ୱରରେ କହିଉଠିଲେ, “ବାଃରେ ମଦାଳସା ! ବା ! ରେ ମଦାଳସା ! ବାଃ ବାଃ ! ଚମତ୍କାର ନାଚୁଛୁ ତୁ ।”

 

ତାଙ୍କ ପାଖରେ ଠିଆହୋଇଥିବା ଛାମୁକରଣ କହିଲେ, “ସେ ମଦାଳସା ନୁହେଁ ମହାରାଉଳେ, ସେ ଅଣାବର୍ତ୍ତକ ରାଜକନ୍ୟା ପ୍ରିୟଦର୍ଶିନୀ ।”

 

ଚମକିଉଠିଲେ ମହରାଉଳେ, “ଏଁ ସେ ମଦାଳସା ନୁହେଁ ? କିଏ କହିଲା ପ୍ରିୟଦର୍ଶିନୀକୁ ଘଟନୃତ୍ୟ କରିବା ପାଇଁ, ବନ୍ଦ କର ।”

 

ବାଦ୍ୟରୋଳ ଏବଂ ହୁଳାହୁଳି ଧ୍ୱନି ମଧ୍ୟରେ ସେ ସ୍ଵର ସମସ୍ତଙ୍କୁ ଶୁଭିନାହିଁ ସତ, ସେହି ପାଖରେ କେତେଜଣଙ୍କୁ ତାହା ଶୁଣାଗଲା । ଶାରଳାଙ୍କ ଘଟ ମସ୍ତକରେ ବିହନ କରି ଜଣେ ରାଉଳ ନାଚୁଥିବାବେଳେ ମହାରାଉଳଙ୍କ ପାଟି ଶୁଣି ସ୍ଥିରଭାବେ ଛିଡ଼ା ହୋଇଗଲେ । ତାଙ୍କୁ ଦେଖି ଅନ୍ୟମାନେ ସ୍ଥିର ହେବାକୁ ଲାଗିଲେ ।

 

ଏତିକିବେଳେ ପଛରୁ ଭାଷିଆସିଲା ଭୀଷଣ ହଟ୍ଟଗୋଳ । ଆବର୍ତ୍ତକର ରାଜା ତାଙ୍କ କନ୍ୟାକୁ ସେଠାରେ ନ ଦେଖି ଗଣ୍ଡଗୋଳ ଆରମ୍ଭ କରିଦେଇଛନ୍ତି । ସେ ସ୍ପଷ୍ଟଭାବେ ଧାରଣା କରିଛନ୍ତି ଏହା ଅଣାବର୍ତ୍ତକ ରାଜାଙ୍କ କାରସାଦି । ତେଣୁ ତାଙ୍କର ସୈନ୍ୟ ସାମନ୍ତଙ୍କୁ ଧରି ମାଡ଼ିଆସିଲେ ଝାମୁଆଡ଼କୁ ।

 

ମୁହୂର୍ତ୍ତକୁ ମଧ୍ୟରେ ଆବର୍ତ୍ତକ ଲୋକେ ଆକ୍ରମଣ କଲେ ଅଣାବର୍ତ୍ତକ ଲୋକଙ୍କୁ । ପବିତ୍ର ଚକ୍ରପଡ଼ିଆ ଯୁଦ୍ଧ ପଡ଼ିଆରେ ପରିଣତ ହେଲା । ଉପସ୍ଥିତ ଦର୍ଶନାକାଂକ୍ଷୀ ଭକ୍ତବୃନ୍ଦ ପଳାୟନ କଲେ ଏଣେତେଣେ ।

 

ଉଡ୍ରଦେଶର ଦୁଇଟି କ୍ଷୁଦ୍ର ସାମନ୍ତରାଜ୍ୟ ଆବର୍ତ୍ତକ ଏବଂ ଅଣାବର୍ତ୍ତକଙ୍କ ସୈନ୍ୟ ସେନାପତି ସେଠାରେ ଉପସ୍ଥିତ ଥିଲେ । ବଳରେ କଳରେ ଦୁହେଁ ଦୁହିଁକି ବଳିୟାର । ଦୁଇପକ୍ଷଙ୍କ ଯୁଦ୍ଧ ତେଣୁ ଭିଷଣରୁ ଭିଷଣତର ହେବାକୁ ଲାଗିଲା । ବୋବି ଦେଇ ଠେଙ୍ଗାବାଡ଼ି ଅଥବା କେତେକ ଆବର୍ତ୍ତକ ସୈନ୍ୟ ଖଣ୍ଡାଧରି ଧାଇଁଲେ । ଅଣାବର୍ତ୍ତକ ସୈନ୍ୟ ପଛେଇ ଗଲେନାହିଁ ସେମାନଙ୍କ ଆକ୍ରମଣରେ । ସେମାନେ ମଧ୍ୟ ଆବର୍ତ୍ତକ ସୈନ୍ୟଙ୍କୁ ପ୍ରତିରୋଧ କଲେ । ଆରମ୍ଭ ହେଲା ଦୁଇପକ୍ଷଙ୍କ ତୁମୁଳ ଯୁଦ୍ଧ ।

 

ଭକ୍ତମାନେ ବ୍ୟତିବ୍ୟସ୍ତ । ମରୋଢ଼, ବେଣାହାର, ତିରଣାଦି ସାମନ୍ତ ରାଜ୍ୟର ବହୁଲୋକ ସେଠାରେ ଉପସ୍ଥିତ ଥିଲେ । ସେହି ରାଜ୍ୟର ସାମନ୍ତ ରାଜାମାନେ ସେହି ମୁହୂର୍ତ୍ତରେ ସ୍ଥିରକଲେ ଦୁଇପକ୍ଷ କଣୟାବତୀ ଆଡ଼କୁ ଚାଲିଯିବା ପାଇଁ ଅନୁରୋଧ କରାଯାଉ । ତା’ ନହେଲେ ଠାକୁରାଣୀଙ୍କ ଯାତ୍ରା ହୋଇପାରିବ ନାହିଁ ।

 

ରାଜାମାନଙ୍କ ନିଷ୍ପତ୍ତିକୁ ରାଉଳମାନେ ସମର୍ଥନ କଲେ ।

 

କିନ୍ତୁ ଶୁଣୁଛି କିଏ ସେମାନଙ୍କର କଥା ।

 

କେତେକ ଭକ୍ତ ମହାଭୈରବଙ୍କୁ ଯାତ୍ରା ସୁରୁଖୁରୁରେ ହେବାପାଇଁ ମିନତି କଲେ । ମହାଭୈରବ ମସ୍ତକ ସଂଚାଳନ କରି କହିଲେ, “ତାହା ମୋର ଶକ୍ତିର ବାହାରେ । ନିଜେ ଭଗବତୀ ଏ ସବୁର କର୍ତ୍ତୀ । ଆବର୍ତ୍ତକ, ଅଣାବର୍ତ୍ତକ ନିମିତ୍ତ ମାତ୍ର । ଘୋର ଅନ୍ଧକାର ମାଡ଼ିଆସୁଛି । ନିଜେ ମହାମାୟା ମାୟାଦ୍ୱାରା ଆଚ୍ଛନ୍ନ କରୁଛନ୍ତି ସମସ୍ତଙ୍କୁ । ମୋର ଶକ୍ତି କାହିଁ ତା’ର ଇଚ୍ଛାର ପ୍ରତିରୋଧ କରିବାକୁ ?”

 

ଏହିଭଳି ଏକ ଅଘଟଣ ଘଟିବା ପରେ ମହାରାଉଳଙ୍କ କାରଣବାରି ନିଶା କିଛି ପରିମାଣରେ କମି ଆସିଥାଏ । ସେ ଖାଲି କହୁଥାନ୍ତି, “ଏଥିପାଇଁ ଦାୟୀ ଅଣାବର୍ତ୍ତକ ରାଜକନ୍ୟା । ତାଙ୍କର ଯଦି ବାକ୍‌ଦେବୀଙ୍କ ନିକଟରେ ନାଚିବାପାଇଁ ଇଚ୍ଛାଥିଲା ତେବେ ଆଗରୁ କାହିଁକି ଅନୁମତି ନେଲେନାହିଁ । ତାଙ୍କରି ଯୋଗୁ ଏ ସବୁ ବିଭ୍ରାଟ । ମଦାଳସା କାହିଁ ?”

 

ରାଉଳମାନଙ୍କ ମଧ୍ୟରୁ ଘଣ୍ଟ ବଜାଉଥିବା ଜଣେ ରାଉଳ ମହାରାଉଳଙ୍କୁ କହିଲେ, “ମଦାଳଷା ମଦ ନିଶାରେ ବିଭୋର ।”

 

“ଏଁ ମଦ । ମଦ ତ ସେ ଖାଏ ନାହିଁ । ଖାଲି ଟିକିଏ କାରଣବାରି ସେ ପାଇଥିଲା । ସେହି ଟିକକରେ କ’ଣ ଏତେ ନିଶା ତାକୁ ହେଲା ? ତାକୁ ନିଶ୍ଚୟ ଅଣାବର୍ତ୍ତକ ରାଜା କେଉଁଠି ଜୋର କରି ଲୁଚାଇ ରଖିଛନ୍ତି । ନିଶା ଫିସା କିଛି ତାକୁ ହୋଇନାହିଁ ।”

 

ବୈଶାଖ ମାସର ପ୍ରଥମ ଦିନର ସୂର୍ଯ୍ୟ ତପ୍ତ କିରଣ ଢାଳି ଢାଳି ପଶ୍ଚିମ ଆକାଶର ନିମ୍ନ ଭାଗକୁ ଚାଲିଗଲେଣି । ଆଉ ଅଳ୍ପ ସମୟ ପରେ ସୂର୍ଯ୍ୟ ଲୁଚିଯିବେ । ରାତ୍ରିର ଅନ୍ଧକାର କେବଳ ଚେଳିତାଳୋର ଜଂଖେରପୁର ନୁହେଁ ସମଗ୍ର ଉଡ୍ରଦେଶକୁ ଛାଇଦେବ ।

 

ରୁଦ୍ରଭୈରବ କଣୟାବତୀଆଡ଼ୁ ଧାଇଁଆସି ମହାଭୈରବଙ୍କୁ କହିଲେ, “ଆପଣ ଜାଣିଛନ୍ତି ଆବର୍ତ୍ତକ ରାଜକନ୍ୟାଙ୍କର ସନ୍ଧାନ ମିଳିଲାଣି ବୋଲି ।”

 

“କିଏ ତାଙ୍କୁ ଆବିଷ୍କାର କଲା, ଆବର୍ତ୍ତକର ମହାରାଣୀ ନା ?”

 

“ହଁ, ଆପଣ ତାହାହେଲେ ସବୁ ବିଷୟ ଜାଣିଛନ୍ତି ?”

 

“ମୁଁ ଜାଣେ ମଦାଳସା ଭଳି ଅତ୍ୟଧିକ କାରଣବାରି ସେ ପାନ କରି କଣୟାବତୀରେ ଥିବା ଆବର୍ତ୍ତକ ନିବାସରେ ଶୋଇରହିଛନ୍ତି । ଜାଣିଶୁଣି ଦାସୀମାନେ ଏ ବିଷୟ ଆବର୍ତ୍ତକର ରାଜାଙ୍କୁ ଜଣାଇନାହାନ୍ତି ।”

 

“ନା ମୁଁ ଶୁଣିଲି ସେ ହଠାତ୍ ପିଡ଼ୀତ ହୋଇପଡ଼ିଛନ୍ତି । ଯଦ୍ୱାରା ସକ୍ଷମ ହୋଇପାରିନାହାନ୍ତି ଝାମୁଯାତ୍ରାରେ ଯୋଗଦେବା ପାଇଁ ।”

 

“ତାହାହିଁ କହିବା ଛଡ଼ା ଅନ୍ୟ ଉପାୟ ନାହିଁ । ଆଉ ସେ ବିଷୟରେ କିଛି ଚିନ୍ତା କରିବା ଆମର ଉଚିତ ନୁହେଁ । ରାତ୍ରି ମାଡ଼ିଆସୁଛି । ରାତ୍ରିର ଅନ୍ଧକାର ତଳେ ସମସ୍ତେ ହଜିଯିବେ । ଯେଉଁ ବୌଦ୍ଧ ମହାଯାନ ପନ୍ଥୀ ବୌଦ୍ଧ ଧର୍ମର ପୂର୍ଣ୍ଣଚ୍ଛେଦ ଟାଣି ତନ୍ତ୍ର ଯାନରେ ପ୍ରବେଶ କଲେ, ରାଉଳ ସେହିମାନଙ୍କ ଦାୟାଦ । ସେମାନେ ଆଜି ଭୁଲିଯାଇଛନ୍ତି ତନ୍ତ୍ରକୁ । ଦେବୀଙ୍କୁ ପଞ୍ଚମକାରରେ ଆରାଧନା କରି ଯେଉଁ ଆଶୀର୍ବାଦ ପାଇପାରିଥିଲେ, ଆଜି ତାହା ଭୁଲିଯାଇଛନ୍ତି । ଆଜି ପଞ୍ଚମକାର ତାଙ୍କୁ ଗ୍ରାସ କରିଛି । ଏହାପରେ ସମଗ୍ର ଉଡ୍ରଦେଶକୁ ବୈଷ୍ଣବ ଧର୍ମ ଗ୍ରାସ କରିବ । କେବଳ ଶାରଳା ନୁହନ୍ତି ଅନ୍ୟାନ୍ୟ ବହୁ ତନ୍ତ୍ର ଦେବୀ ପଞ୍ଚମକାରରୁ ବିଚ୍ଛିନ୍ନ ହେବେ । ପଞ୍ଚମକାର ତ୍ୟାଗ କରି ସେମାନେ ତୁଳସୀରେ ପୂଜା ପାଇବେ ।”

 

ରାତ୍ରିର ଅନ୍ଧକାର କଥା କହୁ କହୁ ମାଡ଼ିଆସିଲା । ଦୂର ଦୂରାନ୍ତରରୁ ଆସିଥିବା ଯାତ୍ରୀମାନେ ରାତ୍ରି ଭୋଜନ ନିମିତ୍ତ ଠାଏ ଠାଏ ରୋଷାଇ ଆରମ୍ଭ କରିଦେଲେଣି । ସମସ୍ତଙ୍କ ମନରେ ନୈରାଶ୍ୟ-ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ।

 

ଦୁଇ ସମସ୍ତ ରାଜ୍ୟର ଯେଉଁ ତୁଚ୍ଛା ଲଢ଼େଇ ହେଲା ତଦ୍ଵାରା କ୍ଷୟକ୍ଷତି ଉଭୟଙ୍କର କମ୍ ହୋଇନାହିଁ । ଆବର୍ତ୍ତକ ରାଜକନ୍ୟା ଯୋଗୁ ଏଭଳି ଘଟିଲା ବୋଲି ଗୋଟିଏ ପକ୍ଷ କହୁଥିଲାବେଳେ ଅନ୍ୟପକ୍ଷ ଅଣାବର୍ତ୍ତକ ରାଜକନ୍ୟାଙ୍କ ଦୋଷ ଦେଉଥିଲେ ।

 

କିନ୍ତୁ ସମସ୍ତଙ୍କଠାରୁ ଊର୍ଦ୍ଧ୍ୱରେ ଥିଲେ ଦୁଇଜଣ ବ୍ୟକ୍ତି । ସେମାନେ ଏଥିପାଇଁ କାହାରିକୁ ଦୋଷ ଦେଉନଥିଲେ । ସେମାନଙ୍କର ଧାରଣା ଶୀତ ପରେ ଗ୍ରୀଷ୍ମ ଆସିଲା ପରି ଏହା ପ୍ରକୃତିର ଲୀଳା । ମଣିଷ କେବଳ ନିମିତ୍ତ ମାତ୍ର । ପ୍ରକୃତିକୁ ସବୁଦିନେ ବଶ କରି ରଖିହୁଏନା । ଖଣ୍ଡା ଧାରରେ ସବୁଦିନେ କିଏ ସାବଧାନରେ ଚାଲିପାରିବ ?”

 

ଠାକୁରାଣୀଙ୍କ ପ୍ରହରିକିଆ ଘଣ୍ଟା ବାଜିଲା । ଆଉ ପ୍ରହରକ ପରେ ଦିପ୍ରହରକିଆ ଧୂପ ହେବ । ରାଉଳମାନେ ଠାକୁରାଣୀଙ୍କୁ ବଡ଼ ଶୃଙ୍ଗାର ବେଶ କରାଇବେ । ମାଂସ, ମାଛରେ ଅମୁଣିହା ପ୍ରସ୍ତୁତ ହୋଇଆସିବ ନୈବେଦ୍ୟ ପାଇଁ । ତନ୍ତ୍ରପୂଜକ ଯୋନିମୁଦ୍ରାରେ ପୂଜା ସାଙ୍ଗ କରିବେ । ତା’ପରେ ମଧ୍ୟ ସମର୍ପଣ କରାଯିବ । ମନ୍ଦିରର ମୁଖ୍ୟଦ୍ଵାର ବନ୍ଦ କରାଯିବା ସଙ୍ଗେ ସଙ୍ଗେ ନର୍ତ୍ତକୀ ଚାମର ପକାଇ ଲାସ୍ୟ ନୃତ୍ୟରେ ମୈଥୁନର ଉପକରଣ ବାକ୍ୟରେ ଭଙ୍ଗିରେ ବାଢ଼ିବେ । ନୃତ୍ୟ ଶେଷ ହେଲା ବେଳକୁ ଦେବୀ ଅବଶିଷ୍ଟ ରାତ୍ରିର ଭାର ଯୋଗିନୀୟମାନଙ୍କୁ ଦେଇ ପହୁଡ଼ ରଚିବେ ।

 

ଆଉ ସମୟ ନାହିଁ । ପ୍ରହରକ ପରେ ଯୋଗିନୀମାନେ ଆସିଯିବେ । ଆସିଯିବେ ପ୍ରେତ ଦେହ ଧାରଣ କରି ସିଦ୍ଧ ପୁରୁଷମାନେ । ମାନବର ଅଜଣାରେ ସେମାନେ ସେମାନଙ୍କର ଲୀଳା ଆରମ୍ଭ କରିଦେବେ ଜଂଖେରପୁରରେ । ସେ ଲୀଳାକୁ ପ୍ରତ୍ୟକ୍ଷ କରିବା ପାଇଁ କାହାରି ଶକ୍ତି ଅଛି ?

 

ଏ ପ୍ରହରରୁ ଅତିକ୍ରମ କରି ଆଗେଇଯିବାକୁ ପଡ଼ିବ । ତା’ ନହେଲେ ଏ ଘନ ଅନ୍ଧକାରରେ ସେମାନେ ବି ଅନ୍ଧ ହୋଇଯିବେ ।

 

ଜଂଖେରପୁରକୁ ପଛରେ ପକାଇ ଦୁଇଜଣ ନିଃଶବ୍ଦରେ ଚାଲିଥାନ୍ତି ଆଗକୁ । ତାଙ୍କର ଗନ୍ତବ୍ୟପଥ କେତେଦୂର ତାହା ସେମାନେ ବି ଜାଣନ୍ତିନାହିଁ ।

 

ସେମାନେ କେବଳ ଜାଣନ୍ତି ସୂର୍ଯ୍ୟ ବୁଡ଼ିଯାଇଛି-ଅନ୍ଧକାର ମାଡ଼ିଆସୁଛି ।

 

ତଥାପି ଏ ରାତ୍ରି ନୁହେଁ ଅମାବାସ୍ୟାର-ଏ ରାତ୍ରି ପୂର୍ଣ୍ଣମୀର ।

 

କିନ୍ତୁ ଏ ରାତ୍ରିର ଯେଉଁ ଘନ ଅନ୍ଧକାର, ତାକୁ କ’ଣ ପୂର୍ଣ୍ଣମୀର ଚାନ୍ଦ ସଂପୂର୍ଣ୍ଣରୂପେ ଅପସାରିତ କରିବାକୁ କେବେ ସକ୍ଷମ ହୋଇଥାଏ ।

 

ପୂର୍ବେ ସାରଳା ଠାକୁରାଣୀଙ୍କ ପାଖରେ ପଞ୍ଚମକାର ପୂଜା ହେଉଥିଲା । ଦେବୀଙ୍କ ବୈଷ୍ଣବ ମତରେ ଆରାଧନା କରାଯିବା ହେତୁ ତାହା ବନ୍ଦ ହୋଇଯାଇଛି । ସାରଳା ଦାସ ତାଙ୍କ ମହାଭାରତରେ ସାରଳା ମହୁ, ମାଂସ, ମଦ (ମାଂସ)ରେ ତୃପ୍ତ ବୋଲି ଉଲ୍ଲେଖ କରିଛନ୍ତି । ବର୍ତ୍ତମାନର ପୂଜା ଶ୍ରୀମନ୍ଦିର ଢାଞ୍ଚାରେ କରାହୋଇଛି ।

Image

 

ଶେଷଦୃଶ୍ୟ

 

ତାହାହେଲେ କ’ଣ ଆଜି ରାତିରେ ଠାକୁରାଣୀଙ୍କୁ କେଉଁଠାରେ ନେଇଯିବାକୁ ହେବ ?

 

ତା’ ଛଡ଼ା ଅନ୍ୟ ଉପାୟ ନାହିଁ । ରାତିପାହିଲେ ପଠାଣେ ମାଡ଼ିଆସିବେ । ତାଙ୍କ କବଳରୁ କ’ଣ ଠାକୁରାଣୀଙ୍କୁ ଉଦ୍ଧାର କରିହେବ ?

 

ଏତେ ରାତିରେ କିଭଳି ଆମେ କେଉଁଠାକୁ ନେବା ?

 

ଯେଉଁଠାକୁ ହେଉନା କାହିଁକି, ଆଉ ଡେରିକରି ଲାଭନାହିଁ । ତାଙ୍କୁ କୌଣସି ଏକ ଗୁପ୍ତ ସ୍ଥାନରେ ରଖିଦେବାକୁ ପଡ଼ିବ । ଯେପର୍ଯ୍ୟନ୍ତ ପଠାଣେ ଏ ଅଞ୍ଚଳ ଛାଡ଼ି ନଯାଇଛନ୍ତି, ସେ ପର୍ଯ୍ୟନ୍ତ ଠାକୁରାଣୀଙ୍କୁ କୌଣସି ସ୍ଥାନରେ ଲୁଚାଇ ରଖିବା ଛଡ଼ା ଅନ୍ୟ ଉପାୟ ନାହିଁ । ସବୁ କାର୍ଯ୍ୟ ଗୁପ୍ତରେ କରିବାକୁ ପଡ଼ିବ । ଯଦି ଯବନମାନେ ଟିକିଏ ହେଲେ ଜାଣିପାରିବେ, ତାହାହେଲେ ଆମର ସବୁ ପରିଶ୍ରମ ପଣ୍ଡ ।

 

ହେଲେ ଏତେ ରାତିରେ ସମସ୍ତଙ୍କୁ ଡାକି ଠାକୁରାଣୀଙ୍କୁ ଉଠେଇନେବା କ’ଣ ସହଜ କଥା ?

 

“ଯାଅ, ଆଉ ଡେରି କରନା । କଥାଟା ପ୍ରଘଟ ହେଲେ ଅସୁବିଧା ।”

 

ନୀରବରେ ରାମ ରାଉଳ ଚାଲିଗଲେ । ମନ୍ଦିରର ପରିଚ୍ଛା ଚୌଧୁରୀ ଧୀରେ ଠାକୁରାଣୀ ମନ୍ଦିରର କବାଟ ଫିଟାଇ ଭିତରେ ପଶିଲେ । ତାଙ୍କ ମୁଣ୍ଡରେ ଚିନ୍ତାର ପାହାଡ଼ ଭାଙ୍ଗିପଡ଼ିଛି । ସେ ସଠିକ୍ ଖବର ପାଇଛନ୍ତି ଠାକୁରାଣୀଙ୍କୁ ମନ୍ଦିର ରାତି ପାହିଲା ମାତ୍ରେ ଘେରାଉହେବ । ମନ୍ଦିର ଭଙ୍ଗା ହେବ । ସେହି ପଥରରେ ତିଆରି ହେବ ମସଜିଦ୍, ପୀରଙ୍କ ଆସ୍ଥାନ । କେବଳ ଜଂଖେରପୁର ନୁହେଁ ସାରା ଭାରତରେ ଏହିଭଳି ହୋଇଚାଲିଛି । କେତେ ଶିବ ମନ୍ଦିର ଭଙ୍ଗା ଗଲାଣି, କେତେ ଶକ୍ତି ମନ୍ଦିର ଭଙ୍ଗାଗଲାଣି । କେତେକ ବିଷ୍ଣୁ ଗୋପାଳଙ୍କ ମନ୍ଦିର ଭଙ୍ଗା ଗଲାଣି । ସବୁ ଭଙ୍ଗାଯାଇ ଚାଲିଛି ମୁସଲମାନଙ୍କ ମସଜିଦ୍ । ଆଓରଙ୍ଗଜେବ ବାଦସାହା ଆଦେଶ ଦେଇଛି, ହିନ୍ଦୁ ଦେବାଳୟ ଓ ବିଦ୍ୟାଳୟମାନଙ୍କୁ ନଷ୍ଟ କରିଦେବାପାଇଁ । ତା’ ଆଦେଶ ବିରୁଦ୍ଧରେ କାହାରି ଶକ୍ତି ନାହିଁ ପଦେ କଥା କହିବାକୁ । ବିଶେଷତଃ ମୟୂରଭଞ୍ଜର ରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କୁ ଯେଉଁଦିନ ଖାଁନ-ଇ-ଦୌରାନ୍ ମିଛରେ ଡାକିନେଇ ହତ୍ୟାକଲେ, ସେହିଦିନଠାରୁ ଓଡ଼ିଶାର ପାଇକମାନେ ଡରିଗଲେଣି । ଖୋର୍ଦ୍ଧାର ରାଜା କିପରି ଜଗନ୍ନାଥଙ୍କୁ ରକ୍ଷାକରିବେ, ସେଥିପାଇଁ ଚିନ୍ତିତ । ଅନ୍ୟ ଦେବ ଦେବୀଙ୍କ କଥା କିଏ ପଚାରେ ?

 

ପାଣିର ସୁଅ ମାଡ଼ିଆସୁଛି । ସେହି ସ୍ରୋତ ବିରୁଦ୍ଧରେ ଯିବା ଅର୍ଥ ହାତ ଗୋଡ଼ ଭାଙ୍ଗି ଚିରଦିନ ପାଇଁ ମାଦଳହୋଇ ବସିବା କଥା । ମନ୍ଦିର ଭାଙ୍ଗିଗଲେ କିଛି ଯାଏଆସେ ନାହିଁ । ମୂଳ ଠାକୁରାଣୀଙ୍କୁ ଉଦ୍ଧାର କରିବାକୁ ହେବ । ମୂଳ ଠାକୁରାଣୀଙ୍କୁ ଉଦ୍ଧାର କରାଗଲେ ପରେ ପୁଣି ମନ୍ଦିର କରାଯାଇପାରିବ; କିନ୍ତୁ ଠାକୁରାଣୀଙ୍କୁ ଉଦ୍ଧାର କରାନଗଲେ ଆଉ କିଛି କରାଯାଇପାରିବ ନାହିଁ ।

 

ସ୍ରୋତ ସବୁଦିନେ ସମାନଭାବେ ବହିବନାହିଁ । ଆଜି ଯେଉଁ ହିନ୍ଦୁ ବିଦ୍ୱେଷ ଭାବ ମୋଗଲ ବୁଣି ଦେଇଛନ୍ତି, କାଲିକୁ ହୁଏତ ଭଟ୍ଟା ପଡ଼ିଯିବ । ପୁଣି ଆକବର ବାଦସାହା ଭଳି ଲୋକ ତ ମୋଗଲ ସମ୍ରାଟ ଥିଲେ ସେ ତ ହିନ୍ଦୁଭଳି ହୋଇଯାଇଥିଲେ । କିଏ କହିବ, ଆଓରଙ୍ଗଜେବ ପୁଣି କାଲିକୁ ଏହିଭଳି ନ ହେବ ?

 

ଅଳ୍ପ କେଇଟି ମୁହୂର୍ତ୍ତ ମଧ୍ୟରେ ଗୋଟି ଗୋଟି ହୋଇ ସମସ୍ତ ରାଉଳ ଆସିଗଲେ । କିପରି ସାରଳା ଠାକୁରାଣୀଙ୍କୁ ମନ୍ଦିର ମଧ୍ୟରୁ ନିଆଯିବ ସେ ବିଷୟରେ ଟିକିଏ ଆଲୋଚନା ହେଲା-। ଯେତେବେଳେ ପରିଚ୍ଛା ସମ୍ବାଦ ପାଇଛନ୍ତି କାଲି ମନ୍ଦିର ଘେରାଉ ହୋଇ ଭଙ୍ଗାହେବ, ସେତେବେଳେ ବେଳ ଥାଉଁ ବ୍ୟବସ୍ଥା କରିବାକୁ ପଡ଼ିବ । ଶହେ ବର୍ଷ ତଳେ କଳାପାହାଡ଼ ଓଡ଼ିଶା ମୂଲକରେ ଯାହା କରିଥିଲା, ପୁଣି ତା’ର ପୁନରାବୃତ୍ତି ଆରମ୍ଭହୋଇଛି । କଳାପାହାଡ଼ ଆଉ ତା’ର ଅନୁଚରମାନେ କେତେ ମନ୍ଦିର ଭାଙ୍ଗିଛନ୍ତି, କେତେ ଦିଅଁ ଦେବତା ଭାଙ୍ଗିଛନ୍ତି, ତା’ର ହିସାବ ନାହିଁ । ପୁଣି ଆଜି ଦ୍ଵିତୀୟ କଳାପାହାଡ଼ ଆଓରଙ୍ଗଜେବ ପାଲଟିଛି । କଳାପାହାଡ଼ର ଅବସ୍ଥା ଯାହାହେଲା, ତା’ର ମଧ୍ୟ ସେହିଭଳି ଅବସ୍ଥା ନହେବ, ଏହା କିଏ କହିବ ? ସେତେବେଳ ସାରଳା ଠାକୁରାଣୀ ପାଣି ଆଣିବା ବାହାନାରେ କଳାପାହାଡ଼କୁ ଠକିଦେଲେ । ଠାକୁରାଣୀ ପାଣି ଆଣିବାକୁ ଯାଇ ଚନ୍ଦ୍ରଭାଗା ନଈରେ ବୁଡ଼ିରହି ନିଜକୁ ଲୁଚାଇଥିଲେ । ପାଣିରେ ଭାସୁଥିଲା ତାଙ୍କ ମାଠିଆ । ଶେଷରେ କଳାପାହାଡ଼ ନିରାଶ ହୋଇ ଫେରିଗଲେ । ଏଥର କିନ୍ତୁ ଠାକୁରାଣୀ ଆଗରୁ କହିଦେଇଛନ୍ତି, ତାଙ୍କ ବ୍ୟବସ୍ଥା ସେବକମାନେ କରିବେ । ଯବନ ଯେପରି ତାଙ୍କୁ ଛୁଇଁପାରିବେ ନାହିଁ ସେଥିପାଇଁ ସେବକେ ତତ୍ପର ।

 

ଠାକୁରାଣୀଙ୍କ ମନ୍ଦିରରେ ମାତ୍ର କୋଶକ ମଧ୍ୟରେ ମୁସଲମାନଙ୍କ ବସ୍ତି । ସେମାନେ ଯଦି କୌଣସି ମତେ ଟିକିଏ ସୁରାକ ପାଆନ୍ତି, ତେବେ ଅସୁବିଧା । ଶହେବର୍ଷ ପୂର୍ବେ କଳାପାହାଡ଼ ପ୍ରତିହିଂସା ପରାୟଣ ହୋଇ ଦେବତା ଓ ମନ୍ଦିର ଭାଙ୍ଗି ପକାଇଥିଲା । ଭୁବନେଶ୍ୱରରେ କେତେକ ଛୋଟ ଛୋଟ ମନ୍ଦିର ଭାଙ୍ଗି ପୁରୀ ଯିବା ଖବରପାଇ ଜଗନ୍ନାଥ ମନ୍ଦିରରେ ପରିଚ୍ଛା ଦିବ୍ୟସିଂହ ପଟ୍ଟନାୟକ ଜଗନ୍ନାଥଙ୍କୁ ଚିଲିକା ଭିତରେ ପାରିକୁଦରୁ ନେଇଯାଇଥିଲେ । ସେହିଭଳି ଯଦି ସମ୍ବାଦ ବାହାରେ ପ୍ରଘଟ ହୁଏ, ତେବେ ବାରବର୍ଷର ତପ ଶୁଖୁଆ ଝୋଳରେ ଯିବ ।

 

ଷଡ଼କାନ ମନ୍ତ୍ରଭେଦ । କେବଳ ରାଉଳଙ୍କ ଛଡ଼ା ଆଉ କାହା କାନ ହେବ ନାହିଁ । ମହାଶକ୍ତି ଶାରଳାଙ୍କ କୃପାରୁ ରାଉଳଙ୍କର ଯଥେଷ୍ଟ ଶକ୍ତି ଅଛି । ସାରଳାଙ୍କୁ ଟେକିନେବା ଅବଶ୍ୟ ଟିକିଏ କଷ୍ଟ ହେବ; କିନ୍ତୁ ସେହିଭଳି ନେବା ସମ୍ଭବ ନୁହେଁ । ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଯେଉଁଭଳି ଜଗନ୍ନାଥଙ୍କୁ ପାଟକନା ଗୁଡ଼ାଯାଏ ସେହିଭଳି ରାଉଳମାନେ ଠାକୁରାଣୀଙ୍କୁ ପାଟଶାଢ଼ିରେ ଗୁଡ଼ାଇଦେଲେ । ଯଦ୍ୱାରା ଅକସ୍ମାତ୍ ଯଦି ତାଙ୍କ ହାତରୁ ସେ ପଡ଼ିଯାନ୍ତି, ତେବେ ସେଭଳି କିଛି ହେବ ନାହିଁ ।

 

କାନ୍ଦିପକାଇଲେ ରାଉଳେ । ଜଗଜ୍ଜନନୀ ମହିଷାମର୍ଦ୍ଦିନୀ ସାରଳା ଆଜି କାହାପରି ତାଙ୍କରି ମନ୍ଦିର ମଧ୍ୟରୁ ରାତି ଅଧରେ ଚାଲିଯାଉଛନ୍ତି । ବାଜୁନାହିଁ ଘଣ୍ଟ, ଘଣ୍ଟା, ଭେରୀ ତୂରୀ । ପଡ଼ୁନାହିଁ ତାଙ୍କ ଉପରେ ଆଲଟ, ଚାମର । ରତ୍ନଖଚିତ ବିମାନରେ ମଧ୍ୟ ତାଙ୍କୁ ନିଆଯାଉନାହିଁ । ଭାଟ ମଧ୍ୟ ପଢ଼ୁନାହାନ୍ତି ତାଙ୍କର ପ୍ରଶସ୍ତି ।

 

ଆଖିରୁ ଧାର ଧାର ହୋଇ ଲୁହ ବୋହିଯାଉଥାଏ ରାଉଳଙ୍କର । କେହି କେହି ଅତ୍ୟଧିକ କ୍ରୋଧବଶରୁ କଇଁ କଇଁ କାନ୍ଦିଉଠୁଛନ୍ତି ।

 

ପରିଚ୍ଛା ଚୌଧୁରୀ ହାତ ହଲାଇ ବାରଣ କଲେ । ଚୁପ୍ ଚୁପ୍ କରି କହିଲେ, “ଏ କ’ଣ ? ଯାହା ଦେଖାଯାଉଛି ତୁମେ ସବୁ ସର୍ବନାଶ କରିବ । ପଠାଣେ କାନ ପାରିଥିବେ । ପୁଣି ଯେଉଁ ହିନ୍ଦୁମାନେ ମୁସଲମାନ ହୋଇଛନ୍ତି, ସେମାନଙ୍କ ହିଂସା ବେଶି । ଲାଙ୍ଗୁଳ କଟା ଶୃଗାଳଙ୍କ ପରି ସେମାନେ ଠାକୁରାଣୀଙ୍କୁ ବିକଳ କରିବାକୁ ଚାହାଁନ୍ତି । ସମସ୍ତେ ତୁନିହୁଅ । ବିପଦବେଳେ ଅଧୈର୍ଯ୍ୟ ହେଲେ ସବୁ ସରିଯାଏ । କାନ୍ଦିବାର ବେଳ ବର୍ତ୍ତମାନ ନୁହେଁ । ଆଗେ ଠାକୁରାଣୀଙ୍କୁ ନିରାପଦ ସ୍ଥାନକୁ ନେଇଯିବା–ତା’ପରେ ବସି କାନ୍ଦିବା ।” ଲୁହ ପୋଛି ରାଉଳମାନେ ଠାକୁରାଣୀଙ୍କୁ ସିଂହାସନଠାରୁ ଉଠାଇଲେ । ଏ କ’ଣ, ପଥରର ମୂର୍ତ୍ତି ଶୋଲଭଳି ଲାଗିଛନ୍ତି । ଯେଉଁ ଦେବୀ ଏତେ ଗରୁ ଯେ ଯାନି ଯାତ୍ରାବେଳେ ତାଙ୍କୁ ବିଜେକରାଇବା ସମ୍ଭବ ନହେବା ଯୋଗୁ ତାଙ୍କର ବିଜେ ପ୍ରତିମାଙ୍କୁ ପଟୁଆରରେ ବିଜେ କରାନ୍ତି; କିନ୍ତୁ ଏ ଯେ ଅଦ୍ଭୁତ କଥା, ଜଣେ ରାଉଳ ତାଙ୍କୁ ଶୂନ୍ୟେ ଶୂନ୍ୟେ ଟେକିପାରୁଛନ୍ତି । ବାକି ଅନ୍ୟମାନେ ଖାଲି ଟିକିଏ ହାତ ପକାଇଥାନ୍ତି । ବିଜେ ପ୍ରତିମାଙ୍କୁ ମଧ୍ୟ ସଙ୍ଗରେ ନେଇଗଲେ । ରତ୍ନଭଣ୍ଡାରରୁ ମଧ୍ୟ ବହୁରତ୍ନ ବୋହିନେଲେ ରାଉଳମାନେ ।

 

ମନ୍ଦିରର ପରିଚ୍ଛା ଆଗେ ଆଗେ ଚାଲିଛନ୍ତି, ରାଉଳମାନେ ଠାକୁରାଣୀଙ୍କୁ କାନ୍ଧରେ ବହନ କରି ସତେ ଯେପରି ଦେବୀ ସୁଭଦ୍ରାଙ୍କୁ ଦଇତାମାନେ ରଥଯାତ୍ରା ବେଳେ ବିଜେ କରାଉଛନ୍ତି; କିନ୍ତୁ ସେତେବେଳେ ବାଜା ବାଜୁଥାଏ, ଆଲଟ ଚାମର ପଡ଼ୁଥାଏ, ହୁଳୁହୁଳି ହରିବୋଲ ଶବ୍ଦରେ ଉଛୁଳି ଉଠୁଥାଏ ବେଢ଼ା ଭିତର, ବାଇଶି ପାହାଚ, ବଡ଼ ଦାଣ୍ଡ । ଲକ୍ଷ ଲକ୍ଷ ଲୋକ ଗଦା ହୋଇଥାନ୍ତି ମହାଲକ୍ଷ୍ମୀରୂପା ଜଗଜ୍ଜନନୀ ସୁଭଦ୍ରାଙ୍କ ପହୁଣ୍ଡି ବିଜେ ଦେଖିବା ପାଇଁ; କିନ୍ତୁ ଏଠି ?

 

ଏଠି ଠିକ୍ ବିପରୀତ । କେହି ବାହାରକୁ ଆସିନାହାନ୍ତି ମହାମାୟା ସାରଳାଙ୍କର ଏ ଯାତ୍ରା ଦେଖିବାପାଇଁ । ହରିବୋଲ କେହି ଦେଉନାହିଁ କିମ୍ବା ହୁଳୁହୁଳି କେହି ପକାଉନାହିଁ । ଏ ଯାତ୍ରା ନୁହେଁ ଆନନ୍ଦ ଉତ୍ସାହର, ଏ ଯାତ୍ରା ଭୟବିହ୍ୱଳର । ସତେ ଯେପରି ଠାକୁରାଣୀ କହୁଛନ୍ତି ଦେଖ ସେବକେ–ଦେଖ ପରିଚ୍ଛା, ଦୁଃଖ ବିପଦ କେବଳ ତୁମ୍ଭମାନଙ୍କୁ, ତୁମ୍ଭମାନଙ୍କ ଯଜମାନଙ୍କୁ ଗ୍ରାସ କରୁଛି, ମୋତେ ନୁହେଁ ? ହେଇ ଦେଖ ମୁଁ କିପରି ଚୋରଙ୍କ ଭଳି ଲୁଚି ଲୁଚି ପୁଣି ଦୀର୍ଘଦିନ ଧରି ଫେରାର ଆସାମୀ ହେବାକୁ ଚାଲିଯାଉଛି । ମର୍ତ୍ତ୍ୟ ମଣ୍ଡଳରେ ଜୀବମାନଙ୍କର ଯେଉଁ ଅବସ୍ଥା ଦେବତାମାନଙ୍କର ମଧ୍ୟ ସେହି ଅବସ୍ଥା । ବିଶ୍ୱନୀତିଠାରୁ ଆମେ କେହି ବାହାର ନୋହୁଁ ।

 

ବିମାନ ମନ୍ଦିରରୁ ମହାମାୟା ଜଗମୋହନକୁ ଚାଲିଆସିଲେ । ଦେଖୁ ଦେଖୁ ସେବକେ ଜଗମୋହନ ଡେଇଁ ନାଟ ମନ୍ଦିରରେ ପ୍ରବେଶ କଲେ । ନାଟ ମନ୍ଦିରରୁ ସିଧା ବାହାରିପଡ଼ିଲେ ବେଢ଼ା ଭିତରକୁ । ଆଗେ ଆଗେ ଚାଲିଛନ୍ତି ପରିଚ୍ଛା । ପରିଚ୍ଛାଙ୍କ ପଛକୁ ଲାଗିରହିଛନ୍ତି ସେବକମାନେ । ମୁହୂର୍ତ୍ତ ବିଶ୍ରାମ ନେବାକୁ ସମୟ ନାହିଁ । ଆସ୍ତେ ଉତ୍ତରଦ୍ଵାର ମେଲା କରି ଦେବୀମାନଙ୍କୁ ନେଇଗଲେ ବେଢ଼ା ବାହାରକୁ ।

 

ବେଢ଼ା ବାହାର ସମସ୍ତଙ୍କଠାରୁ ବିପଦ ଶଙ୍କୁଳ । ହୁଏତ କୌଣସି ଯବନ ଆସିଯାଇପାରେ । ପରିଚ୍ଛା ଧାଇଁଚାଲିଲେ ଉତ୍ତରମୁହାଁ ହୋଇ । ତାଙ୍କ ପଛେ ପଛେ ଠାକୁରାଣୀ ।

 

ଉତ୍ତର ପଟେ ବିରାଟ ଆମ୍ବ ତୋଟା । ତାହାରି ତଳେ ଚନ୍ଦ୍ରଭାଗା ବହିଯାଇ ବୃଦ୍ଧ ମାତାଙ୍କ ପାଖରେ ମହୋଦଧିରେ ମିଶିଛି । ତେଣୁ କେତେକ ମଧ୍ୟ ସେହି ନଦୀକୁ ବୃଦ୍ଧନଦୀ ବୋଲି କୁହନ୍ତି । ଆଗରେ ଦେଖାଯାଉଛି, ମାଣିକ ଘାଟ । ଅଥଳ ଥଳ ପାଣି କଳାପାହାଡ଼ ସମୟରେ ସାରଳା ପାଣି ପାଇଁ ଆସି ସେଠାରେ ଆତ୍ମଗୋପନ କରିଥିଲେ, ପାଣିରେ ଆତ୍ମଗୋପନ କରିବା ସହଜ । ଜଗନ୍ନାଥ କାଷ୍ଠାବିଗ୍ରହ ଯୋଗୁ ତାଙ୍କୁ ପାଣି ସ୍ପର୍ଶ କରାଯାଏ ନାହିଁ । ମାର୍ଜନା ପାଇଁ ତାଙ୍କ ସମ୍ମୁଖରେ ପିତଳ ଦର୍ପଣ ରଖାଯାଏ । ସେହି ଦର୍ପଣରେ ଦିଅଁଙ୍କ ପ୍ରତିବିମ୍ବ ପ୍ରତିଫଳିତ ହୁଏ । ସେହି ପ୍ରତିବିମ୍ବକୁ ସ୍ନାନ ମାର୍ଜନା କରାଯାଏ; ମାତ୍ର ସାରଳା ପ୍ରସ୍ତର ମୂର୍ତ୍ତି । ପାଣିରେ ବୁଡ଼ିଗଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ । ଠାକୁରାଣୀ ନିଜେ ଯେତେବେଳେ ଶହେବର୍ଷ ପୁର୍ବେ ସେହି ମାଣିକ ଘାଟରେ ଆତ୍ମଗୋପନ କରିଥିଲେ, ବର୍ତ୍ତମାନ କରିବାରେ କ’ଣ ଅସୁବିଧା ଅଛି ?”

 

ସେବକେ ଠାକୁରାଣୀଙ୍କୁ ସେହି ନଦୀରେ ଧୀର ଭାବରେ ରଖିଦେଲେ । ପରିଚ୍ଛା ଯାହା ଶୁଣିଛନ୍ତି ତାହା ଯଦି ସତ୍ୟ ନ ହୁଏ, ତେବେ ଅନାୟାସରେ ତାଙ୍କୁ ପରେ ସେଠାରୁ ନିଆଯାଇପାରିବ-। ଯଦି ତାହା ହିଁ ହୁଏ, ତେବେ ଚିନ୍ତା କରାଯିବ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯାଇପାରେ । ବର୍ତ୍ତମାନପାଇଁ ତା’ ଠାକୁରାଣୀ ରହିଯିବେ । ଯାହା ରତ୍ନ ଆଣାଯାଇଛି ତାହା ମଧ୍ୟ ତାହାର ପାଖରେ ପୋତାଯାଉ ।

 

ମାଣିକ ଗଣ୍ଡରେ ଠାକୁରାଣୀଙ୍କୁ ରଖି ପରିଚ୍ଛାଙ୍କ ସହ ସେବକେ ଫେରିଲେ । ସିଧା ନିଜ ନିଜ ଘରକୁ ଯିବା ପୂର୍ବରୁ ମାଣିକ ଗଣ୍ଡ ଉପରେ ଥିବା ଆମ୍ବ ବଗିଚାରେ ସମସ୍ତେ କିଛି ସମୟ ଛିଡ଼ାହେଲେ । ପରିଚ୍ଛା ଛପି ଛପି କରି କହିଲେ, ‘ସବୁଦିନ ପରି ସକାଳୁ ମନ୍ଦିରକୁ ଆସିବାକୁ ପଡ଼ିବ-। ବର୍ତ୍ତମାନ ଯାହା ହୋଇଗଲା, ତାହା ଭୁଲରେ ବି ଯେପରି କେହି କାହା ଆଗରେ ନ କୁହନ୍ତି-। ତା’ପରେ ଯାହାହେବ ତା’ର ବ୍ୟବସ୍ଥା ମୁଁ କରିବି । ତୁମକୁ କିନ୍ତୁ ସବୁ ଅଭିନୟ କରିବାକୁ ପଡ଼ିବ ।” ପୂର୍ବାକାଶ ଲାଲହେବା ପୂର୍ବରୁ ପ୍ରତ୍ୟେକ ନିଜ ନିଜ ଘରକୁ ଫେରିଗଲେ ।

 

ସକାଳ ହେବାମାତ୍ରେ ମୋଗଲ ସୈନ୍ୟ ଘେରିଗଲେ ସାରଳା ମନ୍ଦିରକୁ । ମହାଦେବୀଙ୍କର ମାର୍ଜନା ପାଇଁ ଛୁଟିଛନ୍ତି ଭକ୍ତମାନେ ଚୁଆ, ସିନ୍ଦୂର, କ୍ଷୀର, କଦଳୀ ଆଦି ଧରି । ସ୍ନାନ ସାରି ପୂଜକ ସେବକ ମନ୍ଦିର ଆଡ଼କୁ ଆସୁଛନ୍ତି ଦେବୀ ଶାରଳାଙ୍କ ସ୍ନାନାଦି ଦୈନିକ ନୀତି ପାଇଁ; ମାତ୍ର ଏ କ’ଣ, ମନ୍ଦିର ଚତୁର୍ଦ୍ଦିଗରେ ଘେରି ରହିଛନ୍ତି ମୋଗଲ ସୈନ୍ୟ । କଟିରେ ଝୁଲୁଛି କରବାଳ । କର୍ମାଣଗୁଡ଼ିକ ଥୁଆହୋଇଛି ଚତୁର୍ଦ୍ଦିଗରେ ।

 

ମୋଗଲ ଫଉଜର ମୁକାବିଲା କରିବାପାଇଁ ସାଧ୍ୟ କାହାର ? ଖଣ୍ଡି ଖଣ୍ଡିତ, ତିରଣ, ବେଣାହାର, ଜଂଖେର, ମରଡ଼ ପ୍ରଭୃତି ରାଜାମାନେ ମୋଗଲଙ୍କ ଭୟରେ, ଘର କୋଣରେ ଲୁଚିଛନ୍ତି-। ଓଡ଼ିଶା ମୁଲକରେ ମହାରାଜା ସ୍ଵୟଂ ଗଜପତି ମୁକୁନ୍ଦଦେବ ତ ଓଡ଼ିଶାର ମହାପ୍ରଭୁ ଜଗନ୍ନାଥଙ୍କୁ କିପରି ରକ୍ଷାକରିବେ ତାହା ସେ ସ୍ଥିର କରିପାରୁନାହାନ୍ତି, ଆଉ ଜଂଖେର ଆସି ସାରଳାଙ୍କୁ ସେ କ’ଣ ରକ୍ଷା କରିପାରିବେ ? ଆଓରଙ୍ଗଜେବର ଧାରଣା କେବଳ ଇସଲାମ ଧର୍ମ ମାନବସମାଜ ପାଇଁ ଉତ୍କୃଷ୍ଟ, ଅନ୍ୟାନ୍ୟ ନିକୃଷ୍ଟ । ପୁଣି ହିନ୍ଦୁଧର୍ମ ନିହାତି ନିକୃଷ୍ଟ । ସାରା ଭାରତରେ ସେ ଇସଲାମ ଧର୍ମ ପ୍ରଚାର ପାଇଁ ବହୁ ‘ମହତ୍‌ଶିବ’ ନିଯୁକ୍ତି କରିଛି । ସେହି ମହତ୍‌ଶିବଙ୍କ ଅଧୀନରେ ବହୁ କାଜି ଅଛନ୍ତି-। ସେମାନେ ବହୁ ହିନ୍ଦୁଙ୍କୁ ମହମ୍ମଦଙ୍କ ପ୍ରଚାରିତ ଇସ୍‌ଲାମ୍‌ ଧର୍ମରେ ଦୀକ୍ଷିତ କରିସାରିଲେଣି । ଦରିଦ୍ର, ପରିଶ୍ରମ କାତର ବହୁ ହିନ୍ଦୁ ଇସଲାମ୍ ଧର୍ମ ଗ୍ରହଣ କରି ଯଦିଓ ଧନୀ ନ ହେଉଛନ୍ତି, ତେବେ ଦାରିଦ୍ର୍ୟ ତାଙ୍କୁ ଛୁଇଁପାରୁନାହିଁ ।

 

ଯେଉଁମାନେ ହିନ୍ଦୁରୁ ମୁସଲମାନ ହୋଇଗଲେ, ସେମାନେ ଚାହାନ୍ତି ସମସ୍ତେ ମୁସଲମାନ ହୁଅନ୍ତୁ ସମସ୍ତେ ବିପଦ ଆପଦରେ ଆଲ୍ଲାବୋଲି ଡାକନ୍ତୁ । କାଜିମାନଙ୍କ ପାଖରେ ସେହିମାନେ ଜଣାଉଛନ୍ତି, କେଉଁମାନେ ମହମ୍ମଦୀୟ ଧର୍ମବିରୋଧୀ । ମହମ୍ମଦଙ୍କଦ୍ଵାରା ନିଷିଦ୍ଧ ହୋଇଥିବା କାର୍ଯ୍ୟମାନ କେହି କଲେ ଏହି ଲାଙ୍ଗୁଳହୀନ ଶୃଗାଳ ସେମାନଙ୍କ ନାମ ଜଣାଇ ଦେଉଛନ୍ତି । ଯେଉଁମାନେ ସେଭଳି କିଛି କରୁଛନ୍ତି, ସେମାନଙ୍କ ନାମ ତ ଜଣାଇ ଦିଆଯାଇଛି । ଯେଉଁମାନେ କିଛି ନ କରିଛନ୍ତି; ଅଥଚ ଏହି ଧର୍ମାନ୍ତରୀତମାନଙ୍କ ସହିତ କୌଣସି କାରଣରୁ ତାଙ୍କର ଶତ୍ରୁତା, ସେମାନଙ୍କ ନାମ ବିଦ୍ରୋହୀ ତାଲିକାରେ ପ୍ରଥମେ ରହେ । କାଜିମାନଙ୍କ ସୁପାରିସ୍‌କ୍ରମେ ରାଜକର୍ମଚାରୀ ସେମାନଙ୍କୁ ମଧ୍ୟ ଦଣ୍ଡବିଧାନ କରନ୍ତି ।

 

ସାରଳା ଠାକୁରଣୀଙ୍କ ମନ୍ଦିର ଘେରାଉହେବା ଦେଖି ପୂଜକ ଛାନିଆ ହୋଇଗଲେ । ଠାକୁରାଣୀଙ୍କ ପହିଲି ଦର୍ଶନପାଇଁ ଆସୁଥିବା ଭକ୍ତମାନେ ଅବସ୍ଥା ଦେଖି ପଳାଇଯାଉଛନ୍ତି ।

 

ନିହାଣ, ମୁଗୁର, ଶାବଳ ଧରି ମୁସଲମାନମାନେ ଆସିଗଲେଣି ମନ୍ଦିର ଭାଙ୍ଗିବାକୁ । ସମସ୍ତେ ଅପେକ୍ଷା କରୁଛନ୍ତି କାଜିଙ୍କୁ । କାଜି ଆସି ହୁକୁମ ଦେଲେ, ଆରମ୍ଭ ହୋଇଯିବ ମନ୍ଦିର ଧ୍ଵଂସ କାମ । କୌଣସି ଗୋଟିଏ ମୂର୍ତ୍ତି ନିସ୍ତାର ପାଇବେ ନାହିଁ କିମ୍ବା ହିନ୍ଦୁ ଦେବତାଙ୍କର କୌଣସି ମୂଲ୍ୟବାନ ବସ୍ତୁ ହିନ୍ଦୁମାନଙ୍କୁ ଫେରାଇ ଦିଆଯିବ ନାହିଁ । ହିନ୍ଦୁମାନେ ଇସଲାମ୍ ଧର୍ମ ଗ୍ରହଣ କରନ୍ତୁ ବା ନ କରନ୍ତୁ ସେମାନଙ୍କ ମନ୍ଦିର ଦେବତା ନଷ୍ଟ କରିଦିଆଯିବ । ଏହା ଭାରତ ସମ୍ରାଟଙ୍କ ଆଦେଶ ।

 

ଘୋଡ଼ା ଉପରେ ଚଢ଼ି କାଜି ଆସିଲେ । ସେ ସଙ୍ଗେ ସଙ୍ଗେ ଡକାଇ ପଠାଇଲେ ମନ୍ଦିର ରକ୍ଷକ ପରିଚ୍ଛାଙ୍କୁ । ପରିଚ୍ଛା କାଜିଙ୍କ ଡାକରା ପାଇବା ମାତ୍ରେ ଯୋଡ଼ହାତ ହୋଇ ଦଣ୍ଡାୟମାନ ହେଲେ । ତାଙ୍କୁ କାଜି ଦେଖୁ ଦେଖୁ କୋରାନର କେତେକ ପଙ୍‌କ୍ତି ଉଦ୍ଧାର କରି ଇସ୍‌ଲାମ୍‌ ଧର୍ମର ଦର୍ଶନ ଉଚ୍ଚକଣ୍ଠରେ ବୟାନ କଲେ । କାଜିଙ୍କର ଉର୍ଦ୍ଦୁ ପାର୍ଶିର ଓଜସ୍ୱିନୀ ଭାଷଣ ବିଚରା ପରିଚ୍ଛା ବିନ୍ଦୁ ବିସର୍ଗ ବୁଝିପାରୁନଥାନ୍ତି । ତଥାପି ସମ୍ମତି ଜଣାଇନଥାନ୍ତି ମୁଣ୍ଡ ହଲାଇ ।

 

କାଜି ଆଦେଶ ଦେଲେ ତୁମକୁ ମହମ୍ମଦଙ୍କ ପ୍ରଚାରିତ ଧର୍ମ ଗ୍ରହଣ କରିବାକୁ ପଡ଼ିବ । ତୁମେ ତୁମ ନିଜ ହାତରେ ତୁମ ଦେବତାକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିଦିଅ ।

 

ପରିଚ୍ଛା କାଜିଙ୍କ କଥା ପୂରାପୂରି ବୁଝିନପାରିଲେ ମଧ୍ୟ ସେ ଗୋଟାଏ କ’ଣ ଅଡ଼ୁଆ କଥା କହୁଛନ୍ତି, ଏହା ତାଙ୍କର ଧାରଣା ହେଲା । ସେ ପ୍ରମାଦ ଗଣିଲେ । ହେ ମା’ ସାରଳା ! ତୁ ଏକମାତ୍ର ଭରସା । ତୁ ଦେବତାଙ୍କ ବିକଳ ଦେଖି ମହିଷାକୁ ବଧ କରିଛୁ–ମହିଷାର ସେନାପତି ଚଣ୍ଡମୁଣ୍ଡ, ଶୁମ୍ଭନିଶୁମ୍ଭଙ୍କୁ ସଂହାର କରିଛୁ । ହେ ମା’ ! ଏଠୁ ମୋତେ ରକ୍ଷାକର । ତୋତେ କଳାବୋଦା ବଳିଦେବି ।

 

ପରିଚ୍ଛା କିଛି କହିବା ପୂର୍ବରୁ ସ୍ତ୍ରୀ ଲୋକଟିଏ ବାଳମୁକୁଳା କରି ଛୁଟିଆସିଲା । ସେହି କାଜି ଆଗରେ ଛିଡ଼ାହୋଇ କହିଲା, ତୁ ମୋତେ ଭାଙ୍ଗିବାକୁ ଆସିଛୁ ? ଦେଖ୍ ମନ୍ଦିର ଭିତରେ ମୁଁ ଆଉନାହିଁ । ବିଧର୍ମାମାନେ ମୋତେ ଛୁଇଁବା ପୂର୍ବରୁ ମୁଁ ଦେଉଳ ଛାଡ଼ି ଚାଲିଯାଇଛି । ଆମେ ଯେତେ ଦେବଦେବୀ ସମସ୍ତେ ଶୂନ୍ୟରେ ରହି ତୁମ କାମ ସବୁ ଦେଖୁଛୁ । ଶେଷରେ ସବୁ ମୋ ଖପରରେ ପଡ଼ିବ । ଚଣ୍ଡୀ ଚାମଣ୍ଡା ତୁମ ରକ୍ତ ଖାଇ ସନ୍ତୁଷ୍ଟ ହେବେ ।

 

ସଙ୍ଗେ ସଙ୍ଗେ ଅବସ୍ଥା ବଦଳିଗଲା । କାଜି ପରିଚ୍ଛାଙ୍କ ଆଡ଼ୁ ମୁହଁ ଫେରାଇ ବୁଢ଼ୀଆଡ଼କୁ ଅନାଇ କହିଲେ, “ଏ ପାଗଳୀ ବୁଢ଼ୀ କିଏ ? ନେଇଯାଅ ଏଠାରୁ ତାକୁ ।

 

ଆଦେଶ ପାଇ ଜଣେ ଚପରାଶି ବୁଢ଼ୀ ପାଖକୁ ଛୁଟିଆସିଲା । ବୁଢ଼ୀ ତାକୁ ଦେଖି ଦାନ୍ତ ଦେଖାଇ ଦୌଡ଼ିଆସିଲା କାମୁଡ଼ିବାକୁ । ଚେମେରା ବୁଢ଼ୀ ହେଲେ କ’ଣ ହେବ ପାଟିରେ ଦାନ୍ତପୁଳାକ ଠିକ୍ ସେମିତି ରହିଛି । ମୁଣ୍ଡର ନୁଖୁରା ବାଳପୁଳାକ ତା’ ରୂପକୁ ଆହୁରି ଭୟଙ୍କର କରିଦେଉଥାଏ ।

 

ଚପରାଶିଟି ଭୟପାଇ ଘୁଞ୍ଚିଗଲା ପଛକୁ ।

 

କାଜି ରାଗିଯାଇ ମୋଗଲ ଫଉଜଙ୍କୁ ଆଦେଶ ଦେଲେ ମନ୍ଦିର ଭିତରେ ପଶି ହିନ୍ଦୁ ଦେବତାକୁ ଭାଙ୍ଗିପକାଅ ।

 

ଫଉଜ ପଶିଗଲେ କବାଟ ଭାଙ୍ଗି ମନ୍ଦିର ବେଢ଼ା ମଧ୍ୟକୁ । ଆଖି ପିଛଡ଼ାକ ମଧ୍ୟରେ ବେଢ଼ାରୁ ଉଠିଗଲେ ନାଟ ମନ୍ଦିର ଭିତରକୁ । ନାଟ ମନ୍ଦିରରୁ କବାଟ ଭାଙ୍ଗିଦେଇ ପଶିଗଲେ ଜଗମୋହନରେ । ତା’ପରେ ପଶିଗଲେ ମୂଳ ମନ୍ଦିର ଭିତରକୁ ବଡ଼ ବଡ଼ ଚନ୍ଦନ କାଠର କବାଟଭାଙ୍ଗି ।

 

ଏ କ’ଣ ? ସିଂହାସନ ଖାଲି । ବାସି ମନ୍ଦାର ଫୁଲ ସିଂହାସନର ଏଣେତେଣେ ପଡ଼ିଛି । କଳାଶାଢ଼ି କେତେଖଣ୍ଡ ପଡ଼ିରହିଛି ସିଂହାସନ ତଳେ ।

 

ତାହାହେଲେ କାଳିସୀ ବୁଢ଼ୀ ଯାହା କହୁଥିଲା ତାହା ସତ । ଠାକୁରାଣୀ ଶୂନ୍ୟ ହୋଇଯାଇଛନ୍ତି । ବିଧର୍ମୀ ଯବନ ତାଙ୍କୁ ଛୁଇଁବା ପୂର୍ବରୁ ସେ ଚାଲିଯାଇଛନ୍ତି ଦୂରକୁ । ଏଭଳି ବହୁଥର ହୋଇଛି । ରାକ୍ଷସମାନଙ୍କ ଆକ୍ରମଣରେ ଦେବତାମାନେ ସ୍ୱର୍ଗଛାଡ଼ି ପଳାଇଛନ୍ତି । ସେହି ସ୍ୱର୍ଗକୁ ଶାସନ କରିଛନ୍ତି ରାକ୍ଷସୀମାନେ; କିନ୍ତୁ ବେଶିଦିନ ନୁହେଁ । ଶିବଙ୍କ ହାତରେ ହେଉ ବା ବିଷ୍ଣୁଙ୍କ ହାତରେ ହେଉ ଅଥବା ଶକ୍ତିଙ୍କ ହାତରେ ହେଉ ରାକ୍ଷସ ବଧ ହୋଇଛନ୍ତି । ସ୍ୱର୍ଗ ମୁକ୍ତ ହୋଇଛି ରାକ୍ଷସମାନଙ୍କ କବଳରୁ । ଏ ବି ତ ସେହିପରି ।

 

ଦେବୀ ଶୂନ୍ୟ ହୋଇଯାଇଛନ୍ତି ? ପଥର ମୂର୍ତ୍ତିଟା କିପରି ଶୂନ୍ୟ ହୋଇଯିବ ! ଶୂନ୍ୟ ହୋଇଗଲା ନାହିଁ ତ କ’ଣ ହେଲା ? ରାତିଅଧ ପର୍ଯ୍ୟନ୍ତ ଠାକୁରାଣୀଙ୍କ ମନ୍ଦିରରେ ଘଣ୍ଟ, ଘଣ୍ଟା କାହାଳୀ ବାଜୁଥିଲା । କାଜି ଗୁପ୍ତରେ ଚାର ନିଯୁକ୍ତି କରିଥିଲେ ପୂର୍ବଦିନରୁ ସବୁ ଲକ୍ଷ୍ୟ କରିବାକୁ । ଚାର ଲୁଚି ଲୁଚି ରହି ସବୁ ଲକ୍ଷ୍ୟ କରିଛି । ମନ୍ଦିରର ସବୁ ନୀତି ଶେଷରେ ସେବକମାନେ କବାଟ ଦେଇ ଚାଲିଯିବାର ସେ ଦେଖିଛି । ତା’ପରେ କିଛି ସମୟ ସେ ଅପେକ୍ଷା କରିଛି, ଆଉ କିଛି ଦେଖିବାପାଇଁ ସବୁ ଶୂନ୍‌ଶାନ୍ । ନିଛାଟିଆ ଦେଉଳ କଣଟାରେ ସେ ଆଉ ବେଶି ସମୟ ନରହି ଫେରିଯାଇଛି ଟିକିଏ ଶୋଇବା ପାଇଁ । ସକାଳ ହେବା ପୂର୍ବରୁ ସେ ପୁଣି ଆସିଛି । କିଛି ଅସ୍ୱାଭାବିକ ସେ ମନେକରିନାହିଁ ।

 

ହୋଇପାରେ । ଅଦ୍ଭୁତ ହିନ୍ଦୁମାନଙ୍କ ଦେବତାଙ୍କ କଥା । ଏ ପୁଣି ତନ୍ତ୍ରର ଦେବତା, ସେହି ତନ୍ତ୍ର ବଳରେ ରାଉଳ ସବୁ ଠାକୁରାଣୀଙ୍କ ଘଟ ମୁଣ୍ଡରେ ମୁଣ୍ଡାଇ ରଡ଼ ନିଆଁ ଭିତରେ ଚାଲିଯାନ୍ତି । ମୁନିଆ କଣ୍ଟା ଦୋଳିରେ ବସି ଝୁଲିଥାନ୍ତି । ଠାକୁରାଣୀଙ୍କ ପାଦଧୂଆଁ ପାଣି ପିଇ ରୋଗୀ ରୋଗରୁ ମୁକ୍ତ ହେଉଛନ୍ତି । ଏଭଳି ପ୍ରତ୍ୟକ୍ଷ ଠାକୁରାଣୀ ଶୂନ୍ୟ ହୋଇଯିବା କଥାଟାକୁ କିଏ ନାସ୍ତି କରିବ । ଖାଲି ତ ନାସ୍ତି କରିଦେଲେ ହେବନାହିଁ, କହିବାକୁ ପଡ଼ିବ ମୂର୍ତ୍ତି କୁଆଡ଼େ ଗଲେ ବୋଲି ।

 

ହେଲା ତାଙ୍କ ଦେବତା ଶୂନ୍ୟ ହୋଇଯାଇଛନ୍ତି, ରତ୍ନ ଭଣ୍ଡାର ତ ଶୂନ୍ୟ ହୋଇନାହିଁ । ତାଙ୍କ ଦେବତା ଆମର କ’ଣ ହେବେ । ଆମର ଦରକାର ରତ୍ନ । ଭଲ ରତ୍ନ ବାହାରିଲେ ପଠାଯିବ ଦିଲ୍ଲୀ ମୋଗଲ ଦରବାରକୁ ।

 

କାଜି ଆଦେଶ ଦେଲେ, “ରତ୍ନଭଣ୍ଡାର ଖୋଲ ।”

 

ଫଉଜେ ରତ୍ନଭଣ୍ଡାରର କବାଟ ଭାଙ୍ଗି ଭିତରେ ପଶିଲେ । କାଠ ସିନ୍ଦୁକରେ ତାଲା । ଅନାଉ ଅନାଉ ଭାଙ୍ଗିଦିଆଗଲା ତାଲାକୁ । ସିନ୍ଦୁକରୁ ଦୁଇ ହାତରେ କାଢ଼ିଆଣିଲେ ଯାହା ସିନ୍ଦୁକ ମଧ୍ୟରେ ଥିଲା ।

 

ସୁନା, ରୁପା ଥାଳି, ମୋହର ମାଳି କେତୋଟି, ସୁନାର ମୁକୁଟ, ସୁନା ଖଡ଼ୁ-ଯାହାଥିଲା ସବୁ ବାହାର କରିଦିଆଗଲା । କାଜିଙ୍କ ପାଖରେ ମାତ୍ର ତା’ର କିଛି ଅଂଶ ପହଞ୍ଚିଲା । କାଜି ଜାଣିବାକୁ ମନ୍ଦିରର ଭଣ୍ଡାରରେ ସେତିକି ଥିଲା ।

 

ଭୟରେ ହିନ୍ଦୁମାନେ ମନ୍ଦିର ପାଖକୁ ଦୂରରେ ଚାଲିଗଲେ । ସେ ଦୃଶ୍ୟ ଦେଖିହେବ ନାହିଁ । ତାଙ୍କ ଠାକୁରାଣୀଙ୍କ ବ୍ୟବହାର ଜିନିଷ ପଠାଣେ ପିନ୍ଧିବେ ଏହା ଦେଖିବା ଅପେକ୍ଷା ମରିଯିବା ଶତେଗୁଣେ ଭଲ । ଆଜି ତାଙ୍କ ଦେବତା ମନ୍ଦିର ଲୁଟି ହେଉଛି, କିଏ କହିବ କାଲି ତାଙ୍କ ଧର୍ମ ଲୁଟି ହେବନାହିଁ ବୋଲି । ହିନ୍ଦୁର ଧର୍ମ ବଡ଼ । ତା’ଠାରୁ ବଡ଼ ତା’ର ଦେବତା । ଦେବତା ପାଇଁ ସବୁ ସେ କରିପାରେ ।

 

ଓଡ଼ିଶା ସୁବାର ସୁବାଦାର ହାସିସ୍‌ଖାଁଙ୍କ ଅମଳରେ କେଶୋଦାସ ନାମକ ଜଣେ ରାଜପୁତ୍ତ ଜାୟଗିରିଦାର ଥିଲେ । ସେ ତୀର୍ଥ କରିବା ବାହାନାରେ ପୁରୁଷୋତ୍ତମ ଯାଇଥିଲେ । ତାଙ୍କ ସହିତ ତାଙ୍କର ବହୁ ସୈନ୍ୟସାମନ୍ତ ଥାନ୍ତି । ସେ ଜଗନ୍ନାଥ ମନ୍ଦିର ବେଢ଼ା ଭିତରେ ପଶିଯାଇ ଭିତରୁ ସବୁ କବାଟ ବନ୍ଦ କରିଦେଲେ । ମନ୍ଦିର ଏକ ପ୍ରକାର ଦୁର୍ଗ ହୋଇଗଲା । ମନ୍ଦିର ମଧ୍ୟରେ ରହି ମନ୍ଦିରର କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଣ୍ଠନ କରିବାରେ ଟିକିଏ ହେଲେ ଦ୍ଵିଧା କଲେ ନାହିଁ । ରାମଚନ୍ଦ୍ର ଦେବଙ୍କ ପୁଅ ପୁରୁଷୋତ୍ତମ ଦେବ ଖୋର୍ଦ୍ଧାଗଡ଼ରେ ଏ ସମ୍ବାଦ ପାଇଲେ । ସେ ସଙ୍ଗେ ସଙ୍ଗେ ଧାଇଁଲେ ଦଶହଜାର ଅଶ୍ଵାରୋହୀ, ତିନିଚାରି ଲକ୍ଷ ପଦାତିକ ଏବଂ ବହୁ ରଥ ଧରି । ରଥ ମଧ୍ୟରେ ବହୁ ରଥାରୋହୀ ଥିଲେ । ମଣିଷ ଏବଂ ହାତୀମାନଙ୍କ ଦ୍ୱାରା ରଥଗୁଡ଼ିକ ଟଣାଯାଇ ମନ୍ଦିର ପାଖକୁ ନିଆଯାଇଥିଲା । ସେହି ରଥ ଉପରଦେଇ ମନ୍ଦିର ବେଢ଼ା ଭିତରକୁ ଯିବାପାଇଁ ସୈନ୍ୟମାନେ ଚେଷ୍ଟା କଲେ । ମାତ୍ର ଭିତରେ ଥିବା ରାଜପିତ୍ତ ଲମ୍ବା ଲମ୍ବା ବାଉଁଶ ଅଗରେ ନିଆଁହୁଳା ବାନ୍ଧି ଫୋପାଡ଼ିଦେଲେ ରଥ ଗୁଡ଼ିକୁ । ଶେଷରେ ରାମେଇ ରାଉତଙ୍କ ପୁଅ ପୁରୁଷୋତ୍ତମ ଦେବ ବାଧ୍ୟହେଲେ ସନ୍ଧି କରିବାକୁ । କେଶୋଦାସ ସନ୍ଧିରେ ସର୍ତ୍ତ ରଖିଲେ ପୁରୁଷୋତ୍ତମ ଦେବ ଦେବ ନିଜର ଗୋଟିଏ କନ୍ୟାକୁ ଦିଲ୍ଲୀର ବାଦଶାହାଙ୍କ ଅନ୍ତଃପୁରକୁ ପଠାଇବେ, ଭେଟିଦେବେ ତିନିଲକ୍ଷ ଟଙ୍କା, ନିଜ ଭଉଣୀଙ୍କୁ ବିବାହ ଦେବେ କେଶୋଦାସଙ୍କୁ । ଭଉଣୀ ସହିତ ପୁଣି ଦେବେ ଲକ୍ଷେ ଟଙ୍କା । ଉପାୟ ନାହିଁ ଗଜପତି ମହାରାଜା ପୁରୁଷୋତ୍ତମ ଦେବଙ୍କର । ତା’ନହେଲେ ଜଗନ୍ନାଥଙ୍କର ନୀତି ବନ୍ଦ । ନିଜେ ପଛେ ନର୍କକୁ ଯାନ୍ତୁ, ନିଜ କନ୍ୟା ପଛେ ମୁସଲମାନର ଘରଣୀ ହେଉ; କିନ୍ତୁ ଦେବତାଙ୍କର କିଛି ନ ହେଉ । ପୁରୁଷୋତ୍ତମ ଦେବଙ୍କର ଯେଉଁ ବିପୁଳ ସୈନ୍ୟବାହୀନି ଥିଲେ, ତାଙ୍କ ସାହାଯ୍ୟରେ କେଶୋଦାସ ଓ ତା’ର ଅନୁଚର ମୁଷ୍ଟିମେୟ; କିନ୍ତୁ ତାହା କରିବାକୁ ହେଲେ ମନ୍ଦିରର ପବିତ୍ରତା ରହିବ ନାହିଁ । ହୁଏତ କେଶୋଦାସର ମୃତ୍ୟୁ ପୂର୍ବରୁ ସେ ଜଗନ୍ନାଥଙ୍କୁ ନଷ୍ଟ କରିଦେଇପାରେ ।

 

ପୁରୁଷୋତ୍ତମଦେବ କିଶୋଦାସର ସର୍ତ୍ତ ପାଖରେ ମୁଣ୍ଡ ନୁଆଇଁ ଦେଇଥିଲେ । କେବଳ ତା’ର, ତା’ ଜାତିର ଦିଅଁଙ୍କ ପାଇଁ । ତାଙ୍କ କନ୍ୟା ମୋଗଲ ହାରାମକୁ ଯାଉ ପଛେ ତା’ ଦେବତାଙ୍କ ଉପରେ ଆଞ୍ଚ ନଆସୁ ।

 

ମନ୍ଦିର ଲୁଣ୍ଠନ ପରେ ପରେ କାଜି ଆଦେଶ ଦେଲେ ମନ୍ଦିରକୁ ଭାଙ୍ଗିଦିଅ । ତାହାରି ପଥରରେ ହେବ ମସ୍‌ଜିଦ୍‌ । ସେହି ମସ୍‌ଜିଦ୍‌ରେ ସମ୍ରାଟ ଆଓରେଙ୍ଗଜେବଙ୍କ ବାଣୀ ଖୋଦିତ ହେବ, ‘ଲାଏଲାହା ଇଲ୍‌ଲଲାହୋ ମୋହସମଦୁର ରସୁଲିଲାହେ’ ।

 

ବିରାଟ ମନ୍ଦିର । ଭାଙ୍ଗିବା ଏଡ଼େ ସହଜ ନୁହେଁ । ତଥାପି ମସଜିଦ୍ ପାଇଁ ଭାଙ୍ଗିବାକୁ ପଡ଼ିବ ।

 

ଶିଡ଼ି ଲଗାଇ ମୁସଲମାନ ମିସ୍ତ୍ରୀ ମନ୍ଦିର ଉପରକୁ ଚଢ଼ିଗଲେ । ମନ୍ଦିର ଶୀର୍ଷ ଦେଶରୁ ଭାଙ୍ଗି ନ ଆଣିଲେ ହେବ ନାହିଁ । ମନ୍ଦିରର ଶୀର୍ଷ ଦେଶରେ ଚକ୍ର ରହିଛି । ତା’ ଉପରକୁ ପତାକା । ପତାକା ଆଉ ଉଡ଼ୁନାହିଁ । ଦେବତା ବିହୀନ ମନ୍ଦିର ଉପରେ ସେ ବା କାହିଁକି ଉଡ଼ିବ ! ସେ ନୀରବଦ୍ରଷ୍ଟାରୂପେ ଲକ୍ଷ୍ୟ କରୁଛି ଅବସ୍ଥା ।

 

ଶାବଳ, ନିହାଣ, ମୁଗୁର ଧରି ମିସ୍ତ୍ରୀମାନେ ଦେଉଳର ଦଧିନଉତି ଉପରକୁ ଉଠିଗଲେଣି । ଚକ୍ର ଦେହରେ ବନ୍ଧା ହୋଇଥିବା ପତାକା ସହିତ ନଗିଟିକୁ ଫିଟାଇ ତଳକୁ ଫୋପାଡ଼ିଦେଲେ । ତା’ପରେ ଖଞ୍ଜାଯାଇଥିବା ଚକ୍ରଟିକୁ ବାହାର କରିଦେବାକୁ ଚେଷ୍ଟା କଲେ । କଷ୍ଟରେ ନିହାଣ ମାରି ଚକ୍ରଟିକୁ ବାହାର କରିଦିଆଗଲା । ଏଥର ତଳକୁ ଫୋପାଡ଼ି ଦିଆହେବା କଥା । ଲୋକଙ୍କୁ ସାବଧାନ କରୁ କରୁ ଚକ୍ର ଖସିପଡ଼ିଲା ତଳକୁ । ଚକ୍ର ସହିତ ଗୋଟିଏ ମିସ୍ତ୍ରୀ ବି ଗଡ଼ିପଡ଼ିଲା ତଳକୁ । ତଳ ପଥର ଚଟାଣରେ ଠୋ କରି ତା’ ମୁଣ୍ଡ ପିଟି ହୋଇଗଲା । ଭାସିଗଲା ରକ୍ତରେ ପଥର ଚଟାଣଟି । ଖାଲି ସେତିକି ନୁହେଁ ତଳେ କନା ଟୋପିଟିଏ ମୁଣ୍ଡରେ ଦେଇ ଛେଳି ଭଳି ଦାଢ଼ିରଖି ଛିଡ଼ା ହୋଇଥିବା ମୁସଲମାନ ଯୁବକଟି ଖସିପଡ଼ୁଥିବା ଚକ୍ରଠାରୁ ରକ୍ଷାପାଇବା ପାଇଁ ଟିକିଏ ଘୁଞ୍ଚି ଯାଉ ଯାଉ ଚକ୍ରଟି ତା’ ଉପରେ ଅଜାଡ଼ି ହୋଇଗଲା ତା’ ତଳେ ।

 

କାଜି ହାଁ ହାଁ କରୁ କରୁ ସବୁ ଶେଷ । ପରେ ଲୋକମାନେ ଯାଇ ଚକ୍ରତଳୁ ଲୋକଟିକୁ କାଢ଼ିଲେ ସତ, କିନ୍ତୁ ତା’ର ପ୍ରାଣ ଚାଲିଯିବା ଅବସ୍ଥାରେ ଥାଏ ।

 

ଆହା ଯୋଡ଼ିଏ ପ୍ରାଣ ଚାଲିଗଲା ଅସାବଧାନତାରୁ ଓ ସାବଧାନତାରୁ ।

 

ଏତେ ବିପଦରେ ବି ଦୂରରେ ଛିଡ଼ାହୋଇ ଯେଉଁ କେତେଜଣ ହିନ୍ଦୁ ଦୁଃଖର ସହିତ ତାଙ୍କ ଠାକୁରାଣୀ ମନ୍ଦିର ଭଙ୍ଗା ଦେଖୁଥିଲେ, ସେମାନଙ୍କ ମୁହଁରେ ଆନନ୍ଦ ଖେଳିଗଲା । ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ୟମାନଙ୍କୁ ସମ୍ବାଦ ଦେବାପାଇଁ ଧାଇଁଗଲେ ।

 

ଠାକୁରାଣୀଙ୍କ ଚକ୍ର ସେମାନେ ଭାଙ୍ଗିଦେଲେ ସତ କିନ୍ତୁ ଦି’ଟା ପଠାଣଙ୍କ ରକ୍ତ ସେ ଖାଇଲା ।

 

ଆରମ୍ଭରୁ ଯେଉଁ ଦୁର୍ଘଟଣା ଘଟିଗଲା ତାହା ଦେଖି ମିସ୍ତ୍ରୀମାନେ ପ୍ରମାଦ ଗଣିଲେଣି । ଦଧିନଉତି ଭାଙ୍ଗିବା ସହଜ ନୁହେଁ । ମନ୍ଦିର ନିର୍ମାଣ ହେଲାବେଳେ ଯେଉଁ ଚତୁରତା ଅବଲମ୍ବନ କରାଯାଇଥାଏ, ଭାଙ୍ଗିଲାବେଳେ ତାହା ନୁହେଁ । ବିରାଟ ପୀଢ଼ ମନ୍ଦିର । ଦଧିନଉତି ଉପରେ ଥିବା ଚକ୍ର ପଡ଼ିଗଲାଣି । ଏଣିକି କଳସଟିକୁ ସବଧାନରେ ଭାଙ୍ଗିବାକୁ ହେବ । ମନ୍ଦିରଟି ଦେଖିଲେ ମନେହେବ ସତେ ଯେପରି ଜଣେ ସ୍ତ୍ରୀଲୋକ କଳସଟିଏ ମୁଣ୍ଡ ଉପରେ ରଖି ଯୁକ୍ତ କରରେ ଛିଡ଼ା ହୋଇଛି । କଳସଟି ପରେ ମସ୍ତକ, ତା’ପରେ କଣ୍ଠ, ତା’ପରେ ଗଣ୍ଡି ବା ଉର୍ଧ୍ୱାଂଶ ଭାଙ୍ଗିଲାପରେ ବାଡ଼ ପଡ଼ିବ । ମନ୍ଦିରଟି ଭାଙ୍ଗିବା ଏତେ ସହଜ ନୁହେଁ ।

 

ମନ୍ଦିର ଖୋଲରେ ବସା କରି ରହିଥିବା ପାରାଗୁଡ଼ିକ ଦଳ ଦଳ ହୋଇ ଉଡ଼ିଲେଣି । ସେମାନେ ଜାଣିପାରିଲେଣି ତାଙ୍କ ବାସସ୍ଥାନ ଉପରେ ଆଘାତ ପଡ଼ିବ ।

 

ଡେରିଦେଖି କାଜି ପାଟି କରିଉଠିଲେ ଶୀଘ୍ର ଶୀଘ୍ର କାମ କର ।

 

ମିସ୍ତ୍ରୀମାନଙ୍କର ଚଲିଲା ଭାଙ୍ଗିବା କାମ । ପଥର ଜୋଡ଼ା ହୋଇଥିବା ସ୍ଥାନରେ ନିହାଣର ଚୋଟ ବାଜିବାକୁ ଲାଗିଲା । ସବଧାନରେ ମିସ୍ତ୍ରୀମାନେ ବାଡ଼େଇ ବାଡ଼େଇ କଳସଟିକୁ ଭାଙ୍ଗିଦେଲେ । ଏହାପରେ ତା’ ତଳି ଦେଶରେ ପାଳି । ଧୀରେ ଧୀରେ ସୁନ୍ଦର ଦେଉଳଟି ବିକଳାଙ୍ଗ ହେବାକୁ ଲାଗିଲା । ଦୁଲ୍‌ଦାଲ ଭୂଷ୍‍ଭାଷ୍ ହୋଇ ଉପରୁ ପଥର ତଳକୁ ଖସିପଡ଼ୁଥାଏ । ଦେଉଳର ଚତୁଃପାର୍ଶ୍ଵରେ ଖଞ୍ଜା ହୋଇଥିବା ବିଭିନ୍ନ ପଥର ମୂର୍ତ୍ତିଗୁଡ଼ିକ ତଳକୁ ଖସିପଡ଼ି ଚୂନା ହୋଇଯାଉଥାନ୍ତି-

 

ଏତେ ସୁନ୍ଦର ଜୀବନ୍ତମୂର୍ତ୍ତି । କେତେଦିନ ଲାଗିଥିବ ମିସ୍ତ୍ରୀଙ୍କୁ ତାହା କରିବା ପାଇଁ । ମାତ୍ର ତାହା ମସ୍‌ଜିଦର ବା କେଉଁ ଅଂଶରେ ଲାଗିପାରିନ ?

 

ଖାଲି ମୂର୍ତ୍ତି ନୁହେଁ । ପଥର ଗୁଡ଼ିକ ମଧ୍ୟରୁ କେତେକ ପଥର ତଳକୁ ଖସିପଡ଼ି ଭାଙ୍ଗିଯାଉଥାଏ । କେତେକ ବି ଗୁଣ୍ଡ ହୋଇଯାଉଥାଏ । ଗୁଣ୍ଡ ହେଲାବେଳେ ଯେଉଁ ଶବ୍ଦ ହେଉଥାଏ ସେଥିରୁ ମନେହେବ ପଥରବି ଅନ୍ୟାନ୍ୟ ଜୀବଭଳି ଚିତ୍କାର କରୁଛି-ଦୁଃଖରେ ବିଳାପ କରିଉଠୁଛି ।

 

ଏଥିପାଇଁ ଦାୟୀ କିଏ ?

 

ରାଉଳମାନେ କହିବେ ଦାୟୀ ବୈଷ୍ଣବମାନେ । ଯେଉଁଦିନଠୁ ଠାକୁରାଣୀଙ୍କୁ ବୈଷ୍ଣବୀ କରିଦିଆଗଲାଣି ସେହିଦିନୁ ସବୁପ୍ରକାର ବିଘ୍ନ ଆସୁଛି । ତନ୍ତ୍ରର ଦେବୀଙ୍କୁ ତନ୍ତ୍ରମତରେ ପୂଜା ନ କରି ବୈଷ୍ଣବ ମତରେ ପୂଜା କଲେ ଚୋରଙ୍କ ଭଳି ହେବାକୁ ପଡ଼ିବ । ଏ ଦେଶ ବୀରର ଦେଶ । ଓଡ଼ିଶାର ସବୁ ଅଞ୍ଚଳରେ ବୀରର ମାତା ଦୁର୍ଗା କେଉଁଠି ଦ୍ଵିହସ୍ତ ବିଶିଷ୍ଟା, ଚତୁଃହସ୍ତ, କେଉଁଠି ଅଷ୍ଟ, ଦଶ ହସ୍ତ ବିଶିଷ୍ଟା ହୋଇ ପୂଜା ପାଉଛନ୍ତି । ବୌଦ୍ଧମାନଙ୍କ ଅହିଂସାର ମୂର୍ତ୍ତିମନ୍ତ ବିଗ୍ରହ ତନ୍ତ୍ରର ନୃମୁଣ୍ଡ ମାଳିନୀ ସାଜିଛନ୍ତି ଜାତିକୁ ବୀରଭାବେ ଉଦ୍‍ବୁଦ୍ଧ କରିବାକୁ । ତନ୍ତ୍ରବି ନିମ୍ନତାର ସାଧନା, ପଶୁଭାବର ଊର୍ଦ୍ଧ୍ଵରେ ବୀରଭାବ । ବୀରଭାବର ଊର୍ଦ୍ଧ୍ଵରେ ଦିବ୍ୟଭାବ । ସାଂସାରିକ କ୍ଷେତ୍ରରେ ବୀରଭାବ ଶ୍ରେଷ୍ଠତର । ନିଷ୍କାମ ସାଧକ ପକ୍ଷରେ ଦିବ୍ୟସ୍ତରରୋହଣ ବାଞ୍ଛନୀୟ । ସାଂସାରିକ ଯଶ ପାଇଁ ବୀରଭାବ ଗ୍ରହଣୀୟ । ତନ୍ତ୍ରର ପଞ୍ଚମକାର ଓଡ଼ିଶାରୁ ଲୁପ୍ତ ପ୍ରାୟ । ତେଣୁ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଓଡ଼ିଶା ଛିଡ଼ି ଛିଡ଼ି ଆସିଲାଣି । ଯେତିକି ଅବଶିଷ୍ଟ ରହିଛି, ସେତିକି ମଧ୍ୟ ନିରାପଦରେ ରହୁନାହିଁ ।

 

ହିନ୍ଦୁମାନେ କହିବେ ମୁସଲମାନ ଏଥିପାଇଁ ଦାୟୀ ।

 

ମାତ୍ର ପ୍ରକୃତ କ’ଣ ମୁସଲମାନ ଏଥିପାଇଁ ଦାୟୀ ? ଦାୟୀ ନୁହେଁ ମଣିଷର ଗୋଷ୍ଠୀଗତ ସଭ୍ୟତା ?

 

ସେଦିନ ଦଳେ ପାହାଡ଼ରୁ ପଥର କାଟିଆଣି ସ୍ତୁପ ନିର୍ମାଣ କଲ । ସ୍ତୁପର ଚତୁର୍ଦ୍ଦିଗରେ ଚିତ୍ରିତ କଲ ବିଭିନ୍ନ ସାଧୁ-ଉପାସନାର ଚିତ୍ର । ପ୍ରାୟ ଆଠଶହ ନଅଶହ ବର୍ଷ ପରେ ତୁମରି ଭିତରୁ ଦଳେ ଅନ୍ୟ ମାର୍ଗରେ ଯାଇ ତାକୁ ଭାଙ୍ଗିପକାଇ ସେହି ପଥରରେ ଗଢ଼ିଲ ଶିବ ଶକ୍ତିଙ୍କ ମନ୍ଦିର । ସେତେବେଳେ ତୁମର ଏ ନିର୍ମମ କାର୍ଯ୍ୟ ଦେଖି କେହି ମର୍ମାହତ ହେଉନଥିଲେ ? ଆଖିରୁ ଲୁହ ଗଡ଼ାଉନଥିଲେ ?

 

ମନ୍ଦିର ପାଇଁ ତୁମ ଗୋଷ୍ଠୀର ଲୋକ ଯେତେବେଳେ ସ୍ତୂପ ଭାଙ୍ଗୁଥିଲେ ସେତେବେଳେ ବୌଦ୍ଧମାନଙ୍କୁ ଯଦି କେହି ଲକ୍ଷ୍ୟ କରିଥିବ ସେ ନିଶ୍ଚୟ ଦେଖିଥିବ ତା’ ଆଖିର ଜମାଟ ବନ୍ଧା ଲୁହ । ଆଜି କେତେଶହ ବର୍ଷ ପରେ ସେହି ବୌଦ୍ଧମାନଙ୍କ ଆଖିରେ ଜମାଟବନ୍ଧା ଲୁହ ଫେରିଆସିଛି ତୁମରି ଆଖିକୁ ! ପୁଣି କେତେଶହ ବର୍ଷ ପରେ ତୁମ ଆଖିର ଲୁହ ଫେରିଯିବ ସେହିମାନଙ୍କ ଆଖିକୁ ଯେଉଁମାନଙ୍କ ଗୋଷ୍ଠୀ ଗତ ସଭ୍ୟତା ତୁମ ଆଖିରେ ଲୁହ ଭରିଦେଉଛି ।

 

ମଣିଷ କରାଉନାହିଁ, ଧର୍ମ ବି କରାଉନାହିଁ । କରାଉଛି ମଣିଷର ଗୋଷ୍ଠୀଗତ ସଭ୍ୟତା ।

Image